Unknown

 

 

 

 

 

 

 

 

ଏଥାନ୍‌ ଫ୍ରୋମ୍‌

ମୂଳ ରଚନା

ଏଡିଥ୍‌ ହ୍ୱାରଟନ୍‌

 

ଅନୁବାଦ

ଶ୍ରୀ ଚିନ୍ତାମଣି ମିଶ୍ର

 

ଉପକ୍ରମଣିକା

 

ମୋ’ କଳ୍ପିତ ଷ୍ଟାର୍କଫିଲ୍‌ଡ୍‌ ଗ୍ରାମକୁ ନିଉଇଂଲାଣ୍ଡର ଯେଉଁ ଅଞ୍ଚଳରେ ନେଇ ଅବସ୍ଥାପିତ କଲି, ସେ ଅଞ୍ଚଳରେ ସ୍ୱୟଂ ଯାଇ ବାସ କରିବା ପୂର୍ବରୁ ନିଉ ଇଂଲଣ୍ଡର ଗ୍ରାମ୍ୟଜୀବନ ସମ୍ବନ୍ଧରେ ମୁଁ ସାମାନ୍ୟ କିଛି ଜାଣିଥିଲି; ଅବଶ୍ୟ, ସେଠାରେ ଯେଉଁ କେତେ ସମୟ କଟାଇଲି ତା’ଭିତରେ ଏହି ଗ୍ରାମ୍ୟ-ଜୀବନର କେତେକ ବିଭାବ ସହିତ ମୋର ପରିଚୟ ଅଧିକ ଘନିଷ୍ଠ ହୋଇଥିଲା ।

 

ନିଉଇଂଲାଣ୍ଡ ଗ୍ରାମ୍ୟଜୀବନକୁ ପୂରାପୂରି ଗ୍ରହଣ କଲାବେଳେ ମୋ ମନରେ ଗୋଟିଏ ଅସ୍ୱସ୍ତିକର ଧାରଣା ହେଉଥାଏ ଯେ, ମୁଁ ଆଖିରେ ଯେଉଁ ରୁକ୍ଷ ଅଥଚ କମନୀୟ ସ୍ଥାନଟି ଦେଖୁଛି ତାହାର ସ୍ପଷ୍ଟ ଧାରଣା, ବିଷୟରେ ପଢ଼ିଥିବା ବର୍ଣ୍ଣନା ଆଖିର ଦେଖା ଭିତରେ ବିଶେଷ ସୌସାଦୃଶ୍ୟ ନଥିଲା ଯଦାପି ଏଠାରେ ଗଛବୃଚ୍ଛ ଓ କଥିତ ଭାଷା ବିଷୟରେ ଏକ ଅସ୍ପଷ୍ଟ ଧାରଣା ପଢ଼ିବା ଫଳରେ ହୋଇଥିଲା । କିନ୍ତୁ ଏଥିରୁ କ’ଣ ସ୍ଥାନର ପ୍ରକୃତ ମହାତ୍ମ୍ୟ ଜଣା ପଡ଼େ ? ଏଠାରେ ଆସି ରହିବା ପରେ, ଏ ଅଞ୍ଚଳର ବହୁରଙ୍ଗୀ ପାର୍ବତ୍ୟ ଫୁଲଗଛ, ଚିର-ସବୁଜ ନାନା ପ୍ରକାର ଗୁଳ୍ମ ଓ ଲତାମାନଙ୍କର ନାମ-ତାଲିକା ଠିକ୍‌ ଠିକ୍‌ ଭାବେ ଆବୃତ୍ତି କରିବାର ଯୋଗ୍ୟତା ହାସଲ କଲି, ସ୍ଥାନୀୟ ‘ବୋଲି’ ବି ନିଖୁଣଭାବେ କହିପାରିଲି । ତଥାପି ମନେ ହେଉଥାଏ, ମୁଁ ଏ ଅଞ୍ଚଳର ପ୍ରକୃତି ଓ ଲୋକଙ୍କ ସହିତ ସମ୍ପୂର୍ଣ୍ଣଭାବେ ପରିଚିତ ହୋଇ ପାରିନାହିଁ । ଗଛବୃଚ୍ଛ, ଗୁଳ୍ମଲତା ମଝିରେ ଭୂଇଁରୁ ଯେଉଁ ଅକର୍ମଶିଳା ମୁଣ୍ଡଟେକି ଉଠିଛି ତାକୁ ଭଲକରି ଦେଖିନାହିଁ ବୋଲି ମନେ ହେଉଥାଏ । ପୁଣି ମନେ ହେଉଥାଏ ଏଠାରେ ବିଶିଷ୍ଟ ଭାଷା କହୁଥିବା ଲୋକଙ୍କର ଭିତରେ ପଥର ପରି ଟାଣ ଓ ସହିଷ୍ଣୁ ବ୍ୟକ୍ତିତ୍ୱର ଯେଉଁ ସଙ୍କେତ ଅସ୍ପଷ୍ଟ ଭାବେ ଦିଶୁଥାଏ ତାହା ମୋ ନଜରରେ ପୂରା ପଡ଼ିନାହିଁ । ଏହି ସଂଶୟ ଯୋଗୁଁ, ମୁଁ ଏମାନଙ୍କ ବିଷୟରେ ଯାହା ଲେଖିଛି ତାହା ସେମାନଙ୍କର ବାସ୍ତବଚିତ୍ର ନହୋଇ ମୋ’ ବ୍ୟକ୍ତିଗତ ଧାରଣାର ପରିପ୍ରକାଶ ବୋଲି କହିବାକୁ ପଡ଼ୁଛି । ପାଠକମାନେ ସେଇ ଦୃଷ୍ଟିରେ ଏହି ‘ଏଥାନ୍‌ଫ୍ରୋମ୍‌’ ଉପନ୍ୟାସଟି ପଢ଼ିବେ ବୋଲି ମୋର ଆଶା । ହୁଏତ, ସେଇ ଦୃଷ୍ଟିରେ ପଢ଼ିଲେ, କେତେକ ପରିମାଣରେ, କେତେକ ପାଠକ, ମୋର ତ୍ରୁଟିବିଚ୍ୟୁତି ମାର୍ଜନା କରିବାକୁ ସମର୍ଥ ହେବେ ।

 

ଏହି ଆଖ୍ୟାୟିକାର ଆରମ୍ଭ ବିଷୟରେ ଯାହା କହିଲି, ବୋଧହୁଏ, ସେତିକି ଯଥେଷ୍ଟ । ଆଖ୍ୟାୟିକା ବିଷୟରେ ପାଠକଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି ଆଉ କିଛି କହିବାର ନାହି । କେବଳ ଏହାର ଲେଖନ-ଶୈଳୀ ବିଷୟରେ କିଛି କହିବା ପ୍ରୟୋଜନ ।

 

ଆଖ୍ୟାୟିକାଟିର ବିଷୟବସ୍ତୁ ମନରେ ସର୍ବପ୍ରଥମେ ଝଲ୍‍ସି ଯିବା ମାତ୍ରେ ମୁଁ ଗୋଟିଏ ସମସ୍ୟାରେ ପଡ଼ିଲି । ମୁଁ ଯେଉଁ ବିଷଦାନ୍ତ ନାଟକଟିର କଳ୍ପନା କଲି, ତା’ର ଶେଷ ପରିଣତି, ଉତ୍କର୍ଷ ବା ଅପକର୍ଷ ଯାହା କହ, ତାହା ପ୍ରଥମ ଅଙ୍କ କେତୋଟି ଅଭିନୀତ ହେବାର ପୂରା ପୁରୁଷେ ପରେ, ଘଟୁଛି । ସମୟର ଏହି ଦୀର୍ଘ ବ୍ୟବଧାନ ରହିଥିବାରୁ, ଅନେକ କହିବେ, ଏ ଉପନ୍ୟାସର ନାୟକ ଏଥାନ୍‌ ଫ୍ରୋମ୍‌ର ଚରିତ୍ର ମୂଳରୁ ଏପରି ଚିତ୍ରିତ ହେବା ଉଚିତ, ଯେପରି ଶେଷ ପରିଣତି ପାଇଁ ପାଠକ ପ୍ରସ୍ତୁତ ହୋଇପାରିବେ । ଅନେକେ ମନେ କରନ୍ତି–ମୋ’ର ବି ସେଇଆ ମତ–ଉପନ୍ୟାସର ନାୟକର ଚରିତ୍ର ଓ ସ୍ଥାୟୀ ଭାବ ମୂଳରୁ ସୂଚିତ ହେବା ଦରବାର । କିନ୍ତୁ ଏ କ୍ଷେତ୍ରରେ ମୁଁ ତାହା କରିବାକୁ ଘୃଣାକ୍ଷରରେ ଚେଷ୍ଟା କରିନାହିଁ । ଏ ଗଳ୍ପର ନାୟକ ନାୟିକାଙ୍କ ଚରିତ୍ର ଚିତ୍ରଣ କରିବାକୁ ଆରମ୍ଭ କଲାମାତ୍ରେ ମୁଁ ଅନୁଭବ କରିଛି ଯେ, ଏମାନଙ୍କ ବିଷୟରେ ବିଶେଷ ଏପଟ ସେପଟ କରିବାର ଜୁ ନାହିଁ । ମୋ’ର ଏ ନାୟକ ନାୟିକାମାନଙ୍କର ବାସ୍ତବ ଜୀବନ ଯେପରି ରୁକ୍ଷ ଓ ନିଷ୍କପଟ, ତାଙ୍କର ଔପନ୍ୟାସିକ ରୂପ ଓ ଗତି ସେଇପରି ସାଧା ସିଧା ଓ ରୋକଠୋକ ଭାବରେ ବର୍ଣ୍ଣିତ ହେବା ଦରକାର ବୋଲି ମୁଁ ବୁଝୁଛି । ତାଙ୍କ ଜୀବନର ଗତିକୁ ଜଟିଳ କରିବାକୁ ବସିଲେ ବା ତାଙ୍କ ଭାବଧାରାକୁ ସଜାଇବାକୁ ଗଲେ, ତାଙ୍କର ଅସଲ ସ୍ୱରୂପ, ବର୍ଣ୍ଣନାଚାତୁରୀ ଭିତରେ ନିଶ୍ଚୟ ଲିଭି ଯିବ । ଏଇମାନଙ୍କୁ ମୁଁ ମୂଳରୁ ଅକର୍ମଶିଳା ପଥର ସଙ୍ଗେ ତୁଳନା କରିଛି; ଅକର୍ମଶିଳା ଭୂମି ଭିତରୁ ଟିକିଏ ମୁଣ୍ଡ ଟେକି ଉଠିଲା ପରି, ଏମାନଙ୍କର ପଥରପରି ଟାଣ ବ୍ୟକ୍ତିତ୍ୱ ସମାଜ ଭିତରେ ଟିକିଏ ମାତ୍ର ମୁଣ୍ଡ ଟେକିଲା ପରି ସୂଚିତ ହୋଇଥାଏ—ପଥା ଯେମିତି ନିର୍ମମ ଓ ମୂକ ଏମାନେ ବି ସେଇପରି କହିଲେ ଚଳେ ।

 

ଉପନ୍ୟାସର ଚରିତ୍ରପୁଞ୍ଜ ଓ ସେମାନଙ୍କର ଚିତ୍ରଣ-ଶୈଳୀର ଏହି ଅସଙ୍ଗତି ଫଳରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହା ଦେଖି ଆପାତତଃ ଏଥିରେ ହାତ ନ ବଳେଇବାକୁ ମନ ହେବାର କଥା । ପ୍ରତ୍ୟେକ ଉପନ୍ୟାସ-ଲେଖକ କଥାଟିକୁ ସୁନ୍ଦର କରି ଉତାରିବା ସକାଶେ ‘ଭଲ ପରିସ୍ଥିତି’ ଖୋଜିବାକୁ ଯାଇ, ପରିସ୍ଥିତିର ମିଛ ମାୟାରେ କମ୍‌ ଘାଣ୍ଟି ହୁଏନାହିଁ; ଅନେକ ସମୟରେ ଏହି ମାୟାବିନୀ ବରୁଣ-କନ୍ୟାମାନେ ଲେଖକର କ୍ଷୁଦ୍ର ଉପନ୍ୟାସ-ତରୀଟିକୁ ନେଇ ବ୍ୟର୍ଥତାର ପାହାଡ଼ରେ ପିଟି ଚୁରମାର କରି ଦିଅନ୍ତି । ତଥାପି ଲେଖକ କାହୁଁ କାହୁଁ ଏହି ମାୟାର ଭ୍ରମ ଆଡ଼କୁ ଆକୃଷ୍ଟ ହୁଏ ଏବଂ ବିଷୟବସ୍ତୁର ଚିତ୍ରଣ ମଝିରେ, ଚିନ୍ତାରାଜ୍ୟର ଜଳହୀନ ମରୁଭୂମିରେ ଘାଣ୍ଟି ହେଲାବେଳେ, ପରିସ୍ଥିତି—କୁହୁକିନୀଙ୍କ ମାୟାରେ ପଡ଼ି ମାୟାର ସମୁଦ୍ର ଦେଖି ସେଥିରେ ବିହାର କରିବାକୁ ଡଙ୍ଗା ମେଲିଦିଏ । ଏହି କୁହୁକିନୀଙ୍କର ପ୍ରଲୋଭନକାରୀ ସଙ୍ଗୀତର ମାରାତ୍ମକତା ମୋତେ ବେଶ୍‌ ଜଣା; ତେଣୁ ସେମାନଙ୍କଠାରେ ରକ୍ଷା ପାଇବା ସକାଶେ ମୁଁ ମୋ’ର କାନ ବନ୍ଦ କରି ମୋ ନୀରସ କଥାବସ୍ତୁରେ ବାନ୍ଧି ହୋଇ ରହେ-କ୍ରମେ ସେମାନଙ୍କ ସ୍ୱର ଦୂରେଇ ଯାଏ ଓ ମୋ’ର ସ୍ୱଚ୍ଛନ୍ଦ ସାବଲୀଳ ଗତି ଫେରିଆସେ । ହୁଏତ ସେହି କୁହୁକିନୀମାନଙ୍କ କୁହୁକରେ ପଡ଼ିଥିଲେ ମୋ’ ଉପନ୍ୟାସର ‘ପରିସ୍ଥିତି’ ମାର୍ଜିତ ହୋଇଥାନ୍ତା, ମୋ, ଉପନ୍ୟାସ ପ୍ରତିଷ୍ଠା ଅର୍ଜିଥାନ୍ତା—କିନ୍ତୁ ବାସ୍ତବ, ରୁଜୁ ପରିସ୍ଥିତିକୁ ଛାଡ଼ି ପ୍ରତିଷ୍ଠା-ଲୋଭରେ କୃତ୍ରିମ ମାୟାଜାଲକୁ ମୁଁ ପସନ୍ଦ କରିପାରେ ନାହିଁ ।

 

ଆଲୋଚ୍ୟ ଉପନ୍ୟାସ ଏହି ‘ଏଥାନ୍‌ ଫ୍ରୋମ୍‌’ରେ ସେପରି ମାୟାଜାଲର ଭୟ ନାହିଁ , କାରଣ, ଏଥିରେ କୃତ୍ରିମତାର ପରିସର ଏକାବେଳକେ ସଂକୀର୍ଣ୍ଣ । ଏଥିରେ ମୁଁ ଯାହା ଚିତ୍ରଣ କରିଛି ତାହାର ମୂଲ୍ୟବିଷୟରେ ମୁଁ ମୂଳରୁ ନିଃସନ୍ଦିଗ୍‌ଧ ଚିତ୍ତରେ କଲମ ଧରିଛି । ମୁଁ ଯେଉଁ କଥା ଫୁଟାଇବାକୁ ଏ ଆଖ୍ୟାୟିକାଟିକୁ ଆରମ୍ଭ କରିଛି ତାହା ସିଧାସଳଖ ଭାବରେ ବିଷୟବସ୍ତୁର ଚିତ୍ରଣରେ ହିଁ ସାଧିତ ହୋଇପାରିବ ବୋଲି ମୋର ଦୃଢ଼ ବିଶ୍ୱାସ । ଏ ଉପନ୍ୟାସର ପରିସ୍ଥିତିରେ ମୁଁ ଯେଉଁ ସାରକଥା ଫୁଟାଇବାକୁ ଇଚ୍ଛା କରେ, ତାହାର ଅନ୍ତତଃ କିୟଦଂଶ ମୁଁ ଏଇ ସରଳ ରୀତିରେ ହିଁ ଫୁଟାଇବାକୁ ସମର୍ଥ ହେବି ବୋଲି ଆତ୍ମବିଶ୍ୱାସ ଆହରଣ କରିଛି ।

 

ପୁଣି, ପ୍ରତ୍ୟେକ ଔପନ୍ୟାସିକ ନିଜ କୃତିରେ ପୂର୍ଣ୍ଣପ୍ରାଣରେ ମନୋନିବେଶ କଲେ, ସିଧାସଳଖ ନିଜ ନାୟକ ନାୟିକାମାନଙ୍କୁ କଥାବସ୍ତୁ ଭିତରେ ପୂରାଇ ସେମାନଙ୍କର ସ୍ୱରୂପ ପ୍ରକାଶ କରିବାକୁ ବସନ୍ତି । ଚରିତ୍ର-ଚିତ୍ରଣ କଲାବେଳେ, ଗୁଡ଼ାଏ ବାହ୍ୟକ ବେଶ-ଭୂଷା ଓ କୃତ୍ରିମ ପରିବେଶର ଆଶ୍ରୟ ନ ନେଇ, ଚରିତ୍ର ଗୁଡ଼ିକୁ ସୁସ୍ପଷ୍ଟ ରୂପ ଦେବାରେ ଯେଉଁ ଆୟାସର ସମ୍ମୁଖୀନ ହେବାକୁ ହୁଏ ତାହା ଉତ୍ସାହ ଓ ଆଗ୍ରହରେ ବରଣ କରିଥାନ୍ତି । ଏଥାନ୍‌ ଫ୍ରୋମ୍‌ ଆଖ୍ୟାୟିକାଟି ଯଥାଯଥ ଭାବେ ବର୍ଣ୍ଣନା କରିବା ସକାଶେ ମୋତେ ବି ଏଇ ଆୟାସ ଓ ଅସୁବିଧାକୁ ବରଣ କରିବାକୁ ପଡ଼ିଛି । ମୁଁ ଏ ଶୈଳୀର ରୂପରେଖ ଯେଉଁ କେତେକ ବନ୍ଧୁଙ୍କ ଆଗରେ ବାଢ଼ିଲି ସେମାନେ ସାଙ୍ଗେ ସାଙ୍ଗେ ଏହାକୁ ପୂରାପୂରି ଅଗ୍ରାହ୍ୟ କରି ଦେଲି । ମୁଁ କିନ୍ତୁ ମନେ କରୁଛି ଯେ ଏ କ୍ଷେତ୍ରରେ ଏଇ ଶୈଳୀ ହିଁ ଯଥାର୍ଥ ଓ ସଙ୍ଗତ । ଆଧୁନିକ ଯୁଗର ଲୋକ ଯେଉଁମାନେ ସରଳ ବିଶ୍ୱାସରେ କୌଣସି କଥା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଓ ନାନାପ୍ରକାରର ଜଟିଳ ପରିସ୍ଥିତି ଭିତରେ ଜୀବନ ନିର୍ବାହ କରିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ଚରିତ୍ର ଚିତ୍ରଣ କଲାବେଳେ ଉପନ୍ୟାସ-ଲେଖକ ନିଜର ସୃଜନୀ ଶକ୍ତି ଖଟାଇ ପରିବେଶରେ କୃତ୍ରିମତା ଭର୍ତ୍ତି କରିପାରେ; ସାଧାରଣ ପାଠକକୁ ଏଭଳି ଉପନ୍ୟାସରେ ନିଜର ବୁଦ୍ଧି ଖଟାଇ ନାୟକ ନାୟିକାଙ୍କର କାର୍ଯ୍ୟ ଓ କଥାର ଖିଅ ଧରିବାକୁ ପଡ଼େ—ଗହନ ବ୍ୟାପାର ! କିନ୍ତୁ ଉପନ୍ୟାସର ନାୟକ ନାୟିକା ଯଦି ଅକପଟ ଓ ସରଳ ଏବଂ ପାଠକ, ଯଦି ଜଟିଳ ଓ କୂଟତର୍କୀ, ତେବେ ଲେଖକର ଚରିତ୍ର ଚିତ୍ରଣରେ ଅସୁବିଧା ନାହିଁ କି ପାଠକର ଅବବୋଧରେ ପ୍ରତିବନ୍ଧକ ନାହିଁ । ଲେଖକ ଯଦି ତା’ର ଉପସ୍ଥାପିତ ଅଭିନେତା ଓ ଅଭିନେତ୍ରୀଙ୍କର ସ୍ୱରୂପ ଭଲ କରି ଉପଲବ୍‌ଧି କରିଛି ତେବେ ସେ ତା’ର କଳ୍ପନା ଶକ୍ତି ଖଟାଇ ସେମାନଙ୍କୁ ପାଠକଙ୍କ ଆଗେ ସ୍ପଷ୍ଟ ଭାବେ ଚିହ୍ନାଇ ପାରିବ । ଏଭଳି ସରଳ ନିଷ୍କପଟ ଚରିତ୍ରର ଚିତ୍ରଣକାରୀ ଔପନ୍ୟାସିକ, ନିଜର ମାନସ ସନ୍ତାନମାନଙ୍କୁ ବିଜ୍ଞାନୀ ଓ କୂଟଜ୍ଞାନୀ ପାଠକ-ମାନଙ୍କ ଆଗରେ ନେଇ ପରିଚିତ କରାଇ ଦେବାର କଥା । ଏ ସବୁ ସ୍ୱତଃସିଦ୍ଧ କଥାଗୁଡ଼ାକ ଆଉ ବେଶି ବଖାଣିବା ନିଷ୍ପ୍ରୟୋଜନ । ଉପନ୍ୟାସକୁ ରଚନା-ଶିଳ୍ପର ଗୋଟିଏ ଅଭିବ୍ୟକ୍ତି ବୋଲି ଯେଉଁମାନେ ଧରି ପାରିନଥାନ୍ତି, ସେମାନଙ୍କୁ ବୁଝାଇ ଦେବା ନିମନ୍ତେ ଦି’ପଦ ଦରକାର ବୋଲି ଏତକ ଲେଖିବାକୁ ହେଲା ।

 

ମୋ ରଚନା ଶୈଳୀର ପ୍ରକୃତ ବୌଶିଷ୍ଟ୍ୟ ଏ ସବୁରେ ନାଇଁ-ଅଛି ଗୋଟିଏ ସାମାନ୍ୟ କଥାରେ । ଲେଖକର ଗୋଚରକୁ ଏ ଆଖ୍ୟାୟିକାଟିର ବିଷୟବସ୍ତୁ ଆସିବ କି ଉପାୟରେ-ତାହା ମୋତେ ନିର୍ଣ୍ଣୟ କରିବାକୁ ପଡ଼ିଲା । ଏ ଓ ଆଖିରେ ଚିତ୍ର ପରି ଲାଗିଯିବ । ଆଖ୍ୟାୟିକାର ବକ୍ତାକୁ ନେଇ ଗାଁର ଜଣେ ଚୁଗୁଲିଖୋର ଗପୁଡ଼ି ପାଖରେ ବସାଇଦେଇ ପାରିଥାନ୍ତେ-ଗପୁଡ଼ି ଏକ ଦମରେ ମୂଳରୁ ଶେଷଯାଏଁ କଥାଟା ଗପି ଦେଇଥାନ୍ତା । କିନ୍ତୁ ଏପରି କରିଥିଲେ ମୋ ଅଙ୍କିତ ଚିତ୍ରର ଦୁଇଟି ପ୍ରଧାନ ଦୋଷ ରହି ଯାଇଥାନ୍ତା । ପ୍ରଥମ, ମୁଁ ଯେଉଁ ଲୋକଙ୍କ ଚରିତ୍ର ଚିତ୍ରଣ କରୁଛି, ସେମାନେ ଯେ ବେଶି-କଥା ନ କହି ମନର ଭାବ ମନରେ ରଖିବାକୁ ଚାହାନ୍ତି ସେ କଥା ମିଥ୍ୟା ବୋଲି ପ୍ରମାଣିତ ହୋଇଯାଇଥାନ୍ତା । ଦ୍ୱିତୀୟ-ହାରମନ୍‌ ଗାଉ ଓ ମିସେସ୍‌ ନେଡହେଲଙ୍କ ପରି ଭିନ୍ନ ଭିନ୍ନ ପ୍ରକୃତି-ବିଶିଷ୍ଟ ଲୋକଙ୍କ ମୁହଁରେ କଥାଟି ପ୍ରକାଶ ହେବା ଫଳରେ, ମୋ’ର ନାୟକ ନାୟିକାମାନଙ୍କର ସ୍ୱରୂପ ଯେପରି ପୂର୍ଣ୍ଣାଙ୍ଗ ଓ ସୁଠାମ ରୂପରେ ପ୍ରକଟିତ ହୋଇଛି, ସେପରି ହୋଇ ପାରି ନଥାନ୍ତି । ମୋର ଏ ଦୁଇ ଜଣ ସମ୍ବାଦଦାତାଙ୍କୁ କଥାଟି ବଡ଼ ଜଟିଳ ଓ ରହସ୍ୟାବୃତ ବୋଧ ହେଉଥିଲା; ପ୍ରତ୍ୟେକେ ଏଥିରୁ ଯେତିକି ଓ ଯେପରି ବୁଝିବାକୁ ସମର୍ଥ ହୋଇଥିଲେ, ତେତିକି ଓ ସେଇ ଭାବରେ ଆଖ୍ୟାୟିକାର ବକ୍ତାକୁ ଜଣାଇଥିଲେ । କେବଳ ଆଖ୍ୟାୟିକାର ଲେଖନକାରକୁ ମାତ୍ର, ପୂର୍ଣ୍ଣ ଅବକାଶ ମିଳିଥିଲା, ଆଖ୍ୟାୟିକାଟିକୁ ପୂର୍ଣ୍ଣରୂପେ ଅବବୋଧରେ ଆଣିବାକୁ ଓ ଏହାକୁ ତା’ର ନିଜସ୍ୱ ସରଳ ଛାଞ୍ଚରେ ପକାଇବାକୁ । ତାହା କରି ମୁଁ ଏ ଆଖ୍ୟାୟିଟିକୁ ମୋର ଅନ୍ୟ ଅପୟକ୍ଷାକୃତ ବଡ଼ କୃତି ଭିତରେ ଯଥାସ୍ଥାନାବସ୍ଥିତ କରି ପାରିଛି ।

 

‘ଲା ଗ୍ରାଣ୍ଡି ବ୍ରେଟି ସେ’ ଓ ‘ଦରିଙ୍ଗ୍‌ଆଣ୍ଡ୍‌ଦ ବୁକ୍‌’ ପୁସ୍ତକ ଦ୍ୱୟ ଯେଉଁ ରୀତିର ପ୍ରକୃଷ୍ଟ ଉଦାହରଣ ରଖି ଯାଇଛନ୍ତି, ଆଖ୍ୟାୟିକା ବର୍ଣ୍ଣନା କରିବାର ସେହି ରୀତି ଅବଲମ୍ବନ କରି ମୁଁ ନୂଆ କଥାଟାଏ କଲି ବୋଲି ଦାବି କରି ନପାରେ । ହୁଏତ ମୋର ଏତିକି ମାତ୍ର ବିଶିଷ୍ଟତା ଯେ, ସେ ରୀତି ମୋ’ର ଏହି କ୍ଷୁଦ୍ର ଆଖ୍ୟାୟିକାଟି ବର୍ଣ୍ଣନା କରିବା ପାଇଁ ଉପଯୁକ୍ତ ବୋଲି ମୁଁ ନିର୍ଣ୍ଣୟ କରି ପାରିଛି ।

 

ଉପରେ ଏ ଯେଉଁ ବିଶ୍ଳେଷଣାତ୍ମକ ବିବୃତିଟି ଦେଲି, ଏଭଳି ବିବୃତି ଏଥିପୂର୍ବରୁ ମୋର ଅନ୍ୟ କୌଣସି ପୁସ୍ତକ ବିଷୟରେ ଦେଇନାହିଁ । ଏ ବହି ଉପରେ ଯାହା ବା ଲେଖିଲେ ତହିଁରୁ ଅଧିକ ଆଉ କିଛି ଲେଖିବା ନିଷ୍ପ୍ରୟୋଜନ । ଲେଖାଟି କାହିଁକି ଲେଖିଲି, ଏବଂ ଏକାଧିକ ଲିଖନ-ଶୈଳୀ ଭିତରୁ ଏକ ବିଶିଷ୍ଟ ଶୈଳୀ କାହିଁକି ଅବଲମ୍ବନ କଲି—ଏହାଠାରୁ ଅଧିକ ଜଣେ ଲେଖକ ନିଜ ଲେଖା ବିଷୟରେ ଆଉ କ’ଣ ପାଠକମାନଙ୍କୁ ବିଜ୍ଞପ୍ତି ଦେଇ ପାରେ, ମୁଁ ତାହା କଳ୍ପନା କରି ପାରୁ ନାହିଁ । ଏଥିରୁ ଅଧିକ ଜାଣିବା ପାଇଁ ପାଠକ-ମାନଙ୍କର ଆଗ୍ରହ ନ ରହିବାର କଥା । ଏ ଦୁଇଟି ମାତ୍ର ମୌଳିକ କଥା ଆଗରେ ରଖି—ଏତିକିମାତ୍ର ପରିଷ୍କାର ଭାବେ ଆଗରୁ ଜଣାଇ ଦିଆଯାଇପାରେ—ଲେଖକ ନିଜର ସ୍ୱାଭାବିକ ରୀତିରେ ଆଗେଇ ଯାଏ । ଏ ଲକ୍ଷ୍ୟ ସ୍ଥିର ଥିଲେ, ତା’କୃତିରେ ଏକ ଅପରିମିତ ସ୍ୱତ୍ୱ ପ୍ରବେଶ କରେ, ଯାହା କି ତା’ଭିତରେ ପ୍ରାଣର ସଂଚାର କରେ । ସେହି ପ୍ରାଣ ସଂଚାରିତ ହେଲେ ଯାଇ କୃତିଟି କିଛି କାଳ କ୍ଷୟ ପ୍ରାପ୍ତ ନ ହୋଇ ରହିଯାଏ ।

 

ସ୍ୱା : ଏଡିଥ୍‌ ହ୍ୱାରଟନ୍‌

☆☆☆

 

ଏଥାନ୍‌ ଫ୍ରୋମ୍‌

 

ଏ ଗଳ୍ପଟି, ଟିକି ଟିକି, କରି, ମୁଁ ଭିନ୍ନ ଭିନ୍ନ ଲୋକଙ୍କଠାରୁ ପାଇଛି । ଏପରି ଶୁଣିଥିବା ଗଳ୍ପ, ପ୍ରତ୍ୟେକଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ରୂପ ଧରିବା ସ୍ୱାଭାବିକ ।

 

ମ୍ୟାସାକ୍ୟୁସେଟ୍‌ସ୍‌ର ଷ୍ଟାର୍କ୍‌ଫିଲ୍‌ଡ୍‌ ଗ୍ରାମକୁ ଯଦି ଯାଇଥିବ, ତେବେ ତା’ର ପୋଷ୍ଟ ଅଫିସ୍‌ ନିଶ୍ଚୟ ଦେଖିଥିବ । ଆଉ ଯଦି ପୋଷ୍ଟ ଅଫିସ୍‌ ଦେଖିଥିବ, ତେବେ ନିଶ୍ଚୟ ଦେଖିଥିବ ଏଥାନ୍‌ ଫ୍ରୋମ୍‌ଙ୍କୁ—ଦେଖିଥିବ, ସେ କିପରି ଫିଟନ୍‌ ଗାଡ଼ିରେ ଚଢ଼ି ଆସନ୍ତି, ଦୁଆର ମୁହଁରେ ଗାଡ଼ି ଠିଆ କରି ଲଗାମ୍‌ଟାକୁ ତାଙ୍କ କସରା ଘୋଡ଼ାର ଭିତରକୁ ଲସିଯାଉଥିବା ପିଠି ଉପରେ ପକାଇ, ଗୋଡ଼ ଘୋଷାରି ଘୋଷାରି ପକ୍‌କା ରାସ୍ତାଟି ପାର ହୋଇ ଆସି ଠିଆ ହୁଅନ୍ତି ପୋଷ୍ଟ ଅଫିସ ସାମନାର ଧଳା ଖମ୍ବମାନଙ୍କ ତଳେ । ତାଙ୍କୁ ଦେଖି ସେ କିଏ ବୋଲି ତୁମ ମନରେ ନିଶ୍ଚୟ କୌତୂହଳ ହୋଇଥିବ ।

 

ଅନେକ ବର୍ଷ ହୋଇଗଲାଣି, ମୁଁ ସେଇଠାରେ ତାଙ୍କୁ ପ୍ରଥମ କରି ଦେଖିଥିଲି, ଦେଖିବାମାତ୍ର ଚିହିଁକି ଉଠିଥିଲି । ସେତେବେଳକୁ ତାଙ୍କ ରୂପର ଧ୍ୱଂସାବଶେଷ ମାତ୍ର ଥାଏ; ହେଲେ କ’ଣ ହେବ, ସମଗ୍ର ଷ୍ଟାର୍କଫିଲ୍‌ଡରେ, ସେ ଅବସ୍ଥାରେ ବି ସେ ବାରି ହୋଇ ଯାଉଥିଲେ ଓ ଆଖି ତାଙ୍କ ଆଡ଼କୁ ଟାଣି ହୋଇ ଯାଉଥିଲା । ତାଙ୍କ ଅତି ଦୀର୍ଘ ଆକୃତି ଯୋଗୁଁ ଯେ ସେପରି ହେଉଥିଲା ତା’ ନୁହେଁ । ମୋଟା ଓ ଅପେକ୍ଷାକୃତ ଗେଡ଼ା ବିଦେଶୀ ଲୋକଙ୍କ ଭିତରେ ସେ ସ୍ଥାନର ସ୍ଥାୟୀ ବାସିନ୍ଦା ସମସ୍ତେ ଡାହାଳିଆ ଉଚ୍ଚା ଆକୃତି ଯୋଗୁଁ ସହଜରେ ବାରି ହୋଇଯାନ୍ତି । ଏଥାନ୍‌ ଫ୍ରୋମ୍‌ଙ୍କର ବିଶେଷତ୍ୱ ଥିଲା ତାଙ୍କ ବେପରୁଆ ଚାହାଣୀ—ଏଭଳି ଚାହିଁବାକୁ ଯେ ସେ ଜାଣି ଜାଣି ଚେଷ୍ଟା କରୁଥିଲେ ତାହା ବି ନୁହେଁ । ତାଙ୍କର ଗୋଡ଼ ଛୋଟା, ସତେ ଯେମିତି ଶିକୁଳିରେ ବନ୍ଧା ହୋଇଥିବା ଗୋଡ଼କୁ ଜୋରକରି ଟାଣି ପ୍ରତି ପାଦ ପକାଉ ଥାନ୍ତି; ତଥାପି ଆଖିରେ ବେପରୁଆ ଜ୍ୟୋତି । ମୁହଁର ଚେହେରାରେ ଗୋଟାଏ କିମିତି ରୁକ୍ଷଭାବ ଥାଏ ଯେ ତାଙ୍କ ପାଖରେ ପଶିବାକୁ ମନ ହୁଏ ନାହିଁ । ମୁହଁର ଚମ ଧୁଡ଼ୁ ଧୁଡ଼ୁ ହୋଇ ଯାଇଥାଏ ଓ ବାଳ ଧୋବ ଫର୍‌ଫର୍‌ ଦିଶୁଥାଏ । ମୁଁ ବିଚାରିଥିଲି ସେ ଜଣେ ପାକଲା ବୁଢ଼ା । ତେଣୁ, ତାଙ୍କ ବୟସ ମୋଟେ ବାଉନରୁ ବେଶି ନୁହେଁ ବୋଲି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି; ତାଙ୍କ ବୟସ ଖବରଟା ମିଳିଥିଲା ହ୍ୟାରମନ୍‌ ଗାଉଙ୍କଠାରୁ-। ଟ୍ରଲି ଚାଲିବା ପୂର୍ବେ ହ୍ୟାରମନ୍‌, ବେଟସ୍‌ ବ୍ରିଜରୁ ଷ୍ଟାର୍କଫିଲ୍‌ଡ୍‍ ଭିତରେ ଘରର ପ୍ରତି ଲୋକର ଇତିବୃତ୍ତ ତାଙ୍କ ତୁଣ୍ଡରେ ଥିଲା ।

 

ଅତୀତ କଥା ମନେ ପକାଉ ପକାଉ ଟିକିଏ ଟିକିଏ ରହି ରହି ହ୍ୟାରମନ୍‌ ଅଯାଚିତ ଭାବେ ଶୁଣାଇ ଦେଲେ, ‘‘ଦୁର୍ଘଟଣାରେ ପିଟିହୋଇ ଧ୍ୱସ୍ତ ବିଧ୍ୱସ୍ତ ହେଲା ଦିନୁଁ ୟାଙ୍କର ରୂପ ଏଇମିତି ହୋଇଛି । ଆଗାମୀ ଫେବୃଆରୀକୁ ସେ ଘଟଣା ହେବ ପୂରା ଚବିଶ ବର୍ଷ ।’’

 

ଯାହାକୁ କହନ୍ତି ଧ୍ୱସ୍ତ ବିଧ୍ୱସ୍ତ ! ସେଇ ହ୍ୟାର୍‌ମନ୍‌ଙ୍କଠାରୁ ଶୁଣିଲି, ଦୁର୍ଘଟଣା ଫଳରେ ଏଥାନ୍‍ ଫ୍ରୋମ୍‌ଙ୍କ କପାଳରେ ନାଲିଆ, ଲମ୍ବା ଓ ଗହିରିଆ କ୍ଷତି ଚିହ୍ନଟା ହେବା ବାଦ୍‌, ଦେହର ଡାହାଣ ପାଖଟା ମୋଡ଼ି ହୋଇ ଏପରି ସାଙ୍କୁଡ଼ି ହୋଇ ଯାଇଛି ଯେ, ଗାଡ଼ିଠାରୁ ପୋଷ୍ଟ-ଅଫିସ୍‌ ଜଳାକବାଟି ପର୍ଯ୍ୟନ୍ତ ପାହୁଣ୍ଡ କେତୋଟା ଆସିବାକୁ ତାଙ୍କୁ ବହୁତ ସାଧ୍ୟ ସାଧନା କରିବାକୁ ପଡ଼ୁଛି ବୋଲି ଆଖିକୁ ଦିଶୁଥାଏ । ସେ ପ୍ରତିଦିନ ପ୍ରାୟ ଦି’ ପହର ବେଳକୁ, ତାଙ୍କ ଚାଷଘରୁ ଫିଟନ୍‌ ହାଙ୍କି ପୋଷ୍ଟଅଫିସକୁ ଆସନ୍ତି । ମୁଁ ଠିକ୍‌ ସେଇ ସମୟରେ ମୋର ଡାକ ନେବାକୁ ଆସୁଥିବାରୁ ଅଧିକାଂଶ ଦିନ ତାଙ୍କୁ ପୋଷ୍ଟଅଫିସ୍‌ ବାରଣ୍ଡାରେ ଭେଟେ, କିମ୍ବା ଝରକାର ଲୁହା ଜାଲି ଆରପାଖେ ଡାକବାଲା ଡାକ ସଜାଡ଼ି ବାଣ୍ଟିବାବେଳେ, ଆମେ ଦୁହେଁ ଏକ ସମୟରେ ଝରକା ପାଖେ ଠିଆ ହୋଇ ଡାକବାଲାର ଚଞ୍ଚଳ ଚଳୁଥିବା ହାତକୁ ଚାହିଁ ରହିଥାଉ । ପ୍ରତ୍ୟହ ଠିକ୍‌ ସମୟରେ ପୋଷ୍ଟଅଫିସକୁ ଆସୁଥିଲେ ହେଁ ବେଟସ୍‌ ବ୍ରିଜ୍‌ଇଗଲ୍‍ ପତ୍ରିକା ଖଣ୍ଡ ବ୍ୟତୀତ ତାଙ୍କର ଅନ୍ୟ କୌଣସି ଡାକ କ୍ୱଚିତ୍‌ ଆସୁଥିବାର ମୁଁ ଲକ୍ଷ୍ୟ କରିଛି । ଏ ଖବର କାଗଜ ଉପରେ ଆଖି ନ ପକାଇ ସେ ସେଖଣ୍ଡ ତାଙ୍କ ଓହଳି ପଡ଼ିଥିବା ପକେଟ୍‌ ଭିତରେ ପୂରାଇ ଦିଅନ୍ତି । ମଝିରେ ମଝିରେ ପୋଷ୍ଟମାଷ୍ଟର ତାଙ୍କ ହାତକୁ ଖଣ୍ଡେ ଖଣ୍ଡେ ପୁଲିନ୍ଦା ବଢ଼ାଇ ଦିଅନ୍ତି; ତାହା ଆସିଥାଏ ଶ୍ରୀମତୀ ଜେନୋଡିଆ—ବା ଶ୍ରୀମତୀ ଜଳା-ଫ୍ରୋମ୍‌ଙ୍କ ନାମରେ । ପ୍ରାୟଶଃ ଏ ଏ ପୁଲିନ୍ଦାର ବାଁ ପଟ ଓପର ପାଖରେ କୌଣସି ପେଟେଣ୍ଟ୍‌ ଔଷଧ କମ୍ପାନୀର ଠିକଣା ଓ ଔଷଧର ନାମ ବଡ଼ ବଡ଼ ଅକ୍ଷରରେ ଛାପା ହୋଇଥାଏ । ୟାକୁ ମଧ୍ୟ ମୋର ପଡ଼ୋଶୀ ନ ଚାହିଁ ପକେଟ୍‌ରେ ପୁରାଇ ଦିଅନ୍ତି । ବୋଧହୁଏ ଏ ଭଳି ବିଜ୍ଞାପନ-ଚିଠି ସଙ୍ଗେ ବହୁକାଳ ପରିଚିତ ହୋଇଥିବାରୁ, ସେଥିରୁ କେତେଖଣ୍ଡ ଆସୁଛି ଓ ତାହା କେଉଁ ଔଷଧର ବିଜ୍ଞାପନ ସେ କଥା ଜାଣିବାକୁ ତାଙ୍କର ଆଉ ଆଗ୍ରହ ନ ଥାଏ । ପକେଟରେ ଡାକ ପୂରାଇବା ପରେ ସେ ନୀରବରେ ପୋଷ୍ଟମାଷ୍ଟରଙ୍କ ଆଡ଼େ ମୁଣ୍ଡ ହଲାଇ, ବିଦାୟ ନେଇ, ଗାଡ଼ିକୁ ଫେରନ୍ତି ।

 

ଷ୍ଟାର୍କଫିଲ୍‌ଡ୍‌ର ପ୍ରତ୍ୟେକ ଲୋକ ତାଙ୍କୁ ଚିହ୍ନନ୍ତି ଓ ତାଙ୍କୁ ଦେଖିଲେ, ତାଙ୍କ ଗମ୍ଭୀର ଢଙ୍ଗର ଅନୁରୂପ ଭାବରେ ଅଭିବାଦନ କରନ୍ତି । ତାଙ୍କ ମୌନଭାବ ଭାଙ୍ଗିବାକୁ କେହି ପ୍ରାୟ ଚେଷ୍ଟା କରନ୍ତି ନାହିଁ । କେତେବେଳେ କେମିତି ଗାଁର ଜଣେ କେହି ବୟାସାଧିକ୍ୟ ଲୋକ ପଦେ କଥାବାର୍ତ୍ତା ହେବାକୁ ତାଙ୍କୁ ଅଟକାନ୍ତି । ଏପରି ସ୍ଥଳେ ଫ୍ରୋମ୍‌ ନୀରବରେ ବନ୍ଧୁଙ୍କର କଥା ଶୁଣନ୍ତି; ତାଙ୍କ ନେଳି ଆଖି ଦୁଇଟି ବନ୍ଧୁଙ୍କ ମୁହଁରେ ପଡ଼ିଥାଏ । କଥା ଶୁଣି ପଦେ ଅଧେ ଯାହା ଉତ୍ତର ଦିଅନ୍ତି । ତାହା ଏତେ କ୍ଷୀଣ ସ୍ୱରରେ ଯେ, ପାଖରେ ଠିଆ ହୋଇଥିବା ମୁଁ, ସେଥିରୁ ପଦେ ବି ଶୁଣିପାରେ ନାହିଁ । କଥାବାର୍ତ୍ତା ଏତିକିରେ ସରେ, କଷ୍ଟେମଷ୍ଟେ ସେ ତାଙ୍କ ଫିଟନ୍‌ରେ ଚଢ଼ନ୍ତି, ବାଁ ହାତରେ ଘୋଡ଼ାର ଲଗାମ ଗୋଟାଇ ଧରି ଚାଷଘର ଆଡ଼କୁ ଗାଡ଼ି ହାଙ୍କି ଦିଅନ୍ତି ।

 

ବଗି ଆଡ଼କୁ ଫେରୁଥିବା ଫ୍ରୋମ୍‌ଙ୍କ ମୂର୍ତ୍ତିକୁ ପଛ ଆଡ଼ୁ ଚାହିଁ ମୁଁ ଦିନେ ହ୍ୟାର୍‌ମନଙ୍କୁ ପଚାରିଥିଲି, ‘‘ୟାଙ୍କର ଦୁର୍ଘଟଣାଟା ଅତି ସାଂଘାତିକ ହୋଇଥିଲା ତେବେ ?’’ ୟାଙ୍କ କାନ୍ଧ ଦୁଇଟା ଏଭଳି ବୀଭତ୍ସଭାବେ ମୋଡ଼ି ହୋଇ କଦାକାର ହେବା ପୂର୍ବରୁ, ଫିକା ଲାଲରଙ୍ଗର ବାଳ ପୁଞ୍ଜିକ ଧରି, ଶୀର୍ଣ ଓ ଲମ୍ବା ମୁଣ୍ଡଟି ୟାଙ୍କ କାନ୍ଧ ଉପରେ କେଡ଼େ ଦର୍ପରେ ଟେକି ହୋଇ ଶୋଭା ପାଉ ନ ଥିବ,—ମନେ ମନେ ଏ ଦୃଶ୍ୟ ଅନୁମାନ କରୁଥାଏ ।

 

ମୋ ସଂବାଦଦାତା ସମ୍ମତି ଜଣାଇଲେ, ‘‘ହଁ, ଅତି ସଂଘାତିକ । ୟା ଠାରୁ କମ୍‌ରେ ବି ଅଧିକାଂଶ ଲୋକଙ୍କର ପ୍ରାଣବାୟୁ ଉଡ଼ି ଯାଇଥାନ୍ତା । କିନ୍ତୁ ସେ ଫ୍ରୋମ୍‌ ବଂଶ ଲୋକଙ୍କର ଦେହ ଭାରି ଟାଣ । ଏଥାନ୍‌ ତ ଶହେ ପୂରାଇବେ ବୋଲି ମୁଁ ବିଚାରୁଛି ।’’

 

ମୁଁ ଆଶ୍ଚର୍ଯ୍ୟରେ କହି ପକାଇଲି, ‘‘ବାପରେ ବାପ !’’ ସେତେବେଳକୁ ଏଥାନ୍‌ ଫ୍ରୋମ୍‌ ଫିଟନରେ ତାଙ୍କ ସିଟ୍‌ ଉପରକୁ ଚଢ଼ି, ପଛ ସିଟରେ କାଠ ବାକ୍‌ସଟା ଠିକ୍‌ ରହିଲା କି ନାହିଁ ପଛକୁ ଝୁଙ୍କିପଡ଼ି ଦେଖୁଥାନ୍ତି—ୟେ ବାକ୍‌ସ ଉପରେ ବି ଔଷଧ କମ୍ପାନୀର ଲେବଲ ମରା ହୋଇଥାଏ । ମୋର ତାଙ୍କ ମୁହଁ ଉପରେ ଆଖି ପଡ଼ିଲା; ତାଙ୍କ ଉପରେ କାହାରି ଆଖି ପଡ଼ି ନାହିଁ ବୋଲି ନିଶ୍ଚିନ୍ତ ଥିବାବେଳେ ଯେପରି ଦିଶିବାର କଥା, ସେପରି ସେ ଦିଶୁଥାନ୍ତି, ବୋଧହୁଏ, ସେତେବେଳେ । ତାଙ୍କ ଚେହେରାଟା ଦେଖି ଭାବିଲି, ‘‘ୟେ ଲୋକ ପୁଣି ବଞ୍ଚିବ ଶହେ ବର୍ଷ ! ଏଇଲାଗେ ତ ଦିଶୁଛି, ସତେ ଯେପରି ସେ ମୃତ ଏବଂ ବର୍ତ୍ତମାନ ପ୍ରେତ ପୁରୀରେ ଅବସ୍ଥାନ କରୁଛି ।’’

 

ହ୍ୟାର୍‌ମନ୍‌ ପକେଟ୍‌ରୁ ଧୂଆଁପତ୍ର ବିଣ୍ଡାଏ କାଢ଼ିଲେ । ତା’ କୁଣରୁ ମେଞ୍ଚାଏ ଛିଣ୍ଡାଇ ତାଙ୍କ ପାଟି ଭିତରର ଚମଡ଼ା-ଥଳିରେ ପୂରାଇଲେ; କହିଲେ, ‘‘ବହୁତ ଗୁଡ଼ାଏ ଶୀତ ଋତୁ ଏଠାରେ ବିତାଇ ଥିବାରୁ ସେ ଏମିତି ଦିଶୁଛନ୍ତି । ଷ୍ଟାର୍କଫିଲ୍‍ଡ୍‍ର ପାରିବାର ଲୋକଙ୍କ ଭିତରୁ ଅଧିକାଂଶ ଶୀତ ଦିନେ ଏଠାରେ ଖସି ପଳାନ୍ତି ।’’

 

‘‘ୟେ ନ ଗଲେ କାହିଁକି ?’’

 

‘‘ଯିବେ କେମିତି ? କିଏ ତ ପୁଣି ଘରର ଲୋକଙ୍କ ହେପାଜତ୍‌ ବୁଝିବାକୁ ରହିବ ! ଏଥାନ୍‍ଙ୍କ ବ୍ୟତୀତ ତାଙ୍କ ଘରେ ଆଉ ସମର୍ଥ ଲୋକ କେହି ନାହିଁ । ଆଗ ଗୁଡ଼ାଏ ଦିନ ବାପାଙ୍କୁ ସେବା କରିବାକୁ ପଡ଼ିଲା—ତା’ ପରେ ମା’—ଶେଷକୁ ଭାର୍ଯା ।’’

 

‘‘ତା’ ପରେ ପୁଣି ଏ ଯେଉଁ ଦୁର୍ଘଟଣାଟା ?’’

 

ଟାଣିହେଲା ପରି ହସି ହ୍ୟାର୍‌ମନ୍‌ କହିଲେ,‘‘ସେ କଥା ସତ । ତା’ ପରେ ତ ଏଠାରେ ମାଟି କାମୁଡି ପଡ଼ିବାକୁ ବାଧ୍ୟ ।’’

 

‘‘ଦେଖୁଛି, ସେଇ ଦୁର୍ଘଟଣା ଦିନୁଁ ୟାଙ୍କ ଘରଲୋକଙ୍କୁ ୟାଙ୍କର ହେପାଜତ୍‌ ନେବାକୁ ପଡ଼ୁଛି ?’’ ହ୍ୟାର୍‌ମନ ଚିନ୍ତରମଗ୍ନ ହୋଇ ଗୋଟିଏ କଳରୁ ନେଇ ଆର କଳରେ ଦୋକ୍ତା ମେଞ୍ଚାକ ଯାକିଲେ । କହିଲେ, ହେପାଜତ କଥା ଯାହା ପଚାରୁଛ, ଏଥାନ୍‍ଙ୍କ ହେପାଜତ୍‌ ନେବାକୁ କେହି ନାହିଁ; ହେପାଜତ୍‌ କରିବାବାଲା ସେଇ ମାତ୍ର ଜଣେ ତାଙ୍କ ଘରେ ।’’

 

ତାଙ୍କ ମତି ଓ ବୁଦ୍ଧିକୁ ଚାହିଁ ହ୍ୟାର୍‌ମନ୍‌ ଗାଉ କଥାଟିକୁ ଯେତିକି ବାଟ ଆଗେଇ ନେବାର କଥା ନେଲେ ସିନା, ମୁଁ ଠଉରାଇଲି ତାଙ୍କ କଥା ଭିତରେ ଗୁଡ଼ାଏ ଫାଙ୍କ ରହିଗଲା । ମୋର ମନେ ହେଲା, କଥାଟିର ଅସଲ ମର୍ମ ଲୁଚି ରହିଲା ଏଇ ଫାଙ୍କମାନଙ୍କ ଭିତରେ । କିନ୍ତୁ ତାଙ୍କ କଥାରୁ ଗୋଟାଏ ବାକ୍ୟ ମୋ ସ୍ମୃତିରେ ଲାଖି ରହିଥାଏ । ତାକୁଇ କଲି କେନ୍ଦ୍ର ବିନ୍ଦୁ, ପରେ ଯେଉଁ ତଥ୍ୟ ସବୁ ଆବିଷ୍କାର କଲି ତାକୁ ଏଇ କେନ୍ଦ୍ର ବିନ୍ଦୁ ଚାରିପଟେ ପୁଞ୍ଜୀଭୂତ କରିବାରେ ଲାଗିଲି । କେନ୍ଦ୍ରବିନ୍ଦୁ ହେଲା, ତାଙ୍କର ଏଇ ବାକ୍ୟଟା, ବହୁତ ଗୁଡ଼ାଏ ଶୀତଋତୁ ଏ ସ୍ଥାନରେ କଟାଇବାରୁ ଏଥାନ୍‌ ଏପରି ଦିଶୁଛନ୍ତି ।

 

ଷ୍ଟାର୍କଫିଲ୍‌ଡରେ ମୋର ରହଣି ସରିବା ପୂର୍ବରୁ ଏ ବାକ୍ୟର ଅସଲ ଅର୍ଥ ମୋତେ ଜଣା ପଡ଼ିଗଲା । ମୁଁ ଏଠାକୁ ଆସିଲା ବେଳକୁ ସ୍ୱାଭାବିକତାକୁ ଭ୍ରଷ୍ଟ କରି ପକାଉ ଥିବା ଟ୍ରଲି, ବାଇସାଇକଲ୍‌ ଓ ଦୁଆର ମୁହଁରେ ଆଣି ଜିନିଷ ଯୋଗାଇବା ବଦ୍‌ଖୋଇଗୁଡ଼ାକ ଏ ଅଞ୍ଚଳରେ ପଶି ଯାଇଥାଏ । ପାର୍ବତ୍ୟ ଅଞ୍ଚଳରେ ଏଣେ ତେଣେ ବିକ୍ଷିପ୍ତ ଗ୍ରାମମାନଙ୍କରୁ ଉପତ୍ୟକାର ଅପେକ୍ଷା-କୃତ ବଡ଼ ବଡ଼ ସହରମାନଙ୍କ ଯାତାୟାତ ଏତେବେଳକୁ ସହଜ ହୋଇ ଯାଇଥାଏ । ଏ ସହର ମାନଙ୍କରେ ଲାଇବ୍ରେରୀ, ଥିଏଟର୍‍ ଓ ଓ୍ୱାଇ. ଏମ୍‌. ସି. ଏ. ସଂସ୍ଥାର ବିନୋଦନ କେନ୍ଦ୍ରମାନ ଗଢ଼ି ଉଠିଥାଏ; ଚିତ୍ତ ବିନୋଦନ ପାଇଁ ପାର୍ବତ୍ୟ ଗ୍ରାମମାନଙ୍କରୁ ଯୁବକ ଯୁବତୀ ସହଜରେ ଏ ସବୁ ଅନୁଷ୍ଠାନକୁ ଆସି ପାରୁଥାନ୍ତି । ମୋ ରହଣି ବେଳେ ଶୀତ ଋତୁ ଯେତେବେଳେ ଆସି ଷ୍ଟାର୍କ୍‌ଫିଲ୍‌ଡ୍‍କୁ ମାଡ଼ି ବସିଲା, ଗ୍ରାମଟି ଉପରେ ଘନ ତୁଷାର ଆସ୍ତରଣ ଚାପି ହୋଇଗଲା—ଓ ଅନବରତ ଏ ଆସ୍ତରଣର ଚାପ ପାଣ୍ଡୁର ଆକାଶର ଅବଦାନରେ ବଢ଼ି ବଢ଼ି ଚାଲିଲା ସେତିକିବେଳେ ମୁଁ ସମଜିବାକୁ ଆରମ୍ଭ କଲି, ଆଧୁନିକ ସଭ୍ୟତା ଆସିବାରୁ ବହୁ ପୂର୍ବରୁ, ଏଥାନ୍‌ ଫ୍ରୋମ୍‌ଙ୍କ ଯୌବନରେ, ଏ ସ୍ଥାନରେ ଶୀତଋତୁ କଟାଇବା କିପରି ଦୁର୍ବିସହ ହେଉଥିବ । ସେତେବେଳର ଅବସ୍ଥା ଅନୁମାନ କରି ମୁଁ ତାଜୁବ୍‌ ହୋଇଗଲି ।

 

ମୋତେ ମୋରି ନିଯୋକ୍ତା ଅନୁଷ୍ଠାନ ପଠାଇ ଥାଏ, କର୍‌ବ୍ୟୁରି ଜଙ୍କସନ୍‌ର ପ୍ରକାଣ୍ଡ ପାବାର ହାଉସ୍‌ ସକ୍ରାନ୍ତ ଗୋଟିଏ କାମରେ । ବଢ଼େଇମାନଙ୍କର ଦୀର୍ଘ ଧର୍ମଘଟ ଫଳରେ ମୋ କାମ ଗୁଡ଼ାଏ ଦିନ ମାଟେଇ ଯିବାରୁ ମୋତେ ବାଧ୍ୟ ହୋଇ ଷ୍ଟାର୍କଫିଲ୍‌ଡରେ ଜଙ୍କସନ୍‌ ପାଖରେ ରହିବା ପାଇଁ ଉପଯୋଗୀ ସ୍ଥାନ ଏଇ ଗୋଟିକ ମାତ୍ର ଗ୍ରାମ—ଶୀତ ଋତୁର ଅଧିକାଂଶ ସମୟ ଏକାଦିକ୍ରମେ କଟାଇବାକୁ ପଡ଼ିଲା । ପ୍ରଥମେ ବଡ଼ ଚିଡ଼୍‌ ଚିଡ଼୍‌ ହେଉଥିଲି; କିନ୍ତୁ କ୍ରମେ ନିତ୍ୟକର୍ମର ସମ୍ମୋହକ ଶକ୍ତି ମୋତେ ପ୍ରଭାବିତ କରିବା ଫଳରେ ମୁଁ ଷ୍ଟାର୍କଫିଲ୍‍ଡରେ ଗୋଟାଏ ରକମ ନିର୍ମଳ ତୃପ୍ତି ଉପଭୋଗ କରିବାକୁ ଲାଗିଲା । ଜଳବାୟୁର ଏଭଳି ଦୃପ୍ତ ଆହ୍ୱାନରେ ତେଜି ନ ଯାଇ ଲୋକେ ଅତି ନିର୍ଜୀବ ଭାବେ ରହିବାର ଦେଖି ପ୍ରଥମେ ପ୍ରଥମେ ମୋତେ ବଡ଼ ବିରକ୍ତ ଲାଗିଥିଲା । ଡିସେମ୍ବର ମାସର ତୁଷାରପାତ ପରେ, ଦିନପରେ ଦିନ, ସୂର୍ଯ୍ୟ କିରଣରେ ଦାଉ ହେଉଥିବା ନୀଳ ଆକାଶ, ଚାରିଆଡ଼ର ଧୂଷର ତୁଷାର ରାଶି ଉପରେ ପବନ ଓ ଆଲୋକର ଘନ ଧାରା ଅଜାଡ଼ିବାକୁ ଲାଗିଲା । ତୁଷାର ଆସ୍ତରଣ ସେ ଆଲୋକକୁ ଆହୁରି ତୀବ୍ର ଓ ଆହୁରି ଉଜ୍ଜ୍ୱଳ କରି ଆକାଶ ଆଡ଼କୁ ବିଚ୍ଛୁରିତ ହେଉଥାଏ । ଏଭଳି ଉଜ୍ଜ୍ୱଳ ବାତାବରଣରେ ମଣିଷର ମନୋବୃତ୍ତି ଉଦ୍ଦୀପ୍ତ ଓ ଧମନୀର ରକ୍ତ ଚଞ୍ଚଳ ହେବାର କଥା ବିଚାରିବା ସ୍ୱାଭାବିକ । କିନ୍ତୁ କାଇଁ ? ଷ୍ଟାର୍କଫିଲ୍‍ଡ୍‍ ଜନତାର କିଞ୍ଚିତ୍‌ ମାତ୍ର ସ୍ପନ୍ଦନ ଆଖିକୁ ଦିଶିଲା ନାହିଁ; ଓଲଟି, ସେମାନଙ୍କର ଅଳସ ନାଡ଼ିର ଗତି ଆହୁରି ମନ୍ଥର ହୋଇଗଲା ପରି ଜଣା ଯାଉଥାଏ । ଆଉ କିଛି ଦିନ ପରେ ! ବାୟୁମଣ୍ଡଳର ସ୍ୱଚ୍ଛ ନିର୍ମଳତା କୁଆଡ଼େ ଉଭେଇଗଲା; ତା ପଛକୁ ଆସିଲା ଏକାଦିକ୍ରମେ ବହୁଦିନ ବ୍ୟାପି ସୂର୍ଯ୍ୟ କିରଣ-ହୀନ ଘୋର ଥଣ୍ଡା ପାଗ । ଫେବୃୟାରୀ ମାସରେ ନିରୀହ ଗ୍ରାମଟିକୁ ଘେରିଗଲେ ଝଡ଼ର ଫୌଜ; ୟାଙ୍କର ଶୁଭ ଶିବିରମାନ ଗାଁ ଚାରିପଟେ ମୁଣ୍ଡଟେକି ଉଠିଲା । ମାର୍ଚ୍ଚ ମାସରେ ତୋଫାନର ଘୋଡ଼ା-ସବାରମାନେ ମାଡ଼ି ଆସିଲେ ଝଡ଼-ଫୌଜଙ୍କୁ ହେମତ୍‌ ଦେବା ସକାଶେ । ଏହା ଦେଖିଲା ପରେ ଯାଇ ମୁଁ ଜାଣିଲି, ଛ’ମାସର ଏ ପ୍ରାକୃତିକ ଉତ୍ପାତ ପରେ ଷ୍ଟାର୍କଫିଲ୍‌ଡ୍‍ର ଲୋକେ କାହିଁକି ଏମିତି ନିର୍ଜୀବ ଦେଖା ଯାଉଛନ୍ତି—ଛ’ମାସ କାଳ ଘେରଉ ହୋଇଥିବା ଦୁର୍ଗ ଭିତରୁ ଅନ୍ନ କଷ୍ଟରେ ପ୍ରପୀଡ଼ିତ ସେନା ନିରୁପାୟ ହୋଇ ବାହାରି ଆସି, ଶତ୍ରୁ ଆଗରେ ଆତ୍ମ ସମର୍ପଣ କଲାପରି, ଏ ଲୋକ ପ୍ରକୃତି ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି ସିନା ! କୋଡ଼ିଏ ବର୍ଷ ପୂର୍ବେ ପ୍ରକୃତିର ଉତ୍ପାତ ବିରୁଦ୍ଧରେ ପ୍ରତିରୋଧ କରିବାର ସରଞ୍ଜାମ ଆଜି ତୁଳନାରେ ନିହାତି କମ୍‌ ଥିବ ନିଶ୍ଚୟ; ଘେରାଉ ହୋଇଥିବା ଗ୍ରାମମାନଙ୍କୁ ରସଦ ଯୋଗାଇବାର ସବୁଯାକ ବାଟ ଜଗି ଶତ୍ରୁ ସୈନ୍ୟ ରହି ଯାଇଥିବେ ସେ ଅବସ୍ଥାରେ ଆତ୍ମସମର୍ପଣ ବ୍ୟତୀତ ଆଉ ଅନ୍ୟ ଗତି କଳ୍ପନାତୀତ । ଏଇ ସବୁ କଥା ବିଚାରି ହ୍ୟାର୍‌ମନ୍‌ ଯେ କହିଥିଲେ; ପାରିବାର ଲୋକଙ୍କ ଭିତରୁ ଅଧିକାଂଶ ଶୀତଦିନେ ଏ ସ୍ଥାନରୁ ଖସି ପଳାନ୍ତି–ସେ କଥାର ପ୍ରକୃତ ଅର୍ଥ ମୁଁ ହୃଦୟଙ୍ଗମ କଲି ।

 

କିନ୍ତୁ ସମର୍ଥ ଲୋକେ ଯଦି ଖସି ପଳାନ୍ତି, ଏଥାନ୍‌ ନଗଲେ କାହିଁକି ? ଯୌବନର ସେ ଯେ ଜଣେ ପାରିବାର ମଣିଷ ହୋଇଥିବେ ଏଥିରେ ତ ସନ୍ଦେହ ନାହିଁ । କ’ଣ ସବୁ ପ୍ରତିବନ୍ଧକ ୟାଙ୍କ ଆଗରେ ଆସି ଜମା ହୋଇ ଗଲା ଯେ ଏଭଳି ଲୋକ ଏ ସ୍ଥାନ ଛାଡ଼ିଯାଇ ନ ପାରି ମାଟି କାମୁଡ଼ି ପଡ଼ି ରହିବାକୁ ବାଧ୍ୟ ହେଲେ ?

 

ଷ୍ଟାର୍କଫିଲ୍‌ଡରେ ମୁଁ ଜଣେ ଅଧାବୟସୀ ବିଧବାଙ୍କ ଘରେ ଭଡ଼ାରେ ରହିଥିଲି । ତାଙ୍କୁ ଲୋକେ ଡାକନ୍ତି ମିସେସ୍‌ ନେଡ୍‍ ହେଲ୍‌ ବୋଲି । ପୂର୍ବ ପିଢ଼ିରେ, ମିସେସ୍‌ ହେଲ୍‌ଙ୍କ ବାପା ଥିଲେ ଏ ଗାଁର ଓକିଲ । ଓକିଲ ବାର୍ଣ୍ଣମ୍‌ଙ୍କ ଘର—ଏଇଠି ମୋ ଭଡ଼ାବାଲୀ ମିସେସ୍‌ ହେଲ୍‌ ତାଙ୍କ ମା’ଙ୍କ ସଙ୍ଗେ ରହୁଥିଲେ—ଏ ଗାଁର ସବୁଠାରୁ ବଡ଼ କୋଠା । ଗାଁର ସଦରରାସ୍ତାର ଗୋଟାଏ ମୁଣ୍ଡେ ଏ କୋଠାଟି । ୟାର ଆଗ ଦୁଆରେ ଗୋଟିଏ ପୁରୁଣା କାଳିଆ ସ୍ତମ୍ଭ ବିଶିଷ୍ଟ ମଣ୍ଡପ । ଘରର ଝରକା-ଗୁଡ଼ିକରେ ଛୋଟ ଛୋଟ କାଚ କବାଟ । ସାମନାରେ ପଥର ବିଛା ହୋଇଥିବା ଗୋଟିଏ ରାସ୍ତା । ସେ ରାସ୍ତା ଦୁଇ କଡ଼ରେ ନରଓ୍ୱେ ଦେଶର ସ୍ପୃଶ୍‌ ଗଛ ଦୁଇ ଧାଡ଼ି । ସେଇ ରାସ୍ତାବାଟେ ଚାହିଁଲେ କୋଠାର ଦୁଆର ମୁହଁକୁ ଦିଶେ ଗିର୍ଜାର କ୍ରମ-ସୂକ୍ଷ୍ମ ଶ୍ୱେତ ଚୂଡ଼ା । ଏତେବେଳକୁ ବାର୍ଣମ୍‌ ବିଭବର ଶେଷବେଳ ହେଲେ ବି, ସ୍ତ୍ରୀ ଲୋକ ଦୁଇଟି ଖୁବ୍‌ ଚେଷ୍ଟା କରୁଥାନ୍ତି ପୂର୍ବ ବେଳର ସମ୍ଭ୍ରାନ୍ତ ଚାଲିଚଳଣି ବଜାୟ ରଖିବାକୁ । ବିଶେଷ କରି, ମିସେସ୍‌ ହେଲ୍‌ ଗୋଟାଏ ପ୍ରକାର ଶୀର୍ଣ ଆଦବ୍‌ କାଇଦା ଧରି ଚଳୁଥାନ୍ତି, ଯାହାକି ତାଙ୍କ ପୁରୁଣାକାଳିଆ ବିବର୍ଣ୍ଣ ପ୍ରାସାଦ ସାଙ୍ଗେ ବେଶ୍‌ ଖାପ ଖାଇ ଯାଉଥାଏ ।

 

ସେଇ ଘରର ଯେଉଁ ବୈଠକଖାନାଟିକୁ ଅଦ୍ୟାପି ବଢ଼ିଆ ବୈଠକଖାନା ବୋଲି କହୁଥାନ୍ତି, ସେଥିରେ ପଡ଼ିଥାଏ ମ୍ୟାହଗାନି କାଠର ତିଆରୀ ଗଦି ଚଉକି; ଗଦି ଗୁଡ଼ିକରେ କଳା ଘୋଡ଼ାର ବାଳ ଭର୍ତ୍ତି ହୋଇଥାଏ । ଘରଟି ଗୋଟିଏ ମଗର ମୁହଁ । ବତୀ-ଦାନିର କ୍ଷୀଣ ଆଲୋକରେ ଆଲୋକିତ ହୋଇଥାଏ । ସେଇଠାରେ ବସି ମିସେସ୍‌ ହେଲ୍‌ଙ୍କଠାରୁ ଷ୍ଟାର୍କଫିଲ୍‌ଡ୍‍ ଇତିବୃତ୍ତର ଆଉ ଗୋଟିଏ ବିବରଣୀ ଶୁଣିବାକୁ ପାଇଲି । ଏହା ହ୍ୟାର୍‌ମନ୍‌ଙ୍କ ବିବରଣୀଠାରୁ ଅଧିକ ମାର୍ଜିତ ଓ ସୁରୁଚି ସଂପନ୍ନ ।

 

ସାମାଜିକ ମର୍ଯ୍ୟାଦାରେ ମିସେସ୍‌ ହେଲ୍‌ ଯେ ତାଙ୍କ ପ୍ରତିବେଶୀଙ୍କ ଠାରୁ ଉଚ୍ଚ ବୋଲି ଅନୁଭବ କରୁଥିଲେ ବା ଦେଖାଇ ହେଉଥିଲେ ତାହା ନୁହେଁ । ଟିକିଏ ଅଧିକ ପଢ଼ିଥିବାରୁ ଓ ଜନ୍ମ ସଂସ୍କାରରେ ଅପେକ୍ଷାକୃତ କୋମଳ ଭାବପ୍ରବଣତା ଥିବାରୁ, ସେ ତାଙ୍କ ସାଙ୍ଗ ସରିସାଙ୍କ ଠାରୁ ଟିକିଏ ଉଚ୍ଚ କୋଟୀର ମଣିଷ ଥିଲେ ଓ ସେଥିଯୋଗୁ ରାଗଦ୍ୱେଷ ନ ରଖି ଅନ୍ୟମାନଙ୍କର ଦୋଷଗୁଣ ବାରିପାରୁଥିଲେ । ତାଙ୍କର ଏହି ବିବେଚନା ଶକ୍ତି ଖଟାଇ ଏଥାନ୍‌ ଫ୍ରୋମ୍‌ଙ୍କ ଇତିବୃତ୍ତ କହିବାକୁ ସେ ନାରାଜ ନ ଥିଲେ । ଏହି ଇତିବୃତ୍ତର ଯେଉଁ ତଥ୍ୟଗୁଡ଼ିକ ଏପର୍ଯ୍ୟନ୍ତ ମୋତେ ଅଗୋଚର ତାହା ୟାଙ୍କରିଠାରୁ ଜାଣିବି ବୋଲି ମୋର ଖୁବ୍‌ ଆଶା ହେଲା । ଠିକ୍‌ କହିବାକୁ ଗଲେ, ମୋର ନୂଆ ତଥ୍ୟ ବିଶେଷ ଦରକାର ନ ଥିଲା , ଦରକାର ଥିଲା, ଏଥାନ୍‌ ଫ୍ରୋମ୍‌ଙ୍କ ଚରିତ୍ରର ସୂଚନା । ସେତକ ପାଇଲେ, ତାଙ୍କ ବିଷୟରେ ମୁଁ ଯେଉଁ ତଥ୍ୟସବୁ ସଂଗ୍ରହ କରି ସାରିଥାଏ ତାକୁ ସୁସଂଗତ ଭାବେ ଏକାଠି ଯୋଡ଼ି ପାରିବି । ଏ ସୂଚନା ମିସେସ୍‌ ହେଲ୍‌ଙ୍କଠାରୁ ମିଳିପାରିବ ବୋଲି ମୋର ବିଶ୍ୱାସ ହୋଇଥାଏ ।

 

ତାଙ୍କ ମନ ଛୋଟ ଛୋଟ ନିର୍ଦ୍ଦେଶ ଗପର ଏକ ଗନ୍ତାଘର ଥିଲା । ତାଙ୍କ ପରିଚିତ ଯେ କୌଣସି ଲୋକ ବିଷୟରେ ପଚାରିଲେ ତାଙ୍କ ସଂପର୍କରେ ଏଇପରି କେତେ ଗପ ସେ କହନ୍ତି । କିନ୍ତୁ ଏଥାନ୍‌ ଫ୍ରୋମ୍‌ଙ୍କ ବିଷୟରେ ପଚାରି ଦେଖିଲେ, ତାଙ୍କ ବିଷୟରେ ବିଶେଷ କିଛି କହିବାକୁ ସେ ପ୍ରସ୍ତୁତ ନୁହନ୍ତି । ସେ କୌଣସି କଥା ଲୁଚାଇବାକୁ ଯିବେ ଏହା ମୁଁ ଆଦୌ ଆଶଙ୍କା କରି ନ ଥିଲି । ଏଥାନ୍‌ ଫ୍ରୋମ୍‌ଙ୍କୁ ନାପସନ୍ଦ କରିବାରୁ ଯେ ସେ ତାଙ୍କ ବିଷୟରେ କିଛି କହିବାକୁ କୁଣ୍ଠିତ ହେଉଥିଲେ ତାହାର ଇସାରା ମୁଁ ପାଉ ନ ଥାଏଁ । ଏତିକି ଜାଣୁଥାଏ, ଏଥାନ୍‍ଙ୍କ ବିଷୟରେ ବା ତାଙ୍କ ସଂପୃକ୍ତ କୌଣସି ବିଷୟରେ କିଛି କହିବାକୁ ତାଙ୍କର ମନ ଡାକୁନାହିଁ । ସେ ଚେଷ୍ଟା କଲେ ବି କହିପାରୁ ନାହାନ୍ତି । ଖୁବ୍‌ ପଚରା ପଚରି କଲେ ଏଇମିତି ପଦେ ଅଧେ କହନ୍ତି, ‘‘ହଁ, ସେ ଦୁହିଁଙ୍କ ସଙ୍ଗେ ମୋର ଘନିଷ୍ଠ ପରିଚୟ ଥିଲା......ଉଃ ! ବଡ଼ ଦୁଃଖର କଥା ।’’ ମୁଁ ଜାଣୁଥାଏ, ମୋର କୌତୂହଳ ନିବୃତ୍ତି ନିମନ୍ତେ, ନିଜ ମନର ଦୁଃଖକୁ ଚାପି ରଖି ସେ ଖୁବ୍‌ ଅଧିକ କହିବାକୁ ଯାଇ ଏତିକି ମାତ୍ର କହି ପାରିଛନ୍ତି ।

 

ଏଥାନ୍‌ ଫ୍ରୋମ୍‌ଙ୍କ କଥା ପଡ଼ିବାରେ ମିସେସ୍‌ ନେଡ୍‍ ହେଲ୍‌ଙ୍କର ଢଙ୍ଗ ବଦଳି ଯାଇ ଅସ୍ୱାଭାବିକ ଦିଶୁଥାଏ । ସେଇଥିରୁ ତାଙ୍କ ମନରେ ଗଭୀର ବିଷାଦର ସଂକେତ ପାଇଲି । ଏ ବିଷୟରେ ତାଙ୍କୁ ଅଧିକ ପ୍ରଶ୍ନ କରିବା ସମୀଚୀନ ନୁହେଁ ବୋଲି ବିଚାର ଗାଁର ସବ୍‌ ଜାନତା ଲୋକ ହ୍ୟାର୍‌ମନ୍‌ ଗାଉଙ୍କ ଆଗରେ ଏଥାନ୍‌ ଫ୍ରୋମ୍‌ଙ୍କ ବିଷୟ ପୁଣି ଆଉଥରେ ବାଢ଼ି ବସିଲି । କିନ୍ତୁ ମୋର କୌତୂହଳ ନିବୃତ୍ତି ପାଇଁ ତାଙ୍କ ଠାରୁ ମିଳିଲା ଗୋଟିଏ ଗାଉଁ ଗାଉଁ ଶବ୍ଦ ମାତ୍ର—ଏହାର ଅର୍ଥ ଠଉରାଇବା ମୁସ୍‌କିଲ୍‌ ।

 

କିଛି ସମୟ ପରେ ସେ କହିଲେ, ‘‘ରଥ୍‌ ବାର୍ଣମ୍‌ ଟିକକ କଥାରେ ଭାରି ବିଚଳିତ ହୋଇଯାଏ, ବିରାଡ଼ି ଭୟରେ ମୂଷା ହେଲାପରି । ତେବେ ଏ ବିଷୟରେ ତା’ର ବିଚଳିତ ହେବା ସ୍ୱାଭାବିକ । ଏଥାନ୍‌ ଓ ତାଙ୍କ ସଙ୍ଗିନୀ—ଏ ଦୁହିଁଙ୍କୁ ଏ ଅବସ୍ଥାରେ ପ୍ରଥମେ ଦେଖିବାବାଲାତ ସେଇ-। ଘଟଣା ଘଟିଲା ଠିକ୍‌ ଓକିଲ ବାର୍ଣମ୍‌ଙ୍କ ଘର ତଳକୁ—କର୍‌ବ୍ୟୁରି ସଡ଼କର ଠିକ୍‌ ମୋଡ଼ ଉପରେ-। ସେତେବେଳକୁ ରୁଥ୍‌ର ନେଡ୍‍ ହେଲ୍‍ ସଙ୍ଗେ ବିବାହ ପ୍ରସ୍ତାବ ପକାହୋଇ ସାରିଥାଏ । ନେଡ୍‍ ଓ ରୁଥ୍‌ ଏବଂ ଏଥାନ୍‌ ଓ ଆର ଜଣକ—ଏ ଚାରିଜଣ ଯାକ ଯୁବକ ଯୁବତୀ ସାଙ୍ଗ ହୋଇ ଚଳୁଥିଲେ-। ମୁଁ ବିଚାରୁଛି, ନିଜ ସାଙ୍ଗଙ୍କର ଏ ବିପତ୍ତି ବିଷୟରେ କହିଲା ବେଳକୁ ତା’ ମନ କିମିତି କିମିତି ହେଉଥିବ-। ଆହୁରି ମଧ୍ୟ ରୁଥ୍‌ର ନିଜ ଜୀବନରେ ୟା ଭିତରେ ବହୁତ ବିପର୍ଯ୍ୟୟ ଘଟିଛି । ପୁରୁଣା ଦିନର କଥା ମନେପଡ଼ି—ଦୁଃଖ ବି ହେଉଥିବ ।

 

ଖାଲି ଷ୍ଟାର୍କଫିଲ୍‌ଡରେ କାହିଁକି, ତା’ଠାରୁ ଅଧିକ ଉନ୍ନତ ସ୍ଥାନମାନଙ୍କରେ ମଧ୍ୟ ଲୋକଙ୍କର ନିଜ ନିଜ ଦୁଃଖର ଭାର ଏଡ଼େ ଗୁରୁତର ଯେ ପଡ଼ିଶା ଘରର ଦୁଃଖ ଦେଖି ଆହା କହିବାକୁ ପ୍ରାୟଶଃ ବିଶେଷ ପ୍ରବୃତ୍ତି ନ ହେବାର କଥା । ଏଥାନ୍‌ ଫ୍ରୋମ୍‌ଙ୍କ ବିଷୟରେ ଯାହାକୁ ପଚାରିଲି, ସେ ସମସ୍ତେ ସ୍ୱୀକାର କଲେ ଯେ ଏଥାନ୍‌ ଫ୍ରୋମ୍‌ଙ୍କ ବିପତ୍ତି ଅନ୍ୟମାନଙ୍କଠାରୁ ଢେର ଅଧିକ । ତଥାପି ମୁଁ ଭାବୁଥାଏ ଏଥାନ୍‌ ଫ୍ରୋମ୍‌ଙ୍କ ମୁହଁର ଚେହେରାଟା ଏଭଳି ହେଲା କେମିତି ? ଅଭାବରେ ବା ଶାରୀରିକ ଯନ୍ତ୍ରଣାରେ ତ ମୁହଁ ଏଭଳି ହୁଏ ନାହିଁ । ଏ ବିଷୟରେ ଯେ ଯେତେ ଯାହା କହିଲେ ମୋ ମନ ମାନୁ ନଥାଏ ।

 

ସେ ଯାହାହେଉ, ବିଭିନ୍ନ ସୂତ୍ରରୁ ୟାଙ୍କ ବିଷୟରେ ଯାହା ଯାହା ଶୁଣିଲି, ସେସବୁ ଏକାଠି କରି ମୋ ମନରେ ଯେଉଁ ଧାରଣା ହେଲା ସେତିକିରେ ମୋର କୌତୂହଳ ନିବୃତ୍ତି କରିଥାନ୍ତି । ଯଦି ମିସେସ୍‌ ହେଲ୍‌ଙ୍କ ନୀରବତା ମୋ ମନରେ ଗୋଟାଏ ଗଭୀର ସଂଶୟ ଜାତ କରି ନଥାନ୍ତା । ମିସେସ୍‌ ହେଲ୍‍ଙ୍କ ସଙ୍ଗେ କଥାବାର୍ତ୍ତା ହେବାର ଦିନ କେତୋଟା ପରେ ଦୈବାତ ଏଥାନ୍‌ ଫ୍ରୋମ୍‌ଙ୍କ ସଙ୍ଗେ ମୋର ବ୍ୟକ୍ତିଗତ ଘନିଷ୍ଠତା ହେଲା । ସେଥିଯୋଗୁଁ ତାଙ୍କ ବିଷୟରେ କୌତୂହଳ ଯେପରି ବଢ଼ିଲା, ତାହାର ନିବୃତ୍ତି ପାଇଁ ସୁଯୋଗ ବି ସେହିପରି ଜୁଟିଲା ।

 

ମୁଁ ଷ୍ଟାର୍କଫିଲ୍‍ଡରେ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ଆୟର୍‌ଲଣ୍ଡରୁ ଆସିଥିବା ଜଣେ ଅବସ୍ଥାସଂପନ୍ନ ମୋଦୀ, ଡେନିସ୍‌ ଏଡିଙ୍କ ସଙ୍ଗେ ମୋର ଚୁକ୍ତି ହେଲା ଯେ ସେ ପ୍ରତିଦିନ ମୋତେ କର୍‌ବ୍ୟୁରି ଫ୍ଲାଟ୍‌ ଷ୍ଟେସନରେ ନେଇ ତାଙ୍କ ଘୋଡ଼ା ବଗିରେ ପହଞ୍ଚାଇ ଦେବେ । ସେଇଠାରୁ ଟ୍ରେନ୍‌ ଧରି ମୋର କାର୍ଯ୍ୟ କ୍ଷେତ୍ର ଜଙ୍କସନ୍‌କୁ ମୋର ଯିବାର କଥା । ଘୋଡ଼ା ବଗି ଭଡ଼ାରେ ଯୋଗାଇବା ବେପାର ସେ କରୁଥାନ୍ତି । ସହରରେ ଭଡ଼ା ଗାଡ଼ି ଯୋଗାଇବାକୁ ଯେଉଁ ବିରାଟ ଅନୁଷ୍ଠାନ ସବୁ ଥାଏ, ୟାଙ୍କ ଅନୁଷ୍ଠାନଟି ସେଥିରୁ ଅନ୍ୟତମ ।

 

ଉକ୍ତ ଚୁକ୍ତି ଅନୁସାରେ ମୋର ଯାତାୟାତ ଶୀତ ଦିନ ଯାଏଁ ଚାଲିଲା । ଶୀତଋତୁରେ ତାଙ୍କର ସବୁଗୁଡ଼ିକ ଘୋଡ଼ା ଗୋଟାଏ କ’ଣ ରୋଗରେ ପଡ଼ିଲେ । ଏ ରୋଗ ସଂକ୍ରାମକ ହୋଇ ଷ୍ଟାର୍କଫିଲ୍‌ଡ୍‍ର ଅନ୍ୟ ସବୁ ଘୋଡ଼ାଙ୍କୁ ଧରି ପକାଇଲା । ଦିନେ ଦୁଇ ଦିନ, ଷ୍ଟେସନ୍‌କୁ ଯିବା ଓ ସେଠାରୁ ଘରକୁ ଫେରିବାକୁ ମୁଁ ଭାରି ହଇରାଣ ହେଲି । ମୋ’ ଦୁର୍ଦ୍ଦଶା ଦେଖି ହାର୍‌ମନ୍‌ ଗାଉ ସୂଚନା ଦେଲେ ଯେ ଏଥାନ୍‌ ଫ୍ରୋମ୍‌ଙ୍କ କଷରା ଘୋଡ଼ାକୁ ଅଦ୍ୟାପି ଏ ରୋଗ ଧରି ନାହିଁ । ଏଥାନ୍‍ଙ୍କୁ କହିଲେ, ସେ ଆଗ୍ରହରେ ମୋ’ର ଯାତାୟାତର ଦାୟିତ୍ୱ ନେବେ ବୋଲି ହାର୍‌ମନ୍‌ଙ୍କ ଠାରୁ ଶୁଣିଲି ।

 

ଏହା ଶୁଣି ମୁଁ ବିସ୍ମିତ ହେଲି,‘‘ଏଥାନ୍‌ ଫ୍ରୋମ୍‌ ! ତାଙ୍କୁ ଏ କଥା କିପରି କହିବି ? ତାଙ୍କ ସଙ୍ଗେ ଯେ ମୋ’ର ଏକବାରେ ଆଳାପ ହୋଇ ନାହିଁ । ପୁଣି, ସେ ଜଣେ ମାତ୍‌ବର ଲୋକ । ମୋ ପାଇଁ ଭଡ଼ା ବୋହିବାକୁ, ସେ ବା ରାଜି ହେବେ କାହିଁକି ?’’

 

ହାର୍‌ମନ୍‌ଙ୍କ ଜବାବ ଶୁଣି ମୁଁ ଆହୁରି ବିସ୍ମିତ ହେଲି—‘‘ସେ ରାଜି ହେବେ କି ନାହିଁ ମୁଁ ନିଧାର୍ଯ ଭାବେ କହି ନ ପାରେ । କିନ୍ତୁ ମୁଁ ଜାଣେ, ଟଙ୍କା ପାଞ୍ଚଟା ରୋଜଗାର କରିବାର ବାଟ ପାଇଲେ ସେ ବେଶ୍‌ ଖୁସୀ ହେବେ । ?’’

 

ମୁଁ ଶୁଣିଥିଲି ଯେ ଫ୍ରୋମ୍‌ଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ତାଙ୍କ କରତ କଳ ଓ କୃଷିଫାର୍ମ୍‌ର ଅନୁର୍ବର କ୍ଷେତରୁ ସେ ସାମାନ୍ୟ ଯାହା ପା’ନ୍ତି ତାହା ଶୀତ ଋତୁରେ ତାଙ୍କ ଘର ଚଳାଇବାକୁ ଯଥେଷ୍ଟ ହୁଏ ନାହିଁ । କିନ୍ତୁ ହାର୍‌ମନ୍ ତାଙ୍କୁ ଯେଡ଼େ ଅଭାବଗ୍ରସ୍ତ ବୋଲି ସୂଚାଇଲେ, ସେ ବାସ୍ତବିକ ସେଇଆ ବୋଲି ମୁଁ ଆଦୌ କଳ୍ପନା କରି ନ ଥିଲି । ତେଣୁ ମୋର ବିସ୍ମୟ ଜଣାଇଲି-

 

ହାର୍‌ମନ୍‌ କହିଲେ, ‘ବିଚାରା କରନ୍ତି କ’ଣ ? ଭାଗ୍ୟ ତାଙ୍କୁ ଏକାଦିକ୍ରମେ ବହୁ ଦିନ ହେଲା ଘାଣ୍ଟୁଛି । ମଣିଷ କୋଡ଼ିଏ ବର୍ଷ କାଳ ଅନବରତ ଦଦରା ଡଙ୍ଗା ପେଲି ଚାଲିଥିବ; ୟା କରନ୍ତା, ତା’ କରନ୍ତା ବୋଲି ବିଚାରୁଥିବ କିନ୍ତୁ ପାରୁ ନଥିବ—ଏ ଅବସ୍ଥାରେ ମଣିଷର ମନ ଦବି ଯିବାର କଥା, ତା’ର ଓଜ ତେଜ ଭାଜି ଯିବା କିଛି ବିଚିତ୍ର ନୁହେଁ । ଏ ଯେଉଁ ଫ୍ରୋମ୍‍ କୃଷିଫାର୍ମଟା ଦେଖୁଛ ୟା ଗୋଟାଏ ତୁଚ୍ଛା ଆଟିକା—ବିରାଡ଼ି ପଶି ଦୁଧ ଆଟିକା ଚାଟି ଚୁଟି ଦେଇଥିଲେ ସେ ଯେମିତି ତୁଚ୍ଛା ହୋଇଥାଏ, ସେଇପରି । ଆଉ, ପାଣି ସୁଅର ଶକ୍ତିରେ ଚାଲୁଥିବା କରତ-କଳଟାର ମୂଲ୍ୟ ଏ ଯୁଗରେ ବା କେତେ ? ଯେତେବେଳେ ଏଥାନ୍‍ଙ୍କର ବପୂରେ ବଳ ଥିଲା ଓ ଝାଳ ବୁହା ପରିଶ୍ରମ କରି ବଡ଼ି ସକାଳୁ ମୁହଁ ଅନ୍ଧାର ପର୍ଯ୍ୟନ୍ତ ସେ ଏ ଦୁଇଟାରେ ଖଟି ପାରୁଥିଲେ, ସେ ପର୍ଯ୍ୟନ୍ତ ସେ ଏଥିରୁ ନିଜର ଜୀବିକା କୌଣସି ମତେ ଅର୍ଜୁଥିଲେ । ସେତେବେଳେ ବି ଯେଉଁ ଚାରି ପଇସା ମିଳୁଥିଲା ତହିଁରୁ ଫଟା ଟେଲି ପର୍ଯ୍ୟନ୍ତ ତାଙ୍କ ପରିବାର ଶୋଷି ନେଉଥିଲେ । ଏବେ ତ ତାଙ୍କର ଅଖଞ୍ଜ ଶରୀର, ଏବେ କିମିତି ଚଳୁଛନ୍ତି, ମା ଗଙ୍ଗେ ଜାଣନ୍ତି !

 

‘‘ତାଙ୍କ ଦୁର୍ଭାଗ୍ୟ କଥା ଶୁଣିବ ? ଆଗ ବିପତ୍ତି ପଡ଼ିଲା ତାଙ୍କ ବାପାଙ୍କୁ, ସେ ଘୋଡ଼ା ଯୋଚା ଘାସ କଟା କଳରେ ଘାସ କାଟୁଥିବା ବେଳେ ଘୋଡ଼ାଟା ତାଙ୍କୁ ଲାତେ ମାଇଲା ଯେ ସେତିକିରେ ସେ ଅକର୍ମଣ୍ୟ ହୋଇଗଲେ; ମସ୍ତିଷ୍କ ବିକାର ହେଲା । ପାଦ୍ରୀ ଧର୍ମ ଉପଦେଶ ଦେବାରେ ଯେଭଳି ମୁକ୍ତହସ୍ତ, ସେ ସେ ସେହିପରି ବେପରୁଆ ଟଂକା ପଇସା ଦିଆଦେଇ କରି ଉଜାଡ଼ି ଦେଲେ । ତାଙ୍କ ମୃତ୍ୟୁ ବେଳକୁ ଘୋଡ଼ା ଶେଷ । ତା’ପରେ ଏଥାନ୍‍ଙ୍କ ମା’ଙ୍କର ଗୋଟାଏ କ’ଣ ବେମାରି ହେଲା ଯେ ସେ ଉଠିଆଣି ପିଲାପରି ଅସମର୍ଥ ହୋଇ ପଡ଼ିଲେ । ଗୁଡ଼ାଏ ଦିନ ଏଇପରି ଘାଣ୍ଟି ଘାଣ୍ଟି ଶେଷରେ ସେ ଗଲେ ସିନା, ଦୁର୍ଭାଗ୍ୟ ସରିଲା ନାହିଁ । ମା’ଙ୍କ ପରେ ଘାଣ୍ଟିଲେ ନିଜ ଭାର୍ଯ୍ୟା ଜୀନା—ଆମ ଅଞ୍ଚଳରେ ସେ ଓଷୁଅ ଖାଇବା ବିଷୟରେ ୟାଙ୍କଠାରୁ ବଳି ଆଉ କେହି ନାହିଁ । ଘର ମଣିଷଙ୍କର ବେରାମ ସାଙ୍ଗକୁ ଆଥିକ ଦୁର୍ଗତି—ଏଥାନ୍‍ଙ୍କ ଭାଗ୍ୟରେ ଜୀବନ ଆରମ୍ଭରୁ ଆଜି ଯାଏଁ ଏଇଆ ଲାଗି ଆସିଛି ।’’

 

ତହିଁ ଆରଦିନ ସକାଳେ, ମୁଁ ମୋର କାମ ସାରି ବାହରକୁ ଚାହିଁଲାବେଳକୁ ବାର୍ନମ୍‌-ପ୍ରାସାଦର ହାତରେ ଥିବା ସ୍ପୃଶ୍‌ ଗଛର ଧାଡ଼ି ମଝିରେ ଏଥାନ୍‍ଙ୍କ ଗାତୁଆ-ପିଠିଆ କଷରା ଘୋଡ଼ାକୁ ଦେଖିଲି; ଏଥାନ୍‌ ଫ୍ରୋମ୍‌ ତାଙ୍କ ପାଖରେ ଥୁଆ ହୋଇଥିବା ଭାଲୁ ଚମଡ଼ାର ଓଭର୍‌କୋଟଟା ଆଡ଼େଇ ଦେଇ ତାଙ୍କରି ପାଖରେ ଫିଟନ୍‌ ଗାଡ଼ିରେ ମୋ ପାଇଁ ବସିବାକୁ ଜାଗା କରିଦେଲେ । ଏଇଠାରୁ ହପ୍ତାଏ ପର୍ଯ୍ୟନ୍ତ ସେ ପ୍ରତି ସକାଳେ ମୋତେ ନେଇ କର୍‌ବ୍ୟୁରି ଫ୍ଲାଟରେ ପହଞ୍ଚାଇ ଦିଅନ୍ତି ଓ ସନ୍ଧ୍ୟାରେ ପୁଣି ଯାଇ ଷ୍ଟେସନରେ ମୋତେ ଅପେକ୍ଷା କରନ୍ତି ଓ ମୁଁ ରେଳରୁ ଓହ୍ଲାଇଲେ, ମୋତେ ଆଣି ଷ୍ଟାର୍କଫିଲ୍‌ଡରେ ପହଞ୍ଚାନ୍ତି, ରାତିରେ ବରଫ ଜମିଥିବା ରାସ୍ତାବାଟେ । ଷ୍ଟାର୍କଫିଲ୍‍ଡ୍‍ରୁ କର୍‌ବ୍ୟୁରି ମାତ୍ର ତିନିମାଇଲ; କିନ୍ତୁ ବୁଢା ଘୋଡ଼ାର ବଡ଼ ପାହୁଣ୍ଡ ନ ପଡ଼ୁଥିବାରୁ ରାସ୍ତାରେ ବରଫ ଟାଣ ହୋଇ ପିଚ୍‌ରାସ୍ତା ପରି ହୋଇଥିଲେ ବି, ଏଇତକ ବାଟ ଆସିବାକୁ ପ୍ରାୟ ଘଣ୍ଟାଏ ଲାଗେ । ଏଥାନ୍‌ ଫ୍ରୋମ୍‌ ପାଟିତୁଣ୍ଡ କରି ଗାଡ଼ି ନ ହାଙ୍କି ଧୀର ଭାବରେ ଘୋଡ଼ାକୁ ବାଗଉ ଥାନ୍ତି । ତାଙ୍କ ବାଁ ହାତରେ ଲଗାମଟା ହାଲୁକା ଭାବେ ରହିଥାଏ । ଉଶ୍ମୀଷ ପରି ଉଚ୍ଚ ଟୋପିର ତଳେ ତାଙ୍କ ମୁହଁର ଯେଉଁ ଅଡ଼ିଟି ମୋ ଆଡ଼କୁ ଥାଏ ତାହା ଦୁର୍ଘଟଣାର ଚୋଟ ଓ ଅଭାବର ତାଡ଼ନରେ ବଳି ବଳି ହୋଇଥାଏ ଓ ପ୍ରକୃତିର କଠୋର ଆଘାତରେ ଏହାର ବର୍ଣ୍ଣ ତମ୍ବା ପରି ଦିଶୁଥାଏ । ଏହି ପିଙ୍ଗଳବର୍ଣ୍ଣ ମୁହଁ, ଚାରି ଆଡ଼ର ମାର୍ବଲପରି ଧଳା ତୁଷାର-ସ୍ତୁପର ପୀଠରେ, ଅତୀତର କୌଣସି ବୀର ଯୋଦ୍ଧାର ପିତଳ ପ୍ରତିମୂର୍ତ୍ତି ପରି ମୋତେ ଦିଶୁଥାଏ । ସେ ତାଙ୍କ ମୁହଁ ମୋ ଆଡ଼କୁ ମୋଡ଼ି କେବେ ଚାହାନ୍ତି ନାହିଁ । ମୁଁ କୌଣସି ପ୍ରଶ୍ନ ପଚାରିଲେ ବା ରହସ୍ୟରେ କିଛି ଭରସି କହିଲେ ପଦେ ମାତ୍ର କଥାରେ ସେ ମୋତେ ଉତ୍ତର ଦିଅନ୍ତି, ମୋ ଆଡ଼କୁ ନ ଚାହିଁ ପ୍ରକୃତିର ନୀରବ ଓ ନିରାନନ୍ଦ ଚିତ୍ରପଟରେ ସେ ସାମିଲ ହୋଇଗଲା ପରି ଦିଶୁଥାନ୍ତି । ମୁଁ ମନେ କରୁଥାଏ, ସତେ ଯେପରି ସେ ପୃଥିବୀ ଉପରେ ଜମାଟବାନ୍ଧି ରହିଥିବା ବିଷାଦର ମୂର୍ତ୍ତିମନ୍ତ ରୂପ । ପୃଥିବୀର ଯାହା ସରସ ଓ ସତେଜ ସେ ସବୁ ଯେପରି ଉପରର ତୁଷାର ଆବରଣ ତଳେ ଚିପି ହୋଇ ରହିଛି । ସେହିପରି ଏଥାନ୍‌ ଫ୍ରୋମ୍‌ଙ୍କ ପ୍ରକୃତିର ସଜୀବ ସଂବେଦନପୂର୍ଣ୍ଣ ଅଂଶଟି ତାଙ୍କ ମୁହଁରେ ଛାଇ ହୋଇଥିବା ବିଷାଦର ଚାପରେ ଚିପିହୋଇ ରହିଥାଏ । ସେ ଯାହାହେଉ, ତାଙ୍କର ଏ ବିଷାଦରେ କିନ୍ତୁ ଅସୂୟା ବା ଦ୍ୱେଷର ସତ୍ତା ନ ପାଏ । ମୁଁ ତାଙ୍କର ରୀତିଗତି ଲକ୍ଷକରି ଠଉରାଇଲି ଯେ, ତାଙ୍କର ମନ ସମସ୍ତ ପାରିପାର୍ଶ୍ୱିକ ପ୍ରଭାବରୁ ଦୂରରେ ରହି, ଆପଣା ଭିତରର ଗଭୀରତମ ପ୍ରଦେଶରେ ବୁଡ଼ି ରହିଛି । ହାବଡ଼ ଝଟକା ତାଙ୍କୁ ଦେଖି ତାଙ୍କ ସଙ୍ଗେ ପଦେ ଦି’ପଦ କଥାବାର୍ତ୍ତା ହୋଇ ତାଙ୍କ ମନର ଟେର୍‌ ପାଇବା ଅସଂଭବ । ଆହୁରି ମଧ୍ୟ ସିଦ୍ଧାନ୍ତ କଲି ଯେ ତାଙ୍କର ଏ ନିଃସଙ୍ଗ ଭାବ ବ୍ୟକ୍ତିଗତ ଦୁର୍ଗତି ଫଳରେ ଜାତ ହୋଇନାହିଁ, ଯଦିଓ ତାଙ୍କର ଦୁର୍ଗତି ଅତିଶୟ ମର୍ମନ୍ତୁଦ ହୋଇଥିବ ବୋଲି ମୁଁ ଅନୁମାନ କରୁଥାଏ । ମୁଁ ବିଚାରିଲି, ବ୍ୟକ୍ତିଗତ ଦୁଃଖ ଶୋକ ଯୋଗୁଁ ନୁହେଁ, ହାରମନ୍‌ ଗାଉ କହିଲାପରି, ଗୋଟିକ ପରେ ଗୋଟିକ ହୋଇ ଷ୍ଟାର୍କଫିଲ୍‌ଡ୍‍ର ଭୟାନକ ଶୀତ ଋତୁର ପ୍ରଭାବ ୟାଙ୍କ ମନରେ ଜମାଟ ବାନ୍ଧି ୟାଙ୍କୁ ଏଭଳି ନିର୍ବେଦ କରି ପକାଇଛି ।

 

ଆମର ଏହି ସହଯାତ୍ରାବେଳେ ଖୁବ୍‌ ହେଲେ ଥରେ ବା ଦୁଇଥର ଆମ ଦୁହିଁଙ୍କ ଭିତରେ ଥିବା ବ୍ୟବଧାନ ଦୂର ହୋଇ ଯାଇଥିଲା ମାତ୍ର ମୁହୂର୍ତ୍ତେ ପାଇଁ । ସେଇ ମୁହୂର୍ତ୍ତରେ ମୁଁ ଏଥାନ୍‌ ଫ୍ରୋମ୍‌ଙ୍କ ଚରିତ୍ରର ଯେଉଁ ସୂଚନା ପାଇଲି, ତା’ ଯୋଗୁଁ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମୋର ପ୍ରବୃତ୍ତି ହେଲା । ପୂର୍ବ ବର୍ଷ ଫ୍ଳରିଡାର ମୁଁ ଗୋଟାଏ ଇଞ୍ଜିନ୍‌ଅରିଂ କାମ କରୁଥିଲି । ଥରେ ସେଇ କଥା ପକାଇ ଷ୍ଟାର୍କଫିଲ୍‌ଡ୍‍ର ଶୀତଦିନିଆ ଦୃଶ୍ୟ ସଙ୍ଗେ ପୂର୍ବ ବର୍ଷ ଦେଖିଥିବା ଫ୍ଲରିଡାର ଶୀତଋୁତୁ ଦୃଶ୍ୟର ପାର୍ଥକ୍ୟ ବିଷୟ ମୁଁ ଏଥାନ୍‌ ଫ୍ରୋମ୍‌ଙ୍କୁ କହିଲି । ତାଙ୍କ ଉତ୍ତର ଶୁଣି ମୁଁ ବିସ୍ମିତ ହେଲି । ସେ କହିଲେ, ‘‘ହଁ, ମୁଁ ଥରେ ସେଠାକୁ ଯାଇଥିଲି । ଅନେକ ବର୍ଷ ପର୍ଯ୍ୟନ୍ତ ସେଠାର ଶୀତ ଋତୁ ଦୃଶ୍ୟ, ଏଠାରେ ଶୀତ ଦିନେ ମୋର ମନେ ପଡ଼ୁଥିଲା । ଏବକୁ ଆଉ ସେ ସ୍ମୃତି ନାହିଁ, ବିସ୍ମୃତିର ତୁଷାର ତଳେ କୁଆଡ଼େ ଛପି ଗଲାଣି ।’’

 

ସେ ଆଉ ଅଧିକ କିଛି କହିଲେ ନାହିଁ । ତାଙ୍କ ସ୍ୱରର ଆବେଗ ଓ ଟିକିଏ ମାତ୍ର କହି ନୀରବ ରହିଯିବା ଢଙ୍ଗରୁ ମୁଁ ତାଙ୍କର ଫ୍ଲରିଡ଼ା ଯାତ୍ରା ବିଷୟରେ ମନକୁ ମନ କେତେ କଥା ଯୋଡ଼ି ଦେଲି ।

 

ଆଉ ଦିନେ, ଫ୍ଲାଟ୍‌ସ୍‌ ଷ୍ଟେସନରେ ଗାଡ଼ି ଚଢ଼ିବା ପରେ ମୋର ମନେ ପଡ଼ିଲା, ସାଧାରଣ ପାଠକୋପଯୋଗ୍ୟ ଖଣ୍ଡିଏ ବିଜ୍ଞାନ ବହି କେଉଁଠି ଛାଡ଼ି ଆସିଛି । ଏ ବହିଟିରେ ଜୈବ-ରସାୟନ ସମ୍ପର୍କୀୟ କେତୋଟି ନୂତନ ଗବେଷଣାର ବର୍ଣ୍ଣନା ହୋଇଥାଏ । ବାଟରେ ପଢ଼ିବି ବୋଲି ବହି ଖଣ୍ଡି ସାଙ୍ଗରେ ଆଣିଥିଲି । କୁଆଡ଼େ ପଡ଼ିଲା, ସେ ବିଷୟରେ ଆଉ ଅଧିକ ନ ବିଚାରି ମୁଁ ମୋର କାର୍ଯ୍ୟ କ୍ଷେତ୍ରକୁ ଗଲି । ସନ୍ଧ୍ୟାରେ ଫେରି ଏଥାନ୍‌ ଫ୍ରୋମ୍‌ଙ୍କ ବଗିରେ ବସିଲାବେଳେ ଦେଖିଲି, ବହି ଖଣ୍ଡି ତାଙ୍କରି ହାତରେ ଅଛି ।

 

ସେ କହିଲେ, ‘‘ଆପଣଙ୍କ ଗାଡ଼ି ଛାଡ଼ି ଦେବାପରେ ଏ ଖଣ୍ଡି ମୋ ନଜରରେ ପଡ଼ିଲା ।’’

 

ମୁଁ ବହି ଖଣ୍ଡି ମୋ ପକେଟରେ ରଖିଦେଲି ଓ ଦୁହେଁ ସବୁଦିନ ପରି ନୀରବରେ ଆସିଲୁ-। କର୍‌ବ୍ୟୁରି ଫ୍ଲାଟସ୍‌ଠାରୁ ଷ୍ଟାର୍କଫିଲ୍‍ଡ୍‍ର ଉଚ୍ଚଭୂମି ଆଡ଼କୁ ପର୍ବତର ଲମ୍ବା ଉଠାଣିରେ ଆସ୍ତେ ଆସ୍ତେ ଅଗ୍ରସର ହେଉଛୁ, ସଞ୍ଜବେଳର ପତଳା ଅନ୍ଧାରରେ ମୋତେ ଦିଶିଲା ସେ ମୋ ଆଡ଼କୁ ମୁହଁ ବୁଲାଇ ଚାହିଁଛନ୍ତି ।

 

ତାଙ୍କ ଉପରେ ମୋ ଦୃଷ୍ଟି ପଡ଼ିବାପରେ ସେ କହିଲେ, ‘‘ବହି ଖଣ୍ଡିକ ଉପରେ ଆଖି ବୁଲାଉ ଥିଲି । ଏଥିରେ ଏପରି କେତେକ କଥା ଅଛି ଯେଉଁ ବିଷୟରେ ମୋର ‘ଶ୍ରୀ’ ଅକ୍ଷର ବି ମାଲୁମ ନାହିଁ ।’’

 

ତାଙ୍କର ଏ କଥା ମୋତେ ଯେତେ ଆଶ୍ଚର୍ଯ୍ୟ ଲାଗିଲା ତହିଁରୁ ଅଧିକ କାବା ହେଲି, ତାଙ୍କ ସ୍ୱରରେ ନିଜ ଅଜ୍ଞାନ ଯୋଗୁ ଅସନ୍ତୋଷ ଓ ବିରକ୍ତିର ଆଭାସ ପାଇ । ତାଙ୍କର ଏତେ କଥା ଜାଣିବାର ଅଛି ବୋଲି ଦେଖି ସେ ନିଜେ ବିସ୍ମିତ ହୋଇଥାନ୍ତି ଓ କିଞ୍ଚିତ୍‌ ଦୁଃଖିତ ବି ହୋଇଥାନ୍ତି ବୋଲି ଜଣା ପଡ଼ୁଥାଏ ।

 

ମୁଁ ପଚାରିଲି, ‘‘ଏ ବିଷୟରେ ଆପଣଙ୍କର ଆଗ୍ରହ ଅଛି, ତାହାହେଲେ ?’’

 

ସେ ଉତ୍ତର ଦେଲେ, ‘‘ହଁ, ଏକ ସମୟରେ ଏ ବିଷୟରେ ମୁଣ୍ଡ ଘୂରାଉଥିଲି ।’’

 

ମୁଁ କହିଲି, ‘‘ଏ ବହିରେ କେତୋଟି ନୂଆ ତଥ୍ୟର ଆଲୋଚନା ହୋଇଛି । ଇତି ମଧ୍ୟରେ ଏଇ ଜୈବ ରସାୟନ ବିଷୟରେ କେତୋଟି ନୂଆ ଗବେଷଣା ହୋଇଛି ।’’ ମୁହୂର୍ତ୍ତେ ପ୍ରତୀକ୍ଷା କରି ରହିଲି ତାଙ୍କର ଉତ୍ତରକୁ । ସେ କିଛି ନ କହିବାରୁ ମୁଁ ପୁଣି କହିଲି, ‘‘ଏ ବହିଟି ଆଉ ଟିକିଏ ଭଲ କରି ପଢ଼ିବେ ଯେବେ, ବହିଟା ଆପଣଙ୍କ ପାଖେ କିଛି ଦିନ ଥାଉ । ମୋର କିଛି ଅସୁବିଧା ହେବ ନାହିଁ ।’’

 

ସେ ଟିକିଏ ଥଙ୍ଗେଇ ଥଙ୍ଗେଇ ହେଲେ; ବିଚାରିଲି, ତାଙ୍କ ମନକୁ ଘୋଟି ଆସୁଥିବା ଉଦାସୀନତାର ଅନ୍ଧାରକୁ ସେ ତେଜି ପାରୁନାହାନ୍ତି । କିନ୍ତୁ ଟିକକ ପରେ ସେ ସଂକ୍ଷେପରେ କହିଲେ-। ‘‘ଧନ୍ୟବାଦ ! –ବହିଟିକୁ ନେଇ ପଢ଼ିବାକୁ ମୋର ମନ ହେଉଛି ।’’

 

ମୋର ଆଶାଥିଲା, ଏ ଘଟଣା ପରେ ଆମ ଦୁହିଁଙ୍କ ଭିତରେ ଆଦାନ ପ୍ରଦାନ ମାର୍ଗ ସରଳ ହେବ । ସେ ସାଧାସିଧା ସରଳ ଲୋକ; ତେଣୁ ମୋର ଦୃଢ଼ ବିଶ୍ୱାସ ହେଲା ଯେ ଜୈବ ରସାୟନ ବିଷୟରେ ତାଙ୍କର ଆନ୍ତରିକ ଆଗ୍ରହ ଥିବାରୁ ହିଁ, ସେ ମୋ ବହି ପଢ଼ିବାକୁ ଇଚ୍ଛୁକ ହେଇଥିଲେ । ଏଭଳି ଅବସ୍ଥାରେ ଲୋକ, ଅଥଚ ଜୈବ–ରସାୟନ ପରି ନିରୁତା ବିଜ୍ଞାନ ବିଷୟରେ ଆଗ୍ରହ ଅଛି, କିଛି ବି ଜଣା ଅଛି—କମ୍‌ ବିସଦୃଶ କଥା ନୁହେଁ । ବୈଷୟିକ ଓ ଶାରୀରିକ ଅବସ୍ଥା ସଙ୍ଗେ ମାନସିକ ବୃତ୍ତିର ବୈଷମ୍ୟ ବାସ୍ତବିକ କେଡ଼େ ତୀବ୍ର ହୋଇଛି ୟାଙ୍କ କ୍ଷେତ୍ରରେ ! ମୁଁ ବିଚାରୁ ଥିଲି, ମନର ରୁଚି ଅନୁକୂଳ ଆଲୋଚନାରେ ଅନ୍ତତଃ ତାଙ୍କ ବୁଜି ହୋଇଥିବା ପାଟି ଫିଟିବ । କିନ୍ତୁ ତାଙ୍କ ଅତୀତ ଇତିହାସର କୌଣସି ବିଶିଷ୍ଟ ଅଧ୍ୟାୟ, ବା ବର୍ତ୍ତମାନର ବୈଷୟିକ ଦୁରବସ୍ଥା ତାଙ୍କ ମନକୁ ଏତେ ଆତ୍ମନିଷ୍ଠ କରି ଦେଇଛି ଯେ କୌଣସି ବିଷୟରେ ଆଗ୍ରହ, ସାମାୟିକ ଭାବେ ଆସି, ତାଙ୍କ ମନକୁ ବାହାରକୁ ଟାଣି ଆଣି, ନିଜର ପାରିପାର୍ଶ୍ୱିକ ବେଷ୍ଟନୀରେ ମିଶାଇ ଦେବା ସମ୍ଭବ ନୁହେଁ-। ତା’ ପରଦିନ ଦେଖା ହେଲା; ସେ ମୋ ବହି ବିଷୟରେ କୌଣସି ଆଲୋଚନା କଲେ ନାହିଁ ଓ ଆମର ସହଯାତ୍ରା ସବୁଦିନପରି ନୀରବରେ ଚାଲିଲା । କାଲି ଟିକିଏ ଆଲୋଚନା ହୋଇ ଆମ ଦୁହିଁଙ୍କ ସମ୍ପର୍କରେ ଯେଉଁ ଘନିଷ୍ଠତାର ଆଭାସ ଦେଖାଦେଇଥିଲା, ତାହାର ପ୍ରଭାବ ସ୍ଥାୟୀ ହେଲା ନାହିଁ ।

 

ସେତେବେଳକୁ ଫ୍ରୋମ୍‌ ମୋତେ ପ୍ରାୟ ହପ୍ତାଏ ହେଲା କର୍‌ବ୍ୟୁରି ଫ୍ଳାଟସ୍‌କୁ ନବାଆଣିବା କଲେଣି; ଦିନେ ସକାଳେ ମୁଁ ବାହାରକୁ ଚାହିଁ ଦେଖିଲି, ଗୁଡ଼ାଏ ବରଫ ପଡ଼ି ଚାରିଆଡ଼ ପୋତି ହୋଇ ଯାଇଛି । ବଗିଚାର ବାଡ଼ କଡ଼ରେ ଓ ଗିର୍ଜାର କାନ୍ଥ ପାଖେ ଯେଉଁ ପରିମାଣରେ ବରଫ ଜମା ହୋଇଥାଏ, ତାହା ଦେଖି ମୁଁ ଅନୁମାନ କଲି, ବୋଧ ହୁଏ ରାତିତମାମ ଘୋର ବରଫ ଝଡ଼ ଲାଗିଥିଲା । ଜଣା ଯାଉଥାଏ ମେଲା ପଡ଼ିଆରେ ଆହୁରି ଅଧିକ ପରିମାଣରେ ବରଫ ସ୍ତୂପ ଜମା ହୋଇଥିବ । ମୋର ଭୟ ହେଲା, ହୁଏତ ମୁଁ ଯେଉଁ ଗାଡ଼ିରେ ଯାଏ ତାହା ଆଜି ଆସିବାକୁ ବିଳମ୍ବ ହେବ । ଆଜି ଓପରଓଳିକି ଜଙ୍କସନ୍‌ର ପାୱାର୍‌ ହାଉସ୍‌ରେ ମୋ’ର ଘଣ୍ଟେ ଦୁଇଘଣ୍ଟାର କାମ ବାକୀ ରହିଛି । ନିଶ୍ଚୟ ଯିବାକୁ ହେବ । ତେଣୁ ମୁଁ ସ୍ଥିର କଲି, ଯଦି ଫ୍ରୋମ୍‌ ଆସନ୍ତି ମୁଁ କୌଣସି ମତେ ବରଫ ସ୍ତୂପ ସବୁ ଅତିକ୍ରମ କରି ଷ୍ଟେସନ୍‌କୁ ଚାଲିଯିବି ଓ ସେଇଠାରେ ଗାଡ଼ିକୁ ଅପେକ୍ଷା କରି ବସିବି । ଫ୍ରୋମ୍‌ ଆସିବା ବିଷୟରେ ସଂଶୟ ମନକୁ ଆସିଲା କେମିତି କେଜାଣି ? ପ୍ରକୃତରେ, ମୋର ଦୃଢ଼ ବିଶ୍ୱାସ ଥାଏ ଯେ ସେ ନିଶ୍ଚୟ ଠିକ୍‌ ସମୟରେ ଆସି ପହଞ୍ଚିବେ । ପ୍ରକୃତିର ଉତ୍ପାତକୁ ଡରି ଯାଇ ନିଜ କର୍ତ୍ତବ୍ୟରୁ ହଟିଯିବା ଲୋକ ଫ୍ରୋମ୍‌ ନୁହନ୍ତି । ସତକୁ ସତ, ଠିକ୍‌ ସମୟରେ ତାଙ୍କ ବଗି ବରଫ ସ୍ତୂପ ଭିତରେ ଗଡ଼ି ଗଡ଼ି ଆମ ହତା ଭିତରେ ପଶିଲା । ରଙ୍ଗମଞ୍ଚରେ ମୋଟା ଧଳା ପରଦାର ପଛ ପଟେ ଯେପରି ଛାୟାଚିତ୍ରର ଅପରୂପ ଦେଖାଯାଏ, ବରଫ ଭିତରେ ଏଥାନ୍‍ଙ୍କ ବଗି ସେହିପରି ଦିଶୁଥାଏ ।

 

ମୁଁ ତାଙ୍କ ପ୍ରକୃତି ସହିତ ସେତେବେଳକୁ ବେଶ୍‌ ପରିଚିତ ହେବାକୁ ଆରମ୍ଭ କଲିଣି । ତେଣୁ ସେ ତାଙ୍କ ଜବାବ୍‌ ଅନୁସାରେ ଯଥା-ସମୟରେ ଆସି ପହଞ୍ଚିଲେ ବୋଲି ବିସ୍ମିତ ହେଉ ନ ଥାଏ, କି କୃତଜ୍ଞତା ପ୍ରକାଶ କରିବାକୁ ଦରକାର ମନେ କରୁ ନ ଥାଏ । କିନ୍ତୁ ଯେତେବେଳେ ସେ ମୋତେ ବଗିରେ ତାଙ୍କ ପାଖରେ ବସାଇ ତାଙ୍କ ଘୋଡ଼ାର ମୁହଁ ମୋଡ଼ିଦେଲେ କରବ୍ୟୁରି ରୋଡ୍‍ର ବିପରୀତ ଦିଗରେ, ସେତେବେଳେ ମୁଁ ମୋର ବିସ୍ମୟ ଚାପି ନ ପାରି, ୟେ କ’ଣ ବୋଲି କହି ପକାଇଲି ।

 

ସେ ବୁଝାଇଦେଲେ, ‘‘ଷ୍ଟେସନ୍‌ର ଖଣ୍ଡେ ଦୂରରେ ଗୋଟିଏ ମାଲଗାଡ଼ି, ବରଫ ଠେଲି ଆସି ନ ପାରି, ରାସ୍ତା ବନ୍ଦ କରି ଦେଇଛି ।’’ ଏତେକ କହି ଆଖିକୁ ଝାପ୍‌ସା କରି ଦେଉଥିବା ବରଫ ଭିତରେ ସେ ଆସ୍ତେ ଆସ୍ତେ ଗାଡ଼ି ଚଳାଇବାକୁ ଲାଗିଲେ ।

 

ମୁଁ ଆପତ୍ତି କଲି, ‘‘କିନ୍ତୁ ଆପଣ ୟେ କ’ଣ କରୁଛନ୍ତି ? ମୋତେ କୁଆଡ଼େ ନେଉଛନ୍ତି ତେବେ ?’’

 

ସେ ତାଙ୍କ କୋରଡ଼ାରେ ସ୍କୁଲ ଘର ମୁଣ୍ଡିଆ ଆଡ଼କୁ ଦେଖାଇ ଜବାବ୍‌ ଦେଲେ, ‘‘ସିଧା ଆପଣଙ୍କ କର୍ମକ୍ଷେତ୍ର ଜଙ୍କ୍‌ସନ୍‌କୁ ।’’

 

‘‘ୟେ ଝଡ଼ରେ ଆମେ ବଗିରେ ଯିବା ଜଙ୍କ୍‌ସନ୍‌କୁ । ସେ ତ ଏଠାରୁ ପୂରା ଦଶ ମାଇଲ୍‌-!’’

 

‘‘ବିଳମ୍ବ ଟିକିଏ ହେବ ଅବଶ୍ୟ, କିନ୍ତୁ ମୋ କଷରା ଘୋଡ଼ା ଆପଣଙ୍କୁ ସେଠାରେ ନେଇ ଠିକ୍‌ ପହୁଞ୍ଚାଇ ଦେବ । କହୁଥିଲେ ପରା, ଆଜି ଓପରଓଳି ସେଠାରେ ଆପଣଙ୍କର ଜରୁର୍‌ କାମ ଅଛି ! ନିଶ୍ଚିନ୍ତ ହୁଅନ୍ତୁ, ମୁଁ ଆପଣଙ୍କୁ କାମ ଜାଗାରେ ନେଇ ପହଞ୍ଚାଇ ଦେବି ।’’

 

ଏଭଳି ନିରୁଦବେଗ ଭାବରେ ସେ ମୋତେ ଏ କଥା କହିଲେ ଯେ ମୁଁ କେବଳ ଏତିକିମାତ୍ର ଜବାବ୍‌ ଦେଲି—ମୋ’ପ୍ରତି ଆଜି ଆପଣ ମସ୍ତବଡ଼ ଅନୁଗ୍ରହଟାଏ କରୁଛନ୍ତି । ।’’

 

ସେ କହିଲେ,‘‘ବିଶେଷ କିଛି ନୁହେଁ ।’’

 

ସ୍କୁଲ ଘର କଡ଼ରେ ସଡ଼କରୁ ଦୋ-ବାଟି ବାହାରିଥାଏ । ଆମେ ବାଁକୁ ଥିବା ରାସ୍ତାରେ ଗଡ଼ିଲୁଁ । ଦୁଇ ପାଖେ ହେମ୍‌ଲକ୍‌ ଗଛ; ଡାଳଗୁଡ଼ିକ ତୁଷାରର ଚାପାରେ ଗଣ୍ଡିମାନଙ୍କରେ ଯାଇ ଲାଗିଥାଏ । ରବିବାରମାନଙ୍କରେ ମୁଁ ଏଇ ରାସ୍ତାରେ ଅନେକଥର ବୁଲି ଯାଇଛି । ମୁଣ୍ଡିଆ ତଳକୁ ଠୁଙ୍କା ଗଛମାନଙ୍କ ମଝିରେ ଯେଉଁ ଏକୁଟିଆ ଘରଟା ତାହା ଫ୍ରୋମ୍‌ଙ୍କର କରତ-ଶାଳ । ଜାଗାଟି ବଡ଼ ନିର୍ଜୀବ ଜଣା ପଡ଼ୁଥାଏ । କରତକଳର ଯେଉଁ ଚକଟା ଜଳସ୍ରୋତରେ ଚଳେ ତାହା ଅଚଳ ହୋଇଥାଏ, କ୍ଷୁଦ୍ର ଜଳସ୍ରୋତ ଉପରେ । ସ୍ରୋତ କିନ୍ତୁ ଚାଲିଥାଏ, ଇଷତ୍‌ ମାଟିଆ ଧୋବ ଫେଣ ଧରି । କରତଶାଳର ଶାଳଘର ଗୁଡ଼ିକ ତୁଷାର ସ୍ତୂପର ଚାପରେ ଲଶି ଯାଇଥାନ୍ତି । ଆମେ ସେ ବାଟେ ଗଲାବେଳେ ଫ୍ରୋମ୍‌ ଶାଳ ଆଡ଼କୁ ଟିକିଏ ଆଖି ବି ଫେରାଇଲେ ନାହିଁ । ନୀରବରେ ଆମେ ଆର ମୁଣ୍ଡିଆ ଉପରକୁ ଚଢ଼ିଲୁ । ସେଠାରୁ ଆଉ ପ୍ରାୟ ମାଇଲିଏ ଆଗକୁ ପଡ଼ିଲା ଗୋଟିଏ ଆତ ଗଛର ବଗିଚା । ଗଛଗୁଡ଼ିକ ହେପାଜତ୍‌ ଅଭାବରେ ମରୁଗୁଡ଼ିଆ ଦିଶୁଥାନ୍ତି । ବଗିଚାଟି ମୁଣ୍ଡିଆର ଗଡ଼ାଣିରେ; ମଝିରେ ମଝିରେ ସ୍ଳେଟ୍‌ ପଥରର ହୁଙ୍କା ବଗିଚା ଭିତରେ ନାକ ଟେକିଥାନ୍ତି, ନିଶ୍ୱାସ ନେବାପାଇଁ ଜଳଜନ୍ତୁ ପାଣି ଉପରକୁ ନାକ ଦେଖାଇ ରହିଲା ପରି । ବଗିଚାକୁ ଲାଗି ଗୋଟିଏ ଦୁଇଟି ଶସ୍ୟ-କ୍ଷେତ୍ର । ଚାରିପାଖରେ ବାଡ଼ ତୁଷାର ସ୍ତୂପରେ ପୋତି ହୋଇଯାଇଥାଏ । ଏହି ଶସ୍ୟ-କ୍ଷେତ୍ରର ଓପର ମୁଣ୍ଡକୁ, ତଳର ବିସ୍ତୀର୍ଣ୍ଣ ପ୍ରାନ୍ତର ଓ ଉପରର ମୁକ୍ତ ଆକାଶ ମଝିରେ, ଜାକିହୋଇ ରହିଲା ପରି ରହିଥାଏ ଏଥାନ୍‌ ଫ୍ରୋମ୍‌ଙ୍କ ଚାଷ ଓ ବାସଘର । ନିଉଇଂଲାଣ୍ଡର ସବୁଗୁଡ଼ିକ ଚାଷଘର ଏଇଭଳି ନିଃସଙ୍ଗ ଓ ବିକ୍ଷିପ୍ତ । ଏହା ଯୋଗୁଁ ଦିଗ୍‌ବଳୟର ନିର୍ଜନତା ଭାଙ୍ଗିବା ପରିବର୍ତ୍ତେ ବଢ଼ିଥାଏ କହିଲେ ଚଳେ ।

 

ତାଙ୍କ ଅଖଞ୍ଜ ହାତର କହୁଣୀକୁ ଘରଆଡ଼କୁ ଟିକିଏ ଟେକି ଦେଇ ଫ୍ରୋମ୍‌ କହିଲେ, ‘‘ମୋ ଘର ଏଇ ।’’ ଦୈନ୍ୟ ଓ ଦାରିଦ୍ର୍ୟର ଏ ଚିତ୍ର ଦେଖି ମୋ ମନରେ ଯେଉଁ ଦାରୁଣ ଦୁଃଖ ହେଉଥାଏ, ସେଥିରେ ତାଙ୍କୁ କ’ଣ ଉତ୍ତର ଦେବି ଭାବିପାରିଲି ନାହିଁ । ସେତେବେଳକୁ ତୁଷାର ବର୍ଷା ଥମିଥାଏ; ଜଳୀୟ ବାଷ୍ପଭରା ବାୟୁମଣ୍ଡଳ ଦେଇ ଆସୁଥିବା ଭିଜା ସୂର୍ଯ୍ୟ କିରଣରେ ପାହାଡ଼ ଓହଳର ଏ ଘରଟିର ଦୁଃଖ ଓ ଦୈନ୍ୟର କଦର୍ଯ୍ୟ ରୂପ ଖାଁ ଖାଁ ହୋଇ ଦିଶୁଥାଏ । ଦୁଆର ମୁହଁ ତୋରଣରେ ପତ୍ରଝଡ଼ା ଦେଇଥିବା ଗୋଟିଏ ଲଟିର କଳା ଡାଙ୍ଗ ଗୁଡ଼ାକ ଓହଳିଥା’ନ୍ତି । ତୁଷାର ବନ୍ଦ ହେବା ପରେ ଆରମ୍ଭ ହୋଇଥିବା ପବନରେ ଘରର ପାତଳ କାଠପଟା କାନ୍ଥଗୁଡ଼ିକ ଥରିଲାପରି ଜଣାଯାଉଥାଏ । ଏକ ସମୟରେ ଏହି ପଟା କାନ୍ଥରେ ଦିଆ ହୋଇଥିବା ରଙ୍ଗ ଛାଡ଼ି ଯାଇ ବଡ଼ ଅଘଟନ ଦିଶୁଥାଏ ।

 

ଫ୍ରୋମ୍‌ କହୁଥାନ୍ତି, ‘‘ବାପାଙ୍କ ଅମଳରେ ଏ ଘରଟା ଆହୁରି ବଡ଼ ଥିଲା । ଏବେ କେତେଦିନ ତଳେ ଏହାର ଆଡ଼ି ପାଖଟା ଭାଙ୍ଗି ଦେବାକୁ ପଡିଛି ।’’ ଏତିକିବେଳେ ହତାର ଭଙ୍ଗା ଗେଟ୍‌ ବାଟେ ଘରକୁ ପଶିବାକୁ ଘୋଡ଼ାର ମତଲବ୍‌ ଠଉରେଇ ଏଥାନ୍‌ ବାଁ ହାତର ଲଗାମ ଟିକିଏ ଟାଣି ଦେଇ ତା’କୁ ରାସ୍ତାରେ ରଖିଲେ ।

 

ମୁଁ ଫ୍ରୋମ୍‌ଙ୍କ କଥା ଶୁଣି ଲକ୍ଷ୍ୟ କରି ଦେଖିଲି ଆଡ଼ଘର ଗୁଡ଼ାକ ଭାଙ୍ଗିଦେବା ଫଳରେ ଘରଟା ବିରୂପ ହୋଇ ଯାଇଛି । ଏହା ଶ୍ରୀହୀନ ଓ କ୍ଷୁଦ୍ର ଦିଶିବାର ପ୍ରଧାନ କାରଣ ଏହି ଆଡ଼ି ଘରର ଅଭାବ । ଆଡ଼ିଘର ସାହାଲାଟା ମୂଳ ଘରର କଡ଼କୁ ଲାଗି ସିଧାହୋଇ ଲମ୍ବିଥିଲା । ୟାରି ପାଖକୁ ଚାଷ ଉପକରଣ ଓ ଶସ୍ୟାଦି ରଖିବାର ଚାଳିଆ ମିଶି ଗୁହାଳ ପର୍ଯ୍ୟନ୍ତ ମାଡ଼ିଥିଲା । ଏଇ ଆଡ଼ିଘରକୁ ନିଉଇଂଲାଣ୍ଡ ଲୋକେ ଇଂରେଜ ଅକ୍ଷର ‘ଏଲ୍‌’ (L) ବୋଲି କହନ୍ତି । ‘ଏଲ୍‌’ର ଉପରକୁ ବାହାରୁଥିବା ଡାଙ୍ଗପରି ମୂଳ ଘରରୁ ବାହାରି ଥିବା ଏଇ ଆଡ଼ିଘର ଯୋଗୁଁ ନିଉ ଇଂଲାଣ୍ଡର ଦାରୁଣ ଥଣ୍ଡା ପବନ ରୋକିହୋଇ ଘରକୁ ଅପେକ୍ଷାକୃତ ଆରାମ ଦିଏ । ଗୃହସ୍ଥ ଓ ତା’ର ପରିବାର ସକାଳୁ ଉଠିବାମାତ୍ରେ କହଲରେ ଥରି ନ ଯାଇ ଦୈନନ୍ଦିନ କର୍ମ ଏଇ ଆଡ଼ିଘରେ କରିଥାନ୍ତି । ଗ୍ରାମ୍ୟ ଜୀବନର ପ୍ରକୃତ କେନ୍ଦ୍ର ଏଇ ଆଡ଼ିଘର ସାହାଲାଟି । ଷ୍ଟାର୍କଫିଲ୍‍ଡ୍‍ ଅନ୍ତଃପାତୀ ଚାଷ-ଘରମାନଙ୍କରେ ବୁଲାବୁଲି କରି ଏହା ଲକ୍ଷ୍ୟ କରିଥିବାରୁ, ଫ୍ରୋମ୍‍ ଯେତେବେଳେ ଆଡ଼ିଘର ଭାଙ୍ଗିବା କଥା କହିଲେ, ସେତେବେଳେ ତାଙ୍କ ସ୍ୱରରେ ରୁଦ୍ଧ ଆବେଗର ସୂଚନା ପାଇଲି । ଆଡ଼ିଘର ନ ଥିବାରୁ ତାଙ୍କ ଘରଟି ଯେପରି ଶୀର୍ଣ୍ଣ ରୂପରେ ମୋତେ ଦିଶୁଥାଏ ।

 

ଫ୍ରୋମ୍‌ ପୁଣି କହିଲେ, ‘‘ଆଜିକାଲି ଆମର ଏ ଘରଟି କଡ଼ଆଡ଼ିଆ ହୋଇଗଲା ସିନା, ଫ୍ଳାଟ୍‌ସ୍‌ ଷ୍ଟେସନ୍‌ ପର୍ଯ୍ୟନ୍ତ ରେଲଲାଇନ ପଡ଼ିବା ପୂର୍ବରୁ ଏଇ ରାସ୍ତାରେ ବହୁତ ଯା’ଆସ ଚାଲିଥିଲା-। ଧିମେଇ ଯାଇଥିବା ଘୋଡ଼ାକୁ ସେ ଲଗାମ ଟାଣି ଟିକିଏ ଚଞ୍ଚଳିଆ କରିଦେଲେ-। ମୋର ବୋଧହେଲା, ମୁଁ ତାଙ୍କ ଘରଟା ଦେଖିଦେବାରୁ ମୁଁ ତାଙ୍କର ବିଶ୍ୱାସୀ ହୋଇଗଲି ବୋଲି ସେ ଧରିନେଲେ । ମୋ’ଠାରୁ ନିଜ କଥା ଲୁଚାଇବାକୁ ତୁନି ରହିବା ନିଷ୍ପ୍ରୟୋଜନ ବୋଲି ମନେକରି ସେ ଆସ୍ତେ ଆସ୍ତେ କହି ଲାଗିଲେ ‘‘ଆମ ଘରଟି ନିଛାଟିଆ ହୋଇ ଯିବାରୁ ମୋ’ ମା’ର ବେରାମ ଏତେ ଅଧିକ ବଢ଼ିଗଲା ବୋଲି ମୋର ଦୃଢ଼ ଧାରଣା । ତା’ ଆଣ୍ଠୁଗଣ୍ଠିବାତ ଯେତେବେଳେ ସେ କଷ୍ଟେ ମଷ୍ଟେ ହେଇ ସେଠିକୁ ଆସି ଘଣ୍ଟା ଘଣ୍ଟା ସଡ଼କ ଆଡ଼କୁ ଚାହିଁ ବସିଥାଏ । ଯେଉଁ ବର୍ଷ ବଢ଼ିରେ ଭାଜି ଯାଇଥିବା ବେଟସ୍‌ବ୍ରିଜ୍‌ ପୋଲଟା ତିଆର କରୁ କରୁ ଛ’ମାସ ଲାଗିଗଲା ଓ ହାର୍‌ମନ୍‌ ଗାଉଙ୍କୁ ଏଇବାଟେ ଡାକବଗି ନେବାକୁ ପଡ଼ିଲା, ସେ ବର୍ଷତ ପ୍ରାୟ ପ୍ରତିଦିନ ତାଙ୍କ ସଙ୍ଗେ ଦି’ପଦ ଖୁସିଗପ କରିବାକୁ ମୋ ଗେଟ୍‌ ପର୍ଯ୍ୟନ୍ତ ଚାଲି ଆସି ପାରିଲା । ରେଲଗାଡ଼ି ଚାଲିବା ଆରମ୍ଭ ହେବା ସଙ୍ଗେ ସଙ୍ଗେ ଆଉ ଏବାଟେ କେହି ଆସୁ ନାହାନ୍ତି କହିଲେ ଚଳେ । ଆମ ବାଟରେ ଆଉ କେହି ଆସୁନାହାନ୍ତି ବୋଲି ମୋ ମା’ ମନରେ ଭାରି ଅପଶୋଷ ହେବାକୁ ଲାଗିଲା; ଅସଲ କାରଣଟା ସେ କୌଣସିମତେ ବୁଝି ପାରିଲା ନାହିଁ; ମଲାପର୍ଯ୍ୟନ୍ତ ସେଇ ଅପଶୋଷଟା ତା’ର ରହିଲା ।’’

 

ଆମେ ସିଧା ବାଟରେ ଗୁଡ଼ାଏ ବାଟ କଟେଇ ଆସି ପୁଣି ଯେତେବେଳେ କରବ୍ୟୁରି ସଡ଼କ ଧଇଲୁ, ସେତେବେଳକୁ ପୁଣି ତୁଷାର ପଡ଼ିବାକୁ ଆରମ୍ଭ କଲାଣି । ତୁଷାର ଯୋଗୁ ଏଥାନ୍‌ ଫ୍ରୋମ୍‌ଙ୍କର ଘର ଲୁଚିଗଲା; ସେଥି ସଙ୍ଗେ ତାଙ୍କର ନୀରବତା ପୁଣି ଆରମ୍ଭ ହେଲା । ଆମ ଦୁହିଁଙ୍କର ପୁଣି ମୌନବ୍ରତ ଆରମ୍ଭ ହେଲା । ଏଥର ତୁଷାରପାତ ବେଳକୁ କିନ୍ତୁ ପବନ ବନ୍ଦ ହେଲା ନାହିଁ । ଓଲଟି ଏହାର ବେଗ ବଢ଼ିଗଲା । ପବନ ବେଗରେ ମେଘ ଛିନ୍ନଛତ୍ର ହେବା ଯୋଗୁଁ, ଫାଙ୍କରେ ଟିକିଏ ଟିକିଏ ସୂର୍ଯ୍ୟକିରଣ ମଝିରେ ମଝିରେ ଭାସିଆସି ଅସ୍ତବ୍ୟସ୍ତ ହୋଇ ଯାଇଥିବା ପଲ୍ଲୀଚିତ୍ରକୁ ଆହୁରି ଭୀଷଣ କରି ଦେଉଥାଏ । କିନ୍ତୁ ଫ୍ରୋମ୍‌ଙ୍କ କଷରାଘୋଡ଼ା ତାଙ୍କ କଥା ଅନୁରୂପ କାମ କରୁଥାଏ ଓ ସଫେଦ ତୁଷାରର ବିଭୀଷିକା ଭିତରେ ଆମେ କରବ୍ୟୁରି ଜଙ୍କସନ୍‌ ଭିତରେ ଯାଇ ପ୍ରବେଶ କଲୁ ।

 

ଓପରଓଳିକୁ ଝଡ଼ ବନ୍ଦ ହୋଇଗଲା ଓ ପଶ୍ଚିମଦିଗ ପରିଷ୍କାର ଦିଶିବାରୁ ମୋର ଅନଭିଜ୍ଞତା ଯୋଗୁଁ ମୁଁ ଧରିନେଲି, ରାତିକୁ ପାଗ ଭଲ ହେବ ବୋଲି ପ୍ରକୃତି ପ୍ରତିଶ୍ରୁତି ଦେଉଛି । ଯଥାଶୀଘ୍ର ମୁଁ ମୋର କାମ ସାରିଦେଲି; ବେଳାବେଳି ଆମେ ଫେରିବାକୁ ଆରମ୍ଭ କରିଦେଲୁ; ରାତିରେ ଖାଇବା ବେଳକୁ ଆମେ ଯାଇ ଷ୍ଟାର୍କଫିଲ୍‌ଡରେ ପହଞ୍ଚିବାର ବେଶ୍‌ ସମ୍ଭାବନା ଥାଏ । କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ସାଙ୍ଗେ ସାଙ୍ଗେ ମେଘ ପୁଣି ଘୋଟି ଆସିଲା; ମେଘ ଅନ୍ଧାରରେ ରାତି ବେଗେ ଆସିଗଲା ଏବଂ ପବନ ନଥିବାରୁ ତୁଷାର ସିଧା ସଳଖ ଅବିଶ୍ରାନ୍ତ ଭାବେ ଆମ ଉପରେ କୁଢ଼େଇ ହେଲା । ତୁଷାରର କୋମଳ ସ୍ପର୍ଶ ଦେହର କୌଣସି ଅଂଶକୁ ଛାଡ଼ିଲା ନାହିଁ । ସକାଳର ପବନ ଓ ତୁଷାର ତରଙ୍ଗ ଅପେକ୍ଷା ୟେ ହେଲା ଅଧିକ ଅସ୍ୱସ୍ତିର କାରଣ । କ୍ରମେ ଗାଢ଼ତର ହେଉଥିବା ରାତିର ଏ ତୁଷାରପାତ ନିରବଚ୍ଛିନ୍ନ ଅଙ୍ଗ ପରି ମନେ ହେଲା; ମୋତେ ଲାଗିଲା ସତେ ଯେପରି ଶୀତ ରାତିଟା ଆମ ଉପରେ ପ୍ରସ୍ତ ପ୍ରସ୍ତ ହୋଇ ମାଡ଼ି ବସୁଛି ।

 

ସମଗ୍ର ଦିଗ୍‌ବଳୟକୁ ଚାପି ଦେଉଥିବା ତୁଷାର ବୃଷ୍ଟିରେ ଫ୍ରୋମ୍‌ଙ୍କ ଦିଗ-ଜ୍ଞାନ ଓ ତାଙ୍କ ଘୋଡ଼ାର ନିଜ ଘରକୁ ବାଟ ବାରିବାର ସହଜାତ ବୃତ୍ତି ଆଉ କାମ ଦେଲା ନାହିଁ । ଦୁଇ ତିନିଥର, ଭୂତପରି ହଠାତ୍‌ ଆଗରେ ହାବୁଡ଼ି ପୁଣି ତୁଷାରରେ ଅଦୃଶ୍ୟ ହୋଇ ଯାଉଥିବା ସଙ୍କେତ ଦେଖି ଆମର ଚେତନା ହେଲା ଯେ ଆମେ ବାଟ ଭୁଲିଛୁ । ଶେଷରେ ଆମେ ଯେତେବେଳକୁ ଘୋଡ଼ାର ଦମ୍‌ ଛୁଟିବାର ଲକ୍ଷଣ ଦେଖା ଗଲାଣି । ଫ୍ରୋମ୍‌ଙ୍କ କଥାରେ ଏ ବାଟରେ ଆସିବାରୁ ମୁଁ ନିଜକୁ ଦୋଷୀ ମନେ କରୁଥାଏ, ତେଣୁ ଫ୍ରୋମ୍‌ଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ମଙ୍ଗାଇଲି ଯେ ମୁଁ ବଗିରୁ ଉତୁରି ବରଫ ଚଟାଣ ଉପରେ ଘୋଡ଼ା ସାଙ୍ଗେ ଚାଲିବି, ତାକୁ ଟିକିଏ ଉଶ୍ୱାସ ହେବ । ଏଇପରି ଆମେ ଆଉ ମାଇଲିଏ ଦୁଇ ମାଇଲ ଚାଲିଲୁ । ଶେଷରେ ଆମେ ଏପରି ଗୋଟାଏ ଜାଗାରେ ପହଞ୍ଚିଲୁ, ଯେଉଁଠି କିଟିକିଟିଆ ଅନ୍ଧାରକୁ ଚାହିଁ ଫ୍ରୋମ୍‌ ଆବିଷ୍କାର କଲେ, ‘‘ହେଇ ସେଠେଇ ଆମ ଫାଟକ ।’’

 

ଶେଷ ରାସ୍ତା ଖଣ୍ଡକ ଅତିକ୍ରମ କରିବାକୁ ସବୁଠାରୁ ବେଶୀ କଷ୍ଟ ହେଉଥାଏ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ବରଫ ଭିତରେ ଗୋଡ଼ ଘୋଷାରି ଚାଲିବା ଫଳରେ ମୋର ଦମ୍‌ ଛୁଟି ଯାଉଥାଏ; ଘୋଡ଼ା ପିଠିରେ ହାତ ପକାଇ ଦେଖିଲେ, ତା’ ପଞ୍ଜରାରୁ ଘଣ୍ଟାର ଟିକ୍‌ଟିକ୍‌ ଶବ୍ଦ ଆସୁଛି-

 

ମୁଁ ପ୍ରସ୍ତାବ କଲି, ‘‘ଦେଖ ଫ୍ରୋମ୍‌, ତୁମର ଆଉ ଅଧିକ ବାଟ ଘୋଡ଼ାକୁ ଘୋଷାରି ଆଗକୁ ବଢ଼ିବାର ପ୍ରୟୋଜନ ନାହିଁ ।’’ ସେ ବାଧା ଦେଇ କହିଲେ, ‘‘ଆପଣଙ୍କର ମଧ୍ୟ ଆଜି ଆଉ ଆଗକୁ ଯିବା ନିଷ୍ପ୍ରୟୋଜନ । ମୋତେ ଓ ଘୋଡ଼ାକୁ ଯେପରି ଆପଣଙ୍କୁ ବି ସେହିପରି ବହୁତ କଷ୍ଟ ହୋଇ ସାରିଲାଣି ।’’

 

ତାଙ୍କ କଥାରୁ ବୁଝିଲି, ସେ ମୋତେ ତାଙ୍କ ଘରେ ରାତିକ ଆଶ୍ରୟ ନେବାକୁ ଡାକୁଛନ୍ତି । ହଁ ନାହିଁ କିଛି ନ କହି ମୁଁ ବଗି କଡ଼ରେ ଚାଲି ଚାଲି ତାଙ୍କ ଫାଟକ ଭିତରେ ପଶିଲି । ଆଗ ଗଲୁ ଖଳାକୁ । ଘୋଡ଼ାର ସାଜ ଫିଟାଇ ତାକୁ ଶାଳରେ ଭର୍ତ୍ତି କରିବାରେ ମୁଁ ତାଙ୍କୁ ସାହାଯ୍ୟ କଲି । ଏତକ ସାରି ସେ ବଗିର ଲଣ୍ଠନଟି କାଢ଼ିଲେ ଏବଂ ଅନ୍ଧାର ଭିତରକୁ ଆଗେଇ ଯାଉ ଯାଉ ମୋ ଆଡ଼କୁ ମୁହଁ ବୁଲାଇ ଡାକିଲେ, ‘‘ଏଇବାଟେ ।’’

 

ଦୂରରେ ଘରର ଉପର ମହଲାରୁ ଟିକିଏ ଆଲୁଅ ବରଫ ଭିତରେ ଥରି ଥରି ଦିଶୁଥାଏ-। ଫ୍ରୋମ୍‌ଙ୍କ ପଛରେ ଟଳି ଟଳି ଚାଲି ମୁଁ ସେ ଆଡ଼କୁ ଯାଉ ଯାଉ ଘର ଆଗରେ ଗୋଟାଏ ବରଫ ହୁଡ଼ାରେ ଝୁଣ୍ଟି ପ୍ରାୟ ପଡ଼ି ଯାଉଥିଲା । ଫ୍ରୋମ୍‌ ଅଳିନ୍ଦର ଖସଡ଼ ପାହାଚରେ ପାଦ ଘୋଷାରି ଚଢ଼ିଲେ; ତାଙ୍କ ଚଢ଼ଉ ଯୋତା ବରଫରେ ପଶି ପ୍ରତି ପାଦରେ ଗୋଟାଏ ଗୋଟାଏ ଗାତ କରିଦେଉଥାଏ । ଦୁଆର ମୁହଁରେ ପହଞ୍ଚି ସେ ଲଣ୍ଠନକୁ ଟେକି ଦୁଆରର କିଳିଣିଟାକୁ ପାଇଲେ ଓ ତାହା ଫିଟାଇ ମୋତେ ଘର ଭିତରକୁ ବାଟ କଢ଼ାଇଲେ । ତାଙ୍କ ପଛେ ପଛେ ମୁଁ ଗୋଟାଏ ଅନ୍ଧାର କନ୍ଦିରେ ପଶିଲି; କନ୍ଦିର ଶେଷ ମୁଣ୍ଡରେ ନିଶୁଣି ପରି ଗୋଟାଏ କାଠସିଡ଼ି ରହିଥାଏ ଉପରର ଅନ୍ଧାର ଭିତରକୁ । ଉପରେ, ଆମ ଡାହାଣ ପଟକୁ ଗୋଟାଏ ଘରୁ ଆଲୁଅ ଟିକିଏ ବାହାରକୁ ବାହାରିଥାଏ; ସେଇ ଆଲୁଅ, ଆମେ ବଗିରୁ ଓହ୍ଲାଇଲାବେଳେ ଆମକୁ ଦିଶିଥିଲା । ଦୁଆର ଆରପଟେ ଘର ଭିତରୁ ଜଣେ ସ୍ତ୍ରୀ ଲୋକର ଗିଣିଗିଣିଆ ସ୍ୱର ଶୁଣା ଯାଉଥାଏ, କଳି କଲାପରି । ଦୁଆର ମୁହଁରେ ପଡ଼ିଥିବା ଖଣ୍ଡେ ଛିଣ୍ଡା ଅଏଲ୍‌ କ୍ଲଥ୍‌ ଉପରେ ଗୋଡ଼ ଝାଡ଼ି ଫ୍ରୋମ୍‍ ଭିତରକୁ ପଶିଲେ ଓ ଲଣ୍ଠନଟି ଗୋଟାଏ ରୋଷେଇଘର-ଚଉକି ଉପରେ ଥୋଇଲେ । ଘରର ବୈଠକ ଖାନାରେ ଆସ୍‌ବାବ୍‌ ବୋଇଲେ ଏଇ ଚଉକି ଖଣ୍ଡକ । ତା’ପରେ ସେ ଭିତର ଘରର ଦୁଆର ଖୋଲିଲେ ।

 

‘ଭିତରକୁ ଆସନ୍ତୁ’ ବୋଲି ସେ ମୋତେ ଆମନ୍ତ୍ରଣ କଲେ ତାଙ୍କ ସ୍ୱର ଶୁଣି କଳିହୁଡ଼ିର ଗୁଁ ଗୁଁ ଶବ୍ଦ ବନ୍ଦ ହୋଇଗଲା ।

 

ସେଇ ଘରେ ସେଇ ରାତିଟି କଟାଇ ମୁଁ ଏଥାନ୍‌ ଫ୍ରୋମ୍‌ ଚରିତ୍ରର ଖିଅ ପାଇଲି । ସେଇ ଖିଅ ଧରି ମୁଁ ତାଙ୍କ ଚରିତ୍ରକୁ ଯେଉଁ ରୂପ ଦେଇଛି ତାହାର ବର୍ଣ୍ଣନା ଏଥର କରୁଛି......

☆☆☆

 

ପ୍ରଥମ ପରିଚ୍ଛେଦ

 

ଗ୍ରାମ ତମାମ ଦୁଇ ଫୁଟ ବହଳରେ ବରଫ ଜମି ଯାଇଥାଏ । ପବନ ଯେଉଁ ସ୍ଥାନମାନଙ୍କରେ ଧକ୍‌କା ଖାଇଥାଏ, ସେଠାରେ ତ ଆହୁରି ଢେର ଉଚ୍ଚ ବରଫ କୁଦମାନ ହୋଇଯାଇଥାଏ ଆକାଶ ଲୁହା ଭଳି ଧୂସର ଦିଶୁଥାଏ; ତାରା ଦିଶୁଥାନ୍ତି ଯେ ଜଣାପଡ଼ୁଥାଏ ସତେ ଯେପରି ସପ୍ତର୍ଷିମଣ୍ଡଳର ନକ୍ଷତ୍ରମାନଙ୍କରୁ ତୁଷାରର ଝର ଓହଳିଛି; କାଳପୁରୁଷର ତେଜୀୟାନ୍‌ ଆଲୋକ ଥଣ୍ଡା ଲାଗୁଥାଏ । ଚନ୍ଦ୍ର ବୁଡ଼ି ଯାଇଥାନ୍ତି ସିନା, ରାତିଟା ଏଡ଼େ ନିର୍ମଳ ଦିଶୁଥାଏ ଯେ, ଏଲମ୍‍ ବୃକ୍ଷମାନଙ୍କ ମଝିରେ ଧଳା ଘରଗୁଡ଼ାକ ତୁଷାର ଆସ୍ତରଣରେ ଧୂଆଁଳିଆ ଦିଶୁଥାନ୍ତି । ଛୋଟ ଛୋଟ ବୁଦାଗୁଡ଼ାକ ତୁଷାରରେ କଳାଦାଗ ପରି ଦିଶୁଥାନ୍ତି; ଗିର୍ଜାର ତଳ ଝରକାଗୁଡ଼ିକ ବାଟେ ହଳଦିଆ ଆଲୁଅର ରେଖା ସବୁ, ଦିଗ୍‌ବଳୟ ପର୍ଯ୍ୟନ୍ତ ତରଙ୍ଗାୟିତ ହୋଇ ବ୍ୟାପୀଥିବା ତୁଷାର ରାଶି ଭିତରେ ବହୁଦୂର ପର୍ଯ୍ୟନ୍ତ ଲମ୍ବି ଯାଇଥାନ୍ତି ।

 

ତରୁଣ ଏଥାନ୍‌ ଫ୍ରୋମ୍‌ ଜନମାନବ ଶୂନ୍ୟ ଦାଣ୍ଡରେ କ୍ଷିପ୍ରଗତିରେ ଆଗେଇଥାନ୍ତି । ସେ ବ୍ୟାଙ୍କ୍‌ ଘରଟା ପାର ହୋଇଗଲେ; ତା’ପରେ ପଡ଼ିଲା ମାଇକେଲ୍‌ ଏଡିଙ୍କର ଦୋକାନର ନୂଆ ପକ୍‌କାଘର, ତା‘ପରେ ଓକିଲ୍‌ ବାର୍ଣ୍ଣମ୍‌ଙ୍କ ଘର—ଫାଟକ ଦୁଇପାଖେ ଦୁଇଟା ନର୍‌ୱେରୁ ଆସିଥବା କାଳିଆ ସ୍ପୃଶ୍‌ ଗଛ । ବାର୍ଣ୍ଣମ୍‌ ଫାଟକ କଡ଼ରେ ଯେଉଁ ସଡ଼କ କରବ୍ୟୁରି ଉପତ୍ୟକା ଆଡ଼କୁ ଗଡ଼ିଯାଇଛି; ସେଠାରୁ ଗିର୍ଜାର ସରୁ ସଫେଦ୍‌ ଗମ୍ବୁଜ ଓ ଅତି-ଓସାରିଆ ସ୍ତମ୍ଭ-ବେଷ୍ଟିତ ମଣ୍ଡପଟି ଦିଶୁଥାଏ । ଯୁବକ ଫ୍ରୋମ୍‌ ଗିର୍ଜା ଆଡ଼କୁ ଆଗେଇବାରେ ଗିର୍ଜାର ଉପର ଝରକା ବାଟେ ତାଙ୍କର ଛାଇ ଯାଇ ଗିର୍ଜା ଭିତରର ଧଳା କାନ୍ଥରେ ଆଙ୍କି ହୋଇ ଯାଉଥାଏ; କିନ୍ତୁ କଡ଼ପଟର ତଳ ଝରକାମାନଙ୍କ ଆଲୋକ ଶିଖା ନିର୍ବୋଧରେ, କରବ୍ୟୁରି ସଡ଼କରେ ଯେଉଁ ପଟକୁ ଭୂମି ତିଖ ଭାବରେ ଢାଲ ହୋଇଥାଏ, ସେ ଅଞ୍ଚଳକୁ ଆଲୋକିତ କରୁଥାଏ । ଏଇ ଆଲୁଅରେ ଗିର୍ଜାର ତଳମହଲା ଦୁଆରକୁ ଫଡ଼ିଥିବା ରାସ୍ତାରେ ଅଳ୍ପସମୟ ପୂର୍ବେ ଯାଇଥିବା ବଗିମାନଙ୍କର ଚକ ଦାଗ ଦିଶୁଥାଏ ଦୁଆର ପାଖରେ ଗୋଟାଏ ଚାଳି ତଳେ ଧାଡ଼ିଏ ସ୍ଲେଜ୍‌ ବଗି ଥୁଆ ହୋଇଥାନ୍ତି—ଏମାନଙ୍କ ଘୋଡ଼ାଙ୍କ ପିଠିରେ ମୋଟା କମ୍ବଳର ଢାଙ୍କୁଣି ପଡ଼ିଥାଏ ।

 

ରାତିଟା ପୂର୍ଣ୍ଣ ନୀରବ ଓ ନିଷ୍ପନ୍ଦ । ପବନ ବିଶୁଦ୍ଧ; ପବନରେ ଜଳୀୟ ବାଷ୍ପ ନ ଥିବାରୁ ତାହା ଦେହକୁ ବିଶେଷ ଥଣ୍ଡା ଲାଗୁ ନ ଥାଏ । ଜଣାପଡ଼ୁଥାଏ ସତେ ଯେପରି ବାୟୁମଣ୍ଡଳ ଫମ୍ପା ହୋଇଯାଇଛି; ପାଦ-ତଳର ସଫେଦ ଭୂଇଁ ଓ ଉପରେ ବେଢ଼ି ରହିଥିବା ଲୁହାରଙ୍ଗର ଗୋଲ ଛାତ ମଝିରେ ଶୂନ୍ୟ, ସ୍ୱଚ୍ଛ ଏଥର ବ୍ୟତୀତ ଅନ୍ୟ କୌଣସି ଅନ୍ତରାୟ ନାହିଁ । ସେ ବିଚାରିଲେ, ‘‘ବାୟୁ ପୂରା ନିଷ୍କାସିତ ହୋଇଥିବା ଗୋଟାଏ କୁମ୍ପା ଭିତରେ ରହିଲା ପରି ଲାଗୁଛି ।’’ ଚାରି ପାଞ୍ଚ ବର୍ଷ ପୂର୍ବେ, ସେ ଓର୍‌ଷ୍ଟର୍‌ର ଗୋଟିଏ କାରିଗରିବିଦ୍ୟା କଲେଜରେ ବର୍ଷେ ଖଣ୍ଡେ ଢୁକିଥିଲେ; ପଦାର୍ଥ ବିଜ୍ଞାନର ଜଣେ ପ୍ରଫେସର୍‌ଙ୍କ ଅନୁଗ୍ରହରୁ ସେ କଲେଜର ପ୍ରୟୋଗଶାଳାରେ ନାନାପ୍ରକାର ବୈଜ୍ଞାନିକ ପରୀକ୍ଷା କରିବାର ସୁଯୋଗ ପାଇଥିଲେ । ସେଇ ପରୀକ୍ଷା ଓ ଗବେଷଣାର ଫଳ ସବୁ ଅପ୍ରତ୍ୟାଶିତ ଭାବରେ ବେଳେବେଳେ ମନରେ ପଡ଼ିଯାଏ । ଏବେ ସେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ପରିବେଶରେ ରହୁଥିଲେ ହେଁ ସେ କାଳର ସ୍ମୃତିରୁ ମୁକ୍ତି ପା’ନ୍ତି ନାହିଁ । ପିତାଙ୍କ ମୃତ୍ୟୁପରେ ଯେଉଁ ଦୁର୍ଯୋଗ ସବୁ ପଡ଼ିଲା, ତା’ ଯୋଗୁଁ ତାଙ୍କ କଲେଜ ପଢ଼ାର ଅକାଳ ମୃତ୍ୟୁ ହୋଇଗଲା । ଯେଉଁତକ ପଢ଼ିଥିଲେ ତାହା ତାଙ୍କର କୌଣସି କାମରେ ନ ଆସିଲେ ହେଁ ତାଙ୍କ ମନର କୁହେଳି କିଞ୍ଚିତ୍‌ ଦୂର କରିବାକୁ ସମର୍ଥ ହୋଇଥିଲା ଓ ସେ ଅସ୍ପଷ୍ଟଭାବେ ଧାରଣା କରିପାରିଥିଲେ ଯେ, ନିତ୍ୟ ଯେଉଁ ପଦାର୍ଥ ସବୁ ବାସ୍ତବ ବୋଲି, ଚାରିଆଡ଼େ ଦେଖୁଛନ୍ତି, ତା’ ଭିତରେ ଗୋଟାଏ କିଛି ଅସ୍ପଷ୍ଟ ଅଥଚ ଗଭୀରତତ୍ତ୍ୱ ବୁଡ଼ି ରହିଛି । ଏହି ଧାରଣା ଯୋଗୁଁ ତାଙ୍କ ମନରେ ନାନା ପ୍ରକାର କଳ୍ପନା ଜଳ୍ପନାର ବିଚିତ୍ର ରୂପ ମଝିରେ ମଝିରେ ଉଁକି ମାରୁଥିଲା ।

 

ତୁଷାର-ଆସ୍ତରଣ ଭିତରେ କ୍ଷିପ୍ରଗତିରେ ଯାଉ ଯାଉ ତାଙ୍କ ମନରେ ଏଇ ତତ୍ତ୍ୱର କଳ୍ପନା ଜାଗ୍ରତ ହେଲା । କ୍ଷିପ୍ରଗତି ଦ୍ୱାରା ଶରୀରରେ ଉତ୍ତେଜନା ଜାତ ହେବା ସାଙ୍ଗକୁ, ଏସବୁ କଳ୍ପନା ଫଳରେ ମନରେ ଉଲ୍ଲାସ ଆସୁଥାଏ । ଗାଁର ଶେଷ ମୁଣ୍ଡରେ ପହଞ୍ଚି ସେ ଗିର୍ଜାର ଅନ୍ଧାରିଆ ସଦର ଦରଜା ପାଖେ ଠିଆ ହେଲେ । ଜୋରରେ ନିଃଶ୍ୱାସ ଯାଉଥାଏ; ସେ ଟିକିଏ ଠିଆ ହେଲେ; ରାସ୍ତାର ଓପରମୁଣ୍ଡ, ତଳମୁଣ୍ଡ, କେଉଁଠି ହେଲେ ଆଉ ଜଣେ କେହି ଦିଶୁ ନଥାନ୍ତି । କର୍‌ବ୍ୟୁରି ସଡ଼କର ଏଇ ମସୃଣ ଗଡ଼ାଣିଆ ଅଶଂଟାରେ ଷ୍ଟାର୍କଫିଲ୍‌ଡ୍‍ ଲୋକେ ସ୍ଲେଜ୍‌ ଚଳାଇବାକୁ ଖୁବ୍‌ ସୁଖ ପା’ନ୍ତି । ବର୍ଷା ହେବା ପର୍ଯ୍ୟନ୍ତ ସ୍ଲେଜ୍‍ଗାଡ଼ି ବାଲାଙ୍କ ଚିତ୍କାରର ମୁଖରିତ ହେଉଥାଏ; କିନ୍ତୁ ଆଜି ତୁଷାରାବୃତ୍ତ ରାସ୍ତାର ଏହି ଲମ୍ବା ଗଡ଼ାଣିରେ ଗୋଟିଏ ବୋଲି ସ୍ଲେଜ୍‍ ଦେଖଯାଉ ନଥାନ୍ତି । ନିଶୀଥର ନୀରବତା ଗ୍ରାମଟିକୁ ଘୋଟିଥାଏ; ଯେଉଁ କେତେଜଣ ଅଦ୍ୟାପି ଚେଇଁ ରହି ଦାଣ୍ଡକୁ ବାହାରିଥାନ୍ତି, ସେମାନେ ସମସ୍ତେ ମେଳ ହୋଇଥାନ୍ତି ଗିର୍ଜାର ଝରକାମାନଙ୍କ ସେ ପାଖେ ହଲ୍‌ ଭିତରେ । ହଲ୍‌ ଭିତରୁ ହଳଦିଆ ଆଲୋକଶିଖା ସହିତ ନୃତ୍ୟ-ସଙ୍ଗୀତର ଧ୍ୱନୀ ବାହାରେ ବିଛୁରି ପଡ଼ୁଥାଏ ।

 

ତରୁଣ ଏଥାନ୍‌, ଅଲକ୍ଷିତରେ କାନ୍ଥ କଡ଼େ କଡ଼େ ଯାଇ ପଛ ପଟରେ ଦ୍ୱାରପାଖକୁ ଆସିଲେ । ଭିତରୁ ଆସୁଥିବା ଆଲୁଅରେ ଯେପରି ନ ଦିଶିବେ, ଏହି ଉଦ୍ଦେଶ୍ୟରେ ସେ କାନ୍ଥଠାରୁ ଟିକିଏ ଦୂରଛଡ଼ା ହୋଇ ଗୋଡ଼ ନ ପଡ଼ିଥିବା ତୁଷାର ଉପରେ ଚୁପ୍‌ଚୁପ୍‌ ଯାଇ ପଛପଟ କାନ୍ଥର ଶେଷ ମୁଣ୍ଡରେ ପହଞ୍ଚିଲେ । ନିଜର ଛାଇ ଯେପରି ଭିତରକୁ ନ ପଡ଼ିବ ସେଥିପ୍ରତି ସାବଧାନ ରହି ସେ ଆସ୍ତେ ଆସ୍ତେ ନିକଟବର୍ତ୍ତୀ ଝରକା ପାଖକୁ ଆସିଲେ । ନିଜର ସଳଖ, ପତଳା ଶରୀରକୁ ରଖି ସେ ବଗପରି ଆଗକୁ ବେକ ବଢ଼ାଇ ଭିତରର ଦୃଶ୍ୟ ଉପରେ ଆଖି ପକାଇଲେ ।

 

ବାହାରର ବିଶୁଦ୍ଧ ତୁଷାରାଚ୍ଛନ୍ନ ଅନ୍ଧକାରରୁ, ଗିର୍ଜା ଭିତରଟା ଗରମ ବାମ୍ଫରେ ସନ୍ତୁଳି ହେଲାପରି ତାଙ୍କୁ ଦିଶୁଥାଏ । ଗ୍ୟାସ୍‌ ଆଲୁଅର ଲୁହା—ପ୍ରତିଫଳକ ଗୁଡ଼ିକରୁ ବିଶୃଙ୍ଖଳ ଆଲୋକରଶ୍ମି ଭିତରର ଚୂନ ଧଉଳା କାନ୍ଥରେ ବଡ଼ ତୀବ୍ର ଦିଶୁଥାଏ । ହଲ୍‍ର ଶେଷମୁଣ୍ଡର ଚୁଲାର ଲୁହାବାଡ଼ ଗୁଡ଼ାକ ଅତି ତାତିରେ ଟକ୍ ଟକ୍ ହେଉଥାନ୍ତି । ଚଟାଣରେ ଯୁବକ ଯୁବତୀମାନଙ୍କର ଗହଳ । ଏଥାନ୍ ଯେଁଉ ଝରକାରୁ ଚାହୁଁଥାନ୍ତି । ତା’ର ସାମନା କାନ୍ଥକୁ ଲାଗି ଧାଡ଼ିଏ ହାତ ନଥିବା ଡେର ଚଉକି ଥୁଆ ହୋଇଥାଏ । ଉପସ୍ଥିତ ପୌଢ଼ା ସ୍ତ୍ରୀ ଲୋକମାନେ ଏଥିରେ ବସିଥିଲେ, ସେତିକିବେଳେ ଉଠି ଠିଆ ହେଉଥାନ୍ତି ।

 

ବାଜା ବନ୍ଦ ହେଉଥାଏ । ବାଦ୍ୟକାର ମାତ୍ର ଦୁଇଜଣ, ଜଣେ ପୁରୁଷ, ବେହେଲା ବଜାଉଥିଲେ; ଆଉ ଜଣକ ଜଣେ ଯୁବତୀ, ପ୍ରତି ରବିବାରରେ ଆସନ୍ତି ହାର୍ମୋନିଅମ୍ ବଜାଇବାକୁ । ସେମାନେ ହଲର ଗୋଟାଏ କୋଣରେ ଥିବା ଟେବୁଲରେ ବସି ତରତର କରି ଦି’ଟା କ’ଣ ପାଟିରେ ପକାଉଥାନ୍ତି । ଟେବୁଲ୍ ତଳକୁ ଧାଡ଼ି ଧାଡ଼ି ହୋଇ, ଖାଲି ହୋଇଯାଇଥିବା ପିଠାଥାଳି, ଆଇସକ୍ରିମ୍ ଥାଳିଆ ରଖା ହୋଇଥାଏ । ଅତିଥିମାନେ ବିଦାୟ ନେବାକୁ ତିଆର ହେଉଥାନ୍ତି; କୁରୁତା ଓ ଓଢ଼ଣି ସବୁ ରଖା ହୋଇଥିବା ବାଟମୁହଁ କନ୍ଦିଆଡ଼କୁ ମଣିଷଙ୍କ ଧାଡ଼ି ମୁହାଁଇଥାଏ । ଏତିକିବେଳେ ଜଣେ ଯୁବକ ହଠାତ୍ ହଲ୍ ମଝିକୁ ଧାଇଁଆସି ତାଳି ଦେଲେ—ତାଙ୍କର ଗତି ଚଞ୍ଚଳ ଓ ମୁଣ୍ଡରେ ଲମ୍ୱ ଲମ୍ୱ କଳା ବାଳ । ତାଙ୍କ ତାଳିର ପ୍ରଭାବ ତତ୍‍କ୍ଷଣାତ୍ ଅନୁଭୂତ ହେଲା । ବାଜାବାଲା ଦୁହେଁ ତାଙ୍କ ବାଦ୍ୟଯନ୍ତ୍ର ପାଖକୁ ତରବର ହୋଇ ଚାଲିଆସିଲେ; ଏବଂ ନର୍ତ୍ତକ ନର୍ତ୍ତକୀଗଣ—ୟାଙ୍କ ଭିତରୁ କେତେକ ଘରକୁ ଫେରିବା ପାଇଁ ଅଧାଅଧି ଘୋଡ଼ି ଘାଡ଼ି ହୋଇ ସାରିଥାନ୍ତି—ହଲ୍‍ର ଦୁଇପାଖରେ ଦୁଇଧାଡ଼ି ଧରି ଠିଆ ହୋଇପଡ଼ିଲେ; ବୁଢ଼ାବୁଢ଼ୀ ମାନେ ପୁଣି ଚଉକିମାନଙ୍କୁ ଫେରିଲେ ବସିକରି ଦେଖିବାକୁ । ଏସବୁ ମୂଳରେ ଯେଉଁ ମନଫୁଲାଣିଆ ଭେଣ୍ଡିଆଟି, ସେ ନର୍ତ୍ତକୀମାନଙ୍କ ଧାଡ଼ିରୁ ଧଉଣ୍ଡା ଧାଉଣ୍ଡି କରି ଗୋଟିଏ ଯୁବତୀକୁ ନିଜ ଆଡ଼କୁ ଟାଣି ଆଣିଲା । ୟେ ମୁଣ୍ଡରେ ଖଣ୍ଡେ ଗାଢ଼ ନାଲି ରଙ୍ଗର ଗଳାବନ୍ଧା ଗୁଡ଼ାଇ ସାରିଥାଏ, ଘରକୁ ଯିବାପାଇଁ । ଯୁବତୀକୁ ହଲ୍‍ର ଶେଷ ମୁଣ୍ଡଯାଏଁ ନେଇଯାଇ ସେଇଠାରୁ ତା’ ସଙ୍ଗେ ଯୁବକ ନାଚି ନାଚି ଆସିଲା, ଭର୍ଜିନିଆ ବାଜଣାର ତାଳ ସଙ୍ଗେ ପାଦ ମିଳାଇ ।

 

ଫ୍ରୋମ୍‌ଙ୍କ ଛାତି ଧଡ଼ ଧଡ଼ ହେଉଥାଏ । ଲାଲ୍ ଗଳାବନ୍ଧ ଗୁଡ଼ାଇ ହୋଇଥିବା ଘନକୃଷ୍ଣ-କେଶିନୀର, କଟାକ୍ଷ ଆକର୍ଷଣ କରିବାକୁ ସେ କେତେ ଯତ୍ନ ନ କରିଥାନ୍ତି ! ତାଙ୍କ ଆଖି ତା’ ଉପରେ ପଡ଼ିବା ପୂର୍ବରୁ ଆଉ ଜଣକର ଆଖି ଯୁବତୀଟିକୁ ଟାଣି ନେବାରେ ଏଥାନ୍ ବ୍ୟଥିତ ହେଲେ । ଏଇ ଆର ଯୁବକଟି—ୟା ଧମନୀରେ ଆଇରିସ୍ ରକ୍ତ ପ୍ରବାହିତ ହେଉଥିଲା ପରି ଜଣାଯାଉ ଥାଏ—ଭଲ ନାଟ ପକାଉଥାଏ; ଯୁବତୀଟି ୟାର ଉଦ୍ଦାମ ନୃତ୍ୟରେ ତକ୍ଷଣେ ପ୍ରଭାବିତ ହୋଇଗଲା । ଫ୍ରୋମ୍ ଦେଖିଲେ, ତାଙ୍କ ଆଖି ସାମନାରେ ଯୁବତୀର କୋମଳ ଶରୀର ନର୍ତ୍ତନର ଚଞ୍ଚଳ ଆବର୍ତ୍ତରେ ଘୂରି ଘୂରି ଆଗେଇଗଲା, ତା’ ର ଗଳାବନ୍ଧ ମୁଣ୍ଡରୁ ଖସି କାନ୍ଧରେ ଓହଳି ପଡ଼ିଥାଏ; ମନରେ ଉଲ୍ଲାସରେ ତା’ର ଓଠ ଦୁଇଟି ଇଷତ୍ ମେଲା ହୋଇଥାଏ, କପାଳ ଉପରେ ଘନ କୃଷ୍ଣ କେଶ ଆଲୁଳାୟିତ ହୋଇ ଦୋହଲୁଥାଏ । ଫ୍ରୋମ୍ ନିଷ୍ପଲକ ହୋଇ ତା’ରି ଆଡ଼େ ଚାହିଁ ରହିଥାନ୍ତି । ମଝିରେ ମଝିରେ ତା’ର ସ୍ଥିର, ଚଞ୍ଚଳ, ଅଙ୍ଗଭଙ୍ଗୀ ଭିତରେ ଏ ଆଖି ଦୁଇଟି ରହିଥାନ୍ତି, ସ୍ଥିର କେନ୍ଦ୍ର–ବିନ୍ଦୁ ପରି ।

 

ଯୁବକ ଯୁବତୀ ଦୁହିଁଙ୍କ ନୃତ୍ୟର ଗତୀ ବଢ଼ି ବଢ଼ି ଚାଲିଥାଏ; ବାଦ୍ୟକାର ଦୁହେଁ, ଏ ନୃତ୍ୟ ସଙ୍ଗେ ତାଳ ରଖିବା ପାଇଁ ନିଜର ବାଦ୍ୟଯନ୍ତ୍ର ଉପରେ ନିର୍ଘାତ ପ୍ରହାର କରୁଥାନ୍ତି—ଘୋଡ଼ା ଦୌଡ଼ର ଶେଷ ଅଂଶରେ ଘୋଡ଼ ସବାର ତା’ ଘଡ଼କୁ ଯେପରି ପ୍ରହାର କରେ ସେହିପରି । ଫ୍ରୋମ୍ ଆଶଙ୍କା ମାରୁଥାନ୍ତି, ସତେ ଯେପରି ଏ ନାଟଟା ଅନନ୍ତକାଳ ଯାଏଁ ଅସରନ୍ତି ଚାଲିବ । ବେଳେବେଳେ ଯୁବତୀ ଉପରୁ ଆଖି ଫେରାଇ, ସେ ନର୍ତ୍ତକ–ଯୁବକକୁ ଚାହୁଁଥାନ୍ତି । ୟାର ଆଖିରୁ ଦେଖିଲେ ଜଣପଡ଼ୁଥାଏ, ନୃତ୍ୟରେ ମତୁଆଳ ହୋଇ ସେ ମନେ ମନେ ଯୁବତୀଟି ଉପରେ ବେପାରବାୟ ଭାବେ ମାଲିକାନା ସ୍ୱତ୍ୱ ଜାହିର କରି ସାରିଲାଣି ।

 

ଧନ ଅର୍ଜିବାର ବ୍ୟାକୁଳତାରେ ଆୟରଲାଣ୍ଡରୁ ଆସିବାର ଯେଁଉ ମାଇକେଲ୍ ଇଡି, ଦୋଷଗୁଣକୁ ଭ୍ରୂକ୍ଷେପ ନକରି ଚତୁର ଭାବରେ ଗ୍ରାହକମାନଙ୍କ ମନରଞ୍ଜେଇ ସେମାନଙ୍କ ଧନ ଲୁଟି କରିବାରେ କୌଶଳ କରି, ଷ୍ଟାର୍କଫିଲ୍‍ଡରେ ସଫଳ ବ୍ୟବସାୟୀ ବୋଲି କୁଖ୍ୟାତି ଅର୍ଜିଛି ଓ ଯେ ଦୁର୍ନୀତିରେ ଜୟଯୁକ୍ତ ହେବାର ପ୍ରମାଣ ସ୍ୱରୂପ ନିଜ ଦୋକାନି ଘରକୁ ପକ୍‌କା କରିପାରିଛି, ସେଇ ମାଇକେଲ ଇଡିର ପୁଅ ଡେନିସ୍ ଇଡି ଆଜିର ନର୍ତ୍ତକ ବୋଲି ଜଣାପଡ଼ୁଥାଏ ବାପାଙ୍କ ବେପାର ନୀତିରେ ସେ ଏବେ ଷ୍ଟାର୍କଫିଲ୍‍ଡ୍‍ର ଯୁବତୀମାନଙ୍କୁ ଫସେଇବାରେ ଲଗାଇଥାଏ । ଆଜିଯାଏଁ ୟାକୁ ନୀଚ ଲୋକ ବୋଲି ଫ୍ରୋମ୍ ଆଡ଼େଇ ହୋଇ ଚଳୁଥାଏ । ଆଜି ସେ ମନେ ମନେ ସିଦ୍ଧାନ୍ତ କଲେ, ଲୋକଟା ଘୋଡ଼ା କେ ଭଡ଼ାରେ ମାଡ଼ ମୂଲାଉଛି । ବଡ଼ ଅଦ୍ଭୁତ କଥା, ତା’ ସାଙ୍ଗେ ନାଚୁଥିବା ଯୁବତୀ ତା’ର ଗୁଣଗ୍ରାମ ସବୁ ଏକାବେଳକେ ପାସରି ଦେଲାପରି ଜଣାଯାଉଥାଏ । ତା’ର ସ୍ପର୍ଶ ଓ ତା’ର ଚାହାଣୀରେ ଯେଉଁ ପଙ୍କିଳ ମନୋବୃତ୍ତିର ସୂଚନା ସ୍ପଷ୍ଟ ଫୁଟି ଉଠୁଥାଏ, ସେଥିପ୍ରତି ଭ୍ରୂକ୍ଷେପ ନକରି, ଯୁବତୀଟି ଯେ କିପରି ମନ୍ତ୍ରମୁଗ୍‍ଧ ହୋଇ ତା’ ମୁହଁକୁ ଚାହିଁ ରହିଛି ଓ ନିଜ ହାତ ନେଇ ତା’ ହାତରି ମିଶାଇ ଦେଇଛି—ଫ୍ରୋମ୍ ଆଦୌ ବୁଝିପାରୁ ନଥାନ୍ତି ।

 

ମ୍ୟାଟି ସିଲ୍‍ଭର୍ ଫ୍ରୋମ୍‌ଙ୍କ ସ୍ତ୍ରୀଙ୍କର ମାଉସୀ ଝିଅ ଭଉଣୀ । ଅକାଳେ ସକାଳେ କେବେ କେମିତି ସଞ୍ଜପହରରେ, ଷ୍ଟାର୍କଫିଲ୍‌ଡରେ ଚିତ୍ତବିନୋଦନ କାର୍ଯ୍ୟକ୍ରମ ଜୁଟିଲେ ମ୍ୟାଟି ସେଥିରେ ଯୋଗଦେବାକୁ ଆସନ୍ତି । ରାତିରେ ଫେରିଲାବେଳକୁ ଆସି ମ୍ୟାଟିଙ୍କୁ ଘରକୁ ନେବା ଫ୍ରୋମ୍‍ଙ୍କର ପାଇବନ୍ଦୀ କାମ ହୋଇଗଲାଣି । ପ୍ରଥମେ ଏ ଟୋକାଟି ଯେତେବେଳେ ତାଙ୍କ ଘରେ ରହିବାକୁ ଆସିଲା ସେତେବେଳେ ତାଙ୍କ ପତ୍ନୀ ପ୍ରସ୍ତାବ କଲେ ଯେ ଏଭଳି ଚିତ୍ତବିନୋଦ କାର୍ଯ୍ୟକ୍ରମରେ ମ୍ୟାଟି ଯୋଗ ଦେବାକୁ ଯେପରି ସୁଯୋଗ ପାଇବ ସିଲ୍‌ଭର୍‌ଙ୍କ ଘର ଷ୍ଟାମଫୋର୍ଡରେ । ଭଉଣୀ ଜୀନାଙ୍କୁ ସାହାଯ୍ୟ କରିବାପାଇଁ ସେ ଆସି ଫ୍ରୋମ୍‌ଙ୍କ ଘରେ ରହିଲେ । ସେ ଦରମା ନ ନେଉଥିବା ସ୍ଥଳେ, ଷ୍ଟାମଫ୍ରୋର୍ଡର ମନୋଲ୍ଲାସକାରୀ ଗହଳିରୁ ଆସି ଷ୍ଟାର୍କଫିଲ୍‍ଡର ନିଛାଟିଆ ଚାଷ-ଘରର ପରିବେଶରେ ତାଙ୍କର ମନ ଯେପରି ଖରାପ ନହୁଏ ସେ ଦିଗରେ ଦୃଷ୍ଟି ଦେବା, ନିଜ ସ୍ୱାର୍ଥ ଦୁଷ୍ଟିରୁ ଜୀନା ସର୍ବଦା କର୍ତ୍ତବ୍ୟ ବୋଲି ମନେ କରିଥିଲେ ଫ୍ରୋମ୍‌ ନିଜ ପତ୍ନୀଙ୍କ ମନୋବୃତ୍ତିକୁ ତାଚ୍ଛଲ୍ୟ କରି ବିଚାରନ୍ତି ବିନା ଦରମାରେ ଖଟୁଥିବା ଟୋକାଟା କେଜାଣି ହାତରୁ ଖସିଯିବ ଏଇ ଭୟ ନଥିଲେ, ତା’ର ମନୋରଞ୍ଜନ ଚିନ୍ତା ଜୀନାଙ୍କ ମନରେ ଘୃଣାକ୍ଷରେ ପ୍ରବେଶ କରି ନଥାନ୍ତା ।

 

ପ୍ରଥମେ ଯେତେବେଳେ ନିଜ ପତ୍ନୀ ପ୍ରସ୍ଥାବ କଲେ ଯେ ମ୍ୟାଟିକୁ ମଝିରେ ମଝିରେ ସନ୍ଧ୍ୟାବେଳେ ଗାଁ ଭିତରକୁ ଯିବାକୁ ସୁବିଧା ଦିଆଯିବ, ସେତେବେଳେ ଫ୍ରୋମ୍‍ ଏ ପ୍ରସ୍ତାବର ମନେ ମନେ ବିରୋଧ କରିଥିଲେ କୃଷିକ୍ଷେତ୍ରରେ ଦିନତମାମ ଖଟି ସାରିବାପରେ ଗାଁ ଭିତରକୁ ପୂରା ଦୁଇ ମାଇଲ୍ ଯାଇ ପୁଣି ଦୁଇ ମାଇଲ୍ ଫେରିବାକୁ ହେବ ଟୋକୀଟାକୁ ସାଙ୍ଗରେ ଧରି—ଏ ଅଧିକା କାମଟା ବଡ଼ ଅସହ୍ୟ ଜଣାପଡ଼ିଥିଲା । କିନ୍ତୁ ଅଳ୍ପ ଦିନରେ ଫ୍ରୋମ୍‍ଙ୍କର ଏ ମନ ବଦଳିଗଲା । ସେ କାମନା କରି ବସିଲେ ଯେ ଷ୍ଟାର୍କଫିଲ୍‌ଡରେ ଯଦି ପ୍ରତିରାତିରେ ମଉଜ ମଜଲିସ୍‌ ଲାଗନ୍ତା ତେବେ ଭାରି ଭଲ ହୁଅନ୍ତା ।

 

ସେତବେଳକୁ ତାଙ୍କ ଘରେ ମ୍ୟାଟି ସିଲ୍‌ଭର୍‌ ବର୍ଷେକାଳ ରହି ସାରିଲେଣି । ବଡ଼ି ସକାଳୁ, ତାଙ୍କ ସଙ୍ଗେ ଏକ ଟେବୁଲୁରେ ରାତି ଭୋଜନରେ ବସିବା ପର୍ଯ୍ୟନ୍ତ, ମ୍ୟାଟିଙ୍କ ସଙ୍ଗଲାଭ କରିବାକୁ ଫ୍ରୋମ୍ ବହୁବାର ସୁଯୋଗ ପା’ନ୍ତି । କିନ୍ତୁ ଅବସର ବିନୋଦନ କାର୍ଯ୍ୟକ୍ରମ ପରେ ମ୍ୟାଟିଙ୍କ ସଙ୍ଗେ, ଏ ସବୁ କଥାବାର୍ତ୍ତା ଓ ଆଳାପର ସୁଖ ଏକବାରେ ତୁଳନା ଯୋଗ୍ୟ ନୁହେଁ । ଷ୍ଟାର୍କଫିଲ୍‍ଡ୍‍ରୁ ଫେରିବାବେଳେ ଦୁହେଁ ହାତ ଛନ୍ଦି ହୋଇ ଆସୁଥାନ୍ତି, ତାଙ୍କର ଲମ୍ୱା ପାହୁଣ୍ଡ ସଙ୍ଗେ ମିଶିବା ପାଇଁ ମ୍ୟାଟି ନିଜ ଉଶ୍ୱାସ ପାଦ ଦୁଇଟି ପହଁଚାଇ ପହଁଚାଇ ଧାଇଁଥାନ୍ତି । ସେ ବେଳର ସୁଖ ସଙ୍ଗେ ଆଉ କେଉଁ ସୁଖର ତୁଳନା ହୋଇପାରେ ? ପ୍ରଥମ ସାକ୍ଷାତ ଦିନଠାରୁ ତାଙ୍କ ମନ ଏଇ ମ୍ୟାଟି ଟୋକୀଟିଠାରେ ଲାଖି ଯାଇଛି । ସେଇ ପ୍ରଥମ ଦିନ ସେ ବଗିନେଇ ଯାଇଥାନ୍ତି ମ୍ୟାଟିକୁ ଫ୍ଲାଟ୍‌ସ୍‌ ଷ୍ଟେସନରୁ ଆଣିବା ପାଇଁ ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ସେ ତାଙ୍କ ଆଡ଼କୁ ଚାହିଁ ହସି ହସି ହାତ ହଲାଇ ଅଭିବାଦନ କରୁ କରୁ ଆନନ୍ଦ-ଉଚ୍ଛ୍ୱାସରେ ଚିତ୍କାର କରିଥିଲେ । “ତୁମେଇ ନିଶ୍ଚୟ ଏଥାନ୍-।” ଏହା କହି ସେ ତାଙ୍କ ଜିନିଷପାତି ଧରି ରେଳରୁ ଓହ୍ଲାଇପଡ଼ି ତାଙ୍କ ପାଖରେ ଆସି ଠିଆ ହୋଇ ଯାଇଥିଲେ । ସେତେବେଳେ ମ୍ୟାଟିଙ୍କ କ୍ଷୀଣ ଶରୀରଟି ଦେଖି ଫ୍ରୋମ୍ ବିଚାରିଥିଲେ, ‘‘ୟେ ଯାହା ଘର କାମରେ ସାହାଯ୍ୟ କରିବ ତା ୟା ଗୋଡ଼ହାତରୁ ଜଣା ପଡ଼ୁଛି; କିନ୍ତୁ ୟାର ନିଜ ଭଉଣୀ ପରି ଖିଟିଖିଟିଆ ସ୍ୱଭାବ ନୁହେଁ, ବଡ଼ ଭାଗ୍ୟର କଥା !’’ ଶୀତ ଦିନେ, କାଲୁଆ ହୋଇ ପଡ଼ିଥିବା ଚୁଲିରେ ନିଆଁ ଟିକିଏ ଜଳିଲେ ମନ ଯେମିତି ହୁଏ, ମ୍ୟାଟିଙ୍କ ପରି ଖୁସିବାସୀ ଯୁବତୀଟି ଘରେ ପଶୀବାରୁ ଫ୍ରୋମ୍‍ଙ୍କୁ ସେଇମିତି ଲାଗିଲା । ଖାଲି ସେତିକି ନୁହେଁ । ସେ ତ ଆଗରୁ ଠଉରେଇଥିଲେ, ପାରୁ କି ନପାରୁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଏ ଯୁବତୀଟି ସବୁବେଳେ ଉତ୍ସୁକ ହୋଇ ରହିବ-। ଅଳ୍ପ ଦିନରେ ସେ ଦେଖିଲେ ୟା’ ଠାରୁ ଆହୁରି ଭଲ ଗୁଣ ବି ତା’ ଠାରେ ଅଛି । ତାର ଆଖି ଦୁଇଟି, ଦେଖିବାକୁ ଯେଭଳି ଉତ୍ସୁକ କାନ ଦୁଇଟି ଶୁଣିବାକୁ ମଧ୍ୟ ସେହିପରି ଆଗ୍ରହୀ । ସେ ତାକୁ କିଛି ଗୋଟାଏ ଦେଖାଇଦେଇ ବା କିଛି କଥା କହିଲେ, ଗଭୀର ଆନନ୍ଦ ଓ ସନ୍ତୋଷରେ ଲକ୍ଷ୍ୟ କରିଛନ୍ତି ଯେ ତାଙ୍କ ଦେଖାଇଥିବା ଘଟଣା ଓ କହିଥିବା କଥା ମ୍ୟାଟିର ମନରୁ ସାଙ୍ଗେ ସାଙ୍ଗେ ଲିଭିଯିବା ପରିବର୍ତ୍ତେ ବହୁଦିନ ପଯ୍ୟନ୍ତ ଜୀଇ ରହିଥାଏ ଓ ତାଙ୍କ କଥା ମ୍ୟାଟିର ହୃଦୟରେ ବହୁ ସମୟ ଯାଏ ପ୍ରତିଧ୍ୱନି ସୃଷ୍ଟି କରୁଥାଏ । ଫ୍ରୋମ୍ ପୂର୍ବ କଥାକୁ ଟିକିଏ ଉଙ୍କାରି ଦେଲେ ସେ ତାହା ଠିକ୍ ଧରି ନେଇଥାନ୍ତି ।

 

ତାଙ୍କ ଦୁହିଁଙ୍କ ହୃଦୟର ଏହି ମେଳର ମଧୁର ପରିଚୟ ଫ୍ରୋମ୍ ପାନ୍ତ ରାତିରେ ମ୍ୟାଟିଙ୍କୁ ସାଙ୍ଗରେ ଧରି ଘରକୁ ଫେରିବାବେଳେ । ତାଙ୍କ ପାଖ ପଡ଼ିଶାଙ୍କ ଅପେକ୍ଷା, ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଭାବ ଫ୍ରୋମ୍‍ଙ୍କୁ ଅଧିକ ମାତ୍ରାରେ ଆବିଷ୍ଟ କରେ । ତାଙ୍କର ପଢ଼ା ସିନା ମଝିରେ ବନ୍ଦ ହୋଇଗଲା, କିନ୍ତୁ ସେ ଯେଉଁ ଟିକକ ପଢ଼ିଥିଲେ ତାହା ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଲବ୍‍ଧ କରିବାର ଶକ୍ତିକୁ ବଳିଷ୍ଠ କରିଛି । ଖୁବ୍ ମନ ଦୁଃଖରେ ଥିଲାବେଳେ ବି କୃଷିକ୍ଷେତ୍ର ଓ ଆକାଶକୁ ଚାହିଁ ସେ ଗଭୀର ଭାବରେ ଅନୁପ୍ରାଣିତ ହୋଇ ପଡ଼ନ୍ତି । ମ୍ୟାଟିଙ୍କ ସଙ୍ଗେ ଆଳାପ ହେବା ପର୍ଯ୍ୟନ୍ତ, ତାଙ୍କର ଏଇ ଭାବପ୍ରବଣତା, ତାଙ୍କ ନିଜ ହୃଦୟର ନିଭୃତ କୋଣରେ ନୀରବ ବେଦନା ସ୍ୱରୂପ ଲୁକ୍‍କାୟିତ ହୋଇ ରହୁଥିଲା । ପ୍ରକୃତିର ସୌନ୍ଦର୍ଯ୍ୟ ମନରେ ଯେଉଁ ଆବେଗ ସୃଷ୍ଟି କରୁଥିଲା ତାହା ତାଙ୍କର ବ୍ୟକ୍ତିଗତ ପରିବେଶର ଚାପାରେ ଚିପିହୋଇ ଯାଉଥିଲା । ପ୍ରାକୃତିକ ସୌନ୍ଦର୍ଯ୍ୟ ମନରେ ଯେଉଁ ଭାବାବେଗ ସୃଷ୍ଟି କରୁଛି, ଅନ୍ୟ କାହା ମନରେ ସେପରି ସୃଷ୍ଟି କରୁଛି କି ନାହିଁ ଜାଣିବାକୁ ସେ ସୁଯୋଗ ପାଉନଥିଲେ । ମନେ ମନେ ବିଚାରୁଥିଲେ ହୁଏତ ଏଭଳି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଅନ୍ତର୍ଜ୍ୱାଳାରେ ଦଗ୍ଧ ହେବା କେବଳ ତାଙ୍କପ୍ରତି ଦୈବର ଅଭିଶାପ । ମ୍ୟାଟିଙ୍କ ସହିତ ଘନିଷ୍ଟ ପରିଚୟ ହେବାରୁ ତାଙ୍କର ଏ ଭ୍ରମ ଦୂର ହେଲା । ମ୍ୟାଟିଙ୍କୁ ଚିହ୍ନି ସେ ଜାଣିଲେ ପ୍ରକୃତିର ବିଚିତ୍ରତାରେ ତନ୍ମୟ ହେବା ଭଳି ଆଉ ଜଣେ ବି ଅଛି, ତାକୁ ଛାଡ଼ି । ତାଙ୍କର ପାଖେ ପାଖେ, ତାଙ୍କର ନିଜ ଘରେ । ତାଙ୍କର ଅନ୍ନଜଳ ଖାଇ ଆଉ ଜଣେ ଅଛି, ଯାହାକୁ ସେ ସମବିହ୍ୱଳିତ କରି ଶୁଣାଇ ପାରିବେ ‘‘ହେଇଟି, ଆକାଶରେ ସେଇ ଦୂର କୋଣରେ ଦିଶୁଛି କାଳପୁରୁଷ ନକ୍ଷତ୍ରପୁଞ୍ଜ; ଡାହାଣ ପଟକୁ ଯେଉଁ’’ ବିରାଟ ପୁରୁଷ ତାର ନାମ ଆଲିବାରାନ୍ । ଆଉ ସେପାଖକୁ ଯେଉଁ କ୍ଷୁଦ୍ର କ୍ଷୁଦ୍ର ପୁଞ୍ଜ... ।’’ ଆଉ କେତେବେଳେ, ବୁଦା ଭିତରେ ମୁଣ୍ଡ ଟେକି ଉଠିଥିବା ଅକର୍ମଶିଳାର ପାଖେ ତାଙ୍କୁ ଠିଆ କରାଇ ସେ ସୃଷ୍ଟିତତ୍ତ୍ୱ ଶୁଣାଇ ବିସ୍ମୟାବିଷ୍ଟ କରି ଦିଅନ୍ତି—ଆରମ୍ଭ କରନ୍ତି, ଆଦିମ ତୁଷାର-ଯୁଗର କଥା; ସେଇଠାରୁ ଗଡ଼ାଇ ଆଣନ୍ତି ପରବର୍ତ୍ତୀ ଯୁଗର ଇତିବୃତ୍ତ ଅନନ୍ତ କାଳର ପୃଷ୍ଠା ଫିଟାଇ । ସେ ଯାହା ଦେଖାନ୍ତି ଓ ଶୁଣନ୍ତି ସେଥିରେ ବିସ୍ପୟାବିଷ୍ଟ ହେବା ସଙ୍ଗେ ସଙ୍ଗେ ତାଙ୍କ ଜ୍ଞାନର ଗଭୀରତା ଦେଖି ମ୍ୟାଟି ଯେ ତାଙ୍କର ତାରିଫ୍ କରନ୍ତି ଏ ଅନୁଭୂତି ଫ୍ରୋମ୍‍ଙ୍କୁ କମ୍ ଆତ୍ମପ୍ରସାଦ ଦିଏ ନାହିଁ । ଉଭୟଙ୍କ ଭିତରେ ଆଉ କେତେ ପ୍ରକାର ଅନୁଭବ ବିନିମୟ ହୁଏ; ତାହା ସେତେ ସ୍ପଷ୍ଟ ନହେଲେ ବି ଊଣା ତୃପ୍ତିକର ହୁଏ ନାହିଁ । ଏହି ଅନୁଭୂତି ଓ ଅନୁଭବ ଉଭୟଙ୍କର ସମ୍ପର୍କକୁ ଅଧିକ ଘନିଷ୍ଠ କରେ ଓ ଉଭୟଙ୍କୁ ଅନିର୍ବଚନୀୟ ଆନନ୍ଦରେ ବୁଡ଼ାଇ ଦିଏ । ଶୀତ ଋତୁରେ ପଶ୍ଚିମ ଆକାଶରେ ରକ୍ତିମ ସୂର୍ଯ୍ୟଙ୍କର ଆତ୍ମଗୋପନ, ପାହାଡ଼ର ଗଡ଼ାଣିରେ ଶସ୍ୟକ୍ଷେତ୍ରର ସ୍ୱର୍ଣ୍ଣାଭ ତୃଣ ଉପରେ ମେଷପଲ ପରି ମେଘଖଣ୍ଡମାନଙ୍କର ଗତି ଓ ସୂର୍ଯ୍ୟ କିରଣରେ ଉଦ୍ଭାସିତ ତୁଷାର ସ୍ତୁପ ଉପରେ ହେମ୍‍ଲକ୍‍ ଗୁଳ୍ମର ଗାଢ଼ ନୀଳ ଛାୟା–ଏ ସବୁ ଦେଖି ଉଭୟଙ୍କ ଭିତରେ ସମପ୍ରାଣତା ପୁଷ୍ଟ ହେଉଥାଏ । ଥରେ ମ୍ୟାଟି ତାଙ୍କୁ କହିଲେ, ‘‘ମତେ ଦିଶୁଛି, ସତେ ଯେମିତି କିଏ, ଏ ଦୃଶ୍ୟଟିକୁ ତୁଳୀ ଧରି ଆଙ୍କିଛି’’ । ଏଥାନ୍ ଏ କଥା ଶୁଣି ଏକାବେଳକେ ବିଭୋର । ତାଙ୍କୁ ବୋଧ ହେଲା, ଦୃଶ୍ୟଟିର ସଜ୍ଞା ନିର୍ଣ୍ଣୟ କରିବାକୁ ଏଥିରୁ ଅଧିକ ଆଉ କିଛି କୁହାଯାଇ ପାରିନଥାନ୍ତା । ତାଙ୍କ ନିଜ ମନ ଭିତର ନିଭୃତ କୋଣରେ ଠିକ୍ ଯେଉଁ ଭାବ ଆତ୍ମ ପ୍ରକାଶ କରିବାକୁ ଚେଷ୍ଟା କରୁଥିଲା, ତା’କୁ ମ୍ୟାଟି ଅତି ସୁନ୍ଦର ଭାବରେ ଭାଷାରେ ଫୁଟାଇ ପାରିଛନ୍ତି !

 

ଗିର୍ଜାର ବାହାରେ ଅନ୍ଧାରରେ ଠିଆ ହୋଇଥିବା ବେଳେ ଏଇ ସବୁ ସ୍ମୃତି ଏଥାନ୍‍ଙ୍କ ମନକୁ ଆଲୋଡ଼ନ କଲା । ସମ୍ପୂର୍ଣ୍ଣ ନିଃଶେଷ ହୋଇଥିବା ଜିନିଷ ମନରେ ଯେପରି ତୀବ୍ର ଅଭାବ ବୋଧ ସୃଷ୍ଟି କରେ ତାଙ୍କର ସେଇପରି ହେଉଥାଏ । ମ୍ୟାଟି, ଡେନ୍‍ସ ଇଡିର ଏ ହାତରୁ ସେ ହାତ, ଓ ସେ ହାତରୁ ଏ ହାତ ହୋଇ ଚକ୍ରି ପରି ବୁଲିବୁଲି ନାଚି ଯାଉଥିଲାବେଳେ, ଫ୍ରୋମ୍ ମ୍ୟାଟିକୁ ଚାହିଁ ବିଚାରୁଥାନ୍ତି, ‘‘କେଡ଼େ ନିର୍ବୋଧ ମୁଁ ! ବିଚାରୁଥିଲି, ମୋ’ର ନୀରସ କଥା ଗୁଡ଼ାକରେ ୟେ ପୁଣି ପ୍ରଭାବିତ ହେଉଥିଲା !’’ ମ୍ୟାଟି ପାଖରେ ନ ଥିଲେ, ତାଙ୍କ ମୁହଁରେ କଦାପି ହସ ଦେଖା ଦିଏନାହିଁ । ବର୍ତ୍ତମାନ ମ୍ୟାଟିର ମୁହଁରେ ଯେଉଁ ଆନନ୍ଦ, ତାହା ଦେଖି ଏଥାନ୍ ପରିଷ୍କାର ବୁଝିଗଲେ, ତାଙ୍କ ପ୍ରତି ମ୍ୟାଟିର ଆଦରରେ ଆନ୍ତରିକତା ଆଦୌ ନ ଥିଲା । ଏଇକ୍ଷଣି ତା’ର ନୃତ୍ୟ ସଙ୍ଗୀକୁ ତା’ର ଯେଉଁ ମୁହଁ ଏତେ ମମତା ଦେଖାଉଛି । ସେଇ ମୁହଁ ପୁଣି ଏଥାନ୍ ଦେଖିଲେ । ଅସ୍ତ ସୂର୍ଯ୍ୟର କିରଣରେ ଉଦଭାସିତ ଗବାକ୍ଷ ପରି, ମମତାରେ ଉଛୁଳି ପଡ଼େ । କି ଭିଷଣ ଛଳନ ପୁଣି, ଏଥାନ୍‍ଙ୍କର ନଜରରେ ପଡ଼ିଲା, ମ୍ୟାଟିଙ୍କର ଦୁଇ ତିନିଟା ବିଶିଷ୍ଟ ଭଙ୍ଗୀ, ଯାହା ତାଙ୍କ ନିଜ ପାଇଁ କେବଳ ସଞ୍ଚିତ ଥାଏ ବୋଲି ସେ ନିଜ ବୋକାମି ବଶତଃ ବିଶ୍ୱାସ କରି ବସିଥିଲେ: ଖୁସୀ ହେଲାବେଳେ ମୁହଁକୁ ପଛକୁ ହଟାଇ ନେବାର ଗୋଟାଏ ବିଶେଷ ଭଙ୍ଗୀ—ସତେ ଯେପରି ଏକାନ୍ତରେ ନିଜ ହସକୁ ପରୀକ୍ଷା କରି ତା’ପରେ ତୁମ ଉପରେ ବିଞ୍ଚିବେ । ଆଉ ଗୋଟାଏ ଭଙ୍ଗୀ ହେଉଛି, ଆଖି ପତାକୁ ଆସ୍ତେ ଆସ୍ତେ ବୁଜି ଦେବା । କେହି ତାଙ୍କ ମନକୁ ରଞ୍ଜାଇ ଦେଲେ ବା ପ୍ରଭାବିତ କଲେ, ଏହି ଭଙ୍ଗୀଟା ବାହାରେ ।

 

ଏ ଭଙ୍ଗୀ ସବୁ ଡେନସ୍ ସାଙ୍ଗେ ନୃତ୍ୟବେଳେ ମ୍ୟାଟି ଦେଖାଇବାର ଲକ୍ଷ୍ୟ କରି ଏଥାନ୍ ବିରସ ହୋଇଗଲେ; ଏହି ବିରସତା ତାଙ୍କ ବିଷୟରେ, ତାଙ୍କ ସ୍ତ୍ରୀ ମ୍ୟାଟିକୁ ସନ୍ଦେହ କରିବାର ସେ କେବେ ଲକ୍ଷ୍ୟ କରି ନାହାଁନ୍ତି, କିନ୍ତୁ ଏବେ କେତେ ଦିନ ହେଲା ଘରକାମ ଠିକ୍ ଭାବେ ହେଉନାହିଁ ବୋଲି ସେ ଅଧିକରୁ ଅଧିକ ବିରକ୍ତ ପ୍ରକାଶ କରୁଛନ୍ତି ଏବଂ ମ୍ୟାଟି ହାତରେ କାମ ଭଲ ହେଉ ନାହିଁ ବୋଲି ବଙ୍କେଇ ଟଙ୍କେଇ ଆକ୍ଷେପ କରୁଛନ୍ତି । ଷ୍ଟାର୍କଫିଲ୍‍ଡ୍ ଲୋକଙ୍କ ଭାଷାରେ ଜୀନା ଚିର ରୋଗିଣୀ । ନିଜେ ଯେଡ଼େ ରୋଗିଣୀ ବୋଲି ଜୀନା ବିଶ୍ୱାସ କରୁଛନ୍ତି, ବାସ୍ତବରେ ସେ ଯଦି ସେଡ଼ିକି ରୋଗିଣୀ ହୋଇଥାନ୍ତି ତେବେ ରାତିରେ ଘରକୁ ଫେରିଲାବେଳେ ଯେଉଁ ବାହୁଟି ତାଙ୍କ ବାହୁରେ ଛନ୍ଦି ହୋଇଯାଏ, ତା’ ଅପେକ୍ଷା ସମର୍ଥ ବାହୁ ଦୁଇଟା ଜୀନାଙ୍କୁ ସାହାଯ୍ୟ କରିବା ପାଇଁ ନିଶ୍ଚୟ ଦରକାର ବୋଲି, ଫ୍ରୋମ୍ ମନକୁ ମନ ମାନିଲେ । ସ୍ୱଭାବତଃ ମ୍ୟାଟି ଘରକରଣା ପାଇଁ ଉପଯୁକ୍ତ ନୁହନ୍ତି; ଏ ଯାଏ ସେ ଯେଉଁ ଶିକ୍ଷା ବା ତାଲିମ ପାଇଛନ୍ତି, ତାହା ତାଙ୍କ ସ୍ୱାଭାବିକ ଅଯୋଗ୍ୟତା ଦୂର କରି ପାରି ନାହିଁ । ମ୍ୟାଟିଙ୍କୁ କୌଣସି କଥା ଶିଖାଇ ଦେଲେ ସେ ଜଲଦି ଧରି ନିଅନ୍ତି; କିନ୍ତୁ ତାଙ୍କର ପାସୋରା ମନ ଗୋଟାଏ କଥା କଲାବେଳେ ଆଉ କଥାଏ ଭାବୁଥାନ୍ତି, ପୁଣି ଶୁଣିଲେ ବା ଗାଳି ଦେଲେ ଦେହକୁ ନିଅନ୍ତି ନାହିଁ । ଏ ଭଳି ଲୋକଙ୍କୁ ଶିକ୍ଷାଦେଇ ବାଗେଇବା ମୁସ୍‍କିଲ୍ । ଏଥାନ୍‍ଙ୍କର ଧାରଣା ଯେ, ଆପଣା ମନଲାଖି ସ୍ୱାମୀଟିଏ ଯଦି ମ୍ୟାଟି ପା’ନ୍ତି ତେବେ ଗୃହିଣୀର ସୁପ୍ତ ପ୍ରବୃତ୍ତି ଚେଇଁ ଉଠିବ ଓ ତାଙ୍କ ହାତତିଆରି ପିଠା ଓ ବିସକୁଟ୍‍କୁ ରାଜ୍ୟ ଯାକର ସମସ୍ତେ ତାରିଫ୍ କରିବେ; କିନ୍ତୁ ଗୃହିଣୀ ନ ହୋଇ ଖାଲି କର୍ତ୍ତବ୍ୟ ଅନୁରୋଧରେ ଘରକରଣାରେ ଲାଗିଯିବା ମାଇକିନିଆ, ମ୍ୟାଟି ନୁହନ୍ତି । ପହିଲେ ପହିଲେ ତାଙ୍କ କାମ ଏଭଳି ଅସାଣ୍ଡୁଆ ହେଉଥିଲା ଯେ ଏଥାନ୍ ନ ହସି ରହି ପାରୁ ନଥିଲେ । କିନ୍ତୁ ଏଥାନ୍ ତାଚ୍ଛଲ୍ୟରେ ହସିଲେ ବି ମ୍ୟାଟି ନିଷ୍କପଟ ଭାବେ ତାଙ୍କ ହସରେ ମିଶି ନିଜକୁ ତାଚ୍ଛଲ୍ୟ କରନ୍ତି । ଏହା ଦେଖି ଏଥାନ୍‍ଙ୍କର ତାଙ୍କ ପ୍ରତି ଅନୁରକ୍ତି ବିଶେଷ ବଢ଼ି ଯାଇଥିଲା । ମ୍ୟାଟି କରି ନଜାଣି ଯେଉଁ କାମ ସବୁ ଆଲୁରୁ ବାଲୁରୁ କରି ପକାନ୍ତି ତା’କୁ ବାଗେଇ ଦେବାକୁ ଏଥାନ୍ ପାରୁପର୍ଯ୍ୟନ୍ତ ଲାଗିଥାନ୍ତି—ଚୁଲାରେ ନିଆଁ ନିଜେ ଧରାଇଦେବେ ବୋଲି ଏଥାନ୍ ସକାଳେ ଯେତିକିବେଳେ ଉଠିବାର କଥା, ତହିଁ ଆଗରୁ ଉଠି ପଡ଼ନ୍ତି; ରାତିରୁ ସକାଳ ପାଇଁ କାଠ ଆଣି ଚୁଲି ମୁଣ୍ଡେ ରଖି ଦେଇଥାନ୍ତି, ଦିନବେଳେ ମ୍ୟାଟିଙ୍କ ନିକଟରେ ରହି ଘର କାମରେ ମିଶିଯିବେ ବୋଲି ମିଲ୍‍କୁ ନ ଯାଇ ଚାଷ କ୍ଷେତରେ କାମ କରିବାକୁ ଆରମ୍ଭ କରିଥାନ୍ତି । ଏପରି କି ଶନିବାର ରାତିରେ ଦୁଇଜଣ ଯାକ ସ୍ତ୍ରୀ ଲୋକ ଶୋଇବା ପରେ ସେ ତୁନି ତୁନି ରୋଷେଇ ଘରକୁ ଆସି ତଳଟା ପାଣି କନାରେ ଘଷି ସଫା କରି ପକାନ୍ତି । ଦିନେ ସେ ଦହି ମୋହିଁବାର ଦୈବାତ୍ ଜୀନାଙ୍କ ଆଖିରେ ପଡ଼ିଗଲା । ଜୀନା ନିରବରେ ତାଙ୍କ ଆଗରୁ ଚାଲିଗଲେ–କିନ୍ତୁ ଆଖିରେ ଥାଏ ସନ୍ଦେହର ଚାହାଣି ।

 

ଜୀନାଙ୍କ ଅସନ୍ତୋଷର ଅନ୍ୟ କେତେକ ଲକ୍ଷଣ ମଧ୍ୟ ଇତି ମଧ୍ୟର ଦେଖା ଦେଇଛି । କୌଣସିଟା ବିଶେଷ ସ୍ପଷ୍ଟ ନ ହେଲେ ବି, ମନରେ ଅଧିକରୁ ଅଧିକ ଅସ୍ୱସ୍ତିକର ହେଉଥାଏ । ଶୀତ ଦିନର ଜାଡ଼ରେ ଦିନେ ସକାଳେ ଏଥାନ୍ ଅନ୍ଧାରରେ ପୋଷାକ ପିନ୍ଧୁଥାନ୍ତି, ଗୋଟିଏ ମାତ୍ର ମହମବତୀ ଜଳୁଥାଏ ଯେ ଝରକାର ଫାଙ୍କବାଟେ ପବନ ଆସିବାରୁ ତାହା ଧପ୍ ଧପ୍ ହେଉଥାଏ । ସେତିକିବେଳେ ତାଙ୍କ ପଛ ଆଡ଼ୁ, ତାଙ୍କ ଖଟ ଉପରୁ ଜୀନା କହିବାର ସେ ଶୁଣିଲେ—

 

ଜୀନା ତାଙ୍କ ନୀରସ ଅନୁଯୋଗପୂର୍ଣ୍ଣ ସ୍ୱରରେ କହୁଥାନ୍ତି, ‘‘ଘର କାମରେ ମୋତେ ସାହାଯ୍ୟ କରିବାକୁ କେହି ନ ରହିଲେ ମୁଁ ଚଳି ପାରିବି ନାହିଁ ବୋଲି ଡାକ୍ତର କହିଛନ୍ତି ।’’

 

ଏଥାନ୍ ବିଚାରିଥିଲେ ଜୀନାଙ୍କର ନିଦ ଭାଜି ନାହିଁ; ତେଣୁ ତାଙ୍କ ସ୍ୱର ଶୁଣି ସେ ଚମକି ପଡ଼ିଲେ । ଅବଶ୍ୟ ଗୁଡ଼ାଏ ସମୟ ନିଜର ଭାବକୁ ଚାପି ରଖି ତୁନି ରହିବା ପରେ ଜୀନା ହଠାତ୍ ତୁଣ୍ଡ ଫିଟାଇ କହିବାକୁ ଆରମ୍ଭ କରନ୍ତି—ଏଇଟା ତାଙ୍କର ଅଭ୍ୟାସଗତ ଆଜି ସେ ଏକାବେଳେକେ ନିଦରେ ଶୋଇଛନ୍ତି ବୋଲି ଏଥାନ୍‍ଙ୍କର ଧାରଣା ଥିଲା । ଚମକି ପଡ଼ିବାର କାରଣ ସେଇଆ ।

 

ଏଥାନ୍ ବୁଲିପଡ଼ି ଜୀନାଙ୍କ ଆଡ଼କୁ ଚାହିଁଲେ । କାଳିଆ ଛିଟ ରେଜେଇ ତଳେ ତାଙ୍କର ଅଙ୍ଗର ରେଖା ସ୍ପଷ୍ଟ ଦିଶୁଥାଏ; ଉଚ୍ଚା ହନୁହାଡ଼ ଦୁଇଟା ଦୁଇ ପାଖରେ ବାହାରିଥିବାରୁ ତାଙ୍କ ମୁହଁଟା, ଧଳା ତକିଆ ଉପରେ ଟିକିଏ ଶେତା ଦିଶୁଥାଏ ।

 

ଏଥାନ୍ ପଚାରିଲେ ‘‘ତୁମ ପାଇଁ ଘରକାମ କରିବାକୁ କେହି ନାହାନ୍ତି ମାନେ ?’’

 

‘‘ମ୍ୟାଟି ଯିବାପରେ ଦରମା ଦେଇ ମାଇକିନିଆଟିଏ ରଖିବାକୁ ତୁମେ ଯଦି ରାଜି ନହୁଅ, ତେବେ–-।’’

 

ଫ୍ରୋମ୍ ସ୍ତ୍ରୀଙ୍କ ଆଡ଼ୁ ପୁଣି ମୁହଁ ବୁଲେଇଲେ ଏବଂ ଖୁରଟା ଧରି ନିଜର ଲମ୍ୱେଇଥିବା ଗାଲର ପ୍ରତିକୃତି, ଠାଏ ଠଏ ପାରା ଛାଡ଼ି ଯାଇଥିବା ମୁଁହ ଧୁଆ ବେସିନ୍ ଉପରକୁ ଥିବା ଦର୍ପଣରେ ଆବିଷ୍କାର କରିବା ପାଇଁ ଦର୍ପଣ ଆଗରେ ଟିକିଏ ଝୁକି ପଡ଼ିଲେ । କହିଲେ, ‘‘ମ୍ୟାଟି ଯିବାରତ କିଛି କାରଣ ନାହିଁ ।’’

 

ପଛ ଆଡ଼ୁ ପତ୍ନୀଙ୍କର ନିର୍ଜୀବ ସ୍ୱର ଶୁଭିଲା, ‘‘ନାଇଁ ଯେ କହୁଥିଲେ, ସେ ଯଦି ବିଭା ହୋଇଯାଏ ।’’

 

ଫ୍ରୋମ୍ ଥୋଡ଼ିରେ ଜୋରରେ ଖୁର ରାମ୍ପୁ ରାମ୍ପୁ ଜବାବ ଦେଲେ, ‘‘ଓଃ, ଏଇ କଥା ! ତୁମର ପ୍ରୟୋଜନ ଥିବା ଯାକ ମ୍ୟାଟି କେବେ ହେଲେ ଆମକୁ ଛାଡ଼ି ଯିବ ନାହିଁ ।’’

 

ଆତ୍ମତ୍ୟାଗର ଖେଦଭରା ସ୍ୱରରେ ଜୀନା ଜବାବ ଦେଲେ, ‘‘ନା, ନା, ତା’ ହେବ ନାହିଁ । ମ୍ୟାଟି ପରି ଅରକ୍ଷ ଯୁବତୀଟାଏ ଡେନିସ୍ ଇଡି ପରି ଏଡ଼େ ଯୋଗ୍ୟ ବରଟିଏ ପାଉଛି । ମୁଁ ତା’ ସୁଖରେ ଅନ୍ତରାୟ ହେବି ? ଲୋକେ ମୋ ନାମରେ ଏ ଅପବାଦ ଦେବା ମୁଁ ସହିପାରିବି ନାହିଁ ।

 

ଏଥାନ୍‌ ଦର୍ପଣରେ ନିଜ ମୁହଁକୁ କଟମଟ କରି ଚାହିଁ, କାନରୁ ଥୋଡ଼ି ଉପରକୁ ଖୁର ଚଳାଇବାକୁ ମୁହଁ ପଛକୁ ହଟାଇ ଦେଲେ । ତାଙ୍କ ହାତ ଠିକ୍‌ ଚାଲିଥାଏ, କିନ୍ତୁ ଅଡ଼ୁଆ ଜାଗାରେ ଖୁର ଚାଲୁଛି ବୋଲି ସେ ତୁରନ୍ତ କିଛି ଉତ୍ତର ନ ଦେବା ପାଇଁ ଆଳ ଦେଖାଇଲେ ।

 

ଜୀନା ପୁଣି ମୂଳରୁ ଆରମ୍ଭ କଲେ, ‘‘ଡାକ୍ତର ଏକାବେଳକେ ଧରି ବସିଛନ୍ତି, ପାଖରେ କେହି ନ ରହିଲେ ଏକାବେଳକେ ଚଳି ହେବ ନାହିଁ । ଡାକ୍ତର ନିଜେ ଗୋଟିଏ ଉପଯୁକ୍ତ ମାଇକିନିଆର ସନ୍ଧାନ ନେଇ ତୁମକୁ ପଚାରିବାକୁ କହିଛନ୍ତି । ସେ ଆସନ୍ତା ଯେବେ...... ।’’

 

ଏଥାନ୍‌ ଖୁରଟା ପଟା ଉପରେ ଥୋଇଦେଲେ ଓ ସଳଖ ଠିଆ ହୋଇ ହସିଲେ, ‘‘ଡେନିସ୍‍ ଇଡି ! ମ୍ୟାଟି ଯିବାର ଯଦି କାରଣ ଏତିକି, ତେବେ ତା’ର ବଦଳିଆ ଖୋଜିବାକୁ ଏପରି ଅଣନିଶ୍ୱାସୀ ହେବା ନିଷ୍ପ୍ରୟୋଜନ ।’’

 

‘‘ହଉ, ଥାଉ ଏଇଲାଗେ । ଏ ବିଷୟରେ ମୁଁ ପୁଣି ତୁମ ସଙ୍ଗେ କଥାବାର୍ତ୍ତା ହେବି ।’’ ଜୀନା ଜିଦ୍‌କରି ପୁଣି କହିଲେ ।

 

ଏଥାନ୍‌ ବ୍ୟସ୍ତସମସ୍ତ ହୋଇ ପୋଷାକ ପିନ୍ଧି ପକାଉ ପକାଉ କହିଲେ, ‘‘ହଉ, କହିବି । ଏଇଲେ ମୋର ସମୟ ନାହିଁ । ଗୁଡ଼ାଏ ତ ବିଳମ୍ୱ ହୋଇ ସାରିଲାଣି ।’’ —ନିଜର ପୁରୁଣା ଗୋଲିଆ ଘଡ଼ିଟା ବତୀକୁ ଦେଖାଇ ଜବାବ ଦେଲେ ।

 

ଜୀନା ଆପାତତଃ ଏତିକିରେ ଏକଥା ସରିଲା ବୋଲି ମାନିଗଲେ । ସେ ନୀରବରେ ପଡ଼ି ରହି ଏଥାନ୍‍ଙ୍କର ଗତିବିଧି ଲକ୍ଷ୍ୟ କରୁଥାନ୍ତି । ଏଥାନ୍‌ ପାଇଜାମା ଟେକି ରଖିବାର ବନ୍ଧନୀ ଦୁଇଟା ଦୁଇ କାନ୍ଧ ଉପରେ ଟାଣି ନେଲେ ଓ ହାତ ଦୁଇଟିକୁ ଛାଟି ଦେଇ କୋଟ ପିନ୍ଧି ପକାଇଲେ । ଜୀନା ଚାହିଁଥାନ୍ତି; ଏଥାନ୍‌ ମେଲାକୁ ବାହାରିବାକୁ ଠିକ୍‌ ଦୁଆର ପାଖକୁ ଯାଉଛନ୍ତି, ସେ ଛୁରି ମାଇଲା ପରି ହଠାତ୍‌ କହିଦେଲେ, ‘‘ଏଥର ତ ସବୁଦିନେ ତୁମର କାମକୁ ଯିବାକୁ ଡେରି ହେଉଥିବ । ଏବେ ତୁମେ ପ୍ରତିଦିନ ଖିଅର ହେଲଣି ।’’

 

ଡେନିସ୍‌ ଇଡି ବିଷୟରେ ଯେଉଁ ଅସ୍ପଷ୍ଟ ଇଙ୍ଗିତ ଦିଆ ହୋଇଥିଲା ତା’ଠାରୁ ଏ ମାଡ଼ଟା ଏଥାନ୍‍ଙ୍କୁ ବେଶି ତ୍ରସ୍ତ କରିଦେଲା । ସତ କଥା, ମ୍ୟାଟି ଘରକୁ ଆସିବା ଦିନୁଁ ସେ ନିତି ଖିଅର ହେବା ଅଭ୍ୟାସ ଧରିଛନ୍ତି । କିନ୍ତୁ ସେ ଖିଅର ହେବାକୁ ଶୀତ ରାତିର ଭୋରରେ ଜୀନାଙ୍କ ପାଖରୁ ଉଠି ପାଣି ପାଇପ୍‌ ପାଖକୁ ପ୍ରତ୍ୟହ ଗଲାବେଳକୁ ତାଙ୍କ ସ୍ତ୍ରୀ ନିଦରେ ଶୋଇଥାନ୍ତି ବୋଲି ତାଙ୍କର ଧାରଣା ଥାଏ । ପୁଣି ମୂର୍ଖାମି କରି ସେ ଧରି ନେଇଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ଆଖିରେ ତାଙ୍କ ଚେହେରା ବାଗେଇବା କଥାଟା ପଡ଼ିବ ନାହିଁ । ଅବଶ୍ୟ ଜେନୋବିଆଙ୍କର ଏ ଢଙ୍ଗର ପ୍ରମାଣ ସେ ପୂର୍ବରୁ ଥରେ ଦି’ଥର ପାଇଥିଲେ । ସେ ଘଟଣାଟାଏ ଘଟିବାକୁ ଦିଅନ୍ତି; ଘଟଣା ଘଟିବାବେଳେ ତାଙ୍କ ଆଖିରେ ପଡ଼ିଛି ବୋଲି ଧରିହୁଏ ନାହିଁ । କେତେ ସପ୍ତାହ ଗଡ଼ିଗଲା ପରେ ହଠାତ୍‌ ଅପ୍ରତ୍ୟାଶିତ ଭାବେ ଏପରି ପଦେ ଦି’ପଦ ହାଙ୍କି ଦିଅନ୍ତି ଯେଉଁଥିରୁ ପରିଷ୍କାର ଜଣା ପଡ଼ିଯାଏ ଯେ ସେ ସବୁ କଥା ଟିକିନିଖି ଦେଖିଛନ୍ତି ଓ ସେଥିରୁ ଗୁଡ଼ାଏ ଅନୁମାନ ଓ ସିଦ୍ଧାନ୍ତ କରିସାରିଛନ୍ତି । କିନ୍ତୁ ଏବେ କେତେ ଦିନ ହେଲା ଜୀନାଙ୍କଠାରୁ ଏଭଳି କଟୁ ସମାଲୋଚନାର ଭୟ ଏଥାନ୍‍ଙ୍କ ମନରୁ ଅପସରି ଯାଇଥିଲା ଜୀନା ନିଜ ଆଡ଼ୁ ବୋଧହୁଏ ପରିସ୍ଥିତିର ତାଡ଼ନାରେ ଟିକିଏ ଆଡ଼େଇ ହୋଇ ରହୁଥିଲେ । ତାଙ୍କ ସ୍ଥିତି ଅସ୍ପଷ୍ଟ ଛାଇପରି ଏଥାନ୍‍ଙ୍କ ନିତ୍ୟ ନୈମିତ୍ତିକ ଜୀବନର ପଛ ଆଡ଼କୁ ଅପସରି ଯାଇଥିଲା । ପ୍ରତ୍ୟହ ଏଥାନ୍‍ଙ୍କ ଜୀବନ କଟୁଥିଲା ମ୍ୟାଟି ସିଲ୍‍ଭର୍‍ଙ୍କ ଦୃଷ୍ଟି ପଥରେ ଓ ସ୍ୱରର ବେଷ୍ଟନୀ ଭିତରେ । ଅନ୍ୟଭାବେ ଜୀବନ କଟିପାରେ ଏ ଧାରଣା ବି ତାଙ୍କର ଲୋପହୋଇ ଯାଇଥିଲା.... ।

 

ଆଜି ଏଇ ମୁହୂର୍ତ୍ତରେ ଏଥାନ୍‌ ଗିର୍ଜାର ବାହାରେ ଠିଆ ହୋଇ, ଡେନିସ୍‌ ଇଡିଙ୍କ ବାହୁ ବନ୍ଧନରେ ମ୍ୟାଟିଙ୍କର ଅଙ୍ଗଯଷ୍ଟି ନୃତ୍ୟ ଅଙ୍ଗନରେ ଘୁରି ଯାଉଥିବାର ଦେଖି, ଅବଜ୍ଞାରେ ଉଡ଼ାଇ ଦେଇଥିବା ନିଜ ପତ୍ନୀଙ୍କର ଗୂଢ଼ ଇଙ୍ଗିତ ଓ ଚେତାବନୀ ସବୁ ତାଙ୍କ ମସ୍ତିଷ୍କ ଉପରେ ଆସି ମେଘପରି ଘୋଟିଗଲେ..... ।

 

ଦ୍ୱିତୀୟ ପରିଚ୍ଛେଦ

 

ନୃତ୍ୟକାରୀମାନେ ହଲ୍ ଭିତରୁ ବାହାରକୁ ବାହାରିବାର ଦେଖି ଫ୍ରୋମ୍‌ ବାହାରକୁ ମେଲା ହେଇଥିବା ଦୁଆର ପଛଆଡ଼େ ଲୁଚିଗଲେ । ଅପରୂପ ଭାବେ ଶରୀରକୁ ଆଚ୍ଛାଦିତ କରି ଏମାନେ ଯାଉଥାନ୍ତି; କାହାରି କାହାରି ହାତରେ ଧରିଥିବା ଲଣ୍ଠନ ଆଲୁଅରେ, ସେମାନଙ୍କ ମୁହଁ ଦିଶି ଯାଉଥାଏ—ନାଚି ନାଚି ଓ ଗୁଡ଼ାଏ ଖାଇ ଏ ମୁହଁ ସବୁ ରଙ୍ଗ ପଡ଼ିଥାଏ । ପାଖ ଆଖର ଯେଉଁମାନେ ଚାଲି କରି ଆସିଥିଲେ ସେମାନେ ପହିଲେ ଦାଣ୍ଡକୁ ବାହାରି ସଦର ରାସ୍ତାକୁ ଉଠୁଥାନ୍ତି, ଗିର୍ଜାପାଖ ଉଠାଣି ପାର ହୋଇ ଟିକିଏ ଦୂରବର୍ତ୍ତୀ ଗାଁ ଆସିଥିବା ଲୋକେ ଧୀରେ ସୁସ୍ଥେ ଚାଳିଆ ତଳେ ଅପେକ୍ଷା କରୁଥିବା ସ୍ଲେଜ୍‌ମାନଙ୍କରେ ଜାକିଜୁକି ହୋଇ ବସୁଥାନ୍ତି ।

 

ଚାଳିଆ ପାଖର ଲୋକ ଗହଳିରୁ ମାଇପି-ତୁଣ୍ଡ ଶୁଣାଗଲା, ‘‘କିଲୋ ମ୍ୟାଟି, ବଗିରେ ଯିବୁ ନାଇଁକି ଲୋ ?’’ ଏ କଥା ଶୁଣି ଏଥାନ୍‍ଙ୍କ ଛାତି ଦୁଲ୍‌ କିନା ହେଲା । ସେ ଯେଉଁଠାରେ ଠିଆ ହୋଇଥିଲେ ସେଠାରୁ ବାହାର ଦୁଆରର କାଠ ବାଡ଼ା ପାର ହୋଇ କେତେ ପାଦ ଆଗକୁ ଯିବା ପୂର୍ବରୁ ମଣିଷ ଦିଶୁ ନଥାନ୍ତି । କିନ୍ତୁ ଦୁଆରର ଫାଙ୍କ ବାଟେ ସେ ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟ ସ୍ୱରରେ ଶୁଣିଲେ, ‘‘ନାଇଁମ ! ଏଭଳି ରାତିରେ ଚାଲିକରି ଯିବାକୁ ମୋତେ ସୁଖ ଲାଗିବ ।’’

 

ୟେ ତ ମ୍ୟାଟିର ସ୍ୱର; ତେବେ ମ୍ୟାଟି ତାଙ୍କର ଖୁବ୍‌ ନିକଟରେ; ଅନ୍ତରାୟ ହାରର ପତଳା ପଟା ଖଣ୍ଡକ ମାତ୍ର ! ମୁହୂର୍ତ୍ତକରେ ସେ ବାହାରର ଅନ୍ଧାରକୁ ବାହାରି ପଡ଼ିବେ ଓ ଅନ୍ଧାରରେ ଅଭ୍ୟସ୍ତ ହୋଇଥିବା ଫ୍ରୋମ୍‍ଙ୍କ ଆଖିକୁ ସେ ଦିଶିବେ, ଦିନବେଳର ଆଲୁଅରେ ଯେପରି ଦିଶନ୍ତି ସେଇପରି । ସ୍ପଷ୍ଟଭାବରେ ଏଠାରେ ଏପରି ଭାବେ ଠିଆ ହୋଇଥିବାର ଦେଖି କିଏ କ’ଣ ବିଚାରିବେ ବୋଲି ଫ୍ରୋମ୍‍ଙ୍କୁ ସଙ୍କୋଚ ଲାଗିଲା । ସେ ଲାଜରେ କାନ୍ଥର ଅନ୍ଧାରୁଆ ପାଖକୁ ହଟିଗଲେ ଓ ମ୍ୟାଟିଙ୍କୁ ନିଜର ଉପସ୍ଥିତି ଅଗୋଚର ରଖି ତୁନି ହୋଇ ଠିଆ ହେଲେ । ମ୍ୟାଟିଙ୍କର ଖୋଲା ପ୍ରକୃତି; ସହଜ ସୁନ୍ଦର ଭାବେ ସେ ମଣିଷ ସଙ୍ଗେ ମିଳି ଚଳନ୍ତି; ଫ୍ରୋମ୍‍ ଲାଜକୁଳା, ମିଳାମିଶା କରିବାର ସଦା ସଙ୍କୁଚିତ । ପ୍ରକୃତିର ଏ ପାର୍ଥକ୍ୟ ଫ୍ରୋମ୍‍ଙ୍କୁ ଆହୁରି ଦାବି ଦେବାର କଥା, କିନ୍ତୁ ଏ ଦୁହିଁଙ୍କ ଘନିଷ୍ଠତାରେ ଓଲଟା ଫଳ ଫଳିଥିଲା; ମ୍ୟାଟିଙ୍କ ଠାରୁ ଫ୍ରୋମ୍‌ ଟିକିଏ ମିଶାଣ ଓ ଖୋଲାଢ଼ଙ୍ଗ ଆହରଣ କରିଥିଲେ । ଆଜି କିନ୍ତୁ ମ୍ୟାଟିଙ୍କଠାରୁ ଆହରଣ କରିଥିବା ଢଙ୍ଗ ପ୍ରକାଶ ପାଇଲା ନାହିଁ । କଲେଜରେ ପଢ଼ିଲାବେଳେ ସେମାନେ କେତେଜଣ ଛାତ୍ରଛାତ୍ରୀ ବଣଭୋଜି କରିବାକୁ ଯାଇଥିଲେ, ସାଙ୍ଗରେ ଯାଇଥିବା ଛାତ୍ରୀମାନଙ୍କ ସଙ୍ଗେ ଆଳାପ କରିବାବେଳେ ତାଙ୍କୁ ଯେପରି ମାଡ଼ି ପଡ଼ିଥିଲା ଓ ସେ ବୋକା ବନି ଯାଇଥିଲେ ଆଜି ପୁଣି ସେଇ ଭାବ ଫେରି ଆସିଥାଏ-

 

ସେ ଅନ୍ଧାରକୁ ରହିଗଲେ ଓ ମ୍ୟାଟି ଏକୁଟିଆ ମେଲାକୁ ଆସି ତାଙ୍କଠାରୁ ସାମାନ୍ୟ କେତେ ହାତ ଦୂରରେ ଠିଆ ହେଲେ । ଆଉ ହଲ୍‌ ଭିତରେ କେହି ନଥାନ୍ତି ବୋଲି କହିଲେ ଚଳେ ମ୍ୟାଟି ଚାରିଆଡ଼କୁ ଆଖି ବୁଲାଉଥାନ୍ତି; ବୋଧହୁଏ, ଫ୍ରୋମ୍‌ କାହିଁକି ଦିଶୁ ନାହାନ୍ତି ବୋଲି ମନେ ମନେ ବିସ୍ମିତ ହେଉଥାନ୍ତି । ସେତିକିବେଳେ ଆଉ ଜଣେ ଆସି ମ୍ୟାଟି ପାଖରେ ପହଞ୍ଚିଲେ, ସେ ଏତେ ପାଖକୁ ଆସିଲେ ଯେ, ଉଭୟଙ୍କର କଳା ଘୋଡ଼ିହେଲା ଅନ୍ଧାରରେ ବାରି ନହେଉ ଥିବାରୁ ଉଭୟ ଏକ ସଙ୍ଗେ ମିଶି ଗୋଟିଏ ହୋଇଗଲା ପରି ଜଣା ଯାଉଥିଲା ।

 

‘‘କି ମ୍ୟାଟ୍‌ ? ତୁମ ବନ୍ଧୁ ଭଦ୍ରଲୋକଟି ତୁମକୁ ଭୁଲିଗଲେଣି ବୋଧହୁଏ । ବାସ୍ତବିକ କେଡ଼େ ଦୁଃଖ ନହେଉଥିବ ତୁମକୁ । ଚିନ୍ତାକର ନାହିଁ, ତୁମପ୍ରତି ଏ ଅବଜ୍ଞା କଥା ମୁଁ ତୁମର କୌଣସି ସାଥିକୁ କେବେ କହିବି ନାହିଁ, ଏଡ଼େ ହୃଦୟ ହୀନ ନୁହେଁ ମୁଁ’’ (ନୀଚଜନ ସୁଲଭ ଏଭଳି ପରିହାସ ଫ୍ରୋମ୍‌ଙ୍କୁ କେଡ଼େ ଖରାପ ନଲାଗୁ ଥାଏ ସତେ !) ‘‘ହଉ ଛାଡ଼ ସେ କଥା ବାପାଙ୍କ ବଗିଟା ଆଜି ମୁଁ ଘେନି ଆସିଛି, ଆମ ଦୁହିଙ୍କର ପରମ ଭାଗ୍ୟ । ହେଇଟି’ ଆମକୁ ତାହା ଚାହିଁ କରି ରହିଛି ।

 

ଫ୍ରୋମ୍‌ ଶୁଣିଲେ ମ୍ୟାଟିଙ୍କ ସ୍ୱର; ସେ ଖୁସି ମନରେ କିଞ୍ଚିତ ଅବିଶ୍ୱାସ କରି କହୁଥାନ୍ତି ‘‘ତୁଚ୍ଛା କଥା ! ତୁମ ବାପାଙ୍କ ଫିଟନ୍‌ ଗାଡ଼ି ଏଠାକୁ କାହିଁକି ଆସନ୍ତା ମ ?’’

 

‘‘କାହିଁକି, ମୁଁ ବସିକରି ଯିବାକୁ ଆସିଛି, ଆଉ କାହିଁକି ? ଛଇଲା ଘୋଡ଼ା–ଛୁଆଟାକୁ ସେଥିରେ ଯୋଚି ଆଣିଚି ବି । ମୋତେ ଆଗରୁ କେମିତି ଜଣା ପଡ଼ିଲା ଯେ ଆଜି ରାତିରେ ଗାଡ଼ିଚଢ଼ି ଯିବାକୁ ମନ ହେବ ।’’ ପାଖରେ ମ୍ୟାଟିଙ୍କୁ ଅସହାୟ ଅବସ୍ଥାରେ ପାଇ ଇଡିଙ୍କ ମନ ଉଡ଼ୁଥାଏ । ତାଙ୍କ ହାମବଢ଼ା କଥାରେ ପ୍ରେମର ଆବେଗ ମିଶିଥାଏ ।’’

 

ଯୁବତୀ ଟିକିଏ ଇତସ୍ତତଃ ହେଲା ପରି ଜଣା ପଡ଼ୁଥାଏ । ଫ୍ରୋମ୍‌ ଦେଖିଲେ ନିଜର ମନ ସ୍ଥିର କରି ନପାରି ମ୍ୟାଟି ନିଜ ଓଢ଼ଣିର କାନିକୁ ଆଙ୍ଗୁଠିରେ ଗୁଡ଼ାଉଥାନ୍ତି । ୟାପରେ ମ୍ୟାଟି କ’ଣ ଉତ୍ତର ଦେବେ ତାରି ଉପରେ ଫ୍ରୋମ୍‌ଙ୍କ ଭାଗ୍ୟ ଝୁଲୁଥିଲେ ହୁଁ ସେ ନିଜର ଉପସ୍ଥିତି ସୂଚାଇ ଦେବାକୁ ଭରସି ପାରିଲେ ନାହିଁ ।

 

ଡେନିସ୍‌ ବଗି ପାଖକୁ ଧାଉଁ ଧାଉଁ ମ୍ୟାଟିଙ୍କୁ ଡାକଦେଲେ, ‘‘ମିନିଟିଏ ଅପେକ୍ଷା କର । ମୁଁ ଘୋଡ଼ାଛୁଆଟାକୁ ଯୋଚୁଛି ।’’

 

ମ୍ୟାଟି ନିର୍ବିକାର ଭାବେ ଠିଆହୋଇ, ଡେନିସ୍‌ଙ୍କୁ ଚାହିଁଥାନ୍ତି । ଲୁଚିରହି ଚାହିଁଥିବା ମଣିଷ କିପରି ଦହଗଞ୍ଜ ହେଉଛି ସେ ଜାଣିବେ କୁଆଡ଼ୁ ? ସେ ନିଶ୍ଚିତ ମନରେ ଡେନିସ୍‌ଙ୍କ ପ୍ରତୀକ୍ଷା କରୁଥାନ୍ତି ବୋଧହୁଏ ଫ୍ରୋମ୍‍ ଲକ୍ଷ୍ୟ କରୁଥାନ୍ତି, ରାତିର ଅନ୍ଧାରରେ ଆଉ ଜଣକୁ ଦେଖିବା ଆଶାରେ ମ୍ୟାଟି ଆଉ ଏଣେ ତେଣେ ଆଖି ବୁଲାଉ ନଥାନ୍ତି । ଡେନିସ୍‌ ଇଡି ଘୋଡ଼ାର ଲଗାମ ଧରି, ବଗି ମେଲାକୁ ଆଣିଲେ । ସିଟ୍‌ ଉପରକୁ ଉଠିଗଲେ ଓ ପାଖରେ ଥୁଆହୋଇଥିବା ଭାଲୁଚମଡ଼ାକୁ ପଛକୁ ଆଡ଼େଇ ଦେଲେ ନିଜ ପାଖରେ ମ୍ୟାଟିଙ୍କ ପାଇଁ ଜାଗା କରିବାକୁ । ଏ ପର୍ଯ୍ୟନ୍ତ ମ୍ୟାଟି କିଛି କହୁ ନଥାନ୍ତି । ତାପରେ ଡେନିସ୍‌ ବଗିରେ ଉଠିବାକୁ ତାଙ୍କୁ ଇସାରା କରିବା ମାତ୍ରେ ସେ ଚଞ୍ଚଳ ଗତିରେ ବୁଲି ପଡ଼ିଲେ ଗିର୍ଜା ସାମନା ଉଠାଣି ଉଠିବାକୁ; ପଛକୁ ମୁହଁ ବୁଲାଇ ଡେନିସ୍‌ଙ୍କୁ କହିଲେ, ‘‘ବିଦାୟ-! ମୋର ଆଶା, ମହା ମଉଜରେ ବଗି ଚଳାଇ ଘରକୁ ଫେରିବ ।’’

 

ଡେନିସ୍‌ ହସି ପକାଇଲେ ଓ ଘୋଡ଼ାର ଲଗାମଟାକୁ ଏପରି ଟାଣିଦେଲେ ଯେ ସେ ହଠାତ୍‌ ବୁଲିପଡ଼ି ପଛକୁ ହଟି ଯାଉଥିବା ମ୍ୟାଟିଙ୍କ ପାଖରେ ଯାଇ ଠିଆ ହୋଇଗଲା ।

 

ଡେନିସ୍‌ ଡାକିଲେ, ‘‘ଆସ, ଆସ ଶୀଘ୍ର ଚଢ଼ିଆସ । ଏ ମୋଡ଼ଟା ଭାରି ଖସଡ଼ା ହୋଇଛି-।’’ ସେ ଏହା କହୁକହୁ ବଗିରୁ ଝୁଙ୍କି ପଡ଼ି ହାତ ବଢ଼ାଇଲେ ମ୍ୟାଟିଙ୍କୁ ଭିଡ଼ି ଆଣିବାକୁ ।

 

ମ୍ୟାଟି ହସର ଜବାବ ହସରେ ଦେଇ କହିଲେ, ‘‘ବିଦାୟ ବିଦାୟ, ମୁଁ ଗାଡ଼ିରେ ଚଢ଼ିବି ନାହିଁ ।’’

 

ଏତେବେଳକୁ ଏ ଦୁହେଁ ଫ୍ରୋମ୍‌ଙ୍କ କାନର ପହଁଚରୁ ଦୂରକୁ ଚାଲି ଯାଇଥାନ୍ତି; ଫ୍ରୋମ୍‍ ଯେଉଁଠି ଠିଆ ହୋଇଥାନ୍ତି ତା ଉପରକୁ; ଉଠାଣିର ମଥାନରେ ଦୁହେଁ ଯାକ ଦିଶୁଥାନ୍ତି । ସେମାନଙ୍କ ଅଙ୍ଗଭଙ୍ଗୀ ଓ ଗତିର ଅସ୍ପଷ୍ଟ ଚିତ୍ର ତୁଷାର ପର୍ଦ୍ଦା ଉପରେ ପଡ଼ୁଥାଏ । ଫ୍ରୋମ୍‌ ଦେଖିଲେ ଟିକକ ପରେ ଇଡ଼ି ବଗିରୁ ଡେଇଁ ପଡ଼ି ମ୍ୟାଟିଙ୍କ ପାଖକୁ ଆସିଲେ । ଘୋଡ଼ାର ଲଗାମ ଗୋଟାଏ ହାତରେ ଥାଏ, ଆର ହାତ ମ୍ୟାଟିଙ୍କ ହାତରେ ଛନ୍ଦି ଦେବାକୁ ସେ ଚେଷ୍ଟା କରୁଥାନ୍ତି । କିନ୍ତୁ ମ୍ୟାଟି ଚଞ୍ଚଳ ଆଡ଼େଇ ହୋଇ ତାଙ୍କ ମୁଠାରୁ ଖସିଗଲେ । ଡେନିସ୍‌ ବଗିରୁ ଡେଇଁ ପଡ଼ିଲାବେଳେ ଫ୍ରୋମ୍‌ଙ୍କ ହୃତପିଣ୍ଡ ବନ୍ଦ ହୋଇ ଆସୁଥିଲା । ମ୍ୟାଟି ଖସି ଯିବାରୁ ତା ପୁଣି ନିରାପଦରେ ଚଳିବାକୁ ଆରମ୍ଭ କଲା । ଆଉ ଟିକକ ପରେ ଗତିଶୀଳ ସ୍ଲେଜ୍‍ ଗାଡ଼ିର ଟିଣ୍‌ଟିଣ୍‌ ଶବ୍ଦ ଶୁଭିଲା ଏବଂ ଫ୍ରୋମ୍‌ ଦେଖିଲେ ଗୋଟିଏ ମୂର୍ତ୍ତି ଗିର୍ଜା ସାମ୍‌ନାର ଖୋଲା ତୁଷାର ଆସ୍ତରଣରେ ଏକାକୀ ଅଗ୍ରସର ହେଉଛି-

 

ବାର୍ଣମ୍‌ ଗେଟର ସ୍ପୃଶ୍‌ ଗଛ ଛାଇରେ ଫ୍ରୋମ୍‌ତାଙ୍କ ସଙ୍ଗେ ଯାଇ ମିଶିଲେ; ଫ୍ରୋମ୍‌ଙ୍କ ଆସିବାର ବାରି ପାରି ମ୍ୟାଟି ପଛକୁ ବୁଲିପଡ଼ି କହିଲେ, ‘‘ଓଃ’’ ।

 

ଆଉ ପ୍ରତ୍ୟୟହୀନ ଆନନ୍ଦରେ ଫ୍ରୋମ୍‌ ପଚାରିଲେ, ‘‘ତୁମକୁ ମୁଁ ଭୁଲିଗଲେ ବୋଲି ବିଚାରୁଥିଲ ପରା ମ୍ୟାଟ୍‌ ?’’

 

ସେ କିନ୍ତୁ ଗମ୍ଭୀର ଭାବେ ଉତ୍ତର ଦେଲେ, ‘‘ବିଚାରିଲି ମୋତେ ନେବାକୁ ଆସି ପାରିଲ ନାହିଁ ।’’

 

‘‘ପାରିବି ନାହିଁ ! ମୋତେ ଏମିତି ଅଟକାଇ ରଖିବାବାଲା କିଏ ଅଛି ?’’

 

‘‘ମୁଁ ଜାଣେ ଆଜି ଜୀନାକୁ ଖୁବ ଖରାପ ଲାଗୁଥିଲା ।’’

 

‘‘ଓଃ, ଜୀନା ବହୁତ ବେଳୁ ଶେଯଲାଗି ହୋଇ ସାରିଲାଣି ।’’ ଏତକ କହି ଫ୍ରୋମ୍‌ ଟିକିଏ ଅଟକିଲେ; ତାଙ୍କ ମୁହଁରୁ ବାହାରିବ ବୋଲି ଗୋଟାଏ ପ୍ରଶ୍ନ ଛଟପଟ ହେଉଥାଏ । ‘‘ତେବେ କଣ ତୁମେ ଘରକୁ ଏକୁଟିଆ ଫେରିବାକୁ ବାହାରି ଥିଲ ?’’

 

ମ୍ୟାଟି ହସିହସି ଉତ୍ତର ଦେଲେ, ‘‘ମୋତେ ଡର ମାଡ଼େ ନାହିଁ ସ୍ପୃଶ୍‌ ଗଛମାନଙ୍କର ଅନ୍ଧାରିଆ ଛାଇରେ ଦୁହେଁ ଠିଆ ହୋଇଥାନ୍ତି । ଉପରେ ଆକାଶରୁ ତାରାଗୁଡ଼ିଏ ଓହଳିଥାଆନ୍ତି; ତଳେ ଜନମାନବଶୂନ୍ୟ ବିସ୍ତୀର୍ଣ୍ଣ ପ୍ରାନ୍ତରର ତୁଷାର ଆସ୍ତରଣ ତାରକାମାନଙ୍କର ଆଲୋକକୁ ପ୍ରତିବିମ୍ୱିତ କରୁଥାଏ । ଏଥାନ୍‍ଙ୍କ ମୁହଁରୁ ମନ ଭିତରର ସେଇ ପ୍ରଶ୍ନ ଫୁଟି ବାହାରିଲା ।

 

‘‘ମୁଁ ଆସିଲିନାହିଁ ବୋଲି ଯଦି ବିଚାରିଲ, ତେବେ ଡେନିସ୍‌ ଇଡି ସାଙ୍ଗରେ ବଗିରେ ଘରକୁ ନ ଫେରିଲ କିଆଁ ?’’

 

‘‘ଏଁ ? ତୁମେ ଥିଲ କେଉଁଠି ? ଆମକୁ ଦେଖିଲ କେମିତି ? ମୁଁ ତ ତୁମକୁ ଆଦୌ ଦେଖି ନାହିଁ ।’’

 

ପର୍ବତ ଉପରେ ଜମିଥିବା ବରଫଉପରେ ବସନ୍ତର ତାତି ବାଜିଲେ ସେଥିରୁ ଧାର ଧାର ହୋଇ ପାଣି ନିଗିଡ଼ି ପଡ଼େ; ଏଇ ଧାର ଗୁଡ଼ିକ ଗଡ଼ୁ ଗଡୁ ଏକାଠି ହୋଇ ତଳକୁ ବୋହିଯାନ୍ତି । ସେହିପରି ମ୍ୟାଟିଙ୍କ ବିସ୍ମୟ ଓ ଏଥାନ୍‍ଙ୍କ ଆନନ୍ଦର ଧାର ଏକାଠି ହୋଇ ବହିଚାଲିଲା । ଏଥାନ୍‍ଙ୍କର ମନେ ହେଉଥାଏ, ସେ ଅଲକ୍ଷିତ ଭାବେ ମ୍ୟାଟି ଓ ଡେନିସ୍‍ ଙ୍କ ଅଭିନୟ ଓ ବଚନିକ ଶୁଣି ବଡ଼ ଚତୁର ଓ ବାହାଦୁରି କାମଟାଏ କରିଛନ୍ତି । ଏହାଦ୍ୱାରା ମ୍ୟାଟିଙ୍କ ଉପରେ ଯେଉଁ ବିସ୍ମୟକର ପ୍ରଭାବ ପଡ଼ିଛି ତାହାକୁ ଆଉ କିଛି ସମୟ ବଞ୍ଚାଇ ରଖିବାକୁ ସେ କ’ଣ କହିବେ ବିଚାରି ବିଚାରି ଶେଷରେ ଆନନ୍ଦରେ ଅସ୍ପଷ୍ଟ ସ୍ୱରରେ ଏତିକିମାତ୍ର କହି ପକାଇଲେ–‘ହଉ ଯିବା ଚାଲ’ ।

 

ଇଡି ଯେପରି କରିଥିଲା ଠିକ୍‌ ସେହିପରି ସେ ତାଙ୍କର ଗୋଟିଏ ବାହୁ ମ୍ୟାଟିଙ୍କ ବାହୁରେ ଛନ୍ଦି ଦେଲେ—କଳ୍ପନା କରୁଥାନ୍ତି, ବୋଧହୁଏ ତାଙ୍କ ବାହୁ ମ୍ୟାଟିଙ୍କ ଦେହରେ ସାମାନ୍ୟ ବାଜ୍‌ନବାଜ ହେଉଥାଏ । ଦୁହେଁ ପାଦ ନ ଚାଳି ଏଇପରି ଟିକିଏ ଠିଆ ହୋଇ ରହିଲେ । ସ୍ପୃଶ୍ ଗଛ ତଳ ଏତେ ଅନ୍ଧାରିଆ ହୋଇଥାଏ ଯେ, ନିଜର କାନ୍ଧ ପାଖରେ ଆଉଜିଲା ପରି ମ୍ୟାଟିଙ୍କ ରହିଥିବା ମସ୍ତକର ରେଖାକୁ ସେ ଦେଖିପାରୁନଥାନ୍ତି । ତାଙ୍କ ମନ ହେଉଥାଏ ସେ ନିଜର ମୁଣ୍ଡ ନୁଆଇଁ, ମ୍ୟାଟିଙ୍କ ଓଢ଼ଣିରେ ନିଜର ଗାଲ ଘଷିଦେବେ । ଏଇପରି ରାତି ତମାମ ମ୍ୟାଟିଙ୍କ ପାଖେ ଅନ୍ଧାରରେ ଠିଆହୋଇ ରହିବାକୁ ତାଙ୍କ ଆତ୍ମା ଡାକୁଥାଏ । ତାଙ୍କ ଚିନ୍ତାକୁ ଭାଙ୍ଗି ଏତିକିବେଳେ ମ୍ୟାଟି ପାଦେ ଦି’ପାଦ ଆଗକୁ ଯାଇ କର୍‌ବ୍ୟୁର ସଡ଼କର ଗଡ଼ାଣି ମୁଣ୍ଡରେ ପୁଣି ଠିଆ ହେଲେ । ଆଗରେ, ଗଡ଼ାଣିଟା ଉପରେ ବହଳ ହୋଇ ବରଫ ପଡ଼ିଥାଏ । ତା’ ଉପରେ ପଡ଼ିଥାଏ ବହୁତ ବଗି ଚକର ଦାଗ । ବରଫ ଉପରେ ଏ ଦାଗ ଗୁଡ଼ାକ ଦିଶୁଥାଏ, ସରେଇ ଘରର ଦର୍ପଣ ବାଟୋଇଙ୍କ ନଖର ଗାରରେ ଆଞ୍ଚୁଡ଼ି ହେଲାପରି ।

 

ମ୍ୟାଟି କହିଲେ, ‘‘ଚନ୍ଦ୍ର ବୁଡ଼ିବା ଯାଏଁ ବହୁତ ଯୁବକ ଯୁବତୀ ଏଇ ଗଡ଼ାଣିରେ ତଳକୁ ଖସି ମଉଜ କରୁଥିଲେ ।’’

 

ଏଥାନ୍‌ ପଚାରିଲେ, ‘‘ଏଇପରି ଗୋଟିଏ ରାତିରେ ଆସି ତାଙ୍କ ସାଙ୍ଗେ ବରଫରେ ଖସିଲେ ଖୁସି ହୁଅନ୍ତା ବୋଧହୁଏ !’’

 

‘‘ଏଥାନ୍‌ ? ତୁମେ ମୋ ସଙ୍ଗେ ଆସିବ ତେବେ ? ଭାରି ମଉଜ ହୁଅନ୍ତା ।’’

 

‘‘କାଲି ରାତିରେ ଜହ୍ନକୁ ଯଦି ମେଘ ଘୋଡ଼ାଇ ନ ଦିଏ, ତେବେ ଆସିବା ।’’

 

ସେଇ ଜାଗାରେ ମ୍ୟାଟି ଆଉ ଟିକିଏ ଅଟକିଲେ; ଏଥାନ୍‍ଙ୍କ ଦେହକୁ ସେ ଲାଗି ଯାଇଥାନ୍ତି; କହିଲେ, ‘‘ନେଡ୍‌ ହେଲ୍‌ ଓ ରୁଥ୍‌ ବାର୍ଣମ୍‌ ଆଜି ଏଇ ବରଫରେ ଖସୁଥିଲେ ଯେ, ଗଡ଼ିନ୍ତିର ଶେଷ ମୁଣ୍ଡରେ ଯେଉଁ ମୋଟା ଏଲମ୍‌ ଗଛଟା ଅଛି, ସେଥିରେ ଯାଇ ପିଟି ହୋଇଯାଇଥାନ୍ତେ । ତାଙ୍କୁ ଦେଖି ଆମର ଆଖି ଖୋସି ହୋଇଗଲା, ବିଚାରିଲୁଁ ଗଛରେ ପିଟି ହୋଇ ମରିବେ ନିଶ୍ଚୟ ।’’ ମ୍ୟାଟି ଆତଙ୍କରେ ଥରି ଯିବା ଏଥାନ୍‍ ନିଜ ବାହୁରେ ଅନୁଭବ କଲେ । ମ୍ୟାଟି ପୁଣି କହୁଥାନ୍ତି, ‘‘ଆହା, ଏଭଳି ଦୁର୍ଘଟଣା ଘଟିଥିଲେ କେଡ଼େ ଭୟାନକ ନ ହୋଇଥାନ୍ତା ? ସେ ଦୁହେଁ କେଡ଼େ ଆନନ୍ଦରେ ଭବିଷ୍ୟତକୁ ଚାହିଁଛନ୍ତି । ସବୁ ବୃଥା ହୋଇଯାଇଥାନ୍ତା !’’

 

ଏଥାନ୍‌ କହିଲେ, ‘‘ଧେତ୍‌, ସେ ନେଡଟାକୁ ବରଫରେ ଖସିବାର ସୂତ୍ର ଜଣାନାହିଁ । ମୋର ବିଶ୍ୱାସ, ତୁମେ ମୋ ସାଙ୍ଗରେ ଖସିଲେ କୌଣସି ବିପଦର ସମ୍ଭାବନା ନାହିଁ ।’’ ଏଥାନ୍‍ଙ୍କ ସ୍ୱରରେ ନେଡ୍‌ ପ୍ରତି ତାଚ୍ଛଲ୍ୟ, ସମ୍ଭାବିତ ବିପଦ ପ୍ରତି ବେପରୁଆ ଭାବ ।

 

ଏଥାନ୍‌ ଅନୁଭବ କରୁଥାନ୍ତି ଯେ, ସେ ଡେନିସ୍‍ ଇଡି ପରି ଟିକିଏ ବେଶି ବାହାଦୁରି କରୁଛନ୍ତି । କିନ୍ତୁ ଏତେବେଳେ ତାଙ୍କ ମନର ଆନନ୍ଦ ଯୋଗୁ ରକ୍ତ ଚଞ୍ଚଳ ହୋଇଯାଇଥାଏ; ସେ ନିଜ ତୁଣ୍ଡକୁ ସଂଯତ କରିପାରୁନଥାନ୍ତି । ବିବାହ ନିର୍ବନ୍ଧ ହୋଇଥିବା ନେଡ୍‌ ଓ ରୁଥଙ୍କ ବିଷୟରେ ମ୍ୟାଟି ଯେ କହିଲେ, ‘ସେ ଦୁହେଁ କେଡ଼େ ଆନନ୍ଦରେ ଭବିଷ୍ୟତକୁ ଅପେକ୍ଷା କରିଛନ୍ତି’, ତାହା ଶୁଣି ଓ ମ୍ୟାଟିଙ୍କ କହିବା ଢଙ୍ଗକୁ ଲକ୍ଷ୍ୟ କରି, ଏଥାନ୍‌ ମନେ ମନେ ଭାବୁଥାନ୍ତି ଯେ, ମାଟି ତାଙ୍କ ସଙ୍ଗେ ନିଜର ସମ୍ପର୍କ ବିଷୟ ମନରେ ଭାବୁଛନ୍ତି । ଏହା ଭାବିବାରୁ ତାଙ୍କ ମନର ଆନନ୍ଦାବେଗ ଏକାବେଳକେ ସୀମା ଲଙ୍ଘିଗଲା ।

 

ମ୍ୟାଟି ଏଥାନ୍‍ଙ୍କ ବେପରୁଆ ଭାବର ବିରୋଧ କରି କହିଲେ, ‘‘କିନ୍ତୁ ସେ ଏଲମ୍‌ ଗଛଟା ବାସ୍ତବିକ ଭୟାନକ । ସେଇଟା କାଟି ଦେବା ଉଚିତ ।’’

 

ଏଥାନ୍‌ କହିଲେ, ‘‘ମୁଁ ସାଙ୍ଗରେ ଥିଲେ ବି କ’ଣ ତୁମକୁ ସେ ଗଛଟାକୁ ଡର ମାଡ଼ିବ ?’’

 

ମ୍ୟାଟି କହିଲେ, ‘‘କହିଛି ପରା, ମୁଁ ଡରିବା ଲୋକ ନୁହେଁ ।’’ ଏହା କହି ସେ ବେଖାତିରିଆ ଭାବରେ ମୁଣ୍ଡ ହଲାଇ ହଟିଗଲେ ଓ ହଠାତ୍‌ ଡଗଡଗ ଚାଲିବାକୁ ଆରମ୍ଭ କଲେ ।

 

ମାଟିଙ୍କ ମନୋବୃତ୍ତିର ଏଇଭଳି ଯୁଗପତ୍‌ ପରିବର୍ତ୍ତନରେ ଏଥାନ୍‌ ଆନନ୍ଦିତ ହୁଅନ୍ତି ଯେତିକି, ନିରାଶ ବି ହୁଅନ୍ତି ସେତିକି । ଗଛ ଡାଳରେ ଖେଳୁଥିବା ପକ୍ଷୀ କେଉଁ ମୁହୂର୍ତ୍ତରେ କେଉଁ ଡାଳରେ ଯାଇ ବସିବା ଆଗରୁ ଥୟ କରିବା ଯେପରି ଅସମ୍ଭବ, ୟାଙ୍କର ମନ କେତେବେଳେ କେଉଁଆଡ଼େ ଗତି କରିବ ଜାଣିବା ସେଇପରି ଅସମ୍ଭବ । ନିଜର ମନର ଭାବ ଜଣାଇଲେ ସିନା; ମ୍ୟାଟିଙ୍କ ମନରେ ତା’ର ପ୍ରତିକ୍ରିୟା କ’ଣ ହେଉଛି କେଜାଣି ? କିନ୍ତୁ ବିବାହିତ ଏଥାନ୍‍ଙ୍କର ତ ସେ ଅଧିକାର ନଥାଏ । ତେଣୁ ସେ ନିଜର କଥା ନିଜ ମନରେ ରଖି, ମ୍ୟାଟିଙ୍କର ଚେହେରା ଓ ସ୍ୱରର ପରିବର୍ତ୍ତନ କିଭଳି କେଉଁ ଦିଗରେ ହେଉଛି, ତା’ରି କଳ୍ପନାରେ ବିଭୋର ହୋଇ ରହନ୍ତି । ବେଳେବେଳେ ସେ ବିଚାରନ୍ତି, ମ୍ୟାଟି ତାଙ୍କ ମନର କଥା ଠଉରାଇଲେଣି, ଏହା ଭାବିଲେ ତାଙ୍କ ମନରେ ଭୟ ଆସେ । ଆଉ କେତେବେଳେ ସେ ବିଚାରନ୍ତି, ମ୍ୟାଟି ତାଙ୍କ ମନର କଥା ଆଦୌ ବାରି ପାରୁନାହାନ୍ତି; ତାଙ୍କ ମନ ନିରାଶରେ ଭରିଯାଏ । ଆଜି ରାତିରେ ବହୁ ଦିନରୁ ଜମିଜମି ଯାଇଥିବା ନୈରାଶ୍ୟର ଚାପରେ ତାଙ୍କ ମନ-ନିକିତିରେ ନୈରାଶ୍ୟ ପାଖଟା ଏକାବେଳକେ ଯାଇ ତଳେ ଲାଗିଯାଇଥିଲା । ଡେନିସ୍‍ ଇଡିଙ୍କ ସାଙ୍ଗରେ ଫେରିବାକୁ ସେ ନାସ୍ତି କରିଦେବା ଯୋଗୁଁ, ଏଥାନ୍‍ଙ୍କ ମନ ଆନନ୍ଦ-ସାଗରେ ବୁଡ଼ିଯାଇଥିଲା । କିନ୍ତୁ ତା’ପରେ, ତାଙ୍କ ପ୍ରତି ମ୍ୟାଟିଙ୍କର ଅନାଦରର ସଙ୍କେତ ପାଇ ସେ ଆନନ୍ଦସାଗରରୁ ବାହାରକୁ ବାହାରି ଶୀତରେ ଥୁରୁଥୁରୁ ହେଉଥାନ୍ତି-। ଏଥାନ୍‌ କିଛି ନ କହି ମ୍ୟାଟିଙ୍କ ପାଖେ ପାଖେ ଚାଲିଚାଲି ସ୍କୁଲଘର ମୁଣ୍ଡିଆ ଉପରକୁ ଉଠିଲେ ଓ ତାଙ୍କ କରତକଳ ଆଡ଼କୁ ପଡ଼ିଥିବା ରାସ୍ତା ପର୍ଯ୍ୟନ୍ତ ଯିବାଯାଏଁ ସେଇପରି ତୁନି ହୋଇରହିଲେ । ତା’ ପରେ ଆଉ ପଟି ବନ୍ଦ କରି ରହି ହେଲା ନାହିଁ, ମ୍ୟାଟିଙ୍କର ତାଙ୍କ ପ୍ରତି ଭାବର ସ୍ପଷ୍ଟ ସଙ୍କେତ ଟିକିଏ ପାଇବାର ଆକାଙ୍‌କ୍ଷା ବଳବତୀ ହୋଇପଡ଼ିଲା ।

 

ସେ କଥାଟା କେମିତି ଆରମ୍ଭ କରିବେ ଠିକ୍‌ ନକରି ପାରି ଠୋ କିନି ଆରମ୍ଭ କରିଦେଲେ, ‘‘ଶେଷ ଥର ଡେନିସ୍‍ ସାଙ୍ଗେ ନାଚିବାକୁ ଯେବେ ବାହାରି ନଥାନ୍ତ ତେବେ ତୁମେ ମୋତେ ଠିକ୍‌ ଦେଖି ପାରିଥାନ୍ତ ।’’ ଡେନିସ୍‍ ନାମଟା ଉଚ୍ଚାରଣ କଲାବେଳେ ତାଙ୍କ ଗଳାରୋଧ ହେଲାପରି ଲାଗିଲା ।

 

ମ୍ୟାଟି ବ୍ୟତିବ୍ୟସ୍ତ ହୋଇ ଉତ୍ତର ଦେଲେ ।’’ ‘‘ଏଥାନ୍‌ ! ତୁମେ ଆସି ପହଞ୍ଚି ସାରିଲଣି ବୋଲି ମୁଁ କେମିତି ଜାଣନ୍ତି କହିଲ ?’’

 

ଏ କଥାର ଉତ୍ତର ନଦେଇ ଏଥାନ୍‌, ଫୋପାଡ଼ିଲା ପରି କହିଲେ, ‘‘ଲୋକେ ଯାହା କୁହାକୁହି ହେଉଛନ୍ତି, ସେ କଥା ସତ ବୋଧହୁଏ ।’’

 

ମ୍ୟାଟି ଥକ୍‌କାମାରି ରହିଗଲେ; ଏଥାନ୍‌ ଅନ୍ଧାରରେ ଅନୁଭବ କଲେ, ମ୍ୟାଟିଙ୍କ ମୁହଁ ଚଟ୍‌କିନି ତାଙ୍କ ମୁହଁ ଆଡ଼କୁ ଟେକି ହୋଇଗଲା, ‘‘ଏଁ, କ’ଣ କହିଲ ? ଲୋକେ କ’ଣ କୁହାକୁହି ହେଉଛନ୍ତି ?’’

 

ନିଜ ମନର ଚିନ୍ତା ଅନୁକ୍ରମେ, ଏଥାନ୍‌ ଘାବରେଇ ଗଲାପରି ଉତ୍ତର ଦେଲେ, ‘‘ତୁମେ ଯେ ଆମକୁ ଛାଡ଼ିଯିବ ୟା ତ ସ୍ୱାଭାବିକ କଥା ।’’

 

ମ୍ୟାଟି ବିଦ୍ରୂପପୂର୍ଣ୍ଣ ସ୍ୱରରେ କହିଲେ, ‘‘ଓଃ ! ଲୋକେ ଏଇକଥା କହୁଛନ୍ତି ତେବେ ?’’ କ୍ଷଣକ ପରେ ହଠାତ୍‌ ତାଙ୍କ ସ୍ୱର ଦୁଃଖପୂର୍ଣ୍ଣ ହୋଇଗଲା ସେ କମ୍ପିତ ସ୍ୱରରେ ପଚାରିଲେ, ‘‘ତୁମେ ବୋଧହୁଏ କହିବାକୁ ଚାହୁଁଛ ଯେ, ଜୀନା ମୋତେ ଆଉ ସୁଖ ପାଉନାହିଁ । ସେଇଥିପାଇଁ ମୋତେ ତୁମ ଘରୁ ଚାଲିଯିବାକୁ ହେବ ?

 

ଏତେବେଳକୁ ଦୁହିଁଙ୍କର ବାହୁବନ୍ଧନ ଛିଣ୍ଡି ଯାଇଥାଏ । ଦୁହେଁ ନୀରବରେ ପାଖାପାଖି କିନ୍ତୁ ଅଲଗା ଅଲଗା ହୋଇ ଠିଆ ହୋଇଥାନ୍ତି; ପରସ୍ପରର ମୁହଁକୁ ଅନ୍ଧାରରେ ଦେଖିବାକୁ ଚେଷ୍ଟା କରୁଥାନ୍ତି ।

 

ଏଥାନ୍‌ କ’ଣ କହିବେ ଠିକଣା କରିପାରୁ ନଥାନ୍ତି, ମ୍ୟାଟି କହି ଚାଲିଲେ, ‘‘ମୁଁ ଜାଣେ, ଘରକାମରେ ମୁଁ ଯେତେ ଦକ୍ଷ ହେବା ଉଚିତ ସେତେ ଦକ୍ଷତା ମୋର ନାହିଁ । ଚାକରାଣୀଟିଏ ରଖିଲେ ଯେତେ କାମ କରିପାରନ୍ତା ସେତେକାମ ମୁଁ ଏ ଯାଏଁ କରିବାକୁ ସମର୍ଥ ହେଲିନାହିଁ । ତା’ପରେ ମୋ ଅଣ୍ଟାରେ ବି ସେତେ ବଳ ନାହିଁ । କିନ୍ତୁ ସେ ଯଦି ମୋତେ କାମ ବତାନ୍ତା, ମୁଁ ଯଥାସାଧ୍ୟ ଲାଗିପଡ଼ି କରନ୍ତି । ଜାଣ, ସେ ପଦେ ବି କିଛି ତିଆରୁ ନାହିଁ କି ବରାଦ କରୁନାହିଁ । ବେଳେବଳେ ମୁଁ ଠଉରାଉଛି ସେ ମୋତେ ସୁଖ ପାଉନାହିଁ । କିନ୍ତୁ କାହିଁକି ? ମୁଁ ତ ୟାର କାରଣ କିଛି ଥୟ କରିପାରୁନାହିଁ ।’’ ହଠାତ୍‌ ଏଥାନ୍‍ଙ୍କର ମୁହାଁମୁହିଁ ହୋଇ, ମନର ବିରକ୍ତିରେ ସେ ଅଭିଯୋଗ କଲେ, ‘‘ଏଥାନ୍‌ ଫ୍ରୋମ୍‌ ! ମୋ’ର ଦୋଷ କେଉଁଠି ରହୁଛି ତୁମେ ହେଲେ କହ ! କହ, କାହିଁକି ମୋତେ ଜୀନା ସୁଖ ନ ପାଉଛି । ଅବଶ୍ୟ, ତୁମେ ବି ଯଦି ମୋତେ ବିଦା କରିବାକୁ ଚାହିଁ, ତେବେ ମୋର କହିବାକୁ କିଛି— ।’’

 

ସେ ବି ଯଦି ମ୍ୟାଟିଙ୍କୁ ବିଦା କରିବାକୁ ଚାହାନ୍ତି : ଏଥାନ୍‍ଙ୍କ ମନର ସଦ୍ୟ କଟା ଘା ଉପରେ ଆରାମଦାୟକ ମଇଲମ ପରି ଏ ଅଭିଯୋଗ ବୋଧହେଲା । ଶୂନ୍ୟ ଆକାଶରେ ମେଘ ଘୋଟିଯାଇ ଏଇ କଥା ପଦକରେ, ଅମୃତଧାରା ବର୍ଷଣ କଲେ । ଏଥାନ୍‌ ମ୍ୟାଟିଙ୍କ ବାହୁରେ ନିଜ ବାହୁ ଛନ୍ଦିଲେ ଓ ନିଜ ମନର ଅସଲ ଭାବ ପଦେ କଥାରେ ପ୍ରକାଶ କରିବାକୁ ଖୋଜିଖୋଜି ପାଇଲେ ସେଇ ପଦକ—‘‘ହଉ, ଚାଲ ଯିବା ।’’

 

ହେମ୍‌ଲକ୍‌ ଗଛ ଢାଙ୍କି ରହିଥିବା ଗଳି ରାସ୍ତାର ଅନ୍ଧାର ଭିତରେ ଦୁହେଁ ଆଗେଇ ଚାଲିଲେ ଓ ଏଥାନ୍‍ଙ୍କ କରତକଳ ଯେଉଁଠାରେ ରାତିର ଅନ୍ଧାରରେ ଗୁମ୍‌ମାରି ରହିଥାଏ, ସେଠା ପାରିହୋଇ, ଉନ୍ମୁକ୍ତ ପ୍ରାନ୍ତରର ଅପେକ୍ଷାକୃତ ଆଲୁଅକୁ ବାହାରିଲେ । ହେମଲକ୍‌ ପୁଞ୍ଜର ଆରପଟେ ମୁକ୍ତ ପ୍ରାନ୍ତର ଦିଗ୍‌ବଳୟ ପର୍ଯ୍ୟନ୍ତ ବ୍ୟାପୀଥାଏ । ତାରକା ଆଲୋକରେ ତାହା ନିର୍ଜନ ହେଲେ ବି, ଧବଳିମାରେ ସୁନ୍ଦର ଦିଶୁଥାଏ । ଆଗେଇ ଯାଉ ଯାଉ ସେମାନେ କେଉଁଠି କେମିତି ଉଚ୍ଚ ହୋଇ ଉଠିଥିବା ବରଫକୁଦର ତଳେତଳେ ଯାଉଥାନ୍ତି । ଆଉ କେଉଁଠି ରାସ୍ତାର ଦୁଇ ପାଖରେ ଦୁଇଧାଡ଼ି ପତ୍ରହୀନ ଗଛର ପାତଳ ଛାଇ ପଡ଼ିଥାଏ । କେଉଁଠି କେମିତି, ଦୂରରେ ଗହୀର ଭିତରେ ଗୋଟିଏ ଗୋଟିଏ ଚାଷଘର ଦିଶୁଥାଏ–ଏତେବେଳକୁ ତାହା କବରଖାନାର ପଥର ପରି ମୁକ ଓ ନିରାନନ୍ଦ ! ରାତି ଏପରି ନିଃଶବ୍ଦ ଯେ ଗୋଡ଼ତଳର ଜମାଟାବାନ୍ଧିଥିବା ବରଫ ସେମାନଙ୍କ ପଦାଘାତରେ ମଡ଼ମଡ଼ ହୋଇ ଫାଟି ଯାଉଥିବା ସେମାନେ ଶୁଣି ପାରୁଥାନ୍ତି । ଦୂର ଜଙ୍ଗଲରେ ତୁଷାର-ଭାରରେ ଭାଙ୍ଗି ପଡ଼ୁଥିବା ଗୋଟାଏ ଡାଳର ଶବ୍ଦ ସୋମନଙ୍କୁ ବନ୍ଧୁକର ଆବାଜ ପରି ଶୁଭିଲା । ଠାଏ ଗୋଟାଏ କୋକୀଶିଆଳିର ଚିତ୍କାର ଶୁଣି, ମ୍ୟାଟି ଏଥାନ୍‍ଙ୍କ ପାଖକୁ ଲାଗି ଆସିଲେ ଓ ଚଞ୍ଚଳ ଚରଣ ଚାଳିଲେ ।

 

ଅବଶେଷରେ ଦୁହିଁଙ୍କୁ ଦିଶିଲା, ଏଥାନ୍‍ଙ୍କ ଗେଟ୍‌ପାଖରେ ଲାଜ ଗଛଗୁଡ଼ିକ । ତାହାର ନିକଟବର୍ତ୍ତୀ ହୁଅନ୍ତେ, ଏଥାନ୍‌ ବୁଝିଲେ ନୈଶ ବିହାର ଶେଷ ହେବା ଉପରେ । ଏହା ବୁଝିବାରେ ତାଙ୍କ ତୁଣ୍ଡରୁ ମନର କଥା ବାହାରିଲା ।

 

‘‘ମ୍ୟାଟି, ତୁମେ ଆମକୁ ଛାଡ଼ି ଚାଲିଯିବାକୁ ମନ କରିନ ହଁ, ତେବେ ?’’

 

ଅସ୍ପଷ୍ଟ ଫୁସ୍‌ଫୁସ୍‌ ସ୍ୱରରେ ମ୍ୟାଟିଙ୍କ ଉତ୍ତର ଶୁଣିବା ପାଇଁ ଏଥାନ୍‍ଙ୍କୁ ମୁଣ୍ଡ ଝୁଙ୍କାଇବାକୁ ପଡ଼ିଲା, ‘‘ଚାଲିଯିବାକୁ ମନ କଲେ ବି, ଯିବି କୁଆଡ଼େ ?’’

 

ଏ କଥାଟା ଏଥାନ୍‍ଙ୍କ ହୃଦୟରେ ଶେଳ ପରି ବାଜିଲା ସିନା, ଯେଉଁ ସ୍ୱରରେ ମ୍ୟାଟି ଏହା କହିଲେ ତାହା ଶୁଣି ସେ ପୁଲକିତ ହେଲେ । ଆଉ ଯାହା କହିବାକୁ ମନ କରିଥିଲେ ତାହା ଏଥାନ୍‍ଙ୍କର ପାଶୋର ହୋଇଗଲା । ସେ ମ୍ୟାଟିଙ୍କୁ ଏଡ଼େ ନିବିଡ଼ ଭାବେ ଜାକି ଧଇଲେ ଯେ, ମ୍ୟାଟିଙ୍କ ଶରୀରର ଉଷ୍ମତା ତାଙ୍କ ନିଜ ଧମନୀରେ ପଶିଗଲା ପରି ଲାଗିଲା ।

 

‘‘ମ୍ୟାଟ୍ ! ତୁମେ କାନ୍ଦୁଛ ? କାନ୍ଦୁ ନାହଁ ତ ?’’

 

ମ୍ୟାଟି କମ୍ପିତ ସ୍ୱରରେ ଉତ୍ତର ଦେଲେ, ‘‘ନାଇଁମ ! କାନ୍ଦିବି କାହିଁକି ?’’

 

ଦୁହେଁ ଗେଟ ଖୋଲି ଭିତରକୁ ପଶିଲେ ଓ ଗଛ ପତ୍ରରେ ଆଚ୍ଛାଦିତ ଗୋଟିଏ କୁଦ ପାର ହୋଇଗଲେ । ଏଇଠାରେ ଅଳ୍ପ ଉଚ୍ଚ ବାଡ଼ରେ ଆବୃତ ଖଣ୍ଡିଏ ଜାଗାରେ ଫ୍ରୋମ୍‍ ପରିବାରର କବରଖାନା । କବରମାନଙ୍କ ମୂଦ-ପଥର ଗୁଡ଼ିକ ବରଫ ଭିତରେ ଏଣେତେଣେ ବଙ୍କେଇ ହୋଇ ରହିଥିବାର ଦିଶୁଥାଏ । ଏଥାନ୍‌ କୌତୂହଳରେ ସେଇ ପଥର ଗୁଡ଼ିକୁ ଚାହିଁଲେ । ବହୁ ବର୍ଷ ହେଲା ଏହି ଅଚଞ୍ଚଳ ପଥର ଗୁଡ଼ିକ ତାଙ୍କ ମାନସିକ ଚଞ୍ଚଳତାକୁ ବିଦ୍ରୂପ କରି ଆସୁଛନ୍ତି । ଜୀବନର ଗତି ବଦଳାଇ ଅଧିକ ମାନସିକ ସ୍ୱାଚ୍ଛନ୍ଦ୍ୟ ପାଇଁ ତାଙ୍କର ଅଦମ୍ୟ ଆକାଙ୍‌କ୍ଷାକୁ ଏମାନେ କାବା ହୋଇ ଚାହିଁ ରହିଛନ୍ତି । ପ୍ରତ୍ୟେକ ପଥରରେ ଲେଖା ହେଲାପରି ଏଥାନ୍‍ଙ୍କୁ ଲାଗେ, ‘‘ଆମେ ତ ଏଠାରୁ କୁଆଡ଼େ, ନ ଯାଇ, ନିଶ୍ଚିନ୍ତ ହୋଇପଡ଼ିଛୁ; ତୁମେ ଯିବ କୁଆଡ଼େ, କେମିତି ?’’ ଘରୁ ବାହାରକୁ ଗଲାବେଳେ ଓ ବାହାରୁ ଘରେ ପଶିଲାବେଳେ ଏମାନଙ୍କୁ ଚାହିଁ ଏଥାନ୍‌ ବିଚାରନ୍ତି, ‘‘ଏମାନଙ୍କ ସାଙ୍ଗେ ଯାଇ ଯୁଟିବା ଯାଏଁ ମୋତେ ଏଇଘରେ ଏଇପରି ରହିବାକୁ ପଡ଼ିବ’’—ଏକଥା ବିଚାରିଲା ବେଳେ ତାଙ୍କ ଦେହ ଶିହରିଯାଏ । କିନ୍ତୁ ଆଜି, ଏଇ ମୁହୂର୍ତ୍ତରେ, ଜୀବନର ଗତି ବଦଳାଇବାର ଆକାଙ୍‌କ୍ଷା ଏଥାନ୍‍ଙ୍କ ମନରୁ ସମ୍ପୂର୍ଣ୍ଣ ଦୂର ହୋଇଯାଇଥାଏ; କବରଖାନାର ଛୋଟ ବାଡ଼ଟି, ଆଜି ତାଙ୍କ ମନରେ ନୈଶ୍ଚିନ୍ତ୍ୟ ଓ ସ୍ୱାଚ୍ଛନ୍ଦ୍ୟର ସ୍ଥାୟୀ ଭାବ ଆଣି ଦେଉଥାଏ ।

 

ଏଥାନ୍‌ ଫୁସ୍‌ଫୁସ୍‌ କରି କହିଲେ, ‘‘ମ୍ୟାଟ୍‌, ମୋର ବିଶ୍ୱାସ ଆମ୍ଭେମାନେ ତୁମକୁ ଏଠାରୁ ଛାଡ଼ିବୁ ନାହିଁ । ‘ଆମ୍ଭେମାନେ’ ଭିତରେ ଏଥାନ୍‌ କବରର ଅଧିବାସୀମାନଙ୍କୁ ଅନ୍ତର୍ଭୁକ୍ତ କରିଥିଲେ ବୋଧହୁଏ । ସତେ ଯେପରି ସେ ବିଚାରୁଥିଲେ, ବର୍ତ୍ତମାନ କବରରେ ବାସ କରୁଥିବା ଜୀବନ୍ତବେଳର ପ୍ରେମିକ ପ୍ରେମିକାମାନେ, ଏଥାନ୍‍ଙ୍କ ମନୋଭାବ ବୁଝି, ମ୍ୟାଟିଙ୍କୁ ଏ ଘରେ ସ୍ଥାୟୀ ଭାବେ ରଖିବା ପାଇଁ ଏଥାନ୍‍ଙ୍କ ସଙ୍ଗେ ଷଡ଼ଯନ୍ତ୍ର କରିବେ । କବରଖାନାର ବାଡ଼ ପାଖ ଦେଇ ଗଲାବେଳେ, ଏଥାନ୍‌ ମନେମନେ ବିଚାରୁଥାନ୍ତି, ‘‘ମ୍ୟାଟି ଓ ମୁଁ ଏଇଘରେ ଜୀବନ ତମାମ ରହିବୁ, ରହୁ ରହୁ ଏଭଳି ଦିନ ଆସିବ ଯେତେବେଳେ ସେ ଯାଇ ମୋ ସଙ୍ଗେ ଏଇଠାରେ ଶୋଇବ ।’’

 

କୁଦ ଉପରେ ଚଢ଼ି ଘର ଯାଖକୁ ଯିବା ପର୍ଯ୍ୟନ୍ତ ଏଇ ଭବିଷ୍ୟତ କଳ୍ପନା ତାଙ୍କ ମନକୁ ଜାବୁଡ଼ି ଧରିଥାଏ । ଏଇ କଳ୍ପନାରେ ବିଭୋର ଥିବାବେଳେ ତାଙ୍କ ମନ ଆନନ୍ଦରେ ଯେତେ ଉଲ୍ଲସିତ ହୁଏ, ସେତେ ଉଲ୍ଲାସ ମ୍ୟାଟିଙ୍କ ସଙ୍ଗେ କଥାବାର୍ତ୍ତା ବା ଚଲାବୁଲା କଲାବେଳେ ବି ତାଙ୍କ ମନକୁ ଆସେ ନାହିଁ । କୁଦ ଉପରକୁ ଅଧେ ବାଟ ଉଠିଛନ୍ତି ଏଇ ସମୟରେ ଗୋଟାଏ କଣ ଅଦୃଶ୍ୟ ପ୍ରତିବନ୍ଧକରେ ଝୁଣ୍ଟି, ମ୍ୟାଟି ପଡ଼ି ଯାଉଯାଉ ଏଥାନ୍‍ଙ୍କ କାମିଜର ହାତକୁ ଧରି ସଳଖି ହେଲେ । ଗୋଟାଏ ତୃପ୍ତିର ତରଙ୍ଗ କାମିଜ ହାତବାଟେ ଏଥାନ୍‍ଙ୍କ ହୃଦୟରେ ଯାଇ ଭାଙ୍ଗିଲା; ତାଙ୍କ ମନର କଳ୍ପନାକୁ ଏ ତରଙ୍ଗ ପୁଷ୍ଟ କଲାପରି ସେ ଅନୁଭବ କଲେ । ପ୍ରଥମ ଥର ପାଇଁ ସେ, ଚୋର ପରି, ନିଜର ବାହୁ ପ୍ରସାରିତ କରି ତାଙ୍କ ଅଣ୍ଟାକୁ ବେଢ଼ି ଧଇଲେ; ମ୍ୟାଟି ପ୍ରତିବାଦ କଲେନାହିଁ । ଖରାଦିନେ ନଦୀର ସ୍ରୋତରେ ଜଳକେଳି କଲାପରି ସେମାନେ ଘରମୁହାଁ ଚାଲିଲେ ।

 

ରାତିରେ ଖାଇସାରିଲା ମାତ୍ରେ ଜୀନା ଶୋଇପଡ଼ନ୍ତି । ଏମାନେ ଘରପାଖେ ପହଞ୍ଚି ଚାହିଁଲେ ଘରର ଖୋଲା ଝରକାଗୁଡ଼ିକ ସବୁ ଅନ୍ଧାର ଦିଶୁଛି । ତୋରଣରୁ ଗୋଟିଏ ମଲାଲଟି ଓହଳିଥାଏ; ଦିଶୁଥାଏ, ମଣିଷ ମଲେ ଦୁଆର ମୁହଁରେ ଟଙ୍ଗା ହେଉଥିବା କଳାପତାକା ପରି । ହଠାତ୍‌ ଏଥାନ୍‍ଙ୍କ ମନରେ ହେଲା, ଜୀନାଙ୍କ ପାଇଁ କ’ଣ ଏଇଟି ମୃତକ-ପତାକା ହୋଇ ଝୁଲୁଛି । ଏ ଭାବନା ଆସିବା ପରେ ପରେ ସେ ମନଶ୍ଚକ୍ଷୁରେ ଦେଖିଲେ, ଜୀନା ତାଙ୍କରି ଶୋଇବା ଘରେ ନିଘୋଡ଼ ନିଦରେ ଶୋଇଛନ୍ତି; ତାଙ୍କ ପାଟି ସାମାନ୍ୟ ମେଲେଇ ହୋଇ ରହିଛି; କୃତ୍ରିମ ଦନ୍ତ ଦି’ଭାଡ଼ି ଖଟ ପାଖରେ ଥୁଆ ହୋଇଥିବା ଗୋଟିଏ କାଚଗିନାରେ ରଖାହୋଇଛି..... ।

 

ଏଥାନ୍‌ ଓ ମ୍ୟାଟି କର୍କଶ ‘ଗୁଜବେରି’ ଲଟି ମଝିରେ ପଡ଼ିଥିବା ରାସ୍ତାବାଟେ ଘରର ଦୁଆର ପଟକୁ ଗଲେ । ଆଜି ପରି ଯେଉଁ ରାତିମାନଙ୍କରେ ମ୍ୟାଟି ଓ ସେ ବିଳମ୍ୱରେ ଘରକୁ ଫେରନ୍ତି, ସେ ରାତି ମାନଙ୍କରେ ପାଁପୋଛ ତଳେ ରୋଷେଇ ଘର ଚାବି ଜୀନା ପ୍ରାୟଶଃ ରଖି ଦେଇଥାନ୍ତି । ଏଥାନ୍‌ ରୋଷେଇଘର ଦୁଆର ମୁହଁରେ ଠିଆହେଲେ, ମୁଣ୍ଡରେ କେତେ କଳ୍ପନା ଖେଳୁଥାଏ, ଗୋଟିଏ ହାତ ମ୍ୟାଟିଙ୍କୁ ବେଢ଼ି ଧରିଥାଏ । ସେ କହିବାକୁ ଆରମ୍ଭ କଲେ, ‘‘ମ୍ୟାଟ୍‌—’’, କିନ୍ତୁ ତା’ପରେ କ’ଣ କହିବେ ଭାବି ନଥାନ୍ତି ।

 

ମ୍ୟାଟି କିଛି ନ କହି ତାଙ୍କ ବାହୁ ବନ୍ଧନରୁ ନିଜକୁ ମୁକ୍ତ କଲେ; ଏଥାନ୍‌ ଲଇଁ ପଡ଼ି ଚାବି ଅଣ୍ଡାଳିଲେ ।

 

ଚକିତ ହୋଇ ଠିଆ ହୋଇପଡ଼ି ସେ କହିଲେ, କାଇଁ, ଚାବି ତ ଏଠି ନାହିଁ !

 

ତୁଷାର ପରି ଅଶ୍ୱସ୍ତିକର ଅନ୍ଧାର ଭିତରେ ଦୁହେଁ ନିରେଖି କରି ପରସ୍ପରକୁ ଚାହିଁଲେ । ପୂର୍ବେ ଚାବି ଏଠି ନ ଥିବାର କେବେ ଘଟି ନଥିଲା ।

 

ମ୍ୟାଟି କମ୍ପିତ ଓ କ୍ଷୀଣସ୍ୱରରେ କହିଲେ, ‘‘ବୋଧହୁଏ ଜୀନା ଏଠାରେ ଚାବି ରଖିଯିବାକୁ ଭୁଲି ଯାଇଛନ୍ତି ।’’ କିନ୍ତୁ କହିବାବାଲୀ ଓ ଶୁଣିବାବାଲା ଉଭୟେ ବେଶ୍‌ ଜାଣୁଥାନ୍ତି ଯେ ଜୀନା ଏଭଳି ଭୁଲିଯିବା ଲୋକ ନୁହନ୍ତି ।

Unknown

 

ମ୍ୟାଟି ପୁଣି କହିଲେ, ‘‘ବୋଧହୁଏ ଚାବିଟା ତୁଷାର ଭିତରେ ଖସି ପଡ଼ି ପୋତି ହୋଇଯାଇଛି ।’’ ଏହା କହିବା ପୂର୍ବରୁ ମ୍ୟାଟି ଓ ଏଥାନ୍‌ କ୍ଷଣେ ନୀରବରେ ଠିଆ ହୋଇ ଘର ଭିତରୁ ଶବ୍ଦ ହେଉଛି କି ବୋଲି କାନେଇଲେ ।

 

ମ୍ୟାଟିଙ୍କ ପରି ଉଦବେଗପୂର୍ଣ୍ଣ ସ୍ୱରରେ ଏଥାନ୍‌ କହିଲେ, ‘‘ବରଫରେ ଯଦି ଚାବି ପଡ଼ିଲା, ତେବେ ନିଶ୍ଚୟ ତାହା କେହି ବାହାରକୁ ଠେଲି ଦେଇଛି ।’’ ଏହା କହୁ କହୁ ତାଙ୍କ ମନରେ ଆହୁରି ଏକ ଆତଙ୍କ ଢୁକିଲା । ଲୁଙ୍ଗଡ଼ା ଲୋକ କେହି ଯଦି ଚାବି ଫିଟାଇ ଘରେ ଢୁକିଥାନ୍ତି, ଯଦି ସେମାନେ ଘରୁ........ ।

 

ଏଥାନ୍‌ ପୁଣି କାନ ଡେରିଲେ । ତେଣୁ ଜଣାପଡ଼ିଲା, ଘର ଭିତରେ ଦୂରରେ ଗୋଟାଏ କ’ଣ ଶବ୍ଦ ଶୁଭୁଛି; ସେ ଡିଆସିଲିଟା କାଢ଼ିବା ପାଇଁ ପକେଟରେ ହାତ ପୂରାଇଲେ ଓ ପାହାଚ ପାଖେ ଆଣ୍ଠୁମାଡ଼ି ବସି ନିଆଁ କାଠିଟାଏ ଜଳାଇ ପାହାଚ କଡ଼ରେ ଗୋଡ଼ ବାଜି ଅସ୍ତବ୍ୟସ୍ତ ହୋଇଥିବା ତୁଷାର ଆସ୍ତରଣ ଉପରେ ଆଖି ବୁଲାଇନେଲେ ।

 

ସେ ସେହିପରି ଆଣ୍ଠୁମାଡ଼ି ବସିଛନ୍ତି, ତାଙ୍କ ଆଖି ଦୁଇଟି ଦୁଆରର ତଳ ପାନିଆଲି ସଙ୍ଗେ ସମାନ ହୋଇରହିଛି । ଏଇ ସମୟରେ ସେଇ ପାନିଆଲିର ଫାଙ୍କ ବାଟେ ଭିତରୁ ଆଲୋକର ଗୋଟାଏ କ୍ଷୀଣ ରେଖା ଦିଶିଲା । ଘରର ନିର୍ଜନତା ଭିତରେ ଆଲୁଅ ଧରି ବୁଲୁଛି ତେବେ କିଏ ? ପାହାଚରେ ଓହ୍ଲାଇବାର ପାଦଶବ୍ଦ ଶୁଭିଲା, ମୁହୂର୍ତ୍ତଙ୍କ ପାଇଁ ତାଙ୍କ ମନରେ ପୁଣି ଆଶଙ୍କା ହେଲା, ଭିତରୁ ଚୋର ବାହାରି ତାଙ୍କୁ ଠେଲି ଖସିଯିବା । ଏଇ ଆଶଙ୍କା ଭିତରେ ଦୁଆର ଖୋଲିଲା ଏବଂ ଏଥାନ୍‌ ମୁହଁ ଉପରକୁ ଟେକି ଚାହିଁଲେ, ସାମନାରେ ତାଙ୍କରି ସ୍ତ୍ରୀ ଉଭା ହୋଇଛନ୍ତି-

 

ରନ୍ଧନଶାଳାର ଘନକୃଷ୍ଣ ପୃଷ୍ଠଭୂମି ଆଗରେ ଜୀନାଙ୍କ ହାଡ଼ ଗଣିଗଣି ଦୀର୍ଘ ଶରୀର ଉକୁଟି ଉଠୁଥାଏ; ଗୋଟିଏ ହାତରେ ଖଣ୍ଡେ ତୂଳା ରେଜେଇ ସେ ତାଙ୍କର ପଟାଳିଆ ଛାତି ଉପରେ ଜାକିଥାନ୍ତି ଓ ଆର ହାତରେ ଧରିଥାନ୍ତି ଗୋଟିଏ ଦୀପ । ଦୀପଟିର ଶିଖା ଥାଏ ତାଙ୍କ ଓଠ ସିଧାରେ; ତାହାର ଆଲୋକରେ ଅନ୍ଧାର ଭିତରୁ ଫୁଟି ଦିଶୁଥାଏ,ଜୀନାଙ୍କ ଶ୍ଳଥ କଣ୍ଠଦେଶ; ଓ ରେଜେଇ ଧରିଥିବା ହାତରେ ଆବୁ ପରି ବାହାରି ପଡ଼ିଥିବା ମଣିବନ୍ଧ; ଏଇ ଆଲୋକ ପଡ଼ି ତାଙ୍କ ହନୁହାଡ଼ ବାହାରି ପଡ଼ିଥିବା ମୁହଁର ଉଚ୍ଚାବଚ ସ୍ଥାନ ସବୁ ଆହୁରି ଅପରୂପ ଦିଶୁଥାଏ; ଏ ମୁହଁର ଉପରକୁ ସୁଛାରେ ପୁଣି ଖଞ୍ଜା ହୋଇନଥାନ୍ତି ବାଳ କୁଞ୍ଚୁ କୁଞ୍ଚୁ କରିବାପାଇଁ ପିନ୍‌ । ଏଥାନ୍‍ଙ୍କ ମାନସ ପଟରୁ ଏତେବେଳେ ଯାଏଁ ମ୍ୟାଟିଙ୍କ ସାନ୍ନିଧ୍ୟରେ କଟିଥିବା ଘଣ୍ଟାକର ରଙ୍ଗିନ ସ୍ମୃତି ଦୂର ହୋଇ ନ ଥାଏ । ଏପରି ଅବସ୍ଥାରେ ଜୀନାଙ୍କ ଅପରୂପ ମୁଖଛବିର ପ୍ରତି ରେଖାଟିମାନ ଏଥାନ୍‍ଙ୍କ ମନରେ ଲାଗି ରହିଗଲା, ଠିକ୍‌ ଉଠିବା ପୂର୍ବରୁ ଦେଖିଥିବା ସ୍ୱପ୍ନ ଦୃଶ୍ୟ ପରି । ତାଙ୍କ ସ୍ତ୍ରୀଙ୍କର ପ୍ରକୃତି ରୂପ ସେ ଆଜି ପ୍ରଥମ ଥର ପାଇଁ ଭଲ କରି ଦେଖିଲେ ବୋଲି ମନେକରୁଥାନ୍ତି ।

 

ପଦେ କଥା ନ କହି ଜୀନା ବାଟରୁ ଆଡ଼େଇ ହୋଇଗଲେ, ଏଥାନ୍‌ ଓ ମ୍ୟାଟି ରୋଷେଇଘର ଭିତରକୁ ପଶିଲେ । ରାତିର ଜଳୀୟବାଷ୍ପହୀନ ଶୀତ ପରେ ଗମ୍ଭୀରି ଘର ଯେପରି କଲିଜା ଥରାଇଦିଏ, ରୋଷେଇଘରରେ ପଶି ସେଇପରି ଲାଗୁଥାଏ ।

 

ଏଥାନ୍‌ ଗୋଡ଼ରୁ ତୁଷାର ଝାଡ଼ି ରହସ୍ୟ କରି କହିଲେ, ‘‘ଜୀନା ! ଆମେ ଦୁହେଁ ବାହାରେ ଅଛୁ ବୋଲି ତୁମେ ଏକାବେଳକେ ପାସୋରିଦେଲ ପରା ?’’

 

‘‘ନାଇଁ ଯେ, ମୋତେ ଭାରି ଖରାପ ଲାଗିବାରୁ ନିଦ ହେଲା ନାହିଁ । ଶୋଇଥିଲେ ସିନା ଚାବିଟା ପାଁପୋଛ ତଳେ ରଖିଥାନ୍ତି ।’’

 

ମ୍ୟାଟି ଆଗକୁ ଆସିଲେ, ଘୋଡ଼ିହେଲା କାଢ଼ି କାଢ଼ି । ତାଙ୍କ ନାଲି ଓଢ଼ଣିର ରଙ୍ଗ, ଅଧର ଓ କପୋଳରେ ବୋଳି ହୋଇଯାଇଥାଏ; ସେ କ୍ଷମା ମାଗିଲେ, ‘‘ଜୀନା ମୋର ଡେରି ହେଲା ବୋଲି ମୁଁ ବଡ଼ ଦୁଃଖିତ । କ’ଣ କାମ ବାକି ଅଛି, କହ, କରିବି ।’’

 

ଜୀନା ତାଙ୍କଆଡୁ ମୁହଁ ବୁଲାଇ ନେଇ କହିଲେ, ‘‘ନା, କାମ କିଛି ବାକୀ ନାହିଁ; ସ୍ୱାମୀଙ୍କୁ କହିଲେ, ‘‘ଘର ଭିତରେ ଗୋଡ଼ରୁ ଯେଉଁ ତୁଷାରଗୁଡ଼ାକ ଝାଡ଼ିଲ ତା’କୁ ବାହାରେ ଝାଡ଼ିଥିଲେ ହୋଇଥାନ୍ତା ।’’

 

ସେ ଏଥାନ୍‌ ଓ ମ୍ୟାଟିଙ୍କ ଆଗରେ ରୋଷେଇଘରୁ ହଲ ଭିତରକୁ ଚାଲିଗଲେ ଓ ସେଠାରେ ହାତ ଲମ୍ଭାର ଦୀପ ଦେଖାଇଲେ, ଏଥାନ୍‌ ଓ ମ୍ୟାଟିଙ୍କୁ ଓପର ମହଲାର ସିଡ଼ି ଦେଖାଇ ବାଟ କଢ଼ାଇଲା ପରି ।

 

ଏଥାନ୍‍ ବି ଟିକିଏ ଠିଆ ହୋଇରହିବେ, ତାଙ୍କ କୋଟ ଓ ଟୋପି, କାନ୍ଥର ଯେଉଁ କାଠିରେ ଓହଳାନ୍ତି ସେଇଟା ହାବୁଡ଼େ ପଡ଼ୁନଥିବା ଛଳନାରେ । ଅଣ-ଓସାରିଆ ସିଡ଼ିର ଓପରମୁଣ୍ଡ ଚଉତରାର ଦୁଇ ପାଖରେ ଓପରମହଲା ଶୋଇବାଘର ଦୁଇଟିର ଦୁଆର ସାମାନାସାମନି ଦିଶୁଥାଏ-। ଆଜିର ସୁଖସ୍ମୃତିପୂର୍ଣ୍ଣ ରାତିରେ ସେ ଜୀନାଙ୍କ ପଛେ ପଛେ ସିଡ଼ି ଉଠିବା ପଛରୁ ମ୍ୟାଟି ଦେଖିବେ, ଏ କଥା ଏଥାନ୍‍ଙ୍କୁ ଅତି ବେଶି ଅପ୍ରୀତିକର ବୋଧ ହେଉଥାଏ ।

 

ରୋଷେଇଘରକୁ ଫେରିଲା ପରି ମୁହଁ ବୁଲାଇ ସେ କହିଲେ, ‘‘ତୁମେ ଦୁହେଁ ଯାଅ; ମୁଁ ଶୋଇବାକୁ ଯିବାକୁ ଟିକିଏ ବିଳମ୍ୱ ହେବ ।

 

ଜୀନା ଅଟକିଯାଇ ତାଙ୍କ ଆଡ଼କୁ ଚାହିଁ କହିଲେ, ‘ୟେ କୋଉ ରାଇଜ କଥା—ଏତେବେଳେ ତୁମେ ତଳେ ପୁଣି କି କାମଟା କରିବ ?’’

 

‘‘କରତ କଳର ହିସାବ ଟିକିଏ ଦେଖିବା ଦରକାର ଅଛି ।’’

 

ଜୀନା ତାଙ୍କ ଆଡ଼କୁ ସେଇପରି ଚାହିଁ ରହିଥାନ୍ତି । ଢାଙ୍କୁଣୀ ନଥିବା ଦୀପର ଆଲୁଅ ନିର୍ମମ ଭାବରେ ଜୀନାଙ୍କ ମୁହଁର ବିରକ୍ତି କୁଞ୍ଚିତ ଅପରୂପ ଟିକିନିଖି କରି ଫୁଟାଉଥାଏ ।

 

ଶେଷରେ ସେ ଅଭିଯୋଗ କଲେ, ‘‘ଏତେ ରାତିରେ ଆହୁରି ହିସାବ ଦେଖିବାକୁ ମନ ହେଉଛି ? ଶୀତରେ ପ୍ରାଣ ବାହାରିଯିବ, କହୁଛି । ରୋଷେଇଘରର ଚୁଲି ବହୁତବେଳୁ ଲିଭିଲାଣି ।

 

ଏଥାନ୍‌ କିଛି ଉତ୍ତର ନ ଦେଇ ରୋଷେଇଘର ଆଡ଼କୁ ଚାଲିଲେ । ଗଲାବେଳେ ମ୍ୟାଟିଙ୍କ ମୁହଁ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା । ତାଙ୍କର ମନେ ହେଲା, ମ୍ୟାଟି ତାଙ୍କ ଆଖିପତା ନଚାଇ ଚୋରାରେ ତାଙ୍କୁ ସାବଧାନ କରାଇ ଦେଉଛନ୍ତି । ମ୍ୟାଟିଙ୍କ ଆଖିପତା ଦୁଇଟି ସାବଧାନ କରିଦେଇ ତାଙ୍କ ଗଣ୍ଡଦେଶରେ ଛପିଯିବାକୁ ବସିଲେ ଓ ମ୍ୟାଟି କିଛି ନ ଜାଣିଲା ପରି ଜୀନାଙ୍କ ଆଗେ ଆଗେ ସିଡ଼ି ଚଢ଼ି ଉପରକୁ ବାହାରିଲେ ।

 

ନାରୀ ଦୁହେଁ ସିଡ଼ି ଚଢ଼ିବାରେ ଏଥାନ୍‌, ଜୀନାଙ୍କ କଥାରେ ସଇ ଦେଇ କହିଲେ, ‘‘ସତେ ତ । ଏ ରୋଷେଇଘରଟା ଭାରି ଥଣ୍ଡା ହୋଇଛି । ମୁହଁକୁ ତଳକୁ ପୋତି ସେ ନିଜ ସ୍ତ୍ରୀଙ୍କ ପଛେ ପଛେ ସିଡ଼ିରେ ଉଠିଲେ ଓ ତାଙ୍କରି ପଛେ ପଛେ ନିଜ ଶୋଇବା ଘରର ବାରଣ୍ଡା ପାର ହୋଇ ଭିତରକୁ ପଶିଲେ ।

 

ତୃତୀୟ ପରିଚ୍ଛଦ

 

କାଠ ଗଦାର ତଳପଟ କେତୁଟା କାଠଗଡ଼ ବାହାର କରିବାକୁ ଥାଏ । ସେଥିପାଇଁ ତହିଁ ଆରଦିନ ସକାଳେ ଏଥାନ୍‌ ଭୋରରୁ ଉଠି କାମରେ ଲାଗିଗଲେ ।

 

ଶୀତଦିନ ହେଲେ ବି ସେହି ସକାଳଟା ସ୍ପଟିକ ପଥର ପରି ନିର୍ମଳ ହୋଇଥାଏ । ମେଘଯୁକ୍ତ ଆକାଶରେ ଉଠି ଆସୁଥିବା ସୂର୍ଯ୍ୟ ନିଆଁ ପରି ଲାଲ ଦିଶୁଥାନ୍ତି । କାଠ ଗଦାର ଛାଇ ଘନ ନୀଳ ଦିଶୁଥାଏ । ଶୁଭ୍ର ତୁଷାରରେ ଚକଚକ କରୁଥିବା ପ୍ରାନ୍ତରର ଆର ପାଖେ ଦୂରର ଜଙ୍ଗଲ, ଦିଗ୍‌ବଳୟରେ ଜମାଟ ବାନ୍ଧିଥିବା ଧୂଆଁ ପରି ଜଣା ପଡ଼ୁଥାଏ ।

 

ପ୍ରଭାତବେଳ; ଚାରିଆଡ଼େ ନୀରବ, ନିଶ୍ଚଳ; ଏଥାନ୍‍ଙ୍କର ବଳିଷ୍ଠ ମାଂସପେଶୀ ତାଙ୍କର ଅଭ୍ୟସ୍ତ କାର୍ଯ୍ୟରେ ସ୍ୱଚ୍ଛନ୍ଦରେ ଲାଗିଥାଏ; ପର୍ବତରୁ ବହି ଆସୁଥିବା ଶୁଦ୍ଧ ସମୀରଣରେ ଛାତି ପୂରି ଉଠୁଥାଏ । ଏତିକିବେଳେ ନିଶ୍ଚଳ ମନରେ ଏଥାନ୍‌ ଆତ୍ମଚିନ୍ତା କରୁଥାନ୍ତି । କାଲି ରାତିରେ ଶୋଇବା ଘରର ଦ୍ୱାର କଳା ହେଲା ପରେ ଏଥାନ୍‌ ଓ ଜୀନା ପଦେ ବି କଥାବାର୍ତ୍ତା ହୋଇ ନଥିଲେ । ଜୀନା ଶେଯ ପାଖକୁ ଗୋଟାଏ ଚଉକି ଟାଣି ତା’ ଉପରେ, ଥିବା ଗୋଟିଏ ଗିନାରେ କେତେ ଟୋପା ଓଷୁଅ, ଓଷୁତି ଶିଶିରୁ ଢାଳି ଖାଇଲେ । ତା’ପରେ ଖଣ୍ଡେ ହଳଦିଆ ଫ୍ଲାନେଲ ତଉଲିଆ ମୁଣ୍ଡରେ ଗୁଡ଼ାଇ ଶୋଇଲେ, ଏଥାନ୍‌ ଯେଉଁଠି ଶୋଇବେ ସେ ଆଡ଼କୁ ପିଠି କରି । ଏଥାନ୍‌ ତରତର ହୋଇ ପୋଷାକ ପାଲଟିଲେ, ଏବଂ ଶେଯକୁ ଯିବା ପୂର୍ବରୁ ଆଲୁଅଟା ଲିଭାଇଦେଲେ—ଯେପରି ସ୍ତ୍ରୀଙ୍କ ପାଖରେ ଯାଇ ଶୋଇଲା ବେଳକୁ ତାଙ୍କ ଅପରୂପ ଆଖିରେ ନ ପଡ଼ିବ । ଶେଯରେ ପଡ଼ି ଏଥାନ୍‌ ଶୁଣୁଥାନ୍ତି, ଆର ଘରେ ମ୍ୟାଟିଙ୍କ ଚଳପ୍ରଚଳ ଶବ୍ଦ; ମ୍ୟାଟିଙ୍କ ବତୀର ଆଲୁଅ ତାଙ୍କ ଘରୁ ମଝିଚଉତରାକୁ ବାହାରି, ଏଥାନ୍‍ଙ୍କ ଶୋଇବାଘର ଦୁଆର ସନ୍ଧିବାଟେ ଗୋଟିଏ କ୍ଷୀଣ ଆଲୋକ ରେଖାରେ ଭିତରକୁ ଆସୁଥାଏ । ଏଇ ଆଲୁଅ ଟିକକ ଉପରେ ଏଥାନ୍‍ଙ୍କ ଆଖି ଲାଖି ରହିଥାଏ । ଟିକକ ପରେ ମ୍ୟାଟିଙ୍କ ଘରୁ ଆଲୁଅ ଲିଭିଲା ଓ ଘରଟି ନିପଟ ଅନ୍ଧାର ହୋଇଗଲା । ପାଖରେ ଜୀନାଙ୍କ ଶ୍ୱାସରୋଗଗ୍ରସ୍ତ ଶ୍ୱାସନଳୀର ନିଃଶ୍ୱାସ ପ୍ରଶ୍ୱାସ ଶବ୍ଦ ବ୍ୟତୀତ ଆଉ କୌଣସି ଶବ୍ଦ ଏଥାନ୍‍ଙ୍କୁ ଶୁଣାଯାଉ ନ ଥାଏ । ଏଥାନ୍‍ଙ୍କର ନିଦ ହେଉ ନଥାଏ, ବିଚଳିତ ମନରେ ଶୁଣାଯାଉ ନ ଥାଏ । ଏଥାନ୍‍ଙ୍କର ନିଦ ଭାବି, ସିଦ୍ଧାନ୍ତ କରିବାକୁ ଅଛି । କିନ୍ତୁ ସେ ଆଉ କିଛି ଭାବି ପାରୁ ନଥାନ୍ତି । ତାଙ୍କ ଉତ୍ତେଜିତ ଧମନୀ ଓ ଶାନ୍ତ ମସ୍ତିଷ୍କରେ ଗୋଟିଏ ମାତ୍ର ଅନୁଭୂତି ଖେଳୁଥାଏ ବାଟରେ ଆସିଲାବେଳେ ମ୍ୟାଟିଙ୍କ କାନ୍ଧର ଉଷ୍ମ-ସ୍ପର୍ଶ-ସୁଖ । ସେ ଅନୁତାପ କରୁଥାନ୍ତି, ବାଟରେ ସେ ମ୍ୟାଟିଙ୍କ ଅଧରରେ ଚୁମାଟିଏ ନଦେଲେ କାହିଁକି ? ଖଟରେ ପଡ଼ି ଏକଥା ଭାବିବାର କେତେଘଣ୍ଟା ପୂର୍ବରେ ଏଭଳି ପ୍ରଶ୍ନ ତାଙ୍କ ମନକୁ ଆଦୌ ଆସି ନଥାନ୍ତା । କିନ୍ତୁ ଘରେ ପଶି ଦୀପ ଆଲୁଅରେ ମ୍ୟାଟିଙ୍କ ଓଠ ଦେଖି ତାଙ୍କ ମନରେ ହୋଇଥାଏ ଯେ ସେ ଦୁଇଟି ନିଜସ୍ୱ । ଘର ଭିତରେ ଆଲୁଅକୁ ଆସିବାର କେଇ ମିନିଟ୍‌ ପୂର୍ବରୁ ବାହାରେ ଦୁଆର ମୁହଁରେ ତାଙ୍କ ସଙ୍ଗେ ଠିଆ ହେଲାବେଳେ ବି ଚୁମା ଦେବାର ଦୁଃସାହସିକ ଚିନ୍ତା ତାଙ୍କ ମନରେ ଉଦିତ ହୋଇ ନଥିଲା ।

 

ରାତି ଯାଇ ଆଜି ସକାଳର ନିର୍ମଳ ପରିବେଶରେ ମଧ୍ୟ ମ୍ୟାଟିଙ୍କ ମୁହଁ ଏଥାନ୍‍ଙ୍କ ମନଶ୍ଚକ୍ଷୁରେ ଭାସୁଥାଏ । ଉଦିତ ସୂର୍ଯ୍ୟଙ୍କ ରକ୍ତିମା ଓ ତୁଷାରର ଦୀପ୍ତ ଶୁଭତା ଉଭୟ ମ୍ୟାଟିଙ୍କ ମୁଖମଣ୍ଡଳରରେ ଯାଇ ଆଶ୍ରୟ ନେଇଥାନ୍ତି ବୋଲି କଳ୍ପନା କରୁଥାନ୍ତି । ଏଥାନ୍‍ଙ୍କ ଚିନ୍ତା ଅତୀତକୁ ଫେରିଗଲା । ପ୍ରଥମେ ଏଇ ମ୍ୟାଟି ଟୋକିଟି ନୂଆ ହୋଇ ଷ୍ଟାର୍କ୍‌ଫିଲ୍‌ଡ୍‍କୁ ଆସିଲା, ସେ ଦିନଠାରୁ ଆଜିକି ତାଙ୍କର ଚେହେରାରେ କି ଅଦ୍‌ଭୂତ ପରିବର୍ତ୍ତନ ନ ହୋଇଛି । ରେଲ ଷ୍ଟେସନରେ ତାଙ୍କ ସଙ୍ଗେ ପ୍ରଥମ ସାକ୍ଷାତ ମନେ ପଡ଼ିଲା; ସେତେବେଳ ସେ ଥିଲେ ସରୁ ହୋଇ ପିଲାଟିଏ, ମୁହଁରେ ରକ୍ତିମ ମାଦକତା ଆଦୌ ନ ଥାଏ । ତା’ପରେ ଆସିଲା ଶୀତଦିନ; ଉତ୍ତର ପବନ ଦୁଆର ଝରକାର ଛିଟିକିଣି ଗୁଡ଼ାକୁ ରଖେଇ ଦେଉ ନଥାଏ; କବଜା ହୁଗୁଳା ହୋଇ ଯାଇଥିବା ଝରକାମାନଙ୍କ ଉପରେ ତୁଷାର, କୁଆପଥର ପରି ପିଟି ହେଉଥାଏ । ସେଇ ପ୍ରଥମ ଶୀତୠତୁରେ ମ୍ୟାଟି କେମିତି ଥୁରୁଥୁରୁ ହେଉଥାନ୍ତି ମନେ ପଡ଼ିଲା ।

 

ଷ୍ଟାର୍କଫିଲ୍‌ଡ୍‍ର କଷ୍ଟମୟ ନିଃସଙ୍ଗ ଜୀବନ ଓ ପ୍ରବଳ ଶୀତ ଯୋଗୁଁ ମ୍ୟାଟି ଏ ସ୍ଥାନ ପ୍ରତି ବିମୁଖ ହୋଇ ଚାଲିଯିବେ ବୋଲି ଏଥାନ୍‍ଙ୍କର ସେତେବେଳେ ଭୟ ହେଉଥାଏ । କିନ୍ତୁ ଲକ୍ଷ କରି ସେ ଦେଖିଲେ ମ୍ୟାଟିଙ୍କ ମୁହଁରେ ଅସନ୍ତୋଷର କ୍ଷୀଣ ସଂଙ୍କେତ ବି ନାହିଁ । ଜୀନାଙ୍କ ମତରେ, ମ୍ୟାଟି ଷ୍ଟାର୍କ୍‌ଫିଲ୍‌ଡରେ ଯେ କୌଣସିମତେ ମୁହଁ ମାଡ଼ି ରହିବ, କାରଣ ତା’ର ଯେ ଅନ୍ୟ ଗତି ନାହିଁ-। କିନ୍ତୁ ଏକଥା ଏଥାନ୍‍ଙ୍କ ମନକୁ ପାଉ ନଥାଏ । ଯାହାର ଅନ୍ୟଗତି ଥାଏ, ସେ ଯଦି ଭାଗ୍ୟ ଆଦରି ଦୁଃଖକୁ ସୁଖ ବୋଲି ବରଣ କରି ନେବାର କଥା, ତେବେ ନିଜେ ଜୀନାଙ୍କ ଠାରେ ଏ ନୀତିର ବ୍ୟତିକ୍ରମ ହେଉଛି କାହିଁକି ?

 

ଦୁର୍ଭାଗ୍ୟ ଯୋଗୁଁ ମ୍ୟାଟି ଆସି ତାଙ୍କ ଘରେ କ୍ରୀତଦାସୀ ପରି ଖଟିବାକୁ ବାଧ୍ୟ ହୋଇଛନ୍ତି, ଏଥିପାଇଁ ଏଥାନ୍‍ଙ୍କ ମନରେ ତାଙ୍କ ପାଇଁ ଭାରି ଦୁଃଖ ହେଉଥାଏ ସେଇ ପ୍ରଥମ ଅବସ୍ଥାରୁ । ମ୍ୟାଟି, ସିଲଭର ଜେନୋବିଆ ଫ୍ରୋମ୍‍ଙ୍କ ମାମୁଁ ପୁଅ ଭାଇର ଝିଅ । ଏଇ ଭାଇ, ନିଜର ପାର୍ବତୀୟ ଗ୍ରାମ ଛାଡ଼ି କନକ୍‌ଟିକଟ୍‌ର ସମୃଦ୍ଧ ଅଞ୍ଚଳରେ ଯାଇ ବାସ କରିବାରେ, ତାଙ୍କର କୁଟୁମ୍ୱବାଟୁମ୍ୱ, ତାଙ୍କ ସୌଭାଗ୍ୟକୁ ତାରିଫ୍‌ କରିବା ସଙ୍ଗେ ସଙ୍ଗେ, ଭାରି ହିଂସା କରୁଥାନ୍ତି । ନୂଆ ଜାଗାରେ ତାଙ୍କର ଭାଗ୍ୟ ଉଦୟ ହେଲା; ସେ ଷ୍ଟାମ୍‌ଫୋର୍ଡ୍‌ର ଗୋଟିଏ ଯୁବତୀକୁ ବିଭା ହେଲେ ଓ ତା’ ବାପାଙ୍କ ଔଷଧ ଦୋକାନର ମାଲିକ ହେଲେ । ଦୋକାନ୍‌ଟି ବେଶ୍‌ ଭଲ ଚଳୁଥାଏ । ମ୍ୟାଟିଙ୍କ ବାପା ଓରିନ୍‌ ସିଲ୍‌ଭର୍‌ଙ୍କ ଖୁବ୍‌ ବଡ଼ ଆଶାଥାଏ; କିନ୍ତୁ ଏ ଆଶା ପୂରଣ ହେବା ଯାଏଁ ତାଙ୍କୁ କାଳ ସହିଲା ନାହିଁ । ସେ ଅଳ୍ପ ବୟସରେ ମରିଗଲେ; ଯେଉଁ ଆଶାରେ ସେ ଘରଦ୍ୱାର ଛାଡ଼ି ନୂଆ ଜାଗାକୁ ଆସି ଘରଜ୍ୱାଇଁ ହୋଇ ରହିଥିଲେ ସେ ସବୁ ଅପୂର୍ଣ୍ଣ ରହିଗଲା । ମଲାପରେ ତାଙ୍କ ହିସାବପତ୍ର ଦେଖା ଏଥାନ୍‌ ଶୁଣୁଥାନ୍ତି, ଆର ଘରେ ମ୍ୟାଟିଙ୍କ ଚଳପ୍ରଚଳ ଶବ୍ଦ; ମ୍ୟାଟିଙ୍କ ବତୀର ଆଲୁଅ ତାଙ୍କ ଘରୁ ମଝିଚଉତରାକୁ ବାହାରି, ଏଥାନ୍‍ଙ୍କ ଶୋଇବାଘର ଦୁଆର ସନ୍ଧିବାଟେ ଗୋଟିଏ କ୍ଷୀଣ ଆଲୋକ ରେଖାରେ ଭିତରକୁ ଆସୁଥାଏ । ଏଇ ଆଲୁଅ ଟିକକ ଉପରେ ଏଥାନ୍‍ଙ୍କ ଆଖି ଲାଖି ରହିଥାଏ । ଟିକକ ପରେ ମ୍ୟାଟିଙ୍କ ଘରୁ ଆଲୁଅ ଲିଭିଲା ଓ ଘରଟି ନିପଟ ଅନ୍ଧାର ହୋଇଗଲା । ପାଖରେ ଜୀନାଙ୍କ ଶ୍ୱାସରୋଗଗ୍ରସ୍ତ ଶ୍ୱାସନଳୀର ନିଶ୍ୱାସ ଶବ୍ଦ ବ୍ୟତୀତ ଆଉ କୌଣସି ଶବ୍ଦ ଏଥାନ୍‍ଙ୍କୁ ଶୁଣାଯାଉ ନ ଥାଏ । ଏଥାନ୍‍ଙ୍କର ନିଦ ହେଉ ନଥାଏ, ବିଚଳିତ ମନରେ ସେ ବିଚାରୁଥାନ୍ତି, ତାଙ୍କର ବହୁତ କିଛି ଭାବି, ସିଦ୍ଧାନ୍ତ କରିବାକୁ ଅଛି । କିନ୍ତୁ ସେ ଆଉ କିଛି ଭାବି ପାରୁ ନଥାନ୍ତି । ତାଙ୍କ ଉତ୍ତେଜିତ ଧମନୀ ଓ ଶାନ୍ତ ମସ୍ତିଷ୍କରେ ଗୋଟିଏ ମାତ୍ର ଅନୁଭୂତି ଖେଳୁଥାଏ ବାଟରେ ଆସିଲାବେଳେ ମ୍ୟାଟିଙ୍କ କାନ୍ଧର ଉଷ୍ମ-ସ୍ପର୍ଶ–ସୁଖ । ସେ ଅନୁତାପ କରୁଥାନ୍ତି, ବାଟରେ ସେ ମ୍ୟାଟିଙ୍କ ଅଧରରେ ଚୁମାଟିଏ ନଦେଲେ କାହିଁକି ? ଖଟରେ ପଡ଼ି ଏକଥା ଭାବିବାର କେତେଘଣ୍ଟା ପୂର୍ବରେ ଏଭଳି ପ୍ରଶ୍ନ ତାଙ୍କ ମନକୁ ଆଦୌ ଆସି ନଥାନ୍ତା । କିନ୍ତୁ ଘରେ ପଶି ଦୀପ ଆଲୁଅରେ ମ୍ୟାଟିଙ୍କ ଓଠ ଦୁଇଟି ଦେଖି ତାଙ୍କ ମନରେ ହୋଇଥାଏ ଯେ ସେ ଦୁଇଟି ତାଙ୍କର ନିଜସ୍ୱ-। ଘର ଭିତରେ ଆଲୁଅକୁ ଆସିବାର କେଇ ମିନିଟ୍ ପୂର୍ବରୁ, ବାହାରେ ଦୁଆର ମୁହଁରେ ତାଙ୍କ ସଙ୍ଗେ ଠିଆ ହେଲାବେଳେ ବି ଚୁମା ଦେବାର ଦୁଃସାହସିକ ଚିନ୍ତା ତାଙ୍କ ମନରେ ଉଦିତ ହୋଇ ନଥିଲା-

 

ଜେନୋବିଆ ମ୍ୟାଟିଙ୍କ କାର୍ଯ୍ୟକୁ ଖୁଣନ୍ତି ଯେ, ପାଟି ତୁଣ୍ଡ କରି ନୁହେଁ । କିନ୍ତୁ ତାଙ୍କ ଚାହାଣି ଓ ମୁଖଭଙ୍ଗୀ ତୁଣ୍ଡର ଗାଳିଠାରୁ ଦିହରେ ଅଧିକ ଗଳି ଯାଏ । ପ୍ରଥମେ ପ୍ରଥମେ ଏଥାନ୍‍ଙ୍କ ମନ ଟକ୍‌ମକ୍‌ ହେଉଥାଏ । ମ୍ୟାଟି ଜୀନାଙ୍କୁ ଦିଅନ୍ତା ଦେଖନ୍ତେ; ଅବଶ୍ୟ ଏହାର ପରିଣାମ କ’ଣ ହୁଅନ୍ତା ସେ ବିଷୟରେ ବି ଭୟ ଥାଏ । ଯାହାହେଉ ସମୟକ୍ରମେ ଅବସ୍ଥା ଟିକିଏ ମୁଲାଏମ୍‌ ହୋଇଗଲା । ଶୀତଦିନ ପରେ ଖରାଦିନ ଆସିଲା; ବିଶୁଦ୍ଧ ବାୟୁ ଓ ଦିନ ତମାମର ଉଷ୍ମତା ଫଳରେ ମ୍ୟାଟିଙ୍କର ସ୍ୱାସ୍ଥ୍ୟ ଓ ଫୁର୍ତ୍ତି ଫେରି ଆସିଲା । ଜୀନା ଘରକାମରୁ ଅବ୍ୟାହତି ପାଇଁ ନିଜର ହଜାର ରକମ ବେମାରୀରେ ତତ୍ତ୍ୱ ନେବାରେ ସବୁବେଳେ ବ୍ୟସ୍ତ ରହିବାଠାରୁ, ମ୍ୟାଟିଙ୍କ କାମରେ କେଉଁଠି ଖଇଚା ରହିଛି ଦେଖିବାରେ ମନ ଦେଲେ ନାହିଁ । ଏଣେ ଏଥାନ୍‌, ନିଜର ଟାଙ୍ଗର ଚାଷଜମି ଓ ଥରକୁ ଥର ଅଚଳ ହେଉଥିବା କରତ କଳରେ ଘାଣ୍ଟି ହୋଇ ମଧ୍ୟ ମନରେ ଆଶ୍ୱସ୍ତ ହେଉଥାନ୍ତି ଯେ, ଅନ୍ତତଃ ଘର ଭିତରର ଅଶାନ୍ତି ଦୂର ହେଲା ।

 

ଏବେ ଯେ ପୁଣି ଅଶାନ୍ତି ଆସିଲାଣି, ତାହାର ସେପରି ପ୍ରତ୍ୟକ୍ଷ ପ୍ରମାଣ ଏଥାନ୍‍ ଦେଇ ପାରିବେ ନାହିଁ । କିନ୍ତୁ କାଲି ରାତିଠାରୁ ତାଙ୍କ ଜୀବନର ଦିଗ୍‌ବଳୟ କୋଣରେ ଅଶାନ୍ତିର ଛୋଟ ମେଘ ଖଣ୍ଡେ ଦିଶିଲା ପରି ଲାଗୁଛି । ଏଇ ମେଘ ହେଉଛି ଜୀନାଙ୍କ ଦୁର୍ଦମ ନୀରବତା ଓ ମ୍ୟାଟିଙ୍କ ବିପଦ ଘଣ୍ଟି ସ୍ୱରୂପ ମୁହୂର୍ତ୍ତକର ସେଇ ସତର୍କ ଚାହାଣି । ଏହାକୁ ଦେଖି ଏଥାନ୍‌ ଭବିଷ୍ୟତରେ କେଜାଣି କ’ଣ ହେବ ବୋଲି ଆଶଙ୍କା କରୁଥାନ୍ତି । ତାଙ୍କର ଅଭିଜ୍ଞତା ଅଛି, କେତେଥର ଏଇ ଭଳି ନିର୍ମଳ ପୂର୍ବାହ୍ନରେ ମୁହୂର୍ତ୍ତକ ପାଇଁ ଏଭଳି ଅସ୍ପଷ୍ଟ ସୂଚନାମାନ ଦଣ୍ଡେ ମୁହୂର୍ତ୍ତକ ପାଇଁ ଆଖି ଆଗରେ ଭାସି ଯାଏ, ଯାହାକୁ ଜାଣି ହୁଏ ଯେ, ରାତିକୁ ନିଶ୍ଚୟ ବର୍ଷା ହେବ । ତାଙ୍କ ପାରିବାରିକ ଜୀବନରେ ଝଡ଼ ଝଞ୍ଜାର ସୂଚନା ଆଜି ସେହିପରି ଜୀନା ଓ ମ୍ୟାଟିଙ୍କ ଢଙ୍ଗରଙ୍ଗରୁ ସୂଚିତ ହେଉଛି ବୋଲି ସେ ବାରି ପାରୁ ଥାନ୍ତି ।

 

ମଣିଷର ସ୍ୱଭାବ, ବିପଦ ନିଶ୍ଚୟ ଆସିବ ବୋଲି ଜାଣିଲେ, ସେ ଚାହେଁ ତାହାର ସମୟଟାକୁ ଯଥା ସମ୍ଭବ ଗଡ଼ାଇ ଦେବାକୁ । ଏ ସ୍ଥଳରେ ବିପଦ ନିଶ୍ଚିତ ବୋଲି ଜାଣି, ତା’ର ସମୟ ଗଡ଼ାଇ ଦେବାକୁ । ଏଥାନ୍‌ ଚେଷ୍ଟା ଚଳାଇଥାନ୍ତି । ଆଗ ଉଦୁଉଦିଆ ଦି’ପହର ପର୍ଯ୍ୟନ୍ତ କାଠ କାଢ଼ିବା ଓ ସଜାଡ଼ିବାରେ କଟିଲା । ତା’ପରେ କାଠ ନେଇ ଷ୍ଟାର୍କଫିଲ୍‌ଡରେ ନୂଆ ଘର କରୁଥିବା ଆଣ୍ଡୃ ହେଲ୍‌ଙ୍କ ପାଖେ ପହଞ୍ଚାଇ ଦେବା କଥା । ମୂଲିଆ ଜୋଥାମ୍‌ ପାଓ୍ୱେଲକୁ ସେ ଆଦେଶ ଦେଲେ ଚାଲି ଚାଲି ନିଜ ଚାଷ ଘରକୁ ବାହୁଡ଼ି ଯିବାକୁ; ନିଜେ ଗାଡ଼ି ଯୋଚି ବାହାରିଲେ ହେଲ୍‌ଙ୍କ ପାଖେ କାଠ ପହଞ୍ଚାଇ ଦେବାକୁ । ଗାଡ଼ି ଉପରେ ଲଦା ଯାଇଥିବା କାଠ-ଗଣ୍ଡି ମାନଙ୍କ ଉପରେ ବସି, ଦୁଇ ପାଖକୁ ଦୁଇ ଗୋଡ଼ ଲମ୍ୱାଇ, ପାଉଁଶିଆ ବର୍ଣ୍ଣର ବାଳବାଳୁଆ ଘୋଡ଼ା ଦୁଇଟାକୁ ସେ ଅଡ଼ାଇ ଦେଲେ । ସେତିକିବେଳେ ବି ସେ ଦେଖୁଥାନ୍ତି, ତାଙ୍କ ମୁହଁ ଓ ଘୋଡ଼ାଙ୍କ ଝାଳ ନାଳ ପୂର୍ଣ୍ଣ ବେକ ମଝିରେ ମ୍ୟାଟିଙ୍କର ସେଇ ସତର୍କକାରୀ ଚାହାଣି, ଯାହାକୁ ପୂର୍ବରାତିରେ ସେ ଦେଖିଥିଲେ ।

 

ସେ ଚାହାଣିଟା ଦେଖି ତାଙ୍କର ମନେ ହେଲା,’’ ଯଦି ବାସ୍ତବିକ୍‌ ଝଡ଼ଝଞ୍ଜା ଆସେ ତେବେ ଘଟଣାସ୍ଥଳରେ ମୁଁ ଉପସ୍ଥିତ ରହିବା ଉଚିତ ।’’ ଏ ଭାବନା ଆସିବାକୁ ସେ ଜେ ଥାମ୍‌କୁ ହଠାତ୍‌ ଓଲଟା ଆଦେଶ ଦେଲେ—ଘୋଡ଼ାଙ୍କୁ ଫିଟାଇ ଖଳାରେ ବାନ୍ଧି ଦେ, ପରେ କାଠ ଗାଡ଼ି ନେବା ।

 

ତୁଷାରପୂର୍ଣ୍ଣ କ୍ଷେତ୍ରମାନଙ୍କ ଭିତରେ ସେ ଧୀର ଗତିରେ ଘରମୁହାଁ ଚାଲିଲେ । ସେ ଓ ମୂଲିଆ—ଦୁହେଁ ଯାଇ ରୋଷେଇ ଘରେ ପଶିଲା ବେଳକୁ ମ୍ୟାଟି ଚୁଲିରୁ କଫି କେଟଲ୍‌ ବାହାର କରୁଛନ୍ତି, ଜୀନା ଖାଇବା ଟେବୁଲ୍‌ ଉପରେ ବସି ସାରିଲେଣି । ଜୀନାଙ୍କୁ ଦେଖି ସେ ଥକ୍‌କା ମାରି ଠିଆ ହୋଇ ପଡ଼ିଲେ ଘରେ ସାଧାରଣତଃ ଜୀନା ପିନ୍ଧନ୍ତି ସୁତୁଲି ଆଲଖାଲା ଓ ଦେହରେ ପକାନ୍ତି ଶାଲ ଖଣ୍ଡେ । ଆଜି କିନ୍ତୁ ସେ ପିନ୍ଧିଥାନ୍ତି ତାଙ୍କର ସବୁଠାରୁ ବଢ଼ିଆ ପୋଷାକ—ମେରିନୋ ମେଣ୍ଢା ରୁମର ପିଙ୍ଗଳ ବର୍ଣ୍ଣ ପୋଷାକଟା । ମୁଣ୍ଡରେ ପାତଳ ହୋଇ ଯେଉଁ ବାଳ କେରାକ ସେଥିରେ କୁଞ୍ଚିବା ପିନ୍‌ର କରଣି ଏ ପର୍ଯ୍ୟନ୍ତ ସ୍ପଷ୍ଟ ଦିଶୁଥାଏ; ସେଇ ବାଳ ଉପରକୁ ରହିଥାଏ ସିଧା ଠିଆ ହେଲା ପରି ତାଙ୍କ ଟୋପିଟା । ଏଥାନ୍‍ଙ୍କର ସ୍ପଷ୍ଟ ମନେ ଥାଏ, ଏଇ ଟୋପିଟା ପାଇଁ ବେଟ୍‌ସୁବ୍ରିଜ୍‌ ଦୋକାନରେ ତାଙ୍କୁ ପଚିଶ ଟଙ୍କା ଅକଲସଲାମି ଦେବାକୁ ପଡ଼ିଥିଲା । ଏଥାନ୍‌ ଆହୁରି ଦେଖିଲେ, ଜୀନାଙ୍କ ଗୋଡ଼ ପାଖେ ତାଙ୍କ ନିଜ ପୁରୁଣା ଚମଡ଼ା ବାକ୍‌ସଟା ଥୁଆ ହୋଇଛି, ଓ ତା’ ପାଖରେ ରହିଛି ଗୋଟାଏ ବୁଢ଼ା କାଗଜର ପେଡ଼ା—ତା’ ଉପରେ ପୁଣି ଖବର କାଗଜ ଗୁଡ଼ିଆ ହୋଇଛି ।’’

 

ଏଥାନ୍‌ ବିସ୍ମିତ ହୋଇ ପଚାରିଲେ, ‘‘ୟେ ସବୁ କ’ଣ ଜୀନା, ତୁମେ କ’ଣ କୁଆଡ଼େ ବାହାରିଛ ?’’

 

‘‘ମୋ ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା ଆଜି ବହୁତ ବଢ଼ି ଯାଇଛି । ମୁଁ ଯାଉଛି ବେଟସ୍‌ବ୍ରିଜ୍‌; ଆଜି ରାତିଟା ମାର୍ଥା ମାଉସୀଙ୍କ ଘରେ ରହି ଯେଉଁ ନୂଆ ଡାକ୍ତର ଆସିଛନ୍ତି ତାଙ୍କର ପରାମର୍ଶ ନେବି’’ । ଭଣ୍ଡାର ଘରକୁ ଯାଇ ଆଚାର ଗୁଡ଼ାକ କିମିତି ଅଛି ଦେଖିବେ ବା ଓପର ଘରକୁ ଯାଇ କମଳ ଗୁଡ଼ାକ ଉପରେ ଆଖି ପକାଇ ଆସିବେ ବୋଲି ଯେପରି ସହଜ ସ୍ୱରରେ କହନ୍ତି, ସେଇପରି ସ୍ୱରରେ ଜୀନା ଏ ସମ୍ୱାଦ ଶୁଣାଇ ଦେଲେ ।

 

ଜୀନା ଦିନ ପରେ ଦିନ ଘରେ ବସି ରହିବାରେ ଅଭ୍ୟସ୍ତ ହେଲେ ହେଁ, ପୂର୍ବେ ଯେ କେବେ ଏଭଳି ହଠାତ୍‌ ବାହାରକୁ ଯିବାକୁ ନ ବାହାରିଛନ୍ତି ତାହା ନୁହେଁ । ପୂର୍ବେ ଦୁଇ କି ତିନି ଥର ସେ ଏହିପରି ଏଥାନ୍‍ଙ୍କ ଚମଡ଼ା ବାକ୍‌ସରେ ଜିନିଷ ପତ୍ର ପୂରାଇ ବେଟସ୍‌ବ୍ରିଜ୍‌, ଏପରି କି ସ୍ପ୍ରିଙ୍ଗ୍‌ଫିଲ୍‌ଡକୁ ମଧ୍ୟ ରମାନା ହୋଇଛନ୍ତି । ପ୍ରତ୍ୟେକଥର ଏ ଉଦ୍ଦେଶ୍ୟ, କୌଣସି ଏକ ନୂଆ ଡାକ୍ତରର ପରାମର୍ଶ ନେବେ । ଏଭଳି ପରାମର୍ଶ ଅନ୍ୱେଷଣ ଯାତ୍ରାକୁ ଏଥାନ୍‍ଙ୍କର ମହା ଭୟ, କାରଣ ପ୍ରତିଥର ତାଙ୍କୁ ଗୁଡ଼ାଏ ପଇସା ଦେବାକୁ ପଡ଼େ । ପ୍ରତିଥର ଜୀନା ଦାମିକା ଔଷଧ ଧରି ଫେରନ୍ତି । ଏଇ, ଏବେ ଯାହା ସ୍ପ୍ରିଙ୍ଗ୍‌ଫିଲ୍‍ଡ ଯାଇଥିଲେ ତାହାର ସ୍ମୃତି ଏଥାନ୍‍ଙ୍କ ମନରେ ଅଦ୍ୟାପି ଦାଗ ପରି ରହିଛି । ଆଣ୍ଠୁଗଣ୍ଠି ପୀଡ଼ା ଉପଶମ ପାଇଁ ଏଥର ଶହେ ଟଙ୍କା ଦାମରେ ଗୋଟାଏ ଇଲେକ୍‌ଟ୍ରିକ୍‌ ବ୍ୟାଟେରୀ ଆଣିଛନ୍ତି, ଅଥଚ ତାହା କିପରି ବ୍ୟବହାର କରିବାକୁ ହେବ ସେକଥା ଏପର୍ଯ୍ୟନ୍ତ ଜଣାନାହିଁ । ସେ ଯାହାହେଉ, ଆଜି ପୁଣି ଜୀନା ଘରୁ ଯାଉଛନ୍ତି ବୋଲି ଶୁଣି ଏଥାନ୍‍ଙ୍କ ମନରେ ଏଭଳି ସ୍ୱସ୍ତି ଆସିଲା ଯେ ଅନ୍ୟସବୁ ଦୁଶ୍ଚିନ୍ତା ମନରୁ କୁଆଡେ ଛାଡ଼ି ପଳାଇଲେ । କାଲି ରାତିରେ ଜୀନା ଯେ କହିଥିଲେ ଭାରୀ ଖରାପ ଲାଗିବାରୁ ସେ ଶୋଇ ପାରି ନଥିଲେ, ସେ କଥା ତାହାହେଲେ ସତ ବୋଲି ଏଥାନ୍‌ ଆଶ୍ୱସ୍ତ ହେଲେ; ହଠାତ୍‌ ଡାକ୍ତର ପରାମର୍ଶ ଲୋଡ଼ିବାକୁ ବାହାରିବାରୁ ଏଥାନ୍‌ ଧରିନେଲେ, ସବୁଥର ପରି ଆଜି ମଧ୍ୟ, ଜୀନାଙ୍କ ସମସ୍ତ ଚିନ୍ତା ନିଜର ରୋଗବୈରାଗ୍ୟ ବିଷୟରେ ଆବଦ୍ଧ ଓ ଅନ୍ୟ କୌଣସି ଦୁଶ୍ଚିନ୍ତା ବା ସନ୍ଦେହରେ ସେ ଘାଣ୍ଟି ହେଉ ନାହାନ୍ତି ।

 

କେଜାଣି ଏଥାନ୍‌ ମଙ୍ଗିବେ ନାହିଁ ବୋଲି ଆଶଙ୍କା କରି ଜୀନା ଅନୁନୟଭରା ସ୍ୱରରେ କହିଲେ, ‘‘ତୁମେ ତ ଗଦାରୁ କାଠ କାଢ଼ିବାରେ ବ୍ୟସ୍ତ, ତେଣୁ ନିଜେ ଯାଇ ପାରିବ ନାହିଁ । ଜୋଥାମ୍‌ ପାଞ୍ୱେଲ୍‌କୁ କହନ୍ତି ଯଦି, ସେ କସରା ଘୋଡ଼ାକୁ ଯୋଚି ମୋତେ ନେଇ ଫ୍ଲାଟସ୍‌ ଷ୍ଟେସନରେ ଛାଡ଼ି ଆସନ୍ତା । ବିଳମ୍ୱ ହେଲେ ଗାଡ଼ି ଫେଲ୍‌ ହେବାର ଭୟ ଅଛି ।’’

 

ଜୀନାଙ୍କ କଥା ଏଥାନ୍‍ଙ୍କ କାନରେ ପୂରା ପଶିଥାଏ ବୋଲି କହି ହେବ ନାହିଁ । ଶୀତ ୠତୁରେ ଷ୍ଟାର୍କଫିଲ୍‌ଡ ଓ ବେଟ୍‌ସ୍‌ବ୍ରିଜର ମଝିରେ ଘୋଡ଼ାଗାଡ଼ି ଚାଲେ ନାହିଁ । ଯାନ ବୋଇଲେ ଏକମାତ୍ର କର୍‌ବ୍ୟୁରି ଫ୍ଲାଟସ୍‌ ଷ୍ଟେସନରେ ଠିଆ ହେଉଥିବା ରେଲଗାଡ଼ି । ଏଗୁଡ଼ାକ ଅତି ଧୀରେ ଧୀରେ ଯା’ନ୍ତି ଦିନକ ଭିତରେ ମାତ୍ର ଗୋଟାଏ ଦୁଇଟା ଯାତ୍ରୀବାହୀ ଗାଡ଼ି ଫ୍ଲାଟସ୍‌ ଷ୍ଟେସନରେ ଠିଆ ହୁଏ । ମନରେ ଯିବା ଆସିବାର ସମୟ ହିସାବ କରି ଏଥାନ୍‌ ଧରିନେଲେ, ଜୀନା ଯଦି ବର୍ତ୍ତମାନ ଯା’ନ୍ତି ତେବେ କାଲି ସଂଧ୍ୟାପୂର୍ବରୁ ଆସି ଘରେ ପହଞ୍ଚିବାର ଆଶା ନାହିଁ ।

 

ଏଥାନ୍‍ଙ୍କଠାରୁ ଉତ୍ତର ନ ପାଇ ଜୀନା କହି ଚାଲିଲେ, ‘‘ଜୋଥାମ୍ ପାୱେଲ ମୋତେ ନେଇ ଷ୍ଟେସନରେ ଛାଡ଼ି ଆସିବା ବିଷୟରେ ତୁମେ ଆପତ୍ତି କରିପାର ବୋଲି ଯଦି ସନ୍ଦେହ କରିଥାନ୍ତି—’’ ଏଥାନ୍‌ ଚୂନି ରହିବାକୁ ସେ ଧରି ନେଲେ ଷ୍ଟେସନ୍‌କୁ ଗାଡ଼ି ପଠାଇବାକୁ ଏଥାନ୍‌ ନାରାଜ । ଏଭଳି ଯିବାବେଳେ ଜୀନା ସବୁଥର ଏଇପରି ପ୍ରଗଲ୍‍ଭ ହୋଇ ପଡ଼ନ୍ତି । ସେ ପୁଣି କହିଲେ, ‘‘ମୁଁ ଦେଖୁଛି, ମୋ’ର ଅବସ୍ଥା ଯାହା, ସେଥିରେ କିଛି ନକରି ମୁଁ ବେଶୀଦିନ ତିଷ୍ଠି ରହିପାରିବି ନାହିଁ । ଏଇ ମୁହୂର୍ତ୍ତରେ ମୋ ଗୋଡ଼ର ବଳାଗଣ୍ଠି ତଳ ଦୁଇଟାରେ ଭୀଷଣ ଯନ୍ତ୍ରଣା ହେଉଛି, ତା ନ ହୋଇଥିଲେ ତୁମକୁ ଅସୁବିଧାରେ ନ ପକାଇ ମୁଁ ନିଜ ଗୋଡ଼ରେ ଷ୍ଟାର୍କ୍‌ଫିଲ୍‌ଡ୍‌ ଯାଏଁ ଚାଲିଯାନ୍ତି । ସେଠାରେ ମାଇକେଲ୍‌ ଏଡିଙ୍କ ମାଲବୁହା ଗାଡ଼ିରେ ବସି ଷ୍ଟେସନ୍‌କୁ ଯାଇ ହୁଅନ୍ତା । ମାଇକେଲ୍‌ ଏଡିଙ୍କ ଗାଡ଼ି ତ ପ୍ରତିଦିନ ରେଳ ବେଳକୁ ଷ୍ଟେସନ୍‌ ଯାଏ, ମାଲପତ୍ର ଆଣିବାକୁ ଖୁବ୍‌ ତାଙ୍କ ଗାଡ଼ି ଶୀଘ୍ର ବାହାରେ, ସେଥିରେ ଯାଇଥିଲେ ଦୁଇଘଣ୍ଟା ଆଗରୁ ଯାଇ ଷ୍ଟେସନରେ ବସିବାକୁ ହୋଇଥାନ୍ତା । ମେଲାରେ ଭାରି ଶୀତ ହେଉଥିବ; ତଥାପି ମୁଁ ସେପରି ଯାଇଥାନ୍ତି, ଯଦି ଜାଣି ପାରିଥାନ୍ତି ଯେ ତୁମେ— ।’’

 

ଏତେବେଳେ ଯାଇ ଏଥାନ୍‌ ଜୀନାଙ୍କ ଅନୁନୟର ଉତ୍ତର ଦେଲେ, ‘‘ଦରକାର ଯେତେବେଳେ, ଜୋଥାମ୍‌ ତ ନିଶ୍ଚୟ ତୁମକୁ ଷ୍ଟେସନରେ ଛାଡ଼ି ଦେଇ ଆସିବ । ଏଥିରେ ଆପତ୍ତି କରିବାର କ’ଣ ଅଛି ?’’ ହଠାତ୍‌ ଏଥାନ୍‍ଙ୍କର ହୋସ୍‌ ହେଲା ଯେ ଜୀନା ତାଙ୍କୁ ଗାଡ଼ି ପାଇଁ କହୁଥିଲାବେଳେ, ସେ (ଏଥାନ୍‌) ମ୍ୟାଟି ଆଡ଼କୁ ଚାହିଁ ରହିଥିଲେ । ସେ ଚେଷ୍ଟାକରି ଦୃଷ୍ଟି ନିଜ ସ୍ତ୍ରୀଙ୍କ ଆଡ଼କୁ ଫେରାଇଲେ । ଜୀନା ଝରକା ଆଡ଼କୁ ମୁହଁ କରି ବସିଥାନ୍ତି; ବାହାରେ ଜମା ହୋଇଥିବା ତୁଷାର ସ୍ତୁପର ତେଜ ତାଙ୍କ ମୁହଁ ଉପରେ ପଡ଼ିବାରୁ ତାହା ଅଧିକ ରକ୍ତହୀନ ଓ ଶୋଥା ଦିଶୁଥାଏ; ତାଙ୍କ କାନ ଓ କପୋଳ ମଝିରେ ସମାନ୍ତରାଳ ଭାବେ ଯେଉଁ ତିନିଟା ଗାର ତାହା ଆହୁରି ସ୍ପଷ୍ଟ ହୋଇଥାଏ; ନାକମୂଳରୁ ପାଟିର ଦୁଇକଡ଼କୁ ଦୁଇଟା ଧାର ପରି ଚମ ମୋଡ଼ି ହୋଇଯାଇଥାଏ । ଏଥାନ୍‍ଙ୍କଠାରୁ ଜୀନା ସାତବର୍ଷ ବଡ଼; ଏଥାନ୍‍ଙ୍କୁ ଅଠେଇଶ ବର୍ଷ ମାତ୍ର । କିନ୍ତୁ ଏଇ ୩୫ବର୍ଷରେ ଜୀନା ପାରୁ ବୁଢ଼ି ହୋଇ ସାରିଥାନ୍ତି ।

 

ଏଥାନ୍‍ଙ୍କର ମନ ହେଉଥାଏ ଏ ସମୟର ଉପଯୋଗୀ ପଦେ ଅଧେ କ’ଣ ଜୀନାକୁ କହନ୍ତେ, କିନ୍ତୁ ତାଙ୍କ ମନକୁ ତ ଗୋଟିଏ ମାତ୍ର ଚିନ୍ତା ଅଧିକାର କରି ବସିଥାଏ, ସେ ଆଉ କ’ଣ କହିବେ କିପରି ଓ କାହାକୁ ? ସେ ଖାଲି ଏତିକି ମାତ୍ର ଭାବୁଥାନ୍ତି ଯେ ମ୍ୟାଟି ଆସି ତାଙ୍କ ଘରେ ରହିବା ଦିନୁଁ ସର୍ବପ୍ରଥମେ ଆଜି ଜୀନା ଗୋଟିଏ ରାତି ଘରୁ ଅନ୍ୟତ୍ର ଯାଇ ରହିବେ । ମ୍ୟାଟିଙ୍କ ମନରେ ମଧ୍ୟ ଏ ଚିନ୍ତାଟା ଢୁକିଲାଣି କି ନାହିଁ ସେ ଜାଣିବାକୁ ବ୍ୟାକୁଳ ହେଉଥାନ୍ତି ।

 

କାଠଗାଡ଼ି ନେଇ ଷ୍ଟାର୍କଫିଲ୍‌ଡ୍‍ ଯିବାକୁ ଜୋଥାମ୍‌ ପାଓ୍ୱେଲକୁ ବରାଦ କରି ସେ ନିଜେ ଜୀନାକୁ ଷ୍ଟେସନରେ ନେଇ ଛାଡ଼ି ଦେବାକୁ କାହିଁକି ବାହାରୁ ନାହାନ୍ତି ବୋଲି ଜୀନା ନିଶ୍ଚୟ ଭାବୁଥବେ ବୋଲି ଏଥାନ୍‌ ଅନୁମାନ କଲେ । ଷ୍ଟେସନ୍‌କୁ ନ ଯିବାର କାରଣ କ’ଣ ବୋଲି କହିବେ ଆଗ ଏଥାନ୍‌ ଭାବି ପାରିଲେ ପାହିଁ । ପରେ ଗୋଟିଏ ଆଳ ପାଇ କହିଲେ, ‘‘ମୁଁ ତୁମକୁ ନେଇ ଯାଇଥାନ୍ତି ଯେ, ନିଜେ କାଠ ପହଞ୍ଚାଇ ଦେଇ ଦାମଟା ଆଦାୟ କରିନେବି ବୋଲି ଭାବିଛି ।’’

 

ଏ କଥା କହିବା ସାଙ୍ଗେ ସାଙ୍ଗେ କାହିଁକି କହିଲେ ବେଲି ଅନୁଶୋଚନା ଆସିଲା । ପ୍ରଥମତଃ ଏକଥାଟା ମିଛ; ହେଲ୍‌ଙ୍କଠାରୁ କାଠ ଦାମ ସାଙ୍ଗେ ସାଙ୍ଗେ ମିଳିବାର ସମ୍ଭାବନା ଆଦୌ ନଥାଏ । ଦ୍ୱିତୀୟରେ, ପୂର୍ବ ଅଭିଜ୍ଞତାରୁ ସେ ଜାଣନ୍ତି, ଜୀନା ଔଷଧ ଅନ୍ୱେଷଣରେ ବାହାରିବା ପୂର୍ବରୁ, ତାଙ୍କ ପାଖରେ ଟଙ୍କା ଅଛି ବୋଲି ଜୀନାଙ୍କୁ ଜଣାଇଦେବା ଘୋର ବୋକାମି । ସେ ଯାହାହେଉ ବୁଢ଼ା ଘୋଡ଼ାକୁ ଯେ ଚି ଷ୍ଟେସନର ଲମ୍ବା ରାସ୍ତାତକ ଜୀନାଙ୍କ ପାଖରେ ବସି ଯିବାରୁ କୈାଣସି ମତେ ରକ୍ଷା ପାଇବା ଏଥାନ୍‍ଙ୍କର ଏତେବେଳେ ଏକମାତ୍ର କାମନା ହୋଇଥାଏ । ଏ ଘୋଡ଼ାଟାକୁ ଯେତେ ଓଡ଼ାଇଲେ ବି, ଧାଇଁବାର ଏକାବେଳବେ ଆଶା ନଥାଏ ।

 

ଜୀନା ଏଥାନ୍‍ଙ୍କ କଥାର କିଛି ଜବାବ ଦେଲେ ନାହିଁ । ସେ ଷ୍ଟେସନକୁ ନଯିବାର ଯେଉଁ କାରଣ ଦେଲେ, ତାହା ସେ ନ ଶୁଣିଲା ପରି ମନେ ହେଲା । ସେତେବେଳକୁ ଜୀନା ଖାଇବା ଥାଳୀଟା ସାମନାରୁ ଆଡ଼େଇ ଦେଇ, ପାଖରେ ରଖା ହୋଇଥିବା ଗୋଟାଏ ବଡ଼ ବୋତଲରୁ ପାନେ ଔଷଧ ପାନ-ପାତ୍ରରେ ଢାଳୁଥାନ୍ତି ।

 

ଖାଲି ବୋତଲଟା ମ୍ୟାଟିଙ୍କ ଆଡ଼କୁ ଆଡ଼େଇ ଦେଇ ଜୀନା କହିଲେ, ‘‘ଏ ଔଷଧରେ ମୋର ତିଳେ ମାତ୍ର ଉପକାର ହୋଇନାହିଁ, କିନ୍ତୁ ଔଷଧଟା ସାରିବାକୁ ତ ହେବ । ଆଜି ସରିକି ସରିଲା । ଏ ବୋତଲରୁ ଔଷଧ ଗନ୍ଧ ଯଦି ଦୂର କରିପାରିବୁ ତେବେ ଏଥିରେ ଆଚାର ରଖାଯାଇ ପାରିବ ।’’

 

ଚତୁର୍ଥ ପରିଚ୍ଛଦ

 

ଜୀନାଙ୍କୁ ନେଇ ବଗି ଛାଡ଼ିବା ସଙ୍ଗେ ସଙ୍ଗେ ଏଥାନ୍‍ କୋଠିରେ ଓହଳିଥିବା ତାଙ୍କ କୋଟ୍‌ ଓ ଟୋପି କାଢ଼ିଲେ । ମ୍ୟାଟି ସଂଖୁଡ଼ି ବାସନ ମାଜୁ ମାଜୁ କାଲି ରାତିରେ ଗୋଟିଏ ନାଚ ସୁର ଗୁଣୁଗୁଣୁ ସ୍ୱରରେ ଗାଉଥାନ୍ତି । ଏଥାନ୍‌ ତାଙ୍କ ପାଖକୁ ଯାଇ କହିଲେ, ‘‘ମୁଁ ଯାଉଛି, ମ୍ୟାଟ୍‌ !’’ ମ୍ୟାଟି ଖୁସ୍‌ ମେଜାଜରେ ଉତ୍ତର ଦେଲେ, ‘‘ହଉ, ଯାଅ, ଏଥାନ୍‌ !’’ ସମ୍ଭାଷଣ ଏତିକିରେ ସରିଲା ।

 

ରୋଷେଇ ଘର ଭିତରେ ବେଶ୍‌ ଆଲୁଅ ପଡ଼ିଥାଏ, ଉଷୁମ ବି ଲାଗୁଥାଏ । ଦକ୍ଷିଣ ପାଖର ଝରକାବାଟେ ସୂର୍ଯ୍ୟଙ୍କ କିରଣ ତୀର୍ଯ୍ୟକ ଭାବେ ଆସି ମ୍ୟାଟିଙ୍କ କାର୍ଯ୍ୟରତ ଶରୀରରେ ଖେଳୁଥାଏ; ଚଉକିରେ ଘୁଘୁଡ଼ି ମାରୁଥିବା ବିରାଡ଼ି ଏବଂ ଦୁଆର ମୁହଁରୁ ଆଣି ଭିତରେ ରଖାଯାଇଥିବା ଜେରାନିଅମ୍‌ ଫୁଲ ଗଛର ଗମଲା ଉପରେ ବି ସୂର୍ଯ୍ୟକିରଣ ପଡ଼ିଥାଏ । ଗଲା ଖରାଦିନେ ଏଇ ଜେରାନିଅମ୍‌ ଚାରା ଆଣି ଏଥାନ୍‌ ଦୁଆର ଆରପଟେ ଲଗାଇଥିଲେ, ମ୍ୟାଟିଙ୍କ ପାଇଁ ଗୋଟିଏ କ୍ଷୁଦ୍ର ଉଦ୍ୟାନ କରିବାର ଉପକ୍ରମ ସ୍ୱରୂପ । ଘରେ ଆଉ ଟିକିଏ ବେଳ ରହି, ମ୍ୟାଟି ବାସନକୁସନ ଧୋଇବା ସାରି ସିଲେଇ କାମରେ ଲାଗିବାର ଦେଖନ୍ତେ ବୋଲି ଏଥାନ୍‍ଙ୍କର ମନ ହେଉଥାଏ; କିନ୍ତୁ ତା’ଠାରୁ ଆହୁରି ଜରୁରୀ ମନେହେଲା, କାଠବୁହା କାମଟା ସଂଧ୍ୟାପୂର୍ବରୁ ସାରିଦେଇ ଅନ୍ଧାର ପଡ଼ିଲା ବେଳକୁ ଘରକୁ ଫେରିଆସିବା ।

 

ଷ୍ଟାର୍କଫିଲ୍‌ଡରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ଏଥାନ୍‌ ଖାଲି ଗୋଟାଏ କଥା ଭାବୁଥାନ୍ତି, କେମିତି ବେଗେ ଫେରି ମ୍ୟାଟି ପାଖରେ ଆସି ପହଞ୍ଚିବେ । ରୋଷେଇ ଘରଟାର ଅବସ୍ଥା ଏବକୁ ଖରାପ ହୋଇଗଲାଣି । ତାଙ୍କ ପିଲାଦିନେ ତାଙ୍କ ମା’ ଏ ଘରଟା ଛାପଚିକଣ କରି ରଖିଥିଲେ; ଆଜି ତା’ର ସେ ରୂପ ନାହିଁ, କିନ୍ତୁ ଘରୁ ଜୀନା ଗୋଡ଼ କାଢ଼ିବା ମାତ୍ରେ ଏଇ ରୋଷେଇ ଘରଟା ହଠାତ୍‌ କେଡ଼େ ଆରାମପ୍ରଦ ହୋଇଗଲା, ଅନୁଭବ କରି ଏଥାନ୍‌ ବିସ୍ମିତ ହେଉଥାନ୍ତି । ସନ୍ଧ୍ୟାବେଳେ ସେ ଓ ମ୍ୟାଟି ଖାଇସାରି ଏଇ ଘରେ ଯେତେବେଳେ ନିଭୃତରେ ବସିବେ ସେତେବେଳେ ଏହା ଆହୁରି କେଡ଼େ ସୁଖକରି ହେବ ତାହାର ଚିତ୍ର ଏଥାନ୍‌ କଳ୍ପନା କରୁଥାନ୍ତି । ଜୀବନରେ ପହିଲି ଥର ସେ ଓ ମ୍ୟାଟି ଘରଭିତରେ ଏକୁଟିଆ ହୋଇ ରହିବେ, ଚୁଲିର ଦୁଇପାଖରେ ଦୁହେଁ ପାଖାପାଖି ହୋଇ ବସିବେ, ଠିକ୍‌ ବିବାହିତ ପୁରୁଷ ଓ ସ୍ତ୍ରୀ ପରି । ତାଙ୍କ ଗୋଡ଼ରେ ଥିବା କେବଳ ମୋଜା ଯୋଡ଼ାକ, ମୁହଁରେ ଥିବା ପାଇପ୍‌ । ଆଉ ମ୍ୟାଟି ? ସେ ହସୁଥିବେ ଓ ତାଙ୍କର କଉତୁକିଆ ସ୍ୱରରେ ଗପ କରୁଥିବେ । ୟାଙ୍କ ସ୍ୱରଟା ସେ ଯେତେ ଶୁଣିଲେ ବି ମୁହୂର୍ତ୍ତକୁ ମୁହୂର୍ତ୍ତ ନୁଆ ଲାଗୁଥାଏ; ପ୍ରତି ପଦରେ ସେ ବିଚାରୁଥାନ୍ତି, ଏ ସ୍ୱର ପୂର୍ବରେ କେଭେଁ ତାଙ୍କ କାନରେ ବାଜୀନାହିଁ ।

 

ମନର ଏହି କଳ୍ପନା ସାଙ୍ଗକୁ, ଜୀନାଙ୍କ ସହିତ କଳି ଲାଗିବାର ଯେଉଁ ଭୟ ଥିଲା ତାହା ଅକାରଣ ବୋଲି ଜଣା ପଡ଼ିବାରୁ ବଡ଼ ଉଷତ ଲାଗୁଥାଏ । ଏହି ଉଷତରେ ତାଙ୍କ ମନ ଭିତରେ ରୁଦ୍ଧ ହୋଇ ରହିଥିବା ଆନନ୍ଦ ହଠାତ୍‌ ଉବୁଜାଇ ଉଠିଲା । ସ୍ୱଭାବତଃ ଗମ୍ଭୀର ଏଥାନ୍‌, ଆଜି ଏତେ ଉତଲା ହୋଇ ପଡ଼ିଲା ଯେ, ତୁଷାରାଚ୍ଛାଦିତ ପଡ଼ିଆରେ ଗାଡ଼ି ଚଳାଇବାବେଳେ ଶିଶିର ମାରୁ ମାରୁ ବଡ଼ ପାଟିରେ ଗୀତ ଗାଇବାକୁ ଲାଗିଲେ । ଏଥାନ୍‍ଙ୍କ ପ୍ରକୃତିର ନିଭୃତ ଏକ କୋଣରେ ଖୁସିବାସିର ଗୋଟିଏ କ୍ଷୁଦ୍ର ଶିଖା ଅଦ୍ୟାପି ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ, ବର୍ଷ ପରେ ବର୍ଷ ଷ୍ଟାର୍କଫିଲ୍‌ଡ୍‍ର ଲମ୍ଭା ଶୀତଦିନ ସେ ଶିଖାକୁ ଏକାବେଳକେ ଲିଭାଇ ଦେବାକୁ ସମର୍ଥ ହୋଇନାହିଁ । ସ୍ୱଭାବତଃ ସେ ଗମ୍ଭୀର ଓ ମିତଭାଷୀ ହେଲେହେଁ, ବନ୍ଧୁ ମାନଙ୍କର ଚଗଲାମି ଓ ଖୁସ୍‌ ମେଜାଜକୁ ସେ ଅନ୍ତର ଭିତରେ ପସନ୍ଦ କରନ୍ତି; ବନ୍ଧୁ ମାନଙ୍କର ଖୁସିଗପ ଶୁଣିଲେ ତାଙ୍କ ଅନ୍ତରର ସେଇ ନିଭୃତ କୋଣରେ ଆନନ୍ଦ ଉଲସି ଉଠେ । ଓରସେଷ୍ଟରରେ ପଢ଼ୁଥିବାବେଳେ ସେ ସବୁବେଳେ ଚୁପ୍‌ ହୋଇ ରହନ୍ତି ଓ ସାଙ୍ଗ ପିଲାଙ୍କ ଖୁସିବାସିରେ ମିଶନ୍ତି ନାହିଁ ବୋଲି ତାଙ୍କର କୁଖ୍ୟାତି ହୋଇଥିଲା । କିନ୍ତୁ ସେଠାରେ ବି ‘ଏଥ୍‌ ଟୋକା’, ‘ଘୁଙ୍ଗା ବୁଢ଼ା’ ବୋଲି ତାଙ୍କୁ ତାଙ୍କ ସାଙ୍ଗ ପିଲା ଟାପରା କଲେ ଭିତରେ ଭିତରେ ସେ ଆନନ୍ଦ ଅନୁଭବ କରୁଥିଲେ । ଷ୍ଟାର୍କଫିଲ୍‌ଡ୍‍କୁ ଫେରିବା ପରେ ଏଭଳି ଥଟ୍ଟା ଟାପରାର ବିରତି ହେବାରୁ ତାଙ୍କ ଅନ୍ତର ଭିତର ବାନ୍ତବିକ୍‌ ସେଇ ଟାପରା ଓ ଥଟ୍ଟା ପାଇଁ କ୍ଷୁଧିତ ହେଇ ରହିଯାଇଛି ।

 

ଷ୍ଟାର୍କଫିଲ୍‍ଡରେ ସାଙ୍ଗସୁଖ ଅଭାବରେ, ତାଙ୍କ ମନର ନିରାନନ୍ଦଭାବ ବର୍ଷକୁ ବର୍ଷ ବଢ଼ିବଢ଼ି ଚାଲିଥାଏ । ପିତାଙ୍କ ଆକସ୍ମିକ ଦୁର୍ଘଟଣା ପରେ ତାଙ୍କର ଆଉ ସାହା ହୋଇ କେହି ରହିଲେ ନାହିଁ । ଚାଷ ଓ କରତକଳର ଧନ୍ଦାରେ ଅନବରତ ଲାଗି ରହିବାରୁ, ଗାଁ ଭିତରକୁ ଯାଇ ସାଙ୍ଗ ପିଲାଙ୍କ ସଙ୍ଗେ ମନଖୁସିରେ ବୁଲାଚଲା କରିବାର, ସୁଯୋଗରୁ ସେ ବଞ୍ଚିତ ହେଲେ । ମା’ ବେମାର ପଡ଼ିବା ଦିନୁଁ ନିଜ ଘରଟା ଚାଷଜମି ଅପେକ୍ଷା ଅଧିକ ନିର୍ଜନ ହୋଇ ଖାଁ ଖାଁ ମାଡ଼ିପଡ଼ିଲା-। ଭଲବେଳେ ତାଙ୍କ ମା’ ଖୁବ୍‌ ମେଳାପୀ ଓ ଗପୁଡ଼ି ଲୋକ ଥିଲେ; ଦେହ ଖରାପ ହେବାଦିନୁଁ, କଥା କହିବାର ଶକ୍ତି ହରାଇ ନଥିଲେ ହେଁ, ତାଙ୍କ ତୁଣ୍ଡ ଏକାବେଳକେ ବନ୍ଦ ହୋଇଗଲା-। ଦିନେ ଦିନେ, ଶୀତ ଦିନର ଅସରନ୍ତି ସନ୍ଧ୍ୟାବେଳେ, ଏଥାନ୍‌ ମାଙ୍କ ମୂକ ରହିବାରେ ବ୍ୟଥିତ ହୋଇ, କିଛି କାହିଁକି କହୁନାହିଁ ବୋଲି ଅଭିଯୋଗ କଲେ । ତାଙ୍କ ମା’ ଚୁପ୍‌ ରହିବାକୁ ଆଙ୍ଗୁଠି ଟେକି, କୈଫିୟତ୍‌ ଦିଅନ୍ତି, ‘‘ଶୁଣୁଛି ପରା, କହିବି କ’ଣ ?’’ ଝଡ଼ ବର୍ଷାର ରାତିରେ, ଘର ଚାରିପଟେ ଯେତେବେଳେ ପବନ ସୁ ସୁ ଡାକ ଦେଉଥାଏ, ସେତେବେଳେ ଏଥାନ୍‍ ତାଙ୍କୁ କ’ଣ ପଚାରିଲେ, ତାଙ୍କ ମା’ ଅଭିଯୋଗ କରନ୍ତି, ‘‘ବାହାରେ ପବନମାନଙ୍କର ଯେଉଁ କଥାବାର୍ତ୍ତା ଚାଲିଛି, ତା’ରି ଶବ୍ଦରେ ତୋ’ କଥା ମୋତେ କିଛି ଶୁଭୁନାହିଁ ।’’

 

ଶେଷରେ ଯେତେବେଳେ ମା’ଙ୍କ ଅବସ୍ଥା ଅତି ବଳାବଳ ହୋଇଗଲା ଓ ତାଙ୍କ ମାମୁଁ ଝିଅ ନାନୀ ଜେନୋବିଆ ପିଅର୍‍ସ୍‌ ନିକଟବର୍ତ୍ତୀ ଉପତ୍ୟକାରୁ ଆସିଲେ, ମା’ଙ୍କ ସେବା କରିବାରେ ତାଙ୍କୁ ସାହାଯ୍ୟ କରିବାକୁ, ସେତିକିବେଳେ ଯାଇ ଘରେ ମଣିଷର ତୁଣ୍ଡ ଶବ୍ଦ ପୁଣି ଶୁଣାଯିବାର ଆରମ୍ଭ ହେଲା । ଦୀର୍ଘ ଦିନର ନିର୍ଜନତା ଓ ନୀରବତାର ବନ୍ଦୀଶାଳରୁ ମୁକ୍ତ ହେବାରେ ଜୀନାଙ୍କ ଅନର୍ଗଳ କଥା ତାଙ୍କ କାନକୁ ସଙ୍ଗୀତ ପରି ଶୁଭିଲା । ସେ ବିଚାରିଲେ, ନୂଆ ସ୍ୱରଟିଏ ଘର ଭିତରେ ଶୁଣାଯାଇ ତାଙ୍କ ଚିତ୍ତକୁ ଥୟ କରି ନଥିଲେ ସେ ଅଳ୍ପ ଦିନରେ ନିଜ ମା’ଙ୍କ ପରି ମୂକ ପାଲଟି ଯାଇଥାନ୍ତେ । ଜୀନା ତାଙ୍କ ଉପରେ ଦୃଷ୍ଟି ପକାଇ ଦେବା ସାଙ୍ଗେ ସାଙ୍ଗେ ତାଙ୍କ ଅନ୍ତରର ସମସ୍ତ ସମସ୍ୟା ବୁଝି ନେଲେ । ରୋଗୀସେବାର ଅତି ସାଧାରଣ କଥାଗୁଡ଼ାକ ସେ ଜାଣି ପାରୁନାହାନ୍ତି ବୋଲି ଉପହାସ କରି ଜୀନା କହିଲେ, ‘‘ତୁମେ ତୁମ କାମରେ ଦାଣ୍ଡକୁ ଯାଅ, ମୁଁ ଘରର ସବୁ କାର୍ଯ୍ୟ ଏକୁଟିଆ ବେଶ୍‌ ତୁଲାଇ ନେଇ ପାରିବି ।’’ ଏଥାନ୍‌ ଜୀନାଙ୍କ ଆଦେଶ ମାନି, ନିଜ କାର୍ଯ୍ୟରେ ସମସ୍ତ ସମୟ ଖଟାଇବାକୁ ମୁକ୍ତି ପାଇ ଓ ନିଜର ଦୈନନ୍ଦିନ କାର୍ଯ୍ୟ ଅବସରରେ ଅନ୍ୟ ଲୋକଙ୍କ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ପାଇ, ନିଜର ବିପର୍ଯ୍ୟସ୍ତ ବୃତ୍ତିକୁ ସଜାଡ଼ି ନେଲେ ଓ ତାଙ୍କୁ ଦାଣ୍ଡକୁ ବାଗେଇ ଦେଇଥିବା ମହିଳାଟି ପ୍ରତି ତାଙ୍କୁ ଦାଣ୍ଡକୁ ବାଗେଇ ଦେଇଥିବା ମହିଳାଟି ପ୍ରତି ତାଙ୍କ କୃତଜ୍ଞତାର ମାତ୍ରା ଖୁବ୍‌ ବଢ଼ିଗଲା । ଜୀନାଙ୍କର, ଘରକରଣାରେ ଓ ମା’ଙ୍କ ସେବା ଶୁଶ୍ରୂଷାରେ ପାରିବାର ପଣ ଦେଖି ସେ ଲଜ୍ଜିତ ହେଉଥାନ୍ତି ଯେତିକି ଚମକୃତ ହେଉଥାନ୍ତି ସେତିକି । ଏତେକାଳ ଶିଖି ଶିଖି ସେ ଘରକାମ କିଛି କରିଜାଣିଲେ ନାହିଁ, ଅଥଚ ଏ ଯୁବତୀଟି ଘର କାମର ସମସ୍ତ ଯୋଗ୍ୟତା ଜନ୍ମରୁ ହାସଲ କରି ଅବତୀର୍ଣ୍ଣ ହୋଇଛି–ଏଥାନ୍‍ଙ୍କ ମନରେ ଏଇ ଭାବ ସବୁବେଳେ ଜାଗ୍ରତ ହୋଇ ଜୀନାଙ୍କ ପ୍ରତି ଖାତିର୍‌ ବଢ଼ି ଚାଲିଥାଏ । ଯେତେବେଳେ ମା’ଙ୍କର ପ୍ରାଣବାୟୁ ଉଡ଼ିଗଲା, ସେତେବେଳେ ଜୀନା, ନିଜର ଧୈର୍ଯ୍ୟ ଅତୁଟ ରଖି ବଗି ଯୋଚି ଶବସତ୍‌କାରକାରୀ ପାଖକୁ ପଠେଇଲେ ଏବଂ ମା’ ଙ୍କ ଲୁଗାପଟା ଓ ସିଲେଇ କଳଟା କିଏ ପାଇବା ଆଗରୁ ଠିକ୍‌ କରିନଥିବାରୁ ତାଙ୍କୁ ନିର୍ବୁଦ୍ଧିଆ ବୋଲି ଶୁଣିଲେ । ମା’ ଙ୍କର ଶେଷକୃତ୍ୟ ପରେ ଯେତେବେଳେ ସେ ଦେଖିଲେ, ଜୀନା ତାଙ୍କ ନିଜ ଘରକୁ ଫେରିଯିବାକୁ ଜିନିଷ ପତ୍ର ସଜାଡ଼ୁଛନ୍ତି, ସେତେବେଳେ ଏଥାନ୍‍ଙ୍କ ମନରେ ଗୋଟାଏ ମହା ଆତଙ୍କ ଆସିଲା । ଏ ଘରଟାରେ ସେ ଏକୁଟିଆ ରହିବେ କିପରି ? ଏଇ ଆତଙ୍କ ଯୋଗୁଁ, ଆଗପଛ ବିଚାର ନକରି, ଏପରି କି ଯାହା କରୁଛନ୍ତି ତାହାର ମର୍ମ ଭଲ କରି ଅବଧାରଣ ନକରି, ସେ ଜୀନାଙ୍କୁ ଅନୁରୋଧ କଲେ ତାଙ୍କ ସଙ୍ଗେ ଏ ଘରର ଧନ୍ଦାରେ ସହଧର୍ମିଣୀ ହେବାକୁ ।

 

ଏ ଦିନକୁ ମନେ ପକାଇ ସେ ଅନେଇ ଥର ବିଚାରିଛନ୍ତି ତାଙ୍କ ମା’ ଯଦି ଶୀତ ଦିନରେ ନ ମରି ଖରା ଦିନରେ ମରିଥାନ୍ତି, ତେବେ ଏଥାନ୍‌ ଏ ଯେଉଁ ଅନୁରୋଧ ଜୀନାଙ୍କୁ କଲେ ତାହା କରିବାକୁ ପଡ଼ିନଥାନ୍ତା ।

 

ବିବାହ ପରେ ଦୁହେଁ ମସୁଧା କଲେ ଯେ, ମିସେସ ଫ୍ରୋମ୍‌ଙ୍କ ଦୀର୍ଘ ଅସୁସ୍ଥତା ଯୋଗୁଁ ହୋଇଥିବା ସବୁ ଅଡ଼ୁଆ ନିଷ୍ପତ୍ତି କଲା ପରେ, ଚାଷଜମିତକ, ଘର ଓ କରତ କଳଟା ବିକି ଦେଇ ନିକଟବର୍ତ୍ତୀ ଗୋଟିଏ କୌଣସି ବଡ଼ ସହରକୁ ଚାଲିଯିବେ ଓ ସେଇଠାରେ ଜୀବିକା ଅର୍ଜନର ଉପାୟ କରିବେ । ଏଥାନ୍‍ଙ୍କ ହୃଦୟରେ ପ୍ରକୃତିର ଅବଦାନ ପ୍ରତି ଶ୍ରଦ୍ଧା ସୃଷ୍ଟି କରିବାକୁ ଯଥେଷ୍ଟ ହୋଇ ନଥିଲା । ତାଙ୍କର ସବୁବେଳେ ମନ, ସେ ଇଞ୍ଜିନିଅର ହୁଅନ୍ତେ, ଏପରି ଗୋଟାଏ ସହରରେ ରହନ୍ତେ ଯେଉଁଠାରେ ବଡ଼ ପୁସ୍ତକାଗାରମାନ ଥା’ନ୍ତା ମଝିରେ ମଝିରେ ସାଧାରଣ ସଭାରେ ବିଶେଷଜ୍ଞମାନେ ଭାଷଣ ଦେଉଥାନ୍ତେ ଓ ବୈଜ୍ଞାନିକମାନେ ନାନାପ୍ରକାର ନୂଆ ତତ୍ତ୍ୱ ଓ ଯନ୍ତ୍ରପାତିର ଆବିଷ୍କାର କରୁଥାନ୍ତେ । ସେ ଓ୍ୱରସେଷ୍ଟରରେ ପଢ଼ିବାବେଳେ, ଫ୍ଲରିଡାରେ ଗୋଟିଏ ଛୋଟିଆ ଇଞ୍ଜନିଅରିଂ କାମ କରିବାର ସୁଯୋଗ ପାଇଥିଲେ । ସେହି କାମଟି କରିବା ଯୋଗୁଁ ତାଙ୍କର ନିଜ ସାମର୍ଥ୍ୟରେ ଆସ୍ଥା ବଢ଼ିଥିଲା ଓ ବାହାରକୁ ଯାଇ ନୂଆ ନୂଆ ସ୍ଥାନ ଦେଖିବାକୁ ଆଗ୍ରହ ସୃଷ୍ଟି ହୋଇଥିଲା । ତାଙ୍କର ଦୃଢ଼ ଧାରଣା ହୋଇଥିଲା ଯେ, ଜୀନାଙ୍କ ପରି ଜଣେ ସୁଚତୁରା ନାରୀଙ୍କୁ ସହଧର୍ମିଣୀ ରୂପେ ପାଇବା ହେତୁ, ସେ ସଂସାରରେ ପ୍ରତିଷ୍ଠା ଅର୍ଜନ କରିବା ଦୁଃସାଧ୍ୟ ହେବ ନାହିଁ ।

 

ଜୀନାଙ୍କ ନିଜ ଜନ୍ମସ୍ଥାନ ଯେଉଁ ଗ୍ରାମରେ ତାହା ଷ୍ଟାର୍କ୍‌ଫିଲ୍‌ଡ୍‍ଠାରୁ ଆକାରରେ ସାମାନ୍ୟ ବଡ଼ ଓ ରେଲ ଷ୍ଟେସନ୍‌ର ଅଧିକ ନିକଟବର୍ତ୍ତୀ । ମୂଳରୁ ସେ ଏଥାନ୍‍ଙ୍କୁ କହି ରଖିଥାନ୍ତି ଯେ ତାଙ୍କ ଚାଷଘର ପରି ଗୋଟିଏ ନିର୍ଜନ ଜାଗାରେ ଚିରକାଳ ରହିବେ ବୋଲି ଆଶାରଖି ସେ ତାଙ୍କୁ ବିଭା ହୋଇ ନାହାନ୍ତି । କିନ୍ତୁ ତାଙ୍କ ଘର, ଜମି ଓ କରତକଳ କିଣିବାକୁ ଗ୍ରାହକ ଶୀଘ୍ର ମିଳିଲେ ନାହିଁ; ଗ୍ରାହକଙ୍କୁ ଅପେକ୍ଷା କରିବା ଅବସରରେ ଏଥାନ୍‌ ବୁଝିଲେ ଯେ ଏଠାରେ କାହିଁକି, ଯେ କୈାଣସିଠାକୁ ଜୀନାଙ୍କୁ ନେଇ ସନ୍ତୋଷ ଦେବା ଏକ ଅସଂଭବ ବ୍ୟାପାର । ଜୀନାଙ୍କର ମୂଳରୁ ଷ୍ଟାର୍କ୍‌ଫିଲ୍‌ଡ୍‍ ପ୍ରତି ଛୋଟ ନଜର, କିନ୍ତୁ ଆଉ ଯେଉଁଠାକୁ ଯିବେ ସେଠାରେ ଯଦି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ନ ମିଳେ ତେବେ ସେ ସେଠାରେ ଥୟ ହୋଇ ରହି ପାରିବେ ନାହିଁ ବୋଲି ତାଙ୍କ ରୀତିଗତିରୁ ଜଣାପଡ଼ିଥାଏ । କିନ୍ତୁ ସେ ଶ୍ରଦ୍ଧା ଓ ସମ୍ମାନ ତାଙ୍କୁ ମିଳିବ ଆଉ କେଉଁଠି ? ବେଟ୍‌ସବ୍ରିଜ ଓ ଶାଡସ୍‌ ଫଲସ୍‌ ପରି କ୍ଷୁଦ୍ର ସହରରେ ମଧ୍ୟ ତାଙ୍କ ଉପରେ ବିଶେଷ ନଜର କାହାରି ପଡ଼ିବାର ତ ସଂଭାବନା ନଥାଏ; ଏଥାନ୍‍ଙ୍କର ଯେଭଳି ବଡ଼ ସହରରେ ରହିବାକୁ ମନ ସେଠାରେ ତ ୟାଙ୍କର ସତ୍ତା ବି କେହି ସ୍ୱୀକାର କରିବେ ନାହିଁ । ସର୍ବୋପରି ବିବାହର ବର୍ଷକ ଭିତରେ ଜୀନାଙ୍କର ବାହାରିଲା ଚିର ରୋଗର ବିକାର; ଷ୍ଟାର୍କଫିଲ୍‌ଡ୍‍ ପରି ଜୀବନ ତମାମ ରୋଗରେ ପଡ଼ି ରହିଥିବାରୁ ଲୋକଙ୍କର ଅଭାବ ନଥିବା ସ୍ଥଳରେ ବି, ଜୀନା ନିଜ ରୋଗର ଆନୁକୂଲ୍ୟରେ କଣେ ପରିଚିତ ବ୍ୟକ୍ତି ହୋଇ ପଡ଼ିଲେ । ଜୀନା ପ୍ରଥମ ଯେତେବେଳେ ତାଙ୍କ ମା’ ଙ୍କ ସେବା କରିବାକୁ ଆସିଲେ ସେତେବେଳେ ସେ ସ୍ୱାସ୍ଥ୍ୟର ପ୍ରତିମୂର୍ତ୍ତି ପରି ଏଥାନ୍‍ଙ୍କ ଆଖିକୁ ଦିଶୁଥିଲେ; କିନ୍ତୁ ଅଳ୍ପ ଦିନରେ ଏଥାନ୍‌ ଦେଖିଲେ ଯେ, ଜୀନା ପରିଚାରିକାର ଯେଉଁ ଯୋଗ୍ୟତା ହାସଲ କରିଥିଲେ ତାହା କେବଳ ତାଙ୍କ ନିଜର କଳ୍ପିତ ରୋଗ ଲକ୍ଷଣର ନିବିଡ଼ ପର୍ଯବେକ୍ଷଣ ଦ୍ୱାରା ।

 

ବିବାହର ବର୍ଷେ ଖଣ୍ଡେ ପରେ ଜୀନା ବି ମୂକ ପାଲଟି ଗଲେ । ବୋଧହୁଏ ଚାଷଘରେ ଜୀବନ ଯାପନ କରିବାର ଏହା ସ୍ୱାଭାବିକ ପରିଣତି । ଏ ବିଷୟରେ ଜୀନା ନିଜେ ଯେଉଁ ମତ ଦେଇଥିଲେ ତାହା ବି ସତ ହୋଇପାରେ । ମୂକ କାହିଁକି ହେଲେ ବୋଲି ପଚାରିଲେ ସେ କହନ୍ତି, ଏଥାନ୍‌ ତାଙ୍କ କଥା ନ ଶୁଣିବାରୁ ସେ ତୁନି ରହିବାର ଶ୍ରେୟ ବୋଲି ମନେ କରୁ କରୁ ତୁନି ରହିବାର ଅଭ୍ୟାସ ହୋଇଗଲା । ଏଥାନ୍ ଦେଖିଲେ, ଜୀନା ତୁଣ୍ଡ ଫିଟାଇଲେ ତ ଖାଲି ଆପତ୍ତି ଓ ଅଭିଯୋଗ ଗୁଡ଼ାଏ ବାଢ଼ିଲେ—ଏଭଳି ଆପତ୍ତି ଓ ଅଭିଯୋଗ, ଯାହାର ନିରାକରଣ କରିବାର କ୍ଷମତା ଏଥାନ୍‍ଙ୍କର ନ ଥାଏ । ତେଣୁ ଏଭଳି ଅଭିଯୋଗ ଶୁଣିବା ମାତ୍ରେ ଧୈର୍ଯ୍ୟ ହରାଇ ରୁଢ଼ ଭାବରେ ଜବାବ ଦେବାକୁ ଏଥାନ୍‍ଙ୍କର ସ୍ୱାଭାବିକ ପ୍ରବୃତ୍ତି ଜାତ ହେବାର କଥା । ସେ ପ୍ରବୃତ୍ତିକୁ ରୋକିବା ସକାଶେ ସେ ଜୀନାଙ୍କ କଥାର କିଛି ଜବାବ୍‌ ନଦେଇ ତୁନି ରହିବାକୁ ସାଧନା କଲେ; ପରେ ତାଙ୍କର ଏଭଳି ଅଭ୍ୟାସ ହୋଇଗଲା ଯେ, ଜୀନା ତାଙ୍କୁ ଗୋଟାଏ ବିଷୟରେ କିଛି କହିବାକୁ ଆରମ୍ଭ କଲମାତ୍ରେ ସେ ତୁନି ରହି ଅନ୍ୟ କୌଣସି ବିଷୟ ଭାବିବାକୁ ଲାଗନ୍ତି । ଏଇଭଳି ଉଭୟଙ୍କର କଥାବାର୍ତ୍ତା ଏକରକମ ବନ୍ଦ ହୋଇ ଯାଇଥିଲା । ଏବେ କେତେଦିନ ହେଲା, କିନ୍ତୁ ଜୀନାଙ୍କ ଗତିରୀତିକୁ ଟିକିଏ ଅଧିକ ଲକ୍ଷ୍ୟ କରିବା ଫଳରେ, ଏଥାନ୍‌ ତାଙ୍କ ଯୋଗୁଁ ବିବ୍ରତ ହେଉଥାନ୍ତି; ମନର କଥା ସେ ଫିଟାଇ କହିଲେ ତାଙ୍କର ଭଲ ହୁଅନ୍ତା ବୋଲି ବିଚାରୁଥାନ୍ତି । ଏଥାନ୍‍ଙ୍କର ମନେପଡ଼ୁଥାଏ, ନିଜ ମା’ଙ୍କ କଥା । ସେ ଏହିପରି କ୍ରମେ କ୍ରମେ ତୁନି ରହୁ ରହୁ ବାୟାଣୀ ପରି ହୋଇ ଯାଇଥିଲେ । ଜୀନାଙ୍କର ସେଇ ଅବସ୍ଥା ହେଉଛି ବୋଲି ଏଥାନ୍‌ ଆଶଂକା କରୁଥାନ୍ତି । ସେ ଜାଣନ୍ତି ମାଇକିନିଆଙ୍କର ଏଇପରି ହୁଏ । ଜୀନାଙ୍କୁ ଏ ଅଞ୍ଚଳରେ ସମସ୍ତଙ୍କ ରୋଗ ବୈରାଗ କଥା ଜଣା । ମା’ଙ୍କ ପରିଚର୍ଯ୍ୟ କଲାବେଳେ ସେ ଏହିପରି କେତେ ସ୍ତ୍ରୀଲୋକଙ୍କର ଅବସ୍ଥା ବିଷୟ ତାଙ୍କ ଆଗେ ବର୍ଣ୍ଣନା କରିଥାନ୍ତି । ସେ ନିଜେ ବି ଜାଣନ୍ତି, ପାଖ ପଡ଼ିଶାରେ କେତେକ ପୁରୁଷ ଓ ସ୍ତ୍ରୀ ଏଇପରି ମୂକ ହୋଇ ନୀରବରେ କଷ୍ଟ ଭୋଗୁଛନ୍ତି । ଏଭଳି କେତେକ ରୋଗୀଙ୍କ ଯୋଗୁଁ ସମଗ୍ର କରିବାରର ବିପତ୍ତି ଘଟିବାର ବି ତାଙ୍କୁ ଜଣା । ବେଳେବେଳେ, ଚୁପ୍‌ ହୋଇ ବସିଥିବା ଜୀନାଙ୍କୁ ଦେଖି ନିଜର ଭବିଷ୍ୟତ୍‌ ବିଷୟରେ ଏଥାନ୍‍ଙ୍କର ଏଇପରି ଆଶଂକା ହୁଏ । ପୁଣି ଅନ୍ୟବେଳେ ସେ ବିଚାରନ୍ତି, ଜୀନା ଯେ ତୁନି ରହିଛନ୍ତି ତାହା ମସ୍ତିଷ୍କର କୈାଣସି ବିକାର ଯୋଗୁଁ ନୁହେଁ; ବୁଝି ବିଚାରି ସେ ପାଟି ବନ୍ଦ କରି ରହିଛନ୍ତି । ହୁଏତ ତାଙ୍କ ମନରେ କୈାଣସି ଗୁରୁତର ଉଦ୍ଦେଶ୍ୟ ରହିଛି, ହୁଏତ ସେମାନଙ୍କୁ ଜଣାନଥିବା କୈାଣସି ସନ୍ଦେହ ବା ବିରକ୍ତି ଯୋଗୁଁ ମନେମନେ କ’ଣ ବିଚାରି ସେ ତୁନି ରହିଛନ୍ତି, ବେଳଉଣ୍ଡି ଗୋଟାଏ କ’ଣ ବିଭ୍ରାଟ ଘଟାଇବାକୁ । ଶେଷୋକ୍ତ ଆଶଙ୍କାଟା ଏଥାନ୍‍ଙ୍କୁ ଅଧିକ ବିବ୍ରତ କରୁଥାଏ । ଗତ ରାତିରେ ଜୀନାଙ୍କୁ ରୋଷେଇଘର ଦୁଆରେ ଠିଆ ହେବାର ଦେଖିଲାବେଳୁ ଏଇ ଆଶଙ୍କଟା ଏଥାନ୍‍ଙ୍କ ମନରେ ଗଭୀର ରେଖାପାତ କରିଛି ।

 

ଯାହାହେଉ, ଆଜି ଜୀନା ବେଟ୍‌ସବ୍ରିଜ ପ୍ରସ୍ଥାନ କଲାବେଳୁ ଏଥାନ୍‌ ତାଙ୍କ ବିଷୟରେ ଏକରକମ ଚିନ୍ତାମୁକ୍ତ ହୋଇଛନ୍ତି । ଆଜି ତାଙ୍କର ଏକମାତ୍ର ଚିନ୍ତା, ମ୍ୟାଟିଙ୍କ ସଙ୍ଗେ ସନ୍ଧ୍ୟବେଳଟା କିପରି କଟିବ । କେବଳ ତାଙ୍କ ଟିକିଏ ବ୍ୟସ୍ତ କରୁଥାଏ, ଜୀନାଙ୍କୁ କାଠରେ ଦାମ ମିଳିବ ବୋଲି ସେ ଯାହା କହିଦେଲେ ସେଇ ପଦକ । ତାଙ୍କର ଏଇ ବୋକାମିର ପରିଣାମ ପରିଷ୍କାର ଭାବେ ଦେଖି ପାରୁଥବାରୁ ସେ ଅତି ଅନିଚ୍ଛା ସତ୍ତ୍ୱେ ସ୍ଥିର କଲେ ଯେ, କାଠ ଦାମ ବାବତ୍‌କୁ ସାମାନ୍ୟ କିଛି ଟଙ୍କା ନଗଦ ଦେବାପାଇଁ ସେ ଆଣ୍ଡୃ ହେଲ୍‍ଙ୍କୁ ଅନୁରୋଧ କରିବେ ।

 

ଏଥାନ୍‍ଙ୍କ ଗାଡ଼ି ଯାଇ ହେଲ୍‌ଙ୍କ ବାଡ଼ିରେ ଢୁକିଲାବେଳକୁ ହେଲ ତାଙ୍କ ସ୍ଲେଜରୁ ଓହ୍ଲାଉଥାନ୍ତି । ଏଥାନ୍‍ଙ୍କୁ ଦେଖି ସେ କହିଲେ, ‘‘କିଓ, ଏଥାନା୍‍ ? ଯାହାହେଉ ଏ କାଠତକ ବଡ଼ ଠିକଣା ସମୟରେ ଆଣି ପହଞ୍ଚାଇଲ ।’’

 

ଆଣ୍ଡୃ ହେଲ୍‌ଙ୍କର ରଙ୍ଗୁଳିଆ ଚେହେରା; ନିଶ ଦି’ପଟା ଧଳା ଓ ବେଶ ମୋଟା; ଓଠ ତଳଟାରେ ଗୁଡ଼ାଏ ମାଂସ ବଢ଼ି ଯାଇଥିବାରୁ ସେ ବେକରେ କଲାର ପିନ୍ଧନ୍ତି ନାହିଁ; ପିନ୍ଧିଥିବା କାମିଜଟା ଖୁବ ସଫା ରଖିଛନ୍ତି ଓ କାମିଜ୍‌ର ବୋତାମରେ ହିରା ବସିଛି । ଏହା ଦେଖି ସେ ଭାରି ଥିବାବାଲା ବୋଲି ବିଚାରିଲେ ଭୁଲ୍‌ ହେବ । ବେପାରରେ ସେ ବେଶ୍‌ ଲାଭ କରନ୍ତି ସତ, କିନ୍ତୁ ତାଙ୍କର ବଡ଼ ପରିବାର ଓ ବେପରୁଆ ଖର୍ଚ୍ଚ ଯୋଗୁଁ ସେ ସବୁବେଳେ ଅଭାବରେ ଥାନ୍ତି । ଏଥାନ୍‌ ପରିବାରର ସେ ଜଣେ ପୁରୁଣା ବନ୍ଧୁ; ଜୀନା ଯେଉଁ ସାମାନ୍ୟ କେତୋଟି ଘରକୁ ବେଳେବେଳେ ଆସନ୍ତି, ତା’ ଭିତରେ ୟାଙ୍କ ଘର ଗୋଟାଏ । ଜୀନା ୟାଙ୍କ ଘରକୁ ଆସିବାର ପ୍ରଧାନ କାରଣ, ମିସେସ୍‌ ହେଲ୍‌ ତାଙ୍କ ପ୍ରଥମ ବୟସରେ ରୋଗ ବୈରାଗ ବିଷୟରେ ଯେତେ ମୁଣ୍ଡ ଘୁରାଇଛନ୍ତି, ଷ୍ଟାର୍କଫିଲ୍‍ଡ୍‍ର ଅନ୍ୟ କୈାଣସି ସ୍ତ୍ରୀଲୋକ ସେତେ କରି ନାହାନ୍ତି । ଏବେ ବି ମିସେସ୍‌ ହେଲଙ୍କୁ ସମସ୍ତେ ରୋଗ ଲକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ବିଶାରଦ ବୋଲି ମାନନ୍ତି ।

 

ହେଲେ ଏଥାନ୍‍ଙ୍କ ଧଳା ଘୋଡ଼ା ଦୁହିଁଙ୍କ ପାଖକୁ ଯାଇ, ଝାଳ ଗମଗମ ବାହାରୁଥିବା ତାଙ୍କ ପିଠି ଥାପୁଡ଼ାଇ କହିଲେ, ‘‘ଜାଣିଲ, ଏଥ୍‌ ! ତୁମେ ଏ ଘୋଡ଼ା ହଳଟା ଖୁବ୍‌ ଦସ୍ତରେ ରଖିଛ, ଦେଖୁଛି ।’’

 

ଏଥାନ୍‌ ଗାଡ଼ିରୁ କାଠ ଉତାରିବାରେ ଲାଗିଲା । ସେ କାମ ସରିବା ପରେ ସେ ଯାଇ ହେଲ୍‌ ଅଫିସ୍‌ ରୂପେ ବ୍ୟବହାର କରୁଥିବା ଚାଳିଆର ବାର୍ଣ୍ଣିସ୍‌ଦିଆ ଦୁଆରଟା ଫିଟାଇ ଭିତରେ ପଶିଲେ । ନିଆଁ ଉମ୍ଭେଇ ଗୋଡ଼ ରଖି ସେ ବସି ପଡ଼ିଲେ; ପିଠି ଭରା ଦେଲେ କାଗଜ ପତ୍ର ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଗୋଟାଏ ଭଙ୍ଗା ଟେବୁଲରେ । ହେଲ୍‍ ଲୋକଟି ଯେପରି, ତାଙ୍କ ଅଫିସ୍‌ ସେହିପରି ଅପରିଷ୍କାର, କିନ୍ତୁ ଉଷ୍ମ ଓ ଆରାମପ୍ରଦ ।

 

ହେଲ୍‌ ଏଥ୍‍ଙ୍କୁ ସ୍ୱାଗତ କରି କହିଲେ, ‘‘ବେଶ୍‌, ବସି ଟିକିଏ ଆରାମ କର ।’’

 

କଥାଟା କିପରି ଆରମ୍ଭ କରିବେ ଠିକଣା କରି ନପାରି, ଶେଷରେ କୈାଣସିମତେ ଅଗ୍ରିମ ଅଢେଇଶହ ଟଙ୍କା କାଠ ବାବତରେ ଦେବାପାଇଁ ସେ ହେଲ୍‌ଙ୍କୁ ଅନୁରୋଧ କଲେ । ଏ କଥା ଶୁଣି ହେଲ୍‌ ଯେପରି ଆଶ୍ଚର୍ଯ୍ୟ ହୋଇଗଲେ ତାହା ଦେଖି, ଲାଜରେ ଏଥାନ୍‌ ପତଳା ଚମଡ଼ା ତଳକୁ ରକ୍ତ ଚହଟି ନାଲିଆ ଦିଶିଲା । କାଠ ଦେବାର ତିନିମାସ ପରେ ଟଙ୍କା ଦେବା ହେଲ୍‌ଙ୍କର ଦସ୍ତୁର । ଦୁହିଙ୍କ ଭିତରେ ନଗଦ କାରବାର ପୂର୍ବେ କେବେ ହୋଇ ନଥାଏ ଏଥାନ୍‍ ବିଚାରିଲେ, ଟଙ୍କା ଖୁବ୍‌ ଦରକାର ବୋଲି ବୁଝିଲେ ହୁଏତ ହେଲ୍‌ କୈାଣସିମତେ ଟଙ୍କା ଯୋଗାଡ଼ କରନ୍ତେ । କିନ୍ତୁ ନିଜର ଆତ୍ମ ସମ୍ମାନ ଓ ସହଜାଇ ବିଚାରବୁଦ୍ଧି ଯୋଗୁଁ ସେ ଏ ବିଷୟରେ ଆଉ ବିଶେଷ କିଛି କହିଲେ ନାହିଁ । ବାପାଙ୍କ ମୃତ୍ୟୁ ପରେ ବହୁଦିନ ଲାଗି ସେ ନିଜର ବୈଷୟିକ ଅବସ୍ଥାକୁ ଏକରକମ ସୁଧାରିଛନ୍ତି, ସେ ପୁଣି ଅଭାବଗ୍ରସ୍ତ ହେଲେଣି ବୋଲି ଆଣ୍ଡୃ ହେଲ୍‌ ବା ଷ୍ଟାକଫିଲ୍‌ଡ୍‍ର ଅନ୍ୟ କାହାରିକୁ ଜଣାଇଦେବା ତାଙ୍କର ଇଚ୍ଛା ନୁହେଁ । ପ୍ରଧାନ କଥା, ମିଛ କହିବାକୁ ତାଙ୍କର ଭାରି ଘୃଣା । ଟଙ୍କା ଦରକାର ବୋଲି ତ କହିଦେଲେ, କାହିଁକି ବୋଲି କିଏ କାହିଁକି ପଚାରିବ, ସେ ବା କାହିଁକି କାରଣ କହିବାକୁ ଯାଇ ନିଜର ବୁନିଆଦି ବଖାଣିବେ ? ନିଜର ଅଭାବ ପଡ଼ିଛି ବୋଲି ନିଜ ମନରେ ବି ବିଚାରିବାକୁ କୁଣ୍ଠିତ, ମାନୀ ଲୋକ ଯେମିତି ରୋକଠୋକ ଭାବେ ମାଗି ଦିଅନ୍ତି ସେ ସେହିପରି ମାଗିଦେଲେ ଓ ହେଲ୍‌ ନାହିଁ କରି ଦେବାରେ ବିଶେଷ ବିସ୍ମିତ ବି ହେଲେ ନାହିଁ ।

 

ହେଲ୍‌ ହସି ହସି ନାହିଁ କରିଦେଲେ; ତାଙ୍କର ହଁ, ନାହିଁ ସବୁ ହୁଏ ଖୁସ୍‌ ମେଜାଜରେ । ସେ ଧରିନେଲେ, ଏଥାନ୍‌ ଟଙ୍କା ମାଗୁଛନ୍ତି ରହସ୍ୟରେ; ଗୋଟାଏ ବଢ଼ିଆ ପିଆନୋ କିଣିବାକୁ ବିଚାରିଛି ନା ଘର ଉପରେ ଗୋଟାଏ ଗମ୍ୱୁଜ କରିବାକୁ ମନ ଅଛି ବୋଲି ପଚାରି କହିଲେ, ‘‘ଘର ଉପରେ ଯେବେ ଗୋଟାଏ ଗମ୍ୱୁଜ କରିବାକୁ ମନ, ତେବେ ମୁଁ ଜବାବ୍‌ ଦେଉଛି ମଜୁରି ନ ନେଇ ମୁଁ ତାହା ଗଢ଼ିଦେବି ।’’

 

ଏଥାନ୍‍ଙ୍କ ଟଙ୍କା ମାଗିବା ବିଦ୍ୟାବୁଦ୍ଧି ଅଳ୍ପକେ ସରିଗଲା, ଲାଜ ଲାଜ ହୋଇ କିଛି ସମୟ ବସି ସେ ହେଲ୍‌ଙ୍କଠାରୁ ବିଦାୟ ନେଇ ଯିବାକୁ ଦୁଆର ଫିଟାଇଲେ । ଏଥାନ୍‍ ଯିବାରେ ହେଲ୍‍ ହଠାତ୍‌ ପଛରୁ ଡାକି କହିଲେ, ‘‘ହଁ, ଏଥାନ୍‌ ! ସତରେ କ’ଣ ତୁମେ ସେପରି କିଛି ଗୋଟାଏ ଅଭାବରେ ପଡ଼ିଛ ?’’

 

ନିଜ ବିଚାର ବୁଦ୍ଧି ଖଟାଇବାକୁ ସମୟ ନ ଦେଇ ଏଥାନ୍‍ଙ୍କ ଅହଙ୍କାର ଚଟାପଟ୍‍ ଉତ୍ତର ଦେଲା, ‘‘ନା, କୌଣସି ଅଭାବ ନାହିଁ ।’’

 

ହେଲ୍‌ କହିଲେ, ‘‘ଆଶ୍ୱସ୍ତ ହେଲି । କାରଣ, ମୁଁ ନିଜେ ବଡ଼ ଅଭାବରେ ପଡ଼ିଛି । ତୁମେ ମୋତେ ଟଙ୍କା ମାଗିବାପୂର୍ବରୁ ମୁଁ ବିଚାରୁଥିଲି, ଏ ଟଙ୍କାଟା ଦେବାରେ ମାମୁଲି ଠାରୁ ଟିକିଏ ଅଧିକ ବିଳମ୍ୱ ହେବ ବୋଲି ମାଗି ନେବାକୁ । କାରବାର ତ ଭାରି ମାନ୍ଦା ଚାଲିଛି; ଅଧିକନ୍ତୁ ନେଡ୍‍ ଓ ରୁଥ୍‌ଙ୍କ ବିବାହ ପରେ ରହିବାକୁ ଖଣ୍ଡିଏ ଛୋଟିଆ ଘର ତିଆରି କରିବାକୁ ବସିଛି । ତାଙ୍କ ପାଇଁ ନୂଆ ଘର ଖଣ୍ଡିଏ କରାଇବାକୁ ମୁଁ ଆଦୌ କୁଣ୍ଠିତ ନୁହେଁ, କିନ୍ତୁ ବହୁତ ଗୁଡ଼ାଏ ଖର୍ଚ୍ଚ ହେବ; ଖର୍ଚ୍ଚ ତ ମାଡ଼ି ପଡ଼ୁଛି ।’’ ସହାନୁଭୂତି ଭିକ୍ଷା କଲା ପରି ଏଥାନ୍‍ଙ୍କ ଆଡ଼କୁ ଚାହିଁ ସେ ପୁଣି କହିଲେ, ‘‘ଟୋକାବେଳେ ତ ମନହୁଏ ସବୁ ସୁନ୍ଦର, ଛାପଚିକଣ ହୁଅନ୍ତା । ତୁମେ ତ ନିଜେ ଏ କଥା ଅଙ୍ଗେ ନିଭାଇଛ । ବେଶୀଦିନ ତ ହୋଇନାହିଁ, ତୁମର ମନେଥିବ ଜୀନା ପାଇଁ ତୁମେ ନିଜ ଘରକୁ କିମିତି ବଦଳା ବଦଳି କଲ ।’’

 

ଏଥାନ୍‌ ଘୋଡ଼ା ଯୋଡ଼ାଙ୍କୁ ହେଲ୍‍ଙ୍କ ଘୋଡ଼ାଶାଳରେ ବାନ୍ଧିଦେଇ, ଗାଁ ଭିତରେ ଆଉ କେତେଟା କାମ ତୁଟାଇ ଦେବାକୁ ବାହାରିଲେ । ଯିବାବେଳେ ହେଲ୍‌ଙ୍କର ଶେଷ ତାଙ୍କ କାନରେ ଲାଗି ରହିଥାଏ । ଗମ୍ଭୀରଭାବେ ସେ ଭାବୁଥାନ୍ତି, ଜୀନାଙ୍କ ସଙ୍ଗେ ଦୀର୍ଘ ସାତବର୍ଷ କଟିଲା ପରେ ବି ଷ୍ଟାର୍କଫିଲ୍‌ଡ୍‍ ଲୋକଙ୍କ ଦୃଷ୍ଟିକୁ ଦିଶୁଛି, ‘ବେଶୀ ଦିନ ତ ହୋଇନାହିଁ ’ ।

 

ସଂଧ୍ୟା ମାଡ଼ି ଆସୁଥାଏ; ଠାଏ ଠାଏ ଘର ଭିତରର ଆଲୁଅ ଝରକା ବାଟେ ବାହାରକୁ ଆସି ଗୋଧୂଳିକୁ ଚିତ୍ରିତ କରୁଥାଏ ଓ ଆଲୁଅ ପଡ଼ି ବାହାରର ତୁଷାର ଆହୁରି ଧୋବ ଦିଶୁଥାଏ । ଥଣ୍ଡା ପାଗ ଯୋଗୁଁ ସମସ୍ତେ ଘର ଭିତରକୁ ଚାଲି ଯାଇଥାନ୍ତି; କେବଳ ଗାଁର ଲମ୍ୱା ଦାଣ୍ଡରେ ଏଥାନ୍‌ ଚାଲିଥାନ୍ତି ଏକୁଟିଆ । ହଠାତ୍‌ ପଛଆଡ଼ୁ ସ୍ଲେଜ୍‌ଗାଡ଼ିର ଘଣ୍ଟି ଶୁଭିଲା, ଓ ଗୋଟିଏ ଫିଟନ ଗାଡ଼ି ତାଙ୍କୁ ପାର ହୋଇ ଆଗକୁ ଚାଲିଗଲା; ଗାଡ଼ିର ଘୋଡ଼ାଟା ବେଶ୍‌ ଫୁର୍ତ୍ତିରେ ଚାଲିଥାଏ । ମାଇକେଲ୍‌ ଇଡିଙ୍କ ଛଇଲା ଘୋଡ଼ା ଛୁଆକୁ ଏଥାନ୍‌ ଚିହ୍ନିଲେ; ତାଙ୍କ ପୁଅ ଡେନିସ୍‍ ଇଡି ଗାଡ଼ିରୁ ବାହାରକୁ ଝୁଙ୍କିପଡ଼ି ‘କିଏ, ଏଥ୍‍’ ବୋଲି ବଡ଼ ପାଟିରେ ସଂଭାଷଣ କରି ଚାଲିଗଲେ । ଡେନିସ୍‍ ଙ୍କ ମୁଣ୍ଡରେ ନୂଆ, ସୁନ୍ଦର ରୁମା ଟୋପିଟିଏ ଥାଏ ।

 

ଡେନିସ୍‌ଙ୍କ ଫିଟନ୍‌ ଯାଉଥାଏ ତାଙ୍କରି ନିଜ ଘର ଆଡ଼େ । ଦୂରରେ ବଗି-ଘଣ୍ଟିର କ୍ଷୀଣ ଆବାଜ ଶୁଣୁ ଶୁଣୁ ଏଥାନ୍‍ଙ୍କ ହୃତ୍‌ପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଗଲା ପରି ଲାଗିଲା । ଖୁବ୍‌ ସଂଭବ, ଡେନିସ୍‌ ଇଡି ଶୁଣି ସାରିଛି ଯୋଜନା । ବେଟସ୍‌ ବ୍ରିଜ୍‌ ରମାନା ହୋଇଛନ୍ତି । ଏତେବେଳେ ଘଣ୍ଟେ ଖଣ୍ଡେ ମ୍ୟାଟିଙ୍କ ସଙ୍ଗେ ନିଭୃତରେ କଟିବାର ସୁଯୋଗ ଅଛି ବୋଲି ବିଚାରି ଡେନିସ୍‌ ତାଙ୍କର ଘରଆଡ଼େ ନଶ୍ଚୟ ଚାଲିଛି ବୋଲି ଏଥାନ୍‍ଙ୍କର ଦୃଢ଼ ଧାରଣା ହୋଇଗଲା । ତାଙ୍କ ହୃଦୟରେ ପରଶ୍ରୀକାତରତାର ଝଡ଼ ସୃଷ୍ଟି ହେବାର ଦେଖି ସେ ନିଜକୁ ଧିକ୍‌କାରିଲେ । ମ୍ୟାଟିଙ୍କୁ ଏତେ ସନ୍ଦେହ କରିବା ଓ ତାଙ୍କ ଭବିଷ୍ୟତ ସୁଖ କଳ୍ପନାରେ ଏତେ ଈର୍ଷାପରାୟଣ ହେବାଦ୍ୱାରା ସେ ମ୍ୟାଟିଙ୍କ ପ୍ରତି ଘୋର ଅନ୍ୟାୟ କରୁଛନ୍ତି ବୋଲି ବୁଝିଲେ ।

 

ସେ ଚାଲିଲେ ଚର୍ଚ୍ଚର କଣ ମୁଣ୍ଡକୁ ଏବଂ ଯାଉ ଯାଉ ପହଞ୍ଚିଲେ ବାର୍ଣ୍ଣମ୍‌ଭବନର ଗେଟ୍‌ ସାମନା ସ୍ପୃଶ୍‌ଗଛ ଛାଇତଳେ । କାଲି ରାତିରେ ମ୍ୟାଟିଙ୍କ ସହିତ ସେ ଏଇ ଗଛ ମୂଳେ ଟିକିଏ ଠିଆ ହୋଇଥିଲେ । ସ୍ପୃଶ୍‌ ଗଛର ଘଞ୍ଚଛାଇ ଭିତରେ ପଶି ସେ ଦେଖିଲେ ତାଙ୍କ ସାମନାରେ ଗୋଟିଏ ଅସ୍ପଷ୍ଟ ରୂପ । ସେ ଆଗେଇବାରେ ଏ ରୂପଟି ମୁହୂର୍ତ୍ତକ ପାଇଁ ଦୁଇଟି ରୂପ ହୋଇଗଲା ଓ ପରେ ପୁଣି ମିଶି ଏକ ହୋଇଗଲା; ଏଥାନ୍‌ ଶୁଣିଲେ ଗୋଟିଏ ଚୁମ୍ବନର ଶବ୍ଦ, ତାଙ୍କୁ ଦେଖି ଅଧା ହସ ଓ ଅଧା ବିସ୍ମୟରେ ‘ଓଃ’ ବୋଲି ଗୋଟିଏ ଶବ୍ଦ ବି ଚୁମ୍ୱନ-ଶବ୍ଦ ପଛେ ପଛେ ଶୁଣାପଲା । ତା’ ପରେ ରୂପଟା ପୁଣି ତରତରରେ ଦୁଇଭାଗ ହୋଇଗଲା; ଗୋଟିଏ ଭାଗ ବାର୍ଣ୍ଣମ୍‌ ହତା ଭିତରେ ପଶି ଗେଟ୍‌ ବନ୍ଦ କରିଦେଲା ଓ ଆର ଭାଗଟି ତାଙ୍କ ଆଗେ ଆଗେ ତଡ଼ବଡ଼ ହୋଇ ବାହାରିଗଲା । ଏଥାନ୍‌ ନିଜେ ଏଇ ଛତ୍ରଭଙ୍ଗର କାରଣ ବୋଲି ମନକୁ ମନ ଟିକିଏ ହସିଲେ । ନେଡ୍‌ ହେଲ୍‌ ଓ ରୁଥ୍‌ ବାର୍ଣ୍ଣମ୍‌ ଚୁମା ଦିଆଦେଇ ହେଉଥିବାରୁ ଯିଏ ଦେଖିଲେ ବି ସେଥିକୁ ତାଙ୍କର ଏତେ ଲାଜ କାହିଁକି ? ଷ୍ଟାର୍କଫିଲ୍‍ଡ୍‍ର ଗାଁର କିଏ ନ ଜାଣେ ଯେ ସେ ଦୁହିଙ୍କ ନିର୍ବନ୍ଧ ହୋଇ ସାରିଛି ! ମ୍ୟାଟି ଓ ସେ ନିଜ ନିଜ ମନରେ ଅନନ୍ତ ଆକାଂକ୍ଷା ଧରି କାଲି ଠିକ୍‌ ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ଆଜି ସେଇସ୍ଥାନରେ ଅନ୍ୟ ପ୍ରେମିକ ପ୍ରେମିକା ଯୁଗଳ ତାଙ୍କ ହାବୁଡ଼େ ପଡ଼ିବାରେ ଏଥାନ୍‍ଙ୍କ ମନରେ ଆନନ୍ଦ ହେଲା । କିନ୍ତୁ ଅବଶୋଷ୍‌ ବି ରହିଲା ଯେ, ଆଜି ଯେଉଁ ଦୁହେଁ ଏଠାରେ ଏକାଠି ହୋଇଥିଲେ ସେମାନଙ୍କର ନିଜର ଭାବ ଅନ୍ୟଠାରୁ ଲୁଚାଇ ରଖିବାର ପ୍ରୟୋଜନ ନାହିଁ ।

 

ଏଥାନ୍‌, ହେଲ୍‍ଙ୍କ ଘୋଡ଼ାଶାଳାରୁ ନିଜ ଯୋଡ଼ି ଫିଟାଇ ନିଜ ଘର ଆଡ଼କୁ ଲମ୍ୱା ଉଠାଣି ଉଠି ଗାଡ଼ି ଚଳାଇଲେ । ଦିନରୁ ପୂର୍ବଭାଗରେ ଯେତେ ଥଣ୍ଡା ହୋଇଥିଲା ଏତେବେଳକୁ ସେତେ ନଥାଏ । ଆକାଶରେ ଦେଖାଯାଉଥାଏ ବହଳ ଧଳାମେଘ; କାଲିକୁ ତୁଷାରପାତ ହେବ ବୋଲି ଏହା ଦେଖି ଭୟ ହେଉଥାଏ । ଆକାଶରେ ଏଠେଇ ସେଠେଇ ଗୋଟିଏ ଗୋଟିଏ ତାରା ମିଞ୍ଜି ମିଞ୍ଜି କରୁଥାନ୍ତି; ତାଙ୍କ ପଛରେ ଆକାଶ ଗାଢ଼ନୀଳ ଦିଶୁଥାଏ । ଆଉ ଘଣ୍ଟେ ଦୁଇଘଣ୍ଟା ପରେ ତାଙ୍କ ଚାଷଘରର ପଛପଟ ହୁଡ଼ା ଉପରକୁ ଚନ୍ଦ୍ର ବାହାରି, ମେଘର କଡ଼ରେ ସୁନେଲି ଆଭା ବିଚ୍ଛୁରିତ କରି ପୁଣି ସେଇ ମେଘରେ ଛପିଯିବେ । ପ୍ରାନ୍ତରଟି ନୀରବତାର ଶାନ୍ତି ବିରାଜୁଥାଏ; ସମଗ୍ର ପ୍ରାନ୍ତରଟି ଶୀତରେ ମୁହ୍ୟମାନ ହୋଇ ଶୋଇବାକୁ ଅଙ୍ଗ ପ୍ରତ୍ୟଙ୍ଗ ଲମ୍ୱାଇ ପଡ଼ିଥିଲା ପରି ଜଣାଯାଉଥାଏ ।

 

ଏଥାନ୍‌ କାନ ଡେରିଥାନ୍ତି, ସାମନା ପଟୁ ସ୍ଲେଜ୍‌-ବଗିର ଘଣ୍ଟି ଶୁଣିବାକୁ, କିନ୍ତୁ ନିର୍ଜନ ସଡ଼କର ନୀରବତା ଭଙ୍ଗ କରି କୌଣସି ଶବ୍ଦ ଶୁଣାଗଲା ନାହିଁ । ଘରର ପାଖକୁ ପହଞ୍ଚି, ଗେଟ୍‌ର ଲାର୍ଚ୍ଚ ଲଟିର ପତଳା ପରଦା ଭିତରେ, ଓପର ଘର ଭିତରୁ ଗୋଟିଏ ଛୋଟ ଦୀପର ଆଲୋକ ତାଙ୍କୁ ଦିଶିଲା । ମନକୁ ମନ ସେ କହିଲେ, ‘‘ସେ ବୋଧହୁଏ ତା’ର ନିଜ କୋଠରୀରେ ରାତ୍ରିଭୋଜନ ପାଇଁ ସଜବାଜ ହେଉଛି ।’’ ମ୍ୟାଟି ତାଙ୍କ ଘରକୁ ପହିଲେ ଯେଉଁ ଦିନ ଆସିଲା ସେ ଦିନ ସଂଧ୍ୟାରେ ମୁଣ୍ଡ କୁଣ୍ଡାଇ ବେକରେ ଗୋଟିଏ ରଙ୍ଗିନ୍‌ ରିବନ୍‌ ଗୁଡ଼ାଇ ରାତ୍ରିଭୋଜନକୁ ଆସିବାର ଦେଖି ଜୀନା ତାଙ୍କ ଆଡ଼କୁ ଯେଉଁ ବିଦ୍ରୂପପୂର୍ଣ୍ଣ ଚାହାଣି ହାଣିଥିଲେ, ସେ ଚାହାଣି ଏଥାନ୍‍ଙ୍କର ମନେ ପଡ଼ିଗଲା ।

 

ଫାଟକ ପାଖ କୁଦ ଉପରେ କବର ଗୁଡ଼ିକୁ ପାରି ହୋଇ ଗଲାବେଳେ ଏଥାନ୍‍ଙ୍କର ନଜର ପଡ଼ିଲା ଗୋଟିଏ ପୁରୁଣା କବରର ମୁଦ-ପଥର ଉପରେ । ଏ ପଥରରେ ତାଙ୍କ ନିଜ ନାମ ଥିବରୁ ପିଲାଦିନେ ଏହା ଉପରେ ଲେଖା ହୋଇଥିବା ଲିପିକୁ ପଢ଼ିବାକୁ ଏଥାନ୍‍ଙ୍କୁ ଭାରି ସୁଖ ଲାଗେ । ପଥରରେ ଲେଖାଥାଏ :—

 

‘ଏଥାନ୍‍ ଫ୍ରୋମ୍‌ ଓ ତାଙ୍କ ସ୍ତ୍ରୀ ଏନ୍‌ଡିଉରାନ୍‌ସ୍‌ଙ୍କ

ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ

ଦୁହେଁ ପଚାଶବର୍ଷ ଶାନ୍ତିରେ ଯୁଗ୍ମ ଜୀବନ କଟାଇଥିଲେ ।’

 

ସେତେବେଳେ ପଚାଶବର୍ଷ ଖୁବ୍‌ ଲମ୍ୱା ସମୟ ପରି ଲାଗୁଥିଲା, ଏବେ ଲାଗୁଛି, ପଚାଶବର୍ଷଟା ଆଖି ପିଛୁଳାକେ କଟିଯିବ । ଏଇ ପଥରକୁ ଚାହୁଁ ଚାହୁଁ ତାଙ୍କ ମନେହେଲା, ତାଙ୍କ ବେଳ ଯେତେବେଳେ ଆସିବ ସେତେବେଳେ ତାଙ୍କର ଓ ଜୀନାଙ୍କ କବର ଉପରେ ପଥରରେ ଏଇ ଭଳି ସ୍ମୃତିଲିପି ଖୋଦିତ ହୋଇ ପାରିବତ ? ସମ୍ଭାବନାଟା ଘୋର ବିଡ଼ମ୍ୱନା ପରି ବୋଧ ହେଲା ।

 

ଗୁହାଳର ହାର ସେ ଖୋଲିଲେ ଓ ଭିତରର ଅନ୍ଧାରକୁ ବେକ ଲମ୍ୱାଇ ଚାହିଁଲେ । ମନେ ମନେ ଟିକିଏ ଭୟ ହେଉଥାଏ, ତାଙ୍କ ବୁଢ଼ା ଘୋଡ଼ା ପାଖରେ ଡେନିସ୍‌ ଇଡିଙ୍କ ଛଇଲା ଘୋଡ଼ାଛୁଆ ବନ୍ଧାହୋଇଥିବାର ଦେଖିବେ । ନା, ତାଙ୍କ ବୁଢ଼ାଘୋଡ଼ାର ଏକୁଟିଆ ଠିଆ ହୋଇ ତା କୁଣ୍ଡରୁ ଦାନା ପାକୁଆ ପାଟିରେ ପାଗୁଳାଉ ଥାଏ । ଏଥାନ୍‍ଙ୍କ ମନ ଉଶ୍ୱାସ ହେଲା; ସେ ଉଷତ ମନରେ ଶିଶିରି ମାରି ମାରି ଗାଡ଼ିରେ ଯୋଚା ହୋଇଥିବା ଧଳା ଘୋଡ଼ା ଦୁଇଟାକୁ ଶାଳରେ ବାନ୍ଧିଲେ ଏବଂ ତାଙ୍କ ଖାଇବା କୁଣ୍ଡରେ ଆଜି ଅଧିକ ମାତ୍ରାରେ ଓଟ୍‌ ଦାନା ଅଜାଡ଼ି ଦେଲେ । ତାଙ୍କ କଣ୍ଠଟା ଗୀତ ପାଇଁ ଅଭିପ୍ରେତ ନ ହେଲେ ବି, ଗୁହାଳ ଦୁଆର ବନ୍ଦ କରି କୁଦ ଉପରେ କୁଦା ମାରି ଘର ଆଡ଼କୁ ଗଲାବେଳେ ତାଙ୍କ କର୍କଶ କଣ୍ଠରୁ ସଙ୍ଗୀତର ସ୍ୱର ବାହାରୁଥାଏ । ସେ ରୋଷେଇଘରର ଦୁଆରମୁହଁକୁ ଯାଇ କବାଟର ହାତସା ମୋଡ଼ିଲେ, କିନ୍ତୁ ଦୁଆର ଫିଟିଲା ନାହିଁ ।

 

ଦୁଆରରେ ତାଲା ପଡ଼ିଥିବାର ଦେଖି ସେ ଚମକି ପଡ଼ିଲେ ଓ ଜୋରରେ ଦୁଆରର ହାତସାଟା ଖଡ଼ ଖଡ଼ କଲେ । ଟିକିଏ ପରେ ଖିଆଲ ହେଲା ଯେ ମ୍ୟାଟି ଘରେ ଏକୁଟିଆ ଥିବାରୁ ରାତିରେ ଦୁଆର ବନ୍ଦ କରି ସ୍ୱାଭାବିକ ଏଥର ସେ ଅନ୍ଧାରରେ ଧୀର ଭାବେ ଠିଆହୋଇ ମ୍ୟାଟିଙ୍କ ପଦଶବ୍ଦର ପ୍ରତୀକ୍ଷାରେ ରହିଲେ । କିନ୍ତୁ ସେ ପଦଶବ୍ଦ ଶୁଭିଲା ନାହିଁ; ପୁଣି କିଛି ସମୟ କାନ ଡେରି କିଛି ନ ଶୁଣିବାରୁ ସେ ଆନନ୍ଦଭରା କଣ୍ଠରେ ଡାକଦେଲା, ‘‘ମ୍ୟାଟି, ଦୁଆର ଫିଟାଅ’’ ।

 

ନୀରବତା ହିଁ ତାଙ୍କ ଡାକର ଉତ୍ତର ଦେଲା; କିନ୍ତୁ ମିନିଟିଏ ଦୁଇ ମିନିଟ୍‌ ପରେ ସିଡ଼ିରେ ଶବ୍ଦ ଶୁଭିଲା ଏବଂ କବାଟ ସନ୍ଧିବାଟେ ଆଳୋକ ରେଖାଟିଏ ବାହାରକୁ ଆସିଲା । କାଲି ରାତିରେ ଯେପରି ଆସିଥିଲା ଠିକ୍‌ ସେହିପରି । କାଲିର ଘଟଣାର ପୁନରାବୃତ୍ତି ଏଭଳି ସଠିକ୍‌ ଭାବେ ହେଉଥାଏ ଯେ, ଦୁଆରର କୋଲପରେ ଚାବି ଘୂରିଲା ବେଳେ, ଏଥାନ୍‌ ଅଧେ ବିଚାରୁଥାନ୍ତି, ଦୁଆର ଫିଟିଲେ ତାଙ୍କ ସ୍ତ୍ରୀ କାଲିପରି ଏରୁଣ୍ଡି ବନ୍ଧ ପାଖେ ଦେଖା ଦେବେ । ଭାଗ୍ୟକୁ କାଲି ଘଟଣାର ସାମଞ୍ଜସ୍ୟ ଏଇଠାରେ ସରିଲା । ଦୁଆର ଫିଟିଲା କିନ୍ତୁ ମ୍ୟାଟି ଦେଖାଦେଲେ ।

 

କିନ୍ତୁ ସେ ଦୁଆର ମୁହଁରେ ଠିଆ ହୋଇଥାନ୍ତି, କାଲି ଜୀନା ଠିଆ ହେଲା ପରି; ରୋଷେଇଘରର ଅନ୍ଧାରକୁ ପଛ କରି ସେ ହାତଟେକି ଦୀପ ଦେଖାଉଥାନ୍ତି । ଜୀନା ଯେତିକି ଉଚ୍ଚରେ ଦୀପ ଧରିଥିଲେ ୟେ ବି ସେତିକି ଉଚ୍ଚରେ ଧରିଥାନ୍ତି ଓ କାଲି ରାତିରେ ଜୀନାଙ୍କ ଅପରୂପ ଆଲୋକରେ ଯେପରି ପରିଷ୍କାର ଦିଶିଥିଲା, ଆଜି ୟାଙ୍କ ରୂପର ସେଇ ଅଂଶ ସେଇପରି ସୁସ୍ପଷ୍ଟ ଦିଶୁଥାଏ । ଆଲୁଅରେ ଦିଶୁଥାଏ ମ୍ୟାଟିଙ୍କର ସରୁ ସୁନ୍ଦର ବେକଟି ଓ ପିଲାଙ୍କ ମଣିବନ୍ଧ ପରି ଛୋଟ ମଣିବନ୍ଧଟି । ତା’ ଉପରକୁ ଆଲୁଅ ପଡ଼ି ମ୍ୟାଟିଙ୍କ ଓଠ ଦୁଇଟିର ରକ୍ତିମାକୁ ଝଟକାଇ ଦେଉଥାଏ; ଆଖି ପତାରେ ରଙ୍ଗିନ୍‌ ଆଭା ବୋଳି ଦେଉଥାଏ ଓ କପାଳକୁ ଦୁଗ୍‌ଧଫେନନିଭ ଶୁକ୍ଳ ଶୋଭାରେ ରଞ୍ଜିତ କରୁଥାଏ ।

 

ସବୁଦିନ ପରି ମ୍ୟାଟି ଈଷତ୍‌ କାଳିଆ ପୋଷାକ ପିନ୍ଧିଥାନ୍ତି; ବେକରେ ମଫଲର୍‌ ବା ରିବନ୍‌ କିଛି ନ ଥାଏ, କିନ୍ତୁ ମୁଣ୍ଡରେ ନାଲିଆ ରିବନ ଖଣ୍ଡେ ଗୁଡ଼େଇ ଥାନ୍ତି । ସାଧାରଣ ପୋଷାକ ଉପରେ ଏଇ ଅଧିକା ଭୁଷଣଟି ତାଙ୍କ ରୂପକୁ ଅଧିକ ମନୋଜ୍ଞ କରିଥାଏ । ଏଥାନ୍‍ଙ୍କୁ ଦିଶିଲା, ଆଜି ମ୍ୟାଟି ଅଧିକ ଉଚ୍ଚ ଦିଶୁଛନ୍ତି, ତାଙ୍କର ବକ୍ଷ ଅଧିକ ପୃଥଳ ଦିଶୁଛି ଏବଂ ରୂପ ଓ ଚାଲିଚଳଣରେ ଆଜି ସେ ହୋଇଛନ୍ତି ପୂର୍ଣ୍ଣାବୟବା ନାରୀ । ମ୍ୟାଟି ନିଃଶବ୍ଦରେ ମୃଦୁହାସ୍ୟ କରି ବାଟରୁ ଆଡ଼େଇ ହୋଇଗଲେ ଓ ଏଥାନ୍‌ ଘର ଭିତରେ ପଶନ୍ତେ, ଦୁଆର କିଳି ମରାଳ ଗମନ ଠାଣିରେ ତାଙ୍କଠାରୁ ଦୂରେଇ ଗଲେ । ସେ ଦୀପଟି ନେଇ ଟେବୁଲ ଉପରେ ରଖିଲେ; ଏଥାନ୍‌ ଦେଖିଲେ, ଟେବୁଲ୍‌ ରାତ୍ରି ଭୋଜନ ପାଇଁ ସଯତ୍ନେ ସଜ୍ଜିତ ହୋଇଛି । ଟେବୁଲ ଉପରେ ତାଙ୍କର ପ୍ରିୟ ଖାଦ୍ୟ ସାମଗ୍ରୀ ରଖା ହୋଇଛି । ବିଶେଷ କରି ସେ ଯେଉଁ ଆଚାରକୁ ବିଶେଷ ସୁଖ ପା’ନ୍ତି ତାହା ଗୋଟିଏ ସୁନ୍ଦର ରଙ୍ଗ କାଚପାତ୍ରରେ ଥୁଆ ହୋଇଛି । ଟେବୁଲ ପାଖ ଚୁଲିରେ ନିଆଁ ଡହକୁଛି । ଚୁଲି ପାଖରେ ଲମ୍ୱ ହୋଇ ପଡ଼ିଛି ବିରାଡ଼ିଟା ; ଘୁମାଇଲା ପରି ଆଖି ଦୁଇଟି ତା’ର ଯାଇ ଲାଗିଛି ଟେବୁଲ ଉପରେ ।

 

ଏଥାନ୍‍ଙ୍କ ମନ ସୁଖ ଓ ସ୍ୱାଚ୍ଛନ୍ଦ୍ୟର ଅବବୋଧରେ ପୁରି ଉଠୁଥାଏ । ସେ ହଲ୍‌ ପାଖ କନ୍ଦିକୁ ଯାଇ କୋଟଟା କାଠରେ ଟାଙ୍ଗି ଦେଲେ ଓ ଗୋଡ଼ରୁ ଓଦା ବୁଟ୍‌ ଯୋଡ଼ାକ କାଢ଼ି ପକାଇଲେ-। ସେ ଟେବୁଲ୍‌ ପାଖକୁ ଆସିଲା ବେଳକୁ ମ୍ୟାଟି ଚା’ ପାତ୍ରଟା ଟେବୁଲ ଉପରେ ଥୋଇ ସାରିଥାନ୍ତି; ବିରାଡ଼ିଟା ଗେହ୍ଲେଇ ହୋଇ ତାଙ୍କ ବଳାଗଣ୍ଠିରେ ଘଷି ହେଉଥାଏ ।

 

ମ୍ୟାଟି ପାଟି କରି ଉଠିଲେ, ‘‘ଆଲୋ, ପୁସି, ମୁଁ ତ ଏଇଲାଗେ ତୋତେ ଝୁଣ୍ଟିପଡ଼ି ଯାଇଥାନ୍ତି !’’ ହସ ତାଙ୍କର ଭ୍ରୂଲତା ଦୁଇଟିକୁ ନଚାଇ ଦେଉଥାଏ ।

 

ଏଥାନ୍‍ଙ୍କ ମନରେ ହଠାତ୍‌ ଈର୍ଷାର ଝଲକ ଖେଳିଗଲା । ତେବେ କ’ଣ ଡେନିସ୍‌ ଇଡି ଆସିଥିବାରୁ ମ୍ୟାଟିଙ୍କ ମୁହଁରେ ଆନନ୍ଦର ଏ ଝଲକ ଦେଖାଦେଇଛି ।

 

ଲଇଁ ପଡ଼ି ଚୁଲିର ତଳମୁହଁ ବନ୍ଦ ଅଛି କି ନାହଁ ଦେଖୁ ଦେଖୁ ସେ ପ୍ରଶ୍ନଟାଏ ପଚାରି ଦେଲେ, ‘‘କି, ମ୍ୟାଟି, ମୁଁ ନଥିବା ଭିତରେ କିଏ ଆସିଥିଲା କି ?’’

 

ସେ ମୁଣ୍ଡ ଟୁଙ୍ଗାରି ହସି ହସି ଉତ୍ତର ଦେଲେ, ‘‘ହଁ, ଜଣେ ଆସିଥିଲେ’’ । ଏଥାନ୍‍ଙ୍କ ଲଲାଟରେ କଳା ବୋଳି ହୋଇଗଲା ପରି ଲାଗିଲା ।

 

ସେ ଟିକିଏ ଡେରି ହୋଇ ବସିଲେ ଓ କୁଞ୍ଚିତ ଭ୍ରୂତଳୁ ମ୍ୟାଟିଙ୍କ ଉପରେ ତୀର୍ଯ୍ୟକ୍‌ ଦୃଷ୍ଟି ହାଣି ପଚାରିଲେ, ‘‘ସେ କିଏ ?’’

 

ଦୁଷ୍ଟାମିରେ ମ୍ୟାଟିଙ୍କର ଆଖି ଦୁଇଟା ନାଚୁଥାଏ; ଜୋଥାମ୍‌ ପାଓ୍ୱେଲ୍‌ ଆସିଥିଲା ପରା । ଷ୍ଟେସନ୍‌ରୁ ଫେରି ସେ ଘରକୁ ଆସିଲା ଓ ଟିକିଏ କଫି ଖାଇ ଘରକୁ ଯିବ ବୋଲି କହିଲା ।’’

 

ଏଥାନ୍‍ଙ୍କ ମସ୍ତିଷ୍କରୁ ଅନ୍ଧାର ଅପସରି ଯାଇ ଆଲୁଅ ବିଞ୍ଚି ହୋଇଗଲା । ସେ କହିଲେ, ‘‘ଓଃ ! ଖାଲି ପାଓ୍ୱେଲ୍ ? ବେଶ୍‌ ! ମୋର ବିଶ୍ୱାସ ତା’ ପାଇଁ ଟିକିଏ କଫି କରିଦେଲ ?’’ ତା’ ପରେ ଟିକିଏ ତୁନି ରହି ସେ ପଚାରିବା ଉଚିତ ମନେକଲେ, ‘‘ମୋର ବିଶ୍ୱାସ, ସେ ଯଥାସମୟରେ ନେଇ ଜୀନାଙ୍କୁ ଷ୍ଟେସନରେ ପହୁଁଚାଇଛି ?’’

 

‘‘ହଁ, ଗାଡ଼ି ଆସିବାର ବହୁତ ଆଗରୁ ସେ ଷ୍ଟେସନରେ ପହୁଞ୍ଚିଥିଲେ ।’’

 

ଜୀନା ନାଁଟା ପଡ଼ିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଟିକିଏ କାଲୁଆ ହୋଇଗଲା । ଦୁହେଁ କ୍ଷଣେ ସାମନା ସାମନି ନ ହୋଇ କଡ଼େଇ ହୋଇ ଠିଆ ହେବା ପରେ ମ୍ୟାଟି ଟିକିଏ ଲାଜ ଲାଜ ହୋଇ ହସି କହିଲେ, ‘‘ରାତ୍ରି ଭୋଜନର ବେଳ ହୋଇଗଲାଣି ।’’

 

ଦୁହେଁ ନିଜ ନିଜ ଚୈାକି ଟେବୁଲ ପାଖକୁ ଟାଣି ଆଣିଲେ । ବିରାଡ଼ିଟା ବିନା ନିମନ୍ତ୍ରଣରେ ଦୁହିଙ୍କ ମଝିରେ ଟେବୁଲ ଉପରକୁ ଉଠି ଜୀନାଙ୍କ ଖାଲି ପଡ଼ିଥିବା ଚୌକିଟା ଦଖଲ କରିନେଲା । ମ୍ୟାଟି କହିଲା, ‘‘ୟେ କଣ କିଲୋ ପୁସି ?’’ ଦୁହେଁ ପୁଣି ଏକ ସଙ୍ଗେ ହସି ଲାଗିଲେ ।

 

ମୁହୂର୍ତ୍ତକ ଆଗରେ ଏଥାନ୍‌, ପ୍ରଗଲ୍‌ଭ ଭାବେ ବକ୍ତୃତା ଦେବା ଅବସ୍ଥାରେ ଥିଲେ, କିନ୍ତୁ ଜୀନାଙ୍କ ନାମ ପଡ଼ିବାରୁ ତାଙ୍କ ତୁଣ୍ଡକୁ ପକ୍ଷାଘାତ ଧରି ପକାଇଥାଏ । ମ୍ୟାଟିଙ୍କୁ ମଧ୍ୟ ଏ ରୋଗ ସଂକ୍ରମିଲା ପରି ବୋଧ ହେଉଥାଏ । ସେ ତଳକୁ ମୁଁହ କରି ବସି ଟିକିଏ ଟିକିଏ ଚା’ ପିଉଥାନ୍ତି । ଏଥାନ୍‌ ମଇଦା ଗାଣ୍ଠିଆ ଓ ମିଠା ଆଚାରକୁ ଭାରି ସୁଖ ପାଇଲା ପରି ଛଳନା କରୁଥାନ୍ତି । ଅବଶେଷରେ, କଥା ଆରମ୍ଭ କରିବାର ଗୋଟାଏ ବାଟ ଖୋଜି ଖୋଜି ଏଥାନ୍‌ ଲମ୍ବ କରି ଢୋକେ ଚା’ ପିଇଲେ ଓ ଗଳା ସଫା କରି କହିଲେ ।

 

‘‘ଯେପରି ଜଣାଯାଉଛି, ଆହୁରି ଗୁଡ଼ାଏ ତୁଷାର ପଡ଼ିବ ।’’

 

ମ୍ୟାଟି ଏ ପ୍ରସଙ୍ଗରେ ଖୁବ୍‌ ଆଗ୍ରହ ଦେଖାଇଲା ପରି ଛଳନା କରି ପଚାରିଲେ, ‘‘ସତେ ନା ? ଯଦି ସତରେ ତୁଷାର ପଡ଼େ ତେବେ କ’ଣ ଜୀନାଙ୍କର ଫେରିବାରେ କିଛି ଅସୁବିଧା ହେବ-?’’ ଏକଥାଟା ତୁଣ୍ଡରୁ ବାହାରିବା ସଙ୍ଗେ ସଙ୍ଗ ସେ ଲାଜରେ ସଡ଼ିଗଲେ ଏବଂ ପାଟିକୁ ଟେକୁଥିବା ଚା କପ୍‌ଟା ତରତର ହୋଇ ଟେବୁଲରେ ଥୋଇଦେଲେ ।

 

ଏଥାନ୍‌ ହାତ ବଢ଼ାଇ ଆଉ ମେଞ୍ଚାଏ ଆଚାର ଧରି କହିଲେ, ‘‘କ’ଣ ହେବ ଆଗରୁ ଜାଣିବା ମୁସକିଲ୍‌ । ଏ ସମୟରେ ଫ୍ଲାଟସ୍‌ ପାଖେ ଆଖେ ଅଚାନକ ଭାବେ ତୁଷାରସ୍ତୂପ ଗଢ଼ି ଉଠି ରାସ୍ତା ରୋକି ଦିଏ ।’’ ଜୀନାଙ୍କ ନାମ ପଡ଼ିବାରୁ ସେ ପୁଣି ଅବଶ ହୋଇ ପଡ଼ିଧାନ୍ତି; ତାଙ୍କର ମନେ ହେଉଥାଏ ସତେ ଯେମିତି ଜୀନା ତାଙ୍କ ଦୁହିଁଙ୍କ ମଝିରେ ବସି ଚାହିଁଛନ୍ତି ।

 

ମ୍ୟାଟି କହି ଉଠିଲେ, ‘‘ପୁସି ଲୋ ! ତୋ ପେଟରେ କ’ଣ ଅଛି କେଜାଣି ?’’

 

ମ୍ୟାଟିଙ୍କ ଅଜାଣତରେ ବିରାଡ଼ିଠା ଟେବୁଲ ଊପରକୁ ଚଢ଼ି, ଏଥାନ୍‌ ଓ ମ୍ୟାଟିଙ୍କ ମଝିରେ ଥିବା ଦୁଧ ରେକାବି ଆଡ଼କୁ ମୁହଁ ଲମ୍ବାଉଥାଏ ଏଥାନ୍‍ ଓ ମ୍ୟାଟି ଏକ ସମୟରେ ବିରାଡ଼ି ଆଡ଼କୁ ଉହିଁକି ଗଲେ, ଦୁହିଁଙ୍କର ହାତ ଯାଇ ଦୁଧ ରେକାବିର ହତାରେ ମିଶିଲା । ମ୍ୟାଟିଙ୍କ ହାତ ଥାଏ ତଳେ, ତାଙ୍କ ହାତ ଉପରେ ଏଥାନ୍‍ଙ୍କ ହାତ । ଏଭଳି ଯେତିକି ସମୟ ରହିବାର କଥା, ତହିଁରୁ ଟିକିଏ ଅଧିକ ବେଳ ଏଥାନ୍‌ ନିଜ ହାତରେ ମ୍ୟାଟିଙ୍କ ହାତକୁ ଢାଙ୍କି ରଖିଲେ ଏହି ଅସ୍ୱାଭାବିକ ପରିସ୍ଥିତିର ସୁବିଧା ନେଇ ବିରାଡ଼ିଟା ନିରାପଦରେ ଖସି ଯାଉ ଯାଉ ତା’ ପଛଗୋଡ଼ରେ ଆଚାର ପାତ୍ରଟା ଠେଲି ହୋଇ ଯାଇ ଟୁଂ କିନା ତଳେ ପଡ଼ିଲା ।

 

ତତ୍‌କ୍ଷଣାତ୍‌ ମ୍ୟାଟି ଚଉକିରୁ ଉଠି ପଡ଼ି କାଚପାତ୍ରର ଭଙ୍ଗା ଖଣ୍ଡ ଗୁଡ଼ାକ ପାଖରେ ଆଣ୍ଠୁ ମାଡ଼ି ବସି ପଡ଼ିଲେ ଓ ଚିତ୍କାର କଲେ, ‘‘ଏଥାନ୍‌ ! ମୁଁ କ’ଣ କରିବି, ଏଥାନ୍‌ ! କାଚପାତ୍ରଟି ଏକାବେଳକେ ଖଣ୍ଡି ଖଣ୍ଡି ହୋଇଗଲା । ଜୀନା ଆସିଲେ କ’ଣ କହିବ ? ଏବେ ମୁଁ କରେ କ’ଣ ?’’

 

ଏତେବେଳକୁ କିନ୍ତୁ ଏଥାନ୍‍ଙ୍କର ସିଂହର ତେଜ । ସେ ହସି ହସି ଜବାବ ଦେଲେ, ‘‘ଏ ବିଷୟରେ ଯଦି ଜୀନାଙ୍କର କିଛି କହିବାର ଥାଏ, ତେବେ ସେ କହିବେ ବିରାଡ଼ିକୁ, ତୁମକୁ ନୁହେଁ’’ । ଏହା କହି ଏଥାନ୍‌ ମ୍ୟାଟିଙ୍କ ପାଖରେ ଯାଇ ଆଣ୍ଠୁମାଡ଼ି ବସି ତଳେ ପଡ଼ିଥିବା ଆଚାର-ଖଣ୍ଡମାନ ଗୋଟାଇବାରେ ଲାଗିଲେ ।

 

ମ୍ୟାଟି ଏଥାନ୍‍ଙ୍କ ଆଡ଼କୁ ତ୍ରସ୍ତ ଦୃଷ୍ଟି ଢାଳି କହିଲେ, ‘‘ବିରାଡ଼ି ପକେଇଲା ସତ; କିନ୍ତୁ ଏ ଗିନାଟି ଜୀନା କାରବାର କରିବାକୁ ନିଷେଧ କରନ୍ତି । ଘରକୁ ଅତିଥି ଆସିଲେ ବି ଏହା ବାହାର କରାଯାଏ ନାହିଁ । ମୁଁ ନିଶୁଣିରେ ଚଢ଼ି ଗୀନା ଆଲମାରୀର ଓପର ଥାକରୁ ୟାକୁ ବାହାର କରିଛି । ସେଇ ଓପର ଥାକରେ ସେ ତାଙ୍କର ସବୁଠାରୁ ପ୍ରିୟ ଜିନିଷ ସାଇତି ଥାନ୍ତି । ମୁଁ କାହିଁକି ଏତେ କଷ୍ଟ ପଡ଼ି ଏ ଜିନିଷ ଓପର ଥାକରୁ ବାହାର କଲି ବୋଲି ସେ ପଚାରିଲେ, ମୁଁ କଣ କହିବି ?’’

 

କଥାଟା ବାସ୍ତବିକ ଏଡ଼େ ଗୁରୁତର ଯେ ଏହାର ସମାଧାନ ପାଇଁ ଏଥାନ୍‍ଙ୍କର ସମସ୍ତ ବୁଦ୍ଧି ଖଟାଇବାକୁ ପଡ଼ିଲା ।

 

ସେ ସମାଧାନ କଲେ, ‘‘ତୁମେ ଯଦି ତୁନି ହୋଇ ରହିବ ତେବେ ସେ ଏ ବିଷୟରେ କିଛି ଜାଣି ବି ପାରିବେ ନାହିଁ । ମୁଁ କାଲି ଠିକ୍‌ ଏଇମିତି ଗିନାଟିଏ କିଣି ଆଣିବି । ଏଇଟା ଆସିଥିଲା କେଉଁଠୁ ? ଦରକାର ପଡ଼ିଲେ କାଲି ମୁଁ ଶାଡସ୍‌ ଫଲସ୍‌ ବଜାରକୁ ଯିବାକୁ ପ୍ରସ୍ତୁତ ଅଛି ।’’

 

‘‘ନା, ନା, ସେଠାରେ ବି ତୁମେ ଏମିତି ଗିନା ପାଇବ ନାହିଁ । ତୁମର ମନେନାହିଁ, ଏଇଟା ପରା ତୁମ ବିବାହ ବେଳେ ତାଙ୍କୁ ଉପହାର ମିଳିଥିଲା । ଏଇଟା ଆସିଥିଲା ବହୁତ ବାଟରୁ, ଫିଲାଡେଲଫିରରୁ; ୟାକୁ ଦେଇଥିଲେ ଜୀନାଙ୍କ ପିଉସୀ, ଯେ ଧର୍ମଯାଜକଙ୍କୁ ବିଭା ହୋଇଛନ୍ତି । ସେଇଥିପାଇଁ ଜୀନା କେବେହେଲେ ୟାକୁ କାରବାର କରନ୍ତି ନାହିଁ । ଏଥାନ୍‌ : ଓଃ, ଏଥାନ୍‌ ! ମୁଁ ଏବେ କରିବି କ’ଣ ? ମୋତେ ଆଉ ଧରିତ୍ରୀରେ ରକ୍ଷା ନାହିଁ ।’’

 

ମ୍ୟାଟି ବିକଳରେ କାନ୍ଦିବାକୁ ଲାଗିଲେ । ଏଥାନ୍‍ଙ୍କୁ ଲାଗୁଥାଏ, ମ୍ୟାଟିଙ୍କ ଲୁହର ପ୍ରତିବନ୍ଦୁ ତରଳ ଶିଖାପରି ତାଙ୍କ ନିଜ ଦେହରେ ପଡ଼ି ଦେହକୁ ଜାଳି ଦେଉଛି । ସେ ଅନୁନୟ କରି କହୁଥାନ୍ତି, ‘‘ମ୍ୟାଟ୍‌ ! କାନ୍ଦ ନାହିଁ, ମୋ’ର ଅନୁରୋଧ, ତୁମେ କାନ୍ଦ ବନ୍ଦକର ।’’

 

ମ୍ୟାଟି କଷ୍ଟେ ମଷ୍ଟେ ଉଠି ଠିଆ ହେଲେ; ଏଥାନ୍‌ ବି ଉଠି ଠିଆ ହେଲେ । ମ୍ୟାଟି ଭଙ୍ଗା କାଚ ଗୁଡ଼ିକ ଗୋଟାଇ ରୋଷେଇ ଘର ପଟା ଉପରେ ଥୋଉ ଥାନ୍ତି । ଏଥାନ୍‌ ତାଙ୍କ ପଛେ ପଛେ ସେଇ ପଟା ପାଖକୁ ଗଲେ । ତାଙ୍କୁ ଲାଗୁଥାଏ, ସତେ ଯେମିତି ତାଙ୍କର ଏ ରାତ୍ରିର ସବୁ ସୁଖ ଭାଙ୍ଗି ରୁଜି ଏଇ କାଚ ଖଣ୍ଡମାନଙ୍କ ରୂପରେ ପଟା ଉପରେ ଥୁଆ ହୋଇଛି ।

 

ହଠାତ୍‌ ମୁରବି ପଣ ଦେଖାଇ ହୁକୁମ ହେଲା ପରି ସ୍ୱରରେ ସେ କହିଲେ, ‘‘ହେଇଟି, ସେ ଭଙ୍ଗା ଖଣ୍ଡ ସବୁ ଆଣ, ମେତେ ଦିଅ ।’’

 

ମ୍ୟାଟି ତାଙ୍କ କଥା ମାନି ଆଡ଼େଇ ହୋଇଗଲେ; ପଚାରିଲେ, ଏଥାନ୍‌ । ୟାଙ୍କୁ ନେଇ ତୁମେ କରିବ କ’ଣ ?’’

 

କିଛି ଉତ୍ତର ନ ଦେଇ ଏଥାନ୍‌ ତାଙ୍କର ପ୍ରଶସ୍ତ ପାପୁଲିରେ ସବୁଜାକ ଭଙ୍ଗାକାଚ ଧରି ରୋଷେଇ ଘର ଓ ହଲ୍‍ ମଝି କନ୍ଦି ଘରକୁ ଚାଲିଗଲେ । ସେଠାରେ ଖଣ୍ଡେ ମହମବତୀର ଠୁଣ୍ଟିଟାଏ ଜାଳି, ଚୀନା ଆଲମ ରୀଟା ଫିଟାଇଲେ ଏବଂ ନିଜର ଲମ୍ୱାହାତ ବଢ଼ାଇ ଆଲମାରୀଟା ଫିଟାଇଲେ ଏବଂ ନିଜର ଲମ୍ୱାହାତ ବଢ଼ାଇ ଆଲମାରୀର ଓପର ଥାକରେ ଭଙ୍ଗା କାଚ ଖଣ୍ଡମାନ ଯୋଡ଼ି ଦିଅନ୍ତି, ତେବେ ମାସ ମାସ ବିତିଗଲେ ବି ତାଙ୍କ ସ୍ତ୍ରୀ ଗିନାଟି ଭାଙ୍ଗିଛି ବୋଲି ଜାଣି ପାରିବେ ନାହିଁ ଇତି ମଧ୍ୟରେ ସୁବିଧା ଦେଖି ଶାଡ଼ସ ଫଲସ୍‌ ବା ବେଟସ୍‌ ବ୍ରିଜ୍‌ ବଜାରରୁ ଠିକ୍‌ ଏଇମିତି ଗିନାଟିଏ ଖୋଜି ଭଙ୍ଗା ଗିନାଟି ସହଜେ ବଦଳି କରିଦେଇ ହେବ । ହଠାତ୍‌ କଥାଟା ଧରା ପଡ଼ିବାର ଆଶଙ୍କା ନାଇଁ ବୋଲି ମନେମନେ ବୁଝିନେଇ ସେ ଖୁସି ମନରେ ରୋଷେଇ ଘରକୁ ଫେରିଲେ । ସେତେବେଳକୁ ମ୍ୟାଟି ବିକଳ ମନରେ ଭୂଇଁରୁ ଅବଶିଷ୍ଟ ଆଚାରତକ ଗୋଟାଉଥାନ୍ତି ।

 

ସେ ମ୍ୟାଟିଙ୍କୁ ହୁକୁମ ଦେଲେ, ‘‘ଆଉ ଭୟ ନାହିଁ, ମ୍ୟାଟ୍‌ ! ଆସ ଖିଆପିଆ ସାରିଦେବା-।’’

 

ତାଙ୍କ କଥାରେ ପୂର୍ଣ୍ଣ ପ୍ରତ୍ୟୟ ପାଇ, ମ୍ୟାଟି ନିଜର ଲୁହଭରା ଆଖି ଟେକି ଏଥାନ୍‍ଙ୍କ ଆଡ଼କୁ ଚାହିଁଲେ । ତାଙ୍କ ତୁଣ୍ଡର ଆବାଜରେ ମ୍ୟାଟି କେମିତି ଥୟ ହୋଇଗଲେ ଦେଖି ଏଥାନ୍‍ଙ୍କ ଛାତି ଗର୍ବରେ ଫୁଲି ଉଠୁଥାଏ । ଗିନାଟାକୁ କ’ଣ କଲ ବୋଲି ମ୍ୟାଟି ପଦେ ବି ପଚାରିଲେ ନାହିଁ । ପର୍ବତରୁ ବଡ଼ କାଠ ଗଡ଼ଟାଏ ଖସାଇ କରତ କଳକୁ ଆଣିବା ବେଳ ବ୍ୟତୀତ ଅନ୍ୟ କୈାଣସି ସମୟରେ ଏଥାନ୍‌ ନିଜର ଏଭଳି ଚମତ୍କାର ପୁରୁଷକାରର ପରିଚୟ ପାଇ ନ ଥିଲେ ।

 

ପଞ୍ଚମ ପରିଚ୍ଛଦ

 

ଦୁହେଁ ଖିଆପିଆ ସାରିଲେ; ମ୍ୟାଟି ବାସନ ମଜା ଓ ଟେବୁଲ ସଫାସୁତୁରା କରିବାରେ ଲାଗିଲେ ଓ ଏଥାନ୍‌ ଗଲେ ଗାଇଙ୍କୁ ଟିକିଏ ଚାହିଁଦେଇ ଆସିବାକୁ ‘ତା’ ପରେ ସେ ଘରର ଚାରିପଟେ ଟିକିଏ ବୁଲି ଦେଖି ଆସିବାକୁ ବାହାରିଲେ । ମେଘ-ଆଚ୍ଛାଦିତ ଆକାଶ ପ୍ରେତ ଭୂଇଁ ପରି ଅନ୍ଧାରିଆ ଦିଶୁଥାଏ । ପବନ ପଡ଼ିଯାଇ ଚାରିଆଡ଼ ଏତେ ନିସ୍ତବ୍‍ଧ ହୋଇଥାଏ ଯେ, ଦୂରରେ, ତାଙ୍କ କାଠଗଦା ପାଖେ, ଗଛରୁ ତୁଷାର ଖଣ୍ଡେ ତଳେ ପଡ଼ିଲେ, ତା’ର ଶବ୍ଦ ତାଙ୍କୁ ସ୍ପଷ୍ଟ ଶୁଣାଯାଉଥାଏ ।

 

ସେ ବାହାର କାମ ସବୁ ସାରି ରୋଷେଇ ଘର ଭିତରେ ପଶିଲା ବେଳକୁ ମ୍ୟାଟି ତାଙ୍କ ଚଉକିଟି ଚୁଲି ମୁଣ୍ଡକୁ ଘୁଞ୍ଚାଇ ରଖିଛନ୍ତି ଓ ନିଜେ ସିଲେଇ କାମ ଖଣ୍ଡେ ଧରି ଦୀପ ପାଖରେ ବସିଛନ୍ତି । ସକାଳେ ସଂଧ୍ୟାବେଳର ଦୃଶ୍ୟ ଯେମିତି ହେବ ବୋଲି ସେ ମନେ ମନେ କଳ୍ପନା କରିଥିଲେ ବାସ୍ତବରେ ସେଇ ପରି ହୋଇଥାଏ । ସେ ବସି ପଡ଼ିଲେ ଓ ପକେଟରୂ ଧୂଆଁଖିଆ ପାଇପ୍‌ଟା ବାହାର କଲେ; ଚୁଲି ଆଡ଼କୁ ଗୋଡ଼ ଲମ୍ୱାଇ ଦେଲେ । ଥଣ୍ଡାରେ ଦିନେ ତମାସ କାମ କରିବା ପରେ ଚୁଲିମୁଣ୍ଡରେ ଉଷୁମରେ ଆସି ବସନ୍ତେ ତାଙ୍କୁ ଅଳସ ଲାଗିଲା ଓ ମନଟା ଖୁବ୍‌ ଉଶ୍ୱାସ ହୋଇଗଲା । ତାଙ୍କ ମନରେ ଗୋଟାଏ କେମିତି ଭ୍ରାନ୍ତି ହେଉଥାଏ ଯେ ସେ ଆସି ନୂଆ ଗୋଟାଏ ରାଜ୍ୟରେ ପହଞ୍ଚିଛନ୍ତି, ଯେଉଁଠାରେ କି ସବୁବେଳେ ଶାନ୍ତି ଓ ଆରାମ ଓ ଯେଉଁଠି କାଳର ପ୍ରଭାବ ପ୍ରତିହତ । ପୂର୍ଣ୍ଣ ଆନନ୍ଦରେ ଟିକିଏ ମାତ୍ର ଅଭାବ ରହି ଯାଇଥାଏ । ତାହା ଏତିକି ଯେ ସେ ଯେଉଁଠାରେ ବସିଥାନ୍ତି ସେଠାରୁ ମ୍ୟାଟି ଦିଶୁନଥାନ୍ତି । ତାଙ୍କୁ କିନ୍ତୁ ଅଳସ ଲାଗୁଥାଏ ଯେ ସେ ଉଠି ନିଜ ଚଉକିକୁ ମ୍ୟାଟିଙ୍କ ଆଡ଼େ ଘୁଞ୍ଚାଇ ନନେଇ ଟିକିଏ ବସି ରହିବା ପରେ ଡାକିଲେ, ‘‘ଆସ, ଏ ଚୁଲି ପାଖରେ ବସ ।’’

 

ଜୀନାଙ୍କ ଖାଲିପଡ଼ିଥିବା ଝୁଲା ଚଉକିଟା ତାଙ୍କ ଆଗେଇ ରହିଥାଏ । ମ୍ୟାଟି ତାଙ୍କ ଆଦେଶ ମାନି ଆସିଲେ ଓ ଏଇ ଖାଲି ଚଉକିରେ ବସିଲେ । ମ୍ୟାଟିଙ୍କ ଯୈାବନଶ୍ରୀମଣ୍ଡିତ ପିଙ୍ଗଳ କେଶଗୁଚ୍ଛ ଶୋଭିତ ମସ୍ତକଟି ଝୁଲା ଚଉକିର ମୁଣ୍ଡ ରହିବା ପୁରୁଣା କୁସନ୍‌ ଉପରେ ଆଉଜିବାର ଦେଖି ଏଥାନ୍‍ଙ୍କ ମନରେ ଧକ୍‌କା ଲାଗିଲା । ଏଇ କୁସନ୍‌ଟାରୁ ସବୁବେଳେ ଜୀନାଙ୍କ ନିଷ୍ପ୍ରଭ ମୁଖଟା ସେ ଦେଖିବାରେ ଅଭ୍ୟସ୍ତ । ତାଙ୍କୁ ଜଣା ପଡ଼ିଲା, ମ୍ୟାଟିଙ୍କ ସୁନ୍ଦର ମୁହଁକୁ ସେଥିରୁ ଆଡ଼େଇ ଦେଇ, ଯାହାର ସ୍ମୃତି ସେ ମନରୁ ପୋଛି ଦେବାକୁ ବସିଛନ୍ତି ସେଇ ଜୀନାର ମୁହଁ କୁସନ୍‌କୁ ଅଧିକାର କରି ବସିଛି; ତେଣୁ ତାଙ୍କୁ ମ୍ୟାଟିଙ୍କ ମୁହଁ ନ ଦିଶି ତାଙ୍କ ମୁହଁ ଉପରେ ଜୀନାଙ୍କ ମୁହଁ ଦେଖାଯାଉଛି । ମୁହୂର୍ତ୍ତକ ପରେ ମ୍ୟାଟିଙ୍କ ମନରେ ବୋଧହୁଏ ସେଇପରି ସଂକୋଚ ଆସିବାରୁ ସେ କୁସନ ଉପରେ ଆଉକି ନ ରହି ଚଉକିରେ ସିଧା ହୋଇ ବସି ନିଜ ସିଲେଇ କାମ ଉପରକୁ ମୁଣ୍ଡ ଝୁଙ୍କାଇଦେଲା । ଏଇପରି ବସିବାରୁ ଏଥାନ୍‍ଙ୍କୁ ଦିଶିଲା କେବଳ ମ୍ୟାଟିଙ୍କ ନାକର ଅଗ୍ରଭାଗ ଓ ମୁଣ୍ଡବାଳର ଗୋଟିଏ ପିଙ୍ଗଳ ରେଖା । ଆଉ ଟିକକ ପରେ ମ୍ୟାଟି ଚଉକିରୁ ଉଠି ଠିଆ ହୋଇ ପଡ଼ି କହିଲେ, ‘‘ଏ ଚଉକିରେ ବସିଲେ ମତେ ଛୁଞ୍ଚିମୁନ ଦିଶେନାହିଁ ।’’ ସେ ଦୀପ ପାଖର ତାଙ୍କ ସାବକ ଚଉକିକୁ ଫେରିଗଲେ ।

 

ଏଥାନ୍‌ ଚୁଲିରେ ଆଉ କାଠଦେବାର ଆଳକରି ଉଠି ପଡ଼ିଲେ ଓ ଚଉକିକୁ ଫେରି ତା’କୁ ଆଉ ଟିକିଏ କଡ଼କୁ ଘୁଞ୍ଚେଇ ଦେଇ ବସିଲେ । ଏପରି ବସିବାରୁ କଡ଼ୁଆଭାବେ ମ୍ୟାଟିଙ୍କ ରୂପ ଓ ଦୀପ ଆଲୁଅରେ ଆଲୋକିତ ତାଙ୍କ ହାତ ଏଥାନ୍‍ଙ୍କ ଆଖିକୁ ଦିଶିବା ସମ୍ଭବ ହେଲା । ବିରାଡ଼ିଟା ଆଜି ସନ୍ଧ୍ୟାରେ ଏ ସବୁ ଅପୂର୍ବ ଚଳ ପ୍ରଚଳ ଲକ୍ଷ୍ୟ କରୁଥିଲା । ଜୀନାଙ୍କ ଚଉକି ଖାଲି ହେବାର୍‍ ସେ ତା’ଉପରକୁ ଡେଇଁ ପଡ଼ିଲା ଓ ଗୋଟିଏ ପିଣ୍ଡୁଳା ପରି ଜାକିଜୁକି ହୋଇ ମିଟିମିଟି ଆଖିରେ ଏ ଦୁହିଁଙ୍କ ଗତିବଧି ଲକ୍ଷ୍ୟ କରିବାକୁ ଲାଗିଲା ।

 

ଘରଟି ପ୍ରଗାଢ଼ ନୀରବତାରେ ନିମଗ୍ନ ହୋଇଥାଏ । ବାସନକୁସନର ସେଲଫ ଉପରକୁ କାନ୍ଥରେ ଟଙ୍ଗା ହୋଇଥିବା ଘଣ୍ଟା ଟିକ୍‌ଟିକ୍‌ କରୁଥାଏ ଓ କାଠରୁ ଖଣ୍ଡେ ଖଣ୍ଡେ ଜଳି ଯାଇ ଚୁଲି ଭିତରେ ମୁଳଗଣ୍ଠିରୁ ଛିଡ଼ି ପଡ଼ୁଥାଏ, ଶବ୍ଦ ବୋଇଲେ ମାତ୍ର ଏତିକି । ଜିରାନିଅମ୍‌ ଫୁଲର ସାମାନ୍ୟ କଟୁ ଗନ୍ଧ ସହିତ ଏଥାନ୍‍ଙ୍କ ପାଇପ ଧୂଆଁର ଗନ୍ଧ ମିଶି ଘରଟିକୁ ସୁଗନ୍ଧିତ କରୁଥାଏ । ପାଇପର ଧୂଆଁ, କୋଠରୀ ତମାମ ଖେଳିଯାଇ, ମ୍ୟାଟିଙ୍କ ପାଖରେ ଥିବା ଦୀପ ଚାରିପଟେ ଗୋଯାଏ ନୀଳ ବର୍ଣ୍ଣର କୁହୁଡ଼ି ସୃଷ୍ଟି କରୁଥାଏ ଓ ଏହି ଧୂଆଁର ଅବଶିଷ୍ଟାଂଶ ଯାଇ ରୋଷେଇ ଘରର ଅନ୍ଧାର କୋଣମାନଙ୍କରେ ଅଳନ୍ଧୁ ରୁପରେ ଆଶ୍ରୟ ପାଉଥାଏ ।

 

କ୍ରମେ ଦୁହିଁଙ୍କ ମନରୁ ସମସ୍ତ ସଙ୍କୋଚ ଦୂର ହୋଇଗଲା ଓ ଦୁହେଁ ସହଜ ଓ ସରଳ ଭାବରେ କଥାବାର୍ତ୍ତା ଆରମ୍ଭ କଲେ । ପ୍ରତିଦିନର ଘଟଣାମାନଙ୍କୁ ଆଶ୍ରୟ କରି ଖୁସିଗପ ଚାଲିଲା । ତୁଷାରପାତ କାଲି ହେବ କି ମାହିଁ, ଗିର୍ଜାରେ ଆଉ କେବେ ସନ୍ଧ୍ୟାମିଳନ ହେବ, ଷ୍ଟାର୍କଫିଲ୍‍ଡରେ କାହାର କାହାର କଳିବଜିଆ ଲାଗିଛି, ଆଉ କିଏକିଏ ପ୍ରେମ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଇସବୁ ବିଷୟରେ ଆଲୋଚନା ବେଶ୍‌ ଜମୁଥାଏ । କଥାବାର୍ତ୍ତା ଅତି ମାମୁଲି ଧରଣର ହେଲେ ଏଥାନ୍‍ଙ୍କ ମନରେ ଗୋଟାଏ ଧାରଣା ହେଉଥାଏ ଯେ ମ୍ୟାଟିଙ୍କ ସଙ୍ଗେ ତାଙ୍କର ଘନିଷ୍ଠତାର ନିବିଡ଼ତା ଯୋଗୁଁ ଏଭଳି କଥାବାର୍ତ୍ତା ହୋଇ ପାରୁଛି । ଉଚ୍ଛ୍ୱାସ ଓ ଉତ୍ତେଜନାରେ କଥାବାର୍ତ୍ତା ହେଉଥିଲେ ଏ ସବୁ ସାଧାରଣ ବିଷୟରେ ଉତ୍‌ଥାପନ ହୋଇ ପାରନ୍ତା ନାହିଁ । କ୍ରମେ ତାଙ୍କର ଭ୍ରାନ୍ତି ଆହୁରି ବଢ଼ିବାରୁ ସେ କଳ୍ପନା କରିବାକୁ ଲାଗିଲେ, ସେ ଓ ମ୍ୟାଟି ଅତୀତରେ ପ୍ରତି ସନ୍ଦ୍ୟାରେ ଏଭଳି ଖୁସିଗପ କରି ଆସୁଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଏହିପରି ଅସରନ୍ତି ଚାଲିବ ।

 

ଅବଶେଷରେ ସେ କହିଲେ, ‘‘ମ୍ୟାଟ୍‌ ‌ଆଜିର ଏଇ ରାତିରେ ପରା ଆମେ ବରଫରେ ଖେଳିବା ବୋଲି ବିଚାରିଥିଲେ ।’’

 

ସେ ହସିହସି ତାଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ, ‘‘ବୋଧହୁଏ ତୁମେ ପାସୋରିଦେଲ ।

 

ଏଥାନ୍‌ କହିଲେ, ‘‘ନା, ନା, ଏମିତି ମୋର ପାସୋର ହୁଏ ନାହିଁ । ଆଜି ପରା ଚାରିଆଡ଼େ ଅନ୍ଧାର । କାଲି ଯଦି ଚନ୍ଦ୍ର ବାହାରନ୍ତି ତେବେ ଯିବା ।’’

 

ମ୍ୟାଟି ଆନନ୍ଦରେ ହସିଲେ; ମୁଣ୍ଡ ପଛ ଆଡ଼କୁ ଝୁଙ୍କାଇ ଦେବାରୁ ଦୀପ ଆଲୁଅରେ ତାଙ୍କ ଅଧର ଓ ଦନ୍ତପନ୍ତି ଝୁଲସି ଉଠିଲା । ସେ କହିଲେ ‘‘ଏଥାନ୍‌, ବରଫ ଖେଳକୁ ଗଲେ ବଡ଼ ମଜାହୁଅନ୍ତା ।’’

 

ଏଥାନ୍‍ଙ୍କ ଆଖି ମ୍ୟାଟିଙ୍କ ଉପରେ ଲାଖି ରହିଥାଏ । ଦକ୍ଷିଣା ପବନର ପ୍ରତି ବୁହାଣରେ ଗହମକ୍ଷେତ ନୂଆନୂଆ ରୂପ ନେଲା ପରି, ତାଙ୍କ କଥାବାର୍ତ୍ତା ଢଙ୍ଗର ପ୍ରତି ପରିବର୍ତ୍ତନରେ ମ୍ୟାଟିଙ୍କ ମୁହଁର ଚେହେରା କେମିତି ନୂଆନୂଆ ଆଭା ଧରୁଛି ତାହା ଲକ୍ଷ୍ୟ କରି ସେ ମୁଗ୍‌ଧ ହେଉଥାନ୍ତି । ତାଙ୍କ ଅଣତଣିଆ କଥାର ମ୍ୟାଟିଙ୍କ ଉପରେ ଏଭଳି ଯାଦୁକରୀ ପ୍ରଭାବ ପଡ଼ିବାର ଦେଖି ଏଥାନ୍‌ ବିଭୋର ହୋଇଗଲା ଓ ନୂଆ ରଙ୍ଗରେ ତାଙ୍କ କଥାବାର୍ତ୍ତାକୁ ରଙ୍ଗେଇବାକୁ ଆରମ୍ଭ କଲେ ।

 

ସେ ପଚାରିଲେ, ‘‘ଆଜି ଭଳିଆ ଅନ୍ଧାର ରାତିରେ ମୋ ସଙ୍ଗେ କର୍‍ବ୍ୟୁରି ରାସ୍ତାର ବରଫରେ ତଳକୁ ଖସିବାକୁ ଗଲେ ତୁମକୁ ଡର ମାଡ଼ିବ ।’’

 

ନ୍ୟାଟିଙ୍କ କପୋଳ ରକ୍ତିମ ହୋଇଗଲା, ‘‘ତୁମକୁ ଯେତିକି ଡର ମୋତେ ତହିଁରୁ ଅଧିକ ଡର ମାଡ଼ିବ ନାହିଁ ।’’

 

‘‘ଓଃ, ମୋତେ ସେଥିକୁ ଡର, ତେବେ ? ମୁଁ ସହଜେ ସେ ଗଡ଼ନ୍ତିରେ ଖେଳିବାକୁ ଯିବି ନାହିଁ । ସେଇ ମୋଟା ଏଲମ୍‌ ଗଛ ପାଖେ ଗୋଟାଏ ଭୟାନକ ମୋଡ଼ ସେ ରାସ୍ତାରେ ଅଛି । ମଣିଷ ଖୁବ୍‌ ସାବଧାନ ନହେଲେ, ସିଧାସରପଟ ସେଇ ଗଛରେ ବାଡ଼େଇ ହେବ ।’’ ନିଜ କଥାରେ ଯେଉଁ ପୁରୁଷକାର ଓ ଆଧିପତ୍ୟର ପ୍ରଭାବ ମ୍ୟାଟିଙ୍କ ଉପରେ ପଡ଼ୁଥାଏ ତାହାରି ଆସ୍ୱାଦ ପାଇ ଏଥାନ୍‌ ବେଶ୍‌ ଆତୁ-ସମ୍ଭ୍ରମ ଅନୁଭବ କରୁଥାନ୍ତି । ଏଇ ଅନୁଭୂତିକୁ ଆହୁରି ନିବିଡ଼ ଭାବେ ଲଗାଇ ରଖିବାକୁ ଏଥାନ୍‌ ଯୋଡ଼ିଲେ, ‘‘ମୋର ବିଶ୍ୱାସ, ଆମେ ଦୁହେଁ ଏ ଘରେ ବେଶ୍‌ ସୁଖରେ ଥାଇଁ ।’’

 

ମ୍ୟାଟି ନିଜର ଆଖିପତା ଦୁଇଟି ଧୀରେ ଧୀରେ ତଳକୁ ପକାଇଲେ; ଏଇପରି କଲେ ତାଙ୍କର ମନର ଆନନ୍ଦ ସୂଚିତ ହୁଏ । ଆଶ୍ୱସ୍ତିର ଗୋଟିଏ ଦୀର୍ଘ ନୀଶ୍ୱାସ ପକାଇ ସେ କହିଲେ, ‘‘ହଁ ବେଶ୍‌ ସୁଖରେ ଥାଇଁ ।’’

 

ମ୍ୟାଟିଙ୍କ ସ୍ୱର ଏତେ ମଧୁର ଶୁଣାଗଲା ଯେ, ଏଥାନ୍‌ ମୁହଁରୁ ପାଇପ୍‌ଟା କାଢ଼ିଦେଲେ ଓ ଟେବୁଲ ପାଖକୁ ନିଜ ଚଉକି ଘୁଞ୍ଚାଇ ନେଲେ । ଟେବୁଲ ଉପରେ ଝୁଙ୍କିପଡ଼ି, ଯେଉଁ କନାଖଣ୍ଡକର ଧଡ଼ି ମୋଡ଼ି ମ୍ୟାଟି ସିଲେଇ କରୁଥିଲେ ସେଇ କନାର ତାଙ୍କ ଆଡ଼କୁ ଲମ୍ୱିଥିବା ଅଂଶକୁ ଧରି ଏଥାନ୍‌ କହିଲେ, ‘‘ମ୍ୟାଟ୍‍, ଏଇଲାଗେ ଘରକୁ ଫେରିଲାବେଳେ ବାର୍ଣ୍ଣମ୍‌ ସଦନର ଗେଟ୍‌ପାଖ ସ୍ପୃଶ୍‌ ଗଛ ମୂଳେ ମୁଁ କ’ଣ ଦେଖିଲି ଅନୁମାନ କଲ ଦେଖି । ତୁମର ଜଣେ ବନ୍ଧୁଙ୍କ ଅଧରରେ ଚୁମ୍ୱନ ଦିଆ ହେଉଥିବାର ମୁଁ ଦେଖିଲି, ବିଶ୍ୱାସ କରୁଛ ?’

 

ଏଇ କଥାଟା ମ୍ୟାଟିଙ୍କୁ କହିବେ ବୋଲି ସେ ସଦ୍ୟ ତମାମ ଜିଭ ଆଗରେ ରଖିଥିଲେ । କିନ୍ତୁ କଥାଟା ଦେଇ ସାରିବା ପରେ ତାଙ୍କର ମନେ ହେଲା, ବଡ଼ ଅସଭ୍ୟ କଥାଟାଏ କହି ପକେଇଲେ; ନ କହିଥିଲେ ଚଳିଥାନ୍ତା । ପୁଣି ତାଙ୍କର ଏ କ୍ଷେତ୍ରରେ ଏହି କଥାଟା ବଡ଼ ଖାପଛଡ଼ା ଜଣାପଡ଼ିଲା ।

 

ମ୍ୟାଟି ଲାଜରେ ସଡ଼ିଗଲେ ଓ ଅସ୍ତବ୍ୟସ୍ତ ହୋଇ ଏକା ଜାଗାରେ ଛୁଞ୍ଚିଟାକୁ ଦୁଇ ଚାରିଥର ଚଳାଇ ନେଲେ; କନାର ଯେଉଁ ପଟଟା ଏଥାନ୍‍ଙ୍କ ଆଡ଼କୁ ଲମ୍ବିଥିଲା ତାକୁ ବି ନିଜ ଆଡ଼କୁ ଅନୁଦାର ଭାବେ ଗୋଟାଇ ଆଣିଲେ । ତା’ପରେ, ହଠାତ୍‌ ଏଥାନ୍‌ ଗୋଟାଏ ଗୁରୁତର କଥା ଉତ୍‌ଥାପନ କରିଛନ୍ତି ଏଇ କଥା ସୂଚାଇଲା ଭଳି ନମ୍ର ସ୍ୱରରେ ଉତ୍ତର ଦେଲେ, ‘‘ବୋଧହୁଏ ସେଠାରେ ରୁଥ୍‌ ଓ ନେଡ୍‍କୁ ଦେଖିଲ ?’’

 

ଏଥାନ୍‌ ବିଚାରିଥିଲେ, ନେଡ୍‍ ଓ ରୁଥ୍‌ଙ୍କ କଥା ଉତ୍‌ଥାପନ କରିବା ଫଳରେ ୟାଙ୍କୁ ଦୁହିଙ୍କର ଖୁସିବାସି କଥାବାର୍ତ୍ତାର ବାଟ ଫିଟିଯିବ ଏବଂ ଏଭଳି କଥାବାର୍ତ୍ତା ହେଉ ହେଉ ସେ ହୁଏତ ମ୍ୟାଟିଙ୍କୁ ଟିକିଏ ନିରାପଦ ପ୍ରେମ ଦେଖାଇବାର ଅବସର ପାଇବେ, ହୁଏତ ତାଙ୍କ ହାତ ଟିକିଏ ଛୁଇଁବାର ବାଟ ଫିଟିବ । କିନ୍ତୁ ବର୍ତ୍ତମାନ ସେ ଅନୁଭବ କଲେ, କଥାଟା ଶୁଣି ମ୍ୟାଟିଙ୍କ ମୁହଁରେ ଯେଉଁ ରକ୍ତାଭ ଦିଶିଲା ତାହା ତାଙ୍କର ପ୍ରେମ ନିବେଦନ ବିରୁଦ୍ଧରେ ପ୍ରହରୀ ପରି ବାଟ ଓଗାଳି ରହିଲାଣି । ଟିକକ ପରେ ପୁଣି ସେ ମନକୁ ଦମ୍ଭ ଦେଲେ ଯେ ତାଙ୍କ ସ୍ୱାଭାବିକ ସଂକୋଚ ଯୋଗୁଁ ସେ ଏପରି ଶଙ୍କି ଯାଉଛନ୍ତି । ସେ ଜାଣିଥିଲେ, ଅଧିକାଂଶ ଯୁବକ ସୁନ୍ଦରୀ ତରୁଣୀଙ୍କ ଅଧରରେ ଚୁମ୍ୱନଟିଏ ଆଙ୍କି ଦେବାକୁ ଅପରାଧ ବୋଲି ମନେ କରନ୍ତି ନାହିଁ । ପୁଣି, ତାଙ୍କର ମନେ ପଡ଼ିଲା ଗଲା ରାତିରେ ଯେତେବେଳେ ସେ ମ୍ୟାଟିଙ୍କ ଅଣ୍ଟାରେ ତାଙ୍କର ବାହୁ ବେତାଇ ଦେଇଥିଲେ ସେତେବେଳେ ମ୍ୟାଟି ପ୍ରତିବାଦ କରି ନ ଥିଲେ । ଏତକ ବିଚାରିବା ପରେ ବି ତାଙ୍କର ପୁଣି ଶଙ୍କା ହେଲା । କାଲି ରାତିରେ ଯାହା ଘଟିଥିଲା ତାହା ଧର୍ତ୍ତବ୍ୟ ନୁହେଁ । କିନ୍ତୁ ଏ ଯେ ଘର ଭିତର, ସାମନାରେ ଆଲୁଅ ଜଳୁଛି, ବହୁକାଳର ସଂସ୍କୃତି ଓ ପରମ୍ପରା ଏ ଘର ଭିତରର ପ୍ରତ୍ୟେକ ଚାଲିଚଳନକୁ ସାମାଜିକ ଶୃଙ୍ଖଳାରେ ବାନ୍ଧି ରଖିଛି । ଏଠାରେ ଏଥାନ୍‍ଙ୍କ ବିଚାରରେ, ମ୍ୟାଟି ତାଙ୍କଠାରୁ ବହୁ ଦୂରରେ; ବାହାରେ ଅନ୍ଧାର ରାତିରେ ତାଙ୍କ ସେ ଛୁଇଁ ଦେଇଥିଲେ ସିନା, ଏଠାରେ ତାଙ୍କ ପାଖକୁ ଆଗେଇବା ତାଙ୍କ ଅକ୍ଷମଣୀୟ ଅପରାଧ ।

 

ନିଜର ବିବ୍ରତ ଅବସ୍ଥାକୁ ଟିକିଏ ଲଘୁ କରିବା ଉଦ୍ଦେଶ୍ୟରେ ସେ କହିଲେ, ‘‘ମୋର ଅନୁମାନ, ଖୁବ୍‌ ନିକଟରେ ସେମାନେ ବିବାହର ଦିନ ସ୍ଥିର କରିବେ ।’’

 

ମ୍ୟାଟି କହିଲେ, ‘‘ହଁ ଖୁବ୍‌ ସମ୍ଭବ ଆସନ୍ତା ଗ୍ରୀଷ୍ମଋତୁ ଭିତରେ ତାଙ୍କର ବିବାଦ ହୋଇଯିବ ।’’ ବିବାଦ ଶଦ୍ଦଟା ମ୍ୟାଟି ଯେପରି ଉଚ୍ଚାରଣ କଲେ ସେଥିରୁ ବୋଧହେଲା ଏ ଶବ୍ଦଟା ତାଙ୍କ ହୃଦୟର ଆଦରର ଧନ । ତାଙ୍କ ବିଚାରରେ ଯେପରି ବିବାହଟା ପରୀ ରାଜ୍ୟର ଗୁପ୍ତ ପ୍ରବେଶଦ୍ୱାର । ଏଥାନ୍‍ଙ୍କ ହୃଦୟରେ ଗୋଟାଏ ବେଦନାରେ ଶିହରଣ ଖେଳିଗଲା । ସେ ନିଜ ଚଉକିରେ ବସିଥାଇ ସୁଦ୍ଧା ମ୍ୟାଟିଙ୍କ ଆଡ଼ୁ ଟିକିଏ ଦୂରକୁ ମୋଡ଼ି ହୋଇଗଲେ ଓ କହିଲେ, ‘‘ଏଥର ତୁମର ପାଳି ଆସି ପଡ଼ିବ ନିଶ୍ଚୟ ।’’

 

ମ୍ୟାଟି ଟିକିଏ ଅନିଶ୍ଚିତ ଭାବେ ହସି କହିଲେ, ‘‘ଥରକୁ ଥର ଏଇ କଥାଟା ମୋତେ କାହିଁକି କହୁଛ ଯେ ?’’

 

ମ୍ୟାଟିଙ୍କ ହସର ପ୍ରତିଧ୍ୱନି କରି ସେ କହିଲେ, ‘‘ତୁମେ ବିଭା ହୋଇ ଚାଲି ଯିବ ଏଇ ସମ୍ଭାବନାରେ ଅଭ୍ୟସ୍ତ ହେବା ପାଇଁ ବୋଧହୁଏ ।’’

 

ଏଥାନ୍‌ ପୁଣି ଟେବୁଲ ପାଖକୁ ଘୁଞ୍ଚି ଆସିଲେ; ମ୍ୟାଟି ନୀରବଭାବେ ସିଲେଇ କରିବାରେ ଲାଗିଲେ । ମ୍ୟାଟିଙ୍କର ଆଖିପତା ଦୁଇଟି ଭୂଇଁକୁ ନଇଁଥାଏ; ଏଥାନ୍ ଆଡ଼କୁ ଚାହିଁ ବିମୁଗ୍‌ଧ ହୋଇ ବସିଥାନ୍ତି । ସିଲେଇ କରୁଥିବା କନା ଉପରେ ମ୍ୟାଟିଙ୍କ ହାତ ଦୁଇଟି ଅନବରତ ତଳକୁ ଉପରକୁ ଗତି କରିବାର ଦେଖି ତାଙ୍କର ମନେ ପଡ଼ୁଥାଏ, ସେ ଦେଖିଥିବା ଦୁଇଟି ପକ୍ଷୀଙ୍କ ଆଚରଣ । ସେ ଦୁହେଁ ବସାଟିଏ ଗଢ଼ିବାକୁ ଏଇପରି ସିଧା ସଳଖ ଟିକିଏ ଉପରକୁ ଉଠୁଥାନ୍ତି ଓ ପୁଣି ତଳକୁ ଖସୁଥାନ୍ତି । କିଛିକ୍ଷଣ ପରେ, କାମ ଉପରୁ ମୁହଁ ନ ବୁଲାଇ ଓ ଆଖି ପତା ଦୁଇଟି ଉପରକୁ ନ ଉଠାଇ ନମ୍ର ସ୍ୱରରେ ମ୍ୟାଟି କହିଲେ, ‘‘ଜୀନାଙ୍କର ମୋ’ ବିରୁଦ୍ଧରେ କୌଣସି ଅଭିଯୋଗ ଶୁଣିବାରୁ ମୋ ଯିବାକଥା ଥରକୁଥର କହୁନାହଁ ତ ?’’

 

ତାଙ୍କର ପୂର୍ବ ଆଶଙ୍କା, ଏକଥା ଶୁଣି, ଚାରି ହତିଆର ଧରି ପୁଣି ବାହାରିଲା । ସେ ଥଙ୍ଗ ଥଙ୍ଗ ହୋଇ ପଚାରିଲେ, ‘‘ଏକଥା କାହିଁକି କହିଲ ? ୟା ମାନେ କ’ଣ ?’’

 

ସେ ବ୍ୟଥିତ ଆଖିରେ ଏଥାନ୍‍ଙ୍କ ଆଖିକୁ ଚାହିଁଲେ, ତାଙ୍କ ହାତରୁ ସିଲେଇ କାମଟା ଦୁହିଁଙ୍କ ମଝିରେ ଟେବୁଲ ଉପରେ ଖସି ପଡ଼ିଲା । ସେ କହିଲେ; ‘‘ମୁଁ ନିଶ୍ଚିତ ଭାବେ କିଛି କହି ପାରୁ ନାହିଁ । କାଲି ରାତିରେ ତାଙ୍କୁ ଦେଖି ମୁଁ ବିଚାରିଲି, ତାଙ୍କର ବୋଧହୁଏ ମୋର ଏଠାରେ ରହିବା ବିଷୟରେ ଆପତ୍ତି ଅଛି ।’’

 

ଏଥାନ୍‌ ଗାଉଁ ଗାଉଁ ହୋଇ କହିଲେ, ‘‘ସେ ଆପତ୍ତିଟା କ’ଣ ମୁଁ ଜାଣିବା ଦରକାର ।’’

 

ମ୍ୟାଟି କହିଲେ, ‘‘ଜୀନାଙ୍କ ମନରେ କ’ଣ ଅଛି ତାହା ବ୍ରହ୍ମା ବିଷ୍ଣୁ ଜାଣି ପାରିବେ ନାହିଁ ।’’ ଆଜି ପ୍ରଥମ ଥର ପାଇଁ ଦୁହେଁ ପ୍ରକାଶ୍ୟରେ ମ୍ୟାଟିଙ୍କ ପ୍ରତି ଜୀନାଙ୍କ ଅସୂୟା ବିଷୟରେ କଥାବାର୍ତ୍ତା ହେଲେ । ଜୀନା ନାମରେ ପୁନରାବୃତ୍ତି ଫଳରେ ସେ ନାମର ଆବାଜ ଘରଟିର ପ୍ରତିକୋଣରେ ଖେଳିଯାଇ ସେଠାରୁ ପୁଣି ଆସି ସତେ ଯେପରି ସେମାନଙ୍କ କାନରେ ବାଜୁଥାଏ । ଏ ପ୍ରତିଧ୍ୱନି ବନ୍ଦ ହେବାକୁ ମ୍ୟାଟି ସତେ ଯେପରି ଟିକିଏ ଅପେକ୍ଷା କରି ପୁଣି କହିଲେ, ‘‘ତୁମକୁ ସେ କିଛି କହି ନାହାନ୍ତିତ ?’’

 

ଏଥାନ୍‌ ମୁଣ୍ଡ ହଲାଇଲେ, ‘‘ନା, ପଦେ ବି ନୁହେଁ ।’’

 

ମ୍ୟାଟି ନିଜ କପାଳକୁ ମାଡ଼ି ଆସିଥିବା କେଶକୁ ପଛକୁ ଝାଡ଼ି ଦେଇ ହସି ହସି କହିଲେ, ‘‘ମୁଁ ତା’ ହେଲେ ତୁଚ୍ଛାକୁ ଆତଙ୍କିତ ହୋଇଯାଇଛି । ଆଉ କେବେ ଏ କଥା ବିଚାରିବି ନାହିଁ ।’’

 

ଏଥାନ୍‌ ପାଳି ଧଇଲେ, ‘‘ନା, ମ୍ୟାଟି, ଏ ବିଷୟ ତୁମେ କି ମୁଁ ଆଦୌ ଭାବିବା ନାହିଁ ।’’

 

ଏଥାନ୍‍ଙ୍କ ସ୍ୱରରେ ହଠାତ୍‌ ଦରଦ ଲକ୍ଷ୍ୟ କରି ମ୍ୟାଟିଙ୍କ ମୁହଁ ପୁଣି ଲାଲ ହୋଇଗଲା–କିନ୍ତୁ ଏଥର ପୂର୍ବଥର ପରି ହଠାତ୍‌ ନାଲି ଚହଟି ଗଲା ନାହିଁ । ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ହୋଇ ମୁହଁ ନାଲି ହୋଇଗଲା, ଠିକ୍‌ ଯେପରି ଗୋଟିଏ ଭାବନାର ପ୍ରତିଚ୍ଛବି ଆସ୍ତେ ଆସ୍ତେ ହୃଦୟରେ ଆଙ୍କି ହୋଇଯାଏ । ମ୍ୟାଟି ନୀରବ ହୋଇ ବସିଲେ, ସିଲେଇ କାମଟା ଉପରେ ଦୁଇହାତ ଯାକ ପଡ଼ି ରହିଥାଏ । ଏଥାନ୍‍ଙ୍କୁ ବୋଧହେଲା ଦୁହିଁଙ୍କ ମଝିରେ ଲମ୍ବ ହୋଇ ପଡ଼ିଥିବା ସେଇ ସିଲେଇ ହେଉଥିବା କନାବାଟେ, ମ୍ୟାଟିଙ୍କଠାରୁ, ଗୋଟିଏ ସୁଖପ୍ରଦ ଉଷ୍ମସ୍ରୋତ ତାଙ୍କ ଆଡ଼କୁ ପ୍ରବାହିତ ହେଉଛି । ଆସ୍ତେ ଆସ୍ତେ, ସାବଧାନତା ସହିତ, ସେ ପାପୁଲି ତଳକୁ କରି ଟେବୁଲ ଉପରେ ଉଗୁଡ଼ାଇ ହୋଇଥିବା ତାଙ୍କ ହାତକୁ ଆଗକୁ ଘୁଞ୍ଚାଇ ନେଇ କନାଟିର ଶେଷ ମୁଣ୍ଡକୁ ନିଜ ହାତରେ ଆଙ୍ଗୁଠି ଆଗରେ ଛୁଇଁଲେ । ମ୍ୟାଟିଙ୍କ ଆଖିପତାର ମୃଦୁ କମ୍ପନ ଜରିଆରେ ଜଣା ପଡ଼ିଲା ଯେ ସେ ଏଥାନ୍‍ଙ୍କ ମନର ଗତି ଲକ୍ଷ୍ୟ କରୁଛନ୍ତି । ସେତେବେଳକୁ ଏଥାନ୍‍ଙ୍କ ଆଡ଼ୁ ମମତାର ଉଷ୍ମ ପ୍ରବାହ ସେଇ କନାବାଟେ ମ୍ୟାଟିଙ୍କ ଆଡ଼କୁ ଚାଲିଯାଇଥାଏ । ମ୍ୟାଟି ନିଶ୍ଚଳଭାବେ ନିଜର ହାତ ଦୁଇଟିକୁ ସେଇ କନା ଉପରେ ପକାଇଥାନ୍ତି ।

 

ଦୁହେଁ ଏଇପରି ନିଶ୍ଚଳ ଭାବେ ବସିଛନ୍ତି; ଏଥାନ୍‌ ତାଙ୍କ ପଛପଟେ ଗୋଟାଏ ଶବ୍ଦ ଶୁଣି ପଛକୁ ମୁହଁ ଫେରାଇଲେ । ବିରାଡ଼ିଟା କାନ୍ଥର କାଠ ପଟାରେ ଗୋଟାଏ ମୂଷା ଦେଖି ଜୀନାଙ୍କ ଚଉକିରୁ ତା’ ଉପରକୁ କୁଦି ପଡ଼ିଥାଏ; ସେ ହଠାତ୍‌ ଜୀନାଙ୍କ ଝୁଲା ଚଉକିରୁ ଡେଇଁ ପଡ଼ିବା ଫଳରେ ଖାଲି ଚଉକିଟା ଭୂତ ଲାଗିଲା ପରି ଏପଟକୁ ସେପଟକୁ ଦୋହଲିବାରେ ଲାଗିଥାଏ ।

 

ଏଥାନ୍‌ ବିଚାରିଲେ, ‘‘ଜୀନା ଆସି କାଲି ଏତିକିବେଳକୁ ଏଇ ଚଉକିରେ ଏଇପରି ଦୋହଲୁ ଥିବେ । ମୁଁ ଆଜି ସ୍ୱପ୍ନସୁଖ ଅନୁଭବ କରୁଛି । ଖୁବ୍‌ ସମ୍ଭବ ଆଜିର ଏଇ ଗୋଟିକ ସନ୍ଧ୍ୟାରେଇ ଆମେ ଦୁହେଁ ମ୍ୟାଟି ଓ ମୁଁ ଏକାନ୍ତରେ ଟିକିଏ ବସିବାର ସୁଯୋଗ ପାଇଲୁଁ । ଅଚେତା ହେବା ଔଷଧ ଖାଇ ଚେତା ଫେରି ଆସିଲେ ସେଇପରି କଷ୍ଟ ହୁଏ, କଳ୍ପନାରୁ ବାସ୍ତବତାକୁ ଫେରି ଆସିଲେ ଯେପରି କଷ୍ଟ ହୁଏ ଏଥାନ୍‍ଙ୍କର ଶରୀର ଓ ମସ୍ତିଷ୍କ ବର୍ଣ୍ଣନାତୀତ କ୍ଳାନ୍ତିର ଅବସାଦ ଅନୁଭବ କଲା; ସେ ମୁହୂର୍ତ୍ତରେ ତାଙ୍କର ମନରେ ଯେଉଁ କଷ୍ଟ ହେଉଥାଏ ତାକୁ ରୋକିବାକୁ କ’ଣ କହିବେ, ସେ ଜାଣି ପାରୁ ନଥାନ୍ତି ।

 

ତାଙ୍କ ମାନସିକ ପରିବର୍ତ୍ତନର ପ୍ରଭାବ ମ୍ୟାଟି ବି ଅନୁଭବ କଲା ପରି ବୋଧ ହେଲା । ସେ ଅବସନ୍ନ ଭାବରେ ଏଥାନ୍‍ଙ୍କ ଆଡ଼କୁ ଚାହିଁଲେ; ମନେ ହେଉଥାଏ ସତେ ଯେପରି ତାଙ୍କର ଆଖିପତା ଦୁଇଟି ନିଦର ଭାରରେ ନଇଁ ପଡ଼ୁଛି ଓ ସେ ଚେଷ୍ଟା କରି ସେ ଦୁଇଟିକୁ ଟେକି ରଖୁଛନ୍ତି । ମ୍ୟାଟିଙ୍କର ନଜର ପଡ଼ିଲା ଏଥାନ୍‍ଙ୍କ ହାତ ଉପରେ । ଏଥାନ୍‍ଙ୍କ ହାତ କନା ଖଣ୍ଡିର ସେ ପାଖଟିକୁ ପୂରା ଆବୁରି ରହିଥାଏ । ସେ ତାକୁ ଯେପରି ଧରିଥାନ୍ତି, ଦେଖିଲେ ମନେ ହେଉଥାଏ ସତେ ଯେପରି ସେ କନାଖଣ୍ଡିକୁ ମ୍ୟାଟିଙ୍କ ଅଙ୍ଗର ଗୋଟିଏ ଅଂଶ ବୋଲି ଭାବିଛନ୍ତି । ଏଥାନ୍‌ ଦେଖିଲେ, ମ୍ୟାଟିଙ୍କ ମୁହଁ ଈଷତ୍‌ କମ୍ପିଗଲା । କ’ଣ କରୁଛନ୍ତି କିଛି ନ ଭାବି, ଏଥାନ୍‍ ମୁଣ୍ଡ ନୁଆଇଁ ହାତରେ ଧରିଥିବା କନା ଖଣ୍ଡକୁ ଗୋଟିଏ ଚୁମ୍ବନ ଦେଲେ । କନାର ଧଡ଼ିରେ ତାଙ୍କର ଅଧର ଲାଗିଥାଏ, ସେ ଅନୁଭବ କଲେ କନା ଖଣ୍ଡି ତାଙ୍କ ଅଧର ତଳୁ ଆସ୍ତେ ଆସ୍ତେ ଖସି ଯାଉଛି; ମୁଣ୍ଡ ଟେକି ସେ ଦେଖିଲେ ମ୍ୟାଟି ଠିଆ ହୋଇ ନୀରବରେ ପିନ୍‌ ମାରିଦେଲେ ଓ କତୁରୀ ଓ ଅଙ୍ଗୁସ୍ତାନା ଟେବୁଲ୍‌ରୁ ଗୋଟାଇ କନା ସଙ୍ଗେ ସେ ଦୁଇଟି ରଙ୍ଗ ବେରଙ୍ଗ କାଗଜରେ ଗୁଡ଼ିଆ ହୋଇଥିବା ଗୋଟିଏ ବାକ୍‌ସରେ ଥୋଇଲେ । ଏଇ ବାକ୍‌ସଟି ଏଥାନ୍‌ କିଛି ଦିନ ପୂର୍ବେ ମ୍ୟାଟିଙ୍କ ପାଇଁ ବେଟସ୍‌ ବ୍ରିଜରୁ ଆଣି ଦେଇଥିଲେ ।

 

ଏଥାନ୍‌ ବି ଚଉକି ଛାଡ଼ି ଠିଆ ହୋଇ ଅନିଶ୍ଚିଚ ଭାବେ କୋଠରୀଟିର ଚାରିପଟକୁ ଚାହିଁଲେ । ବାସନ ସେଲ୍‌ଫ୍‌ ଉପରେ ଘଣ୍ଟା ଏଗାର ଥର ଟଂଗ ଟଂଗ ଶବ୍ଦ କଲା ।

 

ନମ୍ର ସ୍ୱରରେ ମ୍ୟାଟି ପଚାରିଲେ, ‘‘ଚୁଲିରେ ନିଆଁ ନିରାପଦରେ ଅଛି ତ ?’’

 

ଏଥାନ୍‌ ଚୁଲିର ଦୁଆରଟା ଫିଟାଇ ରଡ଼କୁ ମିଛରେ ଗୁଡ଼ାଏ କେଞ୍ଚା କେଞ୍ଚି କଲେ । ସଳଖ ହୋଇ ଠିଆ ହେବାରୁ ସେ ଦେଖିଲେ ମ୍ୟାଟି, ଭିତରେ କନା ଦିଆ ହୋଇଥିବା କିରାସିନି ପଟା ବାକ୍‌ସଟା ଚୁଲି ଆଡ଼କୁ ଟାଣୁଛନ୍ତି; ବିରାଡ଼ି ରାତିରେ ଏଇ ବାକ୍‌ସରେ ଶୁଏ, ତା’ ପରେ ମ୍ୟାଟି ଘରର ସେ ମୁଣ୍ଡକୁ ଯାଇ ଦୁଇଟା ଜେରାନିଅମ୍‌ ଗାମଲା ଧରି ଘର ଭିତରକୁ ଆଣିଲେ; ଝରକା ପାଖରେ ଶୀତରୁ ସେ ଗୁଡ଼ିକୁ ରକ୍ଷା କରିବା ଦରକାର । ଏଥାନ୍‌ ମ୍ୟାଟିଙ୍କ ପଛେ ପଛେ ଯାଇ ଅବଶିଷ୍ଟ ଜେରାନିଅମ୍‌ ଗାମଲା ଗୁଡ଼ାକ ଭିତରକୁ ଆଣିଲେ । ତା’ ପରେ, ଫଟା ସର ଆଟିକାରେ ଥିବା ହାଇସିନ୍ଥ ଚାରା, ଓ କ୍ରିକେଟ ବଳାରେ ମାଡ଼ିଥିବା ଜର୍ମାନୀ ଦେଶର ଆଇଭି ଲତାଟିକୁ ମଧ୍ୟ ଭିତରକୁ ଆଣିଲେ ।

 

ରାତିରେ ଏ କର୍ତ୍ତବ୍ୟଗୁଡ଼ିକ କରି ସାରିବାପରେ, ଆଉ ମାତ୍ର ବାକି ରହିଲା, ଗଳିରୁ ଟିଣ ବତୀଦାନୀଟା ଆଣି ଲଗାଇ ଦୀପଟା ଲିଭାଇ ଦେବା । ଏଥାନ୍‌ ବତୀଦାନୀଟା ଜାଳି ମ୍ୟାଟିଙ୍କୁ ବଢ଼ାଇ ଦେଲେ ଓ ମ୍ୟାଟି ବତୀ ଧରି ଏଥାନ୍‍ଙ୍କ ଆଗେ ଆଗେ ରୋଷେଇ ଘରୁ ବାହାରିଲେ । ବତୀର ଆଲୁଅରେ ମ୍ୟାଟିଙ୍କ କୃଷ୍ଣ କବରୀ ଚନ୍ଦ୍ର ମଣ୍ଡଳ ଉପରେ ଭାସି ଯାଉଥିବା ପତଳା ମେଘ ପରି ଦିଶୁଥାଏ ।

 

ମ୍ୟାଟି ସିଡ଼ିର ପ୍ରଥମ ପାହାଚରେ ଗୋଡ଼ ଦିଅନ୍ତେ ପଛରୁ ଏଥାନ୍‌ କହିଲେ, ‘‘ରାତି ପାଇଁ ବିଦାୟ ମ୍ୟାଟ୍‌ ।’’

 

ମ୍ୟାଟି ଫେରି ପଡ଼ି ଏଥାନ୍‍କୁ ମୁହୂର୍ତ୍ତେ ଚାହିଁଲେ ଓ ଉତ୍ତର ଦେଲେ, ‘‘ରାତ୍ରି ପାଇଁ ବିଦାୟ, ଏଥାନ୍‌ !’’ ତା’ପରେ ସେ ସିଡ଼ି ଚଢ଼ିଲେ ।

 

ମ୍ୟାଟି ନିଜ ଶୋଇବା ଘର ଭିତରେ ପଶିବା ପରେ ଯେତେବେଳେ ଦୁଆର ଭିତରୁ ବନ୍ଦ ହେଲା ସେତେବେଳେ ଏଥାନ୍‍ଙ୍କର ମନେ ପଡ଼ିଲା ଯେ ସେ ଏତେ ସମୟ ମ୍ୟାଟିଙ୍କ ସଙ୍ଗେ ଏକାଠି ରହି ମଧ୍ୟ ତାଙ୍କ ହାତରେ ଟିକିଏ ହାତ ବି ମାରି ନାହାନ୍ତି ।

 

ଷଷ୍ଠ ପରିଚ୍ଛଦ

 

ତହିଁ ଆରଦିନ ପ୍ରାତଃ ଭୋଜନବେଳେ ଏଥାନ୍‌ ଓ ମ୍ୟାଟିଙ୍କ ମଝିରେ ଆସି ପହଞ୍ଚିଲା ଜୋଥାମ୍‌ ପାଓ୍ୱେଲ୍‌ । ତେଣୁ ଏଥାନ୍‌ ନିଜ ମନ ଭିତରର ଆନନ୍ଦକୁ ଅତି ମାତ୍ରାରେ ଉଦାସୀନତାର ଆବରଣରେ ଲୁଚାଇବାକୁ ଉଦ୍ୟମ କଲେ—ଚଉକିରେ ଆରାମରେ ଆଉଜି କରି ବସି ବିରାଡ଼ି ଆଡ଼କୁ ଖାଦ୍ୟ ଟୁକୁରା ଖଣ୍ଡେ ଖଣ୍ଡେ ଫୋପାଡ଼ିଲେ, ପାଗ ଖରାପ ହେଉଛି ବୋଲି ଗାଉଁ ଗାଉଁ ହେଲା ଓ ମ୍ୟାଟି ଟେବୁଲରୁ ଉଠି ବାସନ କୁସନ ସଫା କରିବାକୁ ନେଲା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ତୁଣ୍ଡରେ ମଧ୍ୟ ପଦେ କହିଲେ ନାହିଁ ।

 

ଏତେ ଅଧିକ ମାତ୍ରାରେ ସେ କାହିଁକି ଯେ ଆନନ୍ଦ ଅନୁଭବ କରୁଥିଲେ ତାହାର କାରଣ ସେ ନିଜେ ବି ଠଉରେଇ ପାରୁନଥାନ୍ତି । ତାଙ୍କର ବା ମ୍ୟାଟିଙ୍କ ଜୀବନରେ କୈଣସି ପରିବର୍ତ୍ତନ ତ କାଲି ହୋଇ ନଥିଲା । ସେ ମ୍ୟାଟିଙ୍କ ଆଙ୍ଗୁଠିର ଅଗ ବି ଛୁଇଁ ନଥିଲେ । ଏପରିକି ସିଧାସଳଖ ତାଙ୍କ ଆଖି ଉପରେ ବି ୟାଙ୍କ ଆଖି ପଡ଼ି ନଥିଲା । ତେବେ କାଲି ରାତିରେ କିଛି ସମୟ ମ୍ୟାଟିଙ୍କ ସାଙ୍ଗେ ଜୀବନ କେଡ଼େ ସୁଖମୟ ହୁଅନ୍ତା ତାହାର ଗୋଟିଏ ଚିତ୍ର ଆଙ୍କି ହୋଇ ଯାଇଥିଲା । ପୁଣି ଆଜି ସକାଳେ ଉଠି ତାଙ୍କ ମନରେ ଆତ୍ମସନ୍ତୋଷ ହୋଇଥାଏ ଯେ, ସେ କାଲି ଏପରି କିଛି କରି ନାହାନ୍ତି, ଯାହାଦ୍ୱାରା ସେ ଚିତ୍ରର ନିର୍ମଳତା ଓ ମାଧୁରିମାରେ ଦାଗ ଲାଗିଥାନ୍ତା । କ’ଣ ପାଇଁ ସେ କାଲି ନିଜକୁ ଏତେ ସଂଯତ ରଖି ପାରିଲେ, ତାହା ମ୍ୟାଟି ବୁଝିଥିବେ ବୋଲି ତାଙ୍କର ଧାରଣା ବି ହେଇଥାଏ ।

 

ଆଉ ଗୋଟିଏ ଗାଡ଼ି କାଠ ଷ୍ଟାର୍କଫିଲ୍‌ଡ୍‍କୁ ନେବାକୁ ଥାଏ । ତେଣୁ ଜୋଥାମ୍‌ ପାଓ୍ୱେଲ୍‌, ଯେ କି ଶୀତ ଦିନେ ନିୟମିତ ଭାବେ ତାଙ୍କ କାମକୁ ଆସେ ନାହିଁ, ସେ ଆଜି ସେଇ କାମରେ ତାଙ୍କୁ ସାହାଯ୍ୟ କରିବାକୁ ଆସିଥାଏ । କିନ୍ତୁ କାଲି ରାତି ବର୍ଷା ସଙ୍ଗେ ତୁଷାର ପଡ଼ିବା ଯୋଗୁଁ, ସଡ଼କରେ ତୁଷାର କାଚପଟା ପରି ବସି ଯାଇଥାଏ । ବାୟୁରେ ଅଦ୍ୟାପି ଜଳୀୟ ବାଷ୍ପ ଭରି ରହିଥାଏ । ପାଓ୍ୱେଲ୍‌ ଓ ସେ, ଦୁହେଁ ଅନୁମାନ କଲେ, ହୁଏତ ଓପରଉଳି ପାଗ ଟିକିଏ ଭଲ ହେବ ଓ ଗାଡ଼ି ଯିବା ସହଜ ହେବା । ତେଣୁ ଏଥାନ୍‌ ତାଙ୍କ ସହକାରୀକୁ ପରାମର୍ଶ ଦେଲେ ଯେ, ସକାଳ ଓଳି ଦୁହେଁ, କାଲି ପରି କାଠଗଡ଼ ଗୁଡ଼ାକ ଗାଡ଼ିରେ ଲଦି ଦେଇ ଆସିବେ ଓ ଉପରଓଳି ଷ୍ଟାର୍କ୍‌ଫିଲ୍‌ଡ୍‍କୁ ଗାଡ଼ି ଛାଡ଼ିବେ । ଏ ଯୋଜନାର ଆଉ ଗୋଟିଏ ଲାଭ ଯେ, ମଧ୍ୟାହ୍ନ ଭୋଜନ ପରେ ଜୋଥାମ୍‌ ଜୀନାଙ୍କୁ ଆଣିବା ପାଇଁ ଷ୍ଟେସନ୍‌ ଯାଇ ପାରିବ ଓ ଗାଡ଼ି ଲଦାହୋଇ ସରିଥିବାରୁ, ସେ ଉପରଓଳି ଏକୁଟିଆ ଗାଡ଼ି ଚଳାଇ ଗାଁକୁ ନେଇ ପାରିବେ ।

 

ଏଥାନ୍‌ ଜୋଥାମ୍‌ଙ୍କୁ ବରାଦ କଲେ ଆଗେ ଯାଇ ଧଳା ଘୋଡ଼ା ଯୋଡ଼ିଙ୍କ ଉପରେ ଲଗାମ ଲଗାଇବାକୁ । ଅଳ୍ପ ସମୟ ପାଇଁ ରୋଷେଇ ଘରେ ମ୍ୟାଟିଙ୍କ ସଙ୍ଗେ ଏକୁଟିଆ ରହିବାର ସୁଯୋଗ ଏଥାନ୍‍ଙ୍କୁ ମିଳିଲା । ସେତେବେଳକୁ ସେ ପ୍ରାତରାଶର ସଂଖୁଡ଼ି ବାସନକୁସନ ନେଇ ଗୋଟିଏ ଟିଣ ଟବରେ ପୂରାଇ ତା’ ଉପରେ ନଇଁ ଧୋଉଥାନ୍ତି; ତାଙ୍କର ସରୁ ସୁତଳ ହାତ ଦୁଇଟି କହୁଣି ପର୍ଯ୍ୟନ୍ତ ଅନାବୃତ ଥାଏ, ଟବ୍‌ର ଗରମ ପାଣିର ବାମ୍ଫ ତାଙ୍କ କପାଳରେ ବାଜିବାରୁ କପାଳରୁ ଟୋପାଟୋପା ଝାଳ ବାହାରୁ ଥାଏ ଏବଂ ତାଙ୍କ ନୁଖୁରା ବାଳକୁ ଓଦା କରି ଲତାର ଆଙ୍କୁଡ଼ି ପରି ଛୋଟ ଛୋଟ ପାଟଳ ମୁଦିଆରେ ପରିଣତ କରୁଥାଏ ।

 

ଏଥାନ୍‌ ତାଙ୍କ ପାଖକୁ ଯାଇ ତାଙ୍କୁ ଚାହିଁ ଠିଆହେଲେ; ତାଙ୍କ ହୃଦୟର ଭାବ ଆସି ତୋଟି ପାଖେ ଥାଏ । ସେ କହିବାକୁ ଚାହୁଥାନ୍ତି, ‘‘ ଆମେ ଆଉ ଏପରି ଏକାନ୍ତ ସଙ୍ଗସୁଖ ପାଇବା ନାହିଁ ।’’ ଏହା କହିବା ପରିବର୍ତ୍ତେ ସେ ରୋଷେଇ ଘର ଟେବୁଲର ଦରାଜରୁ ତାଙ୍କ ଧୂଆଁ ପତ୍ର ମୁଣିଟା ବାହାର କଲେ ଓ ତା’କୁ ପକେଟରେ ପୂରାଇ କହିଲେ, ‘‘ମୋ’ ଆଶା, ମଧ୍ୟାହ୍ନ ଭୋଜନ ବେଳକୁ ମୁଁ ଘରକୁ ଫେରି ପାରିବି ।’’

 

ମ୍ୟାଟି ଉତ୍ତର ଦେଲେ, ‘‘ବହୁତ ଆଚ୍ଛା, ଏଥାନ୍‌’’ । ଘରୁ ବାହାରିଲା ବେଳେ ତାଙ୍କ କାନରେ ବାଜିଲା, ମ୍ୟାଟି ବାସନ ମାଜୁ ମାଜୁ ଗୋଟିଏ ଗୀତରେ ସ୍ୱର ଧରିଛନ୍ତି ।

 

ଗାଡ଼ିରେ କାଠ ଲଦା ହେବା ସାଙ୍ଗେ ସାଙ୍ଗେ, ସେ ବିଚାରିଥିଲେ, ଜୋଥମ୍‌କୁ ଘରକୁ ପଠାଇ ଦେବେ ଓ ନିଜେ ତରତରରେ ଷ୍ଟାର୍କଫିଲ୍‌ଡ୍‍କୁ ଚାଲି କରି ଯାଇ ଆଚାର ଗିନା ଯୋଡ଼ିବା ପାଇଁ ଅଠା କିଣିବେ । ସାଧାରଣ ପରିସ୍ଥିତିରେ ଏ ଯୋଜନା ଅନୁସାରେ କାମ କରିବାକୁ ସମୟ ମିଳିଥାନ୍ତା, କିନ୍ତୁ ଦୁର୍ଯ୍ୟୋଗକୁ ମୂଳରୁ ଅଡ଼ୁଆ ପଶିଲା । କାଠଗଦାକୁ ଯିବାବାଟରେ ଯୋଡ଼ରୁ ଗୋଟାଏ ଘୋଡ଼ାର ଖସଡ଼ା ତୁଷାରରେ ଗୋଡ଼ ଖସିଲା ଯେ ଆଣ୍ଠୁ ଛିଡ଼ିଗଲା । ଘୋଡ଼ାକୁ ଠିଆ କରି ସାଷ୍ଟାମ କଲା ପରେ ଜୋଥାମ୍‌କୁ ଘରକୁ ଧାଇଁବାକୁ ହେଲା ଖଣ୍ଡେ କନା ଆଣିବାକୁ, ଘୋଡ଼ାର ଘାରେ ବାନ୍ଧିବା ସକାଶେ । ତା’ ପରେ, କାଠ ବୋଝେଇ କରିବାକୁ; ଅବଶେଷରେ ଯେତେବେଳେ ଆରମ୍ଭ କଲେ, ସେତିକି ବେଳକୁ ପୁଣି ଆସିଲା ବର୍ଷା ଓ ତୁଷାରପାତ । କାଠଗଡ଼ଗୁଡ଼ାକ ଏପରି ପିଚ୍ଛିଳ ହୋଇଗଲା ଯେ ସେ ଗୁଡ଼ାକ ଟେକି ଗାଡ଼ିରେ ଲଦିବାକୁ ସାଧାରଣତଃ ଯେତିକି ସମୟ ଲାଗିଥାନ୍ତି ତା’ର ଦୋହରା ସମୟ ଲାଗିଲା । ଜୋଥାମ୍‌ ଯଥାର୍ଥ କହିଲା, କାମ ପାଇଁ ଏ ସକାଳଟା ବଡ଼ ଗନ୍ଧିଆ ସମୟ । ଘୋଡ଼ା ଦୁଇଟା ଶୀତରେ ଥୁରୁ ଥୁରୁ ହେଇ ଓ ପିଠିରେ ପଡ଼ିଥିବା ଓଦା କମ୍ବଳକୁ ଦେହରୁ ଖସାଇବା ସକାଶେ କୁଦି ଚକଟି ହୋଇ ଯେମିତି ହେଲେ, ଜଣା ଯାଉଥାଏ ମଣିଷଙ୍କୁ ଯେମିତି ବ୍ୟସ୍ତ ଲାକୁଥାଏ, ତାଙ୍କୁ ବି ସେମିତି ଲାଗୁଛି । କାଠଲଦା କାମ ସରିଲା ବେଳକୁ ମଧ୍ୟାହ୍ନ ଭୋଜନର ସମୟ ଗୁଡ଼ାଏ ଗଡ଼ି ଗଲାଣି । ଘାଉଡ଼ ଘୋଡ଼ାଟାକୁ ନିଜେ ଘରକୁ ଚଳାଇ ନେଇ ତା’ଘା’କୁ ନିଜେ ଧୋଇ ଔଷଧ ଲଗାଇବାକୁ ବିଚାରିବାରୁ ଏଥାନ୍‌ ବାଧ୍ୟ ହୋଇ ଅଠା ପାଇଁ ଗାଁ ଭିତରକୁ ଯିବା ବିଚାର ଛାଡ଼ି ଘରକୁ ଫେରିଲେ ।

 

ସେ ବିଚାର କଲେ ଯେ ଖାଇବା ସାଙ୍ଗେ ସାଙ୍ଗେ ଗାଡ଼ି ନେଇ ଷ୍ଟାର୍କଫିଲ୍‌ଡ୍‍କୁ ବାହାରିବେ ସେ ଏବଂ ଜୋଥାମ୍‌ ଓ ବୁଢ଼ା ଘୋଡ଼ା ଷ୍ଟେସନ୍‌ରୁ ଜୀନାଙ୍କୁ ଘେନି ଘରକୁ ଫେରିବା ପୂର୍ବରୁ, ସେ କାଠ ଉଗାଳି, ଅଠା ଘେନି, ଘରକୁ ଫେରି ଆସି ପାରିବେ ।

 

କିନ୍ତୁ ୟେ ଆଶା ମୂଳରେ ବି ବହୁତ ଅନ୍ତରାୟ ! ଷ୍ଟାର୍କଫିଲ୍‌ଡ୍‍ ସଡ଼କର ଅବସ୍ଥା ଭଲ ଥିବ, ଏଣେ ବେଟ୍‌ସ୍‌ ବ୍ରିଜ୍‌ରୁ ଆସୁଥିବା ରେଳର ବିଳମ୍ୱ ହେବ, ତେବେ ଯାଇ ତାଙ୍କ ବିଚାର ଅନୁସାରେ କାମ ହୋଇପାରିବ, ନହେଲେ ହେବାର ଆଶା ଖୁବ୍‌ କମ୍‌ । ପରେ ତାଙ୍କୁ ଆତ୍ମଗ୍ଲାନିର ନିର୍ମମ ଅନୁଭୂତି ସହିତ ମନେ ପକାଇବାକୁ ପଡ଼ିଲା; କେଡ଼େ ପିଲାଳିଆ ଢଙ୍ଗରେ ସେ ସବୁ ସମ୍ଭାବନା ନିଜର ଅନୁକୂଳ ହେବ ବୋଲି ଧାରି ନେଇଥିଲେ ।

 

ଖାଇ ସାରିବା ମାତ୍ରେ ସେ କାଠ ପାଖକୁ ଚାଲିଲେ; ଜୋଥାମ୍‌ ପାଓ୍ୱେଲ୍‌ ଷ୍ଟେସନ୍‌କୁ ବାହାରିବା ଯାଏଁ ଡେରି କରିବାକୁ ଭରସା ପାଇଲା ନାହିଁ । ଏଥାନ୍‌ ବାହାରିଲା ବେଳକୁ ପାଓ୍ୱେଲ୍‌ ତା’ ଓଦା ଗୋଡ଼କୁ ଚୁଲିରେ ସେକୁ ଥାଏ । ଏଥାନ୍‌ ମ୍ୟାଟିଙ୍କ ଆଡ଼େ ମୁହୂର୍ତ୍ତେ ଆଖି ପକାଇ ଦେଇ ଚୁପ୍‌ଚୁପ୍‌ କରି କହିଗଲେ, ‘‘ମୁଁ ଶୀଘ୍ର ଫେରିବି’’ ।

 

ଏଥାନ୍‌ ଅନୁମାନ କରିନେଲେ ଯେ ମ୍ୟାଟି ମୁଣ୍ଡ ହଲାଇ ସମ୍ମତି ଜଣାଉଛନ୍ତି । ସେଇ କ୍ଷୀଣ ଆଶ୍ୱାସନାକୁ ସମ୍ୱଳ କରି ସେ ବର୍ଷା ପାଣିରେ କାଠ ଗୋଲା ଆଡ଼କୁ ମାଡ଼ି ଚାଲିଲେ ।

 

ଏଥାନ୍‌ କାଠ ଗାଡ଼ି ଧରି ଷ୍ଟାର୍କଫିଲ୍‌ଡ୍‍ ରାସ୍ତାରେ ଅଧବାଟ ଯାଇଛନ୍ତି, ପଛରୁ ଜୋଥାମ୍‌ ପାଓ୍ୱେଲ୍‌ ତାଙ୍କ ସଙ୍ଗେ ମିଶିଲେ, ବୁଢ଼ା ଘୋଡ଼ାଟାକୁ ସେ ପାରୁ ପର୍ଯ୍ୟନ୍ତ ଚଳାଉଥାନ୍ତି ଠିକ୍‌ ସମୟରେ ଷ୍ଟେସନ୍‌ରେ ପହଞ୍ଚିବାକୁ । ସ୍କୁଲ ପାହାଡ଼ର ଗଡ଼ାଣିରେ ଜୋଥାମ୍‌ ପାଓ୍ୱେଲ୍‌ଙ୍କ ଫିଟନ୍‌ ତାଙ୍କୁ ଟପି ଯାଇ ଅଦୃଶ୍ୟ ହେବାର ଦେଖି ଏଥାନ୍‌ ମନେ ମନେ ବିଚାରିଲେ, ‘ଅଠା ନେଇ ଯଥା ସମୟରେ ଘରକୁ ଫେରିବାକୁ ହେଲେ ମୋତେ ଖୁବ୍‌ ତରବର ହେବାକୁ ପଡ଼ିବ’’ । ଗୋଟାକ ଦଶଟା ହୋଇ ସେ କାଠ ଉଗାଳିଲେ ଓ ସେ କାମ ସରିବାମାତ୍ରେ ଅଠାପାଇଁ ଧାଇଁଲେ ମାଇକେଲ୍ ଇଡ଼ିଙ୍କ ଦୋକାନକୁ । ମାଇକେଲ୍‌ ଓ ତାଙ୍କ ସହକାରୀ ଆର ସାଇକୁ ଯାଇଥାନ୍ତି । ଦୋକାନରେ ଥାଏ ଟୋକା ଡେନିସ୍‌ । ସେ କାମରେ କ୍ୱଚିତ୍‌ ମନ ଦିଏ । ଏଥାନ୍‌ ପହଞ୍ଚିଲା ବେଳକୁ ସେ ଷ୍ଟାର୍କଫିଲ୍‌ଡ୍‍ର ସୈାଖିନ୍‌ ଟେକି ଦଳେ ଧରି ଚୁଲି ପାଖେ ଆଡ଼ା ମାରୁଥାଏ । ସମସ୍ତେ ଥଟ୍ଟା କଲା ପରି ଏଥାନ୍‍ଙ୍କୁ ସ୍ୱାଗତ କଲେ ଓ ମଉଜ କରିବାକୁ ଡାକିଲେ । କିନ୍ତୁ ଅଠା କେଉଠିଁ ଅଛି କାହାକୁ ଜଣକୁ ବି ମାଲୁମ୍‌ ନଥାଏ । ମ୍ୟାଟିଙ୍କ ସଙ୍ଗେ ଶେଷରେ ମୁହୂର୍ତ୍ତେ ଏକାନ୍ତରେ କଟାଇବାକୁ ମନେ ମନେ ବ୍ୟାକୁଳ ହେଉଥିବା ଏଥାନ୍‌ ବଡ଼ ଅଧୀର ଭାବେ ଠିଆ ହୋଇ ରହିଥାନ୍ତି । ଡେନିସ୍‌ ଦୋକାନର ଅନ୍ଦି କନ୍ଦି ଖୋଜି ଅଠା ନାଇଁ ବୋଲି ଶୁଣାଇ ଦେଲେ ।

 

‘‘ବୋଧହୁଏ ଦୋକାନରୁ ସବୁତକ ଅଠା ବିକ୍ରୀ ହୋଇ ଯାଇଛି । ଯଦି ବୁଢ଼ା ଆସିବା ଯାଏଁ ତୁମେ ଟିକିଏ ଅପେକ୍ଷା କରିବ, ହୁଏତ ସେ ଖୋଜା ଖୋଜି କରି ଶିଶିଟାଏ ବାହାର କରି ପାରନ୍ତି’’ ।

 

ଏଥାନ୍‌ ଉତ୍ତର ଦେଲେ, ‘‘ମୋ ପାଇଁ ଖୁବ୍‌ ଧନ୍ଦି ହେଲେ, ଧନ୍ୟବାଦ । ଯାଉଛି ଦେଖିବି-। ମିସେସ୍‌ ହୋମାନ୍‌ଙ୍କ ଦୋକାନରେ ମିଳିପାରେ ।’’ କିମିତି ବେଗେ ଯିବେ ବୋଲି ସେ ଛଟପଟ ହେଉଥାନ୍ତି ।

 

ବେପାରୀ ବୁଦ୍ଧୀରେ ଡେନିସ୍‌ ରାଏ ଦେଲେ ଯେ, ଇଡ଼ି ଦୋକାନରେ ଯାହା ନ ମିଳୁଛି, ତାହା ରାଣ୍ଡ ହୋମାନ୍‌ର ଦୋକାନରେ ମିଳିବା ଅସମ୍ଭବ । କିନ୍ତୁ ଏଥାନ୍‌, ଏ ବାହାଦୁରିକୁ କାନ ନ ଦେଇ, ଗାଡ଼ିରେ ବସି ପ୍ରତିହନ୍ଦୀ ଦୋକାନ ଆଡ଼େ ଘୋଡ଼ାକୁ ହଙ୍କାଇ ଦେଇ ସାରିଥାନ୍ତି । ହୋମାନଙ୍କ ଦୋକନରେ ଖୁବ୍‌ ଖୋଜା ଖୋଜି ଚାଲିଲା; ଖୋଜୁ ଖୋଜୁ ହୋମାନ୍‌, ପୂର୍ଣ୍ଣ ସହାନୁଭୂତିରେ ପଚାରୁଥାନ୍ତି, ଅଠା କାହିଁକି ଲୋଡ଼ା; ଯଦି ନ ମିଳେ ମଇଦା ମଣ୍ଡରେ କାମ ଚଳିବ ନା ନାଇଁ ? ବହୁତ ଖୋଜା ଖୋଜି ପରେ ମିସେସ୍ ହୋମାନ୍‌, କଫ ମିଠେଇ, ଜାମାଫିତା ପ୍ରଭୁତି ହରେକ ରକମ ଅଗଡ଼ଂ ବଗଡ଼ଂ ଜିନିସ ଭିତରେ ଆତ୍ମଗୋପନ କରିଥିବା ଦୋକନର ଏକମାତ୍ର ଅଠା ଶିଶିକୁ ବାହାର କଲେ ।

 

ଅଠା ଶିଶିଟି ପାଇ ଘୋଡ଼ାକୁ ଘରମୁହଁ ତଡ଼ିଲା ବେଳେ ମିସେସ୍‌ ହୋମାନ୍‌ ଏଥାନ୍‍ଙ୍କୁ ପଛରୁ ଡାକି କହିଲେ, ‘‘ଅଠା କ’ଣ ପାଇଁ ଦରକାର ତ କହିଲେ ନାହିଁ ? ମୋର ଆଶା, ଖୁବ୍‌ ଆଦର କରୁଥିବା କୈାଣସି କାଚ ଜିନିସକୁ ଜୀନା ଅସାବଧାନରେ ଭାଙ୍ଗି ନାହାନ୍ତି ।’’

 

ଆଗେ ଘଡ଼ିକେ ପହରକେ ତୁଷାର ପାତ ସଙ୍ଗେ ବର୍ଷା କଚାଡ଼ୁ ଥାଏ; ଗାଡ଼ି ବୋଝେଇ ନ ହୋଇଥିଲେ ବି ଏ ବର୍ଷାରେ ଚାଲିବାକୁ ଘୋଡ଼ାଙ୍କୁ ଭାରି କଷ୍ଟ ହେଉଥାଏ । ପଛରୁ ସ୍ଲେଜ୍‌ଗାଡ଼ିର ଘଣ୍ଟି ଶବ୍ଦ ଶୁଣି ଏଥାନ୍‌ ଥରେ ଦୁଇଥର ପଛକୁ ଚାହିଁଥିଲେ; ତାଙ୍କର ଭୟ ହେଉଥାଏ ଯେ ହୁଏତ ଜୀନା ଓ ଜୋଥାମ୍‌ ଷ୍ଟେସନ୍‌ରୁ ଫେରି ତାଙ୍କୁ ଟପି ଆଗେଇ ଚାଲିଯିବେ । କିନ୍ତୁ ବୁଢ଼ା ଘୋଡ଼ାର ଦେଖା ଦର୍ଶନ ନଥାଏ । ତଥାପି ଏଥାନ୍‌ ବର୍ଷା ମୁହଁରେ, ପାରୁପର୍ଯ୍ୟନ୍ତ ଲାଗି, ତାଙ୍କର ଗଣ୍ଡିଅଳ ଘୋଡ଼ା ଦୁଇଟାଙ୍କୁ ଆଗକୁ ତଡ଼ୁଥାନ୍ତି ।

 

ଗାଡ଼ି ଫିଟାଇ ଘୋଡ଼ାଙ୍କୁ ଘୋଡ଼ାଶାଳରେ ପୂରାଇଲାବେଳେ ଏଥାନ୍‌ ଦେଖିଲେ ତାହା ଖାଲି ଅଛି । ଜୀନା ଫେରି ନାହାନ୍ତି ବୋଲି ଜାଣି ସେ ଆଶ୍ୱସ୍ତ ହେଲେ ଓ ଓପର ଠଉରିଆ ଭାବରେ ଘୋଡ଼ାଙ୍କର ଯତ୍ନ ନେଇ (ଏଭଳି ଅବହେଳା ଏଥାନ୍‍ଙ୍କଠାରୁ ଘୋଡ଼ା ଦୁଇଟି କେଭେଁ ପାଇନଥିଲେ) ସେ ଦ୍ରୁତ ପଦରେ ଘର ଆଡ଼କୁ ଯାଇ ରୋଷେଇଘରର ଦ୍ୱାରଟା ଜୋରରେ ଠେଲି ମେଲାଇ ଦେଲେ ।

 

ମ୍ୟାଟି ରୋଷେଇ ଘରେ ଏକଲା ଥାନ୍ତି; ଏଥାନ୍‌ ସେଇଆ କଳ୍ପନା କରିଥିଲେ । ସେ ଚୁଲି ଉପରେ ବସିଥିବା ଗୋଟିଏ କଡ଼େଇ ଉପରେ ନଇଁ କ’ଣ ରାନ୍ଧୁଥାନ୍ତି । ଏଥାନ୍‍ଙ୍କ ପଦ ଶବ୍ଦ ଶୁଣିବାମାତ୍ରେ ସେ ଚମକିପଡ଼ି ତାଙ୍କ ପାଖକୁ ଧାଇଁ ଆସିଲେ ।

 

ଏଥାନ୍‌ ଧୀର ଭାବେ ତାଙ୍କୁ ଆଗରୁ ଆଡ଼େଇ ଅଠା ବୋତଲଟା ତାଙ୍କ ଆଗରେ ହଲାଇ ହଲାଇ କହିଲେ, ‘‘ହେଇଟି, ଗୋଟାଏ ଜିନିସ ଆଣିଛି, କାଚ ଗିନାଟା ନୂଆ କରିଦେବା ପାଇଁ ।’’ ମ୍ୟାଟି କିନ୍ତୁ ତାଙ୍କ କଥା ଶୁଣିଲା ପରି ବୋଧ ହେଲା ନାହିଁ ।

 

ମ୍ୟାଟି ଏଥାନ୍‍ଙ୍କ କାମିଜ-ହତା ଧରି ଟାଣି ଦେଲେ ଓ ଫୁସ୍ ଫୁସ୍ କରି କହିଲେ,‘‘ଚୁପ୍ ହୁଅ, ଏଥାନ୍ —ଜୀନା ଆସି ସାରିଲେଣି’’ ।

 

ଦୁହେଁ ନୀରବରେ ଠିଆ ହୋଇ ପରସ୍ପରକୁ ଚାହିଁଲେ; ଦୁହେଁ ଦିଶୁଥାନ୍ତି ଅପରାଧି ପରି ।

 

ଏଥାନ୍ ଖନି ମାରିଗଲା ପରି କହିଲେ, ‘‘କିନ୍ତୁ ଘୋଡ଼ାଶାଳରେ ତ ବୁଢ଼ା ଘୋଡ଼ା ନାହିଁ-?’’

 

‘‘ଜୋଥାମ୍ ପାୱେଲ୍ ତାଙ୍କ ଘର ପାଇଁ କେତେକ ଜିନିଷ ଷ୍ଟେସନରୁ କିଣିଥିଲେ; ତାଙ୍କ ଘରେ ରଖି ଆସିବାକୁ ସେ ବଗିଟା ତାଙ୍କ ଦୁଆରକୁ ନେଇଛନ୍ତି ।’’

 

ଏଥାନ୍ ଉଦାସ ଭାବରେ ରୋଷେଇ ଘରର ଚାରି ଆଡ଼କୁ ଚାହିଁଲେ । ଶୀତ ଦିନର ପ୍ରଦୋଷରେ ତାହା ଅତି ଥଣ୍ଡା ଲାଗୁଥାଏ ଓ ଅପରଛନିଆ ଦିଶୁଥାଏ ।

 

ସ୍ୱର କମାଇ, ମ୍ୟାଟିଙ୍କ ଫୁସ୍‍ ଫୁସ୍ ସଙ୍ଗେ ଯୋଡ଼ ଦେଇ ସେ ପଚାରିଲେ, ‘‘ଜୀନାଙ୍କର ଅବସ୍ଥା କିପରି ?’’

 

ମ୍ୟାଟି ଏଥାନ୍‍ଙ୍କ ଆଡ଼ୁ ମୁହଁ ଫେରାଇ ନେଇ ଅନିଶ୍ଚିତ ଭାବେ ଉତ୍ତର ଦେଲେ,‘‘ମୁଁ କିଛି ଜାଣିପାରୁ ନାହିଁ, ସେ ତ ସିଧା ତାଙ୍କ ନିଜ ଶୋଇବା ଘରକୁ ଉଠିଗଲେ ।’’

 

‘‘ଗଲାବେଳେ କିଛି କହିଲେ ନାହିଁ ।’’

 

‘‘ନା ।’’

 

ଏଥାନ୍ କ୍ଷୀଣ ସ୍ୱରରେ ଗୋଟାଏ ସିଟି ମାରି ତାଙ୍କ ମନର ସଂଶୟ ପ୍ରକାଶ କଲେ ଓ ଅଠା ଶିଶିଟା ପୁଣି ପକେଟରେ ପୁରାଇ ଦେଲେ; ମ୍ୟାଟିଙ୍କୁ କହିଁଲେ,‘‘ତୁମେ ବ୍ୟସ୍ତ ହୁଅ ନାହିଁ । ମୁଁ ରାତିରେ ଆସି ଗିନାଟାକୁ ଠିକ୍ କରିଦେବି ।’’ ସେ ଓଦା କୋଟଟା ପୁଣି ଦେହରେ ଗଳାଇ ଧୋବଲା ଯୋଡ଼ିଙ୍କୁ ଦାନା ଦେବା ନିମନ୍ତେ ଘୋଡ଼ାଶାଳକୁ ଫେରିଲେ ।

 

ଏଥାନ୍ ସେଇଠାରେ ଥାନ୍ତି, ଏଇ ସମୟରେ ଜୋଥାମ ସ୍ଲେଜ ଗାଡ଼ିଟା ହଙ୍କେଇ ଫରିଲେ । ତିନିଟା ଯାକ ଘୋଡ଼ାଙ୍କର ହେପାଜତ ନିଆ ହେବା ପରେ ଏଥାନ୍ ଜୋଥାମକୁ କହିଲେ, ‘‘ତୁମେ ବି ଆସ, କ’ଣ ଦିଟା ଖାଇ ଦେବା ।’’ ଏଥାନ୍ ଆଗ୍ରହରେ ଜୋଥାମକୁ ନିମନ୍ତ୍ରଣ କରୁଥାନ୍ତି; ତାଙ୍କ ମନରେ ଅଭିସନ୍ଧି ଥାଏ । ସେ ଜାଣନ୍ତି, ଜୀନା ଏଭଳି ଗ୍ରସ୍ତରୁ ଫେରିଲେ ଟିକକ କଥାରେ ଚିଡ଼ିଚିଡ଼ି ହୁଅନ୍ତି, ଖାଇବା ଟେବୁଲରେ ଜୋଥାମ ବସିଥିଲେ ତାଙ୍କ ପ୍ରକୃତି ଟିକିଏ ଥଣ୍ଡା ପଡ଼ିବ । ସେଇ ଆଶାରେ ସେ ଜୋଥାମକୁ ଡାକୁଥାନ୍ତି, କିନ୍ତୁ ମୂଲିଆ ମୁଣ୍ଡ, ମଜୁରି ବାହାରେ ଓପରି ବକ୍ତେ ପାଇବାକୁ ସତେ ଆଗ୍ରହୀ ଥିଲେ ହେଁ, ଆଜି ସ୍ୱଭାବତ ଚୁପ୍ ତୁଣ୍ଡ ଫିଟାଇ ଧୀର ଗଳାରେ କହିଲା ‘‘ଆପଣଙ୍କ ଅନୁଗ୍ରହ କେଭେଁ ପାଶୋରିବି ନାହିଁ, କିନ୍ତୁ ଆଜି ମୋତେ ଏଇଛୁଣି ଘରକୁ ଫେରିବାକୁ ହେବ ।’’

 

ଏଥାନ୍ ଆଶ୍ଚର୍ଯ୍ୟ ହୋଇ ଜୋଥାମ୍‍ ଆଡ଼କୁ ଚାହିଁ କହିଲେ, ‘‘ନାହିଁ କରୁଚ କାହିଁକି ? ଆସ, ରୋଷେଇ ଘରେ ଲୁଗାପଟା ଶୁଖାଇ ଦିଅ । ଜଣାପଡ଼ୁଛି, ଗରମ ଜିନିଷ କିଛି ଖାଇବାକୁ ମିଳିବ ।’’

 

ଏ ଅନୁରୋଧରେ ଜୋଥାମଙ୍କର ମୁହଁ ଚଙ୍କିଲା ତାହିଁ, ତା’ର ଭାଷା ଜ୍ଞାନ ସୀମାବଦ୍ଧ ଥିବାରୁ ସେ ପୂର୍ବ କଥାର ପୁନାରବୃତ୍ତି କଲା ମାତ୍ର’’ ଆଜି ମୋତେ ଏଇଛୁଣି ଘରକୁ ଫେରିବାକୁ ପଡ଼ିବ ।’’

 

Unknown

ଜୋଥାମର ବିନାମୂଲ୍ୟେ ଭୋଜନ ଓ ଉଷୁମର ଏଭଳି ଦୃଢ଼ ପ୍ରତ୍ୟାଖ୍ୟାନ ଶୁଣି ଏମାନଙ୍କର ମନ କେମିତି ହେଲା; ସେ ନିକଟ ଭବିଷ୍ୟତରେ ବିପଦ ପଡ଼ିବ ବୋଲି ଆଶଙ୍କା କଲେ-। ଫେରିବା ବାଟରେ ଏପରି କ’ଣ ଘଟିବାରୁ ଜୋଥାମ ମନରେ ଏଭଳି ବୌରାଗ୍ୟ ଜାତ ହୋଇଛି ସେ କଳ୍ପନା କରି ପାରିଲେ ନାହିଁ । ହୁଏତ ଜୀନା ଯେଁଉ ନୂଆ ଡାକ୍ତରଙ୍କୁ ଦେଖିବାକୁ ଯାଇଥିଲେ, ତାଙ୍କ ସଙ୍ଗେ ଦେଖା ହେଲା ନାହିଁ, କିମ୍ୱା ଡାକ୍ତର ଯେଁଉ ପରାମର୍ଶ ଦେଲେ ତାହା ଜୀନାଙ୍କ ମନକୁ ପାଇ ନାହିଁ । ଏଥାନ୍ ଜାଣନ୍ତି, ଏଭଳି ଅବସ୍ଥାରେ, ଜୀନାଙ୍କ ହାବୁଡ଼େ ପ୍ରଥମ ହୋଇ ଯେ ପଡ଼ନ୍ତି, ତାଙ୍କୁ ନିଜର ସମସ୍ତ ଦୁଃଖ ଯନ୍ତ୍ରଣାର କାରଣ ବୋଲି ପ୍ରାୟ ଧରି ନିଅନ୍ତି ।

 

ଖଳାଘରୁ ଫେରି ରୋଷେଇ ଘରେ ପଶି ସେ ଦେଖିଲେ, କାଲି ରାତିରେ ରୋଷେଇଘର ଯେପରି ସୁଖସ୍ଵାଚ୍ଛନ୍ଦ୍ୟରେ ଚକଚକ କରୁଥିଲା, ଆଜି ବି ଦୀପ ଆଲୁଅରେ ସେଇପରି ଦିଶୁଛି । କାଲିପରି ଯତ୍ନରେ ଟେବୁଲ ସଜା ହୋଇଥାଏ, ଚୁଲିରେ ନିଆଁ କାଲି ପରି ଡହଡ଼ହ ହେଉଥାଏ; ବିରାଡ଼ିଟା ଚୁଲି ମୁଣ୍ତେ ଉଷୁମ ଟାଣି ଢୁଳାଉ ଥାଏ; ମ୍ୟାଟି କାଲିପରି ମଇଦା ଗାଣ୍ଠିଆ ଧାଳିଏ ଧରି ଟେବୁଲ ପାଖକୁ ଯାଉଥାନ୍ତି ।

 

ମ୍ୟାଟି ଓ ଏଥାନ୍ ନୀରବରେ ପରସ୍ପରକୁ ଚାହାଁଚାହିଁ ହେଲେ । ଟିକକପରେ, ଠିକ୍ କାଲି ରାତି ପରି, ମ୍ୟାଟି କହିଲେ, ‘‘ଖାଇବା ବେଳ ହୋଇଗଲାଣି ପରା ।’’

 

ସପ୍ତମ ପରିଚ୍ଛଦ

 

ଏଥାନ୍, ନିଜର ଓଦା ପୋଷାକ ଟାଙ୍ଗି ଦେବାପାଇଁ କନ୍ଦିଘରକୁ ଗଲେ । ଜୀନାଙ୍କ ପାଦ ଶବ୍ଦକୁ ସେ କାନ ଡେରିଲେ । ତାହା ନ ଶୁଣି ସେ ସିଡ଼ିମୂଳେ ଠିଆହୋଇ ନାମ ଧରି ତାଙ୍କୁ ଡାକିଲେ-। କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ମୂହୁର୍ତ୍ତେ ଥତମତ ହୋଇ ସେ ସିଡ଼ି ଚଢ଼ି ଉପରକୁ ଗଲେ ଓ ଶୋଇବା ଘରର ଦୁଆର ଖୋଲିଲେ । ଘରଟା ଅନ୍ଧାରିଆ ହୋଇଥାଏ କହିଲେ ଚଳେ । ସେଇ ଅନ୍ଧାର ଭିତରେ ସେ ଦେଖିଲେ । ଝରକା ପାଖେ ଜୀନା ଠେଙ୍ଗାପରି ସିଧା ହୋଇ ବସିଛନ୍ତି-। ଝରକା ଦୁଆର ବାଟେ ତାଙ୍କ ଶରୀରର ଯେଉଁ ସଳଖ ରୂପ ଦିଶୁଥାଏ ତାହା ଦେଖି ଏଥାନ୍ ବାରିଲେ, ଜୀନା ଯେଉଁ ପୋଷାକ ପିନ୍ଧି ଆସିଥିଲେ, ତାକୁ ଏପର୍ଯ୍ୟନ୍ତ ବଦଳି ନାହାନ୍ତି-

 

ଏରୁଣ୍ଡି ପାଖୁ ସେ ଭରସି କରି ଡାକିଲେ, ‘‘ୟେ କ’ଣ, ଜୀନା !’’ ତଥାପି ଜୀନା ଚଙ୍କିଲେ ନାହିଁ । ଏଥାନ୍ ପୁଣି କହିଲେ, ‘‘ରାତ୍ରି ଭୋଜନ ପ୍ରାୟ ତିଆରି ହୋଇଗଲାଣି । ତୁମେ ତଳକୁ ଆସିବ ନାଇଁ, କି ?’’

 

ଏଥର ଜୀନା ଉତ୍ତର ଦେଲା, ‘‘ଗୁଣ୍ଡାଏ ବି ଛୁଇଁବାକୁ ମୋର ସ୍ପୃହା ହେଉନାହିଁ ।’’

 

ୟେ ତ ଗତାନୁଗତିକ ପଦ୍ଧତି । ପୂର୍ବ ଅଭିଜ୍ଞତାରୁ ସେ ଆଶା କଲେ, ୟା ପରେ ସେ ଉଠିବେ ଓ ରାତ୍ରି ଭୋଜନ ପାଇଁ ରୋଷେଇଘରକୁ ଓହ୍ଲାଇବେ । କିନ୍ତୁ ବିଚିତ୍ର କଥା, ସେ ସେଇମିତି ବସି ରହିଲେ । ଏପରି ଅବସ୍ଥାରେ, ‘‘ବୋଧହୁଏ ଏତେଗୁଡ଼ାଏ ବାଟ ତୁମେ ରେଳରେ ଓ ବଗିରେ ଧକଚକ, ହୋଇ ଆସିଥିବାରୁ ହାଲିଆ ହୋଇ ‘‘ଯାଇଛ’’ ବୋଲି କହିବା ବ୍ୟତୀତ ଜୀନାଙ୍କୁ ପ୍ରୀତ କରିବାକୁ ଆଉ ଅଧିକ କିଛି କୁହାଯାଇପାରେ ବୋଲି ବିଚାରି ଏଥାନ୍ ତାହାହିଁ କହିଲେ ।

 

ଏ କଥା ଶୁଣି ଜୀନା ମୁହଁ ବୁଲାଇଲେ ଓ ଗମ୍ଭୀର ଭାବେ କହିଲେ, ‘‘ମୋର ଅବସ୍ଥା ଯେଡ଼େ ଖରାପ ବୋଲି ତୁମେ ବିଚାରିଛ, ତହିଁରୁ ଢେର୍ ଅଧିକ ଖରାପ ।’’

 

ଜୀନାଙ୍କ କଥା ଶୁଣି ସେ ବିସ୍ମୟର ଏକ ଚମକ ଅନୁଭବ କଲେ । ଜୀନା ଏହିପରି କହିବାର ସେ ପୂର୍ବେ ବହୁବାର ଶୁଣିଛନ୍ତି । ଏ କଥା ସତ୍ୟରେ ପରିଣତ ହେଲା ।

 

ସେ ଅନ୍ଧାରୁଆ କୋଠରୀ ଭିତରକୁ ପାଦେ ଦି’ପାଦ ଆଗେଇ ଯାଇ ସମବେଦନା ମିଶା ସ୍ୱରରେ କହିଲେ, ‘‘ନା, ଜୀନା, ମୋ’ର ବିଶ୍ୱାସ, ଏକଥା ସତ ନୁହଁ’’ ।

 

ସଞ୍ଜବେଳର ମୁହଁ ଅନ୍ଧାରରେ ସେ ନିଜର ଶୀର୍ଣ୍ଣ ପ୍ରଭୁତ୍ୱବ୍ୟଞ୍ଜକ ଚାହାଣୀରେ ଏଥାନ୍‍ଙ୍କ ଆଡ଼କୁ ଚାହିଁ ରହିଲେ । ତାଙ୍କୁ ଦେଖି ମନେ ହେଉଥିଲା ବିଧି ଯେପରି ତାଙ୍କୁ ଏହି ଅଧିକାର ଖଟାଇବାକୁ ଜନ୍ମ ଦେଇଛି । ଶେଷରେ କହିଲେ, ‘‘ମୋର ରୋଗରେ ଗୁଡ଼ାଏ ଜଟିଳତା ଦେଖାଗଲାଣି ।’’

 

ଏଥାନ୍‍ ଜାଣନ୍ତି,ଏ ଜଟିଳତା ଶବ୍ଦଟା ଅସାଧାରଣ ଅବସ୍ଥାକୁ ସୂଚାଏ । ପାଖ ଆଖର ସମସ୍ତଙ୍କର କୌଣସି ନା କୌଣସି ରୋଗ ବିରାଗ ଲାଗି ରହିଛି, ଏ ରୋଗ ନିର୍ଦ୍ଧିଷ୍ଟ ଅଙ୍ଗରେ ଆବଦ୍ଧ ଓ ଏହାର ଲକ୍ଷ୍ୟଣ ମଧ୍ୟ ନିର୍ଦ୍ଧିଷ୍ଟ । କିନ୍ତୁ ଅଳ୍ପ କେତେଜଣଙ୍କ ରୋଗରେ ଏ ଜଟିଳତା ପଶେ । ଜଟିଳତା ପଶିଲେ ରୋଗୀ ପଚାଶ ଜଣଙ୍କ ଭିତରୁ ବାହାରକୁ ବାହାରି ପଡ଼େ, ଏବଂ ଗୋଟିଏ ବିଶେଷ ଦୃଷ୍ଟି ଆକର୍ଷଣ କରେ କିନ୍ତୁ ରୋଗରେ ଜଟିଳତା ଅର୍ଜିଥିବା ଲୋକ ମଣିଷଙ୍କ ଦୃଷ୍ଟି ଆକର୍ଷଣ କରୁ କରୁ ଅନେକ ସମୟରେ ଯମରାଜଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଲୋକେ ରୋଗ ଧରି ବର୍ଷ ବର୍ଷ ଘାଣ୍ଟି ହୁଅନ୍ତି, କିନ୍ତୁ ରୋଗରେ ଜଟିଳତା ପଶିଲା ତ ଆର ପୂରକୁ ଡାକରା ଆସିଲା ଜାଣ ।

 

ଏଥାନ୍‍ଙ୍କ ହୃଦୟ ଦୁଇଟା ଚରମ ମନୋବୃତ୍ତିରେ ଦୋଦୁଲ୍ୟମାନ ହେଉଥାଏ । ଉପସ୍ଥିତ ମୁହୂର୍ତ୍ତରେ କିନ୍ତୁ ଜୀନାଙ୍କ ପ୍ରତି ଅନୁକମ୍ପା ବଳବତର ହେଲା । ବାସ୍ତବିକ ତାଙ୍କର ଏ ସ୍ତ୍ରୀ-ପ୍ରାଣୀଟି ବଡ଼ସଙ୍ଗହୀନ ଓ ଦୟନୀୟ ଅବସ୍ତାରେ ପଡ଼ିଛି, ଅନ୍ଧାରରେ, ଏକାକିନି ବସି ନିଜର ଦେହ ବିଷୟରେ ଏଭଳି ସନ୍ଦିଗ୍‍ଧ ହୋଇ କହିବା ବଡ଼ ଦୁଃଖର ବିଷୟ ।

 

ଅନୁକମ୍ପା-ପ୍ରବୃତ୍ତ ହୋଇ ସେ ନମ୍ର ସ୍ୱରରେ ପଚାରିଲେ, ‘‘ନୂଆ ଡାକ୍ତର କ’ଣ ତେବେ ଏକଥା କହିଲେ ?’’

 

‘‘ହଁ, ସେ କହିଲେ ଯେ କୌଣସି ମାମୁଲି ଡାକ୍ତର ମୋର ଅପରେସନ୍‍ କରାଇବାକୁ ପରାମର୍ଶ ଦିଅନ୍ତା ।’’

 

ଏଥାନ୍‍ଙ୍କୁ ଜଣା, ଦେହରେ ଛୁରି ଚଲାଇବା ଭଳି ଗୁରୁତର ବିଷୟ ଉପରେ ସ୍ତାନୀୟ ସ୍ତ୍ରୀ ଲୋକମାନଙ୍କର ଦୁଇ ବିରୋଧୀ ମତ । ଅଧେ ମନେ କରନ୍ତି, ଅପରେସନ୍ ହୋଇଥିବା ସ୍ତ୍ରୀଲୋକମାନଙ୍କର ସ୍ତ୍ରୀ–ସମାଜରେ ପ୍ରତିଷ୍ଠା ବଢ଼େ; ଆଉ ଅଧେ ମନେ କରନ୍ତି, କାଟିବା ପାଇଁ ନିଜର ନଗ୍ନ ଶରୀର ଡାକ୍ତରଙ୍କ ଆଗରେ ମେଲାଇ ଦେବା ସ୍ତ୍ରୀ ଧର୍ମର ବିରୋଧି । ଜୀନା ଏଇ ଦ୍ୱିତୀୟ ଦଳର ଅନ୍ତର୍ଭୁକ୍ତ; ଖର୍ଚ୍ଚ ଦୃଷ୍ଟିରୁ ଏହା ଏଥାନ୍‍ଙ୍କର ବି ଅନୁକୂଳ ।

 

ଜୀନା ନିଜ ଶରୀର ବିଷୟରେ ଯେଉଁ ଗୁରୁତରେ ସଂବାଦ ଶୁଣାଇଲେ ସେଥିରେ ବିଚଳିତ ହୋଇ ଏଥାନ୍‍ ତାଙ୍କୁ ଆଶ୍ୱାସନା ଦେବାର ଗୋଟିଏ ସହଜ ପନ୍ଥା ଉଦ୍ଭାବନ କଲେ । ସେ ପଚାରିଲେ, ‘‘ଆଚ୍ଛା, ଏ ଡାକ୍ତରଙ୍କ ଯୋଗ୍ୟତା ବିଷୟରେ ତୁମେ ବିଶେଷ କିଛି ଜାଣିଛ ତ ? ଆଜି ସେ ଯାହା କହିଲେ ସେପରି କଥା ତ ଅନ୍ୟ କୌଣସି ଡାକ୍ତର ପୂର୍ବେ କହି ନଥିଲେ । ’’

 

‘‘ମୁଁ ଯେ ଦିନକୁ ଦିନ ତଳକୁ ତଳକୁ ଯାଉଛି ଏ କଥା ଆଉ କିଏତ କହିବା ଦରକାର ନାହିଁ । ତୁମକୁ ଛାଡ଼ି ଆଉ ସମସ୍ତେ ମୋ ଅବସ୍ଥା ଦେଖୁଛନ୍ତି, ଆଉ ବେଟ୍‍ସ ବ୍ରିଜର ପ୍ରତ୍ୟେକ ଲୋକ ଡକ୍ଟର ବକ୍‍ଙ୍କୁ ଭଲ କରି ଜାଣନ୍ତି । ତାଙ୍କର ସ୍ଥାୟୀ ଅଫିସ୍‍ ଓ୍ୱାରସେଷ୍ଟରରେ । ସେ ପରାମର୍ଶ ଦେବା ସକାଶ ପନ୍ଦର ଦିନରେ ଥରେ ଲେଖାଁଏଁ ଶଡସ୍ ଫଲସ୍ ଓ ବେଟ୍‍ସ ବ୍ରିଜ୍‍କୁ ଆସନ୍ତି । ଇଲାଇଜା ସ୍ପିଅରସ ମୂତ୍ରାଶୟ ବେମାରୀରେ ଏକାବେଳକେ କଣ୍ଟା ହୋଇ ଯାଇଥିଲା । ଡକଟର୍ ବକ୍‍ଙ୍କ ପାଖକୁ ଆସିଲେ ତ ରୋଗ ସମୂଳେ ଗଲା । ଏବେ ସେ ବେଶ୍ ଚଲାବୁଲା କରୁଛି, ଗୀର୍ଜାରେ ଗାଉଛି ମଧ୍ୟ ।’’

 

ସହାନୁଭୂତିପୂର୍ଣ୍ଣ ସ୍ୱରରେ ଏଥାନ୍ ଉତ୍ତର ଦେଲେ, ‘‘ବଡ଼ ଆନନ୍ଦର କଥା । ଡକ୍‍ଟର୍‍ ବକ୍ ଯାହା କହୁଛନ୍ତି ତାହା ତୁମେ ପୂରା ପାଳନ କର ।’’

 

ଜୀନା ସେ ପଯ୍ୟନ୍ତ ଏଥାନ୍‍ଙ୍କୁ ଚାହିଁ ରହିଥାନ୍ତି । ଏଥାନ୍‍ଙ୍କ କଥା ଶୁଣି ସେ କହିଲେ, ‘‘ମୁଁ ତ ଠିକ୍ ସେଇଆ ବିଚାରିଛି ।’’ ଜୀନାଙ୍କ ସ୍ୱରରେ ଗୋଟାଏ ନୁଆ ଭାବ ସେ ଲକ୍ଷ୍ୟ କଲେ । ଏତେବେଳକୁ ତାଙ୍କର ଆତ୍ମଗ୍ଳାନି ନଥାଏ କି ବିକଳତା ନ ଥାଏ, ନିରାଟ ଭାବରେ ସକଳ୍ପ କଲାପରି ସେ କଥା କହୁଥାନ୍ତି ।

 

ନୂଆ ଧରଣର ଖର୍ଚ୍ଚ ଅଧିକରୁ ଅଧିକ ବଢ଼ିବ ବୋଲି ଅନୁମାନ କରି ସେ ପଚାରିଲେ, ‘‘ତୁମେ କିପରି ଚିକିତ୍ସାରେ ଚଳିବ ବୋଲି ସେ କହୁଛନ୍ତି ?

 

‘‘ଡାକ୍ତର ଚାହାନ୍ତି ମୋ ପାଖେ ପାଖେ ଦରମା ପାଇଁ ଗୋଟାଏ ଚାକରାଣୀ ରହିବ । ଡାକ୍ତର କହନ୍ତି, ଏତେ ଟିକିଏ ବି ଘରକାମ ମୋତେ ଯେପରି କରିବାକୁ ନ ପଡ଼ିବ ସେଥିପ୍ରତି ସାବଧାନ ରହିବାକୁ ହେବ ।’’

 

ଏଥାନ୍‍ ଥକ୍‍କା ମାରି ଠିଆ ହୋଇଗଲେ, ‘‘ଦରମା ନେଇ ଚାକରାଣୀ !’’

 

‘‘ହଁ । ସୌଭାଗ୍ୟକୁ ମାର୍ଥା ପିଉସୀ ସାଙ୍ଗେସାଙ୍ଗେ ଗୋଟାଏ ଚାକରାଣୀ ଖୋଜି ପାଇଛନ୍ତି । ସେଠାରେ ସମସ୍ତେ କହୁଁଛନ୍ତି, ଆମ ଏଠାରେ ଆସି ରହିବାକୁ ଟୋକୀଟା ମଙ୍ଗିଲା ଏହା ମୋର ସୌଭାଗ୍ୟ । ସେ ନିଶ୍ଚୟ ଆସିବ ଏଥିପାଇଁ ସେଠାରେ ଯାହା ପାଉଥିଲା ତହିଁ ଉପରେ ପାଞ୍ଚ ଟଙ୍କା ଅଧିକ ଦେବାକୁ ମଙ୍ଗିଛି । କାଲି ଓପର ଓଳି ସେ ଆସି ପହଞ୍ଚିବ ।

 

କ୍ରୋଧ ଓ ନୈରାଶ୍ୟ ଏଥାନ୍‍ଙ୍କ ମନଭିତରେ ସଂଘର୍ଷ ଆରମ୍ଭ କଲେ । ସାଙ୍ଗେ ସାଙ୍ଗେ ଏକକାଳୀନ କିଛି ଖର୍ଚ୍ଚ ପଡ଼ିବ ବୋଲି ସେ ବିଚାରିଥିଲେ ସିନା; ସ୍ଥାୟୀ ଭାବେ ଗୋଟାଏ ମାଇକିନିଆ ଆସି ତାଙ୍କ ସ୍ୱଳ୍ପ ଆୟରେ ଭାଗ ବସାଇବ, ଏହା ସେ ଘୃଣାକ୍ଷରେ ବି ଭାବି ନଥିବେ । ତାଙ୍କ ଗୁରୁତର ଅବସ୍ଥା ବିଷୟରେ ଜୀନା ଏତେବେଳ ଯାଏଁ ଯାହା ଯାହା କହିଗଲେ ତାହା ସତ ବୋଲି ସେ ଆଉ ବିଶ୍ୱାସ କରୁ ନଥାନ୍ତି । ସେ ବୁଝିନେଲେ ସେ ଏଥର ଜୀନା ବେଟ୍‍ସବ୍ରିଜ ଯିବାର ପ୍ରଧାନ ଉଦ୍ଦେଶ୍ୟ ଥିଲା, ତାଙ୍କ ପିଅରସ୍ ଆତୟଙ୍କ ସଙ୍ଗେ ଷଡ଼ଯନ୍ତ୍ର କରି ଗୋଟାଏ ଚାକରାଣୀ ଆଣୀ ତାହାର ଖର୍ଚ୍ଚ ତାଙ୍କ (ଏଥାନ୍‍ଙ୍କ) ଉପରେ ଲଦିବେ । ଏକଥା ମନରେ ଆସିବାରୁ ଏଥାନ୍‍ଙ୍କ ମନରେ କ୍ରୋଧ ବଳବତ୍ତର ହେଲା ।

 

ସେ ଅଭିଯୋଗ କଲେ, ‘‘ତୁମର ଯଦି ଚାକରାଣୀଟାଏ ନିଯୁକ୍ତି କରିବାର ମନ ଥିଲା, ତେବେ ଯିବା ପୂର୍ବରୁ ତୁମେ ମୋତେ କହିଥାନ୍ତ ।’’

 

ଯିବା ପୂର୍ବରୁ ତୁମକୁ କିପରି କହନ୍ତି ମ ? ଡକ୍‍ଟର୍‍ ବକ୍ କ’ଣ କହିବେ ତାହା ମୁଁ ଆଗରୁ ଜାଣନ୍ତି କିପରି ?’’

 

‘‘ଓଃ, ଡକ୍‍ଟର୍‍ ବକ୍ !’’ ଏଥାନ୍‍ଙ୍କ ଅବିଶ୍ୱାସ ଗୋଟିଏ ଛୋଟ ହସବାଟେ ବାହାରି ପଡ଼ିଲା । ‘‘ଚାକରାଣୀର ଦରମାଟା ମୁଁ କୁଆଡ଼ୁ ଆଣି ଦେବି ସେ କଥା ଡକ୍‍ଟର ବକ୍ କହିଛନ୍ତି ତ ?

 

ଏଥାନ୍‍ଙ୍କ ସ୍ୱର ସଙ୍ଗେ ତାଳ ଦେଇ ଜୀନାଙ୍କ ସ୍ୱର ତେଜିଲା, ‘‘ନା, ସେ କହି ନାହାନ୍ତି । ତୁମ ନିଜ ମା’ଙ୍କ ସେବା କରି କରି ମୁଁ ମୋ ସ୍ୱାସ୍ଥ୍ୟ ଫେରି ପାଇବାକୁ ପଇସା ଖର୍ଚ୍ଚ କରିବାକୁ ତୁମେ କୁଣ୍ଠିତ ଏକଥା ମୁଁ କୋଉ ଲାଜରେ ଡାକ୍ତରଙ୍କୁ କହନ୍ତି ଭଲା ?’’

 

‘‘ମୋ ମା’ଙ୍କ ସେବା କରି ତୁମେ ସ୍ୱାସ୍ଥ୍ୟ ହରାଇଛ ?’’

 

‘‘ହଁ; ସେତେବେଳେ ମୋର ଆତ୍ମୀୟମାନେ ମୋତେ କହିଛନ୍ତି, ମୋର ଯାହା ଅବସ୍ଥା ହେଲା ସେଥିରେ ତୁମେ ମୋତେ ବିଭା ନ ହେବାକୁ ଉପାୟ ନଥିଲା ।’’

 

‘‘ଜୀନା !’’

 

ଅନ୍ଧାରରେ ଦୁହିଙ୍କ ମୁହଁ ସିନା ପରସ୍ପରକୁ ଦିଶୁ ନଥାଏ । କିନ୍ତୁ ଦୁହିଙ୍କ ମନୋଭାବରୁ ଜଣାଯାଏ, ଦୁହେଁ ଦୁହିଁଙ୍କ ଉପରେ ବିଷଧର ସାପ ପରି, ବିଷ ବର୍ଷଣ କରିବାକୁ ଫଣା ଟେକି ରହିଛନ୍ତି । ଏ ଉତ୍ପାତରେ ଏଥାନ୍ ଆତଙ୍କିତ ହୋଇ ପଡ଼ିଥାନ୍ତି, ଏବଂ ଏଥିରେ ତାଙ୍କର ଅଂଶ ଅଛି ବୋଲି ଲଜ୍ଜିତ ବି ହେଉଥାନ୍ତି, ଅନ୍ଧାରରେ ଦୁଇ ଶତ୍ରୁ ହାତାହାତି ଲଢ଼ିବାଠାରୁ ଏହା କୌଣସି ମତେ ଅସଭ୍ୟ ଓ କମ୍ ଭୟାନକ ବୋଲି ତାଙ୍କର ମନେ ହେଉ ନଥାଏ ।

 

ଏଥାନ୍ ଚିମନୀ ଉପରେ ସେଲଫରେ ହାତ ବୁଲାଇ ଡିଆସିଲି ବାହାରକଲେ ଓ କୋଠରୀରେ ଥିବା ଏକମାତ୍ର ଲ୍ୟାମ୍ପକୁ ଲଗାଇଲେ । ପ୍ରଥମ ଦ୍ୱୀପର କ୍ଷୀଣ ଆଲୋକ ଦୁହିଁଙ୍କ ଆକୃତିରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ । ଆସ୍ତେ ଆସ୍ତେ ଜୀନାଙ୍କ ମୁଖର ଚେହେରା ପରଦା ନଥିବା ଝରକାର ଦୁଆରରେ ପ୍ରତିଫଳିତ ହେଲା । ଝରକା କବାଟଟାର ଧଳା ରଙ୍ଗ ଘନକୃଷ୍ଣ ବର୍ଣ୍ଣ ଦିଶୁଥାଏ ।

 

ବହୁ ଦୁଃଖ ଭିତରେ କଟିଥିବା ଦୁହିଁଙ୍କର ସାତବର୍ଷ ବ୍ୟାପି ଦାମ୍ପତ୍ୟ ଜୀବନର ଖୋଲା ରାଗ ରାଗି ଆଜି ନୂଆ କରି ଦେଲା । ଏଥାନ୍ ଅନୁଭବ କଲେ, ଜୀନାଙ୍କ ସଙ୍ଗେ ସମାନ ସ୍ତରରେ ଗାଳି ଗୁଲଜରେ ମାତି ସେ ନିଜର ଯେଉଁ ସ୍ୱାମୀପଣିଆ ହରାଇଛନ୍ତି ତାହା ଆଉ ଫେରିପାଇବା ଅସମ୍ୱବ । କିନ୍ତୁ ପଇସାପତ୍ର ସମସ୍ୟାଟା ଯେ ଅତି ବାସ୍ତବ; ବୁଝି ବିଚାରି ତା’ର ସମାଧାନ କରିବା ଦରକାର ।

 

ସେ କହିଲେ, ‘‘ଜୀନା, ତୁମେ ତ ଜାଣ ଗୋଟାଏ ଚାକରାଣୀର ଦରମା ଦେବାକୁ ସମ୍ୱଳ ମୋର ନାହିଁ, ଚାକରାଣୀଟାକୁ ବାହୁଡ଼ାଇ ଦେବାକୁ ପଡ଼ିବ । ମୁଁ ତା’ ବୋଝ ସମ୍ୱାଳି ପାରିବି ନାହିଁ ।’

 

ଜୀନା କୈଫିୟତ୍ ଦେଲେ, ‘‘ଏଣେ ଡାକ୍ତର କହୁଛନ୍ତି ମୁଁ ଯେପରି ଘର କାମରେ ଦାସୀ ପରି ଖଟୁଛି ସେପରି ଆଉ କଲେ ମୋର ମରଣ ସୁନିଶ୍ଚତ । ମୁଁ ଆଜି ପର୍ଯ୍ୟନ୍ତ କିପରି ସମ୍ୱାଳି ରହିଛି ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ ।’’

 

‘‘ତୁମେ ଦାସୀ ପରି ଖଟୁଛ ?’’ ଏଥାନ୍ ନିଜକୁ ସମ୍ୱାଳି ନେଲେ ।

 

‘‘ତୁମେ କିଛି କରିବ ନାହିଁ ବୋଲି ଡାକ୍ତର କହିଛନ୍ତି ତେବେ ସେଇଆ ହେଉ । ଘରର କାମ ମୁଁ ନିଜେ କରି ଦେବି–-।’’

 

ଜୀନା ବାଧାଦେଇ କହିଲେ, ‘‘ତୁମେ ଏବେ ବି ଚାଷକାମରେ ବହୁତ ହେଳା କରୁଛ ।’’ ଏ ଅଭିଯୋଗଟା ସତ ହୋଇଥିବାରୁ ଏଥାନ୍ କିଛି ଯବାବ ଦେଇ ପାରିଲେ ନାହିଁ ବିଦ୍ରୂପ କରି ୟା ପରେ କହିବାକୁ ଜୀନାଙ୍କୁ ସମୟ ମିଳିଲା । ‘‘ନପାରିବ ଯେବେ ମୋତେ ଛତ୍ରକୁ ପଠାଇ ଦେଇ ନିଶ୍ଚିତ ହୋଇ ରହ.........ମୋର ବିଶ୍ୱାସ ଏଥି ପୂର୍ବରୁ ଫ୍ରୋମ୍‍ ବଂଶର ଆଉ କେହି ମୋରି ପରି ଛତ୍ରକୁ ଯାଇଥିବେ ।’’

 

ବିଦ୍ରୂପଟା ତାଙ୍କ ପେଟ ଭିତର ଜାଳି ପୋଡ଼ି ଦେଲା, କିନ୍ତୁ ଏଥାନ୍ ୟାକୁ ବି ସହିଗଲେ, କହିଲେ, ‘‘ମୋ’ ପାଖେ ପଇସାନାହିଁ । ଏତିକିରେ ଏକଥା ସରୁ ।’’

 

ଧସ୍ତାଧସ୍ତିର ମୁହୂର୍ତ୍ତ ବିରତି ଲଭିଲା । ଦୁଇ ଯୋଦ୍ଧା ସତେ ଯେପରି ନିଜ ନିଜର ଅଗ୍ନି ପରୀକ୍ଷା କରି ଦେଖୁଥାନ୍ତି । ତା’ ପରେ ଜୀନା ସମସ୍ୱରରେ ଆରମ୍ଭ କଲେ, ‘‘ମୁଁ ତ ବିଚାରିଲି, ତୁମେ କାଲି ଯେଉଁ କାଠ ଦେଲ, ତା’ ବାବଦକୁ ଅଢ଼େଇଶହ ଟଙ୍କା ଆଣ୍ଡୃ ହେଲ୍‍ଙ୍କ ଠାରୁ ପାଇଲଣି ।’’

 

‘‘ଆଣ୍ଡୃ ହେଲ୍ ତିନିମାସ ନ ବିତିଲେ ପଇସା ଦିଅନ୍ତି ନାହିଁ । ଏହା କହୁ କହୁ ତାଙ୍କର ମନେ ପଡ଼ିଲା, ପୂର୍ବଦିନ ଜୀନାଙ୍କୁ ନିଜେ ନେଇ ଷ୍ଟେସନରେ ନ ଛାଡ଼ିବାକୁ, ସେ ଟଙ୍କା ମିଳିବ ବୋଲି ଆଳ ଦେଖାଇଥିଲେ । ତାଙ୍କ ଭ୍ରୂକୁଟି-କୁଞ୍ଚିତ କପାଳକୁ ରକ୍ତ ଚଢ଼ିଗଲା ।’’

 

ଜୀନା ସେଇ କଥାକୁ ଧଇଲେ, ‘‘କାଲି ପରା ମୋତେ କହିଲ, ନଗଦ ଟଙ୍କା ଦେବେ ବୋଲି ତାଙ୍କ ସଙ୍ଗେ କଥାବାର୍ତ୍ତା କରିଛ । କହିଲ ପରା, ସେଇ କାରଣରୁ ମୋତେ ନିଜେ ନେଇ ଷ୍ଟେସନରେ ଛାଡ଼ି ପାରିବ ନାହିଁ ।’’

 

ଠକି ଦେବା ଭଳି ଚତୁରତା ଏଥାନ୍‍ଙ୍କର ନଥାଏ । ପୂର୍ବରୁ କେବେ ମିଛ କହିଲ ବୋଲି ତାଙ୍କ ନାମରେ କେହି ଅଭିଯୋଗ କରି ନାହିଁ । କଥାଟା ବାଆଁରେଇ ଦେବାକୁ କୌଣସି ବାଟ ତାଙ୍କୁ ଦିଶିଲା ନାହିଁ, ଖନେଇ ଖନେଇ କହିଲେ, ‘‘ମୁଁ ଭୁଲ ବୁଝି ସେପରି କହିଥିଲି ।’’

 

ଜୀନା ସେ କଥା ଛାଡ଼ି ପଚାରିଲେ, ‘‘ତେବେ ତୁମ ପାଖେ ପଇସା ନାହିଁ ?’’

 

‘‘ନା ।’’

 

‘‘ମିଳିବାର ବି ଆଶା ନାହିଁ ।’’

 

‘‘ନା ।’’

 

‘‘କିନ୍ତୁ ମୁଁ ଯେତେବେଳେ ଚାକରାଣୀଟାଏ ନିଯୁକ୍ତି କଲି ସେତେବେଳେ ତ ତୁମପାଖେ ପଇସା ନାହିଁ ବୋଲି ମୋତା ଜଣା ନଥିଲା ।’’

 

‘‘ନା ।’’ ନିଜର ସ୍ୱରକୁ ସଂଯତ କରିବାକୁ ଏଥାନ୍ ଟିକିଏ ଚୁପ୍ କହିଲେ, ‘‘ସେତେବେଳେ ସିନା ଜାଣି ନଥିଲ, ଏଇଲାଗେ ତ ଜାଣିଲ । ମୁଁ ଏଥିପାଇଁ ଦୁଃଖିତ, କିନ୍ତୁ କିଛି ଉପାୟ ନାହିଁ । ଜୀନା, ତୁମେ ଗୋଟେ ଦରଦ୍ରର ହାତ ଧରିଛ । କିନ୍ତୁ ତୁମକୁ ସାହାଯ୍ୟ କରିବାକୁ ମୁଁ ଯଥାସାଧ୍ୟ ପରିଶ୍ରମ କରିବ ।’’

 

କିଛି ସମୟ ଜୀନା କ’ଣ ବିଚାରିଲା ପରି ତୁନି ହୋଇ ବସିଲେ, ତାଙ୍କ ହାତ ଦୁଇଟି ଚଉକିର ଦୁଇ ହତା ଉପରେ ପ୍ରସାରିତ ହୋଇଥାଏ । ଆଖି ଦୁଇଟି ଶୂନ୍ୟକୁ ଚାହିଁଥାଏ । କିଛି କ୍ଷଣ ପରେ ସେ ନମ୍ର ସ୍ୱରରେ କହିଲେ, ‘‘ଆଛା, ହେଉ, ଗୋଟାଏ ଉପାୟ ପାଞ୍ଚିବା ।’’

 

ଜୀନାଙ୍କ ସ୍ୱର ଟିକିଏ ନରମ ହେବାରୁ ଏଥାନ୍ ଆଶ୍ୱସ୍ତ ହେଲେ ସେ ପାଳି ଧଇଲେ, ‘‘ହଁ ନିଶ୍ଚୟ ଉପାୟ ପାଞ୍ଚିବା । ମୁଁ ତୁମର ବହୁତ କାମ କରିନେବି । ପୁଣି ମ୍ୟାଟି ବି— ।’’

 

ଏଥାନ୍ ଏହା କହିଲା ବେଳକୁ, ଜୀନା ମନେମନେ ଗୋଟାଏ ହିସାବ ଯୋଡ଼ିଥାନ୍ତି । ସେଥିରୁ ମନ ଛଡ଼ାଇ ସେ କହିଲେ, ‘‘ହଁ ମ୍ୟାଟିର ଖୁରାକି ବାବତରେ ଯାହା ଖର୍ଚ୍ଚ ହେଉଛି ସେତକ ତ ବଞ୍ଚିବ ।’’

 

କଥା ସରିଲା ବୋଲି ବିଚାରି ଏଥାନ୍ ଖାଇବା ସକାଶ ତଳ ମହଲାକୁ ଯିବାକୁ ଗୋଡ଼ ବଢ଼ାଉଥିଲେ । ମ୍ୟାଟି ବିଷୟରେ ଜୀନା କ’ଣ କହିଲେ ଧରି ନପାରି ସେ ଅଟକି ଯାଇ ପଚାରିଲେ; ‘‘ମ୍ୟାଟିର ଖୁରାକି ଖର୍ଚ୍ଚ ବଢ଼ିଯିବ ମାନେ ?’’

 

ଜୀନା ଠିକ୍ କଣ କହିବାକୁ ଚାହୁଛନ୍ତି ସେ ବିଷୟରେ ଏ ପର୍ଯ୍ୟନ୍ତ ଏଥାନ୍‍ଙ୍କର ସୁସ୍ପଷ୍ଟ ଧାରଣା ହୋଇ ନଥାଏ । କଥାବାର୍ତ୍ତାର ଆରମ୍ଭରୁ ଏ ପର୍ଯ୍ୟନ୍ତ ସେ ମ୍ୟାଟିଙ୍କ ନାମ ଧରି ନଥାନ୍ତି । ଜୀନା ତାଙ୍କ ବିଷୟରେ କଣ ନା କଣ କହିବେ ବୋଲି ତାଙ୍କର ଡର ଥାଏ । ହୁଏତ ତାଙ୍କ କାର୍ଯ୍ୟରେ ସମାଲୋଚନା କରିବେ ବା ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବେ ବା ନିକଟରେ ତାଙ୍କର ବିଭାଗର ହେବା ସମ୍ଭାବନା ବିଷୟରେ କ’ଣ କହିବେ ବୋଲି ସେ ଆଶଙ୍କା କରି ତାଙ୍କ ବିଷୟରେ ତୁନି ରହିଥାନ୍ତି । କିନ୍ତୁ ଏକାବେଳକେ ତାଙ୍କୁ ଘରୁ ବିଦାୟ କରିବାକୁ ଜୀନାଙ୍କ କଥା ଶୁଣି ମଧ୍ୟ ସେ ଏ ସମ୍ଭାବନାକୁ ମନରେ ସ୍ଥାନ ଦେଇ ପାରୁ ନାହାନ୍ତି ।

 

ସେ ଜୀନାଙ୍କୁ ପଚାରିଲେ, ‘‘ତୁମେ କ’ଣ କରିବାକୁ ଚାହଁ ମୁଁ ଜାଣିପାରୁ ନାହିଁ । ମ୍ୟାଟି ସିଲଭର୍‍ ତ ଚାକରାଣୀ ନୁହେଁ; ସେ ପରା ତୁମର ଆତ୍ମୀୟ ।’’

 

‘ସେ ତ ଗୋଟାଏ ଅରକ୍ଷିତ ପିଲା । ତା ବାପା ଆମକୁ ଧ୍ୱଂସ କରିବାକୁ ଯଥାସାଧ୍ୟ ଉଦ୍ୟମ କରି ସାରିଲା ପରେ, ସେ ଆମ ଘରକୁ ଆଶ୍ରା କରି ପଡ଼ିଥିଲା । ଏଠାରେ ତ ତାଙ୍କୁ ଆଣି ବର୍ଷେକାଳ ରଖିଲିଣି । ଏଥର ତାଙ୍କୁ କିଏ ସମ୍ଭାଳିବ ସମ୍ଭାଳୁ ।

 

ଜୀନାଙ୍କ ତୁଣ୍ଡରୁ ଏହି ନିର୍ମମ କଥାଗୁଡ଼ାକ ବାହାରିଲା ବେଳେ ଦୁଆର ଠକ୍ ଠକ୍ ଆବାଜ ହେବାର ଶୁଣିଲେ; ଘରେ ପଶିଲା ବେଳେ ଏଥାନ୍ ଦୁଆରଟା ବନ୍ଦକରି ଦେଇଥାନ୍ତି ।

 

ଆର ପାଖରୁ ମ୍ୟାଟିଙ୍କର ଆନନ୍ଦପୂର୍ଣ୍ଣ ସ୍ୱର ଶୁଣାଗଲା, ‘‘ଏଥାନ୍-ଜୀନା କେତେବେଳ ହେଲାଣି ଜାଣିଚୁ ତ ? ଖାଦ୍ୟ ସାମଗ୍ରୀ ଅଧଘଣ୍ଟେ ହେଲା ପ୍ରସ୍ତୁତ ହୋଇ ରହିଲାଣି ।’’

 

ଘର ଭିତରେ ମୁହୂର୍ତ୍ତେ ନୀରବତା ବିରାଜିଲା । ତା’ପରେ ଜୀନା ତାଙ୍କ ଚଉକିରୁ ପାଟିକରି ଶୁଣାଇ ଦେଲେ, ‘‘ମୁଁ ଖାଇବାକୁ ଯିବିନାହିଁ ।’’

 

‘‘ଓଃ, ବଡ଼ ଦୁଃଖର କଥା ତ ! କ’ଣ ସୁଖ ଲାଗୁ ନାହିଁ ? ଖାଇବାକୁ କ’ଣ ଓପରକୁ ଟିକିଏ ଆଣିଦେବି ?’’

 

ଏଥାନ୍ ଚେଷ୍ଟା କରି ଏ ଅବସ୍ଥାର ସମୁଖୀନ ହେଲେ; ଦୁଆର ଫିଟାଇ ସେ କହିଲେ, ‘‘ତୁମେ ତଳକୁ ଯାଅ ମ୍ୟାଟି । ଜୀନାଙ୍କୁ ଟିକିଏ ହାଲିଆ ଲାଗୁଛି । ମୁଁ ସାଙ୍ଗେ ସାଙ୍ଗେ ଯାଉଛି ଚାଲ-।’’

 

ମ୍ୟାଟି ‘ହଉ ତେବେ’ ବୋଲି କହିବାର ଏଥାନ୍‍ଙ୍କୁ ଶୁଭିଲା; ତରତର ହୋଇ ସେ ସିଡ଼ିରେ ଓହ୍ଲାଇବାର ବି ଶୁଭିଲା । ତା ପରେ ଦୁଆରକୁ ପୁଣି ବନ୍ଦକରି ଏଥାନ୍ ଘର ଭିତରକୁ ଆସିଲେ । ତାଙ୍କ ସ୍ତ୍ରୀଙ୍କ ମନୋବୃତ୍ତିରେ କୌଣସି ପରିବର୍ତ୍ତନ ହେଉ ନ ଥାଏ । ମୁହଁରେ ତ ଦୟାମାୟା ଲେଶ ମାତ୍ରାରେ ଦିଶୁନଥାଏ । ଏଥାନ୍ ଅସହାୟତାରେ ନୈରାଶ୍ୟ ଅନୁଭବ କରୁଥାନ୍ତି ।

 

‘‘ଜୀନା, ସତରେ ତୁମେ ୟା କରିବ ନାଇଁତ ?’’

 

ପଟାଳିଆ ଓଠ ଭିତରୁ ପ୍ରଶ୍ନ ବାହାରିଲା, ‘‘କଣ କରିବା କଥା କହୁଛ ।’’

 

‘‘ମ୍ୟାଟିକୁ ଏମିତି ହଠାତ୍ ତଡ଼ି ଦେବ ?’’

 

‘‘ମୁଁ ତ ତାକୁ ଜୀବନ ତମାମ୍ ରଖିବି ବୋଲି ଜବାବ୍ କରି ନାହିଁ ।’’

 

ବର୍ଦ୍ଧିଷ୍ଣୁ ଆବେଗରେ ଏଥାନ୍ କହି ଲାଗିଲେ, ‘‘ଚୋରକୁ ଘଉଡ଼ିଲା ପରି ତୁମେ ତାକୁ ଏ ଘରୁ ଘଉଡ଼ି ଦେଇ ପାରିବ ନାହିଁ । ଦରିଦ୍ର ପିଲାଟିଏ— ଧନ ନାହିଁ କି ବନ୍ଧୁବାନ୍ଧବ ନାହାନ୍ତି । ତୁମପାଇଁ ସେ ପାରୁପର୍ଯ୍ୟନ୍ତ ଖଟିଛି, ଓ ଆଶ୍ରା ବୋଲି ତା’ର କେଉଁଠି କିଛି ନାହିଁ । ସେ ତୁମର ଆତ୍ମୀୟ ବୋଲି ତୁମେ ପାସୋରି ଦେଇପାର, କିନ୍ତୁ ଦାଣ୍ଡ ଲୋକେତ ପାସୋରିବେ ନାହିଁ । ଏଭଳି ନିଷ୍ଠୁର କାମଟିଏ ଯଦି ତୁମେ କର, ତେବେ ତୁମକୁ ଲୋକେ କ’ଣ କହିବେ ଜାଣୁଚତ ?’’

 

ଜୀନା ମୁହୂର୍ତ୍ତେ ତୁନି ହୋଇ ରହିଲେ । ଏଥାନ୍ କିପରି ଉତ୍ତେଜିତ ହେଉଛନ୍ତି ଓ ସେ ନିଜେ କିପରି ଧୀର, ଶାନ୍ତ ହେଇ ବସିଛନ୍ତି ଏହା ଭଲ କରି ଏଥାନ୍ ଅନୁଭବ କରନ୍ତୁ ବୋଲି ସତେ ଯେପରି ସେ ତାଙ୍କୁ ସମୟ ଦେଉଥାନ୍ତି । ତା’ପରେ ସେ ସେହିପରି ଧୀର ଓ ଶାନ୍ତ ଭାବରେ କହିଦେଲେ, ‘‘ଏତେ ଦିନ ଏ ଟୋକୀଟାକୁ ଏଠାରେ ରଖିବାରୁ ଲୋକେ ମୋତେ କଣ କହୁଛନ୍ତି ସେ କଥା ମୁଁ ଭଲ କରି ଜାଣେ’’ ।

 

ଏଥାନ୍, ମ୍ୟାଟି ତାଙ୍କ କଥା ଶୁଣିବେ ନାହିଁ ବୋଲି ଦୁଆର କିଳିବା ବେଳୁ ଦୁଆରର କଡ଼ାଟା ଧରି ଠିଆ ହୋଇଥିଲେ । ଜୀନାଙ୍କ କଥା ଶୁଣି କଡ଼ାରୁ ତାଙ୍କ ହାତ ଖସିଗଲା । ଜୀନାଙ୍କ କଥା ଛୁରୀରେ ତାଙ୍କ ଗୋଛ କାଟି ଦେଲାପରି ତାଙ୍କୁ ଲାଗିଲା । ସେ ହଠାତ୍ ଦୁର୍ବଳ ଓ ଅସହାୟ ହୋଇ ପଡ଼ିଲେ । ସେ ବିଚାରି ଥିଲେ, ନେହୁରା ହୋଇ ଜୀନାଙ୍କୁ ବୁଝାଇବେ ଯେ ମ୍ୟାଟୀଙ୍କ ଖୁରାକିରେ ବିଶେଷ କିଛି ଖର୍ଚ୍ଚ ହେଉନାହିଁ । ଚାକରାଣୀ ପାଇଁ ଗୋଟାଏ ଚୁଲା କିଣି, ପକାଉପର ଟୁଙ୍ଗାରେ ତା’ରହିବାର ବ୍ୟବସ୍ଥା କରିବାକୁବି ସେ ମନେ ମନେ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଜୀନା ଯେଉଁ ଢଙ୍ଗରେ ତାଙ୍କ କଥାର ଜବାବ ଦେଲେ ତାହା ଶୁଣି, ସେ ବିଚାରିଲେ ଯେ ଆଉ ନେହୁରା ହେଲେ ବିପଦ ଅଛି ।

 

ଜୀନା ଆଉ କ’ଣ କହିଦେବେ ଏଇ ଭୟରେ ତାଙ୍କ କଥାକୁ ବାଧା ଦେଇ ସେ ଏତିକିମାତ୍ର ପଚାରି ଦେଲେ, ‘‘ତେବେ କ’ଣ ତୁମେ ସ୍ଥିର କରିଛ ମ୍ୟାଟିକୁ ସାଙ୍ଗେ ସାଙ୍ଗେ ବିଦା କରିଦେବ ?’’

 

ଏଥାନ୍ ବିଚାର ବୁଦ୍ଧି ଖଟାଇ ଅବସ୍ଥାଟା ବୁଝନ୍ତୁ ଏଇ ଉଦ୍ଦେଶ୍ୟରେ ଜୀନା ନିରପେକ୍ଷ ଭାବେ ଉତ୍ତର ଦେଲେ, ‘‘ଚାକରାଣୀ ଟୋକୀଟା କାଲି ବେଟସ୍ ବ୍ରିଜ୍‍ରୁ ଆସି ପହଞ୍ଚିବ, ତା’ର ତ ଶୋଇବାକୁ ଗୋଟାଏ ଥାନଥିବା ଦରକାର ।’’

 

ଏଥାନ୍ ତୀବ୍ର ଘୃଣାରେ ଜୀନାଙ୍କ ଆଡ଼କୁ ଚାହିଁଲେ । ଏ ପର୍ଯ୍ୟନ୍ତ ଏଥାନ୍‍ଙ୍କର ଧାରଣା ଥିଲା ଯେ, ଜୀନା ଉଦାସୀ ଭାବରେ ତାଙ୍କ ପାଖରେ ପଡ଼ି ରହିଛନ୍ତି, ନିଜର ଦେହ ବିଷୟରେ ସବୁବେଳେ ବିରସଭାବେ ଚିନ୍ତିତ ହୋଇ । ଆଜି ସେ ବୁଝିଲେ, ଜୀନା ଏକ ଭୟଙ୍କର ଜନ୍ତୁ, ତାଙ୍କର ମନର ଗତି ରହସ୍ୟ ବୃତ, ବହୁକାଳ ତୁନି ପଡ଼ି ପଡ଼ି ତାଙ୍କ ମନରେ ଅନିଷ୍ଟକାରିଣୀ ରାକ୍ଷସୀର ପ୍ରବୃତ୍ତି ଉଦ୍‍ବୁଦ୍ଧ ହୋଇଛି । ଆଜି ଏଇ ଜୀନାଙ୍କ ପାଖରେ ଅସହାୟ ହୋଇ ଜୀନାଙ୍କ ପ୍ରତି ତାଙ୍କର ବିଦ୍ୱେଷ ବଢ଼ି ଉଠିଲା । ଜୀନାଙ୍କଠାରେ ଏପରି କୌଣସି ଗୁଣ ନଥିଲା ଯାହା ଯୋଗୁଁ ମଣିଷ ତାଙ୍କ ପ୍ରତି ଆକୃଷ୍ଟ ହେବ । ଯେ ପର୍ଯ୍ୟନ୍ତ ଏଥାନ୍ ତାଙ୍କୁ ଅବଜ୍ଞା କରି ପାରୁଥିଲେ, ହୁକୁମ ଦେଇ ପାରୁଥିଲେ, ସେ ପର୍ଯ୍ୟନ୍ତ ତାଙ୍କର ଅବସ୍ଥିତି ପ୍ରତି ଉଦାସୀନ ହୋଇ ରହିବା, ଏଥାନ୍‍ଙ୍କ ପକ୍ଷରେ ସମ୍ଭବ ହେଉଥିଲା । ଆଜି ଜୀନା ତାଙ୍କ ଉପରେ ପ୍ରଭୁତ୍ୱ କରିଛନ୍ତି–ଏଥାନ୍ ତାଙ୍କୁ ଘୋରତର ଭାବରେ ଘୃଣା କରିବାର ମୂଳ କାରଣ ଏଇ । ମ୍ୟାଟି ଜୀନାଙ୍କ ଆତ୍ମୀୟା । ତାଙ୍କର ନୁହେଁ । ନିଜ ଘରେ ମ୍ୟାଟିକୁ ବାସ-ଦେବାକୁ ସେ ଜୀନାଙ୍କୁ ବାଧ୍ୟ କରିବେ କେଉଁ ବଳରେ ? ଏଥାନ୍‍ଙ୍କ ବ୍ୟର୍ଥ ଅତୀତର ଦୀର୍ଘ ଯନ୍ତ୍ରଣା, ଯୌବନର ବିଫଳତା, ଅଭାବ ଓ ବୃଥା ଚେଷ୍ଟା ତାଙ୍କ ଅନ୍ତରାତ୍ମାକୁ ତିକ୍ତ କରି ପକାଇଲା । ତାଙ୍କର ମନେ ହେଲା, ତାଙ୍କର ସମସ୍ତ ଦୁଃଖ ଯନ୍ତ୍ରଣା, ଅଭାବ ଅସୁବିଧାର ମୂଳ କାରଣ ଏଇ ନାରୀ-ରୂପିଣୀ ରାକ୍ଷସୀ; ପ୍ରତି କ୍ଷେତ୍ରରେ ତାଙ୍କ ଅଗ୍ରଗତିର ଅନ୍ତରାୟ ହୋଇ ରହି ଆସିଛି । ସେ ତାଙ୍କଠାରୁ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଛଡ଼ାଇ ନେଇଛି । ଦୈବାତ୍‍ ଯେଉଁ ଯୁବତୀଟି ତାଙ୍କ ସାନିଧ୍ୟରେ ରହି, ଅତୀତର ସବୁ ଦୁଃଖକଷ୍ଟ ଭୁଲି ଯିବାକୁ ନୀରବ ପ୍ରେରଣା ଦେଉଥିଲା, ଆଜି କାଳରୂପିଣୀ ରାକ୍ଷସୀ, ତାଙ୍କର ପତ୍ନୀ ଜୀନା, ତାକୁ ବି ପାଖରୁ ଅନ୍ତର କରିବାକୁ ବସିଛି । ମୁହୂର୍ତ୍ତକ ପାଇଁ ଏଥାନ୍‍ଙ୍କ ମନରେ ଘୃଣାର ତୀବ୍ର ଶିଖା ଜଳି ଉଠିଲା, ତାହା ତାଙ୍କ ବାହୁକୁ ଗତି କରି ତାଙ୍କ ମୁଷ୍ଟିକୁ ଟାଣ କରି ଦେଲା । ବଦ୍ଧମୁଷ୍ଟି ଏଥାନ୍ ବିହ୍ୱଳିତ ହୋଇ ଜୀନାଙ୍କ ଆଡ଼କୁ ପାଦ ବଢ଼ାଇ ଦେଲେ । ସାଙ୍ଗେ ସାଙ୍ଗେ କିନ୍ତୁ କିଏ ପଛରୁ ଭିଡ଼ି ଧଇଲା । ସେ ଅଟକିଗଲେ ।

 

ବିହ୍ୱଳିତ ସ୍ୱରରେ ସେ ଏତିକିମାତ୍ର କହିଲେ, ‘‘ତୁମେ ଖାଇବାକୁ ତଳକୁ ଯିବ ନାଇଁ ତେବେ ?’’

 

ଜୀନା କୋମଳ କଣ୍ଠରେ ଉତ୍ତର ଦେଲେ, ‘‘ନା, ମୋର ମନହେଉଚି ଟିକିଏ ଖଟରେ ପଡ଼ି ରହିବି ।’’ ଏଥାନ୍ ବୁଲିପଡ଼ି ସେ ଘରୁ ବାହାରି ଗଲେ ।

 

ରୋଷେଇ ଘରେ ମ୍ୟାଟି ଚୁଲିପାଖେ ବସିଥାନ୍ତି; ତାଙ୍କ କୋଡ଼ରେ ବିରାଡ଼ିଟି ଜାକିଜୁକି ହୋଇ ପିଣ୍ଡୁଳାଟି ପରି ପଡ଼ିଥାଏ । ଏଥାନ୍ ଘର ଭିତରେ ପଶିବା ମାତ୍ରେ ମ୍ୟାଟି ଧଡ଼ପଡ଼ ହେଇ ଉଠି ପଡ଼ିଲେ ଓ ଘୋଡ଼ିଆ ହୋଇ ରହିଥିବା ମାଂସ ପୂରଦିଆ ପିଠା ଥାଳିଟି ନେଇ ଖାଇବା ଟେବୁଲ୍ ଉପରେ ରଖିଲେ ।

 

ମ୍ୟାଟି ପଚାରିଲେ, ‘‘ମୋ’ର ଆଶା, ଜୀନାଙ୍କର କିଛି ଅସୁଖ ହୋଇନାହିଁ ?’’

 

ଏଥାନ୍‍ ପଦକେ ଉତ୍ତର ଦେଲେ, ‘‘ନା’’ ।

 

ଟେବୁଲ ଆରପଟୁ ପ୍ରଫୁଲ୍ଲ ଦୃଷ୍ଟିରେ ମ୍ୟାଟି ଏଥାନ୍‍ଙ୍କ ଆଡ଼କୁ ଚାହିଁଲେ । ‘‘ତେବେ ତୁମେ ଖାଇବସ । ତୁମକୁ ତ ନିଶ୍ଚେ ଖୁବ୍ ଭୋକ ହେଉଥିବ ।’’ ପିଠା ଥାଳିଟି ଉପରୁ ସେ ଢାଙ୍କୁଣୀ ଖୋଲିଲେ ଓ ଏଥାନ୍‍ଙ୍କ ଆଡ଼କୁ ପେଲିଦେଲେ । ମ୍ୟାଟିଙ୍କ ଆନନ୍ଦଭରା ଆଖି ଦୁଇଟି କହିଲା ପରି ଲାଗୁଥାଏ, ଆମେ ଦୁହେଁ ତେବେ ଆଜି ସନ୍ଧ୍ୟାରେ ବି ଏକାଠି ଖାଇବା !

 

ଯନ୍ତ୍ରଚାଳିତ ପରି ଏଥାନ୍ ପିଠା ଖଣ୍ଡେ ନିଜ ଥାଳିଆକୁ ନେଲେ ଓ ଖାଇବାକୁ ଆରମ୍ଭ କଲେ; ଟିକେ ଖାଇଲାପରେ ଘୃଣା ଓ ବିରକ୍ତି ତାଙ୍କ କଣ୍ଠ-ରୋଧ କରିଦେଲା, ସେ ଖାଇବା କଣ୍ଟାଟା ଥାଳିଆ ଉପରେ ପକାଇ ଦେଲେ ।

 

ମ୍ୟାଟିଙ୍କ କୋମଳ ଦୃଷ୍ଟି ତାଙ୍କ ଉପରେ ଥାଏ, ସେ ଏଥାନ୍‍ଙ୍କ ଅନ୍ତର୍ଗତଭାବ ବାହାରର ଭଙ୍ଗୀରୁ ଠଉରେଇବାକୁ ଚେଷ୍ଟା କଲେ ।

 

ମ୍ୟାଟି ପଚାରିଲେ, ‘‘ୟେ କ’ଣ ଏଥାନ୍ ! ତୁମର ହୋଇଛି କ’ଣ ? ପିଠା ସୁଆଦ ଲାଗିଲା ନାଇଁ ତାହେଲେ ?’’

 

‘‘ନା—ଅଉଲ ନମ୍ୱର ହୋଇଛି—କିନ୍ତୁ ମୋ’ର– ।’’ ଏଥାନ୍ ନିଜ ଆଗରୁ ଥାଳିଆଟା ଆଡ଼େଇ ଦେଲେ, ଚଉକିରୁ ଉଠି ଠିଆ ହେଲେ ଆଉ ଟେବୁଲ ଆର ପଟକୁ ଯାଇ ମ୍ୟାଟିଙ୍କ ପାଖେ ପହଞ୍ଚିଲେ । ମ୍ୟାଟି ଭୀତତ୍ରସ୍ତ ଆଖିରେ ଚମକି ପଡ଼ି ଠିଆ ହୋଇ ପଡ଼ିଲେ ।

 

‘‘ଏଥାନ୍, କ’ଣ ଗୋଟାଏ ଅନିଷ୍ଟ ହୋଇଛି । ହେବ ବୋଲି ମୋତେ ଆଗରୁ ଜଣା ପଡ଼ିଥିଲା ।’’

 

ଭୟରେ ତାଙ୍କ ପାଖରେ ଠିଆ ହୋଇ ମ୍ୟାଟି ସଦ୍ୟ ପାଣି ହୋଇଗଲା ପରି ଜଣା ପଡ଼ୁଥାନ୍ତି । ଏଥାନ୍ ତାଙ୍କୁ ଧରି ପକାଇ ପାଖକୁ ଟାଣି ନେଲେ; ଜାଲରେ ଆବଦ୍ଧ ପ୍ରଜାପତି ପରି ତାଙ୍କ ଭ୍ରୂଲତା ଦୁଇଟି ଏଥାନ୍‍ଙ୍କ ଗଣ୍ଡରେ ଘଷି ହେଉଥାଏ ।

 

ମ୍ୟାଟି ଥଙ୍ଗେଇ ଥଙ୍ଗେଇ କହିଲେ, ‘‘ହୋଇଛି କ’ଣ ? କ’ଣ ହୋଇଚି ମୋତେ କହ ।’’ ଏତେବେଳକୁ ଏଥାନ୍‍ଙ୍କ ଅଧର ମ୍ୟାଟିଙ୍କ ଅଧରକୁ ସ୍ପର୍ଶ କରିଥାଏ ଓ ଆଉ ସବୁ କଥାକୁ ବିସ୍ମୃତି ଗର୍ଭକୁ ଠେଲି ଦେଇ, ସେଇ ଅଧରରୁ ମିଳୁଥିବା ଆନନ୍ଦକୁ ପିଇ ଯାଉଥାଏ ।

 

ମ୍ୟାଟି ଜାଣି ଜାଣି ଏଇ ଅବସ୍ଥାରେ କେତେ ସମୟ ରହିଲେ, ଏଥାନ୍ ଆନନ୍ଦର ଯେଉଁ ସ୍ରୋତରେ ପଡ଼ିଥାନ୍ତି, ସେଇ ସ୍ରୋତ ମ୍ୟାଟିଙ୍କୁ ମଧ୍ୟ ଟାଣି ନେଇଥାଏ । କ୍ଷଣକ ପରେ ମ୍ୟାଟି ଏଥାନ୍‍ଙ୍କ ବାହୁ ବନ୍ଧନରୁ ଖସିଗଲେ ଓ ପାଦେ ଦୁଇ ପାଦ ପଛକୁ ହଟିଯାଇ ବିମର୍ଷ ଓ ଭୟରେ ତାଙ୍କ ଆଡ଼କୁ ଚାହିଁ ରହିଲେ । ତାଙ୍କର ଏହି ଚାହାଣି ଏଥାନ୍‍ଙ୍କୁ ଅନୁଶୋଚନାର ତାଡ଼ନା ଦେଲା । ସ୍ୱପ୍ନରେ ମ୍ୟାଟି ବୁଡ଼ି ଯାଉଥିବାର ଦେଖିଲା ପରି ସେ ଚିତ୍କାର କରି ଉଠିଲେ, ‘‘ତୁମେ ଯାଇପାରିବ ନାଇଁ, ମ୍ୟାଟି ! ମୁଁ ତୁମକୁ ଯିବାକୁ ଦେବିନାହିଁ ।’’

 

‘‘ଯିବି—ଯିବି ? ମୋତେ ତାହାହେଲେ କ’ଣ ଯିବାକୁ ପଡ଼ିବ ?’’

 

ଏଇ ଯିବା କଥାଟାର ପ୍ରତିଧ୍ୱନି ୟାଙ୍କଠାରୁ ତାଙ୍କ ପାଖକୁ ଓ ତାଙ୍କଠାରୁ ୟାଙ୍କ ପାଖକୁ ଅନବରତ ଯିବା ଆସିବା କରୁଥାଏ, ଅନ୍ଧାର ଭିତରେ ସତର୍କ-ବତୀ ସ୍ୱରୂପ ।

 

ନିଜକୁ ସଂଯତ କରି ନପାରି ଏଡ଼େ ନିଷ୍ଠୁର ଭାବରେ ଖବରଟା ମ୍ୟାଟିଙ୍କୁ ଦେଇଦେବା ଯୋଗୁଁ ଏଥାନ୍ ଲାଜରେ ସଡ଼ି ଯାଇଥାନ୍ତି । ତାଙ୍କର ମୁଣ୍ଡ ଘୁରିଗଲା ଓ ସେ ଟେବୁଲକୁ ଧରି ଥୟ ହେଲେ । ସେ ବିଚାରୁଥାଆନ୍ତି, ସତେ ଯେମତି ସେ ସବୁବେଳେ ମ୍ୟାଟିଙ୍କୁ ଚୁମା ଦେଉଛନ୍ତି, ଅଥଚ ତାଙ୍କର ଅଧର ପାଇଁ ଆକାଙ୍‍କ୍ଷାରେ ତାଙ୍କର ପ୍ରାଣ ଛଟପଟ ହେଉଛି ।

 

ମ୍ୟାଟି ପଚାରିଲେ, ‘‘ଏଥାନ୍, ଘଟିଛି କ’ଣ ? ଜୀନା କ’ଣ ମୋ ଉପରେ ଖୁବ୍ ଚିଡ଼ି ଯାଇଛନ୍ତି ?’’

 

ତାଙ୍କର ଏଇ ଚିତ୍କାର ଯୋଗୁଁ ଏଥାନ୍ ଥୟ ହୋଇଗଲେ, ଯଦିଓ ତାଙ୍କ ଅନ୍ତର ଭିତରେ କ୍ରୋଧ ଓ ଅନୁକମ୍ପା ଗାଢ଼ତର ହେଉଥାଏ । ସେ ମ୍ୟାଟିଙ୍କୁ ଆଶ୍ୱାସନା ଦେଲେ, ‘‘ନା, ନା, ତାହା ନୁହେ । ଏଇ ଯେଉଁ ନୂଆ ଡାକ୍ତର ପାଖକୁ ଜୀନା ଯାଇଥିଲେ ସେ ୟାଙ୍କୁ ରୋଗ ବିଷୟରେ ଡରେଇ ଦେଇଛି । ତୁମେ ତ ଜାଣ, ଜୀନା ଯେଉଁ ଡାକ୍ତରଙ୍କୁ ପ୍ରଥମେ ଦେଖନ୍ତି, ତାଙ୍କର ସବୁ କଥାକୁ ଗୁରୁବଚନ ପରି ବିଶ୍ୱାସ କରି ପକାନ୍ତି । ସେ ଡାକ୍ତର ୟାଙ୍କୁ କହିଛି ଯେ, ୟେ ଯଦି ମାସ ମାସ ଧରି ଘର କାମରେ ଆଦୌ ହାତ ନ ଦେଇ ପଡ଼ି ନରହନ୍ତି ତେବେ ୟାଙ୍କ ରୋଗ ଭଲ ହେବନାହିଁ ।’’

 

ଏଥାନ୍ ତୁନି ହେଲେ । ମ୍ୟାଟିଙ୍କୁ ଦେଖି ! ତାଙ୍କ ଆଖି ବ୍ୟଥାରେ ଭରି ଯାଉଥାଏ । ମ୍ୟାଟି ଟିକିଏ ନୀରବରେ ଠିଆ ହେଲେ, ତା’ପରେ ଏଥାନ୍‍ଙ୍କ ଆଗରେ ଭଙ୍ଗା ଡାଳ ପରି ଭାଙ୍ଗି ପଡ଼ିଲା ପରି ଦିଶିଲେ କେଡ଼େ ସାନ ଓ କେଡ଼େ ଦୁର୍ବଳ, ଏଇ ମ୍ୟାଟି ! ତାଙ୍କୁ ଦେଖି ଏଥାନ୍‍ଙ୍କ ଛାତି ଧଡ଼ ଧଡ଼ ହେଉଥାଏ । କିନ୍ତୁ ହଠାତ୍ ମ୍ୟାଟି ମୁଁଣ୍ଡ ଟେକିଲେ ଓ ଏଥାନ୍‍ଙ୍କ ଆଡ଼କୁ ସିଧା ଚାହିଁ ପଚାରିଲେ, ‘‘ସେଇଥିପାଇଁ ଜୀନା ଚାହୁଁଛନ୍ତି । ମୋ ଜାଗାରେ ଅଧିକା ପାରିବାର ପରିଚାରିକାଟିଏ ରଖିବେ । ଏଇଆ ନା ?’’

 

‘‘ଆଜି ରାତିରେ ତ ସେଇଆ କହୁଛନ୍ତି ।’’

 

‘‘ଆଜି ରାତିରେ ଯଦି ୟା କହୁଛନ୍ତି, ତେବେ କାଲି ସକାଳେ ବି ସେଇଆ କହିବେ ।’’

 

ଦୁହେଁ ଏଇ ନିରାଟ ସତ ଆଗରେ ମୁଣ୍ଡ ନୁଆଁଇଲେ; ଉଭୟ ଜୀନାଙ୍କର ମନ ବଦଳେ ନାହିଁ । ତାଙ୍କ ପକ୍ଷରେ, ଥରେ ସଂକଳ୍ପ କରିଦେଲେ ତ, କାର୍ଯ୍ୟଟା ସଂପନ୍ନ ହେଲା ବୋଲି ବୁଝିବାକୁ ହୁଏ । ଦୁହେଁ ବହୁ ସମୟ ନରବରେ ରହିଲେ । ତା’ପରେ ମ୍ୟାଟି ଫୁଟ୍ ଫୁଟ୍ କରି କହିଲେ, ‘‘ଏଥାନ୍, ଏଥିପାଇଁ ଗୁଡ଼ାଏ ବେଶି ବ୍ୟସ୍ତ ହୁଅନାହିଁ ।’’

 

ଏଥାନ୍ ବ୍ୟଥାରେ କହିଲେ, ‘‘ହେ ଭଗବାନ୍ । ହେ ଭଗବାନ୍ ! ‘‘ମ୍ୟାଟିଙ୍କ ପ୍ରତି ତାଙ୍କ ମନରେ କାମର ଯେଉଁ ଉଲ୍ଲାସ ଜାତ ହୋଇଥିଲା ତାହା ତରଳି ଯାଇ ବ୍ୟଥିତ ଅନୁକମ୍ପାରେ ରୂପାନ୍ତରିତ ହୋଇଥାଏ । ଏଥାନ୍ ଚାହିଁଲେ, ମ୍ୟାଟି କ୍ଷିପ୍ର ଭାବରେ ଆଖିପତା ଚଳାଇ ଲୋତକର ସୁଅକୁ ବାନ୍ଧି ଅଟକାଇବାରେ ଲାଗିଛନ୍ତି । ତାଙ୍କର ମନ ହେଲା, ସେ ମ୍ୟାଟିଙ୍କୁ ଜାକି ପକାଇ ସାନ୍ତ୍ୱନା ଦିଅନ୍ତେ ।

 

ପ୍ରଫୁଲ୍ଲତାର କ୍ଷୀଣ ଆଭାସ ଦେଖାଇ ମ୍ୟାଟି ଚେତାଇ ଦେଲେ, ‘‘ତୁମେ ନଖାଇ ଖାଦ୍ୟକୁ ଥଣ୍ଡା କରି କରି ଦେଉଛ ।’’

 

‘‘ମ୍ୟାଟ୍‍ ଓ ମ୍ୟାଟ୍ ତୁମେ ଏବେ ଯିବ କେଉଁଠିକି ?’’

 

ମ୍ୟାଟିଙ୍କର ଆଖି ବୁଜି ହୋଇଗଲା; ମୁହଁରେ ଗୋଟାଏ କମ୍ପନ ଖେଳିଗଲା । ଏଥାନ୍ ଲକ୍ଷ୍ୟ କଲେ, ଏଇଥର ଭବିଶ୍ୟତର ଚିନ୍ତା ମ୍ୟାଟିଙ୍କ ମନରେ ସ୍ପଷ୍ଟ ଭାବେ ଉଦିତ ହୋଇଛି । ସେ କହିଲେ, ‘‘ହୁଏତ ଷ୍ଟାମଫୋର୍ଡରେ କାମ ଦାମ ଗୋଟାଏ କ’ଣ ମିଳିବ ।’’ ଏ ଆଶା ବୃଥା ବୋଲି ଏଥାନ୍ ମନେ କରୁଥିବାର ଆଶଙ୍କା କରି ସଂଶୟରେ ତାଙ୍କ ସ୍ୱର ଥରିଗଲା ।

 

ଏଥାନ୍ ନିଜ ଚଉକିରେ ବସି ପଡ଼ି ହାତରେ ମୁହଁକୁ ଢାଙ୍କି ରଖିଲେ । କାମ ପାଇଁ ପୁଣି ସନ୍ତପ୍ତ ହୃଦୟରେ ମ୍ୟାଟିଙ୍କୁ ଏକୁଟିଆ ବୁଲିବାକୁ ହେବ ଏଇ କଥା ଭାବି ଏଥାନ୍‍ଙ୍କ ହୃଦୟରେ ନୌରାଶ୍ୟ ଭରିଗଲା । ଯେଉଁ ଗୋଟିକ ଜାଗାରେ ସେ ପରିଚିତା ସେଠାରେ ତାଙ୍କ ପ୍ରତି କେବଳ ଉଦାସୀନତା ଓ ବିଦ୍ୱେଷ ଭରି ରହିଛି । ଅଭିଜ୍ଞତା ହୀନା, ଶିକ୍ଷା-ହୀନା ମ୍ୟାଟି ସହରମାନଙ୍କର ଲକ୍ଷ ଲକ୍ଷ ଚାକିରି–ପ୍ରାର୍ଥୀଙ୍କ ଭିତରେ କୁଳ କିନାରା ପାଇବେ ବୋଲି କେଉଁ ଆଶା ? ୱାରସେଷ୍ଟରରେ ସେ ଯେଉଁ କରୁଣ କାହାଣୀ ଶୁଣିଥିଲେ ସେ ସବୁ ମନେ ପଡ଼ିଲା; ମ୍ୟାଟିଙ୍କ ପରି ଯେଉଁ ତରୁଣୀମାନେ ବହୁ ଆାଶା ଆକାଙ୍‍କ୍ଷା ଧରି ଜୀବନ ଆରମ୍ଭ କରିଥିଲେ ସେମାନଙ୍କ ଅବସନ୍ନ..... । ଏ ସବୁ ମନେ ପଡ଼ି ଏଥାନ୍‍ଙ୍କ ହୃଦୟରେ ବିଦ୍ରୋହର ନିଆଁ ଜଳି ଉଠିଲା । ସେ ହଠାତ୍ ଚେହେଁକି ଉଠିଲେ ।

 

‘ମ୍ୟାଟ୍‍ ! ତୁମର ଯିବା କଥା ହେବ ନାହିଁ । ମୁଁ ତୁମକୁ ଯିବାକୁ ଦେବି ନାହିଁ । ତା’ ମନ-ମାଫି ସବୁକାମ ସବୁବେଳେ କରୁଛି । ଏଥର ମୋ ମନ-ମାଫି ମୁଁ ବ୍ୟବସ୍ଥା କରିବି...... ।’’

 

ମ୍ୟାଟି ତରତରରେ ହାଇଟେକି ସଂକେତ ଦେଲେ; ଏଥାନ୍ ଶୁଣିଲେ, ତାଙ୍କ ସ୍ତ୍ରୀଙ୍କ ପାଦ ଶବ୍ଦ ।

 

ଜୀନା ତାଙ୍କ ସ୍ୱାଭାବିକ ରୀତିରେ ପାଦ ଘୋଷାରି ଧୀରେଧୀରେ ହୋଇ ଘର ଭିତରେ ପଶିଲେ ଓ ଏଥାନ୍ ଓ ମ୍ୟାଟିଙ୍କ ମଝିରେ ତାଙ୍କ ମାମୁଲି ଜାଗାରେ ବସିଲେ ।

 

‘‘ମୋତେ ଏତେବେଳକୁ ଟିକିଏ ସୁଖ ଲାଗିଲା । ପୁଣି ଡାକ୍ତର କହିଛନ୍ତି, ଭୋକ ଥାଉ ନ ଥାଉ ଖୁବ୍ ଖାଅ । ନ ଖାଇଲେ ଦେହରେ ବଳ ଆସିବ ନାହିଁ । ଏତକ ତାଙ୍କ ନୀରାସ ବିକଳ ସ୍ୱରରେ କହି ମ୍ୟାଟିଙ୍କ ଆରପଟକୁ ଥୁଆ ହୋଇଥିବା ଚା-ପାତ୍ରକୁ ହାତ ବଢ଼ାଇଲେ । ତାଙ୍କ ଭଲ ପୋଷାକ ବଦଳାଇ ପ୍ରତ୍ୟହ ଘରେ ପିନ୍ଧୁଥିବା କଳା ସୁତୁଲି ଘାଘରା ଓ ପାଟଳ ଶାଲ ସେ ପିନ୍ଧିଥାନ୍ତି-। ମାମୁଲି ପୋଷାକ ସହିତ ତାଙ୍କ ମାମୁଲି ଚେହେରା ଓ ଚଳଣି ମଧ୍ୟ ଫେରି ଆସିଥାଏ । ସେ କପରେ ଚା ଢାଳିଲେ, ବେଶି କରି ଦୁଧ ମିଶାଇଲେ ଓ ବଡ଼ କରି ଖଣ୍ଡେ ପିଠା ନେଇ ଆଚାର ସଙ୍ଗେ ଖାଇବାକୁ ଲାଗିଲେ; ଖାଇବା ପୂର୍ବରୁ, ଦୈନଦିନ ରାତିରେ ତାଙ୍କ କୁତ୍ରିମ ଦାନ୍ତକୁ ଭଲ କରି ପାଟିରେ ବସାଇ ଦେଲେ । ବିରାଡ଼ିଟା ଗେହ୍ଲେଇ ହୋଇ ତାଙ୍କ ଦେହରେ ଘଷି ହେଲା, ସେ ତାକୁ ‘ସୁନା ପୁସି’ ବୋଲି ଗେଲ କଲେ ଓ ନିଜ ପ୍ଲେଟରୁ ଖଣ୍ଡେ ମାଂସ ତା ଆଡ଼କୁ ପକାଇ ଦେଲେ-

 

ଏଥାନ୍ ଚୁପ ହୋଇ ବସିଥାନ୍ତି, ଖାଇବାର ଛଳ ବି କରୁଥାନ୍ତି, କିନ୍ତୁ ମ୍ୟାଟି ନିଦକ ଭାବରେ ଖାଦ୍ୟରୁ ଟିକିଏ ଟିକିଏ ଦାନ୍ତଉଥାନ୍ତି ଓ ଜୀନାଙ୍କୁ ତାଙ୍କ ବେଟସ୍‍ ବ୍ରିଜ୍ ଗସ୍ତ ବିଷୟରେ ପ୍ରଶ୍ନ ଗୋଟିଏ ଯୋଡ଼ିଏ ବି ପଚାରୁଥାନ୍ତି । ଜୀନା ଏ ପ୍ରଶ୍ନମାନଙ୍କର ଉତ୍ତର ତାଙ୍କ ସବୁଦିନିଆ ସ୍ୱରରେ ଦେଲେ ଓ ଗସ୍ତ ବିଷୟରେ ଗପିବାକୁ ମନ ସୁରେଇ ଯିବାରୁ ଏଥାନ୍ ଓ ମ୍ୟାଟିଙ୍କୁ ତାଙ୍କ ବନ୍ଧୁ ଓ ଅତୀୟମାନଙ୍କର ଆନ୍ତ୍ରୀକ ବିକାର ବିଷୟରେ ସବିଶେଷ ବର୍ଣ୍ଣନା କରି ଆମୋଦିତ ବି କଲେ । ସେ କହିଲାବେଳେ ସିଧା ମ୍ୟାଟିଙ୍କ ମୁହଁକୁ ବି ଚାହୁଁଥିନ୍ତି । ଓ ମୃଦୁ ହାସ୍ୟରେ ତାଙ୍କ ନାକ ମୂଳରୁ ଦୁଇ ଅଧର କୋଣର ସିଧା ହୋଇ ପଡ଼ିଥିବା ରେଖା ଦୁଇଟା ଟିକିଏ ମୋଟ ବି ଦିଶୁଥାଏ ।

 

ଖିଆ ସରିଲା ପରେ ସେ ତାଙ୍କ ଚଉକିରୁ ଉଠିଲେ ଓ ତାଙ୍କ ହୃତ୍‌ପିଣ୍ଡ ପାଖା ପାଖି ପଟାଳିଆ ଅଂଶରେ ହାତ ଦେଇ ଠିଆ ହେଲେ; ଖୁସି ହୋଇ ବି କହିଲେ, ‘‘ମ୍ୟାଟ୍, ତୋ’ର ଏ ପିଠାଗୁଡ଼ାକ ଜୀର୍ଣ୍ଣ କରିବାକୁ ସବୁବେଳେ କଷ୍ଟ ହୁଏ ।’’ ମ୍ୟାଟିଙ୍କ ନାମରେ ସଂକ୍ଷିପ୍ତ ରୂପ ସେ ପ୍ରାୟ ବ୍ୟବହାର କରନ୍ତି ନାହିଁ; କିନ୍ତୁ ଯେତେବେଳେ କଦବା କେମିତି ବ୍ୟବହାର କରନ୍ତି ସେତେବେଳେ ତାଙ୍କ ଆନ୍ତରିକତାର ସୂଚନା ମିଳେ ।

 

ସେ ପୁଣି କହିଲେ ‘‘ମୋର ଖୁବ୍ ମନ ହେଉଛି, ଯାଇ ସେଇ ହଜମି ଚୂର୍ଣ୍ଣ ଖୋଜନ୍ତି, ଯାହାକୁ ମୁଁ ଆର ବର୍ଷ ସ୍ପ୍ରିଙ୍ଗ୍‍ ଫି୍‌ଲ୍‌ଡ୍‌ରୁ ଆଣିଥିଲି । ସେ ଚୂର୍ଣ୍ଣ ମୁଁ ଅନେକ ଦିନ ହେଲା ବ୍ୟବହାର କରିନାହିଁ; ବିଚାରୁଛି, ତା’କୁ ଖାଇଲେ ଛାତିରେ ପୋଡ଼ାଜଳାଟା କମିଯିବ ।’’

 

ମ୍ୟାଟି ଆଖି ଟେକି ତାଙ୍କ ଆଡ଼କୁ ଚାହିଁ ଭରସି କରି କହିଲେ ମୁଁ ଯାଇ ତାହା ଖୋଜି କରି ଆଣିଲେ ହୁଅନ୍ତା ନାଇଁ, ଜୀନା !’’

 

ଜୀନା ଟିକିଏ ସନ୍ଦେହ କଲା ପରି, ତା’ଙ୍କ ରହସ୍ୟମୟ ଚାହାଣି ଚାହିଁ କହିଲେ, ‘‘ନା, ସେ ଯେଉଁଠି ଅଛି ସେ ଜାଗା ତୁ ଦେଖିନାହୁଁ ।’’

 

ଜୀନା ରୋଷେଇଘରୁ ବାହାରିଲେ ଓ ମ୍ୟାଟ୍ ତାଙ୍କ ଚଉକିରୁ ଉଠି ଟେବୁଲ୍ ସଫା କରିବାରେ ଲାଗିଲେ । ସେ ଯେତେବେଳେ ଏଥାନ୍‍ଙ୍କ ଚଉକି ପାଖେ ଗଲେ ସେତେବେଳେ ଦୁହିଁଙ୍କର ଆଖିର ମିଳନ ହେଲା; ଦୁହେଁ ପରସ୍ପରକୁ ବିଷାଦଭରା ଚାହାଣିରେ ଟିକିଏ ଚାହିଁ ରହିଲେ-। ଉଷ୍ମ ଓ ନୀରବ ରୋଷେଇଘର କାଲି ରାତି ପରି ଶାନ୍ତିମୟ ଜଣା ଯାଉଥାଏ । ବିରାଡ଼ି ଯାଇ ଜୀନାଙ୍କ ଝୁଲା ଚଉକିରେ ଆସ୍ଥାନ ଜମାଇ ଥାଏ ଓ ଚୁଲିର ତାତି ଜେରାନିଅମ୍ ଫୁଲରୁ କ୍ଷୀଣ କିନ୍ତୁ ତୀବ୍ର ମହକ କାଢ଼ୁଥାଏ । ଏଥାନ୍ ଅଳସରେ ମୋଡ଼ି ଭିଡ଼ି ହୋଇ ଚଉକିରୁ ଉଠି ଠିଆହେଲେ-

 

କନ୍ଦିଘରୁ ଲଣ୍ଠନ ଆଣିବାକୁ ଯାଉ ଯାଉ ସେ କହିଲେ, ‘‘ମୁଁ ଯାଇ ଟିକିଏ ଚାରିଆଡ଼େ ଘେରାଟାଏ ମାରି ଚାଲି ଆସେ ।’’

 

ଦୁଆର ମୁଁହକୁ ଏଥାନ୍ ଯାଇଛନ୍ତି, ଦେଖିଲେ ଜୀନା ରାଗରେ ତମ ତମ ହୋଇ ରୋଷେଇ ଘରକୁ ଆସୁଛନ୍ତି; ରାଗରେ ଓଠ ଦୁଇଟା ଥରୁଛି, ରାଗ ଯୋଗୁଁ ତାଙ୍କ ପାଣ୍ଡୁର ମୁହଁରେ ଟିକିଏ ରକ୍ତ ଚହଟି ଯାଇଛି; ଶାଲ୍‌ଟା ତାଙ୍କ କାନ୍ଧରୁ ଖସି ଯାଇ ଗୋଡ଼ରେ ଚକଟି ହୋଇ ଘୁଷୁରି ଘୁଷୁରି ଆସୁଥାଏ; ସେ ହାତରେ ଧରିଥାନ୍ତି ନାଲିଆ କାଚର ଆଚାର ଗିନାର ଭଗ୍ନାବଶେଷ ।

 

ଏଥାନ୍‍ଙ୍କୁ ଓ ମ୍ୟାଟିଙ୍କୁ କ୍ରମ ପର୍ଯ୍ୟାୟରେ ଚାହିଁ ସେ କହିଲେ, ‘‘ଏ କାମ କିଏ କରିଛି ମୁଁ ଜାଣିବାକୁ ଚାହେଁ ।’’

 

କିଛି ଉତ୍ତର ନ ପାଇବାରୁ ସେ ରାଗରେ ସ୍ୱର ଥରାଇ କହିଲେ, ‘‘ବାପାଙ୍କ ପୁରୁଣା ଚଷମା ଖୋଳରେ ରଖିଥିବା ସେଇ ଚୂର୍ଣ୍ଣ ଆଣିବାକୁ ମୁଁ ଗିନା ଆଲମାରିର ଓପର ଥାକରେ ଆଖି ବୁଲାଇଲି । ଲୋକେ ସେଠେଇ ଘଣ୍ଟା ଘଣ୍ଟି କରିପାରିବେ ନାହିଁ ବୋଲି ମୋର ପ୍ରିୟ ଜିନିଷ ସବୁ ମୁଁ ଓପର ଥାକରେ ରଖେ– ।’’ ତାଙ୍କର ସ୍ୱର ପଡ଼ିଗଲା ଓ କ୍ଷୁଦ୍ର ଲୋତକ ବିନ୍ଦୁ ତାଙ୍କର ଲୋମହୀନ ଆଖି ପତାରେ ଦେଖା ଦେଇ ଆସ୍ତେ ଆସ୍ତେ ତାଙ୍କ ଗଣ୍ଡ ଦେଶକୁ ବହିଗଲା । ‘‘ଓପର ଥାକରେ ହାତ ପହଞ୍ଚିବାକୁ ହେଲେ ଛୋଟ ନିଶୁଣିଟା ଦରକାର ହୁଏ । ସେଇଥିପାଇଁ ଆାମ ବିବାହ ବେଳେ ଫିଲୁରା ମ୍ୟାପଲ୍‌ ପୀଉସୀଙ୍କୁ ଆଚାର ରଖା ଗିନାଟା ମୁଁ ସେଇ ଓପର ଥାକରେ ରଖିଥିଲି । ସେଇ ଦିନୁଁ ଆାଜି ଯାଏଁ ତାହା କେବେ ତଳକୁ ଆସି ନ ଥିଲା । ବସନ୍ତ ଋତୁରେ ଘର ସଫା ହେଲାବେଳେ, ଜିନିଷଟି ଭାଙ୍ଗିଯିବ ନାହିଁ ବୋଲି ନିଜ ହାତରେ ତାକୁ ଧରେ ।’’ ସେ ଭଙ୍ଗା କାଚ ଖଣ୍ଡ ଗୁଡ଼ିକ ଖୁବ୍ ଭକ୍ତି ଭାବରେ ଟେବୁଲ୍ ଉପରେ ଥୋଇଲେ, କମ୍ପିତ ସ୍ୱରରେ କହିଲେ, ‘‘ୟାକୁ କିଏ ଏମିତି କରିଛି ମୁଁ ଜାଣିବାକୁ ଚାହେଁ ।’’

 

ଏ ଆହ୍ୱାନରେ ଏଥାନ୍ ଘର ଭିତରକୁ ଫେରି ଆସିଲେ ଓ ଜୀନାଙ୍କ ମୁହାଁ ମୁହିଁ ହୋଇ କହିଲେ, ‘‘ଜାଣିବାକୁ ଚାହଁ ଯେବେ, ମୁଁ କହୁଛି । ୟେ ବିରାଡ଼ିର କାମ ।’’

 

‘‘ବିରାଡ଼ି ?’’

 

‘‘କହିଲି ପରା !’’

 

ଜୀନା କଠୋର ଦୃଷ୍ଟିରେ ଏଥାନ୍‍ଙ୍କୁ ଚାହିଁଲେ ଓ ତା’ ପରେ ମ୍ୟାଟିଙ୍କ ଉପରକୁ ଆଖି ଫେରାଇଲେ; ପଚାରିଲେ, ‘‘ମୋ ଗିନା ଆଲମାରିକୁ ବିରାଡ଼ି ଗଲା କେମେତି ମୁଁ ଜାଣିବାକୁ ଚାହେଁ-।’’

 

‘‘ମୂଷାକୁ ଗୋଡ଼ାଇ ଯାଇଥିବ ।’’ ଏଥାନ୍‌ ଜବାବ୍‌ ଦେଲେ । କାଲି ସଂନ୍ଧ୍ୟାରେ ମୂଷାଟାଏ ରୋଷେଇ ଘରେ ଲଙ୍ଗର ପଙ୍ଗର ହେଉଥିଲା । ଜୀନା ଏଥାନ୍‍ଙ୍କୁ ଚାହୁଁଥାନ୍ତି, ମ୍ୟାଟିଙ୍କୁ ଚାହୁଁଥାନ୍ତି । ତା’ ପାରେ ସେ ହସିଲେ ତାଙ୍କର ବିକୃତ ହସ । ଚଢ଼ା ଗଳାରେ କହିଲେ, ‘‘ମୁଁ ଜାଣିଛି ଯେ ବିରାଡ଼ିଟା ଭାରି ଚତୁର ବିରାଡ଼ି । କିନ୍ତୁ ସେ ଏଡ଼େ ଚତୁର ଯେ ଆଚାର ଗିନାର ଭଙ୍ଗାକାଚ ଗୁଡ଼ିକ ନେଇ, ଯେଉଁ ଥାକରୁ ଖସାଇଥିଲା ସେଇଠି ତାକୁ ଧାରକୁ ଧାର ଯୋଡ଼ି ଥୋଇ ଦେଲା ! ଏଡ଼େ ଚତୁର ବୋଲି ମୁଁ ଜାଣି ନଥିଲି ।’’

 

ମ୍ୟାଟି ହଠାତ୍‌ ଗରମ୍ ପାଣି ଟବ୍‌ରୁ ହାତ ବାହାର କରି କହିଲେ, ‘‘ୟେ ଏଥାନ୍‍ଙ୍କର ଦୋଷ ନୁହେଁ, ଜୀନା ! ବିରାଡ଼ି ଗିନାଟା ଭାଙ୍ଗିବାଟା କଥା ସତ; କିନ୍ତୁ ମୁଁ ତାକୁ ଚୀନା ଆଲମାରିରୁ କାଢ଼ିଥିଲି । ଗିନାଟି ଯେ ଭାଙ୍ଗିଗଲା । ସେ ଦୋଷ ମୋର ।’’

 

ଜୀନା ତାଙ୍କ ପ୍ରିୟ ବସ୍ତୁର ଭଗ୍ନାବଶେଷ ପାଖରେ ଠିଆ ହୋଇଥାନ୍ତି ରାଗରେ ପଥର ପରି । ‘‘ତୁଇ କାଢ଼ିଲୁ ମୋ ଆଚାର ଗିନା ? କାହିଁକି କାଢ଼ିଲୁ ଲୋ ?’’

 

ମ୍ୟାଟିଙ୍କ ମୁଖମଣ୍ଡଳ ଉଜ୍ୱଳ ଦିଶିଲା । ସେ କହି ପକାଇଲେ, ‘‘ଟେବୁଲ୍‌ଟି ସୁନ୍ଦର ଦିଶିବ ବୋଲି ମୁଁ କାଢ଼ିଥିଲି ।’’

 

‘‘ରାତ୍ରି ଭୋଜନ ପାଇଁ ଟେବୁଲ୍ ସୁନ୍ଦର କରୁଥିଲୁ, ତୁଇ ? ଏ ଜିନିସଟି କାଢ଼ିବୁ ବୋଲି ତୁ ମୋ ଗୋଡ଼କୁ ଚାହିଁ ରହିଥିଲୁ ? ମୁଁ ଘରୁ ଗୋଡ଼ କାଢ଼ିବା ମାତ୍ରେ ତୁ ମୋର ସବୁଠାରୁ ପ୍ରିୟ ବସ୍ତୁଟି କାଢ଼ି ଟେବୁଲ୍‌ ସଜାଉଥିଲୁ ? ଧର୍ମଯାଜକ ଏ ଘରେ ମଧ୍ୟାହ୍ନ ଭୋଜନକୁ ଆସିଲାବେଳେ ମୁଁ ୟାକୁ କାଢ଼ି ନଥିଲି; ମାର୍ଥା ପିଉସୀ ବେଟ୍‌ସ୍‌ ବ୍ରିଜ୍‌ ଆସିଲାବେଳେ ମୁଁ ୟାକୁ କାଢ଼ିନଥିଲି—’’ ଜୀନା ଧଇଁ ସଇଁ ହୋଇ ଟିକିଏ ଅଟକି ଗଲେ; ଧର୍ମଯାଜକ ଆସିଲାବେଳେ ସୁନ୍ଦର ଜିନିଷଟି ଲୁଚେଇ ରଖିଲେ ବୋଲି ମନରେ ଭୟ ହେଲା ବୋଧହୁଏ । ତା’ ପରେ ପୁଣି ଚାଲିଲା–

 

‘‘ମ୍ୟାଟି ସିଲ୍‌ଭର୍‌ ! ତୁ ଗୋଟାଏ ଖରାପ୍‌ ମାଇକିନିଆ । ବହୁତ ଦିନରୁ ଏହା ମୁଁ ଜାଣିଛି-। ତୋ’ ବାପର ଏଇ ଢଙ୍ଗ ଥିଲା । ତୋତେ ଆଣିବା ବେଳେ ମୋର ବନ୍ଧୁମାନେ ମୋତେ ସାବ୍‌ଧାନ୍‌ କରିଥିଲେ । ସେଇ ହେତୁ ମୋର ପ୍ରିୟ ଜିନିଷ ତୋ’ ହାତ ନ ପହଞ୍ଚିବା ଜାଗାରେ ମୁଁ ରଖେ । ସବୁଠାରୁ ଯେଉଁଟି ଓପରେ ମୋ’ର ବେଶି ସ୍ନେହ, ତୁ ତା’ରି ଉପରେ ଆଖି ପକାଇଲୁ ।’’ ସେ ଅଟକି ଯାଇ କୋହରି ହୋଇ କାନ୍ଦିଲେ । କାନ୍ଦ ବନ୍ଦ ହେଲା ପରେ ସେ ହୋଇଗଲେ ପଥର ପରି ନିର୍ମମ ।

 

‘‘ତୋ ନାଁରେ ଲୋକେ ଯାହା କହୁଥିଲେ ମୁଁ ଯଦି ଶୁଣିଥାନ୍ତି ତୁ’ କେବେଠୁ ଯାଇ ସାରନ୍ତୁଣି । ଆଉ ଏ କଥା ଘଟି ନଥାନ୍ତା ।’’ ଏତକ କହି ସେ ଭଙ୍ଗା କାଚଖଣ୍ଡଟିମାନ ଧରି ରୋଷେଇଘରୁ ବାହାରିଗଲେ । ମୁର୍ଦ୍ଦାର ବୋହିନେଲା ପରି ସେ ଗମ୍ଭୀର ଭାବେ ଯାଉଥାନ୍ତି ।

 

ଅଷ୍ଟମ ପରିଚ୍ଛେଦ

 

ବାପାଙ୍କ ବେରାମ୍ ଯୋଗୁଁ ଯେତେବେଳେ ଏଥାନ୍‍ଙ୍କୁ ପାଠପଢ଼ା ଛାଡ଼ି, ଚାଷକାମ କରିବା ପାଇଁ ଘରକୁ ଫେରିବାକୁ ପଡ଼ିଲା ସେତେବେଳେ, ତାଙ୍କ ମା’ ତାଙ୍କ ନିଜ ବ୍ୟବହାର ପାଇଁ ଘରର ଗୋଟିଏ ସାନ କୋଠରୀ ଛାଡ଼ିଦେଲେ । ସେତେବେଳେ ବ୍ୟବହାର ନ କରୁଥିବା ‘ବଡ଼ ବୈଠକ ଖାନା’ ପଛରେ ଏ କୋଠରୀଟି । ଏଥାନ୍‌ ଏଇ କୋଠରୀଟିରେ ନିଜ ବହିପତ୍ର ରଖିବା ପାଇଁ କେତୋଟି ଛୋଟ କାନ୍ଥ ଆଲ୍‌ମାରି, କାନ୍ଥରେ କଣ୍ଟାମାରି ଓହଳାଇଥାନ୍ତି; କେତେଖଣ୍ଡ କାଠପଟା ଓ ଗୋଟାଏ ଶେଯରେ ଗୋଟିଏ ସୋଫା ତିଆରି କରି ପକାଇଥାନ୍ତି, ରୋଷେଇ ଘରୁ କାଠପଟା ଆାଣି ତା’ ଉପରେ ନିଜର କାଗଜପତ୍ର ସଜାଡ଼ି ରଖିଥାନ୍ତି; କାନ୍ଥରେ ମାରିଥାନ୍ତି ଆବ୍ରାହମ୍‌ ଲିଙ୍କନ୍‌ଙ୍କର ଗୋଟିଏ ପ୍ରତିକୃତି ଓ ଝୁଲାଇଥାନ୍ତି ଗୋଟିଏ କ୍ୟାଲେଣ୍ଡର୍‌—ଏଥିରେ ‘‘କବି ମାନଙ୍କର ଚିନ୍ତାବଳୀ’’ ଉଦ୍ଧାର କରା ହୋଇଥାଏ । ସେ ୱାରସେଷ୍ଟରରେ ଥିଲାବେଳେ ଜଣେ ଅଧ୍ୟାପକ ତାଙ୍କୁ ସୁଖ ପାଉଥିଲେ ଓ ପଢ଼ିବାକୁ ବହିପତ୍ର ଧାର ଦେଉଥିଲେ । ଉପରୋକ୍ତ ସାମାନ୍ୟ ସାମାନ୍ୟ ଜିନିଷରେ ଏଥାନ୍‌ ନିଜ କୋଠରୀଟି ଅଧ୍ୟାପକ ପଢ଼ାଘର ପରି ସଜାଇଥାନ୍ତି । ଏବେ ବିଭାହେବାର ପରେ ବି ସେ ଖରାଦିନେ ଏଇ ଘରଟିରେ ବସାଉଠା କରୁଥିଲେ । କିନ୍ତୁ ମ୍ୟାଟି ତାଙ୍କ ଘରେ ରହିବାକୁ ଆସିବାରେ ଏ ଘରେଥିବା ଚୁଲିଟି ତା’ଙ୍କୁ ଦେବାକୁ ପଡ଼ିଲା; ଫଳରେ ଅଧିକାଂଶ ସମୟ ଏ ଘରେ ରହିବା ଅସମ୍ଭବ ହୋଇପଡ଼ିଲା ।

 

ଆଜି ଘରେ ଟିକିଏ ନିଶ୍ଚଳ ହେବାପରେ ଏଥାନ୍‌ ତାଙ୍କର ଏଇ ପୁରୁଣା ଆଶ୍ରୟସ୍ଥଳକୁ ବାଗେଇଲେ, ଶୋଇବା ଘରୁ ଜୀନାଙ୍କ ଅବିଚଳିତ ନିଶ୍ୱାସ ପ୍ରଶ୍ୱାସ ଶବ୍ଦ ଶୁଣି ନିଶ୍ଚିତ ହୋଇଥାନ୍ତି ଯେ ରୋଷେଇଘରେ ଯେଉଁ କାଣ୍ଡ ଘଟିଲା ତାହାର କୌଣସି ପରିଶିଷ୍ଟ ଆଉ ଆଜି ଘଟିବାକୁ ନାହିଁ ଜୀନା । ରୋଷେଇ ଘର ଛାଡ଼ି ଯିବା ପରେ ସେ ଓ ମ୍ୟାଟି ତୁନି ହୋଇ ନିଜ ନିଜ ସ୍ଥାନରେ ଉଠି ଠିଆ ହେଲେ, କେହି କାହା ପାଖକୁ ଆସିବାକୁ ଭରସୁ ନଥାନ୍ତି । ଟିକକ ପରେ ମ୍ୟାଟି ରୋଷେଇ ଘର ସଫାସୁତୁରା କରିବାରେ ପୁଣି ଲାଗିଗଲେ ଓ ଏଥାନ୍ ଲଣ୍ଠନ ଧରି ତାଙ୍କ ଦୈନନ୍ଦିନ ରୀତିରେ ଘରର ବାହାରପଟ ବୁଲି ଦେଖି ଆସିବାକୁ ଗଲେ । ସେ ଫେରିଲା ବେଳକୁ ରୋଷେଇଘର ଖାଲି; ମ୍ୟାଟି କାମ ସାରି ଉପରକୁ ଯାଇ ସାରିଥାନ୍ତି । କିନ୍ତୁ ଏଥାନ୍‌ ଦେଖିଲେ ତାଙ୍କ ଧୂଆଁପତ୍ର ମୁଣି ଓ ପାଇପ୍‌ ଆସି ଟେବୁଲ୍‌ ଉପରେ ଥୁଆ ହୋଇଛି ଓ ତା’ ତଳେ ମଞ୍ଜି ମୁଞ୍ଜା କ୍ୟାଟାଲଗ୍‌ରୁ ଚିରା ହୋଇଥିବା କାଗଜ ଟୁକୁରାଟିଏ ରହିଛି—ସେଥିରେ ଲେଖା ହୋଇଛି ତିନୋଟି ଶବ୍ଦ, ‘‘ଏଥାନ୍ ! ବ୍ୟସ୍ତ ହୁଅନା ।’’

 

ନିଜର ଅନ୍ଧାରିଆ ଓ କାଲୁଆ ‘ପଢ଼ାଘର’ ଭିତରକୁ ଯାଇ, ଏଥାନ୍‌ ଲଣ୍ଠନଟା ଟେବୁଲ୍ ଉପରେ ରଖିଲେ ଓ ଲଣ୍ଠନର କ୍ଷୀଣ ଆଲୁଅ ଆଡ଼କୁ ଝୁଙ୍କିପଡ଼ି କାଗଜ ଟୁକୁରାରେ ଲେଖା ହୋଇଥିବା ଆଶ୍ୱାସନା ବାଣୀ ବାରମ୍ବାର ପଢ଼ିବାକୁ ଲାଗିଲେ । ମ୍ୟାଟି ତାଙ୍କ ପାଖକୁ ଚିଠି ଲେଖିବା ଏଇ ସର୍ବପ୍ରଥମ; ତାଙ୍କ ଲେଖା ଖଣ୍ଡିକ ହାତରେ ଧରିବାରୁ ଏଥାନ୍‍ଙ୍କ ମନରେ ଗୋଟିଏ ବିଚିତ୍ର ଅନୁଭୂତି ଖେଳି ଯାଇଥାଏ ଯେ ମ୍ୟାଟି ଆସି ତାଙ୍କରି ପାଖରେ ଠିଆ ହୋଇଛନ୍ତି । ସଙ୍ଗେ ସଙ୍ଗେ ମନରେ ହେଲା, ଏଥର ଏଣିକି ଏଇପରି ଚିଠି ବ୍ୟତୀତ ଆଉ କୌଣସି ଉପାୟରେ ସେ ମ୍ୟାଟିଙ୍କ ସହିତ ଆଳାପ କରିପାରିବେ ନାହିଁ । ଏ ଭାବ ଯୋଗୁଁ ମନରେ ବିଷାଦ ଆହୁରି ଉତ୍କଟ ହୋଇ ପଡ଼ିଲା । ସେଇ ଏକ ଚିନ୍ତା ତାଙ୍କ ମନକୁ ଅନବରତ ଘାଣ୍ଟି ପକାଉ ଥାଏ—ତାଙ୍କ ସରସ ଜୀବନ୍ତ ମୃଦୁହାସ୍ୟ ପରିବର୍ତ୍ତେ, ତାଙ୍କ ମନୋନ୍ମାଦକାରୀ କଣ୍ଠସ୍ୱର ବଦଳରେ, ଏଥର ଏଣିକି ମିଳିବ ନୀରସ କାଗଜ ଓ ନିର୍ଜୀବ ପଦାବଳୀ ।

 

ଏ ପରିସ୍ଥିତି ବିରୁଦ୍ଧରେ ବିଦ୍ରୋହର ବିଶୃଙ୍ଖଳ ଆବେଗ ତାଙ୍କ ମନକୁ ଆନ୍ଦୋଳିତ କରିବାକୁ ଆରମ୍ଭ କଲା । ତାଙ୍କର ଯୁବା ବୟସ, ଦେହରେ ପୂରା ତାକତ୍‌ ଅଛି, ମନରେ ଜୀବନ ସମ୍ଭୋଗର ପ୍ରବୃତ୍ତି ଭରି ରହିଛି; ଏ ଅବସ୍ଥାରେ ସେ ନିଜର ଭବିଷ୍ୟତ୍‌ ସୁଖ-ଶାନ୍ତିର ଏ ବିପର୍ଯ୍ୟୟକୁ କ’ଣ ନିର୍ବିବାଦରେ ମାନିଯିବେ ? ଗୋଟାଏ ଅନୁଦାର, କଳହପରାୟଣା ମାଇକିନିଆକୁ ଧରି ନିଜର ସମସ୍ତ ଭବିଷ୍ୟତ ବର୍‍ବାଦ୍‌ କରିଦେବେ ? ମନରେ କେତେ ଆଶା ଆକାଂକ୍ଷା ଥିଲା, ଜୀନାର ସଂକୀର୍ଣ୍ଣ ମନ ଓ ଅନୁଭୂତିର ଅଭାବ ଯୋଗୁଁ ସେ ସବୁକୁ ଗୋଟି ଗୋଟି କରି ଜଳାଞ୍ଜଳି ଦିଆ ସରିଛି । ଏ ତ୍ୟାଗ ପ୍ରତିଦାନରେ ତାଙ୍କୁ ମିଳିଛି କ’ଣ ? ବେଳକୁ ବେଳ ଅବସ୍ଥା ଅଧିକରୁ ଅଧିକ ଖରାପ ହୋଇଛି; ବିଭାଘର ଦିନୁଁ ଜୀନା ଶହେ ଗୁଣ ଅଧିକ ତିକ୍ତ ଓ ଅସନ୍ତୁଷ୍ଟା ହୋଇଛନ୍ତି । ଜୀନାଙ୍କର ମନରେ ବର୍ତ୍ତମାନ ଏକମାତ୍ର ଆନନ୍ଦ, ତାଙ୍କ ଆତ୍ମାକୁ କଷ୍ଟ ଦେଇ କଲବଲ । ଏଇଭଳି ଭାବି ଭାବି ଏଥାନ୍‍ଙ୍କ ମନରେ ସଂକଳ୍ପ ଜାତ ହେଲା, ନିଜର ଜୀବନକୁ ବରବାଦ୍‍ ହେବାକୁ ଦେବେ ନାହିଁ । ଆତ୍ମରକ୍ଷା କରିବାକୁ, ନିଜର ସୁଖଶାନ୍ତି ଫେରାଇ ଆଣିବାକୁ ସ୍ୱଭାବଜ ପ୍ରବୃତ୍ତି ତାଙ୍କ ମନରେ ଜାଗି ଉଠିଲା ।

 

ସେ ପିନ୍ଧିଥିବା ଚମଡ଼ା କୋଟ୍ ଭିତରେ ଜାକି ଜୁକି ହୋଇ ସୋଫାରେ ଆଉଜିପଡ଼ି ଆତ୍ମଚିନ୍ତା କରିବାକୁ ଲାଗିଲେ । ସୋଫାରେ ଆଉଜିଲାବେଳେ ତାଙ୍କ ଗାଲରେ ଟାଣ ହୋଇ କ’ଣ ଗୋଟେ ବାଜିଲା, ଅଦ୍‍ଭୁତ ଭାବେ ଆବୁ ଆବୁଆ ହୋଇଥିବା ଗୋଟାଏ କ’ଣ ପର୍ଦାଥ ! ସେ ଚାହିଁ ଦେଖିଲେ, ବିବାହ-ନିର୍ବନ୍ଧ ହୋଇଥିବା ବେଳେ ତାଙ୍କ ପାଇଁ ସିଲେଇ କରିଥିବା ଗଦିଟା ୟେ ! ଜୀବନରେ ଜୀନା ସିଲେଇ କାମ ବୋଇଲେ ଏତିକି କରିଥିବାର ତାଙ୍କର ଆଖିରେ ପଡ଼ିଛି । ବିରକ୍ତିରେ ଏଥାନ୍‌ ଏଇଟା ଧରି ଭୂଇଁରେ ଫୋପାଡ଼ି ଦେଲେ ଓ କାନ୍ଥରେ ମୁଣ୍ଡ ଭରା ଦେଇ....... ।

 

ପର୍ବତର ଆରପାଖରେ ଗୋଟାଏ ମଣିଷ କଥା ମନେ ପଡ଼ିଲା ଟୋକାଟାଏ ତାଙ୍କରି ବୟସର ହେବ । ଠିକ୍‌ ଏଇପରି ଦୁର୍ଦ୍ଦଶାରୁ ଉଦ୍ଧାର ପାଇବାକୁ ସେ ପଶ୍ଚିମାଞ୍ଚଳକୁ ଚାଲିଗଲା, ନିଜର ମନକୁ ଘେନିଥିବା ତରୁଣୀକୁ ସାଙ୍ଗରେ ଧରି । ତା’ ପତ୍ନୀ ତା’କୁ ଛାଢ଼ପତ୍ର ଦେଲାପରେ ସେ ଏ ତରୁଣୀକୁ ବିଧିମତେ ବିଭା ହେଲା ଓ ଜୀବନରେ ସୁଖ ପାଇଲା । ଗତ ବର୍ଷ ଖରାଦିନେ ଶ୍ୟାହ୍‍ ସଫଲ୍‌ସ୍‌ ସହରରେ ଏଥାନ୍‌ ଏ ଦୁହିଁଙ୍କୁ ଦେଖିଛନ୍ତି; ବନ୍ଧୁମାନଙ୍କୁ ଭେଟିବାକୁ ଏ ଦୁହେଁ ନିଜ ବାସସ୍ଥାନରୁ ଆସିଥିଲେ । ତାଙ୍କର ଗୋଟିଏ ଛୋଟିଆ ଝିଅ ସାଙ୍ଗରେ ଆସିଥାଏ, ତା’ ମୁଣ୍ଡରେ କେଡ଼େ ସୁନ୍ଦର କୁଞ୍ଚୁ କୁଞ୍ଚିଆ ବାଳ, ବେକରେ ଥାଏ ସୁନାର ଗୋଟିଏ ତାବିଜ୍, ଲୁଗା ପିନ୍ଧିଥାଏ ରାଜକନ୍ୟାପରି । ଛାଡ଼ପତ୍ର ପାଇଥିବା ପ୍ରଥମ ସ୍ତ୍ରୀ ମଧ୍ୟ ଦୁଃଖ ତ ପାଇନାହିଁ । ସ୍ୱାମୀଠାରୁ ଚାଷଜିମ ଓ ଘର ମିଳିଥିଲା, ତା’କୁ ବିକି ଯାହା ମିଳିଲା ଓ ଛାଡ଼ପତ୍ର ପରେ ସ୍ୱାମୀଠାରୁ ଖୋରାକ ପୋଷାକ ବାବତ୍ ଯାହା ପାଇଲା ସେଥିରେ ସ୍ତ୍ରୀଲୋକଟି ବେଟ୍‌ସ୍‌ ବ୍ରିଜରେ ଖୋଲିଲା ଗୋଟିଏ ହୋଟେଲ୍‌ । କାମଧନ୍ଦାରେ ମନ ଆନ୍‌ମନା ହୋଇ ତା’ର ସ୍ୱାସ୍ଥ୍ୟ ଭଲ ହେଲା, ହୋଟେଲ୍‌ରୁ ଭଲ ପଇସା ମିଳିବାରୁ ସମାଜରେ ପ୍ରତିପତ୍ତି ବି ବଢ଼ିଲା ।

 

ଏଇ ଘଟଣାଟା ମନେ ପଡ଼ିଯିବାରୁ ଏଥାନ୍‌ ଉତ୍ସାହିତ ହୋଇ ଉଠିଲେ । କାଲି ମ୍ୟାଟିଙ୍କୁ ଏକୁଟିଆ ଯିବାକୁ ନ ଦେଇ, ସେ ତାଙ୍କ ସଙ୍ଗେ ଏ ସ୍ଥାନ ଛାଡ଼ି ଚାଲି ନ ଯିବେ କାହିଁକି ? ସେ ତାଙ୍କ ଚମଡ଼ା ବ୍ୟାଗଟା ବଗିର ସିଟ୍‌ ତଳେ ଲୁଚାଇ ରଖିଦେବେ; ଦି ପହରେ ଶୋଇବାକୁ ଓପର ଘରକୁ ଯାଇ ଖଟରେ ତାଙ୍କ ଚିଠି ଦେଖିବା ପର୍ଯ୍ୟନ୍ତ ଜୀନା ତାଙ୍କ ଯିବାକଥାର କିଛି ଟେର୍‌ ବି ପାଇପାରିବେ ନାହିଁ ।

 

ମନର ଝୁଙ୍କି ଭିତରୁ ଉଠି ମନ-ଗହନର ବେଳାଭୂମିରେ ପିଟି ହେଉଥାଏ । ସେ ଧଡ଼କିନି ଉଠି, ଲିଭାଇ ଦେଇଥିବା ଲଣ୍ଠନଟା ପୁଣି ଲଗାଇ, ଯାଇ ବସିଲେ ଟେବୁଲ୍ ପାଖ ଟେବୁଲ୍‌ର । ଗୋଟାଏ ଦରଜା ଘଣ୍ଟା ଘଣ୍ଟି କରି ଖଣ୍ଡେ ଅଲେଖା କାଗଜ ପାଇ ଆରମ୍ଭ କଲେ ଲେଖିବାକୁ ।

 

‘‘ଜୀନା ! ତୁମ ପାଇଁ, ଯାହା ପାରିଛି, ସବୁ କରିଛି । କିନ୍ତୁ ଦେଖୁଛି, ତୁମକୁ ସନ୍ତୋଷ ଦେଇ ପାରିନାହିଁ । ଏଥିପାଇଁ ତୁମକୁ ଦୋଷ ଦେଉ ନାହିଁ କି, ମୋ’ର ଦୋଷ ହୋଇଛି ବୋଲି ବୁଝୁନାହିଁ । ବିଚାରୁଛି, ବୋଧହୁଏ ଆମେ ଦୁହେଁ ଛାଡ଼ବାଡ଼ ହୋଇଗଲେ ଦୁହିଁଙ୍କର ମଙ୍ଗଳ ହେବ । ‘‘ମୁଁ ପଶ୍ଚିମାଞ୍ଚଳକୁ ଯାଉଛି, ମୋ’ର ଭାଗ୍ୟ ପରୀକ୍ଷା କରିବି । ଚାଷଜମି, ଚାଷଘର ଓ କରତକଳ ତୁମକୁ ଦେଉଛି । ୟାକୁ ବିକି ଏ ଟଙ୍କାରେ– ।’’

 

ଏଇଠାରେ ତାଙ୍କ କଲମ ଅଟକିଲା । ନିଜ ଅବସ୍ଥାର ନିଷ୍ଠୁର ବାସ୍ତବତା ବିଷୟରେ ସେ ସଜାଗ ହେଲେ । ଚାଷଘର, ଜମି ଓ କରତକଳ ଯଦି ସେ ଜୀନାଙ୍କୁ ଛାଡ଼ି ଦିଅନ୍ତି, ତେବେ ନିଜ ଜୀବନ ଆରମ୍ଭ କରିବା ପାଇଁ ତାଙ୍କ ପାଖେ ଆଉ କି ସମ୍ବଳ ରହିବ ? ଅବଶ୍ୟ ପଶ୍ଚିମରେ ଯାଇ ପହଞ୍ଚିବା ମାତ୍ରେ ସେ କାମ ପାଇବେ—ସେ ବିଷୟରେ ତାଙ୍କର ସଂଶୟ ନ ଥାଏ—ଏକୁଟିଆ ହୋଇଥିଲେ, ପଇସାଟିଏ ନ ନେଇ ମଧ୍ୟ ବାହାରି ଯିବାକୁ ଭୟ ହୁଅନ୍ତା ନାହିଁ । କିନ୍ତୁ ମ୍ୟାଟିଙ୍କୁ ଯେ ବେକରେ ବାନ୍ଧି କରି ନେବାକୁ ହେବ ! —ବେପରୁଆ ହୋଇ ଚାଲିଯିବା ଚଳିବ ନାହିଁ । ଏଣେ, ଜୀନାଙ୍କ ଦଶା ପୁଣି କ’ଣ ହେବ ? ଚାଷଜମି, ଘର ଓ କରତକଳର ମୂଲ୍ୟ ଯେତିକି ହେବ, ସେତିକି ପର୍ଯ୍ୟନ୍ତ ଟଙ୍କା, ସେ ସବୁ ବନ୍ଧକ ଦେଇ ଅଣାସରିଛି । ଯଦି ବା ୟାକୁ ଲୋକ ମିଳିବେ—ମିଳିବା ତ ଆଦୌ ସମ୍ଭବ ଜଣା ପଡ଼ୁନାହିଁ–ତେବେ ବନ୍ଧକଟଙ୍କା ପରିଶୋଧ କଲା ବାଦ ପାଞ୍ଚ ସାତ ହଜାର ଜୀନାଙ୍କୁ ମିଳିଲା ପରି । ପୁଣି ଏ ସବୁ ବିକ୍ରୀ ହେବା ଯାଏଁ ୟାକୁ ଜୀନା ଚଳାଇବେ କିପରି ? ନିଜେ ଅନବରତ ଖଟି, ୟା ଉପରେ ସବୁବେଳେ ନିଜର ଦୃଷ୍ଟି ରଖି ସେ କଷ୍ଟେ ମଷ୍ଟେ ଚଳିଯିବା ଭଳି ଯାହା କିଛି ଏଥିରୁ ପାଉଛନ୍ତି । ଯେତେ ବିଚାରୁଛି ସେତେ ରୋଗିଣୀ ନୋହି, ସେ ସୁସ୍ଥ ସବଳ ହୁଏ, ତଥାପି ମାଇକିନିଆ ଜୀବ ଏକୁଟିଆ ଏ ଜଞ୍ଜାଳ ତୁଲାଇବ କିପରି ?

 

ହଉ ଯଦି ଏଥିକୁ ନ ପାରିବେ, ତେବେ ସେ ତାଙ୍କ ନିଜ ଜନ୍ମସ୍ଥାନର ଆତ୍ମୀୟମାନଙ୍କ ପାଖକୁ ଯାଇ, ସେମାନଙ୍କ ସାହାଯ୍ୟରେ ଚଳିଯିବାକୁ ଚେଷ୍ଟା କରି ପାରନ୍ତି । ଏବେ ତ ମ୍ୟାଟିଙ୍କୁ ସେ ସେଇ ରାସ୍ତାକୁ ତଡ଼ି ଦେବାକୁ ବାହାରିଛନ୍ତି ! ନିଜେ ଥରେ ଚେଷ୍ଟା କରି ଦେଖନ୍ତୁ, ତାଙ୍କ ଆତ୍ମୀୟମାନେ କେତେ ଆପଣାର ? ଜୀନା ବୁଝା ବୁଝି କରି, ତାଙ୍କ ନିଜର ନୂଆ ଠିକଣା ପାଇ, ତାଙ୍କ ନାମରେ ଛାଡ଼ପତ୍ର ମକଦ୍ଦମା ଦାଏର୍‌ କଲାବେଳକୁ, ସେ ନିଶ୍ଚୟ ଯେଉଁଠାରେ ଥିବେ ସେଠି ଯଥେଷ୍ଟ ରୋଜଗାର କରୁଥିବେ ଓ ତାଙ୍କୁ ଭଲରେ ଚଳିବାଭଳି ଖୋରାକ ପୋଷାକ ଟଙ୍କା ଦେବାକୁ ସମର୍ଥ ହୋଇଥିବେ ! ୟେ ତ ହେଲା ଗୋଟାଏ ଦିଗ, ଧର ୟା ନକରାଯିବ, ତେବେ ଗତ୍ୟନ୍ତର କ’ଣ ? —ମ୍ୟାଟିଙ୍କୁ ଏକୁଟିଆ ଚାଲିଯିବାକୁ ହେବ; ଭବିଷ୍ୟତରେ ଜୀନାଙ୍କୁ ଚଳିବା ପାଇଁ ଯେଉଁ ସମ୍ବଳ ମିଳିବାର ଆଶା, ସେ ଆଶା ମଧ୍ୟ ୟାଙ୍କର ନ ଥିବ... ।

 

ସେ ଅଲେଖା କାଗଜ ଖଣ୍ଡେ ଖୋଜିବାବେଳେ ଟେବୁଲ ଦରାଜରେ ଥିବା କାଗଜାତ୍‌ ଖେଳିଆ ଖେଳି କରି ଦେଇଥିଲେ । ଲେଖା ବନ୍ଦ କରି ସେଇ ସବୁ କାଗଜ ଆଡ଼କୁ ଆଖି ବୁଲାଇଲା ବେଳେ ‘ବେଟସ୍‌ ବ୍ରିଜ୍‌ ଇଗଲ୍‌’ ପତ୍ରିକାର ଗୋଟାଏ ପୁରୁଣା ସଂଖ୍ୟା ଉପରେ ନଜର ପଡ଼ିଲା । ବିଜ୍ଞାପନ ପାଖଟା ଉପରକୁ ଦିଶୁଥାଏ; ଗୋଟିଏ ବିଜ୍ଞାପନର ଲୋଭନୀୟ ଧାଡ଼ିଟାଏ ସେ ପଢ଼ିଲେ, ‘‘ପଶ୍ଚିମ ଯାତ୍ରା କରିବାର ଅପୂର୍ବ ସୁଯୋଗ—ରେଲ–ଭଡ଼ା ଇତ୍ୟାଦି ଖର୍ଚ୍ଚ ବହୁତ କମାଇ ଦିଆ ହୋଇଛି ।’

 

ସେ ଲଣ୍ଠନଟା ପାଖକୁ ଟାଣି ଆଣିଲେ ଓ ଉଦବେଗର ସହିତ ରେଲ୍‌ ଭଡ଼ା ଇତ୍ୟାଦିର ତଫସିଲ୍‌ ଉପରେ ଆଖି ବୁଲାଇ ନେଲେ । ମୁହୂର୍ତ୍ତକ ଭିତରେ ଖବରକାଗଜଟା ତାଙ୍କ ହାତରୁ ଖସିପଡ଼ିଲା ଓ ସେ ଅଧାଲେଖା ହୋଇଥିବା ଚିଠି ଖଣ୍ଡ ମୁହଁ ଆଗରୁ ଦୂରକୁ ଆଡ଼େଇ ଦେଲେ । ଅଳ୍ପ ଟିକକ ପୂର୍ବରେ ସେ ବିଚାରୁ ଥିଲେ, ପଶ୍ଚିମରେ ଯାଇ ପହଞ୍ଚି ସେ ଓ ମ୍ୟାଟି କେମିତି ଚଳିବେ-? ସେତ ଦୂରର କଥା । ବର୍ତ୍ତମାନ ସେ ଦେଖିଲେ, ମ୍ୟାଟିଙ୍କୁ ସାଙ୍ଗରେ ନେଇ ପଶ୍ଚିମକୁ ଯିବାର ରାସ୍ତାଖର୍ଚ୍ଚ ବି ତାଙ୍କ ପାଖରେ ନାହିଁ । ଟଙ୍କା-ଧାର କରିବା ତ ଅସମ୍ଭବ । ବନ୍ଧକ ଦେବା ଯୋଗ୍ୟ ତାଙ୍କର ଯେଉଁ ଟିକକ ସଂପତ୍ତି ଅବଶିଷ୍ଟ ଥିଲା ସେତକ ବନ୍ଧକ ଦେଇ ଛ’ ମାସ ପୂର୍ବେ ସେ କରତକଳର ମରାମତ ପାଇଁ ଟଙ୍କା ଉଠାଇ ସାରିଛନ୍ତି । ସେ ଭଲ କରି ଜାଣନ୍ତି, ଉପଯୁକ୍ତ ବନ୍ଧକ ନ ଦେଲେ ଷ୍ଟାକଫିଲଡ୍‌ର କେହି ତାଙ୍କୁ ଟଙ୍କା ପଚାଶଟା ବି ଧାର ଦେବେ ନାହିଁ । ଏହି ନିର୍ମମ ବାସ୍ତବତା ତାଙ୍କର ମନର ବେଗକୁ ଥମାଇଦେଲା, ଠିକ୍‌ ଜେଲ୍‌ଖାନାର ପ୍ରହରୀ କଏଦୀ ବେଡ଼ି ପିନ୍ଧାଇଲା ପରି । ସେ ବୁଝିଲେ ଆଉ ଗତ୍ୟନ୍ତର ନାହିଁ; ଏଇଠାରେ ଜୀବନତମାମ ବନ୍ଦୀ ହୋଇ ପଡ଼ି ରହିବାକୁ ପଡ଼ିବ । ଜୀବନରେ ଆଶା-ଆଲୋକର ଯେଉଁ କ୍ଷୀଣ ଶିଖାଟି ଜଳୁଥିଲା ତାହା ସମ୍ପୂର୍ଣ୍ଣ ନିର୍ବାପିତ ହେବାକୁ ଆଉ ଅଧିକ ବିଳମ୍ୱ ନାହିଁ ।

 

ସେ ମନ୍ଥର ପଦରେ ପୁଣି ସୋଫା ଉପରକୁ ଫେରିଲେ; ତା’ରି ଉପରେ ପଡ଼ି ଗୋଡ଼ ହାତକୁ ଟିକିଏ ସାଷ୍ଟାମ କଲେ, ଗୋଡ଼ ହାତ ଏପରି ଗରୁଆ ଜଣାଯାଉଥାଏ ଯେ, ତାଙ୍କର ଭୟ ହେଲା, ଏମାନଙ୍କର ଚଳନଶକ୍ତି ବୋଧହୁଏ ଅବିଳମ୍ୱେ ଲୋପହେବ । ତାଙ୍କ କଣ୍ଠଦେଶରେ କୋହ ଉଠିଲା ଓ ତାହା ଆସ୍ତେ ଆସ୍ତେ ଉପରକୁ ଉଠି ଆଖି ପତାରେ ତତଲା ଲୁହ ରୂପେ ଜକେଇଲା ।

 

ସୋଫା ଉପରେ ସେ ସେହିପରି ଅନିଦ୍ରା ହୋଇ ପଡ଼ିଥାନ୍ତି, ତାଙ୍କ ଆଗ ପଟର ଝରକା କାଚ କ୍ରମେ ଉଜ୍ଜ୍ୱଳ ଦିଶିଲା ଓ ଘରର ଅନ୍ଧାର ଉପରେ, ଚନ୍ଦ୍ରାଲୋକିତ ଆକାଶରୁ ଖଣ୍ଡେ ଆଣି ଥୋଇଲା । ଗଛର ଗୋଟିଏ ବଙ୍କା ଡାଳ ଝରକାର ଏଇ ଆଲୋକକୁ ଦ୍ୱିଖଣ୍ଡିତ କରୁଥାଏ—ଏ ଡାଳଟି ତାଙ୍କର ସେଇ ଆପେଲ୍‌ଗଛର ଯାହାର ମୂଳରେ ଖରାଦିନର ସନ୍ଧ୍ୟାଗମରେ ମ୍ୟାଟିଙ୍କୁ ବସିଥିବାର ସେ କରତକଳରୁ ଫେରି ବେଳେ-ବେଳେ ଦେଖନ୍ତି ।

 

ଚନ୍ଦ୍ରଙ୍କୁ ଆବୃତ କରି ରଖିଥିବା ଜଳୀୟବାଷ୍ପଭରା ମେଘର ଆବରଣ ସତେ ଯେପରି ଚନ୍ଦ୍ରଙ୍କ ଆଲୋକର ତାପରେ ତରଳି ଗଲା ଏବଂ ନୀଳ ଆକାଶରେ ନିର୍ମଳ ଚନ୍ଦ୍ର ବିରାଜିଲେ । ଏଥାନ୍‌, କହୁଣି ଭରାଦେଇ ମୁହଁ ଟେକି ଚାହିଁଲେ ଚାରିଆଡ଼େ ଚନ୍ଦ୍ରଙ୍କର ଶ୍ୱେତଚ୍ଚ୍ଥଟା ବିଛୁରିତ ହୋଇ ଯାଉଛି ଓ ସତେ ଯେପରି ଚନ୍ଦ୍ର-ଶିଳ୍ପୀଙ୍କର ହାତ ବାଜି ପ୍ରକୃତି ରମଣୀୟ ରୂପରେ ବିକଶି ଉଠୁଛି । ଏଇଭଳି ଚନ୍ଦ୍ରାଲୋକିତ ରାତିରେ ସେ ମ୍ୟାଟିଙ୍କୁ ସାଙ୍ଗରେ ନେଇ ତୁଷାରବୃତ ଗଡ଼ନ୍ତିରେ ଖେଳିଥାନ୍ତେ ବୋଲି ବିଚାରିଥିଲେ । ଯେଉଁ ଲଣ୍ଠନ ସେ ଦୁହିଁଙ୍କୁ ସେଠାରେ ବାଟ କଢ଼େଇ ନିଅନ୍ତା ସେ ବି ଏଠାରେ ପ୍ରସ୍ତୁତ ହୋଇ ରହିଛି । ଚନ୍ଦ୍ରାଲୋକରେ ଉଦ୍‌ଭାସିତ ସେଇ ଗଡ଼ନ୍ତି ଆଡ଼କୁ ସେ ଝରକା ବାଟେ ଚାହିଁଲେ; ତା’ର ଆର ପାଖରୁ ବନର ଅନ୍ଧକାର ଦିଶୁଥାଏ, ସେ ଅନ୍ଧକାର ପ୍ରାନ୍ତରେ ଚନ୍ଦ୍ରକିରଣ କଳା ଶାଢ଼ିର ଜରି ଧଡ଼ି ପରି ଦିଶୁଥାଏ; ଦିଗ୍‌ବଳୟ ଉପରେ ପାହାଡ଼ର ଭୀମକାନ୍ତ ପିଙ୍ଗଳଛାୟା ପଡ଼ିଥାଏ । ଏଥାନ୍‍ଙ୍କର ମନେ ହେଲା, ସତେ ଯେପରି ତାଙ୍କ ଦୀନାବସ୍ଥାକୁ ବିଦ୍ରୂପ କରିବା ପାଇଁ ଆଜିର ଏ ରାତି ନିଜର ସମସ୍ତ ବିଭୂଷଣରେ ସଜ୍ଜିତ ହୋଇ ବାହାରିଛି...... ।

 

ତାଙ୍କୁ ନିଦ ମାଡ଼ିଗଲା । ଉଠିଲା ବେଳକୁ, ଶୀତଦିନ ସକାଳର କୋହଲା କୋଠରୀଟିକୁ ଅଧିକାର କରି ରହିଛି । ତାଙ୍କୁ ଭାରି ଶୀତ ହେଉଥାଏ । ହାତ ଗୋଡ଼ କାଠ ହୋଇଯାଇଥାଏ, ଭୋକ ବି କରୁଥାଏ । ତାଙ୍କ ମନର ଏ ଅବସ୍ଥାରେ ବି ଭୋକ ହେବାରୁ ସେ ଳଜ୍ଜିତ ହେଲେ । ଆଖି ମଳି ମଳି ସେ ଝରକା ପାଖକୁ ଗଲେ । ଗହୀରର ଧୂଷର ପ୍ରାନ୍ତରେ ରକ୍ତ ରଞ୍ଜିତ ସୂର୍ଯ୍ୟ ଉଇଁ ଆସୁଥାନ୍ତି; ତାଙ୍କ ସମ୍ମୁଖର ଗଛବୃକ୍ଷ ବଳ-ସୂର୍ଯ୍ୟ ଆଲୋକରେ କୃଶ ଓ କୃଷ୍ଣ ଦିଶୁଥାନ୍ତି । ଏଥାନ୍‌ ମନକୁ ମନ କହିଲେ, ‘‘ଆଜି ମ୍ୟାଟ୍‌ଙ୍କର ଏଠାରେ ଶେଷ ଦିନ’’; ମ୍ୟାଟ୍‌ ନଥାଇ ଏ ସ୍ଥାନଟା କିପରି ଦିଶିବ ତାହା ସେ କଳ୍ପନା ଚକ୍ଷୁରେ ଦେଖିବାକୁ ଚେଷ୍ଟା କରିବାକୁ ଲାଗିଲେ ।

 

ଏଥାନ୍ ସେଇଠାରେ ସେଇପରି ଠିଆ ହୋଇଛନ୍ତି, ପଛରେ ପଦଶବ୍ଦ ଶୁଶାଗଲା; ମ୍ୟାଟ୍‌ ଆସି ପହଞ୍ଚିଲେ ।

 

‘‘ଓହୋ ! ଏଥାନ୍‌ ! ସମଗ୍ର ରାତିଟା ଯାକ ତୁମେ ଏଇଘରେ କଟାଇଲ ?’’

 

ନିଜର ଛୋଟିଆ ପୁରୁଣା ପୋଷାକରେ ଚିପି ଚାପି ହୋଇ ମ୍ୟାଟି ଖୁବ୍‌ ସାନ ଦିଶୁଥାନ୍ତି; ନାଲିଆ ଓଢ଼ଣି ଖଣ୍ଡି ତାଙ୍କ ବକ୍ଷ ସ୍ଥଳକୁ ଅବୋରି ଥାଏ, ଶୀତ ସକାଳର ଆଲୁଅରେ ତାଙ୍କର ପାଣ୍ଡୁର କପୋଳ ରକ୍ତହୀନ ଦିଶୁଥାଏ । ତାଙ୍କର ଏ କାକୁସ୍ଥ ରୂପ ଦେଖି ଏଥାନ୍‌ କିଛି କହିପାରିଲେ ନାହିଁ ।

 

ମ୍ୟାଟିଙ୍କ କଥାର କିନ୍ତୁ ବିରାମ ନାହିଁ; ନିଜର ଜ୍ୟୋତିହୀନ ଚକ୍ଷୁ ଏଥାନ୍‍ଙ୍କ ଉପରକୁ ହାଣି ସେ ଅଭିଯୋଗ କରି ଚାଲିଲେ, ‘‘ତୁମେ ତ ଶୀତରେ ଖାଡ଼େଙ୍ଗା ହୋଇ ଯିବଣି ।’’

 

ଏଥାନ୍‌ ତାଙ୍କ ଆଡ଼କୁ ପାଦେ ଆଗେଇ କହିଲେ, ‘‘ମୁଁ ଏଠାରେ ଅଛି ବୋଲି ତୁମେ ଜାଣିଲ କିମିତି ?’’

 

‘‘କିମିତି ଆଉ ଜାଣନ୍ତି ? ମୁଁ ଶୋଇବାକୁ ଯିବା ପରେ ତୁମେ ପୁଣି ସିଡ଼ିରେ ତଳକୁ ଯିବାର ଶୁଣିଲି । ରାତିଯାକ ମୁଁ କାନ ଡେରିଛି । କିନ୍ତୁ ତୁମେ ଆଉ ସିଡ଼ି ଚଢ଼ିବାର ଶୁଣି ନାଇଁ !’’

 

ଏଥାନ୍‍ଙ୍କ ଅନ୍ତରର ସମସ୍ତ କୋମଳତା ଆସି ଅଧରରେ ଜମିଯାଇ ଅଧର ଦୁଇଟିକୁ ଥରାଇ ଦେଲେ । ସେ ମ୍ୟାଟିଙ୍କ ଆଖିକୁ ଚାହିଁ କହିଲେ, ‘‘ମୁଁ ଯାଉଛି ସାଙ୍ଗେ ସାଙ୍ଗେ ରୋଷେଇଘର ଚୁଲିରେ ନିଆଁ ଧରାଇ ଦେବି ।’’

 

ଦୁହେଁ ଏକ ସଙ୍ଗେ ରୋଷେଇ ଘରକୁ ଗଲେ । ଏଥାନ୍‌ ବାହାରୁ କୋଇଲା ଓ ନିଆଁ ଧରାଇବାକୁ ଫୁରି କାଠ ଆଣିଲେ ଓ ଚୁଲିରୁ ପାଉଁଶ କାଢ଼ି ନେଇ ଆଞ୍ଚ ଲଗାଇ ଦେଲେ । ମ୍ୟାଟି ଯାଇ ଗାଇ ଦୁହିଁ ଦୁଧ ଆଣିଲେ ଓ କାଲିର ମାଂସ ପୂରଦିଆ ପିଠାରୁ ଯେଉଁ ଖଣ୍ଡକ ବଳିଥିଲା ତା’କୁ ଉଷୁମ କରିବାକୁ ବାହାରକଲେ । ଚୁଲିରୁ ତାତି ବାହାରି ଘରୁ ଶୀତକୁ ତଡ଼ି ଉଷୁମ କଲା ବେଳକୁ ସୂର୍ଯ୍ୟ ବି ସହଯୋଗ କରି ରୋଷେଇଘରର ଚଟାଣକୁ ତାଙ୍କର ପ୍ରଥମ କିରଣ ପଠାଇଦେଲେ । ଏହି ସରସ ପରିବେଶରେ ଏଥାନ୍‍ଙ୍କ ହୃଦୟର ବ୍ୟଥା ଦୂର ହୋଇଗଲା । ପୂର୍ବର ଅନେକ ସକାଳରେ ମ୍ୟାଟି ଯେପରି ଚଞ୍ଚଳ ହସ୍ତ ପଦରେ ନିଜର ପ୍ରାତଃ-କୃତ୍ୟରେ ଲାଗିଥାନ୍ତି ଆଜି ବି ସେଇପରି ଲାଗିବାର ଦେଖି ଆଶ୍ୱସ୍ତି ଆସିଲା ଯେ ମ୍ୟାଟି ଆଜି ପରି, ଭବିଷ୍ୟତରେ ମଧ୍ୟ ଏଇପରି ଏଘରକୁ ମଣ୍ଡୁଥିବେ । ଜୀନା କାଲି ଯେଉଁ ଧମକ ଦେଲେ ତାହାର ମର୍ମକୁ ସେ ନିଶ୍ଚୟ ଅତିରଞ୍ଜିତ କରି ପକାଇଛନ୍ତି ବୋଲି ସେ ମନକୁ ମନ ବୋଧଦେଲେ । ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ଆଜି ସକାଳର ସୁଖକର ପରିବେଶରେ ଜୀନାଙ୍କର ମଧ୍ୟ ମନର ପରିବର୍ତ୍ତନ ହେବ; ସେ ପୁଣି ତାଙ୍କର ପାଗଳାମି ଛାଡ଼ି ଧୀର ସ୍ଥିର ଭାବେ ଅବସ୍ଥାର ବିଚାର କରିବାକୁ ସମର୍ଥ ହେବେ ।

 

ମ୍ୟାଟି ଚୁଲି ଉପରେ ନଇଁ କରି କ’ଣ ରାନ୍ଧୁଥାନ୍ତି; ଏଥାନ୍‌ ତାଙ୍କ ପାଖକୁ ଯାଇ ତାଙ୍କ ଡେଣାରେ ହାତ ପକାଇ କହିଲେ, ‘‘ଆଉ ମୋର ଇଚ୍ଛା, ତୁମେ ବି ଗୁଡ଼ାଏ ବ୍ୟସ୍ତ ହେବ ନାହିଁ ।’’ ମ୍ୟାଟି ମୁହଁ ଟେକି ତାଙ୍କ ଆଡ଼କୁ ଚାହାଁନ୍ତେ ସେ ତାଙ୍କୁ ଚାହିଁ ହସୁଥାନ୍ତି ।

 

ଏଥାନ୍‍ଙ୍କ କଥା ଶୁଣି ମ୍ୟାଟିଙ୍କ ମୁହଁ ରଙ୍ଗ ହୋଇଗଲା; ସେ ଫୁସ୍‌ଫୁସ୍ କରି ଉତ୍ତର ଦେଲେ, ‘‘ନାଇଁମ, ଏଥାନ୍‌ ! ମୁଁ ଆଦୌ ବ୍ୟସ୍ତ ହେବି ନାହିଁ ।’’

 

ଏଥାନ୍‌ ଯେଗାଇ ଦେଲେ, ‘‘ମୋ’ର ବିଶ୍ୱାସ, ସବୁ ପୁଣି ଠିକ୍‌ଠାକ୍ ହୋଇଯିବ ।’’

 

ମ୍ୟାଟି କିଛି ଉତ୍ତର ଦେଲେ ନାହିଁ; କିନ୍ତୁ ତାଙ୍କର ଆଖିପତା ଟିକିଏ ଚଞ୍ଚଳ ହୋଇଗଲା । ଏଥାନ୍‌ ପଚାରିଲେ, ‘‘ଆଜି ସକାଳେ ତୁମକୁ ଆଉ କିଛି କହିନାହିଁ ତ ?’’

 

‘‘ନାଇଁ, ମୋର ଏତେବେଳେ ଯାଏଁ ତାଙ୍କ ସଙ୍ଗେ ଦେଖା ହୋଇନାହିଁ ।’’

 

‘‘ଦେଖା ହେବ ଯେତେବେଳେ, କାଲି କଥା ମନେ ରଖିଲା ପରି ଜାଣିବାକୁ ଦେବ ନାହିଁ-।’’

 

ଏହି ନିର୍ଦ୍ଦେଶ ଦେଇ ସେ ରୋଷେଇଘରୁ ବାହାରି ଗାଇ ଗୁହାଳ ଆଡ଼େ ଗଲେ; ଦେଖିଲେ, ଜୋଥାମ୍ ପାଓ୍ୱେଲ୍‌ ପ୍ରଭାତର ଅସ୍ପଷ୍ଟ ଆଲୋକରେ କୁଦିଆଟା ପାର ହୋଇ ତାଙ୍କ ଘର ଆଡ଼କୁ ଆସୁଛି । ଏହି ନିତ୍ୟନୈମିତ୍ତିକ ଦୃଶ୍ୟ ଦେଖି ତାଙ୍କ ମନରେ ଜାତ ହୋଇଥିବା ସ୍ୱସ୍ତିଭାବ ଆହୁରି ବଢ଼ିଗଲା ।

 

ଏଥାନ୍‌ ଓ ଜୋଥାମ ଦୁହେଁ ମିଶି ଗୁହାଳ ସଫା କଲାବେଳେ ଜୋଥାମ୍‌ ପରକନା ମୂଳରେ ଭରା ଦେଇ ଠିଆ ହୋଇ କହିଲା, ‘‘ଡାନିଏଲ୍‌ ବାୟର୍ଣ୍ଣ ଆଜି ଦୁଇପହରେ ଫ୍ଲାଟସ୍ ଷ୍ଟେସନ୍‌କୁ ଯାଉଛି । ତା’ ହାତରେ ମ୍ୟାଟିଙ୍କ ଟ୍ରଙ୍କ୍‌ଟା ଷ୍ଟେସନକୁ ପଠାଇ ଦେଲେ, ମୁଁ ତାଙ୍କୁ ଷ୍ଟେସନ୍‌କୁ ନେଲାବେଳେ ଘୋଡ଼ାକୁ କଷ୍ଟ ହେବ ନାହିଁ ।’’

 

ଏଥାନ୍‌ କିଛି ବୁଝି ନପାରିଲା ପରି ତା’ ଆଡ଼କୁ ଚାହିଁ ରହିଲେ; ପାଓ୍ୱେଲ୍‌ ପୁଣି କହି ଲାଗିଲା, ‘‘ମା’ କହୁଛନ୍ତି, ନୂଆ ଚାକରାଣୀ ଟୋକୀ ପାଞ୍ଚଟା ବେଳେ ଗାଡ଼ିରୁ ଓହ୍ଲେଇବ । ସେଇ ବେଳକୁ ଚାହିଁ ମ୍ୟାଟିଙ୍କୁ ଏଆଡ଼ୁ ନେଇଯିବି ଯେ, ସେ ଛ’ଟା ବେଳେ ତାଙ୍କ ଯିବାଗାଡ଼ି ପାଇବେ ।’’

 

ଏଥାନ୍‍ଙ୍କ ଥାନମୁଣ୍ଡାରେ ନାଡ଼ି ଦପ୍‌ଦପ୍‌ କରୁଥାଏ । ମୁହୂର୍ତ୍ତେ ତୁନି ହୋଇ ରହିଲା ପରେ ସେ କଥା କହିବାକୁ ସମର୍ଥ ହେଲେ, ‘‘ମ୍ୟାଟି ଯିବା ନ ଯିବା କଥାତ ଏତେବେଳେ ଯାଏଁ ସିଦ୍ଧାନ୍ତ ହୋଇନାହିଁ ।’’

 

ଜୋଥାମ୍‌ ଉଦାସୀନ ଭାବେ ଉତ୍ତର ଦେଲା, ‘‘ଏମିତି କଥା ?’’ ଦୁହେଁ କାମରେ ଲାଗିଲେ ।

 

ଦୁହେଁ ଯେତେବେଳେ ରୋଷେଇଘରେ ପଶିଲେ, ସେତେବେଳେ ନାରୀ ଦୁହେଁ ଯାକ ସକାଳଖିଆ ଆରମ୍ଭ କରି ଦେଇଥାନ୍ତି । ଜୀନାଙ୍କୁ ଦେଖିଲେ ଜଣା ଯାଉଥାଏ, ସେ ଆଜି ଅଧିକ ତାଜା ଓ ସ୍ଫୁର୍ତ୍ତି ହୋଇଛନ୍ତି । ଜୀନା ଆଜି ଦୁଇକପ୍‌ କଫି ପିଇଲେ ଓ ପିଠାଥାଳିରେ ଥିବା ଗୁଣ୍ଡାଗଣ୍ଡି ବିରାଡ଼ିକୁ ଖୋଇଲେ । ତା’ ପରେ ସେ ଚଉକିରୁ ଉଠି ଝରକା ପାଖକୁ ଗଲେ ଓ ଜେରାନିଅମ୍ ଲତାରୁ ଦୁଇ ତିନିଟା ପାଚିଲା ପତ୍ର ଛିଣ୍ଡାଇ କହିଲେ, ‘‘ମାର୍ଥା ମାଉସୀଙ୍କ ଜେରାନିଅମ୍ ଳଟିରେ ଗୋଟିଏ ବି ପାଚିଲା ପତ୍ର ଦେଖିବ ନାଇଁ । ଏଗୁଡ଼ିକଙ୍କର ଯତ୍ନ ନେବାରେ ହେଳାକଲେ ବିଚାରୀ ମନଦୁଃଖରେ ମଉଳି ଯା’ନ୍ତି ।’’ ଜେରାନିଅମ୍‌ ଲତାର ଦୁଃଖରେ କାତର ହେଲା ପରି ସ୍ୱରରୁ ଜଣାପଡ଼ୁଥାଏ ।

 

ୟା’ ପରେ ହଠାତ୍‌ ଜୋଥାମ୍ ଆଡ଼କୁ ଚାହିଁ ସେ ପଚାରିଲେ, ‘‘ଡାନିଏଲ୍‌ ବାୟର୍ଣ୍ଣ୍‌ କେତେବେଳେ ଷ୍ଟେସନ୍‌କୁ ଯିବ ବୋଲି କହୁଥିଲୁ ଟି ?’’

 

ମୂଲିଆ ବାପୁଡ଼ ଥାଥା ମାମା ହୋଇ ଏଥାନ୍‍ଙ୍କ ଆଡ଼କୁ ଟିକିଏ ଚାହିଁଲା । ତା’ ପରେ କହିଲା, ‘‘ଦି’ ପହରର ପାଖେ ଆଖେ ।’’

 

ଜୀନା ମ୍ୟାଟିଙ୍କ ଆଡ଼କୁ ଚାହିଁ କହିଲେ, ‘‘ତୋ’ର ସେ ଟ୍ରଙ୍କଟା ବଡ଼ ଗରୁଆ; ବଗିରେ ନେବାକୁ ଭିଡ଼ ହେବ । ସେଥିପାଇଁ ଡାନିଏଲ୍‌ ବାୟାର୍ଣ୍ଣକୁ କହିଛି ସେ ଷ୍ଟେସନ୍‌କୁ ଗଲାବେଳେ ଆସି ତା’ ଗାଡ଼ିରେ ସେଇଟା ନେଇଯିବ ।’’

 

ମ୍ୟାଟି ଉତ୍ତର ଦେଲେ, ‘‘ମୋ’ ପାଇଁ ଏତକ କରିଥିବାରୁ, ମୁଁ କୃତଜ୍ଞ, ଜୀନା ।’’

 

ଜୀନା ଟିକିଏ ବି ବିଚଳିତ ନ ହେବା ସ୍ୱରରେ ପୁଣି କହିଲେ, ‘‘ତୁ ତୋ ଜିନିସପତ୍ର ନେଇ ଯିବା ପୂର୍ବରୁ ଘରର ଜିନିସପତ୍ର ମୋତେ ମଣେଇ ଦେଇଯିବା ଦରକାର । ଗୋଟିଏ ହକ୍‌ବକ୍ ତଉଲିଆତ ମିଳୁନାହିଁ ବୋଲି ଜାଣେ । ଆଉ ବୈଠକଖାନାରେ ଯେଉଁ ପେଚକ ମୂର୍ତ୍ତିଟି ଅଛି—ପେଚା ଚମ ତଳେ କରତଗୁଣ୍ଡ ଭର୍ତ୍ତିକରି ଯେଉଁ ମୂର୍ତ୍ତିଟି—ତା’ ଆରପାଖକୁ ଯେଉଁ ପେଡ଼ାଟି ଥିଲା ସେଇଟା କୁଆଡ଼େ ରଖିଲୁ ମୁଁ ଜାଣି ପାରୁ ନାହିଁ ।’’

 

ଜୀନା ରୋଷେଇଘରୁ ବାହାରିଲେ, ତାଙ୍କ ପଛେ ପଛେ ମ୍ୟାଟି । ପୁରୁଷ ଦୁହେଁ ରୋଷେଇଘରେ ଏକୁଟିଆ ହେବା ପରେ, ଜୋଥାମ୍ ତା ଖାମିନ୍ଦଙ୍କୁ କହିଲା ।

 

‘‘ତେବେ ତ ମୁଁ ଯାଇ ଡାନିଆଲ୍‌କୁ ଠିକ୍‌ ସମୟରେ ଆସିବାକୁ କହିଦେବା ଦରକାର ।’’

 

ଏଥାନ୍‌ ଘରେ ଓ ଖଳାରେ ନିଜର ଦୈନନ୍ଦିନ କାର୍ଯ୍ୟ ସାରିଲେ; ତା’ପରେ ଜୋଥାମ୍‌କୁ କହିଲେ, ‘‘ମୁଁ ଷ୍ଟାର୍କ୍‌ଫିଲ୍‌ଡ୍‍ ଯାଉଛି । କହିବୁ ଦି’ ପହର ଖିଆକୁ ମୋ ଅପେକ୍ଷା ରଖିବେ ନାହିଁ ।’’

 

ପୁଣି ବିପ୍ଳବର ପ୍ରବୃତ୍ତି ଏଥାନ୍‍ଙ୍କ ମନରେ ଜାଗି ଉଠିଥାଏ । ଦିନବେଳର ଧୀର ସ୍ଥିର ସମୟରେ ଯାହା ଘଟିବ ନାହିଁ ବୋଲି ସେ ବିଚାରିଥିଲେ, ତାହା ବାସ୍ତବରେ ଘଟିବାକୁ ବସିଲାଣି । ତାଙ୍କୁ କ’ଣ ତେବେ ମ୍ୟାଟିଙ୍କ ନିର୍ବାସନ ନିରୀହ ଭାବେ ସହିଯିବାକୁ ହେବ । ବାଧ୍ୟ ହୋଇ ଏହା କରିବାକୁ ପଡ଼ୁଥିବାରୁ ତାଙ୍କର ନିଜ ମନୁଷ୍ୟତା ପ୍ରତି ଧିକ୍‌କାର ଆସିଲା । ମ୍ୟାଟି ତାଙ୍କ ବିଷୟରେ କ’ଣ ଧାରଣା କରିବେ ଏହା ବିଚାରି ସେ ନିଜକୁ ଆହୁରି ଧିକ୍‌କାର କରୁଥାନ୍ତି । ଷ୍ଟାର୍କଫିଲ୍‌ଡ୍‍ ଆଡ଼କୁ କ୍ଷିପ୍ର ପଦକ୍ଷେପରେ ଯିବାବାଟରେ ତାଙ୍କ ମନରେ ନାନା ପ୍ରବୃତ୍ତିର ଗଣ୍ଡଗୋଳ ହେଉଥାଏ । କ’ଣ ଗୋଟାଏ କରିବେ ବୋଲି ସଂକଳ୍ପ କରୁଥାନ୍ତି । କିନ୍ତୁ ସେ କଥାଟା ଯେ କ’ଣ ଥୟ କରି ପାରୁ ନଥାନ୍ତି ।

 

ପ୍ରଭାତର କୁହୁଡ଼ି ପରିଷ୍କାର ହୋଇ ଯାଇଥାଏ । ବିଲ ପ୍ରାନ୍ତର ସୂର୍ଯ୍ୟ କିରଣରେ ଗୋଟାଏ ରୂପାର ଢାଲପରି ଦିଶୁଥାଏ । ଏଇ ଭଳି ଦିନମାନଙ୍କରେ ଶୀତଦିନର ଆଭାସ ବସନ୍ତର ସୂକ୍ଷ୍ମ ପରଦା ଭେଦକରି ଦିଶେ । ସଡ଼କର ପ୍ରତି ଚାଖଣ୍ଡ, ମ୍ୟାଟିଙ୍କ ଉପସ୍ଥିତିରେ ଜୀବନ୍ତ ପରି ଜଣା ପଡ଼ୁଥାଏ । ସୂର୍ଯ୍ୟ କିରଣରେ ଗୋଟାଏ ରୂପାର ଢାଲପରି ଦିଶୁଥାଏ । ଏଇ ଭଳି ଦିନମାନଙ୍କରେ ଶୀତଦିନର ଆଭାସ ବସନ୍ତର ସୂକ୍ଷ୍ମ ପରଦା ଭେଦକରି ଦିଶେ । ସଡ଼କର ପ୍ରତି ଚାଖଣ୍ଡ, ମ୍ୟାଟିଙ୍କ ଉପସ୍ଥିତିରେ ଜୀବନ୍ତ ପରି ଜଣା ପଡ଼ୁଥାଏ । ଉପରକୁ ମଥାଟେକି ରହିଥିବା ପ୍ରତି ଗଛର ପ୍ରତି ଡାଳରେ, ସଡ଼କ ଦାଢ଼ର ପ୍ରତି ଲଟା ଓ ବୁଦାରେ, ମ୍ୟାଟିଙ୍କ ସ୍ମୃତିର ଉଜ୍ଜ୍ୱଳ ଆଲେଖ୍ୟ ଅଙ୍କିତ ହେଲାପରି ଜଣା ଯାଉଥାଏ । ଥରେ ନିର୍ଜନତା ଭିତରେ ପର୍ବତର ଆଶ୍‌ ଗଛ ଉପରୁ ଗୋଟିଏ ପକ୍ଷୀର କାକଳି, ମ୍ୟାଟିଙ୍କ ହାସ୍ୟ ସଙ୍ଗେ ଏଭଳି ମିଳିଗଲା ଯେ, ତାହା ଶୁଣି ଏଥାନ୍‌ ମୁହୂର୍ତ୍ତେ ଦକ୍‌ କିନି ରହିଗଲେ, ତା’ପରେ ତାଙ୍କ ହୃଦୟ ଆନନ୍ଦରେ ଫୁଲି ଉଠିଲା । ଏସବୁ ଅନୁଭୂତି ଯୋଗୁଁ ସେ ଅନୁଭବ କରୁଥାନ୍ତି ଯେ କିଛି ଗୋଟାଏ କରିବାକୁଇ ହେବ ।

 

ହଠାତ୍‌ ତାଙ୍କର ମନେ ହେଲା, ସେ ଯଦି ଯାଇ ଆଣ୍ଡୃ ହେଲ୍‌ଙ୍କୁ କହନ୍ତି ଯେ ଜୀନାଙ୍କ ବେମାର ଯୋଗୁ ଗୋଟାଏ ଚାକରାଣୀ ରଖିବାକୁ ପଡ଼ୁଛି ତେବେ ଦାୟାର୍ଦ୍ଧ ହୃଦୟ ଆଣ୍ଡୃ ହେଲ୍‌, ତାଙ୍କୁ ଯୋଗେଇଥିବା କାଠ ବାବତକୁ କିଛି ଟଙ୍କା ସାଙ୍ଗେ ସାଙ୍ଗେ ଦେବାକୁ ଯାହା ନାହିଁ କରିଥିଲେ ପୁନର୍ବିଚାର କରି କିଛି ଦେବାକୁ ମଙ୍ଗିଯାଇ ପାରନ୍ତି । ହେଲ୍‌ଙ୍କୁ ତାଙ୍କ ଅବସ୍ଥା କିଛି ଅଛପା ନାହିଁ । ତେଣୁ ଆଉ ଥରେ ଟଙ୍କା ପାଇଁ ତୁଣ୍ଡ ଶୁଣାଇଲେ ତାଙ୍କର ଆତ୍ମ ସମ୍ମାନରେ କ’ଣ ବା ଗୁଡ଼ିଏ ଆଞ୍ଚ ଆସିଯିବ ? ପୁଣି, ବର୍ତ୍ତମାନ ତାଙ୍କ ହୃଦୟରେ ଯେଉଁ ଆନ୍ଦୋଳନ ଚାଲିଛି, ତା’ ଆଗରେ ଛାର ଆତ୍ମ ସମ୍ମାନର ମୂଲ୍ୟ ବା କ’ଣ ?

 

ଏ ଉପାୟଟା ବିଷୟ ସେ ଯେତେ ଭାବିଲେ ତାହା ସେତେ ଆଶାପ୍ରଦ ମନେ ହେଲା । ପ୍ରଥମେ ଯଦି ହେଲ୍‌ ପତ୍ନୀଙ୍କ କାନରେ କଥାଟା ପକାଇ ଦେଇ ପାରିବେ, ତେବେ ଫଳ ଫଳିବାରେ ଆଦୌ ସନ୍ଦେହ ରହିବ ନାହିଁ । କୌଣସି ମତେ ଯଦି ତାଙ୍କ ପକେଟରେ ଟଙ୍କା ଅଡ଼େଇ ଶହ ପଡ଼ିଯାଏ, ତେବେ ଆଉ କିଏ ତାଙ୍କୁ ମ୍ୟାଟିଠାରୁ ଛାଡ଼ବାଡ଼ କରି ରଖିପାରିବ ?

 

ପ୍ରଥମ କଥା, ହେଲ୍‌ କାମକୁ ବାହାରି ଯିବା ପୂର୍ବରୁ ଯାଇ ଷ୍ଟାର୍କଫିଲ୍‌ଡରେ ପହଞ୍ଚିବାକୁ ପଡ଼ିବ । ଏଥାନ୍‌ ଜାଣନ୍ତି, ବିଶ୍ୱକର୍ମା ହେଲ୍‌ଙ୍କର କରବ୍ୟୁରି ସଡ଼କ ପଟେ ଗୋଟାଏ କାମ ଚାଲିଛି, ତେଣୁ ସେ ନିଶ୍ଚୟ ସଅଳ ଘରୁ ବାହାରି ପଡ଼ିବେ । ଏଥାନ୍‍ଙ୍କ ଲମ୍ୱ ପଦକ୍ଷେପ ଅନ୍ତରର ଚିନ୍ତା ସଙ୍ଗେ ତାଳ ଦେଇ କ୍ଷିପ୍ରତର ହେଲେ । ସେ ଯାଇ ସ୍କୁଲ୍‌ ପାହାଡ଼ ମୂଳରେ ପହଞ୍ଚିଲା ବେଳକୁ ଆଗରେ ଖଣ୍ଡେ ଦୂରରୁ ହେଲ୍‍ଙ୍କ ବଗି ତାଙ୍କ ଆଡ଼କୁ ଆସୁଛି । ସେ ବଗିକୁ ଭେଟିବାକୁ ଆହୁରି ଜୋରରେ ଆଗେଇଲେ; କିନ୍ତୁ ବଗି ନିକଟବର୍ତ୍ତୀ ହେବାର ସେ ଦେଖିଲେ ବଗି ଚଳାଉଛି ବିଶ୍ୱକର୍ମୀଙ୍କ ସବା ସାନପୁଅ, ଆଉ ତା’ ପାଖେ ବସିଛନ୍ତି ମିସେସ୍‌ ହେଲ୍‌ ସେ ଦିଶୁଥାନ୍ତି, ଗୋଟାଏ ବଡ଼ ଗୋଟିପୋକ ଖୋଷା ଚଷମା ଲଗାଇ ସିଧା ହୋଇ ବସିଥିଲା ପରି । ଏଥାନ୍‌ ହାତ ଦେଖାଇ ଗାଡ଼ି ଅଟକାଇଲେ; ମିସେସ୍‌ ହେଲ୍‌ ଏଥାନ୍‍ଙ୍କ ଆଡ଼କୁ ଝୁଙ୍କି ପଡ଼ିଲେ, ତାଙ୍କ କପାଳର ରଙ୍ଗୁଳିଆ ବଳିଗୁଡ଼ିକ ମମତା ଓ ବଦାନ୍ୟତାରେ ମିଟି ମିଟି ହେଲା ପରି ଜଣା ଯାଉଥାଏ ।

 

‘‘ଓଃ ! ମିଷ୍ଟର୍‌ ହେଲ୍‌ ? ହଁ, ହଁ, ଯାଅ, ସେ ଘରେ ଅଛନ୍ତି, ଦେଖା ହେବ । ଆଜି ସକାଳଓଳି ସେ କାମକୁ ଯାଉ ନାହାନ୍ତି । ଆଜି ଉଠିଲା ବେଳକୁ ତାଙ୍କୁ କଟିବାତ ଧଇଲା ପରି ଲାଗିଲା । ତାଙ୍କୁ ବାଧ୍ୟକରି ତାଙ୍କ ଅଣ୍ଟାରେ ଡକ୍ଟର କିଡର୍‍ ବ୍ୟବସ୍ଥା କରିଥିବା ପ୍ରଲେପ ଦେଇ, ନିଆଁ ପାଖରେ ବସି ରହିବାକୁ କହି ଆସିଛି ।’’

 

ମାତୃମମତାପୂର୍ଣ୍ଣ ଦୃଷ୍ଟିରେ ଏଥାନ୍‍ଙ୍କର ଆଡ଼କୁ ଚାହିଁ, ହେଲ୍‌ ଏଥାନ୍‍ଙ୍କ ଆଡ଼କୁ ଆହୁରି ଅଣେଇ ହୋଇ ପୁଣି କହିଲେ, ‘‘ଏଇଲେ ମିଷ୍ଟର୍‌ ହେଲ୍‌ଙ୍କଠାରୁ ଶୁଣିଲି, ଜୀନା ସେ ନୂଆ ଡାକ୍ତରର ପରାମର୍ଶ ନେବାକୁ ବେଟସ୍‌ ବ୍ରିଜ୍‌ ଯାଇଥିଲେ । ବଡ଼ ଦୁଃଖର କଥା, ତାଙ୍କ ରୋଗ ପୁଣି ବଢ଼ିଛି । ଜୀନା ରୋଗରେ ଯେପରି ଘାଣ୍ଟି ହେଉଛନ୍ତି ଆମ ପାଖ ଆଖରେ ଆଉ କେହିତ ସେତେ ଘାଣ୍ଟି ହେବାର ଶୁଣୁନାହିଁ । ମୁଁ ସବୁବେଳେ ମିଷ୍ଟର ହେଲ୍‌ଙ୍କୁ କହେ ପରା, ଏଥାନ୍‍ ! ତୁମପରି ଲୋକ ଯଦି ଜୀନାଙ୍କର ଯତ୍ନ ନେବାକୁ ନଥାନ୍ତା ତେବେ ତାଙ୍କର ଅବସ୍ଥା କ’ଣ ହେଉଥାନ୍ତା ଟି ! ତୁମ ମା’ଙ୍କ ବେଳେ ବି ସେଇଆ କହୁଥିଲି । ଏଥାନ୍‌ ଫ୍ରୋମ୍‌ ! ବାସ୍ତବିକ୍‌ ତୁମକୁ ବହୁ ବିପତ୍ତି ଭିତରେ ଚଳିବାକୁ ହୋଇଛି ।’’

 

ମିସେସ୍‌ ହେଲ୍‌ ସହାନୁଭୂତିର ଶେଷ ଏକ ଚାହାଣିରେ ତାଙ୍କ ଆଡ଼କୁ ଚାହିଁଲେ, ତାଙ୍କ ପୁଅ ଘୋଡ଼ାକୁ ଟାକରା ମାରିଦେଲା । ମିସେସ୍‌ ହେଲ୍‌ଙ୍କ ବଗି ଚାଲିଯିବା ପରେ, ଏଥାନ୍‌ ସଡ଼କ ମଝିରେ ଠିଆହୋଇ ଦୂରକୁ ଚାଲି ଯାଉଥିବା ବଗି ଆଡ଼କୁ ଚାହିଁ ରହିଲେ ।

 

ଆଜି ମିସେସ୍‌ ହେଲ୍‌ ଯେମିତି ସ୍ନେହରେ ତାଙ୍କୁ ଦି’ପଦ କହିଲେ ସେମିତି କଥା ଦି’ ପଦ ଏଥାନ୍‌ ବହୁଦିନ ହେଲା ଆଉ କାହା ତୁଣ୍ଡରୁ ଶୁଣି ନାହାନ୍ତି । ଅଧିକାଂଶ ଲୋକ ତାଙ୍କ ଦୁଃଖ ଦେଖନ୍ତି ନାହିଁ କି କିଛି ଭାବନ୍ତି ନାହିଁ । ଯଦି ବା ଦେଖନ୍ତି, ବୋଧହୁଏ ଭାବନ୍ତି, ତାଙ୍କ ପରି ସମର୍ଥ ଭେଣ୍ଡିଆଟାଏ ତିନିଜଣ ସମର୍ଥଙ୍କ ଭାର ମୁଣ୍ଡାଇ ଟିକିଏ ଇସ୍‌ବୋଲି ନ କହିବାରେ ବିଚିତ୍ରତା ନାହିଁ । କିନ୍ତୁ ମିସେସ୍‌ ହେଲ୍‌ କହିଲେ, ‘‘ଏଥାନ୍‌ ଫ୍ରୋମ୍ ! ବାସ୍ତବିକ ତୁମର ବହୁ ବିପତ୍ତି ଭିତରେ ଚଳିବାକୁ ହୋଇଛି ।’’ ଏଥାନ୍ ଫ୍ରୋମ୍‌ ବିଚାରିଲେ, ତାଙ୍କ ଦୁଃଖ ଆଜି ଏକୁଟିଆ ତାଙ୍କର ନୁହେଁ, ଏଥିରେ ଭାଗୀ ହେବାକୁ ଆଜି ଜଣେ ତ ମିଳିଲେ ! ହେଲ୍‌ ଦମ୍ପତିଙ୍କର ଯଦି ତାଙ୍କ ଦୁଃଖରେ ସହାନୁଭୂତି ଅଛି, ତେବେ ତ ନିଶ୍ଚୟ ତାଙ୍କର ଅନୁରୋଧ ରକ୍ଷା ହେବ..... ।

 

ସେ ହେଲ୍‌ ଭବନ ଆଡ଼େ ଆଗେଇ ଚାଲିଲେ । କିନ୍ତୁ ମୋଟେ କେତେ ପାହୁଣ୍ଡ ପରେ ସେ ହଠାତ୍‌ ଠିଆ ହୋଇ ପଡ଼ିଲେ, ମୁହଁକୁ ରକ୍ତ ଚହଟି ଯାଇ ଲାଲ ହୋଇଗଲା । ସେ ମିସେସ୍‌ ହେଲ୍‌ଙ୍କଠାରୁ ଯାହା ଶୁଣିଲେ, ସେ କଥାର ଅନୁରୂପ କାର୍ଯ୍ୟ ଯେ ତାଙ୍କର କରିବା ଉଚିତ୍‌ ଏ ଚିନ୍ତା ପହିଲି ହୋଇ ତାଙ୍କ ମୁଣ୍ଡରେ ଢୁକିଲା । ସେ ବୁଝିଲେ, ହେଲ୍‌ ଦମ୍ପତିଙ୍କ ସହାନୁଭୂତିର ସୁବିଧାନେଇ ସେ ମିଥ୍ୟା କାରଣ ଦେଖାଇ ତାଙ୍କଠାରୁ ଟଙ୍କା ଛାଟି ଆଣିବାକୁ ବିଚାର କରୁଛନ୍ତି । ଷ୍ଟାକଫିଲ୍‌ଡ୍‍କୁ ଯେଉଁ ମନ୍ଦ ଉଦ୍ଦେଶ୍ୟ ଧରି ସେ ଧାଇଁ ଆସିଛନ୍ତି ତାହାର ନଗ୍ନ ରୂପ ତାଙ୍କୁ ଦିଶିଗଲା ।

 

ମନର ବାତୁଳତା ତାଙ୍କୁ କିପରି ପାପ ମୁହଁରେ ଆଣି ପହଞ୍ଚାଇଲାଣି ଏହାର ଅବବୋଧ ହେବାମାତ୍ରେ ତାଙ୍କର ବାତୁଳତା ଦୂର ଗଲା । ସେ ତାଙ୍କ ନିଜ ଅବସ୍ଥାର ବାସ୍ତବରୂପ ଦେଖିବାକୁ ସମର୍ଥ ହେଲେ । ସେ ବୁଝିପାରିଲେ, ସେ ଅତି ଦରିଦ୍ର, ତାଙ୍କର ସ୍ତ୍ରୀଟି ରୋଗିଣୀ ତାକୁ ହଠାତ୍‌ ଛାଡ଼ି ଗଲେ ସେ ଅରକ୍ଷ ଓ ଅସହାୟ ହୋଇ ପଡ଼ିବ, ଆଉ ଯଦିବା ଦେହକୁ କାଠ କରି ଏଭଳି ଅରକ୍ଷ ସ୍ତ୍ରୀକୁ ସେ ଛାଡ଼ି ଚାଲି ଯାଇପାରିବେ, ତାଙ୍କୁ ସହାନୁଭୂତି ଦେଖାଉଥିବା ଦୁଇଟି ଦୟାଳୁ ଲୋକଙ୍କୁ ନ ଠକାଇଲେ ଯେ ଚାଲିଯିବା ସମ୍ଭବ ହେବ ନାହିଁ ।

 

ସେ ବୁଲି ପଡ଼ି, ଧୀରେ ଧୀରେ ନିଜ ଘରକୁ ବାହୁଡ଼ିଲେ ।

 

ନବମ ପରିଚ୍ଛଦ

 

ଏଥାନ୍‌ ଘରେ ଆସି ପହଞ୍ଚିଲା ବେଳକୁ, ରୋଷେଇଘର ଦୁଆର ମୁହଁରେ ଡାନିଏଲ୍‌ ବାୟର୍ଣ୍ଣ ତାଙ୍କ ଗାଡ଼ିରେ ବସିଥାନ୍ତି । ଗାଡ଼ିରେ ଯୋଚା ହୋଇଥିବା ଛୋଟାହାଡ଼ୁଆ ଧଳା ଘୋଡ଼ା ଅଥୟ ହୋଇ ତୁଷାରରେ ଖୁରା ମାରୁଥାଏ ଓ ତା’ ଲମ୍ୱଡ଼ା ମୁଣ୍ଡକୁ ଏପଟ ସେପଟ କରୁଥାଏ । ଏଥାନ୍‌ ରୋଷେଇଘରେ ପଶି ଦେଖିଲେ, ତାଙ୍କ ପତ୍ନୀ ଚୁଲି ପାଖେ ବସିଛନ୍ତି, ମୁଣ୍ଡରେ ଗୋଟାଏ ଶାଲ ଗୁଡ଼ାଇ ‘ମୁତ୍ରାଶୟର ବେରାମ ଓ ତା’ରି ଚିକିତ୍ସା ନାମକ ପୁସ୍ତକ ଖଣ୍ଡେ ପଢ଼ୁଛନ୍ତି । ଏଇ ଅଳ୍ପ ଦିନ ପୂର୍ବେ ଏଥାନ୍‌ ଏଇ ବହି ପାର୍ଶଲ ଉପରେ ଅଧିକା ଡାକଖର୍ଚ୍ଚ ଦେଇ ପୋଷ୍ଟ ଅଫିସରୁ ଛଡ଼ାଇ ଥିଲେ ।

 

Unknown

ଏଥାନ୍‌ ଘରେ ପଶିବାରେ ଜୀନା ଟିକିଏ ଚମକିଲେ ନାହିଁ କି ତାଙ୍କ ଆଡ଼କୁ ଥରୁଟାଏ ଚାହିଁଲେ ନାହିଁ । ଟିକିଏ ପରେ ଏଥାନ୍‌ ପଚାରିଲେ, ‘ମ୍ୟାଟି କୁଆଡ଼େ ଗଲେ ?’’

 

ପଢ଼ୁଥିବା ବହି ଉପରୁ ଆଖି ନ କାଢ଼ି ଜୀନା ଉତ୍ତର ଦେଲେ, ‘‘ବୋଧହୁଏ ତା’ ଟ୍ରଙ୍କଟି ତଳକୁ ଆଣୁଛି ।’’

 

ଏଥାନ୍‍ଙ୍କ ମୁହଁ ରାଗରେ ଲାଲ ହୋଇଗଲା, ‘‘ତା’ର ସେ ଟ୍ରଙ୍କଟି ତଳକୁ ଆଣୁଛି ଏକୁଟିଆ ?’’

 

‘‘ଜୋଥାମ ପାଓ୍ୱେଲ୍‌ ଯାଇଚି କାଠ ଗୋଲାକୁ । ଡାନିଏଲ୍‌ ବାୟାର୍ଣ୍ଣଙ୍କର, ତାଙ୍କ ସେ ଘୋଡ଼ା ପାଖରୁ ଆଡ଼େଇ ହେବାକୁ ଭୟ ।’’

 

ଜୀନାଙ୍କ କୈଫତ୍‌ର ଶେଷ ପଦ ବାହାରିବା ପୂର୍ବରୁ ଏଥାନ୍‌ ରୋଷେଇ ଘରୁ ବାହାରି ଦୁମୁଦୁମୁ ହୋଇ ସିଡ଼ି ଚଢ଼ି ସାରିଥାନ୍ତି । ମ୍ୟାଟିଙ୍କ କୋଠରୀର ଦୁଆର ବନ୍ଦ ଥାଏ । ଦୁଆର ମୁହଁରେ ଦଣ୍ଡେ ଥକା ହୋଇ ରହି ସେ କ୍ଷୀଣ ସ୍ୱରରେ ଡାକିଲେ, ‘ମ୍ୟାଟ୍‌’ । ଭିତରୁ କିଛି ଉତ୍ତର ନ ମିଳିବାରୁ ସେ ଦୁଆରର ମୁଠା ଉପରେ ହାତ ପକାଇଲେ ।

 

ମ୍ୟାଟି ଆସିବା ଦିନୁଁ ଆଜିଯାଏଁ, ଗୋଟିଏ ଥର ଛାଡ଼ିଦେଲେ, ସେ ଆଉ କେବେ ଏ କୋଠରୀରେ ପଶି ନଥିଲେ । ସେଥର, ଖରାଦିନର ଆରମ୍ଭରେ, ଓଳିରେ ହୋଇଥିବା ଗୋଟାଏ ଜଳା ବୁଜିବାକୁ ସେ ଏ କୋଠରୀ ଭିତରେ ପଶିଥିଲେ ମାତ୍ର । ସେଦିନ କୋଠରୀଟି ଯେମିତି ଦିଶୁଥିଲା ତାହା ତାଙ୍କର ପରିଷ୍କାର ମନେଥାଏ । ମ୍ୟାଟିଙ୍କ ସରୁଆ ଖଟ ଉପରେ ନାଲି ପଟା ଥିବା ଧଳା ରେଜେଇଟିଏ ପଡ଼ିଥାଏ; ଥାକ-ଆଲମାରି ଉପରେ ସୁନ୍ଦର ପିନ କୁଶନ୍‌ଟିଏ ଥାଏ; ତା’ ଉପରକୁ କାନ୍ଥରେ ଟଙ୍ଗା ହୋଇଥାଏ ମ୍ୟାଟିଙ୍କ ମା’ଙ୍କର ଗୋଟିଏ ବଡ଼ କରା ହୋଇଥିବା ଫଟୋ; ଫଟୋ-ଫ୍ରେମରେ ମୁରୁଚା ଧରିଥାଏ; ତା’ ପାଖକୁ ଥୁଆ ହୋଇଥାଏ ମେଞ୍ଚାଟାଏ ରଙ୍ଗିଆ ହୋଇଥିବା ଶୁଖିଲା ଘାସ, ଆଜି ଦେଖିଲା ବେଳକୁ, ଏସବୁ କିଛି ନଥାଏ; ମ୍ୟାଟି ଏ ଘରେ ଥିଲେ ବୋଲି ସୁଚାଇବା ଭଳି ଅନ୍ୟ କୌଣସି ଜିନିଷ ନଥାଏ । ସେ ପ୍ରଥମେ ଆସି ପହଞ୍ଚିବା ଦିନ ଜୀନା ତାଙ୍କୁ ଏ ଘରଟା ଦେଖାଇଲା ବେଳେ, ତାହା ଯେପରି ଲଙ୍ଗଳା ଓ ଅଶ୍ୱସ୍ତିକର ଦିଶୁଥିଲା, ସେଇ ରୂପ ପୁଣି ଫେରି ଆସିଥାଏ । କୋଠରୀ ମଝିରେ ମ୍ୟାଟିଙ୍କ ଟ୍ରଙ୍କଟା ଥୁଆ ହୋଇଥାଏ ଓ ତାଙ୍କର ଭଲ ପୋଷାକଟି ପିନ୍ଧି ମ୍ୟାଟି ସେଇ ଟ୍ରଙ୍କ ଉପରେ ବସିଥାନ୍ତି—ଦୁଆର ଆଡ଼କୁ ପିଠିକରି ମୁହଁକୁ ଦୁଇହାତରେ ଢାଙ୍କି ଥାନ୍ତି । କାନ୍ଦୁଥିବାରୁ ଏଥାନ୍‍ଙ୍କ ଡାକ ସେ ଶୁଣି ପାରି ନଥିଲେ ଓ ଏଥାନ୍‌ ତାଙ୍କ ପାଖକୁ ଆସି ତାଙ୍କ କାନ୍ଧରେ ହାତ ଦୁଇଟା ଥୋଇବା ଯାଏଁ ସେ ତାଙ୍କ ଆସିବାର ବି ଜାଣି ପାରି ନଥିଲେ ।

 

ଏଥାନ୍‌ ବ୍ୟସ୍ତ ହୋଇ କହିଲେ, ‘‘ଛି ମ୍ୟାଟ୍‌, ଛି—ତୁମେ କାନ୍ଦୁଛ ? ‘‘ଥାଉ ଥାଉ ତୁନି ହୁଅ, ମ୍ୟାଟ୍‌ ।’’

 

ମ୍ୟାଟି ଚମକି ପଡ଼ି ଲୁହରେ ଓଦା ହୋଇଥିବା ମୁହଁ ଟେକି ତାଙ୍କ ଆଡ଼କୁ ଚାହିଁଲେ; କହିଲେ, ‘‘ଏଥାନ୍‌ ଆଉ ତୁମ ସାଙ୍ଗେ ଦେଖା ହେବ ନାହିଁ ବୋଲି ବିଚାରିଥିଲି ।’’

 

‘‘ଦେଖା ହେବ ନାହିଁ ବୋଲି ବିଚାରିଥିଲ, ୟାର ମାନେ ?’’

 

କାନ୍ଦି କାନ୍ଦି ମ୍ୟାଟି କହିଲେ, ‘‘ଜୋଥାମ୍‌ କହିଲା ତୁମେ କହି ଯାଇଛ, ଦି’ପହର ଖିଆକୁ ଆମେ ତୁମର ଅପେକ୍ଷା ରଖିବୁ ନାହିଁ ବୋଲି; ମୁଁ ବିଚାରିଲି— ।’’

 

‘‘ଓଃ, ତୁମେ ବିଚାରିଲ ତୁମ ସଙ୍ଗେ ଶେଷ ଦେଖା ନ କରିବାକୁ ମୁଁ ବାହାରେ ରହିବାକୁ ସ୍ଥିର କରିଅଛି ।’’ ଗମ୍ଭୀର ଭାବେ ଏଥାନ୍‌ ମ୍ୟାଟିଙ୍କ ସନ୍ଦେହକୁ ଭାଷା ଦେଲେ ।

 

କିଛି ଉତ୍ତର ନଦେଇ ମ୍ୟାଟ୍‍ ଏଥାନ୍‍ଙ୍କ ଦେହରେ ଲେସି ହୋଇଗଲେ । ଏଥାନ୍‌ ମ୍ୟାଟିଙ୍କ ମୁଣ୍ଡରେ ନିଜର ଅଧର ଛୁଆଁଇଲେ । ତାଙ୍କ ମୁଣ୍ଡରେ ବାଳଗୁଡ଼ିକ ଛୋଟ ହେଲେବି କୁଞ୍ଚୁକୁଞ୍ଚିଆ ପର୍ବତର ଉଷ୍ମତର ପାର୍ଶ୍ୱଦେଶରେ ହେଉଥିବା ଗୋଟାଏ ପ୍ରକାର ଶିଉଳି ପରି । ଖରାରେ ପଡ଼ିଥିବା ତଟକା କରତଗୁଣ୍ଡ ପରି ଏ ବାଳରୁ କ୍ଷୀଣ କାଠୁଆ ବାସନା ବାହାରୁଥାଏ ।

 

ଦୁଆରବାଟେ ତଳମହଲାରୁ ଆସିଲା ଜୀନାଙ୍କ ତାଗଦା, ‘‘ଡାନିଏଲ ବାୟର୍ଣ୍ଣ କହୁଛନ୍ତି, ତୋର ଟ୍ରଙ୍କ ଯଦି ତାଙ୍କ ଗାଡ଼ିରେ ଯିବାର କଥା ତେବେ ତାକୁ ବେଗେ ଆଣ୍‌ ।’’

 

ବିଷର୍ଣ୍ଣ ମୁହଁରେ ଏଥାନ୍‌ ଓ ମ୍ୟାଟି ଛାଡ଼ବାଡ଼ ହୋଇ ଠିଆ ହେଲେ । ଜୀନାଙ୍କର ବିରୋଧ କରିବାକୁ କଥା, ଏଥାନ୍‍ଙ୍କ ତୁଣ୍ଡ ପର୍ଯ୍ୟନ୍ତ ଆସି ସେଇଠାରେ ଲୀନ ହେଲା । ମ୍ୟାଟି ନିଜର ରୁମାଲଟା ଖୋଜି ଆଖି ପୋଛିଲେ ଓ ନଇଁ ପଡ଼ି ଟ୍ରଙ୍କର ଗୋଟାଏ କଡ଼ାରେ ହାତ ଲଗାଇଲେ ।

 

ଏଥାନ୍‌ ତାଙ୍କ ଡେଣା ଧରି ଟ୍ରଙ୍କ ପାଖରୁ ଆଡ଼େଇ ଦେଇ ହୁକୁମ ଦେଲେ, ‘‘ମ୍ୟାଟ୍‌, ତୁମେ ଟଙ୍କାରୁ ହାତ କାଢ଼ ।’’

 

ମ୍ୟାଟି ଉତ୍ତର ଦେଲେ, ‘‘ଏ ଟଙ୍କାଟାକୁ ଏଘରୁ ବାହାର କରିବା ଜଣକ ଦିହାତି ହୋଇପାରିବ ନାହିଁ’’। ଏ ଯୁକ୍ତିର ସାରବତ୍ତା ସ୍ୱୀକାର କରି ଏଥାନ୍‌ ଟ୍ରଙ୍କ୍‌ର ଆର କଡ଼ାଟାକୁ ନିଜେ ଧଇଲେ । ଦୁହେଁ ମିଶି କୈଣସି ମତେ ଭାରି ଟ୍ରଙ୍କଟା ଘରର ବାହାରକୁ ଆଣି ସିଡ଼ି ମୁଣ୍ଡରେ ଥୋଇଲେ ।

 

ଏଥାନ୍‌ ଶେଷ ନିଷ୍ପତ୍ତି ଶୁଣାଇ ଦେଲେ, ‘‘ଏଥର ତୁମେ ଛାଡ଼ ।’’ ସେ ଟ୍ରଙ୍କଟା ନିଜ କାନ୍ଧରେ ରଖି ସିଡ଼ିରୁ ଓହ୍ଲାଇଲେ ଓ ରୋଷେଇ ଘରର ସାମନା କନ୍ଦିବାଟେ ରୋଷେଇଘର ଭିତରେ ପଶିଲେ । ଜୀନା ଚୁଲିପାଖେ ତାଙ୍କ ମାମୁଲି ଚଉକିରେ ବସିଥାନ୍ତି । ଏଥାନ୍‌ ଟ୍ରଙ୍କଟା ଧରି ରୋଷେଇଘରର ଦୁଆର ପାରି ହେଇ ବାହାରକୁ ଯିବା ଯାଏଁ, ଜୀନା ବହି ଉପରୁ ଆଖି କାଢ଼ି ନଥାନ୍ତି । ମ୍ୟାଟି ଏଥାନ୍‍ଙ୍କ ପଛେ ପଛେ ବାହାରକୁ ଆସିଲେ ଓ ତାଙ୍କ ସହିତ ଟ୍ରଙ୍କ୍‍ଟା ଟେକି ଗାଡ଼ିର ପଛପଟେ ଥୋଇଲେ । ଟ୍ରଙ୍କ୍‌ଟି ଯଥାସ୍ଥାନରେ ରହିବା ପରେ ଦୁହେଁ ଲଗାଲଗି ହୋଇ ପାହାଚ ଉପରେ ଠିଆ ହୋଇ, ଡାନିଏଲ୍‌ ବାୟର୍ଣ୍ଣ ତାଙ୍କ ଅଣାୟତ୍ତ ଘୋଡ଼ାକୁ ଉତ୍‌କ୍ରାନ୍ତ ହୋଇ ଚଳାଇବାର ପ୍ରଯତ୍ନ କରୁଥିବାର ଦେଖୁଥାନ୍ତି ।

 

ଏଥାନ୍‍ଙ୍କୁ ଜଣା ଯାଉଥାଏ, ସତେ ଯେପରି ତାଙ୍କ ହୃଦୟ ବାନ୍ଧିହୋଇ ନିଷ୍କ୍ରିୟ ହୋଇ ପଡ଼ିଛି ଓ କୈଣସି ଅଦୃଶ୍ୟ ଶକ୍ତି ପ୍ରତି ମୁହୂର୍ତ୍ତରେ ଏ ବନ୍ଧନକୁ ଅଧିକରୁ ଅଧିକ ଟାଣ କରି ଦେଇଛି । ମ୍ୟାଟିଙ୍କୁ ପଦେ କ’ଣ କହିବାକୁ ସେ ଦୁଇଥର ପାଟି ମେଲେଇଲେ, କିନ୍ତୁ ଶ୍ୱାସରୁଦ୍ଧ ହୋଇ ଯିବାରୁ ପାଟିରୁ ଶବ୍ଦ ବାହାରିଲା ନାହିଁ । ଶେଷରେ, ମ୍ୟାଟି ରୋଷେଇ ଘର ଭିତରକୁ ଫେରି ଯିବାକୁ ଉପକ୍ରମ କଲାବେଳେ, ଏଥାନ୍‌ ତାଙ୍କୁ ଅଟକାଇବାକୁ ତାଙ୍କ ବାହାରେ ହାତ ରଖିଲେ ।

 

ଫୁସ୍‌ଫୁସ୍‌ କରି ସେ କହିଲେ, ‘‘ମ୍ୟାଟ୍‌ ! ମୁଁ ତୁମକୁ ନେଇ ଷ୍ଟେସନରେ ଛାଡ଼ି ଦେଇ ଆସିବି ।’’

 

ମ୍ୟାଟି ଅସ୍ପଷ୍ଟ ସ୍ୱରରେ କହିଲେ, ମୁଁ ଯେତେଦୂର ଜାଣେ, ଜୋଥାମ୍‌ ମୋତେ ନେଇ ଛାଡ଼ି ଦେବେ ବୋଲି ଜୀନା ଚାହାନ୍ତି ।’’

 

ଏଥାନ୍‌ ପୁନରାବୃତ୍ତି କଲେ, ‘‘ମୁଁ ତୁମକୁ ବଗିରେ ନେଇ ଛାଡ଼ି ଆସିବି ।’’ ମ୍ୟାଟି କିଛି ଉତ୍ତର ନଦେଇ ରୋଷେଇଘର ଭିତରେ ପଶିଲେ ।

 

ଖାଇବାବେଳେ ଏଥାନ୍‌ ପାଟିକୁ ହାତ ନେଇ ପାରୁ ନଥାନ୍ତି । ଖାଇବା ଟେବୁଲ ଉପରୁ ଆଖି ଉଠାଇଲା ମାତ୍ରେ ତାହା ଯାଇ ପଡ଼ୁଥାଏ ଜୀନାଙ୍କ ଗୋଜି ମୁହଁ ଉପରେ—ଜୀନାଙ୍କ ପଟାଳିଆ ଓଠର ଦୁଇକୋଣ ଆମୋଦର ସ୍ମିତହାସ୍ୟରେ ଥରି ଉଠିଲା ପରି ଜଣା ଯାଉଥାଏ । ଜୀନା ବେଶ୍‌ ଆଗ୍ରହରେ ଖାଇ ଚାଲିଥାନ୍ତି; କହୁଥାନ୍ତି, ପାଗଟା, ଟିକିଏ ଭଲ ହେବାରୁ ତାଙ୍କୁ ଭଲ ଲାଗୁଛି; ବଳେଇ କରି ଜୋଥାମ୍‌ ପାଓ୍ୱେଲ୍‌କୁ ସେ ଶିମ୍ୱ ତରକାରୀ ଦୋଅଡ଼ ଦେଲେ—ସାଧାରଣତଃ ମୂଲିଆଟାର କ’ଣ ଦରକାର, ସେ ବିଷୟରେ ସେ ମୁଣ୍ଡ ଖେଳାନ୍ତି ନାହିଁ ।

 

ଖିଆ ସରିଲା ପରେ ମ୍ୟାଟି, ନିତି ଦିନ ପରି, ଟେବୁଲ ସଫା କରିବା ଓ ବାସନ ମାଜିବା କାମରେ ଲାଗିଗଲେ । ଜୀନା ନିଜର ଖିଆ ସାରି ବିରାଡ଼ିକୁ ଖୁଆଇଲେ ଓ ତା’ପରେ ଯାଇ ଚୁଲି ପାଖେ ତାଙ୍କ ଝୁଲା ଚଉକିରେ ବସିଲେ । ସବୁଦିନେ ସବାଶେଷରେ ଥାଳୀ ପାଖୁ ଉଠିବାବାଲା ପାଓ୍ୱେଲ୍‌, ଅନିଚ୍ଛାସତ୍ତ୍ୱେ ଚଉକିରୁ ଉଠି ଦୁଆର ଆଡ଼କୁ ମୁହାଁଇଲେ ।

 

ଏରୁଣ୍ଡି ଉପରୁ ସେ ଏଥାନ୍‍ଙ୍କୁ ଫେରି ଚାହିଁ ପଚାରିଲେ, ‘‘ମ୍ୟାଟିଙ୍କୁ ନେବାପାଇଁ ମୁଁ କେତେଟାରେ ଆସିବି ।’’

 

ଏଥାନ୍‌ ଝରକା ପାଖେ ଠିଆହୋଇ ଯନ୍ତ୍ରଚାଳିତ ପରି ନିଜ ପାଇପରେ ଧୂଆଁ ପତ୍ର ଖୁନ୍ଦୁଥାନ୍ତି—ରୋଷେଇଘର ଭିତରେ ଏପଟ ସେପଟ ହେଉଥିବା ମ୍ୟାଟିଙ୍କ ପଛେ ପଛେ ତାଙ୍କ ଆଖି ଘୂରୁଥାଏ । ପାଓ୍ୱେଲ୍‌କୁ ସେ ଜବାବ ଦେଲେ, ‘‘ତୋ’ର ଆସିବା ଦରକାର ନାହିଁ । ମୁଁ ନିଜେ ତାଙ୍କୁ ବଗିରେ ନେଇ ଯିବି ।’’

 

ତାଙ୍କ ଆଖି ଆଗରୁ ମ୍ୟାଟି ନିଜର ମୁହଁ ଅପସରି ନେଲାବେଳେ ଏଥାନ୍‌ ଦେଖିଲେ ତାଙ୍କର କପୋଳ ଆରକ୍ତ ହୋଇ ଯାଉଛି, ଜୀନାଙ୍କ ମୁହଁ ହଠାତ୍‌ ତାଙ୍କ ଆଡ଼କୁ ଟେକି ହୋଇଗଲା ।

 

ଜୀନା କହିଲେ, ‘‘ଏଥାନ୍‌, ମୁଁ ଚାହେଁ ତୁମେ ଏ ବେଳା ଘରେ ରହିବ । ଜୋଥାମ୍‌ ମ୍ୟାଟିକୁ ନେଇ ଯାଉ ।’’

 

ମ୍ୟାଟି ଅନୁନୟପୂର୍ଣ୍ଣ ଦୃଷ୍ଟି ଏଥାନ୍‍ଙ୍କ ଉପରେ ପକାଇଲେ, କିନ୍ତୁ ଏଥାନ୍‌ ରୋକଠୋକ୍‌ ଭାବେ ତାଙ୍କର ସେଇ କଥାର ପୁନରାବୃତ୍ତି କଲେ, ‘‘ମୁଁ ନିଜେ ନେଇ ତାଙ୍କୁ ଛାଡ଼ି ଦେଇ ଆସିବି ।’’

 

ଜୀନା ଅବିଚଳିତ ଭାବେ ପୁଣି କହିଲେ, ‘‘ମୁଁ ଚାହୁଥିଲି ତୁମେ ଘରେ ରହି ମ୍ୟାଟିର କୋଠରୀରେ ଥିବା ଚୁଲାଟା, ଚାକରାଣୀ ଟୋକୀ ଆସିବା ପୂର୍ବରୁ ଟିକିଏ ସଜାଡ଼ି ଦେବ । ପ୍ରାୟ ମାସେ ହେଲା ସେ ଚୁଲିଟାରେ ଭଲ ଆଞ୍ଚ ଧରୁ ନାହିଁ ।’’

 

ବିରକ୍ତରେ ଏଥାନ୍‍ଙ୍କ ସ୍ୱର ଚଢ଼ିଗଲା, ‘‘ଏଇ ଚୁଲିରେ ମ୍ୟାଟିଙ୍କର ଯଦି ଏତେ ଦିନ ଚଳୁଥିଲା, ମୂଲିଆଣୀ ଟୋକୀଟାର ଅଚଳ ହୋଇଯିବ କିଆଁ ?’’

 

ଜୀନା ଏକରାହିଆ ମୃଦୁସ୍ୱରରେ ଜିଦ୍‌ କରି କହିଲେ, ‘‘ସେ ଯେଉଁ ଟୋକୀଟା ଆସୁଛି ସେ ମୋତେ କହିଛି, ସେ ପୂର୍ବେ ଯାହା ଘରେ ଥିଲା ତାଙ୍କର ଖୁବ୍‌ ବଡ଼ ଚୁଲା । ଗରମ ଘରେ ରହି ତା’ର ବେଶି ଗରମ ଅଭ୍ୟାସ ହୋଇ ଯାଇଛି ।’’

 

ଏଥାନ୍‌ ଫୋପାଡ଼ିଲା ପରି ଉତ୍ତର ଦେଲେ, ‘‘ଏପରିସ୍ଥଳେ ତା’ର ସେ ଘର ନଛାଡ଼ି, ସେଇଠାରେ ରହିବା ଉଚିତ୍‌ ଥିଲା ।’’ ମ୍ୟାଟିଙ୍କ ଆଡ଼କୁ ମୁହଁ ବୁଲାଇ କଡ଼ା ଗଳାରେ ଶୁଣାଇ ଦେଲେ, ‘‘ମ୍ୟାଟ୍‌, ତୁମେ ତିନିଟାବେଳେ ବାହାରିବାକୁ ପ୍ରସ୍ତୁତ ହେଇଯିବା ଦରକାର । ମୋ’ର କରବ୍ୟୁରିରେ ଗୋଟାଏ ଜରୁରି କାମ ଅଛି ।’’

 

ଜୋଥାମ୍‌ ପାଓ୍ୱେଲ୍‌ ବଗି ବାହାର କରିବାକୁ ଖଳା ଆଡ଼େ ଯିବାକୁ ଆରମ୍ଭ କରିଥିଲା; ଏଥାନ୍‌ ରାଗରେ ପାଚିପୁଚି ତା’ ପଛରେ ଦ୍ରୁତ ପଦରେ ଚାଲିଲେ । ତାଙ୍କ ଥାନମୁଣ୍ଡାର ଶିରାଗୁଡ଼ାକ ଠକ୍‌ଠକ୍‌ ହେଉଥାଏ । ଆଖି ଆଗରେ କୁହୁଡ଼ା ଜମି ଯାଇଥାଏ । କେଉଁ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ସେ ଚାଳିତ ହେଉଛନ୍ତି ଜାଣି ନପାରି ନିଜ କାମରେ ଲାଗିଲେ; କାମ ନିଜର ହାତ ଓ ପାଦ କରୁଛନ୍ତି ବୋଲି ମଧ୍ୟ ତାଙ୍କର ଖିଆଲ ନଥାଏ । ବୁଢ଼ାଘୋଡ଼ାକୁ ଶାଳରୁ ଆଣି ବଗିରେ ଦଣ୍ଡ ଭିତରେ ପୂରାଇ ସାରିଲା ପରେ ଯାଇ ତାଙ୍କର ହୋସ୍‌ ଆସିଲା । ସେ କାହିଁକି କ’ଣ କରୁଛନ୍ତି ଖିଆଲ୍‌ କଲେ । ଘୋଡ଼ା ମୁହଁରେ ଲଗାମ୍‌ ଦେଇ, ବଗିର କଣ୍ଡାକାଠି ଅଗରେ ଘୋଡ଼ାର ପଘାକୁ ଗୁଡ଼ାଉ ଗୁଡ଼ାଉ ତାଙ୍କର ମନେ ପଡ଼ିଲା ସେଇଦିନ, ଯେଉଁଦିନ ସେ ଏଇପରି ବଗି ସଜକରି ପତ୍ନୀଙ୍କର ଏଇ ମାମୁଁଝିଅ ଭଉଣୀଙ୍କୁ ପ୍ରଥମ ଦିନ ଷ୍ଟେସନ୍‌ରୁ ଆଣିବାକୁ ଯାଇଥିଲେ । ସେ ଦିନ ଓ ଏ ଦିନ ! ବର୍ଷକରୁ ବେଶୀ ହେବ । ସେ ଦିନରୁ ଅପରାହ୍ନରେ ବି ଠିକ୍‌ ଆଜିପରି କଅଁଳିଆ ଖରା ହୋଇଥାଏ, ବାୟୂମଣ୍ଡଳରେ ବସନ୍ତର ମୂର୍ଚ୍ଛନା ବୋଳି ହୋଇଥାଏ ଠିକ୍ ସେଇଦିନ ପରି ବୁଢ଼ା ଘୋଡ଼ା ତା’ ଢେଗା ଢେଗା ଆଖି ଦୁଇଟା ତାଙ୍କରି ଆଡ଼କୁ ବୁଲାଇ ତାଙ୍କର ଢଳିପାରେ ତା’ ନାକ ଘଷୁଥାଏ । ସେ ଦିନ ଓ ଏ ଦିନ ଭିତରେ ଯେତେଦିନ ଓ ରାତି, ସେ ସବୁର ଅନୁଭୂତି ଗୋଟି ଗୋଟି ହୋଇ ତାଙ୍କ ମାନସଚକ୍ଷୁ ଆଗରେ ରୂପବନ୍ତ ହୋଇ ଠିଆ ହେଲା ।

 

ସେ ଭାଲୁଚମଡ଼ାର ପାଲଟା ବଗି ଉପରେ ରଖି ଦେଇ, ବଗିର ସିଟ୍‌ ଉପରକୁ ଚଢ଼ିଗଲେ ଓ ବଗିକୁ ରୋଷେଇ ଘରର ଦୁଆର ମୁହଁକୁ ଆଣିଲେ । ରୋଷେଇଘରେ କେହି ନଥାନ୍ତି; କିନ୍ତୁ ମ୍ୟାଟିଙ୍କ ହାତଧରା ବ୍ୟାଗ ଓ ଶାଲଟା ଦୁଆର ମୁହଁରେ ରଖା ହୋଇଥାଏ । ସେ ସିଡ଼ି ପାଖକୁ ଯାଇ କାନେଇଲେ । ଉପରୁ କିଛି ଶବ୍ଦ ଶୁଣା ଯାଉନଥାଏ । ଟିକିଏ ପରେ ତାଙ୍କୁ ଜଣାଗଲା, ତଳମହଲାରେ ତାଙ୍କ ପରିତ୍ୟକ୍ତ ‘ପଢ଼ାଘରେ’ କିଏ ଜଣେ ଯା’ ଆସ କରୁଛି । ସେ ଦୁଆରକୁ ମେଲାଇ ଦେଲା ବେଳକୁ ଦେଖିଲେ, ମ୍ୟାଟି ତାଙ୍କ ଆଡ଼କୁ ପିଠି କରି ଟେବୁଲ ପାଖରେ ଠିଆ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଟୋପି ଓ ଦେହରେ କୁରୁତା—ବାହାରିବାକୁ ତିଆର ।

 

ଏଥାନ୍ ଘରେ ପଶିବାରେ ସେ ଚମକି ପଡ଼ି ଚଞ୍ଚଳ ବୁଲିପଡ଼ି ପଚାରିଲେ, ‘‘କଣ, ବେଳ ହୋଇଗଲାଣି ?’’

 

ଏଥାନ୍‌ ପଚାରିଲେ, ‘‘ମ୍ୟାଟ୍‌ ! ଏଠି କ’ଣ କରୁଛ ?’’

 

ମ୍ୟାଟି ଡରିଗଲା ପରି ତାଙ୍କ ଆଡ଼କୁ ଚାହିଁ କହିଲେ, ‘‘ଖାଲି ଟିକିଏ ଆଖି ବୁଲେଇ ଦେଉଥିଲି—ଆଉ କିଛି ନାହିଁ ।’’ ଏହା କହି ସେ ଥାଥା ମାମା ହୋଇ ଟିକିଏ ହସି ଦେଲେ ।

 

ଦୁହେଁ ଯାକ ଆଉ କିଛି କଥାବାର୍ତ୍ତା ନହୋଇ ରୋଷେଇଘରକୁ ଫେରିଲେ; ଏଥାନ୍‌ ମ୍ୟାଟିଙ୍କ ବ୍ୟାଗ୍‌ ଓ ଶାଲ ଉଠାଇ ଧରି ପଚାରିଲେ, ‘‘ଜୀନା କୋଉଠି ?’’

 

‘‘ଖାଇବା ପରେ ପରେ ଓପର ମହଲାକୁ ଯାଇଛନ୍ତି । କହିଲେ ତାଙ୍କ ଆଣ୍ଠୁ-ଗଣ୍ଠିରେ ପ୍ରାସ ହୋଇ କନ କନ ମାରି ଦେଉଛି । ତାଙ୍କୁ ନ ଉଠାଇବାକୁ କହିଛନ୍ତି ।’’

 

‘‘ତୁମକୁ ବିଦାୟ ଦେଇ ପଦେ କିଛି କହିଲେ ନାଇଁ ?’’

 

‘‘ନା, ଯାହା କହିଲି, ସେତିକି ମୋତେ କହିଲେ ମାତ୍ର !’’

 

ଏଥାନ୍ ଆସ୍ତେ ଆସ୍ତେ ରୋଷେଇଘରର ଚାରିଆଡ଼େ ଆଖି ବୁଲାଇଲେ । ଚମକି ପଡ଼ିଲା ପରି ହୋଇ ମନକୁ ମନ କହିଲେ, ଆଉ କେତେ ଘଣ୍ଟା’ପରେ ମ୍ୟାଟିଙ୍କୁ ଛାଡ଼ି ଏକାକୀ ଘରକୁ ଫେରିବି । ପୁଣି, ଏ ସବୁ ଅବାସ୍ତବ ଚିନ୍ତା ବୋଲି ତାଙ୍କ ମନରେ ଧାରଣା ହେଲା; ମ୍ୟାଟି ଯେ ତାଙ୍କ ଆଗରେ ଏଇ ଶେଷଥର ପାଇଁ ଠିଆ ହୋଇଛନ୍ତି ଏକଥା ବିଶ୍ୱାସ କରିବାକୁ ସେ ପ୍ରସ୍ତୁତ ହୋଇ ପାରିଲେ ନାହିଁ ।

 

ପାୟ ମନଫୁଲାଣିଆ ଢଙ୍ଗରେ ସେ ଡାକିଲେ, ‘‘ଆସ ଏଥର;’’ ବଗିରେ ଦୁଆର ଫିଟାଇ ସେ ମ୍ୟାଟିଙ୍କ ବ୍ୟାଗ୍‌ଟି ବଗି ଭିତରେ ରଖିଦେଲେ । ତା’ ପରେ ନିଜ ସିଟ୍‌କୁ କୁଦି ପଡ଼ିଲେ ଓ ମ୍ୟାଟି ଉଠି ତାଙ୍କ ପାଖରେ ବସନ୍ତେ ସେ ଝୁଙ୍କିପଡ଼ି ଭାଲୁ ଚମଡ଼ାର କମ୍ୱଳଟା ମ୍ୟାଟିଙ୍କ ଦେହରେ ଘେରାଇ ଦେଲେ । ତା’ପରେ ସେ ଲଗାମ ହଲାଇ ଦେଇ ଘୋଡ଼ାକୁ କହିଲେ, ‘‘ଚାଲ ବାବା, ଚାଲ’’; ଘୋଡ଼ା ମନ୍ଦ ମନ୍ଥର ରାତିରେ କୁଦିଆ ତଳକୁ ଚାଲିଲା ।

 

ଏଥାନ୍‌, କମ୍ୱଳ ତଳେ ହାତ ବଢ଼ାଇ ମ୍ୟାଟିଙ୍କ ହାତ ଜାକି ଧରି କହିଲେ, ‘‘ମ୍ୟାଟ୍‌ ! ବହୁତ ସମୟ ଅଛି, ମନ ମଉଜରେ ବଗି ଚଳାଇବା ।’’ ତାଙ୍କ ମୁହଁ ଫଣଫଣ ହୋଇ ଯାଇଥାଏ, ମୁଣ୍ଡ ଘୂରାଉଥାଏ; ମନେ ହେଉଥାଏ, ସତେ ଯେମିତି ଗୋଟାଏ ମନବ୍ୟସ୍ତ ଦିନରେ ସେ ମଦ ପିଇବାକୁ ଷ୍ଟାର୍କଫିଲ୍‍ଡ୍‍ ଖଟିରେ ବସିଛନ୍ତି ।

 

ଫାଟକ ପାର ହୋଇ ଷ୍ଟାର୍କଫିଲ୍‍ଡ୍‍ ଆଡ଼େ ନ ମୁହାଁଇ ସେ ଘୋଡ଼ାକୁ ଡାହାଣ ପଟକୁ, ବେଟ୍‌ସ୍‌ ବ୍ରିଜ୍‌ ରାସ୍ତାରେ ଚଳାଇ ଦେଲେ । ମ୍ୟାଟି ବିସ୍ମୟରେ କୌଣସି ସୂଚନା ନ ଦେଇ ତୁନି ହୋଇ ବସିଥାନ୍ତି । କିଛି ସମୟପରେ କିନ୍ତୁ ସେ କହିଲେ, ‘‘ତୁମେ ତେବେ ଛାଇ ପୋଖରୀବାଟେ ଯିବାକୁ ବିଚାରିଛି ବୋଧହୁଏ ?’’

 

ଏଥାନ୍‌ ହସି ହସି ଉତ୍ତର ଦେଲେ, ‘‘ମୁଁ ଜାଣେ, ତୁମେ ମୋର ମନ କଥା ଧରି ପାରିବ-।’’

 

ମ୍ୟାଟି କମ୍ୱଳ ତଳେ ଏଥାନ୍‍ଙ୍କ ଆଡ଼କୁ ଆଉ ଟିକିଏ ଲାଗିଗଲେ; ଏଥାନ୍‌ ବାଁ କାନ୍ଧ ଉପରେ ମୁହଁ ବୁଲାଇ ମ୍ୟାଟିଙ୍କ ନାକରେ ଅଗ ଓ ପବନରେ ଭାସିଥିବା ତାଙ୍କ ମୁଣ୍ଡର କେରାଏ ଫିଙ୍ଗଳବର୍ଣ୍ଣ କେଶ ଦେଖି ପାରୁଥାନ୍ତି । ବଗି ଆସ୍ତେ ଆସ୍ତେ ସଡ଼କର ଉଠାଣି ଉଠୁଥାଏ; ସଡ଼କର ଦୁଇପାଖେ ତୁଷାରାବୃତ ପ୍ରାନ୍ତର ନରମ ସୂର୍ଯ୍ୟାଲୋକରେ ଚକ୍ ଚକ୍ କରୁଥାଏ । ତା’ପରେ ସେମାନେ ଡାହାଣକୁ ରାସ୍ତାଭାଙ୍ଗି ଗୋଟିଏ ଗଳି ରାସ୍ତାରେ ପଶିଲେ; ୟାର ଦୁଇପାଖେ ଦୁଇଧାଡ଼ି ସ୍ପୃଶ୍‌ ଓ ଲାର୍ଚ୍ଚ ଗଛ । ଆଗରେ, ଖୁବ୍‌ ଦୂରରେ ଗୋଟିଏ କ୍ଷୁଦ୍ର-ପର୍ବତମାଳାର ଶିଖରମାନଙ୍କର ଶୁକ୍ଳ ବକ୍ରରେଖା ଆକାଶରେ ଅଙ୍କିତ ହୋଇଥାଏ; ପର୍ବତର ଠାଏ ଠାଏ ଜଙ୍ଗଲର କାଳିମା, ଶୁକ୍ଳ ତୁଷାର ଆଚ୍ଛାଦନରେ ବାରି ହୋଇ ଦିଶୁଥାଏ । ରାସ୍ତାରେ ଖଣ୍ଡେ ଦୂର ଆଗେଇବା ପରେ ପଡ଼ିଲା, ପାଇନ୍‌ ଗଛର ଜଙ୍ଗଲ, ଗଛର ଗଣ୍ଡି ଗୁଡ଼ିକ ଅପରାହ୍ନର ସୂର୍ଯ୍ୟକିରଣରେ ରକ୍ତାଭ ଦିଶୁଥାଏ; ଗଛର ଛାଇ ତୁଷାର ଆସ୍ତରଣ ଉପରେ ଈଷତ୍‌ ନୀଳ ଦିଶୁଥାଏ । ଜଙ୍ଗଲ ଭିତରେ ଦୁହେଁ ପଶିବା ପରେ ପବନ ବନ୍ଦ ହୋଇଗଲା ଓ ପାଇନ୍‌ ଗଛରୁ ମୂନିଆ ଫଳ ସାଙ୍ଗେ, ଦୁହିଁଙ୍କ ଉପରେ, ସୁଖଦାୟକ ଉଷ୍ମ ନିର୍ଜରତା ଖସି ପଡ଼ିଲା ପରି ଲାଗିଲା । ଏଠାରେ ଭୂଇଁରେ ପଡ଼ିଥିବା ତୁଷାର ଏଡ଼େ ନିର୍ମଳ ଯେ, ୟା ଉପରେ ବନ୍ୟ ଜନ୍ତୁମାନଙ୍କର ପାଦଚିହ୍ନ ବାରିହୋଇ ତୁଷାର ଉପରେ ସୂକ୍ଷ୍ମ ଛୁଞ୍ଚିକାମ ହେଲା ପରି ଦିଶୁଥାଏ; ତା ଭିତରେ ପଡ଼ିଥିବା ନୀଳାଭ ପାଇନ୍‌ ଫଳଗୁଡ଼ିକ ପିତଳର ଅଳଙ୍କାର ଖଞ୍ଜା ହେଲାପରି ମନେ ହେଉଥାଏ ।

 

ଏଥାନ୍‌ ତୁନି ହୋଇ ଗାଡ଼ି ଚଳାଉଥାନ୍ତି । ଆହୁରି ଆଗେଇ, ପାଇନ୍‌ଗଛ ଗୁଡ଼ିକ ବେଶି ଛାଡ଼ି ଛାଡ଼ି ହୋଇ ଉଠିଥାନ୍ତି । ଏଇଠାରେ ଏଥାନ୍‌ ବଗି ଅଟକାଇଲେ ଓ ମ୍ୟାଟିଙ୍କ ହାତ ଧରି ବଗିରୁ ଓହ୍ଲାଇଦେଲେ । ଦୁହେଁ ସୁଗନ୍ଧ ପାଇନ୍‌ ଗଛର ଗଣ୍ଡିମାନଙ୍କ ମଝିରେ ରାସ୍ତାରୁ ବଣ ଭିତରକୁ ଖଣ୍ଡେ ବାଟ ଯାଇ ଗୋଟିଏ ଛୋଟ ଜଳାଶୟ ପାଖକୁ ଆସିଲେ । ତା’ର ଚାରି କଡ଼ ଉଚ୍ଚ ଓ ଘନ ବନାନୀରେ ପୂର୍ଣ୍ଣ । ଜଳାଶୟର ଜମାଟ ବାନ୍ଧିଥିବା ତୁଷାର ଆରପାଖେ ପଶ୍ଚିମ ଦିଗରେ, ଗୋଟିଏ କ୍ଷୁଦ୍ର ପର୍ବତ ପଶ୍ଚିମାକାଶର ସୂର୍ଯ୍ୟଙ୍କୁ ଆଢ଼ୁଆଳ ହୋଇ ଲମ୍ୱ ଗମ୍ବୁଜାକୃତି ଛାଇ ଜଳାଶୟ ଉପରେ ପକାଇଥାଏ; ଏଇ ଛାଇ ଯୋଗୁଁ ୟାର ନାମ ଛାଇ ପୋଖରୀ । ଏହି ନିର୍ଜନ ସ୍ଥାନଟି, ନିଜକୁ ବାହାର ଜଗତରୁ ଲାଜରେ ଲୁଚେଇ ରଖିଲା ପରି ରହିଛି; ଏହାର ମୂକ ବିଷଣ୍ଣତା ଏଥାନ୍‍ଙ୍କ ହୃଦୟରେ ପ୍ରତିଫଳିତ ହୋଇଥାଏ ।

 

ଏଥାନ୍‌ ଜଳାଶୟର ବାଲିଗରଡ଼ା ପୂର୍ଣ୍ଣ ତୀରରେ ଏଣେତେଣେ ଆଖି ବୁଲାଇ କଟା ହୋଇ ତଳେ ପଡ଼ିଥିବା ଗୋଟିଏ କାଠଗଣ୍ଡି ଠାବ କଲେ; ଗଣ୍ଠିଟି ତୁଷାରରେ ଅଧା ପୋତି ହୋଇଥାଏ । ଏଥାନ୍‍ଙ୍କ ଆଖିରୁ ଆନନ୍ଦ ଉକୁଟି ଉଠିଲା; ସେ ମ୍ୟାଟିଙ୍କୁ ସ୍ମରଣ କରାଇ ଦେଲେ, ‘‘ବଣଭୋଜି ଦିନ ଆମେ ଏଇ ଗଣ୍ଡିଟି ଉପରେ ବସିଥିଲେ ।’’

 

ଏଥାନ୍‌ ମ୍ୟାଟିଙ୍କ ସାଙ୍ଗେ ଯେଉଁ ସାମାନ୍ୟ କେତୋଟି ସାମାଜିକ ଉତ୍ସବରେ ଯୋଗ ଦେଇଥିଲେ ସେଥିରୁ ଏ ବଣ ଭୋଜିଟି ଗୋଟିଏ । ଗିର୍ଜା ପକ୍ଷରୁ ଏ ଭୋଜିଟି ଯୋଗାଡ଼ ହୋଇଥିଲା ଗତ ଖରାଦିନର ଗୋଟିଏ ଦୀର୍ଘ ଅପରାହ୍ନରେ । ଏହି ନିର୍ଜନ ସ୍ଥାନଟି ସେଦିନ ହସଖୁସିରେ ପୂରି ଉଠିଥିଲା ।

 

ଭୋଜିକୁ ତାଙ୍କ ସଙ୍ଗେ ଯିବାପାଇଁ ମ୍ୟାଟି ଏଥାନ୍‍ଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଏଥାନ୍‌ ରାଜି ହେଇ ନଥିଲେ ସନ୍ଧ୍ୟାବେଳେ ପର୍ବତରୁ କାଠ ହାଣି ଫେରିବା ବେଳେ ସେ ବଣରେ ବୁଲୁଥିବା କେତେଜଣ ଭୋଜି ବାଲାଙ୍କ ହାବୁଡ଼ରେ ପଡ଼ି ଟଣା ହୋଇ ଛାଇ-ପୋଖରୀ ପାଖରେ ହେଉଥିବା ମଉଜକୁ ଗଲେ । ସେଠାରେ ଦେଖିଲେ, ଫଞ୍ଚୋ ରହସିଆ ଟୋକା ମ୍ୟାଟିଙ୍କୁ ବେଢ଼ି ବସିଛନ୍ତି ଓ ମ୍ୟାଟି ତାଙ୍କ ଓସାରିଆ ଟୋପିଟା ପିନ୍ଧି ପାଚିଲା ଆମ୍ୱ ପରି ଦାଉ ଦାଉ ଦିଶୁଛନ୍ତି । ମ୍ୟାଟି ପଥର ତିନିଖଣ୍ଡ ଝିଙ୍କାଦେଇ ତିଆରି ହୋଇଥିବା ଗୋଟିଏ ଅହିଆ ଉପରେ କଫ ବସାଇଥାନ୍ତି । ଏଥାନ୍‍ଙ୍କର ମନେ ଅଛି, ତାଙ୍କ ଅଘଟଣ ପୋଷାକରେ ମ୍ୟାଟିଙ୍କ ପାଖକୁ ଯିବାକୁ ସେତେବେଳେ ତାଙ୍କୁ କେଡ଼େ ଲାଜ ମାଡ଼ିଥିଲା । ତାଙ୍କୁ ଦେଖି, କିନ୍ତୁ, ମ୍ୟାଟିଙ୍କ ମୁହଁ ଉଜ୍ୱଳ ହୋଇଗଲା ଓ ସେ ହାତରେ କଫି ପିଆଲା ସମସ୍ତଙ୍କୁ ଉପେକ୍ଷା କରି, ସେ ଭିଡ଼ ଭିତରେ, ତାଙ୍କ ପାଖରେ ଆସି ପହଞ୍ଚିଲେ । ସେ ଚିତ୍ର ଆଜି ତାଙ୍କ ମନରେ ପରିଷ୍କାର ଦିଶୁଥାଏ । ମଝିରେ କିଛି ସମୟ ପାଇଁ ଦୁହେଁ ଏଇ କାଠ ଗଣ୍ତି ଉପରେ ଟିକିଏ ବସିଥିଲେ । ତା’ପରେ ମ୍ୟାଟି ଜାଣିପାରିଲେ ଯେ ତାଙ୍କ ସୁନା ଲକେଟ୍‌ଟି କେଉଁଠି ପଡ଼ିଯାଇଛି । ସବୁ ଟୋକାଯାକ ବାଦବୁଦିଆ ହୋଇ ଲକେଟ୍‌ ଖୋଜାରେ ଲାଗିଗଲେ । ଶେଷରେ କିନ୍ତୁ ଶିଉଳିରେ ଲକେଟ୍‌ଟି ପଡ଼ିଥିବାର ଏଥାନ୍‍ଙ୍କ ଆଖିରେ ପଡ଼ିଲା.... । ସେ ଦିନର ଘଟଣା ଏତିକି । ଖାଲି ଏ ଘଟଣାରେ କାହିଁକି, ଆଉ ଯେତେଥର ଦୁହିଁଙ୍କର ମିଳାମିଶା ହୋଇଛି, ସବୁଥର ଏହିପରି ଅସ୍ଫୁଟ ପ୍ରେମର ଝଲକ ମାତ୍ର । ଏତିକିରେ ଉଭୟେ ହଠାତ୍‌ ପରମ ଆନନ୍ଦ ଉପଭୋଗ କରି ପକାନ୍ତି, ଶୀତ ଦିନର ତୁଷାରାଚ୍ଛାଦିତ ବନାନୀରେ ଗୋଟାଏ ପ୍ରଜାପତି ମିଳିଗଲା ପରି.... ।

 

ଗୋଟାଏ ଗହଳିଆ ବୁଦା ଆଡ଼କୁ ଗୋଡ଼ ବଢ଼ାଇ ଏଥାନ୍‌ କହିଲେ, ‘‘ଠିକ୍‌ ଏଇ ଜାଗାରେ ସେ ଦିନ ତୁମ ଲକେଟ୍‌ଟି ପାଇଥିଲି ।’’

 

ମ୍ୟାଟି ଉତ୍ତର ଦେଲେ, ‘‘ତୁମ ଆଖି ପରି ତୀକ୍ଷ୍‍ଣ ଆଖି ଆଉ କାହାରିଠାରେ ଦେଖିନାହିଁ-।’’

 

ସୂର୍ଯ୍ୟକିରଣକୁ ପିଠି କରି ମ୍ୟାଟି କାଠଗଣ୍ଡି ଉପରେ ବସିଲେ,

 

ଏଥାନ୍‌ ବସି ପଡ଼ିଲେ ତାଙ୍କରି ପାଖକୁ ଲାଗି ।

 

ସେ କହିଲେ, ‘‘ସେ ଦିନ ଲାଲ ଗୋଲାପ ରଙ୍ଗର ଟୋପିଟି ପିନ୍ଧି ତୁମେ ଚିତ୍ର ପ୍ରତିମା ପରି ଦିଶୁଥିଲ ।’’

 

ମ୍ୟାଟି ତୃପ୍ତିରେ ହସି ଜବାବ ଦେଲେ, ‘‘ବୋଧହୁଏ ସେଇ ଟୋପିଟି ଯୋଗୁଁ ।’’

 

ପରସ୍ପରର ମନ କଥା ଏପରି ଆଉ କେବେ ସେ ଦୁହେଁ ପରସ୍ପରକୁ ଶୁଣାଇନଥିଲେ । ସେଇ ମୁହୂର୍ତ୍ତରେ ଏଥାନ୍‍ଙ୍କୁ ଲାଗୁଥାଏ, ସେ ଅଦ୍ୟାପି ଅବିବାହିତ ଓ ଯାହାକୁ ବିଭା ହେବାକୁ ଇଚ୍ଛା କରୁଛନ୍ତି, ତା’କୁ ନିଜର ପ୍ରେମ ନିବେଦନ କରୁଛନ୍ତି । ତାଙ୍କର ଦୃଷ୍ଟି ପଡ଼ିଲା ମ୍ୟାଟିଙ୍କ କେଶ ଉପରେ; ମନ ହେଲା, ଆଉଥରେ ସେଥିରେ ହାତ ମାରନ୍ତେ ଓ ସଦ୍ୟ କଟାହୋଇଥିବା କାଠ ପରି ତାହାର ସୁଗନ୍ଧ ବୋଲି କହନ୍ତେ । କିନ୍ତୁ, ଏମିତି କଥା କହିବାରେ ସେ ପଟୁତା ଅର୍ଜନ କରି ନଥାନ୍ତି ।

 

ହଠାତ୍‌ ମ୍ୟାଟି ଉଠି ଠିଆ ହୋଇପଡ଼ିଲେ ଓ କହିଲେ, ‘‘ଆଉ ବେଶି ସମୟ ଆମର ଏଠାରେ ରହିବା ଚଳିବ ନାହିଁ ।’’

 

ଏଥାନ୍‌ ବୋକା ପରି ତାଙ୍କ ଆଡ଼କୁ ଚାହିଁ ରହିଥାନ୍ତି; ତାଙ୍କ ସୁଖସ୍ୱପ୍ନ ଭାଙ୍ଗି ଥାଏ । ସେ କହିଲେ, ‘‘ଷ୍ଟେସନ୍‌କୁ ଯିବାକୁ ଢେର୍‌ ସମୟ ଅଛି ।’’

 

ପରସ୍ପରର ରୂପକୁ ପିଇଗଲା ପରି ଉଭୟେ ଉଭୟଙ୍କୁ ଚାହିଁ-ରହିଲେ । ବିଦାୟ ନେବା ପୂର୍ବରୁ ମ୍ୟାଟିଙ୍କୁ କହିବାକୁ ଏଥାନ୍‍ଙ୍କର ବହୁତ କିଛି ଥାଏ; କିନ୍ତୁ ରମଣୀୟ ଗ୍ରୀଷ୍ମକାଳର ସ୍ମୃତିଜଡ଼ିତ ଏ ସ୍ଥାନରେ ସେ ସବୁ କହିବାର ନୁହେଁ । ତେଣୁ ସେ ପାଟି ନ ଫିଟାଇ ମ୍ୟାଟିଙ୍କ ପଛେ ପଛେ ଯାଇ ବଗି ପାଖରେ ପହଞ୍ଚିଲେ । ପୁଣି ବଗି ଚାଲିଲା ବେଳକୁ ସୂର୍ଯ୍ୟ ପର୍ବତ ପଛପଟେ ଲୁଚି ଯାଇଥାନ୍ତି ଓ ପାଇନ୍‌ ଗଛର ଗଣ୍ତି ଗୁଡ଼ିକ ନାଲି ନ ଦିଶି ଧୂସର ଦିଶୁଥାନ୍ତି ।

 

ପ୍ରାନ୍ତର ଭିତରେ ଗୋଟାଏ ସର୍ପିଳ ରାସ୍ତା ଦେଇ ସେମାନେ ପୁଣି ଷ୍ଟାର୍କଫିଲ୍‌ଡ୍ ରାସ୍ତାକୁ ବୁଲି ଆସିଲେ । ଖୋଲା ଜାଗାରେ ବେଶ୍‌ ଆଲୁଅ ଥାଏ; ପୂର୍ବଦିଗର ପର୍ବତମାନଙ୍କ ଉପରେ ପଶ୍ଚିମଦିଗର ରକ୍ତିମ ଆଭା ପ୍ରତିଫଳିତ ହେଇଥାଏ । ତୁଷାର ଭିତରେ ବିଚ୍ଛୁରିତ ବୃକ୍ଷବାଟିକାମାନ ନିଜର ବିପର୍ଯ୍ୟସ୍ତ ପତ୍ରାବଳୀକୁ ସଂକୁଚିତ କରି ଜାକିଜୁକି ହୋଇ ରହିଥାନ୍ତି, ଯେପରି ପକ୍ଷୀମାନେ ରାତିରେ ନିଜର ଆଲୁଳାୟିତ ପକ୍ଷ ଭିତରେ ମୁଣ୍ତ ଗୁଞ୍ଜି ରହିଥାନ୍ତି । ସନ୍ଧ୍ୟାଗମରେ ଆକାଶ, ଯହୁଁ ଯହୁଁ ମଳିନ ହେଉଥାଏ ତହୁଁ ଉପରକୁ ଉଠି ଭୂଇଁଠାରୁ ଅଧିକରୁ ଅଧିକ ଅନ୍ତର ହୋଇ ଯାଉଥାଏ । ଷ୍ଟାର୍କଫିଲ୍‌ଡ୍ ସଡ଼କରେ ପଡ଼ିବା ପରେ ଏଥାନ୍‌ ପଚାରିଲେ, ମ୍ୟାଟ୍‌, କ’ଣ କରିବ ବୋଲି ବିଚାରିଛ-?’’

 

ମ୍ୟାଟି ସାଙ୍ଗେ ସାଙ୍ଗେ କିଛି ଜବାବ୍‌ ଦେଲେନାହିଁ; ଟିକକ ପରେ କହିଲେ, ‘‘କୌଣସି ଗୋଟାଏ ଷ୍ଟୋରରେ ରହିଯିବାକୁ ଯୋଗାଡ଼ କରିବି ।’’

 

‘‘ଅନୁଭବ ତ କରିଛ, ସେ କାମକୁ ତୁମେ ପାରିବ ନାହିଁ । ଘର ଭିତରେ ରୁନ୍ଧି ହୋଇ ଦିନ ତମାମ ଠିଆ ହୋଇ ରହିବା ଫଳରେ ଥରେ ତ ମଲାପରି ହୋଇ ଯାଇଥିଲ ।’’

 

‘‘କିନ୍ତୁ ଷ୍ଟାର୍କଫିଲ୍‌ଡ୍‍କୁ ପ୍ରଥମେ ଆସିବା ଦିନକୁ ଚାହିଁଲେ ମୁଁ ଏବେ ଖୁବ୍‌ ଟାଣ ହୋଇ ଗଲିଣି ।’’

 

‘‘କିନ୍ତୁ ଏଠାରେ ରହିବା ଫଳରେ ଯାହା ବା ଟିକିଏ ଲାଭ ହୋଇଛି, ସେତକ ତ ପୁଣି ଦୋକାନରେ ରହିଲେ ବୃଥା ହୋଇଯିବ ।’’

 

ଏ କଥାକୁ ମ୍ୟାଟି କ’ଣ ବା ଉତ୍ତର ଦିଅନ୍ତେ ? ଆଉ କିଛି କଥାବାର୍ତ୍ତା ନହୋଇ ଦୁହେଁ ତୁନି ହୋଇ ରହିଲେ; ବଗି ଚାଲିଥାଏ । ରାସ୍ତାର ପ୍ରତି ଗଜରେ ଏଭଳି ସ୍ଥାନ ପଡ଼ୁଥାଏ, ଯେଉଁଠି ଦୁହେଁ କଥାବାର୍ତ୍ତା ହୋଇଥିଲେ ବା ଏକାଠି ତୁନି ହୋଇ ଠିଆ ହୋଇଥିଲେ; କେଉଁଠାରେ ବା ଡରିଯାଇ ମ୍ୟାଟି ଏଥାନ୍‌ଙ୍କୁ ଭିଡ଼ିଧରି ତାଙ୍କ ପାଖକୁ ଲାଗି ଯାଇଥିଲେ ।

 

କିଛି ସମୟରେ ଏଥାନ୍‌ ପଚାରିଲେ, ‘‘ଆଚ୍ଛା, ତୁମ ବାପାଙ୍କର କୌଣସି ଆତ୍ମୀୟ ତୁମକୁ ଏ ବେଳରେ ସାହା ହେବେ ନାହିଁ ।’’

 

‘‘ଯିଏ ବା ଅଛନ୍ତି ତାଙ୍କୁ ମୁଁ ହାତ ପତେଇବି ନାହିଁ ।’’

 

ଏଥାନ୍‌ ଚୁପ୍‌ଚୁପ୍‌ କରି କହିଲେ, ‘‘ମ୍ୟାଟ ! ତୁମେ ବୋଧହୁଏ ଜାଣ, ପାରନ୍ତି ଯେବେ, ତୁମ ପାଇଁ ସବୁ କିଛି କରିବାକୁ ବାହାରନ୍ତି ।’’

 

‘‘ସେ କଥା ମୁଁ ଭଲ କରି ଜାଣେ, ଏଥାନ୍‌ !’’

 

‘‘କିନ୍ତୁ ମୋର ବର୍ତ୍ତମାନ ଯାହା ଅବସ୍ଥା ସେଥିରେ ମୁଁ କିଛି କରି ପାରୁନାହିଁ ।’’

 

ମ୍ୟାଟି ତୁନି ହୋଇ ମୁହୂର୍ତ୍ତେ ରହିଲେ; କିନ୍ତୁ ଏଥାନ୍‍ଙ୍କୁ ଜଣା ପଡ଼ିଲା, ତାଙ୍କ ଲାଗି ମ୍ୟାଟିଙ୍କ କାନ୍ଧ କେମିତି ଥରୁଛି ।

 

ଏଥାନ୍‌ ସହି ନ ପାରି କହି ପକାଇଲେ, ‘‘ମ୍ୟାଟ୍‌ ! ଓ ମ୍ୟାଟ୍‌ ! ମୋର ମନ ହେଉଛି ଯଦି ପାରିଥାନ୍ତି, ଆଜି ତୁମ ସାଙ୍ଗେ ମୁଁ ବି ବାହାରି ଯାଇଥାନ୍ତି ।’’

 

ମ୍ୟାଟି ତାଙ୍କ ଆଡ଼କୁ ମୁହଁ ଫେରାଇଲେ; ନିଜ ବ୍ଲାଉଜ୍‌ ତଳୁ ଛାତିରୁ ଖଣ୍ତେ କାଗଜ ବାହାର କରି ଥରିଲା ସ୍ୱରରେ କହିଲେ, ‘‘ଏଥାନ୍‌ ଏ ଖଣ୍ତେ ମୁଁ ପାଇଛି ।’’ ଅନ୍ଧାର ହୋଇ ଯାଇଥିଲ ହେଁ, ଏଥାନ୍‌ ଜାଣିଲେ ଏ ଖଣ୍ତେ ସେଇ ଚିଠି, ଯାହାକୁ ଗତ ରାତିରେ ସେ ଜୀନାଙ୍କ ପାଖକୁ ଲେଖିବାକୁ ଆରମ୍ଭ କରିଥିଲେ; ଚିଠି ଖଣ୍ତ ନଷ୍ଟ କରିବାକୁ ତାଙ୍କର ପାସୋର ହୋଇଯାଇଛି । ମ୍ୟାଟିଙ୍କ ହାତରେ ଚିଠି ଖଣ୍ତ ପଡ଼ିବାର ଦେଖି ବିସ୍ମୟ ସଙ୍ଗେ ତାଙ୍କ ମନ ଭିତରେ ଆନନ୍ଦର ଗୋଟାଏ ତୀବ୍ର ଶିହରଣ ଖେଳିଗଲା । ସେ କହି ଉଠିଲେ, ‘‘ମ୍ୟାଟ୍‌ ! ମୁଁ ଯଦି ୟା କରି ପାରିଥାନ୍ତି ତମେ ରାଜି ହୋଇଥାନ୍ତଟି ?’

 

ମ୍ୟାଟି ଉତ୍ତର ଦେଲେ, ‘‘ସେ କଥାରେ ଆଉ ଯାଏ ଆସେ କେତେ ଏଥାନ୍‌ ! ହଠାତ୍‌ ସେ ଚିଠିଟା ଟିକି ଟିକି କରି ଚିରି ପକାଇଲେ ଓ ତୁଷାର ଉପରେ ତାକୁ ଉଡ଼ାଇ ଦେଲେ ।

 

ମ୍ୟାଟି ତୁନି ହୋଇ ମୁହୂର୍ତ୍ତେ ରହିଲେ; ତା’ପରେ ସେ କହିଲେ—ଏତେ କ୍ଷୀଣ ସ୍ୱରରେ ଯେ, ଶୁଣିବା ପାଇଁ ଏଥାନ୍‍ଙ୍କୁ ତାଙ୍କ ମୁହଁ ପାଖକୁ ମୁଣ୍ତ ଝୁଙ୍କାଇବାକୁ ପଡ଼ିଥିଲା—‘‘ଖରାଦିନ ରାତିର ନିର୍ମଳ ଚନ୍ଦ୍ର କିରଣରେ ଶୋଇ ନିଦ ନହେଲେ, ମୁଁ ବେଳେ ବେଳେ ଏଇ କଥା ମନେମନେ ଭାବିଥାଏ ।’’

 

ଏ ଉତ୍ତରର ମଧୁରତାରେ ଏଥାନ୍‍ଙ୍କ ହୃଦୟ ଅଥୟ ହୋଇ ଉଠିଲା । ସେ କହିଲେ, ‘ଖରାଦିନେ ? ଏତେ କାଳ ହେଲା ତୁମ ମନରେ ଏଇ ଭାବ ?’

 

ମ୍ୟାଟି ଉତ୍ତର ଦେଲେ, ‘‘ପ୍ରଥମଥର ଏ ଭାବ ଆସିଥିଲା ଛାଇ ପୋଖରି କୂଳରେ ।’’ ତାଙ୍କ ସ୍ୱରରୁ ଜଣା ପଡ଼ୁଥାଏ, ତାଙ୍କ ହୃଦୟରେ ସେ ଦିନଟା ଲିପିବଦ୍ଧ ହୋଇ ରହିଯାଇଛି ।

 

‘ବୋଧହୁଏ ସେଇ କାରଣରୁ, ସମସ୍ତଙ୍କ ଆଗରୁ ସେଦିନ ମୋତେ କଫି ଦେଇଥିଲ ?’’

 

‘‘କେଜାଣି ? ସେଦିନ କ’ଣ ସବା ଆଗ ତୁମକୁ ମୁଁ କଫି ଦେଇଥିଲି ? ମୋ ସଙ୍ଗେ ବଣଭୋଜିକୁ ଯିବନାଇଁ ବୋଲି ତୁମେ ନାହିଁ କରି ଦେବାରୁ ମୋ’ମନ ଏକାବେଳେକେ ମରି ଯାଇଥିଲା । କିନ୍ତୁ ଯେତେବେଳେ ତୁମେ ସେଇବାଟେ ସଡ଼କରେ ଆସୁଥିବାର ଦେଖିଲି, ମୋ’ରି ମନେ ହେଲା ସତେ ଯେମିତି ଜାଣିଜାଣି ସେବାଟେ ଆସୁଛି । ମନ ଭାରି ଉଷତ ହୋଇଗଲା ।’

 

ଦୁହେଁ ପୁଣି ତୁନି ହୋଇ ରହିଲେ । ଏତେବେଳେ ସେମାନେ ସେଇ ଜାଗାରେ ଆସି ପହଞ୍ଚିଥାନ୍ତି ଯେଉଁଠାରେ ସଡ଼କ ଏଥାନ୍‍ଙ୍କ କରତ କଳ ପାଖେ ଗାତୁଆ ହୋଇ ଯାଇଛି । ଦୁହେଁ ଗଡ଼ାଣିରେ ଗଡ଼ିଗଲା ବେଳେ ଅନ୍ଧାର ତାଙ୍କରି ସାଙ୍ଗରେ ଗଡ଼ିଆସିଲା । ଜଣା ଯାଉଥାଏ ସତେ ଯେପରି ଅନ୍ଧାର ହେମଲକ୍‌ ଗଛର ପତ୍ର ଗହଳରୁ ତାଙ୍କ ଉପରେ ଗୋଟାଏ କଳା ପରଦା ଢାଙ୍କି ଦେଉଛି ।

 

ଏଥାନ୍‌ ପୁଣି କଥା ଆରମ୍ଭ କଲେ, ‘‘ମ୍ୟାଟ୍‌ ! ମୋର ହାତ ଗୋଡ଼ ବନ୍ଧା । ଏ ପରିସ୍ଥିତିରେ ମୁଁ କିଛି କରିପାରିଲା ପରି ଲାଗୁ ନାହିଁ ।’’

 

‘‘ଏଥାନ୍‌ ! ତୁମେ ମଝିରେ ମଝିରେ ମୋ’ପାଖକୁ ଚିଠି ତ ଲେଖି ପାରିବ ।’’

 

‘‘ଉଃ ! ଚିଠି ଲେଖିକି ଉପକାରଟାଏ ବା କରିପାରିବି । ମୋ’ର ମନ ହେଉଛି ତୁମ ଦେହରେ ହାତ ଦେଇ ମୁଁ ତୁମର ସ୍ପର୍ଶ ସୁଖ ଅନୁଭବ କରନ୍ତି; ତୁମ ପାଇଁ ଖଟନ୍ତି, ତୁମରି ଯତ୍ନ ନିଅନ୍ତି । ତୁମେ ବେମାର ପଡ଼ିଲାବେଳେ, ତୁମକୁ ଏକୁଟିଆ ଲାଗିବାବେଳେ, ମୁଁ ତୁମର ପାଖେ ପାଖେ ଛାଇପରି ରହିଥାନ୍ତି ।’

 

‘‘ତୁମେ ମୋ ପାଇଁ ଭାବି ହୁଅନାହିଁ । ମୁଁ ନିଶ୍ଚୟ କିଛି ସୁବିଧା କରିନେବି ।’’

 

‘‘ତେବେ କ’ଣ କହୁଛ, ତୁମର ମୁଁ ଲୋଡ଼ାନାହିଁ । ବୋଧହୁଏ ନିକଟରେ କାହାକୁ ବିଭା ହୋଇ ପଡ଼ିବ ।’’

 

ମ୍ୟାଟି ! ତୁମର ଏ ଅବସ୍ଥା ଦେଖି ମୋର ମନରେ କି ଭାବ ହେଉଛି ନିଜେ ବି ଜାଣି ପାରୁ ନାହିଁ । ମନେ ହେଉଛି, ତୁମର ଏ ଦୁର୍ଗତି ନ ଦେଖି ତୁମର ମୃତ ଦେହ ଦେଖିଲେ ମୋତେ କମ୍‌ କଷ୍ଟ ହୁଅନ୍ତା ।’’

 

ମ୍ୟାଟି କାନ୍ଦିକାନ୍ଦି କହିଲେ, ‘‘ମୋର ବି ସେଇ ଇଚ୍ଛା ! ଆାହା ! ସତରେ ସେଇଆ ହୁଓନ୍ତା କି ?

 

ମ୍ୟାଟିଙ୍କ କାନ୍ଦ ଶୁଣି ଏଥାନ୍‍ଙ୍କ ମନର ଘୋର ତିକ୍ତତା ଦୂର ହୋଇଗଲା; ସେ ନିଜର ଅସହାୟତା ପାଇଁ ଲଜ୍ଜିତ ହୋଇଗଲେ ।

 

ସେ ଫୁସ୍‌ଫୁସ୍‌ କରି କହିଲେ, ‘‘ଆଉ ଏମିତି ବିଷାଦଭରା କଥାବାର୍ତ୍ତା ହେବାନାଇଁ ।’’

 

‘‘ନହେବା କାହିଁକି ? ଆମର ବାସ୍ତବ ଅବସ୍ଥା ତ ସେଇଆ । ମୁଁ ତ ଆଜି ଦିନର ପ୍ରତି ମୁହୂର୍ତ୍ତରେ ଭାବୁଛି ଏପରି ସନ୍ତୁଳି ହେବା ଅପେକ୍ଷା ମରଣ ସହସ୍ର ଗୁଣେ ଶ୍ରେୟସ୍କର ।’’

 

ଥାଉ, ମ୍ୟାଟ୍ ! ତୁନି ହୁଅ । ଥାଉ ଏଭଳି କଥା ତୁଣ୍ତରେ ଧର ନାହିଁ ।’’

 

ଏଥାନ୍‌ ! ତୁମ ବ୍ୟତୀତ ଆଉ କେହି କେଭେଁ ମୋ ପ୍ରତି ଏଭଳି ମମତା ଦେଖାଇ ନାହିଁ-।’

 

‘‘ସେ କଥା ମଧ୍ୟ କହିବା ଦରକାର ନାହିଁ । ମୁଁ ତ ତୁମପାଇଁ କୁଟା ଖଣ୍ତକ ଦି ଖଣ୍ତ କରି ପାରୁ ନାହିଁ । ଆଉ ସେ କଥା କହି ଲାଭ କ’ଣ ?’

 

‘‘କିଛି କର ବା ନକର, ମୁଁ ଯାହା କହୁଛି ତାହା ନିରାଟ ସତ ।’’ ସେମାନେ ଆସି ସ୍କୁଲଘର ମଥା ଉପରେ ପହଞ୍ଚିଥାନ୍ତି । ତଳେ ଷ୍ଟାର୍କଫିଲ୍‍ଡ୍‍, ପ୍ରଦେଷର ଆଲୋକରେ ଅସ୍ପଷ୍ଟ ଦିଶୁଥାଏ । ଗୋଟାଏ ଛୋଟ ଫିଟନ୍‌ଗାଡ଼ି, ଷ୍ଟାର୍କଫିଲ୍‌ଡ୍ ଆଡ଼ୁ ପାହାଡ଼ ଉପରକୁ ଚଢ଼ି ଆସୁଥାଏ; ଏଥାନ୍‍ଙ୍କ ବଗିକୁ ଏହା କିଣିକିଣି ଘଣ୍ଟି ଧ୍ୱନି ସହ ଅବଲୀଳାରେ କଟାଇ ଚାଲିଗଲାବେଳେ, ଏଥାନ୍‌ ଓ ମ୍ୟାଟି ସିଧାହୋଇ ବସି ମୁହଁକୁ ଗମ୍ଭୀର କରି ନିର୍ବିକାର ଭାବେ ଆଗକୁ ଚାହିଁ ରହିଥାନ୍ତି । ଷ୍ଟାର୍କଫିଲ୍‌ଡ୍‍ର ସଦର ରାସ୍ତାର ଦୁଇକଡ଼ରେ ଘରମାନଙ୍କ ଆଗରେ ଆଲୁଅ ଲାଗିଯାଇଥାଏ; କୋଉଠି କେମିତି ଫାଟକ ମାନଙ୍କ ପାଖରେ ଜଣେ ଅଧେ ଯିବାଆସିବା କରିବାର ଦିଶୁଥାଏ । ଏଥାନ୍‌ କୋରଡ଼ା ଛୁଆଁଇ ବୁଢ଼ା ଘୋଡ଼ାକୁ ଟିକିଏ ନିସ୍ତେଜ କ୍ଷିପ୍ର ଗତିରେ ଚଳାଇଥିଲେ ।

 

ଗାଁର ପ୍ରାନ୍ତରେ ପହଞ୍ଚିବାରୁ ପିଲାଙ୍କ ପାଟିତୁଣ୍ତ ଶୁଣାଗଲା । ଏ ଦୁହେଁ ଦେଖିଲେ, ଦଳେ ଟୋକା ଗୋଟାଏ ଗୋଟାଏ ତୁଷାର ଗାଡ଼ି ଘୋଷାରି ଚର୍ଚ୍ଚ ସାମନା ପଡ଼ିଆକୁ ଆସୁଛନ୍ତି ।

 

‘‘ଆଜି ପରେ ଆଉଦିନେ ଦୁଇଦିନ ପର୍ଯ୍ୟନ୍ତ ଏମାନେ ଆଉ ତୁଷାରରେ ଖସି ଖେଳିପାରିବେ ନାହିଁ ନିର୍ମଳ ଆକାଶକୁ ଚାହିଁ ଏଥାନ୍‌ କହିଲେ ।

 

ମ୍ୟାଟି ତୁନି ହୋଇ ବସିଥାନ୍ତି । ଏଥାନ୍‌ ପୁଣି କହିଲେ, ‘‘କାଲି ରାତିରେ ଆମେ ଗାଡ଼ିରେ ବସି ତୁଷାରରେ ଖସି ଖେଳିବା ବୋଲି ବିଚାରିଥିଲେ ।’’

 

ତଥାପି ମ୍ୟାଟି କିଛି ଉତ୍ତର ଦେଲେ ନାହିଁ । ମ୍ୟାଟିଙ୍କ ସଙ୍ଗେ ରହିବାର ଏଇ ଶେଷ ଘଣ୍ଟାଟି ଯଥାସମ୍ଭବ ଆନନ୍ଦରେ କଟାଇ ନିଜର ଓ ତାଙ୍କ ହୃଦୟର ବେଦନା ଲଘୁ କରିବାର ପ୍ରବଳ ଇଚ୍ଛାରେ ଏଥାନ୍‌ ପୁଣି ଗପି ଚାଲିଲେ, ‘‘ଗତ ଶୀତଦିନରେ ସେଇ ଥରକ ବ୍ୟତୀତ ଆଉ ଥରେ କେବେ ଆମେ ତୁଷାରରେ ଖେଳି ନଥାଇଁ, ବଡ଼ ଦୁଃଖର କଥା ।’’

 

ମ୍ୟାଟି ଏଥର ଉତ୍ତର ଦେଲେ, ‘‘ଷ୍ଟାର୍କଫିଲ୍‌ଡ୍ ଆସିବାକୁ ମୁଁ ତ ବିଶେଷ ସୁଯୋଗ ପାଏ ନାହିଁ ।’’

 

ଏଥାନ୍‌ କହିଲେ, ‘‘ସେ କଥା ସତ ।’’

 

କରବ୍ୟୁରି ସଡ଼କର ମଥାନ ଉପରେ ଆସି ସେମାନେ ପହଞ୍ଚିଥାନ୍ତି । ଗିର୍ଜାର ଅସ୍ପଷ୍ଟ ଶ୍ୱେତ ଆଭାସଠାରୁ ବାର୍ଣ୍ଣମ୍‌-ଭବନର ସ୍ପୃଶଗଛମାନଙ୍କ କଳା ପରଦା ପର୍ଯ୍ୟନ୍ତ ବିସ୍ତୃତ ସଡ଼କର ଲମ୍ୱାଗଡ଼ାଣିରେ ଗୋଟାଏ ବୋଲି ତୁଷାରରେ ଖସିବାର ଗାଡ଼ି ଦିଶୁନଥାଏ । ଏଥାନ୍‍ଙ୍କ ମନକୁ ଗୋଟାଏ ଉଚ୍ଛୃଙ୍ଖଳ ପ୍ରବୃତ୍ତି ଅଧିକାର କଲା । ସେ କହିଲେ, ‘‘ବର୍ତ୍ତମାନ ଯଦି ମୁଁ ତୁମକୁ ଗାଡ଼ିରେ ବସାଇ ଏ ତୁଷାର ଗଡ଼ାଣିରେ ଖସନ୍ତି, ‘‘କେମିତି ହୁଅନ୍ତା ?’’

 

ବାଧ୍ୟ ହେଲାପରି ହସି ମ୍ୟାଟି କହିଲେ, ‘‘ଆମର ଇଆଡ଼େ ଡେରି ଯେ ହେଇ ଯାଉଛି ।’’

 

‘‘ଡେରି କାହିଁକି ହେବ ? ଏଥିପାଇଁ ଯେତିକି ସମୟ ଦରକାର ତାହା ବେଶ୍‌ ଆମ ହାତରେ ଅଛି । ଆସ, ଓହ୍ଲାଅ ।’’ ଏତେବେଳେ ଏଥାନ୍‍ଙ୍କ ମନରେ ଏକମାତ୍ର ଆକାଙ୍‌କ୍ଷା ମ୍ୟାଟିଙ୍କୁ ଷ୍ଟେସନରେ ପହଞ୍ଚାଇବା ସମୟ ଯେତେ ଗଡ଼ିପାରେ ଗଡ଼ୁ ।

 

ମ୍ୟାଟି ଥାଥା ମାମା ହୋଇ କହିଲେ, ‘‘ସେ ଚାକରାଣୀ ଟୋକୀ କଥା ମନେ ଅଛିତ ? ସେ ଯେ ଷ୍ଟେସନରେ ଅପେକ୍ଷା କରି ବସିଥିବ ।’’

 

‘ଓଃ, ଟିକିଏ ଅପେକ୍ଷା କରୁ ! ସେ ଅପେକ୍ଷା ନକରୁ ବୋଲି ତର ତର ହେଲେ ତ ପୁଣି ତୁମ ଗାଡ଼ି ପାଇଁ ଏକୁଟିଆ ଅପେକ୍ଷା କରି ବସି ରହିବାକୁ ହେବ ।

 

ଏଥାନ୍‍ଙ୍କ ସ୍ୱରରେ ଦୃଢ଼ ସଂକଳ୍ପର ସଙ୍କେତ ପାଇ ମ୍ୟାଟି ଦବିଗଲା ପରି ଜଣାଗଲା । ଏଥାନ୍‌ ବଗିରୁ ଉତୁରିପଡ଼ି ମ୍ୟାଟିଙ୍କ ହାତ ଧରି ଓହ୍ଲାଇବାବେଳେ ସେ ଆପତ୍ତି କଲେ ନାହିଁ । କେବଳ ଅନିଚ୍ଛାର କ୍ଷୀଣ ସୂଚନା ଦେଇ କହିଲେ, ‘‘କିନ୍ତୁ ପାଖରେ ଆଖରେ ଗାଡ଼ିଟିଏ ଥିଲା ପରି ତ ଦିଶୁନାହିଁ ।’’

 

‘‘ହଁ, ଅଛି । ହେଇଟି ସେଠେଇ, ସ୍ପୃଶ୍‌ ଗଛ ମୂଳେ ।’’

 

ଏଥାନ୍‌ ଭାଲୁ ଚମଡ଼ାର ପାଲରେ ଘୋଡ଼ାକୁ ଘୋଡ଼ାଇ ଦେଲେ । ସେ ବିଚରା ଉଦାସୀନ ଭାବେ ଠିଆ ହୋଇଥାଏ । କ’ଣ ଗୋଟାଏ ଭାବିଲା ପରି ମୁଣ୍ତ ତଳକୁ ଝୁଙ୍କାଇ ଦେଇଥାଏ । ଏଥାନ୍‌ ମ୍ୟାଟିଙ୍କ ହାତଧରି ତାଙ୍କୁ ଟାଣିଟାଣି ନେଲେ ଗାଡ଼ି ପାଖକୁ ।

 

ମ୍ୟାଟି ତାଙ୍କ କହିବା ଅନୁସାରେ ଗାଡ଼ିରେ ଯାଇ ବସିଲେ; ଏଥାନ୍‌ ଯାଇ ବସିଲେ ମ୍ୟାଟିଙ୍କ ପଛକୁ-ଏତେ ଲଗାଲଗି ହୋଇ ଯେ ମ୍ୟାଟିଙ୍କ ମୁଣ୍ତର ବାଳ ତାଙ୍କ ମୁହଁରେ ବାଜୁଥାଏ । ଏଥାନ୍‌ ଉଚ୍ଚ ସ୍ୱରରେ ଡାକିଲେ, ‘‘ମ୍ୟାଟି ! ଠିକ୍‌ ବସିଲତ ?’’ ତାଙ୍କ ସ୍ୱରରୁ ଜଣା ପଡ଼ୁଥାଏ ସତେ ଯେପରି ମ୍ୟାଟି ସଡ଼କର ଆରପାଖେ ଅଛନ୍ତି ।

 

ମ୍ୟାଟି ତାଙ୍କ ଆଡ଼କୁ ମୁହଁ ବୁଲାଇ କହିଲେ, ‘‘ଭାରି ଅନ୍ଧାର ହୋଇଛି । ଠିକ୍‌ ଦେଖି ପାରୁଛତ ?’’

 

ଅବଜ୍ଞାରେ ହସି ଏଥାନ୍‌ କହିଲେ, ‘‘ମୋ ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଲେ ବି ମୁଁ ଏ ଗଡ଼ାଣିରେ ଗାଡ଼ି ଚଳାଇ ନେଇ ପାରିବି ।’’ ମ୍ୟାଟି ବି ତାଙ୍କ ସଙ୍ଗେ ହସ ମିଶାଇ ଦେଲେ । ଏଥାନ୍‍ଙ୍କ ଦୁଃସାହସିକତା ତାଙ୍କୁ ସୁଖଲାଗିଲା ବୋଧହୁଏ । କହିଦେଲ ସିନା, ଏଥାନ୍‌ ମୁହୂର୍ତ୍ତେ ନିଶ୍ଚଳ ହୋଇ ବସି, ଲମ୍ୱା ଗଡ଼ାଣିର ଶେଷମୁଣ୍ତ ପର୍ଯ୍ୟନ୍ତ ଖୁବ୍‌ ନିରେଖି କରି ଚାହିଁ ନେଲେ । ସନ୍ଧ୍ୟାର ଏଇ ସମୟଟା ଚକ୍ଷୁକୁ ବିଭ୍ରାନ୍ତ କରିଥାଏ, ଏହି ସମୟରେ ଆକାଶରେ ଶେଷ ଆଲୋକ ଆସି ତଳୁ ଉଠି ଆସିଥିବା ଅନ୍ଧକାର ସଙ୍ଗେ ମିଶିଯାଏ । ଏଇ ସନ୍ଧି ବେଳରେ ଆଖି ଝାପସା ହୋଇଯାଏ, ସୀମା ସରହଦ ବାରି ହୁଏ ନାହିଁକି ଦୂରତା ନିର୍ଣ୍ଣୟ କରି ହୁଏ ନାହିଁ ।

 

ଏଥାନ୍‌ କହି ଉଠିଲେ, ‘‘ଏଥର ଛାଡ଼ିଲା ।’’

 

ଗାଡ଼ି ଡେଇଁ ପଡ଼ିଲା ପରି ଖସି ଚାଲିଲା; ଦୁହେଁ ଉଡ଼ିଗଲା ପରି ତଳକୁ ଖସିଲେ; କ୍ରମେ ଗାଡ଼ିର ଗତି ବଢ଼ିଲା ଓ ଆଗଯାହା ଟିକିଏ ହଲଚଲ ହେଉଥିଲା ତାହା ଦୂର ହେଲା । ଦୁହିଁଙ୍କ ଆଗରେ ରାତିର ଅନ୍ଧାର ନିଜର ବାହୁ ପ୍ରସାରିତ କରି ସ୍ୱାଗତ ଜଣାଉଥାଏ ଏବଂ ବାୟୁ ବଂଶୀ ବଜାଉ ଥାଏ । ମ୍ୟାଟି ନିଶ୍ଚଳ ହୋଇ ବସିଥାନ୍ତି । କିନ୍ତୁ ପର୍ବତର ପାଦ ଦେଶର ମୋଡ଼ ମୁଣ୍ତେ, ଯେଉଁଠରେ ପ୍ରକାଣ୍ତ ଏଲମ୍ ଗଛ ତାର କ୍ରୁର କହୁଣୀଟା ସଡ଼କ ଆଡ଼କୁ ଦେଖାଇଛି, ସେଠାରେ ପହଞ୍ଚିଲା ବେଳକୁ, ଏଥାନ୍‍ଙ୍କର ମନେ ହେଲା ମ୍ୟାଟି ତାଙ୍କ ଆଡ଼କୁ ଜାକି ହୋଇ ଆସୁଛନ୍ତି ।

 

ଉଷତ ମନରେ ଏଥାନ୍‌ କହି ଉଠିଲେ, ‘‘ଭୟ କରନାହିଁ, ମ୍ୟାଟ,’’ ଏହା କହୁକହୁ ସେମାନେ ଏଲମ୍ ଗଛ ପାର ହୋଇ, ପର୍ବତର ଦ୍ୱିତୀୟ ଗଡ଼ାଣି ପାର ହେବାକୁ ଲାଗିଲେ । ଶେଷରେ ଯେତେବେଳେ ଗାଡ଼ି ଯାଇ ସମତଳ ଭୂଇଁରେ ପହଞ୍ଚିଲା ଓ ତା’ର ଗତି ଶିଥିଳ ହେଲା, ସେତେ-ବେଳେ ମ୍ୟାଟି ଆନନ୍ଦରେ ଟିକିଏ ହସିବାର ଏଥାନ୍‌ ଶୁଣିଲେ ।

 

ଦୁହେଁ ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଓ ପର୍ବତର ମଥାନ ଉପରକୁ ଚାଲିଚାଲି ଉଠିବାକୁ ଲାଗିଲେ । ଏଥାନ୍‌ ଗୋଟିଏ ହାତରେ ଗାଡ଼ିକୁ ଟାଣୁଥାନ୍ତି ଓ ଅନ୍ୟ ହାତଟି ମ୍ୟାଟିଙ୍କ ହାତରେ ଛନ୍ଦିଥାନ୍ତି ।

 

ସାନ ପିଲା ପରି ହସି ହସି ସେ ପଚାରିଲେ, ‘‘ମୁଁ ତୁମକୁ ନେଇ ଏଲମ୍‌ ଗଛରେ ପିଟି ଦେବି ବୋଲି ଡରି ଯାଇଥିଲ ପରା ?’’

 

ମ୍ୟାଟି ଉତ୍ତର ଦେଲେ, ‘‘କହିଛି ପରା, ତୁମ ସାଙ୍ଗରେ ଥିଲେ ମୋର ଭୟ ନଥାଏ ।’’

 

ଏଥାନ୍‌ ମନରେ ଯେଉଁ ଅପୂର୍ବ ଆନନ୍ଦ ଆସିଥିଲା ତାହାରି ପ୍ରଭାବରେ ତାଙ୍କୁ ଗୋଟାଏ ଅସ୍ୱାଭାବିକ ଅହଙ୍କାର ଆକ୍ରମଣ କଲା । ସେ କହିଲେ, ‘‘ମାନିବାକୁ ହେବ ଏ ଜାଗାଟା ଗୋଟାଏ ବିଷମ ଜାଗା; ଗାଡ଼ି ସେ ଆଡ଼କୁ ଟିକିଏ ମାଡ଼ି ଯାଇଥିଲେ ଆମେ ଆଉ ସେଠାରୁ ବର୍ତ୍ତିବା ସମ୍ଭବ ହୋଇ ନଥାନ୍ତା । କିନ୍ତୁ ମୁଁ ଦୂରତା ନିର୍ଣ୍ଣୟ କରିବାରେ ପୋକ; ମୋ’ର ନିର୍ଣ୍ଣୟରେ ବାଳ ପ୍ରମାଣ ତାରତମ୍ୟ ରହିବ ନାହିଁ । ସେଥିଯୋଗୁଁ ସବୁଥର ମୁଁ ଆଗରୁ ଯଥାସମୟରେ ଗାଡ଼ିକୁ ଠିକ୍‌ ମାପରେ ମୋଡ଼ି ଦେଇଥାଏ ।’’

 

ମ୍ୟାଟି ଫୁସ୍‍ଫୁସ୍‍ କରି କହିଲେ, ‘‘ମୁଁ ସବୁବେଳେ କହେ ତୁମର ଦୃଷ୍ଟିଶକ୍ତି ଭାରି ଟାଣ ।’’

 

କଅଁଳ ପ୍ରଦୋଷ ବେଳା; ଆକାଶରେ ତାରା ଫୁଟି ନଥାନ୍ତି; ଚାରିଆଡ଼େ ନିର୍ଜନ, ନିସ୍ତବଧ-

 

ଦୁହେଁ ତୁନି ହୋଇ ପରସ୍ପର ଉପରେ ଭରା ଦେଇ ପର୍ବତ ଚଢ଼ୁଥାନ୍ତି । ପ୍ରତି ପଦକ୍ଷେପରେ ଏଥାନ୍‌ ମନେମନେ ବିଚାରୁଥାନ୍ତି, ‘‘ଜୀବନରେ ଆଉ ୟାଙ୍କ ସାଙ୍ଗେ ଚାଲିବାର ସୁଯୋଗ ମିଳିବ ନାହିଁ, ଏଇ ଶେଷଥର ।

 

ଆସ୍ତେ ଆସ୍ତେ ଦୁହେଁ ପର୍ବତର ମଥାନ ଉପରକୁ ଉଠିଲେ । ଗିର୍ଜା ସିଧା ଆସି ପହଞ୍ଚିବାରେ ଏଥାନ୍‌ ମୁଣ୍ତ ନୁଆଁଇ ପଚାରିଲେ, ‘‘କ’ଣ କ୍ଳାନ୍ତ ହୋଇଗଲ କି ?’’ ଖର ନିଶ୍ୱାସ ନେଇ ନେଇ ମ୍ୟାଟି ଉତ୍ତର ଦେଲେ, ‘‘ଭାରି ମଜା ହେଲା ।’’

 

ମ୍ୟାଟିଙ୍କ ବାହୁରେ ଚାପ ଦେଇ ଏଥାନ୍‌ ତାଙ୍କୁ ନରୱେ ଦେଶର ସ୍ପୃଶ ଗଛ ମାନଙ୍କ ଆଡ଼କୁ ନେଇ କହିଲେ, ‘‘ଏ ଗାଡ଼ିଟା ବୋଧହୁଏ ନେଡହେଲର । ଯାହାର ହେଉ ଆମେ ୟାକୁ ଯେଉଁଠାରୁ ନେଇଥିଲେ ସେଇଠି ରଖିଦେଲେ ହେଲା ।’’ ସେ ଗାଡ଼ିଟା ଭିଡ଼ି ଭିଡ଼ି ବାର୍ଣ୍ଣମ୍‌ ଭବନ ଫାଟକ ପାଖକୁ ନେଲେ ଓ ହଠାତ୍ ବାଡ଼ରେ ଡେରି ରଖିଦେଲେ । ଗାଡ଼ି ରଖି ସଳଖି ହେଲାବେଳକୁ ସେ ହଠାତ୍‌ ଅନୁଭବ କଲେ ମ୍ୟାଟି ଛାଇରେ ତାଙ୍କ ପାଖକୁ ଲାଗି ଠିଆ ହୋଇଛନ୍ତି-

 

ଅଣନିଶ୍ୱାସୀ ହୋଇ ମ୍ୟାଟି ଫୁସ୍‌ଫୁସ୍‌ କରି କହିଲେ, ‘‘ଏଇ ଜାଗାରେ ପରା ନେଡ୍ ଓ ରୁଥ୍‌ ଚୁମା ଦିଆ ଦେଇ ହୋଇଥିଲେ ?’’ ଏହା କହି ସେ ଏଥାନ୍‍ଙ୍କ ବେକକୁ ନିଜ ହାତରେ ଛନ୍ଦି ଦେଲେ । ତାଙ୍କର ଅଧର ଦୁଇଟି ଏଥାନ୍‍ଙ୍କ ଅଧର ଅନ୍ୱେଷଣରେ ଏଥାନ୍‌ ମୁହଁ ଯାକରେ ବାଜିଗଲା-। ଏଥାନ୍‌ ବିସ୍ମୟର ଆନନ୍ଦରେ ତାଙ୍କୁ ଜାକି ପକାଇଲେ ।

 

ଥରଥର ସ୍ୱରରେ ମ୍ୟାଟି କହିଲେ, ‘‘ବିଦାୟ, ବନ୍ଧୁ ବିଦାୟ ।’’ ଏହା କହି ସେ ଆହୁରି ଥରେ ଏଥାନ୍‍ଙ୍କ ଅଧରରେ ଦୀର୍ଘ ଚୁମ୍ୱନ ଆଙ୍କି ଦେଲେ ।

 

ଏଥାନ୍‌ ତାଙ୍କର ସେଇ ବ୍ୟର୍ଥତାମିଶା ସ୍ୱରରେ କହି ଉଠିଲେ ‘‘ମ୍ୟାଟି ଗୋ ! ମୁଁ ତୁମକୁ ପାଖରୁ ଅନ୍ତର କରି ପାରିବି ନାହିଁ ।’’

 

ମ୍ୟାଟି ଏଥାନ୍‍ଙ୍କ ବାହୁ ବନ୍ଧନରୁ ନିଜକୁ ମୁକ୍ତ କଲେ । ଏଥାନ୍‌ ଶୁଣିଲେ, ସେ କାନ୍ଦୁଛନ୍ତି ।

 

ବିଳାପ କରି ମ୍ୟାଟି କହିଲେ, ‘‘ମୁଁ ବି ତୁମକୁ ଛାଡ଼ି ରହି ପାରିବି ନାହିଁ ।’’

 

ଏଥାନ୍‌ ଚିତ୍କାର କଲେ, ‘‘ମ୍ୟାଟ୍ ଆମେ ଏବେ କରିବା କ’ଣ ? ଆମର କି ଗତି ହେବ-?’’

 

ପିଲାଙ୍କ ପରି ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରିଥାନ୍ତି; ନୈରାଶ୍ୟରେ କାନ୍ଦି କାନ୍ଦି ମ୍ୟାଟିଙ୍କ ଶରୀର କମ୍ପି ଯାଉଥାଏ ।

 

ନିର୍ଜନତା ଭେଦ କରି ଗିର୍ଜାର ଘଣ୍ଟାରେ ପାଞ୍ଚ ବାଜିଲା ।

 

ମ୍ୟାଟି କହି ଉଠିଲେ, ‘‘ଓଃ, ଏଥାନ୍‌ ! ବେଳ ଯେ ହୋଇଗଲା ।’’

 

ଏଥାନ୍‌ ତାଙ୍କୁ ପୁଣି କୋଡ଼କୁ ଟାଣିନେଲେ, ‘‘କାହାର ବେଳ ହୋଇଗଲା ବୋଲି କହୁଛ-? ବର୍ତ୍ତମାନ ଅବସ୍ଥାରେ ମୁଁ ତୁମକୁ ନେଇ ଷ୍ଟେସନରେ ଛାଡ଼ି ଆସିବି ବୋଲି ତୁମେ ବିଚାରୁଛ ପରା-?’’

 

‘‘ମୁଁ ଯଦି ଗାଡ଼ି ଫେଲ୍‌ ହୁଏ, ତେବେ ଯିବ କୁଆଡ଼େ ?’’

 

‘‘ଗାଡ଼ି ପାଇଲେ ବା କୁଆଡ଼େ ଯାଆନ୍ତ ?’’

 

ମ୍ୟାଟି କିଛି ନକହି ଠିଆ ହୋଇ ରହିଲେ; ତାଙ୍କର ହାତ ଯୋଡ଼ିକ କାଲୁଆ ଓ ନିଶ୍ଚେଷ୍ଟ ହୋଇ ଏଥାନ୍‍ଙ୍କ ହାତ ମୁଠା ଭିତରେ ଥାଏ ।

 

ଏଥାନ୍‌ କହିଲେ, ‘‘ଆଜିର ଏ ଘଟଣା ପରେ ଆଉ ଆମେ ଦୁହେଁ ଛଡ଼ାଛଡ଼ି ହେବାର ଉପାୟ ନାହିଁ ।’’

 

ମ୍ୟାଟି ଥିର ହୋଇ ଠିଆ ହୋଇଥାନ୍ତି; ସତେ ଅବା ଏଥାନ୍‍ଙ୍କ ଏ କଥା ପଦକ ସେ ଶୁଣି ପାରି ନଥାନ୍ତି । ଟିକିଏ ପରେ ସେ ନିଜ ହାତ ଦୁଇଟା ଏଥାନ୍‍ଙ୍କ ମୁଠାରୁ ଛଡ଼ାଇ ଆଣି ତାଙ୍କ ବେକକୁ ଜାକି ପକାଇ ଆର୍ଦ୍ର କପୋଳଟି ଏଥାନ୍‍ଙ୍କ ମୁହଁରେ ଲଗାଇ ଦେଲେ ଓ କହିଲେ, ‘‘ଏଥାନ୍‌ ! ଏଥାନ୍‌ ! ମୋତେ ଆଉ ଥରେ ଖସାଇ ନିଅ ।’’

 

‘‘ଖସାଇବି କୁଆଡ଼େ ମ ?’’

 

‘‘ଏଇ ତୁଷାରମୟ ଗଡ଼ାଣିରେ । ଏମିତି ଖସାଇବ ଯେ ଆଉ ଯେମିତି ତଳୁ ଉଠି ଆସିବାର ସମ୍ଭାବନା ନଥିବ ।’’

 

‘‘ମ୍ୟାଟି ତାଙ୍କ କାନ ପାଖକୁ ମୁହଁ ନେଇ କହିଲେ,‘‘ଖସି ଯାଇ ବାଜିବ ସେଇ ବୁଢ଼ା ଏଲମ୍‌ ଗଛରେ । ତୁମେତ କହିଛ ବିଚାରିଲେ ୟା ତୁମେ କରି ପାରିବ, ସେଇଆ କର; ଆଉ ତୁମର ମୋର ଛାଡ଼ି ବାଡ଼ି ହେବାର ବାଟ ନଥିବ ।’’

 

‘‘ଏଁ, କହୁଛ କ’ଣ ? ତୁମେ କ’ଣ ପାଗଲୀ ହୋଇଗଲେ ?’’

 

‘‘ପାଗଲୀ ହୋଇ ନାଇଁ ଯେ, ତୁମଠାରୁ ଅନ୍ତର ହେଲେ ହୋଇଯିବ ।’’

 

ଏଥାନ୍‍ଙ୍କ କଣ୍ଠରୋଧ ହୋଇଗଲା । ସେ ଗଁ ଗଁ କରି କହିଲେ ‘‘ମ୍ୟାଟ୍‌, ଓଃ, ମ୍ୟାଟ୍‌ !’’

 

ମ୍ୟାଟି ଏଥାନ୍‍ଙ୍କ ବେକକୁ ଆହୁରି ନିବିଡ଼ ଭାବରେ ଜାବୁଡ଼ି ଧଇଲେ; ତାଙ୍କ ମୁହଁ ଏଥାନ୍‍ଙ୍କ ମୁହଁ ସଙ୍ଗେ ମିଶି ଗଲା ।

ସେ କହୁଥାନ୍ତି, ‘‘ଏଥାନ୍‌ ! ତୁମକୁ ଛାଡ଼ି ମୁଁ ଯିବି କୁଆଡ଼େ ? ଏକୁଟିଆ କେମିତି ଚଳିବି ଜାଣି ପାରୁ ନାହିଁ । ତୁମେତ ଏଇ ଲାଗେ ସେଇ ସନ୍ଦେହ ପ୍ରକାଶ କରିଥିଲ । ତୁମ ବ୍ୟତୀତ ଆଉ କିଏ କେବେ ମୋତେ ଆପଣାର କରିନାହିଁ । ଆଜି ସେହି ନୂଆ ଟୋକାଟା ଆସି ତୁମ ଘରେ ଆସ୍ଥାନ ଆଡ଼ି ବସିବ... । ସେ ଆସି ଶୋଇବ ମୋର ସେଇ ଖଟରେ, ଯେଉଁଠି ମୁଁ ରାତି ତମାମ ଉଜାଗର ରହି, ତୁମ ସିଡ଼ି ଉଠିବାର ପାଦଶବ୍ଦକୁ କାନ ଡେରି ପଡ଼ିଥାଏ ।

ଏ କଥାଗୁଡ଼ିକ ତାଙ୍କ ନିଜର ହୃଦୟକୁ ଭେଦ କରି ବାହାରୁଛି ବୋଲି ଏଥାନ୍‍ଙ୍କୁ ଲାଗୁଥାଏ । ଏହା ଶୁଣି ଏଥାନ୍‍ଙ୍କୁ ଦିଶିଗଲା ନିଜ ଘର, ଯେଉଁଠାକୁ ତାଙ୍କୁ ଫେରିବାକୁ ପଡ଼ିବ । ଗ୍ଲାନିରେ ତାଙ୍କ ମୁହଁ ବିକୃତ ହୋଇଗଲା । ମ୍ୟାଟିଙ୍କୁ ଷ୍ଟେସନରେ ଛାଡ଼ି ଦେଇ ସେ ଫେରି ଏକୁଟିଆ ସିଡ଼ି ଚଡ଼ି ତାଙ୍କ ଶୋଇବା ଘରକୁ ଯିବେ—ଖାଲି ଆଜି ରାତିରେ ନୁହେ, ଆଜିଠାରୁ ପ୍ରତି ରାତିରେ । ଯିବେ ସେଇ ମାଇକିନିଆଟା ପାଖକୁ ଯେ ଆଗରୁ ଯାଇ ଶୋଇ ତାଙ୍କରି ପ୍ରତୀକ୍ଷାରେ ପଡ଼ିଥିବ । ଏଣେ ମ୍ୟାଟିଙ୍କ ପ୍ରେମ-ନିବେଦନର ମାଦକତା । ଆଜି, ଏତେ ଦିନ ପରେ, ସେ ଜାଣିବାକୁ ପାଇଛନ୍ତି ଯେ ଏତେଦିନ ତାଙ୍କ ହୃଦୟକୁ ଯେଉଁ ଭାବ ଆଲୋଡ଼ନ କରୁଥିଲା, ଠିକ୍‌ ସେଇଭାବ ସେଇ ଭାବରେ ମ୍ୟାଟିଙ୍କ ହୃଦୟରେ ବି ଆଲୋଡ଼ନ ସୃଷ୍ଟି କରୁଅଛି । ଏ ଅଭିଜ୍ଞାନରେ ତାଙ୍କ ହୃଦୟ ବିସ୍ମୟାନନ୍ଦରେ ମଜ୍ଜି ଯାଇଅଛି । ଏଇ ଅଭିଜ୍ଞାନ ଯୋଗୁଁ, ମ୍ୟାଟିଙ୍କୁ ଛାଡ଼ି ତାଙ୍କ ପତ୍ନୀଙ୍କ ସହିତ ବାସ କରିବାର କଳ୍ପନା ତାଙ୍କୁ ଆହୁରି ଅଧିକ ଅସ୍ୱିସ୍ତିକର ମନେ ହେଉଥାଏ । ସେ ବିଚାରୁଥାନ୍ତି, ସେ ଆଉ ତାଙ୍କ ଗତାନୁଗତିକ ଜୀବନର ଯାତନା କଦାପି ସହିପାରିବେ ନାହିଁ... ।

କାନ୍ଦ ଭିତରେ ମ୍ୟାଟି ବାରମ୍ବାର ତାଙ୍କର ସେଇ ଆବେଦନ ଜଣାଉଥାନ୍ତି । କିନ୍ତୁ ଏଥାନ୍‍ଙ୍କ କାନରେ ସେ ସବୁ କଥା ଆଉ ପ୍ରବେଶ କରୁନଥାଏ । ମ୍ୟାଟିଙ୍କ ଟୋପିଟା ମୁଣ୍ତରୁ ଖସି ଯାଇଥାଏ; ଏଥାନ୍‌ ତାଙ୍କ ମୁଣ୍ତ ଉପରେ ହାତ ଚଳାଇ ଆଉଁସୁଥାନ୍ତି । ଏଥାନ୍‌ ମନେ କରୁଥାନ୍ତି, ମ୍ୟାଟିଙ୍କ କେଶର ସ୍ପର୍ଶ, ଆଉଁସୁ ଆଉଁସୁ ଯାଇ, ଶୀତଦିନେ ଶାକସବଜିର ମଞ୍ଜି କୁମ୍ପିରେ ସାଇତିଲା ପରି, ତାଙ୍କରି ହାତରେ ଅନନ୍ତ ଭବିଷ୍ୟତ୍‌ ପାଇଁ ସାଇତି ହୋଇ ରହିବ । ପୁଣି ଆଉଥରେ ଏଥାନ୍‍ଙ୍କ ଅଧର ଯାଇ ମ୍ୟାଟିଙ୍କ ଅଧରରେ ମିଶିଗଲା; ଦୁହିଁଙ୍କର ମନେ ହେଲା, ବିଗତ ଅଗଷ୍ଟ ମାସର ଟାଣ ଖରାବେଳେ ଛାଇପୋଖରୀ କୂଳରେ ଯେପରି ପ୍ରେମ ବନ୍ଧନରେ ଏକାଠି ହୋଇଥିଲେ ଆଜି ତାହାରି ପୁଣି ସଫଳ ପୁନରାବୃତ୍ତି ହେଉଛି । ଏଥାନ୍‍ଙ୍କ କପୋଳ ମ୍ୟାଟିଙ୍କ ଗଣ୍ତସ୍ଥଳକୁ ସ୍ପର୍ଶ କଲା; କାନ୍ଦରେ ଓଦା ହୋଇ ଏହା ଭାରି କାଲୁଆ ଲାଗୁଥାଏ । ରାତିର ଅନ୍ଧକାର ଭେଦ କରି ପ୍ଲାଟ୍‌ସ୍‌ ଷ୍ଟେସନକୁ ପଡ଼ିଥିବା ସଡ଼କ ଏଥାନ୍‍ଙ୍କୁ ଦିଶିଲା ଓ ବିପରୀତ ଦିଗରୁ ଆସୁଥିବା ରେଲଗାଡ଼ିର ସିଟି ଶୁଭିଲା—ଏଇ ଗାଡ଼ିରେ ଆସୁଥିବ ନୂଆ ଚାକରାଣୀ ଟୋକୀଟା ।

ସ୍ପୃଶ ଗଛ ଗୁଡ଼ାକ ଦୁହିଁଙ୍କୁ ନୀରବ ଅନ୍ଧକାରରେ ଆବୃତ କରି ରଖିଥାନ୍ତି । ତାଙ୍କର ଶବ ଦୁଇଟି ଶବାଧାରା ବାକ୍‌ସରେ ମାଟିତଳେ ଥିଲେ ତ ଏଇପରି ନୀରବତା ଓ ଅନ୍ଧକାରରେ ରହନ୍ତେ । ଏଥାନ୍‌ ମନକୁ ମନ କହିଲେ, ‘‘ବୋଧହୁଏ କବରରେ ଏଇପରି ଲାଗିବ.... । ତା’ପରେ ପୁଣି ବିଚାରିଲେ, ‘‘ଆଜି ଯେଉଁ ଆନନ୍ଦ ମିଳିଛି ୟାପରେ ଆଉ ଯାହା ଦୁଃଖ ହେଲେବି ବାଧିବ ନାହିଁ...-।’’

ହଠାତ୍‌ ସେ ଶୁଣିଲେ, ବୁଢ଼ା ଘୋଡ଼ାଟା ହିଁ ହିଁ ଶବ୍ଦ କରୁଛି; ବିଚାରିଲେ, ‘‘ଏତେବେଳ ଯାଏଁ ତା ଦାନା ତାକୁ ମିଳୁ ନାହିଁ ବୋଲି ବୋଧହୁଏ ଅସ୍ଥିର ହେଲାଣି.... ।’’

ମ୍ୟାଟି ତାଙ୍କ ହାତକୁ ଭିଡ଼ି ଚୁପିଚୁପି କହିଲେ, ‘‘ଆସୁଛ ପରା ।’’

ମ୍ୟାଟିଙ୍କ ବିଷାଦ ଭରା ବଳାଜୋରିରେ ଏଥାନ୍‌ ବିବ୍ରତ ହୋଇ ପଡ଼ିଥାନ୍ତି । ତାଙ୍କ ଭାଗ୍ୟ ମ୍ୟାଟିଙ୍କ ରୂପ ଧରି ତାଙ୍କୁ ଡାକିଲା ପରି ଲାଗିଲା । ସେ ଗାଡ଼ିଟାକୁ ଯେଉଁଠାରେ ରଖିଥିଲେ ସେଠାରୁ ତା’କୁ ପୁଣି ବାହାର କଲେ । ରାତ୍ରିଚର ପକ୍ଷୀ ଦିନବେଳର ଆଲୁଅରେ ଯେପରି ଆଖି ମିଟିମିଟି କରେ, ଏଥାନ୍‌ ସ୍ପର୍ଶତଳ ଅନ୍ଧାରରୁ ମୁକ୍ତ ପ୍ରଦୋଷାଲୋକକୁ ଆସି ସେହିପରି ଆଖି ମିଟମିଟି କଲେ । ତାଙ୍କ ଆଗରେ ପାହାଡ଼ର ଗଡ଼ାଣିଟା ଜନମାନବ ଶୁନ୍ୟ ହୋଇ ଲମ୍ୱିଯାଏ । ଷ୍ଟାର୍କଫିଲ୍‌ଡ୍‍ର ସମସ୍ତେ ଏତେବେଳେ ରାତ୍ରି ଭୋଜନରେ ବସିଥିବେ । ଗିର୍ଜା ସାମନା ପଡ଼ିଆରେ ବି ଜଣେ କେହି ଦିଶୁନଥାନ୍ତି । ଆକାଶ ମେଘରେ ପୂର୍ଣ୍ଣ ହୋଇଥାଏ, ଖରାଦିନ ଝଡ଼ ପୂର୍ବରୁ ମେଘ ଯେପରି ତଳି ଧରିଥାଏ ଆଜି ସେହିପରି ହୋଇଥାଏ । ଏ ଦିନେ ଏଭଳି ମେଘୁଆ ପାଗ ବରଫ ତରଳିବାରେ ଗୋଟାଏ ନିଶ୍ଚିତ ଶକୁନ୍ୟ । ଅସ୍ପଷ୍ଟ ଆଲୋକକୁ ଏଥାନ୍‌ ନିରେଖି କରି ଚାହିଁଲେ । ଏଥର ଆଉ ତାଙ୍କ ଆଖିରେ ସ୍ୱାଭାବିକ ତୀକ୍ଷ୍‌ଣତା ଓ ସାମର୍ଥ୍ୟ ନଥାଏ ।

ଏଥାନ୍‌ ଗାଡ଼ିରେ ବସିବା ସଙ୍ଗେ ସଙ୍ଗେ ମ୍ୟାଟି ତାଙ୍କ ସାମନାରେ ଯାଇ ବସିପଡ଼ିଲେ । ତାଙ୍କର ଟୋପି ତଳେ ତୁଷାରରେ ପଡ଼ି ଯାଇଥାଏ ଏଥାନ୍‌ ନିଜ ଅଧରକୁ ନେଇ ମ୍ୟାଟିଙ୍କ ମୁଣ୍ତ ବାଳରେ ରଖିଥାନ୍ତି । ସେ ଗୋଡ଼ ଦୁଇଟି ଦୁଇ ଆଡ଼କୁ ଲମ୍ୱାଇ ଦେଇ, ତଳେ ଗୋଇଠି ମାଡ଼ି ରଖିଲେ, ଗାଡ଼ି ବରଫରେ ଅଜାଣତରେ ଖସି ନଯିବ ବୋଲି ଦୁଇ ହାତରେ ମ୍ୟାଟିଙ୍କ ମୁଣ୍ତଙ୍କୁ ନୁଆଁଇ ଆଣିଲେ ନିଜର ବକ୍ଷସ୍ଥଳକୁ, ତାପରେ ହଠାତ୍‌ ସେ ଗାଡ଼ିରୁ ଉଠି ପଡ଼ି ମ୍ୟାଟିଙ୍କୁ ହୁକୁମ ଦେଲେ, ‘‘ଉଠିପଡ଼ ।’’

ଏ ସ୍ୱରକୁ ମ୍ୟାଟି ସଦାକାଳେ ମାନିଯା’ନ୍ତି । କିନ୍ତୁ ଏଥର ସେ ନିଜ ଆସନକୁ ଜାବୁଡ଼ି ଧରି ଜିଦ୍‌ କଲାପରି କହିଲା, ‘‘ନା, ନା, ଉଠିବି ନାହିଁ ।’

ପୁଣି ଆଦେଶ ଦେଲା, ‘‘ଉଠିପଡ଼ ।’’

‘‘କାହିଁକି ?’’

‘‘ମୁଁ ସାମନାରେ ବସିବାକୁ ଚାହେଁ ।’’

‘‘ନା, ନା, ଆଗରେ ବସିଲେ ତୁମେ ଗାଡ଼ି ଚଳାଇବ କିପରି ।’’

‘‘ଚଳାଇବା ଦରକାର ହେବ ନାଇଁ । ଆଗରୁ ଯେଉଁ ଗୁଳା ପଡ଼ିଛି, ଗାଡ଼ି ସେଇଥିରେ ଯିବ ।’’

ସେମାନେ ଅସ୍ପଷ୍ଟ ସ୍ୱରରେ ପୁସ୍‌ଫୁସ୍‌ କରି ବିବାଦ ଲଗାଇଥାନ୍ତି, ସତେ ଯେମିତି ରାତି ତାଙ୍କ କଥା ଶୁଣିଯିବ, ଏଇ ଆଶଙ୍କାରେ ।

ଏଥାନ୍‌ ଫୁଣି ଜିଦ୍‌ କଲେ, ‘‘ଉଠିଯାଅ ଉଠିଯାଅ’’ ମ୍ୟାଟିଙ୍କର ସେଇ ଏକ ପ୍ରଶ୍ନ, ‘‘ତୁମେ କାହିଁକି ଆଗରେ ବସିବାକୁ ଜିଦ୍‌ କରୁଛ ?’’

‘‘କାରଣ, ମୁଁ—କାରଣ, ମୁଁ ଚାହେ ତୁମେ ମୋତେ ପଛରୁ ଜାକି ଧରିଲେ ମୁଁ ତୁମ ହାତର ସ୍ପର୍ଶ ଅନୁଭବ କରିବି’’, ଏଥାନ୍‌ ଥାଥ ମାମା ହୋଇ ଏଇ କାରଣ ଦେଖାଇ, ବଳାତ୍କାରରେ ମ୍ୟାଟିଙ୍କୁ ଟାଣି ଠିଆ କରିଦେଲେ ।

 

ହୁଏତ ଏଥାନ୍‌ ଯେଉଁ କାରଣ ଦେଖାଇଲେ ତାହା ମ୍ୟାଟିଙ୍କ ପକ୍ଷେ ସନ୍ତୋଷଜନକ ହେଲା, କିମ୍ୱା ସେ ଏଥାନ୍‍ଙ୍କ ଜବରଦସ୍ତିରେ ଦବିଗଲେ । ଏଥାନ୍‌ ନଇଁପଡ଼ି, ପୂର୍ବରୁ ଯାଇଥିବା ଗାଡ଼ିମାନେ ତୁଷାରକୁ ଦାବି ଯେଉଁ ଟାଣ, ଚିକ୍‌କଣ ଗୁଳା କରିଥିଲେ, ତାକୁ ଅନ୍ଧାରରେ ଦରାଣ୍ତି ତା’ର କଡ଼ରେ ଗାଡ଼ିର ଦୁଇ ଧାରକୁ ରଖିଲେ । ଏଥାନ୍‌ ଗାଡ଼ିର ସାମନା ପଟେ ବସିବାକୁ ମ୍ୟାଟି ଅପେକ୍ଷା କରି ଠିଆ ହେଲେ; ଏଥାନ୍‌ ଗୋଡ଼ଜାକି ବସିବାମାତ୍ରେ ସେ ଚଟକିନି ଗାଡ଼ିରେ ଯାଇ ବସି ପଡ଼ିଲେ ଓ ଦୁଇ ହାତରେ ଏଥାନ୍‍ଙ୍କ ଅଣ୍ଟାକୁ ଜାବୁଡ଼ି ଧରିଲେ । ମ୍ୟାଟିଙ୍କ ନିଃଶ୍ୱାସ ନିଜର ବେକ ମୁଣ୍ତରେ ବାଜନ୍ତେ, ଏଥାନ୍‌ ପୁଣି ଶିହରି ଉଠିଲେ; ତାଙ୍କର ମନ ହେଲା ସେ ଗାଡ଼ିରୁ ଉଠିପଡ଼ି ଠିଆ ହେବେ । କିନ୍ତୁ ଏକ ଝଲକରେ ତାଙ୍କୁ ଆର ଦିଗଟା ଦିଶିଗଲା । ସେ ବୁଝିଲେ, ମ୍ୟାଟି ଠିକ୍‌କଥା କହିଛନ୍ତି; ମ୍ୟାଟିଙ୍କଠାରୁ ଛାଡ଼-ବାଡ଼ ହୋଇ ରହିବା ଅପେକ୍ଷା ଏଭଳି ଜୀବନ ସାଙ୍ଗ କରିବା ଶ୍ରେୟସ୍କର ।

 

ଠିକ୍‌, ଗାଡ଼ି ତଳକୁ ଖସିଲା ବେଳକୁ ଘୋଡ଼ା ପୁଣି ହିଁ ହିଁ କଲା; ଏହା ଦାନା ପାଇଁ ତା’ର ସତୃଷ୍ଣ ନିବେଦନ । ଏଇ ନିବେଦନ ସଙ୍ଗେ ନିଜ ଗାର୍ହସ୍ଥ୍ୟ ଜୀବନର ଆଉ କେତେ କର୍ତ୍ତବ୍ୟର ଚିତ୍ର ମିଶା ଗୋଳିଆ ହୋଇ ତାଙ୍କ ମନଶ୍ଚକ୍ଷୁରେ ଦିଶିଗଲା । ଏହି ସବୁ ଚିତ୍ର ଦେଖୁ ଦେଖୁ ଗଡ଼ାଣିର ପ୍ରଥମ ସ୍ତରଟା ପାର ହୋଇଗଲା । ଅଧବାଟରେ ଠାଏ, ରାସ୍ତାଟା ହଠାତ୍‌ ତଳକୁ ପଶି ଯାଇ ପୁଣି ଉପରକୁ ଉଠିଛି, ତା’ପରେ ଆଉ ଖଣ୍ତେ ଲମ୍ୱା ତୀଖ ଗଡ଼ନ୍ତି । ଏ ଖଣ୍ତରେ ଗାଡ଼ି ପଡ଼ି ତଳକୁ ଉଠିଗଲାବେଳେ, ଏଥାନ୍‌ ମନେ କଲେ ବାସ୍ତବରେ ସେ ଦୁହେଁ ଉଡ଼ି-ଯାଉଛନ୍ତି, ଦୂରକୁ, ମେଘ-ମେଦୁର ଅମ୍ୱର ଭିତରକୁ—ତଳେ, ଖୁବ୍‌ ତଳେ ରହିଯାଇଛି ଷ୍ଟାର୍କଫିଲ୍‌ଡ୍, ବିରାଟ ବାୟୁମଣ୍ତଳରେ କ୍ଷୁଦ୍ର ଅଣୁ ପରି । ତା’ପରେ ଆଗରେ ଦିଶିଲା ସେଇ ପ୍ରକାଣ୍ତ ଏଲମ୍‌ ଗଛ । ଗଛଟା ସଡ଼କର ମୋଡ଼ ଉପରେ ଛପି କରି ରହିଛି ଏ ଦୁହିଁଙ୍କ ଉପରେ ଝାମ୍ପ ଦେବାକୁ । ଏଥାନ୍‌ ଦାନ୍ତ ଚିପି କହିଲେ, ‘‘ଆମେ ଠିକ୍‌ ଯାଇ ୟାରି ଉପରେ ପଡ଼ିବା; ମୁଁ ଜାଣେ, ସିଧା ତା’ ସଳଖ ଗାଡ଼ି ଚଳାଇବାକୁ ମୁଁ ସମର୍ଥ ।

 

ଗଛ ସଳଖା ଗାଡ଼ି ଉଡ଼ିଯିବାର ଲକ୍ଷ୍ୟ କରି, ମ୍ୟାଟି କଟକ ମଟକ କରି ଏଥାନ୍‍ଙ୍କୁ କୁଣ୍ଢେଇ ଧଇଲେ; ମ୍ୟାଟିଙ୍କ ଦେହର ରକ୍ତ ଯାଇ ଏଥାନ୍‍ଙ୍କ ଶିରା ପ୍ରଶିରାରେ ମିଶିଗଲା ପରି ଏଥାନ୍‍ଙ୍କୁ ଲାଗୁଥାଏ । ଗାଡ଼ିଟାକୁ ଗଛ ଆଡ଼କୁ ସଳଖି ଦେବା ପାଇଁ ଏଥାନ୍‌ ନିଜ ଦେହକୁ ଟିକିଏ ଅଣେଇ ଦେଲେ; ବାରମ୍ୱାର ମନକୁ ବୋଧ ଦେଉଥାନ୍ତି, ‘‘ମୁଁ ଜାଣେ, ନିଶ୍ଚୟ ଗାଡ଼ିଟା ଯାଇ ଗଛରେ ପିଟିହେବ ।’’ ମ୍ୟାଟି ତାଙ୍କ ହୃଦୟାହ୍ଲାଦକର ଯେଉଁ କଥା ସବୁ ସେଇ ସନ୍ଧ୍ୟାରେ କହିଥିଲେ ତାହା ତାଙ୍କ ସ୍ମୃତିରୁ ବାହାରି ଆଖି ଆଗରେ ଶୂନ୍ୟରେ ନାଚୁଥାନ୍ତି । କ୍ରମେ ବୃହତ୍‌ ବୃକ୍ଷଟି ବୃହତ୍ତର ଦିଶିଲା ଓ ନିକଟତର ହେଲା; ଗାଡ଼ି ଯାଇ ଗଛ ଉପରେ ବାଡ଼େଇ ହେବାର ଅବ୍ୟବହିତ ପୂର୍ବରୁ ଏଥାନ୍‌ ବିଚାରିଲେ, ଏହା ଆମକୁ ଚାହିଁକରି ରହିଛି । ବୋଧହୁଏ ଆମର ସଙ୍କଟ ତା’କୁ ଜଣା ।’’ ଏଇ ଚିନ୍ତା ଭିତରେ ହଠାତ୍‌ ତାଙ୍କ ସ୍ତ୍ରୀର ମୁହଁ, ତାଙ୍କର ଓ ତାଙ୍କ ଲକ୍ଷ୍ୟସ୍ଥଳ ପ୍ରକାଣ୍ତ ଏଲମ୍‌ ଗଛର ମଝିରେ ଉଭା ହୋଇଗଲା—ତାଙ୍କ ମୁହଁର ବିକୃତ କୁଞ୍ଚିତ ରେଖାଗୁଡ଼ାକ ଅଧିକ ବିକୃତ ଦିଶୁଥାଏ । ଏ ମୁହଁକୁ ସାମନାରୁ ଆଡ଼େଇ ଦେବାକୁ ସେ ସ୍ୱତଃ ମୁହଁ ଝାଡ଼ିଦେଲେ; ତାଙ୍କର ଝୁଙ୍କିଯିବା ଫଳରେ ଗାଡ଼ି ବି ବଙ୍କେଇଗଲା । ଏଥାନ୍‌ ଏହା ଦେଖି, ଗାଡ଼ିକୁ ସଳଖି ନେଲେ ଓ ସିଧାସଳଖ ଗାଡ଼ିଟା ବିରାଟ ବୃକ୍ଷର ଅନ୍ଧକ ରାବୃତ ଗଣ୍ତିକୁ ଲକ୍ଷ୍ୟ କରି ଛୁଟିଗଲା । ଶେଷ ମୁହୂର୍ତ୍ତରେ, ପବନ ଭୀମବେଗରେ ତାଙ୍କ ଦେହରେ ପିଟି ହୋଇଗଲା; ପବନର ସ୍ପର୍ଶ ତାଙ୍କୁ ଲାଗିଲା ଲକ୍ଷ୍ୟ ଲକ୍ଷ୍ୟ ଜୀବନ ଇଲେକ୍‌ଟ୍ରିକ୍‌ ତାରର ସମବେତ ଦଂଶନ ପରି । ତା’ପରେ ପ୍ରକାଣ୍ତକାୟ ବୃକ୍ଷର.... ।

 

ଆକାଶକୁ ମେଘ ଘୋଡ଼ାଇ ରଖିଥାଏ । ଏଥାନ୍‌ ସିଧା ଆକାଶ ଆଡ଼କୁ ଚାହିଁ ଗୋଟିଏ ନକ୍ଷତ୍ର ଦେଖିଲେ; ଏହା କାଳପୁରୁଷ ନକ୍ଷତ୍ରପୁଞ୍ଜର ଲୁବ୍‌ଧକ ନକ୍ଷତ୍ର କି ନୁହେଁ ସେ ନିଶ୍ଚୟ କରି ପାରୁନଥାନ୍ତି; ବିଚାରିଲେ, ୟା କ’ଣ ତେବେ... । ଏହିପରି ବିଚାରିବାରେ ମସ୍ତିଷ୍କର ଯାହା ବା ଚାଳନ ହେଲା ସେଥିରେ ସେ ଭାରି ହାଲିଆ ହୋଇ ପଡ଼ିଲେ । ସେ ଭାରି-ଭାରି ଲାଗୁଥିବା ଆଖିପତା ବୁଜି ଟିକିଏ ଶୋଇବେ ବୋଲି ବିଚାରିଲେ—। ଚାରିଆଡ଼ ପୂରା ନିରବ, ନିସ୍ତବ୍‌ଧ । ସେଇ ନୀରବତା ଭଙ୍ଗ କରି ଗୋଟାଏ କୌଣସି କ୍ଷୁଦ୍ର ପ୍ରାଣୀ ତାଙ୍କ ନିକଟରେ ତୁଷାର ଭିତରେ କେଉଁଠି ଚିଁ ଚିଁ କରୁଥିବାର ତାଙ୍କୁ ଶୁଣାଗଲା । ବିଲ-ମୂଷାଟିଏ ଭୟରେ କ୍ଷୀଣ ଚିତ୍କାର କରୁଥିବା ପରି ତାଙ୍କୁ ଶୁଣାଗଲା । ଏଥାନ୍‍ଙ୍କ ନିସ୍ତେଜ ମନ, କେଜାଣି ବିଚରା ମୂଷାଟି ଆହତ ହୋଇଛି ବୋଲି ବ୍ୟସ୍ତ ହେଉଥାଏ । ଟିକକ ପରେ ସେ ଜାଣିଲେ, ଜନ୍ତୁଟି ନିଶ୍ଚୟ କଷ୍ଟରେ ପାଟି କରୁଛି । ତା’ର କଷ୍ଟ ଏବେ ଅଧିକ ବୋଲି ସେ ବିଚାରିଲେ ଯେ, ଜନ୍ତୁଟିର କଷ୍ଟ ତାଙ୍କ ନିଜ ଦେହରେ ପଶି ତାଙ୍କୁ ବି କଷ୍ଟ ଦେଲା । ଏହା କିପରି ହେଲା ଭାବି ସେ ବିସ୍ମିତ ହେଉଥାନ୍ତି । ଯେଉଁ ଦିଗରୁ ଶବ୍ଦଟା ଆସୁଥିଲା ଗାଡ଼ି ଗଡ଼ାଇ ସେ ଆଡ଼କୁ ଯିବାକୁ ସେ ଚେଷ୍ଟା କଲେ, କିନ୍ତୁ ନିଜକୁ ବଙ୍କାଇ ପାରିଲେ ନାହିଁ । ତହୁଁ ସେ ନିଜର ବାଁ ହାତକୁ, ତୁଷାର ଉପରେ, ସେ ଆଡ଼କୁ ବଢ଼ାଇଲେ । ଏଥର ପ୍ରାଣୀଟିର ଚିତ୍କାର ସେ ଶୁଣିବା ସଙ୍ଗେ ସଙ୍ଗେ ନିଜେ ଅନୁଭବ କରିବାକୁ ଆରମ୍ଭ କଲେ । ପ୍ରାଣୀଟି ତାଙ୍କ ପାପୁଲି ତଳେ ରହିଲା ପରି ତାକୁ ଲାଗିଲା; ତାଙ୍କ ପାପୁଲିକୁ ଜଣାପଡ଼ିଲା, ପାପୁଲି ତଳେ ଗୋଟିଏ କ’ଣ କଅଁଳ ଓ ହାଲୁକା ପଦାର୍ଥ ଥିଲା ପରି । ପ୍ରାଣୀଟିର କଷ୍ଟ ତାଙ୍କର ଅସହ୍ୟ ହେଲା । ତା’ର କଷ୍ଟ ଲାଘବ କରିବାର ପ୍ରବଳ ଆକାଙକ୍ଷାରେ ସେ ଉଠିବାକୁ ଚେଷ୍ଟା କଲେ, କିନ୍ତୁ ଉଠି ପାରିଲେ ନାହିଁ । ତାଙ୍କୁ ଜଣା ପଡ଼ିଲା ଗୋଟାଏ ପଥର କି ଅନ୍ୟ କିଛି ଭାରି ଜିନିଷଟାଏ ତାଙ୍କ ଉପରେ ରହି ତାଙ୍କୁ ଚାପି ଧରିଛି । ଉଠି ନପାରି, ସେ ବାଁ ହାତରେ ଆଙ୍ଗୁଠି ଆସ୍ତେ ଆସ୍ତେ ଚଳାଇ କଷ୍ଟ ପାଉଥିବା ଜନ୍ତୁଟିକୁ ହାତରେ ଧରି ଟିକିଏ ଆଉଁସିବାକୁ ଚେଷ୍ଟା କଲେ ! ହଠାତ୍‌ ତାଙ୍କର ଖିଆଲ ଆସିଲା ଯେ ସେ ଯେଉଁ କୋମଳ ଓ ହାଲୁକା ପଦାର୍ଥକୁ ସ୍ପର୍ଶ କରୁଥିଲେ ତାହା ମ୍ୟାଟିଙ୍କର କେଶ ଓ ତାଙ୍କ ହାତ ପାପୁଲି ତଳେ ଅଛି ତାଙ୍କର ମୁହଁ ।

 

ସେ କଷ୍ଟେ ମଷ୍ଟେ ଆଣ୍ଠୁରେ ଭାର ଦେଇ ଉଠିଲେ ଓ ମ୍ୟାଟିଙ୍କ ପାଖକୁ ଗୁରୁଣ୍ତି ଗୁରୁଣ୍ତି ଗଲେ; ତାଙ୍କ ଉପରେ ଲଦା ହୋଇଥିବା ଓଜନଦାର୍‌ ଜିନିସଟା ତାଙ୍କ ସଙ୍ଗେ ସଙ୍ଗେ ଚାଲିଥାଏ । ଏଥାନ୍‌ ମ୍ୟାଟିଙ୍କ ମୁହଁରେ ବରମ୍ୱାର ହାତ ବୁଲାଉଥାନ୍ତି । ସେ ବାରି ପାରିଲେ ଯେ ଚିଁ ଚିଁ ଶବ୍ଦଟା ଅନ୍ୟ କୌଣସି ଜନ୍ତୁର ନୁହେଁ, ତାହା ବାହାରୁଛି ମ୍ୟାଟିଙ୍କ ପାଟିରୁ ।

 

ସେ ନିଜ ମୁହଁକୁ ନେଇ ମ୍ୟାଟିଙ୍କ ମୁହଁ ପାଖରେ ରଖିଲେ; କାନ ମ୍ୟାଟିଙ୍କ ପାଟି ପାଖରେ ଲଗାଇ ନିଃଶ୍ୱାସ ବାରିଲେ; ଅନ୍ଧାରରେ ବି ତାଙ୍କୁ ଦିଶିଲା, ମ୍ୟାଟି ଆଖି ମେଲାଇ ଚାହୁଛନ୍ତି; ପୁଣି କହିଲେ, ସେ ତାଙ୍କ ନାମ ଧରି ଡାକିଲେ ।

 

ବେଦନାବ୍ୟଥିତ ସ୍ୱରରେ ଏଥାନ୍‌ କହିଲେ, ‘‘ଓହୋ, ମ୍ୟାଟ୍‌, ମୁଁ ବିଚାରିଥିଲି ଆମେ ଯାଇ ସିଧା ଗଛ ଦେହରେ ବାଡ଼େଇ ହେବା ।’’ ଖୁବ୍‌ ଦୂରରେ, ପର୍ବତର ମଥାନ ଉପରେ ବୁଢ଼ା ଘୋଡ଼ାଟିର କାତର ସ୍ୱର ତାଙ୍କ କାନରେ ବାଜିଲା । ସେ ବିଚାରିଲେ, ‘‘ଆହା, ବିଚରାକୁ ସାଙ୍ଗେ ସାଙ୍ଗେ ତା’ ଦାନା ଦେବା ଦରକାର..... ।’’

 

ଅନୁକ୍ରମଣିକା

 

ଖିଟିଖିଟିଆ ସ୍ୱରରେ ଶୁଣାଯାଉଥିବା କଥା ମୁ ଫ୍ରୋମ୍‌ଙ୍କ ରୋଷେଇ ଘରେ ପଶିଲାବେଳକୁ ବନ୍ଦ ହୋଇ ଯାଉଥାଏ । ରୋଷଇ ଘରେ ଯେଉଁ ଦୁଇଜଣ ସ୍ତ୍ରୀଲୋକ ବସିଥିବାର ଦେଖିଲି ସେଥିରୁ କେଉଁ ଜଣକ ବକ୍‌ବକ୍‌ ହେଉଥିଲେ ମୁଁ ବାରିପାରିଲି ନାହିଁ ।

ମୁଁ ପହଞ୍ଚିବାରେ ତାଙ୍କ ଭିତରୁ ଜଣେ ତାଙ୍କ ବସିଥିବା ଆସନରୁ ଉଠି ପଡ଼ିଲେ । ଦେଖିବାକୁ ଡେଙ୍ଗା ଓ ଦେହଟି ଖାଲି ହାଡ଼ମାଳ । ସେ ମୋତେ ସ୍ୱାଗତ କରିବାକୁ ଉଠିଲା ପରି ମନେ ହେଲା ନାହିଁ, କାରଣ ସେ ମୋତେ, ବିସ୍ମିତ ହୋଇ ଥରୁଟାଏ ମାତ୍ର ଚାହିଁଲେ । ଫ୍ରୋମ୍‌ ନ ଥିବାରୁ ତାଙ୍କମାନଙ୍କର ବିଳମ୍ୱ ହୋଇଥିବା ରାତ୍ରି ଭୋଜନର ଆୟୋଜନ କରିବାକୁ ମାତ୍ର ସେ ଉଠିଲେ ବୋଲି ଜଣା ପଡ଼ିଲା । ଖଣ୍ତେ ମଇଳା ସୁତୁଲି ଆଚ୍ଛାଦନୀ ତାଙ୍କ କାନ୍ଧରୁ ଓହଳି ଥାଏ; ତାଙ୍କ ମୁଣ୍ତର ପତଳା ଧୋବ ବାଳ କୋରାକ ତାଙ୍କ ଉଁଚ କପାଳରୁ ପଛକୁ କୁଣ୍ତିଆ ହୋଇ ଖଣ୍ତେ ଭଙ୍ଗା ପାନିଆରେ ବେକ ଉପରକୁ, ବନ୍ଧା ହୋଇ ରହିଥାଏ । ତାଙ୍କର ଆଖି ଦୁଇଟି ନିସ୍ପ୍ରଭ ଓ ପାଣ୍ତୁର ଦିଶୁଥାଏ । ଏ ଆଖିରୁ ତାଙ୍କ ମନର ଭାବ କିଛି ଜଣା ପଡ଼ୁନଥାଏ; ତାଙ୍କ ଅଧର ଦୁଇଟିର ବର୍ଣ୍ଣ ତାଙ୍କ ମୁହଁର ଶେତା ରଙ୍ଗ ମିଶି ଯାଇଥାଏ ।

ଦ୍ୱିତୀୟ ସ୍ତ୍ରୀ ଲୋକଟି ପ୍ରଥମଥର ତୁଳନାରେ ସାନ ଓ ସରୁଆ । ସେ ଚୁଲି ପାଖରେ ଗୋଟାଏ ଆରାମ ଚଉକିରେ ଜାକିଜୁକି ହୋଇ ବସିଥାନ୍ତି । ମୁଁ ରୋଷେଇଘରେ ପଶିବାମାତ୍ରେ ସେ ତାଙ୍କ ମୁହଁ ମୋ ଆଡ଼କୁ ବୁଲାଇ ଦେଲେ କିନ୍ତୁ ତାଙ୍କ ଦେହର କୌଣସି ଅଂଶ ତାଙ୍କ ମୁହଁ ସଙ୍ଗେ ବୁଲିଲା ନାହିଁ କି ହଲଚଲ ହେଲା ନାହିଁ । ଆର ଜଣଙ୍କ ପରି ୟାଙ୍କର ମୁଣ୍ତର ବାଳ ବି ଧୋବ ଫରଫର, ମୁହଁ ସେହିପରି ରକ୍ତହୀନ ଓ ଶୁଷ୍କ ହେଲେ ବି ଗୋରା; ନାକ ପାଖରେ ଓ ଥାନ ମୁଣ୍ତା ଦୁଇଟି ପାଖରେ କଳା ଦାଗ ଦେଖାଯାଉଥାଏ । ପୋଷାକରୁ ଦେହର ଆକୃତି ବାରି ହେଉ ନଥାଏ; ଏଇ ଧୁଡ଼ୁଧୁଡ଼ୁ ପୋଷାକ ତଳେ ତାଙ୍କ ଶରୀର ନିଶ୍ଚଳ ହୋଇ ରହିଥାଏ; ମେରୁଦଣ୍ତରେ ରୋଗ ହୋଇଥିବା ଲୋକଙ୍କର ବେଳେବେଳେ ଆଖି ଯେପରି ଦିଶେ, ୟାଙ୍କର କଳା ଆଖି ଦୁଇଟି ସେଇପରି ଉଜ୍ଜ୍ୱଳ ଓ ପଲକହୀନ ଦିଶୁଥାଏ । ଡାହାଣୀ ପରି ସେ ମୋ ଆଡ଼କୁ ବଡ଼ବଡ଼ ଆଖି କରି ଚାହିଁଥାନ୍ତି ।

ସେହି ଦରିଦ୍ର ଅଞ୍ଚଳର ମାନଦଣ୍ତରେ ବି ଫ୍ରୋମ୍‌ଙ୍କ ରୋଷଇଘର ଅତି ଦରିଦ୍ରା ଦିଶୁଥାଏ-। କଳାଆଖିବାଲୀ ସ୍ତ୍ରୀଲୋକଟି ଯେଉଁ ଚଉକିଟିରେ ବସିଥାନ୍ତି ତାହା ଖୁବ୍‌ ଅସନା ଓ ପୁରୁଣା ହେଲେହେଁ ଅତୀତରେ ଭୋଗବିଳାସର ସାମଗ୍ରୀ ଥିଲା ବୋଲି ଜଣାଯାଉଥାଏ । ବୋଧହୁଏ ଏଖଣ୍ତ ଏଇ ମଫସଲର କୌଣସିଠି ନିଲାମ ହୋଇଥିଲା, ସେଇଠାରୁ ଖରିଦ ହୋଇ ଆସୁଛି-। ସେଇ ଖଣ୍ତିକ ଛାଡ଼ିଦେଲେ ଆଉ ସବୁତକ ଆସ୍‌ବାବ ବେଢ଼ଙ୍ଗିଆ । ଚୀନାବାସନର ତିନିଟା ନିକୃଷ୍ଟ ଧରଣର ପ୍ଲେଟ୍‌ ଓ ମଙ୍ଗ ଭାଙ୍ଗି ଯାଇଥିବା ଗୋଟାଏ ଦୁଧ-ରେକାବି ଟେବୁଲ ଉପରେ ଥୁଆ ହୋଇଥାଏ । ଟେବୁଲ ଉପରେ ଚାଦର ନଥାଏ; ଟେବୁଲଟାଯାକ ଚିକିଟା ଓ ଛୁରିଦାଗପୂର୍ଣ୍ଣ-। ଟେବୁଲ୍‌ ପାଖରେ ଯେଉଁ ଚଉକି ଦୁଇଟା ପଡ଼ିଥାଏ, ତାହାର ଗଦିରେ ଖଡ଼ ଦିଆ ହୋଇଥାଏ-। କାନ୍ଥରେ କାଗଜ ମରା ହୋଇ ନଥାଏ, ଘରର ଲଙ୍ଗଳା ପଲସ୍ତରା କାନ୍ଥକୁ ଲାଗି ପାଇନ୍‌କାଠ-ତିଆରି ରଙ୍ଗ ଦିଆ ହୋଇନଥିବା ଗୋଟିଏ ଟେବୁଲ ରଖା ଯାଇଥାଏ ।

ଫ୍ରୋମ୍‌ ମୋ’ ପଛେ ପଛେ ରୋଷେଇଘରେ ପଶିଲେ ଓ ଚାରିଆଡ଼େ ଆଖି ପକାଇ ନିଜ ଅଭାବ ନିମନ୍ତେ କ୍ଷମା ମାଗିଲାଭଳି ସ୍ୱରରେ କହିଲେ, ‘‘ଆରେ ବାପରେ ! ଏଠେଇ ତ ଭାରି ଥଣ୍ତା ! ବୋଧହୁଏ ଚୁଲିରୁ ନିଆଁ ଏକାବେଳକେ ଲିଭି ଗଲାଣି ।’’

 

ଡେଙ୍ଗୀ ମାଇକିନିଆଟି ଏତେବେଳକୁ ଆମଠାରୁ ଦୂରକୁ, ରୋଷେଇଘର ଟେବୁଲ୍‌ପାଖକୁ ଚାଲି ଯାଇଥାନ୍ତି; ସେ ଏଥାନ୍‍ଙ୍କ କଥାକୁ କାନ ଦେଲେ ନାହିଁ । ଆରଜଣଙ୍କ, ତାଙ୍କ ଗଦିଥିବା ଆସନରୁ, ଅଭିଯୋଗ କଲାପରି, ଗିଣିଗିଣିଆ ଉଚ୍ଚ ସ୍ୱରରେ କହିଲେ, ‘‘ଚୁଲିରେ ଏଇ ମୁହୂର୍ତ୍ତରେ ଆଞ୍ଚ ଦିଆ ହୋଇଛି । ଜୀନା ଶୋଇଲେ ଯେ ଶୋଇଲେ ଗୁଡ଼ାଏ ବେଳ; ତାଙ୍କୁ ଡାକି ଉଠାଇ ଚୁଲିରେ ନିଆଁ ଧରାଇବା ପୂର୍ବରୁ ମୁଁ ଥଣ୍ତାରେ ଅସାଡ଼ ହୋଇଯିବି ବୋଲି ଡରି ଯାଇଥିଲି ।’’

 

ସେତିକିବେଳେ ଯାଇ ମୁଁ ଜାଣିଲି । ମୁଁ ଆସିଲାବେଳେ ଏଇ ଜଣଙ୍କ ପାଟି କରୁଥିଲେ ।

 

ଆର ଜଣଙ୍କ ଏତେବେଳକୁ ଗୋଟିଏ ଭଙ୍ଗା ଥାଳୀରେ ଥଣ୍ତା ହୋଇ ଯାଇଥିବା ସକାଳୁ ବଳିଥିବା ମାଂସପୁର ଦିଆ ଗୋଟିଏ ପିଠାରୁ ଖଣ୍ତେ ଧରି ଖାଇବା ଟେବୁଲ୍‌ ପାଖକୁ ଆସୁଥାନ୍ତି । ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ନ ଶୁଣିଲା ପରି ସେ ଅଲୋଭନୀୟ ଖାଦ୍ୟସାମଗ୍ରୀଟି ଟେବୁଲ ଉପରେ ରଖିଦେଲେ ।

 

ୟେ ଆସି ଟେବୁଲ ପାଖରେ ପହଞ୍ଚିବାରେ ଫ୍ରୋମ୍‌ ଥାଥା ମାମା ହୋଇ ୟାଙ୍କ ଆଗରେ ଠିଆ ହେଲେ ଓ ମୋ ଆଡ଼କୁ ଚାହିଁ କହିଲେ, ‘‘ୟେ ମୋର ସ୍ତ୍ରୀ, ଶ୍ରୀମତି ଫ୍ରୋମ୍‌ ।’’ ଟିକିଏ ରହିଯାଇ ସେ ଆରାମ-ଚଉକିରେ ବସିଥିବା ସ୍ତ୍ରୀଲୋକଟି ଆଡ଼କୁ ମୁହଁ ବୁଲାଇ ପୁଣି କହିଲେ, ଆଉ ୟେ ହେଉଛନ୍ତି, ମିସ୍‌ ମ୍ୟାଟି ସିଲ୍‌ଭର୍‍ ।’’

 

କରୁଣାମୟୀ ମିସେସ୍‌ ହେଲ୍‌, ମୁଁ ରାତିରେ ବସାକୁ ନଫେରିବାର ଦେଖି ଆଶଂକା କରିଥିଲେ ଯେ ମୁଁ ଫ୍ଲାଟସ୍‌ ଷ୍ଟେସନରୁ ଫେରିବାବେଳେ ବାଟରେ ରାସ୍ତା ନପାଇ ବରଫ ସ୍ତୁପରେ ପୋତି ହୋଇ ପ୍ରାଣ ହରାଇଛି । ପରଦିନ ସକାଳେ ମୁଁ ନିରାପଦରେ ଘରକୁ ଫେରିବାର ଦେଖି ସେ ଏତେ ଆନନ୍ଦିତ ହେଲେ ଯେ, ମୁଁ ମନେକଲି, ମୋର ସମ୍ଭାବିତ ବିପଦ ଯୋଗୁଁ ମୋ ପ୍ରତି ତାଙ୍କର ଅନୁଗ୍ରହ ବିଶେଷ ପରିମାଣରେ ବଢ଼ି ଯାଇଛି ।

 

ଏଥାନ୍‌ଫ୍ରୋମ୍‌ଙ୍କ ବୁଢ଼ା ଘୋଡ଼ା ମୋତେ କର୍‌ବ୍ୟୁରି ଜଙ୍କସନ୍‌କୁ ନେଇ କାଲିର ଅତି ଭୟାନକ ତୁଷାରଝଡ଼ ଭିତରେ ପୁଣି ଷ୍ଟାର୍କଫିଲ୍‌ଡ୍‍କୁ ୱାପସ୍‌ ଆଣି ପାରିବାର ଶୁଣି, ମିସେସ୍‌ ହେଲ୍‌ ଓ ତାଙ୍କ ମା’, ବୃଦ୍ଧା ମିସେସ୍‌ ବାର୍ଣ୍ଣମ୍‌, ଦୁହେଁ ଆଚମ୍ୱିତ ହୋଇଗଲେ । ଏ ଘୋଡ଼ାର ମାଲିକ, ଫେରିବାରେ, ମୋତେ ତାଙ୍କଘରେ ରାତିକ ଆଶ୍ରୟ ଦେଇଥିବାର ଶୁଣି ସେ ଦୁହିଁଙ୍କ ବିସ୍ମୟ ଆହୁରି ବଢ଼ି ଯାଇଥିଲା ।

 

ସେମାନେ ସେମାନଙ୍କ ବିସ୍ମୟ ପ୍ରକାଶ କରି ଯାହା ପଦେ ପଦେ କହୁଥାନ୍ତି, ସେଥିରୁ ମୁଁ ଆବିଷ୍କାର କରୁଥାଏ ଯେ, ଫ୍ରୋମ୍‌ଙ୍କ ପରିବାରରେ ରାତିଏ କଟାଇ ମୁଁ କ’ଣ କ’ଣ ଦେଖିଲି ଜାଣିବାକୁ ସେମାନଙ୍କର ବିଶେଷ କୌତୁହଳ ହୋଇଥିଲେ ହେ ଭଦ୍ରତା ଖାତିରରେ ସେ ତାହା ଚପାଇ ରଖିବାକୁ ଚେଷ୍ଟା କରୁଛନ୍ତି । ମୋ ମନର କଥା ମୁଁ ଲୁଚାଇ ରଖିଲେ, ତାହା ଜାଣିବାକୁ ସେମାନେ ଯେଉଁ ଚେଷ୍ଟା କରିବେ, ତାହାରି ଅବସରରେ ସେମାନଙ୍କ ଅନ୍ତର ପ୍ରଦେଶର ଗୁପ୍ତ କଥା ସବୁ ଫିଟି ବାହାରିବ ବୋଲି ମନେ ମନେ ସ୍ଥିର କଲି । ତେଣୁ ମୁଁ ରୋକ୍‌ଠୋକ ଭାବରେ ଏତିକିମାତ୍ର କହିଲି ଯେ, ରାତିରେ ଫ୍ରୋମ୍‌ଙ୍କ ଘରେ ମୋତେ ଖୁବ୍‌ ଆଦର, ସତ୍କାର ମିଳିଥିଲା ଓ ଫ୍ରୋମ୍‌ ମୋ ଶୋଇବାପାଇଁ ତଳ ମହଲାରେ ଯେଉଁ ଘରଟିରେ ବ୍ୟବସ୍ଥା କଲେ, ତାହା ତାଙ୍କ ସୁଦିନରେ ଲେଖା ପଢ଼ା ଘରରୂପେ ବ୍ୟବହୃତ ହୋଇଥିବ ବୋଲି ମୋର ଅନୁମାନ ।

 

ମିସେସ୍‌ ହେଲ୍‍ ମନକୁ ମନ ଚିନ୍ତା କଲାପରି କହିଲେ, ‘‘ହଁ, କାଲି ଯେଉଁ ଦୁର୍ବ୍ଦିନ ସେଥିରେ ଆପଣଙ୍କୁ ନିଜ ଘରେ ରାତିରେ ବାସ ନଦେଇ ସେ ଆଉ କ’ଣ ବା କରିଥାନ୍ତେ ? କିନ୍ତୁ ମୁଁ ଅନୁମାନ କରୁଛି, ଫ୍ରୋମ୍‌ଙ୍କ ମନରେ ଭାରି କଷ୍ଟ ହୋଇଥିବ । ମୋର ବିଶ୍ୱାସ, ଆପଣ ହେଉଛନ୍ତି ଏକମାତ୍ର ଅପରିଚିତ ବ୍ୟକ୍ତି ଯେ କି ଗତ କୋଡ଼ିଏ ବର୍ଷରୁ ଅଧିକ କାଳ ଭିତରେ ସେ ଘର ଭିତରେ ପାଦ ଦେଇଛନ୍ତି । ଏଥାନ୍‌ ଫ୍ରୋମ୍‌ଙ୍କର ଆତ୍ମସମ୍ମାନ ଜ୍ଞାନ ଏଡ଼େ ତୀବ୍ର ଯେ ସେ ନିଜର ଘନିଷ୍ଠ ବନ୍ଧୁମାନଙ୍କୁ ମଧ୍ୟ ତାଙ୍କ ଘରର ବ୍ୟବସ୍ଥା ଦେଖାଇବାକୁ ଦିଅନ୍ତି ନାହିଁ । ମୁଁ ଓ ଆମ ଏଠାର ଡାକ୍ତରଙ୍କ ବ୍ୟତୀତ ଆଉ କେହି କେବେ ତାଙ୍କ ଘର ଭିତରକୁ ଯିବାର ମୋତେ ଜଣାନାହିଁ ।

 

ମୁଁ ଭରସି କରି ପଚାରିଲି, ‘‘ଆପଣ ଏବେ ବି ତାଙ୍କ ଘରକୁ ଯା’ ନ୍ତି ତା’ହେଲେ, ମିସେସ୍‌ ହେଲ୍‌ ?’’

 

‘‘ଦୁର୍ଘଟଣା ପରେ ମୁଁ ବହୁତ ଯିବା ଆସିବା କରୁଥିଲି । ସେତେବେଳକୁ ମୁଁ ନୂଆ ବିଭା ହୋଇଥାଏ । କିଛିଦିନ ପରେ ମୋ ମନରେ ଆଶଙ୍କା ହେଲା ଯେ ମୁଁ ଓ ମୋ ସ୍ୱାମୀ ଯାଇ ପହଞ୍ଚିଲେ ସେମାନଙ୍କୁ ସଙ୍କୋଚ ଲାଗିଲା । ପୁଣି, ତା’ପରେ ଘଟଣାର ଚକ ଘୂରିଗଲା ଓ ମୋ’ର ନିଜ ଦୁର୍ଭାଗ୍ୟ... । ସେ ଯାହାହେଉ, ଏବେ ବି. ନୂଆବର୍ଷ ଆରମ୍ଭର ପାଖେ ଆଖେ ମୁଁ ଥରେ ବଗିରେ ତାଙ୍କ ଘରକୁ ଯାଏ, ପୁଣି ଖରାଦିନେ ଆଉ ଥରେ ଯାଏ । କେବଳ ଏଥାନ୍‌ ଘରେ ନଥାଇ ବାହାରକୁ କାମରେ କୁଆଡ଼େ ଯାଇଥିବା ସମୟ ଉଣ୍ତି ମୁଁ ଯାଏ । ସ୍ତ୍ରୀଲୋକ ଦୁଇଟି ଏକୁଟିଆ ହୋଇ ଘରଟି ଭିତରେ ବସିଥିବାର ଦେଖିଲେ ତ ମୋ’ ମନ ପୋଡ଼ିଯାଏ—ତାଙ୍କ ସାଙ୍ଗକୁ ଏଥାନ୍‌ ଥିଲେ, ମୋତେ ମରଣ-ଯନ୍ତ୍ରଣା ହୁଏ । ନିଜ ଘରର ଅଭାବ ଓ ଦୁଃଖ କଷ୍ଟମୟ ପରିବେଶକୁ ଚାହିଁ ତାଙ୍କର ଯେଉଁ ଚେହେରା—ଓଃ, ଦେଖିଲେ ମଣିଷ ସମ୍ଭାଳି ପାରିବା ଅସମ୍ଭବ । ମୁଁ ଏଥାନ୍‍ଙ୍କୁ ବହୁଦିନରୁ ଜାଣିଚି, ତାଙ୍କ ମା’ ବଞ୍ଚିଥିବାବେଳେ ମୁଁ ତାଙ୍କ ଘରକୁ ଯାଇଛି, ଦେଖିଛି–ସେତେବେଳେକୁ ତାଙ୍କର ଏଭଳି ବିପଦ ଆପଦ ପଡ଼ି ନଥିଲା । ତେଣୁ ଏବେ ତାଙ୍କ ଘରକୁ ଗଲେ, ମୋ’-ମନର ଅବସ୍ଥା ଆପଣ ଅନୁମାନ କରି ପାରୁଥିବେ ।’’

 

ଆମେ ଏମିତି କଥାବାର୍ତ୍ତା ହେଲା ବେଳକୁ ବଷୀୟସୀ ମହିଳା ମିସେସ୍‌ ବାର୍ଣ୍ଣମ୍‍ ଶୋଇବାକୁ ଯାଇଥାନ୍ତି । ତାଙ୍କ ଝିଅ ଓ ମୁଁ ରାତ୍ରିଭୋଜନ ପରେ ଏକୁଟିଆ ବସିଥାଉଁ ତାଙ୍କ ବୈଠକଖାନାର ଘୋଡ଼ାରୁମ ଗଦି ଦିଆ ସୋଫାରେ । ତାଙ୍କର ଏଥାନ୍‌ ପରିବାର ସହିତ ଯେଉଁ ଆତ୍ମୀୟତା ତାହା ମୁଁ କେତେଦୂର ଅନୁମାନ କରି ପାରୁଛି, ଜାଣିବାକୁ ସେ ଜିଜ୍ଞାସୁ ନେତ୍ରରେ ମୋ ଆଡ଼କୁ ମଝିରେ ମଝିରେ ଚାହୁଁଥାନ୍ତି । ସେ ଏ ପରିବାରକୁ ଯେପରି ଘନିଷ୍ଠ ଭାବେ ଦେଖୁଛନ୍ତି, ଆଉ ଜଣେ କେହି ସେହି ପରିବାରକୁ ଦେଖିବା ପରେ ଯାଇ ସେ ତାଙ୍କର ମନର କଥା କହିବେ ବୋଲି ସେ ଏତେ ବର୍ଷକାଳ ଅପେକ୍ଷା କରି ରହିଛନ୍ତି ବୋଲି ମୁଁ ତାଙ୍କ ମୁହଁକୁ ଦେଖି ଅନୁମାନ କରୁଥାଏ ।

 

ସେ ଘନିଷ୍ଠ ପରିଚୟ ମୋ’ର ହୋଇଛି ବୋଲି ସେ ବିଶ୍ୱାସ କରିବାଯାଏ ଅପେକ୍ଷା କରି ମୁ କହିଲି, ‘‘ବାସ୍ତବିକ ସେ ତିନିଜଣଙ୍କୁ ଏକାଠି ସେ ଘରେ ଦେଖିଲେ ମନ ଖୁବ୍‌ ଖରାପ ହେବାର କଥା ।’’

 

ତାଙ୍କ ମମତାପୂର୍ଣ୍ଣ ଭ୍ରୂଲତା ଦୁଇଟି ଦୁଃଖରେ ସଂଙ୍କୁଚିତ ହୋଇଗଲା । ସେ କହିଲେ, ‘‘ଓଃ, ସେ ଦୁର୍ଘଟଣା ଘଟିବା ଦିନୁ ସେମାନଙ୍କ ଅବସ୍ଥା ବଡ଼ ମର୍ମନ୍ତୁଦ ହୋଇଛି । ପ୍ରଥମ ଦିନର ସେ ଦୃଶ୍ୟ କି ଭୟାନକ ! ଏଥାନ୍‌ ଓ ମ୍ୟାଟିଙ୍କୁ ବୋହିକରି ଆଣିବାବେଳେ ମୁ ଘରେ ଥିଲି । ଆମେ ଏ ଯେଉଁ ଘରେ ବସିଥାଇଁ, ସେଇଠାରେ ଆଣି ମ୍ୟାଟି ସିଲ୍‌ଭର୍‌ଙ୍କୁ ଶୁଆଇଲେ । ସେ ଓ ମୁଁ ଭାରି ସାଙ୍ଗ; ଆସନ୍ତା ବସନ୍ତ-ଋତୁରେ ସେଇ ପ୍ରଥମ ସଙ୍ଗିନୀ ହୋଇ ବିବାହବେଦୀରେ ଠିଆ ହେବାକୁ କଥା ହୋଇଥିଲା । ତାଙ୍କର ସଂଜ୍ଞା ଆସିବାରୁ ମୁଁ ତାଙ୍କ ପାଖକୁ ଗଲି ଓ ରାତି ତମାମ ତାଙ୍କ ପାଖରେ ବସିଲି । ତାଙ୍କର ଯନ୍ତ୍ରଣା ଉପଶମ କରିବା ପାଇଁ ତାଙ୍କୁ ଓୌଷଧ ଦିଆ ହେଲା, କିନ୍ତୁ ସକାଳ ଯାଏଁ ତାଙ୍କର ପୂରା ହୋସ ଆସିନଥାଏ । ସକାଳେ ହଠାତ୍‌ ତାଙ୍କର ପୁରା ଚେତା ଆସିଲା ଓ ତାଙ୍କର ବଡ଼ ବଡ଼ ଆଖି ମେଲାଇ ସେ ସିଧା ମୋ’ ଆଡ଼କୁ ଚାହିଁ ସବୁକଥା କହି ବସିଲେ.... । ଓଃ, ଏ ଦୁଃଖର କାହାଣୀ ମୁଁ ଆପଣଙ୍କ ଆଗେ ଏତେ ବଖାଣୁଛି କାହିଁକି, କେଜାଣି ?’’ ମିସେସ୍‌ ହେଲ୍‌ ଏଇଠାରେ କାନ୍ଦି ପକାଇ ତୁନି ହୋଇଗଲେ ।

 

ସେ ଆଖିରୁ ଚଷମା କାଢ଼ି, ଚଷମାରୁ ଲୋତକର ବାଷ୍ପ ପୋଛି, ଥରଥର ହାତରେ ପୁଣି ଚଷମା ଲଗାଇଲେ । ତା’ପରେ ପୁଣି କହି ଚାଲିଲେ, ‘‘ଘଟଣାର ପରଦିନ କଥା ଜଣାପଡ଼ିଲା ଯେ, ଚାକରାଣୀ ଟୋକୀଟିଏ ନିଯୁକ୍ତ କରିଥିବାରୁ ଜୀନା ମ୍ୟାଟିଙ୍କୁ ତରତରରେ ବିଦା କରି ଦେଇଥିଲେ । ଏଥାନ୍‌ ମ୍ୟାଟିଙ୍କୁ ନେଇ ରେଳଷ୍ଟେସନରେ ଛାଡ଼ି ଦେବାକୁ ବାହାରିଥିଲେ । ଷ୍ଟେସନ୍‍ ରାସ୍ତାରେ ସିଧା ନ ଯାଇ, ଏଥାନ୍‌ ଓ ମ୍ୟାଟି ଅନ୍ଧାର ରାତିରେ ତୁଷାରରେ ଖେଳିବାର କାରଣ କ’ଣ ଥିଲା ତାହା ଆମ ଏଠା ଲାକେ ଠିକଣା ଭାବେ ସମଜି ପାରି ନାହାନ୍ତି । ....ଏ ଘଟଣା ଶୁଣି ଜୀନାଙ୍କ ମନରେ କି ଭାବ ହେଲା ତାହା ମୁଁ ସେତେବେଳେ ଜାଣି ପାରି ନଥିଲି କି ଏ ପର୍ଯ୍ୟନ୍ତ ଜାଣି ପାରିନାହିଁ-। ଜୀନାଙ୍କ ମନର କଥା କେହି ଜାଣିପାରିବା ସମ୍ଭବ ନୁହେ । ସେ ଯାହାହେଉ, ଦୁର୍ଘଟଣା ସମ୍ୱାଦ ପାଇବା ସାଙ୍ଗେ ସାଙ୍ଗେ ସେ ଆସି ପହଞ୍ଚିଲେ ଏବଂ ଏଥାନ୍‍ଙ୍କ ପାଖେ ପାଖେ ଧର୍ମଯାଜକଙ୍କ ଘରଠାରେ ରହିଲେ । ଦୁର୍ଘଟଣାସ୍ଥାନରୁ ସେଇଠାକୁ ତାଙ୍କୁ ନିଆ ହୋଇଥାଏ । ପୁଣି, ମ୍ୟାଟିଙ୍କୁ ଆମ ଘରୁ ସ୍ଥାନାନ୍ତର କରିବା ନିରାପଦ ବୋଲି ଡାକ୍ତରମାନେ ପରାମର୍ଶ ଦେବା ସାଙ୍ଗେ ସାଙ୍ଗେ ତାଙ୍କୁ ନିଜ ଘରକୁ ନେଇଯିବା ସକାଶ ବନ୍ଦୋବସ୍ତ କରିଦେଲେ ।

 

ମୁଁ ପଚାରିଲି, ‘‘ତେବେ କ’ଣ ସେଇଦିନଠାରୁ ମ୍ୟାଟି ଜୀନାଙ୍କ ସାଙ୍ଗେ ରହିଛନ୍ତି ?’’

 

ମିସେସ୍‌ ହେଲ୍‌ ସିଧାସଳଖ ଉତ୍ତର ଦେଲେ, ‘‘ତାଙ୍କର ତ ଆଉ କୁ’ଠିକି ଯିବାର ଉପାୟ ନଥିଲା ।’’ ଦରିଦ୍ରମାନଙ୍କୁ କିପରି ବାଧ୍ୟ-ବାଧକତାର ସମ୍ମୁଖୀନ ହେବାକୁ ହୁଏ ଭାବି ମୋ’ର ହୃଦୟ ବ୍ୟଥାରେ କାଠ ହୋଇଗଲା ।

 

ମିସେସ୍‌ ହେଲ୍‌ ପୁଣି କହିଲେ, ‘‘ହଁ, ମ୍ୟାଟି ସେଇଦିନଠାରୁ ଏଥାନ୍‍ଙ୍କ ଘରେ ଅଛନ୍ତି । ଆଉ ଜୀନା ବି ଯଥାସାଧ୍ୟ ତାଙ୍କର ହେପାଜତ୍‌ କରୁଛନ୍ତି, ଏଥାନ୍‍ଙ୍କର ବି ହେପାଜତ୍‌ କରୁଛନ୍ତି । ଜୀନା ଦୁର୍ଘଟଣା ପୂର୍ବରୁ କେଡ଼େ ଅସୁସ୍ଥ ଥିଲେ ବିଚାରିଲା ବେଳକୁ ଏହା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ପ୍ରୟୋଜନ ହେବାମାତ୍ରେ, ତାଙ୍କରି ରୋଗ କୁଆଡ଼େ ଗଲା ଓ ସେ ନିଜର କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ହୋଇଗଲେ । ଔଷଧ ଖିଆ ଯେ ସେ ଛାଡ଼ିଛନ୍ତି ତାହା ନୁହେଁ; ମଝିରେ ମଝିରେ ତାଙ୍କର ବେମାର ବି ହେଉଛି । ତଥାପି ଭଗବାନଙ୍କ ଅନୁଗ୍ରହରେ ସେ ଏ ଦୁଇଜଣଯାକଙ୍କ ଯତ୍ନ ନେବାକୁ ସମର୍ଥ ହୋଇ ପାରିଛନ୍ତି । ଆଶ୍ଚର୍ଯ୍ୟ ଲାଗେ ଯେ ଦୁର୍ଘଟଣା ପୂର୍ବରୁ ସେ ନିଜ କଥା ବି ନିଜେ ବୁଝିବାକୁ ପାରୁନଥିଲେ ।’’

 

ମିସେସ୍‌ ହେଲ୍‌ ଟିକିଏ ଅଟକିଲେ, ମୁଁ ବି ତୁନି ହୋଇ ତାଙ୍କ କଥା ଶୁଣି ଏଥାନ୍ ପରିବାରର ଦୈନଦିନ ଘଟଣାର ଚିତ୍ର କଳ୍ପନା କରୁଥାଏ । ଗୁଣୁଗୁଣୁ କରି ମୁଁ କହିଲି, ‘‘ବାସ୍ତବିକ ସେ ତିନିଜଣ ଯାକ ବଡ଼ ସଙ୍କଟରେ ପଡ଼ିଛନ୍ତି ।’’

 

ମିସେସ୍‌ ହେଲ୍‌ କହିଲେ, ‘‘ବାସ୍ତବିକ ବଡ଼ ଦୁସ୍ଥିତିରେ ସେମାନେ ଅଛନ୍ତି । ତିନିଜଣଙ୍କରୁ କୋଉ ଜଣଙ୍କ ସୁବିଧା ଲୋକ ନୁହନ୍ତି । ଦୁର୍ଘଟଣା ପୂର୍ବରୁ ମ୍ୟାଟି ଥିଲେ ଖୁବ୍‌ଭଲ । ତାଙ୍କ ପରି ମଧୁର ସ୍ୱଭାବ ମୁଁ ଅନ୍ୟତ୍ର ଦେଖି ନାହିଁ । କିନ୍ତୁ କି ଦୁଃଖ ସେ ସହି ନାହାନ୍ତି ? ତାଙ୍କର ପ୍ରକୃତି ଖରାପ ବୋଲି କେହି କହିଲେ ମୁ ସେଇ କାରଣ ଦିଏ । ଆଉ ଜୀନା ସେତ ସ୍ୱଭାବତଃ ବଦ୍‌ରାଗୀ । ତଥାପି ସେ ଖୁବ୍‍ ଧୈର୍ଯ୍ୟଧରି ମ୍ୟାଟିଙ୍କ ଦୁର୍ବ୍ୟବହାର ବରଦାସ୍ତ କରନ୍ତି—ମୁଁ ତ ଏହା ଆଖିରେ ଦେଖିଛି । କିନ୍ତୁ ବେଳେବେଳେ ଏ ଦୁହିଁଙ୍କର ଚଟିଆ ଯୁଦ୍ଧ ଲାଗିଯାଏ; ସେତେବେଳେ ଏଥାନ୍‍ଙ୍କ ମୁହଁକୁ ଚାହିଁଲେ ଯେ କୌଣସି ଲୋକର ମନରେ ଦୟା ଆସିବ...... । ଏପରି ସମମୟରେ ଏଥାନ୍‍ଙ୍କୁ ଦେଖି ମୁଁ ବିଚାରେ ସବୁଠାରୁ ଅଧିକ କଷ୍ଟ ଭୋଗୁଛନ୍ତି ସେଇ...ଜୀନା ଯେ ମନସ୍ତାପ ଭୋଗୁନାହାନ୍ତି, ତାହା ସ୍ୱଚ୍ଛନ୍ଦରେ କୁହା ଯାଇପାରେ, କାରଣ, ତାଙ୍କୁ ଭାବିବାକୁ ବେଳର ଅଭାବ...’’ ଶେଷରେ ଦୀର୍ଘନିଶ୍ୱାସ ତ୍ୟାଗ କରି ମିସେସ୍‌ ହେଲ୍‌ କହିଲେ, ‘‘ସବୁଠାରୁ ବଡ଼ ଦୁଃଖର ବିଷୟ ଯେ ଏ ତିନୋଟି ପ୍ରାଣୀ ସେଇ ଗୋଟିଏ ରୋଷଇଘରେ ବର୍ଷ ବର୍ଷ ଧରି ପଡ଼ି ରହିଛନ୍ତି । ଖରାଦିନେ, ପାଗ ଭଲ ଥିଲେ, ମ୍ୟାଟିଙ୍କୁ ବୈଠକଖାନାକୁ ବୋହି ନିଅନ୍ତି, ବେଳେ ବେଳେ ଦୁଆର ସାମନା ଅଗଣାକୁ ବି ନିଅନ୍ତି; ସମସ୍ତଙ୍କର କଥଞ୍ଚିତ୍‌ ସୁବିଧା ହୁଏ–କିନ୍ତୁ ଶୀତ ଦିନେ ନିଆଁ ଜାଳିବା ଦରକାର; ଗୋଟାକ ଜାଗାରେ ଦୁଇଟା ନିଆ କରିବା ଅସମ୍ଭବ ହୋଇପଡ଼େ, କାରଣ ଏଥାନ୍‌ ପରିବାରରେ ପଇସାଟିଏ ବି ଅଧିକ ଖର୍ଚ୍ଚ କରିବାର ସମ୍ୱଳ ନାହିଁ ।’’

 

ମିସେସ୍‌ ହେଲ୍‌ ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ିଲେ; ବହୁଦିନ ହେଲା ପେଟରେ ରଖିଥିବା କଥା ବାହାରିଯିବାରୁ ତାଙ୍କୁ ବୋଧହୁଏ ଉଶ୍ୱାସ ଲାଗିଲା । ମୋତେ କହିବାକୁ ଆଉ ତାଙ୍କର ବେଶୀ କିଛି ନଥାଏ । ହଠାତ୍‌ ଆଉ ଯେଉଁ ଟିକକ ବାକି ଥିଲା ସେତକ କହିଦେବାକୁ ତାଙ୍କର ପ୍ରବୃତ୍ତି ହେଲା-

 

ସେ ପୁଣି ନାକରୁ ଚଷମା କାଢ଼ିଲେ; କାଚମାଳିରେ ସୂକ୍ଷ୍ମସୂଚିକାମ ହୋଇଥିବା ଟେବୁଲ ଚାଦର ଉପରେ ମୋ ଆଡ଼କୁ ଝୁଙ୍କିପଡ଼ି କ୍ଷୀଣ ସ୍ୱରରେ ସେ କହିବାକୁ ଲାଗିଲେ, ‘‘ଦିନେ, ଦୁର୍ଘଟଣାର ପ୍ରାୟ ହପ୍ତାକ ପରେ, ମ୍ୟାଟି ଆଉ ବଞ୍ଚିବେ ନାହିଁ ବୋଲି ସମସ୍ତ ଶଙ୍କା କଲେ । କିନ୍ତୁ ଦୁଃଖର ବିଷୟ, ସେ ବଞ୍ଚିଗଲେ । ସେ ସେତେବେଳେ ମରି ଯାଇଥିଲେ ଭଲ ହୋଇଥାନ୍ତା ବୋଲି ମୁଁ ଆମ ଧର୍ମଯାଜକଙ୍କୁ କହିଥିଲି । ସେ ମହାଶୟଙ୍କ ମନରେ ମୋ ନିର୍ମମତା ଯୋଗୁଁ ଆଘାତ ହେଲା । ନ ହୁଅନ୍ତା କାହିଁକି ? ଦୁର୍ଘଟଣା ପରଦିନ ସକାଳେ ଯେତେବେଳେ ମ୍ୟାଟିଙ୍କର ଚେତା ଆସିଲା ସେତେବେଳେ ମୁଁ ସିନା ମ୍ୟାଟିଙ୍କ ପାଖରେ ଥିଲି; ଧର୍ମଯାଜକ ସେତେବେଳେ ତାଙ୍କ ପାଖେ ନଥିଲେ ।-ଏବେ ବି ମୁ କହୁଛି, ସେତେବେଳେ ଯଦି ମ୍ୟାଟି ମରିଥାନ୍ତେ ତେବେ ଏଥାନ୍‍ଙ୍କ ଜୀବନର ଗତି ଏଡ଼େ ଦୁଃଖମୟ ହୋଇ ନଥାନ୍ତା; ଆଜି ସେ ଓ ତାଙ୍କ ପରିବାର ଯେପରି ଅଛନ୍ତି ତାହା ଦେଖି ମୁଁ ବିଚାରେ, କବର ସ୍ଥାନର ଫ୍ରୋମ୍‌ମାନଙ୍କଠାରୁ ଏ ଜୀବନ୍ତ ଫ୍ରୋମ୍‌ମାନଙ୍କର ପାର୍ଥକ୍ୟ ବଡ଼ ବେଶି ନୁହେଁ । ବରଂ କବରରେ ଥିବା ଫ୍ରୋମ୍‌ମାନେ ଶାନ୍ତିରେ ଅଛନ୍ତି; ତାଙ୍କ ଭିତରେ ଯେଉଁ ସ୍ତ୍ରୀଲୋକମାନେ ଅଛନ୍ତି ସେମାନେ ତ ଅନ୍ତତଃ ପାଟି ବୁଜି ରହିଛନ୍ତି ।’’

Image